ଗୁଦାପୁରୀ ବାଲାରାଜୁ ତାଙ୍କ ଅଟୋରିକ୍ସରେ ଥିବା ପଛ ସିଟ୍ କାଢ଼ି ପ୍ରାୟ ୭୦୦ କିଲୋ ତରଭୁଜ ଗାଡିରେ ଲଦନ୍ତି । ସେ ଏଗୁଡ଼ିକୁ ବର୍ତ୍ତମାନ ନିଜ ଗାଁ ଭେମ୍ପାହାଡ ଠାରୁ ୩୦ କିଲୋମିଟର ଦୂରରେ ଥିବା କପୋଲେ ଗାଁର ଭେଲିଦାନ୍ଦପୁଡୁ ପଡ଼ାର ଜଣେ ଚାଷୀଙ୍କଠାରୁ କିଣିଛନ୍ତି।
ଏହା ପରେ ସେ ନାଲଗୋଣ୍ଡା ଜିଲ୍ଲାର ନିଦାମନୁର ମଣ୍ଡଳର ବିଭିନ୍ନ ଗ୍ରାମରେ ବୁଲିଲେ ଏବଂ ୧ ରୁ ୩ କିଲୋ ଓଜନ ମଧ୍ୟରେ ଥିବା କିଛି ତରଭୁଜକୁ ଟ. ୧୦ ଲେଖାଏଁରେ ବିକ୍ରି କରିବାକୁ ସଫଳ ହୋଇଥିଲେ ।ଏହା ବାଲାରାଜୁଙ୍କ ପାଇଁ ଏହା ଏକ କଷ୍ଟକର ବିକ୍ରୟ ଦିନ ଥିଲା । ସେ ଫଳ ବିକ୍ରୟ କରୁନଥିବା ବେଳେ ଯାତ୍ରୀମାନଙ୍କୁ ତାଙ୍କ ଅଟୋରିକ୍ସରେ ନେବା ଆଣିବା କରିଥା’ନ୍ତି । ଗ୍ରାମବାସୀ ତାଙ୍କୁ ଭିତରକୁ ଯିବାକୁ ଦେବାକୁ ଅନିଚ୍ଛୁକ । ୨୮ ବର୍ଷୀୟ ବାଲାରାଜୁ କୁହନ୍ତି, “କେହି କେହି ଏହାକୁ ‘କରୋନା କାୟା’[ତରଭୁଜ] ବୋଲି କହୁଛନ୍ତି, ସେମାନେ କହୁଛନ୍ତି ଏଠାକୁ ଆସ ନାହିଁ। ତମେ ତରଭୁଜ ସହିତ ଭୁତାଣୁ ଆଣୁଛ।”
ମାର୍ଚ୍ଚ ୨୩ ରେ ତେଲେଙ୍ଗାନାରେ କୋଭିଡ୍ - ୧୯ ଲକ୍ଡାଉନ୍ ଆରମ୍ଭ ହେବା ପରେ - ସେ ଦିନକୁ ମାତ୍ର ଟ. ୬୦୦ରୋଜଗାର କରୁଛନ୍ତି । ଲକ୍ଡାଉନ୍ ପୂର୍ବରୁ ଅମଳ ପରେ କିଛି ସପ୍ତାହ ପର୍ଯ୍ୟନ୍ତ ସେ ଦିନକୁ ପ୍ରାୟ ଟ.୧,୫୦୦ ରୋଜଗାର କରୁଥିଲେ। ତରଭୁଜ ଏଠାରେ ସାଧାରଣତଃ ଜାନୁଆରୀ ପ୍ରାରମ୍ଭରେ ଲଗାଯାଏ ଏବଂ ଦୁଇମାସ ପରେ ଅମଳ ହୁଏ ।
ବିକ୍ରୟ ହ୍ରାସ ଏବଂ ଲୋକଙ୍କ ମନ୍ତବ୍ୟ ଯୋଗୁଁ ବାଲାରାଜୁ କୁହନ୍ତି ଯେ ସେ ଏପ୍ରିଲ ୧ ରେ କିଣିଥିବା ତରଭୁଜ ସବୁ ବିକ୍ରୟ କରିବା ପରେ ସେ ଆଉ ବାହାରକୁ ଯିବାକୁ ଚାହୁଁ ନାହାଁନ୍ତି । ତାଙ୍କ ପରି, ତରଭୁଜ ଉତ୍ପାଦନ ଏବଂ ବିପଣନରେ ଜଡିତ ଅନେକ କୃଷକ, ଶ୍ରମିକ ଏବଂ ବ୍ୟବସାୟୀ କୋଭିଡ -୧୯ ସଙ୍କଟ ଯୋଗୁଁ ଏକ ବଡ଼ ଧରଣର ଆଘାତ ପାଇଛନ୍ତି ।
ଯେଉଁ ଶ୍ରମିକମାନେ ଫଳ ତୋଳନ୍ତି ଏବଂ ଟ୍ରକରେ ଲଦନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା, ସେମାନେ ଦୈନିକ ମଜୁରୀ ଉପରେ ନିର୍ଭର କରନ୍ତି । ଗୋଟିଏ ୧୦ ଟନ୍ ଟ୍ରକ୍ ଲଦିବା ପାଇଁ ୭-୮ଜଣ ମହିଳାଙ୍କର ଗୋଟିଏ ଦଳ ଟ. ୪୦୦୦ ରୋଜଗାର କରନ୍ତି ଯାହା ସେମାନଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟାଯାଏ । ଅଧିକାଂଶ ଦିନରେ, ଗୋଟିଏ ଦଳ ଦୁଇଟି ଟ୍ରକ୍, ବେଳେବେଳେ ତିନୋଟିରେ ଲଦିପାରନ୍ତି । ତେବେ ଲକ୍ଡାଉନ୍ ପରେ ତେଲେଙ୍ଗାନା ସହରକୁ ଫଳ ପରିବହନ କରୁଥିବା ଟ୍ରକ ସଂଖ୍ୟା ହ୍ରାସ ପାଇଥିବାରୁ ସେମାନଙ୍କ ମଜୁରୀ ମଧ୍ୟ ହ୍ରାସ ପାଇଛି।









