ଆମୋଲ ବର୍ଦ୍ଦେଙ୍କ ‘ସଙ୍ଗରୋଧ ଗୃହ’ କହିଲେ, ଏକ ଶୁଖିଲା ଘାସର କୁଡ଼ିଆ, ଯେଉଁଥିରେ ଭଙ୍ଗା କବାଟ, ନଷ୍ଟ ହୋଇଯାଇଥିବା ଛାତ ଉପରେ ପଡ଼ିଥିବା ଏକ ଚିରା ପ୍ଲାଷ୍ଟିକ ପାଲ ଓ ପଥର ବିଛା ହୋଇଥିବା ଆବଡ଼ାଖାବଡ଼ା ମାଟି ଚଟାଣ ରହିଛି।
କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ମଇ ୧ ତାରିଖରେ ସେ ମହାରାଷ୍ଟ୍ରର ଶିରୁର ତାଲୁକାର ଏକ ଉପାନ୍ତ ଅଞ୍ଚଳରେ ଥିବା ଏହି ଖାଲି କୁଡ଼ିଆକୁ ଚାଲି ଆସିଥିଲେ।
ମଇ ମାସର ପ୍ରବଳ ଗରମ ଯୋଗୁଁ ଯେତେବେଳେ ଭିତରେ ରହିବା କଷ୍ଟକର ହୋଇଥିଲା, ସେ କିଛି ଦୂରରେ ଥିବା ଏକ ଅଶ୍ୱତ୍ଥ ଗଛ ମୂଳରେ ଆଶ୍ରୟ ନେଉଥାନ୍ତି। “ସକାଳ ୧୧ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ, ଏକ ପ୍ଲାଷ୍ଟିକ ଚଟେଇ ବିଛାଇ, ମୁଁ ସେହି ଗଛ ମୂଳରେ ଶୋଇଥାଏ,” ସେ କୁହନ୍ତି।
ମଇ ୧ ତାରିଖରେ ଯେତେବେଳେ ୧୯ ବର୍ଷ ବୟସ୍କ ଆମୋଲଙ୍କୁ ଜ୍ୱର, ମୁଣ୍ଡବିନ୍ଧା ଏବଂ ଶରୀର ଯନ୍ତ୍ରଣା ହେଲା ସେ ତୁରନ୍ତ ତାଙ୍କର ଏହି କୁଡ଼ିଆଠାରୁ ୧୨ କିଲୋମିଟର ଦୂରରେ ଥିବା ଶିରୁର ଗ୍ରାମୀଣ ଡାକ୍ତରଖାନାକୁ ଏକ ଜିପରେ ଅନ୍ୟମାନଙ୍କ ସହିତ ଯାତ୍ରା କରିଥିଲେ।
ରାପିଡ୍ ଆଣ୍ଟିଜେନ ଟେଷ୍ଟରେ ପଜିଟିଭ୍ ଆସିବା ପରେ ଆଗକୁ ସେ କ’ଣ କରିବେ ସେ ସମ୍ପର୍କରେ ଡାକ୍ତରଖାନାର ଡାକ୍ତରଙ୍କୁ ପଚାରିଲେ। “ଡାକ୍ତର ୧୦ ଦିନ ପାଇଁ ଔଷଧ କିଣିବା ଲାଗି କହିବା ସହ ମୋ ପରିବାର ଲୋକଙ୍କ ଠାରୁ ୧୪-୧୫ ଦିନ ଅଲଗା ରହିବା ନିମନ୍ତେ ପରାମର୍ଶ ଦେଲେ”, ଆମୋଲ କୁହନ୍ତି।
“ଶଯ୍ୟା ଉପଲବ୍ଧ ନଥିଲା”, ସେ ଆହୁରି କହିଥିଲେ। ଶିରୁର ଗ୍ରାମୀଣ ଡାକ୍ତରଖାନାରେ ଅକ୍ସିଜେନ ସୁବିଧା ଥିବା ୨୦ଟି ଶଯ୍ୟା ଏବଂ ୧୦ଟି ଆଇସୋଲେସନ ଶଯ୍ୟା ରହିଛି (ଡାକ୍ତରଖାନାର ଅଧୀକ୍ଷକ ସେଠାରେ ମୋତେ କହିଥିଲେ)। ତେଣୁ ଆମୋଲ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କଲେ ଏବଂ ଡାକ୍ତରଖାନା ନିକଟରେ ଥିବା ଔଷଧ ଦୋକାନରୁ ଔଷଧ କିଣିଲେ। ନିଜର ଛୋଟ କୁଡ଼ିଆରେ ପୃଥକବାସରେ ରହିବା ଲାଗି ସୁବିଧା ନଥିବାରୁ ସେ ପଡ଼ୋଶୀଙ୍କ କୁଡ଼ିଆକୁ ଚାଲିଗଲେ। “ସେମାନେ କିଛି ମାସ ପାଇଁ ଏପ୍ରିଲରେ କାମ କରିବା ଲାଗି ବାହାରକୁ ଚାଲିଯାଇଥିଲେ। ମୁଁ ତାଙ୍କୁ ଫୋନ କଲି ଏବଂ ନିଜର ଅବଧି (କୋଭିଡ ଚିକିତ୍ସା) ଶେଷ କରିବା ପର୍ଯ୍ୟନ୍ତ ସେମାନଙ୍କ କୁଡ଼ିଆରେ ରହିବା ପାଇଁ ଅନୁମତି ମାଗିଲି”, ଆମୋଲ କହିଥିଲେ।










