୨୦୦୫ ଜୁନ୍ରେ ଓଡ଼ିଶା ସରକାର ଦକ୍ଷିଣ କୋରିଆର ଇସ୍ପାତ ପ୍ରସ୍ତୁତକାରୀ କମ୍ପାନୀ ପୋସ୍କୋ ସହିତ ସେ ପର୍ଯ୍ୟନ୍ତ ଦେଶର ସର୍ବବୃହତ୍ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଚୁକ୍ତିରେ ସ୍ଵାକ୍ଷର କଲେ। ଖଣିଜ ସଂପଦରେ ଭରପୂର ଏହି ରାଜ୍ୟର ପାରାଦୀପ ନିକଟରେ ୧୨ ଶହ କୋଟି ଡଲାର (ପ୍ରାୟ ୬୫, ୮୫୬ କୋଟି ଟଙ୍କା) ବିନିଯୋଗରେ ପ୍ରକଳ୍ପ ସ୍ଥାପନ ପାଇଁ ଚୁକ୍ତି ସଂପାଦିତ ହେଲା। ଏହି ପ୍ରକଳ୍ପ ସ୍ଥାପନ ପାଇଁ ୨,୯୫୮ ଏକର ଜଙ୍ଗଲ ଜମି ସମେତ ୪,୦୦୪ ଏକର ଜମିଚିହ୍ନିତ ହେଲା ଏବଂ ଚାଷୀ ଓ ମତ୍ସ୍ୟଜୀବୀମାନେ ବସବାସ କରୁଥିବା ଆଠଟି ଗାଁର ଲୋକେ ଜୀବିକା ହରାଇବା ଆଶଙ୍କା ଉପୁଜିଲା । ଇସ୍ପାତ କାରଖାନା ସହିତ ଏକ ନିଜସ୍ଵ ବନ୍ଦର, ବିଦ୍ୟୁତ୍ଉତ୍ପାଦନକେନ୍ଦ୍ର ଏବଂ ଏକ କ୍ଷୁଦ୍ର ସହର ସ୍ଥାପନ ପ୍ରସ୍ତାବ ରହିଥିଲା ।
ପାଖାପାଖି ଆଠ ବର୍ଷ ହେଲାଣି, ପ୍ରକଳ୍ପ ପ୍ରସ୍ତାବ ଯୋଗୁଁ ସରକାରୀ କର୍ତ୍ତୃପକ୍ଷ ଓ ଗ୍ରାମବାସୀଙ୍କ ମଧ୍ୟରେ ଯୋଜନାବଦ୍ଧ ସଂଘର୍ଷ ଲାଗି ରହିଛି ଏବଂ ଏହି ପ୍ରସଙ୍ଗକୁ ନେଇ ଗୋଷ୍ଠୀ ବିଭାଜନ ମଧ୍ୟ ସଂଘଟିତ ହୋଇଛି ।
ବିରୋଧର କେନ୍ଦ୍ରବିନ୍ଦୁରେ ରହିଛି ଢିଙ୍କିଆ ଗାଁ ପ୍ରସ୍ତାବିତ ଶିଳ୍ପ ଦ୍ଵାରା ସେମାନଙ୍କର ଲାଭଦାୟକ ପାନବରଜ, ଧାନଜମି, ସାମାଜିକ ବନଭୂମି ଏବଂ ଭିଟାମାଟି ଅକ୍ତିଆର ଉଦ୍ୟମକୁ ପ୍ରତିହତ କରିବା ଲାଗି ଅବିରତ ଅହିଂସାତ୍ମକ ବିରୋଧ ପ୍ରଦର୍ଶନ କରାଯାଉଛି ।
ଗାଁ ଲୋକେ ଅଡ଼ି ବସିଛନ୍ତି, ଗାଁ ଚାରିଆଡ଼େ ବାଡ଼ ବାନ୍ଧିଛନ୍ତି, ପ୍ରକଳ୍ପର ମାତ୍ରାଧିକ ଉଲ୍ଲଂଘନ ବିରୋଧରେ ଅଦାଲତରେ ଆବେଦନ କରିଛନ୍ତି ଏବଂ ସେମାନଙ୍କ ଭବିଷ୍ୟତ ନିର୍ଦ୍ଧାରଣ ଦିଗରେ ଆକୁଳ ନିବେଦନ କରିଛନ୍ତି ।
