ଗୁଦାପୁରୀ ବାଲାରାଜୁ ତାଙ୍କ ଅଟୋରିକ୍ସରେ ଥିବା ପଛ ସିଟ୍ କାଢ଼ି ପ୍ରାୟ ୭୦୦ କିଲୋ ତରଭୁଜ ଗାଡିରେ ଲଦନ୍ତି । ସେ ଏଗୁଡ଼ିକୁ ବର୍ତ୍ତମାନ ନିଜ ଗାଁ ଭେମ୍ପାହାଡ ଠାରୁ ୩୦ କିଲୋମିଟର ଦୂରରେ ଥିବା କପୋଲେ ଗାଁର ଭେଲିଦାନ୍ଦପୁଡୁ ପଡ଼ାର ଜଣେ ଚାଷୀଙ୍କଠାରୁ କିଣିଛନ୍ତି।
ଏହା ପରେ ସେ ନାଲଗୋଣ୍ଡା ଜିଲ୍ଲାର ନିଦାମନୁର ମଣ୍ଡଳର ବିଭିନ୍ନ ଗ୍ରାମରେ ବୁଲିଲେ ଏବଂ ୧ ରୁ ୩ କିଲୋ ଓଜନ ମଧ୍ୟରେ ଥିବା କିଛି ତରଭୁଜକୁ ଟ. ୧୦ ଲେଖାଏଁରେ ବିକ୍ରି କରିବାକୁ ସଫଳ ହୋଇଥିଲେ ।ଏହା ବାଲାରାଜୁଙ୍କ ପାଇଁ ଏହା ଏକ କଷ୍ଟକର ବିକ୍ରୟ ଦିନ ଥିଲା । ସେ ଫଳ ବିକ୍ରୟ କରୁନଥିବା ବେଳେ ଯାତ୍ରୀମାନଙ୍କୁ ତାଙ୍କ ଅଟୋରିକ୍ସରେ ନେବା ଆଣିବା କରିଥା’ନ୍ତି । ଗ୍ରାମବାସୀ ତାଙ୍କୁ ଭିତରକୁ ଯିବାକୁ ଦେବାକୁ ଅନିଚ୍ଛୁକ । ୨୮ ବର୍ଷୀୟ ବାଲାରାଜୁ କୁହନ୍ତି, “କେହି କେହି ଏହାକୁ ‘କରୋନା କାୟା’[ତରଭୁଜ] ବୋଲି କହୁଛନ୍ତି, ସେମାନେ କହୁଛନ୍ତି ଏଠାକୁ ଆସ ନାହିଁ। ତମେ ତରଭୁଜ ସହିତ ଭୁତାଣୁ ଆଣୁଛ।”
ମାର୍ଚ୍ଚ ୨୩ ରେ ତେଲେଙ୍ଗାନାରେ କୋଭିଡ୍ - ୧୯ ଲକ୍ଡାଉନ୍ ଆରମ୍ଭ ହେବା ପରେ - ସେ ଦିନକୁ ମାତ୍ର ଟ. ୬୦୦ରୋଜଗାର କରୁଛନ୍ତି । ଲକ୍ଡାଉନ୍ ପୂର୍ବରୁ ଅମଳ ପରେ କିଛି ସପ୍ତାହ ପର୍ଯ୍ୟନ୍ତ ସେ ଦିନକୁ ପ୍ରାୟ ଟ.୧,୫୦୦ ରୋଜଗାର କରୁଥିଲେ। ତରଭୁଜ ଏଠାରେ ସାଧାରଣତଃ ଜାନୁଆରୀ ପ୍ରାରମ୍ଭରେ ଲଗାଯାଏ ଏବଂ ଦୁଇମାସ ପରେ ଅମଳ ହୁଏ ।
ବିକ୍ରୟ ହ୍ରାସ ଏବଂ ଲୋକଙ୍କ ମନ୍ତବ୍ୟ ଯୋଗୁଁ ବାଲାରାଜୁ କୁହନ୍ତି ଯେ ସେ ଏପ୍ରିଲ ୧ ରେ କିଣିଥିବା ତରଭୁଜ ସବୁ ବିକ୍ରୟ କରିବା ପରେ ସେ ଆଉ ବାହାରକୁ ଯିବାକୁ ଚାହୁଁ ନାହାଁନ୍ତି । ତାଙ୍କ ପରି, ତରଭୁଜ ଉତ୍ପାଦନ ଏବଂ ବିପଣନରେ ଜଡିତ ଅନେକ କୃଷକ, ଶ୍ରମିକ ଏବଂ ବ୍ୟବସାୟୀ କୋଭିଡ -୧୯ ସଙ୍କଟ ଯୋଗୁଁ ଏକ ବଡ଼ ଧରଣର ଆଘାତ ପାଇଛନ୍ତି ।
