କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାରେ ଥିବା ଅନଞ୍ଜିହୁଣ୍ଡି ଗାଁର ୩୫ ବର୍ଷୀୟା ଜୟାମ୍ମା ବେଲିଆ ଜଣେ ଜେନୁ କୁରୁବା ଆଦିବାସୀ । ଏହା ପରେ ରହିଛି, ମଣିଷ ଓ ପଶୁ ଉଭୟଙ୍କର ପରସ୍ପରକୁ ମାରିବାର କ୍ଷମତା ଏବଂ ପରସ୍ପର ଦ୍ୱାରା ପ୍ରାଣ ହରାଇବାର ସମ୍ଭାବନା ଥିବା ଗୋଟିଏ ଜଙ୍ଗଲରେ ତାଙ୍କ ଜୀବନ ସଂପର୍କିତ ଏକ ଚିତ୍ର ନିବନ୍ଧ। ଭାରତର ଏକ ପ୍ରମୁଖ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ, ବାନ୍ଦିପୁର ଜାତୀୟ ଉଦ୍ୟାନ ସୀମାବର୍ତ୍ତୀ ଅଞ୍ଚଳରେଛଅ ମାସ କାଳ ଜୟାମ୍ମା ତାଙ୍କ ନିତିଦିନିଆ ଜୀବନର ଫଟୋ ନେଇଥିଲେ । ତାଙ୍କ ଚିତ୍ର ନିବନ୍ଧଟି ବନ୍ୟପ୍ରାଣୀ ସହ ରହିବା ସଂପର୍କିତ ଏକ ବୃହତ୍ ସହଭାଗିତାମୂଳକ ଫଟୋଗ୍ରାଫି ପ୍ରକଳ୍ପର ଏକ ଅଂଶ । ଏଥିରେ ସେ ପ୍ରଥମ ଥର କ୍ୟାମେରା (ଏକ ଫୁଜିଫିଲ୍ମ ଫାଇନ୍ପିକ୍ସ ଏସ୍୮୬୩୦ କ୍ୟାମେରା) ବ୍ୟବହାର ଶିଖିଲେ ।


Chamarajanagar, Karnataka
|TUE, JUL 30, 2019
ଜୟାମ୍ମା ଯେତେବେଳେ ଚିତାବାଘକୁ ଦେଖିଲେ
କର୍ଣ୍ଣାଟକର ଅନଞ୍ଜିହୁଣ୍ଡି ଗାଁର ଜଣେ ଆଦିବାସୀ ଜୟାମ୍ମା ବେଲିଆ, ଗୋଟିଏ ଜଙ୍ଗଲରେ ତାଙ୍କ ଜୀବନକୁ କ୍ୟାମେରାରେ ତଥ୍ୟଭୁକ୍ତ କରନ୍ତି । ୮ମାର୍ଚ୍ଚ, ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଉପଲକ୍ଷେ PARIର ଏକ ବିଶେଷ ଚିତ୍ରନିବନ୍ଧ ।
Author
Translator

Jayamma Belliah
ତାଙ୍କ ଚିତ୍ର ନିବନ୍ଧରେ, ସାଧାରଣତଃ ନଜରକୁ ଆସୁନଥିବା ମଣିଷ ଓ ବନ୍ୟଜୀବ ସମ୍ବନ୍ଧରେ ସଂସ୍ଥାପିତ ଲିଙ୍ଗଭିତ୍ତିକ ବୈଶିଷ୍ଟ୍ୟ ଦର୍ଶାଯାଇଛି। ଗ୍ରାମୀଣ ଗରିବ ବ୍ୟକ୍ତିମାନଙ୍କର ସାମାଜିକ ଓ ଅର୍ଥନୈତିକ ବାସ୍ତବତାକୁ ଅନେକାଂଶରେ ଅଣଦେଖା କରି ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ବ୍ୟବସ୍ଥାଗତ ଭାବେ ପ୍ରଚଳିତ ଦୃଷ୍ଟିକୋଣ ଉପରେ ଏହା ନିହିତ ପ୍ରଶ୍ନ ଉଠାଏ । ଏଠାରେ ପ୍ରଦତ୍ତ ଫଟୋଗୁଡ଼ିକ ସହିତ ପକ୍ଷୀମାନଙ୍କର ଅନେକ ସୁନ୍ଦର ସୁନ୍ଦର ଫଟୋ ଉଠାଇଛନ୍ତି ଜୟାମ୍ମା । କନ୍ନଡ଼ ଭାଷାରେ ସେ କହିଲେ, “ମୁଁ ଏଭଳି ଭଲ ଫଟୋ ଉଠାଇବା ଶିଖିପାରିଥିବା ଦେଖି ମୋ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ ।”