ପଡ଼ୋଶୀ ଗାଁଗୁଡ଼ିକରେ ସରକାରୀ କର୍ତ୍ତୃପକ୍ଷ ଉଗ୍ର ପୋଲିସ ବଳ ପ୍ରୟୋଗ କରି ପାନବରଜ ନଷ୍ଟ କରିଛନ୍ତି ଏବଂ ତୁହାକୁ ତୁହା ପୋଲିସ କାର୍ଯ୍ୟାନୁଷ୍ଠାନ ବଳରେ ଜମି ଅକ୍ତିଆର କରିଛନ୍ତି । ଏଥିରେ ରହିଛି, କିଛି ସପ୍ତାହ ତଳର ନିର୍ଦ୍ଦିଷ୍ଟ ଏକ ହିଂସାତ୍ମକ କାର୍ଯ୍ୟାନୁଷ୍ଠାନ । ବିଗତ ବର୍ଷଗୁଡ଼ିକରେ, ବିରୋଧକୁ ଦମନ କରିବା ଏବଂ ଗାଁ ଲୋକଙ୍କୁ ବନ୍ଦୀ କରିବା ପାଇଁ,ସେମାନେ ପ୍ରାୟ ୨୦୦ ଫୌଜଦାରି ମାମଲା ଦାୟର କରିଛନ୍ତି । ଯେଉଁଥିରେ କି ଶହ ଶହ ଗାଁ ଲୋକଙ୍କ ବିରୋଧରେ ଦେଶଦ୍ରୋହ ଏବଂ ଅଶ୍ଳୀଳ ପ୍ରଦର୍ଶନ ଅଭିଯୋଗ ରହିଛି ।
କିନ୍ତୁ ଢିଙ୍କିଆ ଗାଁର ଲୋକେ, ବିଶେଷତଃ ଗାଁର ମହିଳାମାନେ, କହନ୍ତି ଯେ, ସେମାନଙ୍କ ବିଦ୍ରୋହ ମରଣାନ୍ତକ ରୂପ ନେଲେ ବି ସେମାନେ ଏଥିରୁ ଓହରିଯିବେ ନାହିଁ ।
ଅହଲ୍ୟା ବେହେରାଙ୍କ ସ୍ଵରରେ ପ୍ରତିଧ୍ଵନିତ ହୁଏ ଗାଁର ଅନେକ ପାନବରଜ ମାଲିକ ଓ ଚାଷୀଙ୍କ ମତାମତ । ସେ କହନ୍ତି ଯେ ସେମାନଙ୍କୁ ସୁରକ୍ଷିତ ଜୀବିକା ଏବଂ ଆତ୍ମ ନିଯୁକ୍ତି ଯୋଗାଇ ଆସୁଥିବା ଗାଁର କୃଷିଭିତ୍ତିକ ଅର୍ଥନୀତି ସହ ସେମାନେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏହା ସହିତ ଗାଁକୁ ଘେରି ରହିଥିବା ଭୂଭାଗରୁ ସେମାନେ ପ୍ରଚୁର ଖାଦ୍ୟ ସାମଗ୍ରୀ ଓ ଜାଳେଣି ପାଇଥାଆନ୍ତି । “ଏହି ବାଲିଆ ମାଟି ହିଁ ପାନବରଜ ପାଇଁ ଉତ୍କୃଷ୍ଟ। ଆମକୁ ଯଦି ଅନ୍ୟ କେଉଁଠାକୁ ଯିବାକୁ ପଡ଼ିବ ତେବେ ଆମେ ଏହା କେମିତି ଚାଷ କରିବୁ ? ଏହି ବରଜ ହିଁ ଏବେ ଆମକୁ ଜୀବନଧାରଣ କ୍ଷମତା ଦେଉଛି ଏବଂ ଗାଁର ଭବିଷ୍ୟତ ପିଢ଼ିକୁ ବି ଦେଉଥିବ। ଆମେମାନେ ଚାଷୀ-ପୋସ୍କୋ ଭଳି କମ୍ପାନୀରେ ଆମେ ଇଞ୍ଜିନିୟର ଚାକିରି ପାଇବୁ ନାହିଁ । ହୁଏତ ଆମେ ଅଳ୍ପରୋଜଗାର କରୁଥିବା ଅସ୍ଥାୟୀ ଶ୍ରମିକ ପାଲଟି ଯିବୁ କିମ୍ବା ଥରଟିଏ ଆର୍ଥିକ କ୍ଷତିପୂରଣ ପାଇଯିବୁ । ତା’ପରେ କ’ଣ ହେବ?”