ଯେଉଁ ଶ୍ରମିକମାନେ ଫଳ ତୋଳନ୍ତି ଏବଂ ଟ୍ରକରେ ଲଦନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା, ସେମାନେ ଦୈନିକ ମଜୁରୀ ଉପରେ ନିର୍ଭର କରନ୍ତି । ଗୋଟିଏ ୧୦ ଟନ୍ ଟ୍ରକ୍ ଲଦିବା ପାଇଁ ୭-୮ଜଣ ମହିଳାଙ୍କର ଗୋଟିଏ ଦଳ ଟ. ୪୦୦୦ ରୋଜଗାର କରନ୍ତି ଯାହା ସେମାନଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟାଯାଏ । ଅଧିକାଂଶ ଦିନରେ, ଗୋଟିଏ ଦଳ ଦୁଇଟି ଟ୍ରକ୍, ବେଳେବେଳେ ତିନୋଟିରେ ଲଦିପାରନ୍ତି । ତେବେ ଲକ୍ଡାଉନ୍ ପରେ ତେଲେଙ୍ଗାନା ସହରକୁ ଫଳ ପରିବହନ କରୁଥିବା ଟ୍ରକ ସଂଖ୍ୟା ହ୍ରାସ ପାଇଥିବାରୁ ସେମାନଙ୍କ ମଜୁରୀ ମଧ୍ୟ ହ୍ରାସ ପାଇଛି।ମାର୍ଚ୍ଚ ୨୯ ରେ, ହାଇଦ୍ରାବାଦର କୋଥାପେଟ ବଜାରରେ କେବଳ ୫୦ ଟି ଟ୍ରକ ତରଭୁଜ ପହଞ୍ଚିଥିଲା ବୋଲି ସ୍ଥାନୀୟ ସମ୍ବାଦ ରିପୋର୍ଟରେ ଦର୍ଶାଯାଇଛି। ଲକ୍ଡାଉନ୍ ପୂର୍ବରୁ, ତରଭୁଜ ଅମଳ ସମୟରେ ପ୍ରତିଦିନ ୫୦୦-୬୦୦ ଟ୍ରକ୍ ତେଲେଙ୍ଗାନାର ବିଭିନ୍ନ ଜିଲ୍ଲା, ବିଶେଷକରି ନାଲଗୋଣ୍ଡା ଏବଂ ମହବୁବନଗରରୁ କୋଥାପେଟରେ ପହଞ୍ଚୁ ଥିଲା ବୋଲି ମିରିଆଲାଗୁଡା ସହରର ଜଣେ ବ୍ୟବସାୟୀ ମଧୁ କୁମାର ଆକଳନ କରିଛନ୍ତି । ପ୍ରତ୍ୟେକ ଟ୍ରକ୍ ପ୍ରାୟ ୧୦ ଟନ୍ ତରଭୁଜ ନେଇଥାଏ । ସହର ଏବଂ ନଗରଗୁଡ଼ିକରେ ପାଇକାରୀ ବିକ୍ରେତାଙ୍କୁ ତରଭୁଜ ବିକ୍ରୟ କରୁଥିବା କୁମାର କୁହନ୍ତି, “ଅନେକ ଟ୍ରକ୍ ଚେନ୍ନାଇ, ବେଙ୍ଗାଲୁରୁ ଏବଂ ଏପରିକି ଦିଲ୍ଲୀକୁ [ଯିବ] ଯାଏ ।’’
