ସେମାନେ ଆସିଲେ । ସେମାନେ ପଦଯାତ୍ରା କଲେ । ସେମାନେ ସ୍ଲୋଗାନ୍ ଦେଲେ । ପ୍ରାୟତଃ ଦେଶର ସଂସଦର ଦ୍ୱାରଦେଶରେ ସେମାନେ ଏପରି କଲେ । ସେମାନଙ୍କୁ ସମ୍ବୋଧନ କରିବାକୁ ସେମାନେ ରାଜନୈତିକ ନେତୃତ୍ୱମାନଙ୍କୁ ବାଧ୍ୟ କଲେ । ଏବଂ ଶେଷରେ ସେମାନେ ଫେରିଗଲେ । ସେମାନେ ଗର୍ବର ସହ ଫେରିଥିଲେ ।
କିନ୍ତୁ ଏହା ସହଜ ନଥିଲା । ନଭେମ୍ବର ୩୦ ତାରିଖର ଶୀତୁଆ ସକାଳରେ ତାରା ଦେବୀ ଉଠିବାବେଳକୁ ତାଙ୍କର ହାଡ଼ ଥରୁଥିଲା । ସେ କହିଲେ, ‘‘ଖୋଲା ଆକାଶ ତଳେ ମାଟି ଉପରେ ଶୋଇବା(ରାମଲୀଳା ମୈଦାନରେ) ଯୋଗୁ ମୋର ଶରୀର କାଲୁଆ ହୋଇଯାଇଥିଲା ।’’ ସେହି ରାତି ପୂର୍ବରୁ ତାରା ଦେବୀ ବାରାଣସୀରୁ ଆସୁଥିବା ଏକ ଟ୍ରେନ୍ରେ ପ୍ରାୟ ୧୪ ଘଣ୍ଟାରୁ ଅଧିକ ସମୟ ବିତାଇ ସାରିଥିଲେ । ସେ କହିଲେ, ‘‘ମୋର ସ୍ୱେଟର ଚିରା । ମୋ ପାଖରେ ଖଣ୍ଡେ ମୋଟା କମ୍ବଳ ବି ନାହିଁ ।’’ ସକାଳ ୮ଟାରେ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ପରିବେଷିତ ଖେଚୁଡ଼ି ଜଳଖିଆ ଖାଇବା ପରେ ସେ ରାମଲୀଳା ମୈଦାନର ସବୁଠୁ ବ୍ୟସ୍ତବହୁଳ ଡାକ୍ତରମାନଙ୍କ ଷ୍ଟଲ ଆଡକୁ ଗଲେ । ଯେଉଁଠାରେ ସ୍ୱେଚ୍ଛାସେବୀ ଡାକ୍ତରମାନଙ୍କର ଏକ ଟିମ୍ ରୋଗ ସଂପର୍କରେ ଅଭିଯୋଗ କରୁଥିବା ସବୁ ଲୋକଙ୍କର ଚିକିତ୍ସା କରୁଥିଲେ ।
କେନ୍ଦ୍ରୀୟ ଦିଲ୍ଲୀସ୍ଥିତ ମୈଦାନରେ ରହୁଥିବା ହଜାର ହଜାର ଚାଷୀଙ୍କ ମଧ୍ୟରୁ ଅନେକ ଔଷଧ ପାଇଁ ଡାକ୍ତରମାନଙ୍କ ପାଖକୁ ଯାଇଥିଲେ । ନଭେମ୍ବର ୨୮ ତାରିଖ ରାତିରେ ଯେତେବେଳେ ସେଠାକାର ତମ୍ବୁରେ କୌଣସି ଲାଇଟ୍ ନ ଥିଲା, କିଛି ଚାଷୀ ମେଡିକାଲ ଷ୍ଟଲ ନିକଟରେ ଦୁଇଟି ମୋଟରବାଇକକୁ ପାର୍କ କଲେ ଏବଂ ତାର ହେଡଲାଇଟ୍ ଜଳାଇଦେଲେ । ଚାଷୀମାନଙ୍କ ଉପରୁ ନିଜର ଆଖି ନ ହଟାଇ ସେମାନେ ଭୋଗୁଥିବା ସମସ୍ୟା ସଂପର୍କରେ ଡାକ୍ତର କେ.କେ. ମିତ୍ତଲ କହିଲେ, “ସେମାନଙ୍କ ମଧ୍ୟରୁ ଅଧିକାଂଶ କଫ, ଥଣ୍ଡା ଏବଂ ଯନ୍ତ୍ରଣା ନେଇ ଅଭିଯୋଗ କରୁଛନ୍ତି । ସେମାନେ ତାଙ୍କର କ୍ଷେତରୁ ଦିଲ୍ଲୀର ପ୍ରଦୂଷିତ ଜଳବାୟୁକୁ ଆସିଯାଇଛନ୍ତି ।’’