ନାତୁଣୀ ହରିପ୍ରିୟା ସହିତ ତାଙ୍କ ଡାଲି କ୍ଷେତରେ ବୁଲୁଥାଆନ୍ତି ଗାଁ ପୁରୋହିତ ବୀରେନ୍ଦ୍ର ସାମନ୍ତରାୟ । ୨୦୧୨ ମାର୍ଚ୍ଚ ମାସରେ ବୀରେନ୍ଦ୍ରଙ୍କ ଦ୍ଵାରା ଦାୟର ଏକ ଆବେଦନର ଶୁଣାଣି କରି, ଦେଶର ସର୍ବୋଚ୍ଚ ପରିବେଶ ଅଦାଲତ, ନ୍ୟାସ୍ନାଲ ଗ୍ରୀନ୍ଟ୍ରିବ୍ୟୁନାଲ ରାଜ୍ୟ ସରକାର ପୋସ୍କୋକୁ ଦେଇଥିବା ପରିବେଶ ସଂକ୍ରାନ୍ତ ମଞ୍ଜୁରିକୁ ନିଲମ୍ବିତ କରିଦେଇଥିଲେ ଏବଂ ପୁଣି ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସମୀକ୍ଷାର ଫଳାଫଳ ଏ ପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ । ସାମନ୍ତରାୟ କହନ୍ତି, “ଶେଷରେ ସେହି ନିଲମ୍ବନ ଆଦେଶ ଆମକୁ କିଛିଟା ଖୁସି କରିଥିଲା । କିନ୍ତୁ ସରକାରୀ କର୍ତ୍ତୃପକ୍ଷ ଯେଉଁଭଳି ଉଗ୍ର ଭାବରେ ପୁଣି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରିବାରେ ଲାଗିଛନ୍ତି, ସେଥିରୁ ଆମର ସବୁ ଆଶା ମିଳାଇ ଯିବା ଉପରେ । ସେହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରାଯାଉଛି, ଯାହାକୁ ପରିବେଶ ମଞ୍ଜୁରି ମିଳିନାହିଁ କି ଏଥିପାଇଁ କେଉଁଠାରୁ ଲୁହାପଥର ଏବଂ ପାଣି ଅଣାଯିବ, ସେ ସଂପର୍କିତ ସ୍ପଷ୍ଟ ବ୍ୟବସ୍ଥା ନାହିଁ ।”
ଶୋକାତୁର ହେମଲତା ସାହୁ ତାଙ୍କ ୫୨ ବର୍ଷୀୟ ପୁଅ ନରହରି ସାହୁଙ୍କ ଭୋଟର ପରିଚୟପତ୍ର ଦେଖାନ୍ତି । ମାର୍ଚ୍ଚ ୨ ତାରିଖ ସନ୍ଧ୍ୟାରେ ଗାଁରେ ବୋମା ବିସ୍ଫୋରଣ ଘଟି ଅନ୍ୟ ୨ ଜଣ ଆନ୍ଦୋଳନକାରୀଙ୍କ ସହିତ ନରହରି ପ୍ରାଣ ହରାଇଥିଲେ । ହେମଲତା ଅଭିଯୋଗ କରନ୍ତି ଯେ, ପ୍ରତିବାଦ ଆନ୍ଦୋଳନର ଆଗରେ ରହୁଥିବାରୁ ତାଙ୍କ ପୁଅ ଉପରେ ଆକ୍ରମଣ ହୋଇଥିଲା ଏବଂ ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷ ବୋମା ବିସ୍ଫୋରଣର ନିରପେକ୍ଷ ତଦନ୍ତ କରି ନଥିଲେ । “ବାରମ୍ବାର କଲ୍କରିବା ସତ୍ତ୍ଵେ ପରଦିନ ସକାଳ ଯାଏ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିଲା । ମୋ ବୋହୂ ଯେତେବେଳେ ଏତଲା ଦେବାକୁ ଗଲା, ଥାନାବାଲା ଆମକୁ ଘଉଡ଼ାଇ ଦେଲେ ଏବଂ ଆମ ଅଭିଯୋଗ ଦାୟର କରିବାକୁ ମନା କରିଦେଲେ । ବିସ୍ଫୋରଣରୁ ବର୍ତ୍ତି ଯାଇଥିବା ଏକମାତ୍ର (ଆହତ ଅବସ୍ଥାରେ ସେ ଏବେ ଏକ ହାସପାତାଳରେ ଚିକିତ୍ସାଧୀନ) ବ୍ୟକ୍ତିଙ୍କ ବକ୍ତବ୍ୟ ନେବାକୁ ବି ସେମାନେ ଠିକ୍ମଣିଲେ ନାହିଁ । ଜୀବନ ହରାଇ ମୋ ପୁଅକୁ ପ୍ରକଳ୍ପକୁ ବିରୋଧ କରିବାର ମୂଲ୍ୟ ଦେବାକୁ ପଡ଼ିଲା ।”