ତରଭୁଜର ପାଇକାରୀ ଦାମ ମଧ୍ୟ ଲକଡାଉନ୍ ସହିତ ଖସିଛି। ଲକଡାଉନ୍ ପୂର୍ବରୁ କୁମାର ଟନ୍ ପିଛା ଟ. ୬୦୦୦-୭୦୦୦ ଦେଉଥିଲେ , ମାର୍ଚ୍ଚ ୨୭ ସୁଦ୍ଧା ସେ ନାଲଗୋଣ୍ଡାର ଗୁରୁମ୍ପୋଡେ ମଣ୍ଡଳର କପୋଲେ ଗାଁର ବୁଡାରେଡି ଗୁଡ଼ା ପଡ଼ାର ଜଣେ କୃଷକ ବୋଲାମ ୟାଦୈହଙ୍କୁ ଟନ୍ ପିଛା ଟ.ହଜାର ଦେଇଛନ୍ତି । ସେହି ମୂଲ୍ୟରେ କିଣି ସେ ମିରାୟାଲାଗୁଡାର ଜଣେ ଫଳ ବିକ୍ରେତାଙ୍କୁ ୟାଦୈହଙ୍କ ଫାର୍ମରୁ ଦୁଇ ଟ୍ରକ୍ ଫଳ ପଠାଇଥିଲେ ।
ଅବଶ୍ୟ, ଏହି ଲକଡାଉନ୍ ଦ୍ୱାରା ସୃଷ୍ଟି ହୋଇଥିବା ଆଘାତ କେବଳ ରାଜ୍ୟରେ ଅନେକ ତରଭୁଜ ଚାଷୀଙ୍କ ସମ୍ମୁଖୀନ ହେଉଥିବା କ୍ଷତିକୁ ଆହୁରି ଖରାପ କରିଦେଇଛି। ସେମାନଙ୍କ ମଧ୍ୟରେ ନାଲଗୋଣ୍ଡା ଜିଲ୍ଲାର କଙ୍ଗଲ ମଣ୍ଡଳର ତୁର୍କା ପାଲେ ଗାଁର ୨୫ ବର୍ଷୀୟ ବାଇରୁ ଗଣେଶ ଅଛନ୍ତି ।
ଗଣେଶ ଯେଉଁ ତରଭୁଜ ଚାଷ କରନ୍ତି ତାହା ଅଧିକ ବିନିଯୋଗ ଆବଶ୍ୟକ କରୁଥିବା ହାଇବ୍ରିଡ୍ ପ୍ରକାର, ଯାହା ପାଣିପାଗ ଏବଂ କୀଟ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ । ଏକର ପିଛା ଚାଷର ମୂଲ୍ୟ ପ୍ରାୟ ମଞ୍ଜି, ସାର, କୀଟନାଶକ, ହଳ, ତୃଣକ ବାଛିବା , ଘାସ ନଡ଼ା ଆଦି ଘୋଡେଇବା ଇତ୍ୟାଦି ପାଇଁ ଟ ୫୦,୦୦୦ରୁ ଟ ୬୦,୦୦୦ । ୨୦୧୯ରେ ଗ୍ରୀଷ୍ମରେ ଗଣେଶ ଟନ୍କୁ ଟ ୧୦,୦୦୦ରେ ବିକ୍ରୟ କରି ଟ.୧୫୦,୦୦୦ ଲାଭ କରିଥିଲେ ।ଗଣେଶ ଚଳିତ ବର୍ଷ ମଧ୍ୟ ଅନୁରୂପ ଲାଭ ପାଇବାକୁ ଆଶା ରଖିଥିଲେ ଏବଂ ମାର୍ଚ୍ଚରୁ ଜୁନ୍ ମଧ୍ୟରେ ତିନିଟି ପର୍ଯ୍ୟାୟରେ ଫସଲ ଚାଷ କରିବା ପାଇଁ ନଅ ଏକର ଲିଜ୍ ଦେଇଥିଲେ। ଗୋଟିଏ ଏକର ସାଧାରଣତଃ ପ୍ରାୟ ୧୫ ଟନ୍ ତରଭୁଜ ଅମଳ କରିଥାଏ । ଏମଧ୍ୟରୁ ହାରାହାରି, ୧୦ ଟନ୍ କୌଣସି ଦାଗ ବିନା ସମ୍ପୂର୍ଣ୍ଣ ରୂପେ ସଠିକ ଆକୃତିର, ଚିକ୍କଣ, ସମାନ ଆକାର ଏବଂ ଓଜନର । ସେୁଡ଼ିକ ମଧୁ କୁମାରଙ୍କ ପରି ବ୍ୟବସାୟୀମାନଙ୍କ ଦ୍ୱାରା ସହର ଏବଂ ନଗରକୁ ପଠାଯାଏ । ବାଲାରାଜୁଙ୍କ ପରି ପାର୍ଟ ଟାଇମ୍ ଫଳ ବିକ୍ରେତାମାନେ (ଯିଏ ତାଙ୍କ ଅଟୋରିକ୍ସରେ ଫଳ ଲଦନ୍ତି) କୃଷକମାନଙ୍କଠାରୁ ରିହାତି ମୂଲ୍ୟରେ ତରଭୁଜ କ୍ରୟ କରି ଛୋଟ ସହର ଏବଂ ଗ୍ରାମରେ ‘ବଳକାଗୁଡ଼ିକ’ ବିକ୍ରି କରନ୍ତି ।
ସମାନ ପ୍ଲଟରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ତରଭୁଜ ଚାଷ କରିବା ଦ୍ୱାରା ହାରାହାରି ଅମଳ ସାତ ଟନ୍କୁ ହ୍ରାସ ହୁଏ - ଏବଂ ତୃତୀୟ ଫସଲରେ ଏହା ଆହୁରି ଖସିଯାଏ । ବିହନ ବୁଣିବାର ୬୦ ରୁ ୬୫ ଦିନ ମଧ୍ୟରେ ଯଦି ଫଳ ଅମଳ ହୁଏ ନାହିଁ, ତେବେ ସମଗ୍ର ଅମଳଗୁଡିକ ଅଧିକ ପାଚିଯାଏ । ଏବଂ ଯଦି କୀଟନାଶକ କିମ୍ବା ସାର ବାରମ୍ବାର ଏବଂ ଠିକ୍ ସମୟରେ ବ୍ୟବହୃତ ହୁଏ ନାହିଁ, ତେବେ ଫଳ ସେହି ଖୁବ୍ ଜରୁରୀ ଉପଯୁକ୍ତ ଆକୃତି, ଆକାର ଏବଂ ଓଜନ ହାସଲ କରେ ନାହିଁ ।
ଯଦି କୃଷକ ସମ୍ପୂର୍ଣ୍ଣ ପରିମାଣ ରାଶି ନଗଦ ଅର୍ଥରେ ଦେଇ ପାରିବେ ତେବେ ସେହି କୀଟନାଶକ ଏବଂ ସାର କ୍ରୟ କରାଯାଇପାରିବ। “ତରଭୁଜ ପାଇଁ ବାକିରେ କେହି ଏସବୁ ଜିନିଷଗୁଡ଼ିକୁ କେହି ଦିଅନ୍ତି ନାହିଁ । ସେମାନେ ଏହାକୁ ମୌସମ୍ବି ଏବଂ ଧାନ ପାଇଁ ଦିଅନ୍ତି । ସେମାନେ ଏଥିରେ [ତରଭୁଜରେ] ଜଡିତ ଥିବା ବିପଦକୁ ଜାଣିଛନ୍ତି ’’ ଏହା କୁହନ୍ତି ଚିଣ୍ଟାଲା ଯାଦମା ଯିଏକି ୨୦୧୯ତୁର୍କା ପାଲେ ଗ୍ରାମରେ ତରଭୁଜ ଚାଷ ଆରମ୍ଭ କରିଥିଲେ। ବେସରକାରୀ ଋଣଦାତାମାନଙ୍କଠାରୁ ଅଧିକ ସୁଧ ବିଶିଷ୍ଟ ଋଣକୁ ସୂଚିତ କରି ସେ କହିଛନ୍ତି, “ଅନ୍ୟ କେଉଁ ସ୍ଥାନରୁ ଋଣ ନେବା ସହଜ ଅଟେ।’’
ଏଥିସହ କୃଷକମାନେ କୁହନ୍ତି, ଏଠାରେ ତରଭୁଜ ଚାଷରେ ବୃଦ୍ଧି ଘଟିବା କାରଣରୁ ଲକ୍ଡାଉନ୍ ପୂର୍ବରୁ ମଧ୍ୟ ମୂଲ୍ୟ ହ୍ରାସ ପାଇଥିଲା ଅତ୍ୟଧିକ ଯୋଗାଣ ହେତୁ ମୂଲଚାଲ କରିବା ପାଇଁ କଷ୍ଟକର ସ୍ଥିତିରେ ଥିବା କୃଷକମାନେ ଅଭିଯୋଗ କରିଛନ୍ତି ଯେ ଅତ୍ୟଧିକ ଯୋଗାଣ ହେତୁ ବ୍ୟବସାୟୀମାନେ ଦାମ ଫିକ୍ସିଂ କରିବା କାରଣରୁ ମାର୍ଚ୍ଚ ପ୍ରାରମ୍ଭରେ ଏହାର ମୂଲ୍ୟ ମଧ୍ୟ କମ୍ ଥିଲା ।
ମୁଁ କଥାବାର୍ତ୍ତା କରିଥିବା ଅନେକ କୃଷକ ତରଭୁଜ ଚାଷକୁ ଜୁଆ ଖେଳରୁ ‘ତାସ ଖେଳ’ ସହିତ ତୁଳନା କରିଥିଲେ । କିନ୍ତୁ ଏହି ବିପଦ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଏହି ଫସଲ ଚାଷ କରିବାକୁ ରୋକି ପାରି ନଥିଲା।- ସମସ୍ତେ ଆଶା କରୁଥିଲେ ଯେ ଚଳିତ ବର୍ଷ ଅମଳ ସେମାନଙ୍କ ସପକ୍ଷରେ ଯିବ ।ଗଣେଶ ଭଲ ମୂଲ୍ୟ ଆଶା କରି - ତାଙ୍କର ପ୍ରଥମ ତିନି ଏକର ଫସଲ ଅମଳ କରିବାରେ ପ୍ରାୟ ଏକ ସପ୍ତାହ ବିଳମ୍ବ କରିଥିଲେ । ସେଗୁଡିକୁ ତୋଳିବା ଏବଂ ତା’ପରେ ଏତେ ଟନ୍ ତରଭୁଜ ଠିକ୍ ଭାବରେ ସଂରକ୍ଷଣ କରିବା ଏକ ବିକଳ୍ପ ନୁହେଁ । ସେ କୁହନ୍ତି, “[ମାର୍ଚ୍ଚ ଆରମ୍ଭ ସୁଦ୍ଧା] ପ୍ରାୟ ଗୋଟିଏ ଟ୍ରକ୍ରେ ଲଦାଯିବା ପରି [୧୦ ଟନ୍] ଫଳ ଅମଳ ହୋଇନଥିଲା । ସେତେବେଳେ କେହି ତାଙ୍କୁ ଟନ୍ ପିଛା ଟ.୬,୦୦୦ ଦେବାକୁ ଅପେକ୍ଷା କରିଥିଲେ । ଏ ମଧ୍ୟରେ ତାଙ୍କର ଫଳଗୁଡିକ ଅଧିକ ପାଚିଗଲା ଏବଂ ସେଗୁଡ଼ିକର ମୂଲ୍ୟ ଆହୁରି କମ୍ ହୋଇଗଲା ।
ମାର୍ଚ୍ଚ ପ୍ରଥମ ସପ୍ତାହରେ ତାଙ୍କର ଫଳ ନେବାକୁ ଆସିଥିବା ବ୍ୟବସାୟୀ ଅନେକ ତରଭୁଜକୁ ଖାରଜ କରିଥିଲେ। ଯେତେବେଳେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଫଳ ଖାରଜ ହେଲା ସେତେବେଳେ ଗଣେଶ ଚୁପ୍ ରହିଲେ। କିନ୍ତୁ ଯେତେବେଳେ ଚତୁର୍ଥଟି ଖାରଜ ହେଲା, ସେ ନିଜର ଧୈର୍ଯ୍ୟ ହରାଇଲେ ଏବଂ ନିଜ କ୍ଷେତରେ ଫଳର ଶ୍ରେଣୀ ବିଭାଗ କରୁଥିବା ବ୍ୟକ୍ତିଙ୍କ ଉପରକୁ ଟେକା ପକାଇଲେ ।