ଜଣେ ନିରକ୍ଷର, କିନ୍ତୁ ସାହସୀ ବୁଢ଼ୀ ମା’ ଏବଂ ପାନଚାଷୀ, ୫୨ ବର୍ଷୀୟା ଲତା ପରିଡ଼ାଙ୍କ ନାଁରେ ଏକ ଡଜନରୁ ଅଧିକ ଫୌଜଦାରି ମାମଲା ଦାୟର ହୋଇଛି । ଏଇ କିଛି ଦିନ ତଳେ, ମାର୍ଚ୍ଚ ୭ ତାରିଖ ଦିନ ଜମି ଅଧିଗ୍ରହଣ ବିରୋଧୀ ପଦଯାତ୍ରାରେ ଅର୍ଦ୍ଧଉଲଗ୍ନ ହୋଇ ପ୍ରତିବାଦ କରିଥିବା ଅଭିଯୋଗରେ ପୋଲିସ ତାଙ୍କ ବିରୋଧରେ ଅଶ୍ଳୀଳ ଆଚରଣ ମାମଲା କରିଛି । ଶରୀରର କ୍ଷତଚିହ୍ନ ଦେଖାଇ ଲତା କହିଲେ, “ଏବେ ଆମେ ଚରମ ସ୍ଥିତିରେ ପହଞ୍ଚିଛୁ । ହୁଏତ କମ୍ପାନୀ ଯିବ, ନହେଲେ ଆମେ ମରିବୁ । ଆପଣ ଏମିତି ଏକ ଦେଶ ଦେଖିଛନ୍ତି କି, ଯେଉଁଠି ଲୋକେ ସାତ ବର୍ଷ ଧରି ପ୍ରତିବାଦ କରୁଥିବେ, ହିଂସା ଆଶଙ୍କାରେ, ବେଦଖଲ ଏବଂ ଗିରଫ ହେବା ଭୟରେ ଜୀବନ ବିତାଉଥିବେ, କିନ୍ତୁ କୌଣସି ଆଶ୍ଵାସନା ପାଇ ନଥିବେ ?”
ଶାନ୍ତି ଦାସଙ୍କ ନାଁରେ ୩୦ରୁ ଅଧିକ ମାମଲା ରହିଛି ଏବଂ ଲାଠିମାଡ଼ ସମୟରେ ତାଙ୍କ କାଣି ଆଙ୍ଗୁଠି ଭାଙ୍ଗିଯାଇଛି । ସେ କହନ୍ତି, ଗାଁ ଲୋକଙ୍କ ତୀବ୍ର ବିରୋଧ ସତ୍ତ୍ଵେ ସରକାରଙ୍କ ଜମି ଅଧିଗ୍ରହଣ ଉଦ୍ୟମ ତାଙ୍କୁ ଅପଦସ୍ଥ କଲା ଭଳି ଲାଗେ । “ଆମ ବରଜ ଭାଙ୍ଗି ଦିଆଯିବା ବେଳେ ଏବଂ ରୋଜଗାରର ଉତ୍ସ ନଷ୍ଟ ହେଉଥିବା ବେଳେ ଆମେ କ’ଣ ଖାଲି ଠିଆ ହୋଇ ଦେଖିପାରିବୁ ?”
ପୋସ୍କୋ ବିରୋଧୀ ଆନ୍ଦୋଳନରେ ମହିଳା ଶାଖାର ନେତୃତ୍ଵ ନିଅନ୍ତି ପୂର୍ବତନ ସ୍କୁଲ୍ଶିକ୍ଷୟିତ୍ରୀ ୨୯ ବର୍ଷୀୟା ମନୋରମା ଖଟୁଆ । ତାଙ୍କ ନାଁରେ ୨୭ଟି ଫୌଜଦାରି ମାମଲା ଦାୟର ହୋଇଛି ଏବଂ ସେ କହନ୍ତି, ପୋଲିସ ଦ୍ଵାରା ଗିରଫ ହୋଇ ଜେଲ୍ଯିବା ଭୟରେ ସେ ଛ’ ବର୍ଷ ହେଲା ଢିଙ୍କିଆ ଛାଡ଼ି ଯାଇନାହାନ୍ତି । “ଯେତେବେଳେ ବି ମୁଁ ଆଖି ବନ୍ଦ କରେ ଆମ ଦେହ ଉପରେ ପୋଲିସର ଲାଠିମାଡ଼ର ଦୃଶ୍ୟ ଏବଂ ଆଖିରେ ଲଙ୍କାଧୂଆଁ (ଲୁହବୁହା ବାଷ୍ପ) ଅନୁଭବ କରେ । କିନ୍ତୁ ଆମେ ଆମ ନିଷ୍ପତ୍ତିରେ ଅଟଳ।”
ଏହି ଲେଖା ପ୍ରଥମେ ୫ଏପ୍ରିଲ ୨୦୧୩ ର ମିଣ୍ଟରେ ପ୍ରକାଶିତ ହୋଇଥିଲା ଏବଂ ଏଠାରେ ଏହା ପଢ଼ିହେବ ।
ଅନୁବାଦ: ଓଡ଼ିଶାଲାଇଭ୍