“ମୁଁ ଗୋଟିଏ ଶିଶୁର ଯତ୍ନ ନେବା ପରି ଫସଲର ଯତ୍ନ ନେଉଥିଲି । ଏହାକୁ କୋକିଶିଆଳି ମାନଙ୍କଠାରୁ ରକ୍ଷା କରିବା ପାଇଁ ପୁରା ମାସ ମୁଁ ଏଠାରେ [କ୍ଷେତରେ] ଶୋଇଥିଲି । ସେ କିପରି ସେମିତି ଫୋପାଡିବେ ? ସେ ସେଗୁଡ଼ିକୁ ଧୀରେ ଧୀରେ ଭୂମିରେ ରଖିଥାନ୍ତେ । ଗଣେଶ କୁହନ୍ତି, ମୁଁ କମ୍ ମୂଲ୍ୟରେ ଅନ୍ୟ କାହାକୁ ବିକ୍ରି କରିଥା’ନ୍ତି । ଅନିଚ୍ଛାରେ, ସେ ତାଙ୍କର ‘ସଠିକ୍’ ଫଳଗୁଡ଼ିକୁ ସେହି ବ୍ୟବସାୟୀଙ୍କୁ ବିକ୍ରୟ କଲେ ଏବଂ ‘ବଳକା’ ବାଲାରାଜୁଙ୍କ ପରି ବିକ୍ରେତାଙ୍କୁ ବିକ୍ରି କଲେ ।
କୋଭିଡ୍-୧୯ ଲକଡାଉନ୍ ପୂର୍ବରୁ ଏସବୁ ଘଟିଥିଲା ।
ମାର୍ଚ୍ଚର ପ୍ରଥମ ସପ୍ତାହରେ ମୁଁ ଭେଲିଡାଣ୍ଡୁପାଦୁ ପଡ଼ାରେ ଏକ ବିହନ କମ୍ପାନୀର ସେଲ୍ସମ୍ୟାନ୍ ଶଙ୍କରଙ୍କ ସହ କଥା ହେବା ବେଳେ ସେ ଆକଳନ କରିଥିଲେ, ‘‘ ଚଳିତ ବର୍ଷ ନାଲଗୋଣ୍ଡାରେ ପ୍ରାୟ ୫୦୦୦ ଏକର [ତରଭୁଜ] ଚାଷ କରାଯିବ।’’ ଯଦି ବର୍ତ୍ତମାନ ଟନ୍ ପିଛା ଦାମ ଟ.୩,୦୦୦ରେ ଅବ୍ୟାହତ ରହିବ, ଅର୍ଥାତ୍ ଯେଉଁ ଦାମରେ ମଧୁ କୁମାର ବୁଦ୍ଧାରେଡି ଗୁଦା ପଡ଼ାରେ ଥିବା ବୋଲାମ ୟାଦୈହଙ୍କଠାରୁ ଯେଉଁ ଫଳ କିଣିଛନ୍ତି, ନୂଆ କରି ତରଭୁଜ ଚାଷ କରିଥିବା କୃଷକମାନେ ଏକର ପିଛା ପ୍ରାୟ ଟ.୨୦,୦୦୦ ହରାଇପାରନ୍ତି । ଗଣେଶ ତାଙ୍କ ପ୍ରଥମ ତିନି ଏକରରେ ଅତିକମରେ ଟ. ୩୦,୦୦୦ କ୍ଷତି ଆକଳନ କରିଛନ୍ତି । ଲକ୍ଡାଉନ୍ କାରଣରୁ ସେ ଏବଂ ଅନ୍ୟ କୃଷକମାନେ ଅଧିକ ଅସହାୟ ସ୍ଥିତିରେ ଅଛନ୍ତି, ସେମାନେ ଅଧିକ ଦାମ ପାଇଁ ବୁଝାମଣା କରିବାକୁ ସକ୍ଷମ ନୁହଁନ୍ତି।ଏହା ବ୍ୟତୀତ, ଏହି ବାଣିଜ୍ୟରେ, ବ୍ୟବସାୟୀମାନେ ବେଳେବେଳେ ଫଳଗୁଡିକ ବଜାରରେ ବିକ୍ରି ହେବା ପରେ କୃଷକମାନଙ୍କୁ ଅର୍ଥ ପୈଠ କରିଥା’ନ୍ତି - ଏବଂ ବିଳମ୍ବିତ ଦେୟର ଏହି ଅଭ୍ୟାସ ଏହି ଲକ୍ଡାଉନ୍ ଅବଧିରେ ବ୍ୟାପକ ହୋଇଛି, ଯାହା ଅନିଶ୍ଚିତତାକୁ ବଢ଼ାଇଦେଇଛି ।
ତଥାପି, କୋଭିଡ୍ -୧୯ ଲକ୍ଡାଉନ୍ ଏବଂ ବିଭିନ୍ନ ଅସୁବିଧା ସତ୍ତ୍ୱେ କିଛି କୃଷକ ନିଶ୍ଚିତ ଯେ ଗ୍ରୀଷ୍ମ ମାସ ମଧ୍ୟରେ ଚାହିଦା ତଥା ମୂଲ୍ୟ ଧୀରେ ଧୀରେ ବୃଦ୍ଧି ପାଇବ ।
ଖର୍ଚ୍ଚ ହ୍ରାସ କରିବା ପ୍ରୟାସରେ, ଅନେକ ସାର ଦେବା ବନ୍ଦ କରି ଦେଇଛନ୍ତି - ତରଭୁଜ ନିୟମିତ ବ୍ୟବଧାନରେ ଏହା ଆବଶ୍ୟକ କରିଥାଏ - କିନ୍ତୁ ଅନ୍ତତଃ ପକ୍ଷେ କିଛି ପରିମାଣର ଅମଳ ଆଶା କରି ସେମାନେ କୀଟନାଶକ-ସିଞ୍ଚନ ଏବଂ ଫସଲକୁ ଜଳସେଚନ ଜାରି ରଖିଛନ୍ତି ।
କେତେଜଣ ଆବଶ୍ୟକ କରୁଥିବା ସାର ଏବଂ କୀଟନାଶକ କ୍ରୟ କରିପାରିବେ ନାହିଁ, ଗମନାଗମନରେ କଟକଣା ଏବଂ ଡିଲର୍ଙ୍କ ପାଖରେ ପହଞ୍ଚିବାର ସମସ୍ୟାକୁ ଅତିକ୍ରମ କରି ପାରିବେ ନାହିଁ, ଯଦିଓ କୋଭିଡ -୧୯ ଲକଡାଉନ୍ ନିର୍ଦ୍ଦେଶାବଳୀରେ ଗୃହ ମନ୍ତ୍ରାଳୟ ଏହାର ପ୍ରଥମ ତଥା ଦ୍ୱିତୀୟ ସଂଯୁକ୍ତିରେ (ମାର୍ଚ୍ଚ ୨୫ ଏବଂ ମାର୍ଚ୍ଚ ୨୭) ରେ ବିହନ, ସାର ଏବଂ କୀଟନାଶକ ବିକ୍ରୟ କରୁଥିବା ଦୋକାନରୁ ମୁକ୍ତ କରିଛି ।
'ମୁଁ ବର୍ତ୍ତମାନ ଏହାକୁ କିପରି ଛାଡିପାରିବି ? ମୁଁ ଏପର୍ଯ୍ୟନ୍ତ ଟ. ୧,୫୦,୦୦୦ ବିନିଯୋଗ କରିଛି ବୋଲି କହିଛନ୍ତି କୋପୋଲେ ଗ୍ରାମର ବମ୍ମୁ ସଇଦୁଲୁ , ଯେତେବେଳେ ମାର୍ଚ୍ଚ ୨୭ ତାରିଖରେ ମୁଁ ତାଙ୍କୁ ଭେଟିଥିଲି ସେ ତାଙ୍କ ତିନି ଏକର ଫସଲରେ କୀଟନାଶକ ସିଞ୍ଚନ କରୁଥିଲେ ।
ଗଣେଶ ମଧ୍ୟ ଏପ୍ରିଲ୍ ଶେଷରେ ତାଙ୍କର ଦ୍ୱିତୀୟ କ୍ଷେତରୁ ଅମଳକୁ ଅପେକ୍ଷା କରିଛନ୍ତି ଏବଂ ବିହନ ବୁଣିବା ପାଇଁ ତୃତୀୟ ପ୍ଲଟ୍ ପ୍ରସ୍ତୁତ କରିଛନ୍ତି।
ଅନୁବାଦ: ଓଡ଼ିଶାଲାଇଭ୍