Jayamma Belliah
ଖାଇ ଉପରେ ଗାଈ: “ଏହି ବଣୁଆ ଗାଈଗୁଡ଼ିକ (ପ୍ରାୟତଃ ଗୋବର ଦେଉଥିବା ଗାଈ ଭାବରେ ଜଣାଶୁଣା ସାଧାରଣ ସ୍ଥାନୀୟ ଗାଈ) ଆମ ପରିବାରର । ମୋ ଭଉଣୀ ଏବଂ ଭାଉଜ ସେମାନଙ୍କୁ ପଡ଼ିଆରେ ଚରାଇବାକୁ ନେଉଛନ୍ତି । ଆମ ଗାଁରେ ପହଞ୍ଚିବା ପାଇଁ ଆମକୁ (ବାନ୍ଦିପୁର) ଜଙ୍ଗଲ ପାର କରିବାକୁ ହେବ । ଦୁଇ ବର୍ଷ ତଳେ ଆମର ଗୋଟିଏ ବାଛୁରୀକୁ ଜଙ୍ଗଲ ଭିତରେ ଚିତାବାଘ ମାରି ଦେଇଥିଲା ।”

Jayamma Belliah
ଘରକୁ ଯାଉଥିବା ମେଣ୍ଢା: “ଏଠାରେ ମୋ ଭଉଣୀ ଆମ ମେଣ୍ଢାମାନଙ୍କୁ ଘରକୁ ଫେରାଇ ନେଉଛି । ମୋ ଭଉଣୀ ମଧ୍ୟ ସେ ସଂଗ୍ରହ କରିଥିବା ଜାଳେଣି କାଠ ନେଇଯାଉଛି । ଆମ ଭିତରୁ କେତେ ଜଣ ସରକାରଙ୍କଠାରୁ ମାଗଣା ଏଲ୍ପିଜି (ରନ୍ଧନ ଗ୍ୟାସ୍) ପାଇଛନ୍ତି। କିନ୍ତୁ ଅନ୍ୟମାନେ ଏହାକୁ ନେଇନାହାନ୍ତି । ସେମାନେ ଭାବିଲେ କି ସେମାନଙ୍କୁ ଏଥିପାଇଁ ପଇସା ଦେବାକୁ ପଡ଼ିବ। ସେଥିପାଇଁ ସେମାନେ ଏହାକୁ ନେଲେନାହିଁ ।”

Jayamma Belliah
ମହିଳା ଓ ଛେଳି: “ଏହି ଛେଳିଗୁଡ଼ିକ ମଧ୍ୟ ଆମ ପରିବାରର । ମୋ ଭାଇ, ଭଉଣୀ ଏବଂ ଭାଉଜ ସେମାନଙ୍କର ଯତ୍ନ ନିଅନ୍ତି । ଆମର ପ୍ରାୟ ୫୦ଟି ଛେଳି ଅଛନ୍ତି ଏବଂ ସେମାନେ ଜଙ୍ଗଲରେ ଚରନ୍ତି । ପ୍ରତିଦିନ ସନ୍ଧ୍ୟା ହେଲା ପୂର୍ବରୁ ଆମେ ସେମାନଙ୍କୁ ଫେରାଇ ଆଣୁ, ନହେଲେ ବଣୁଆ ପଶୁମାନେ ସେମାନଙ୍କୁ ମାରିଦେବା ଆଶଙ୍କା ରହିଛି। ଯଦି କେବେ ଆମେ ପର୍ଯ୍ୟାପ୍ତ ଟଙ୍କା ରୋଜଗାର କରିପାରିବୁନୁ କିମ୍ବା ଆଉ କିଛି ଘଟିଯାଏ, ତାହେଲେ ଆମେ ଗୋଟିଏ କି ଦୁଇଟି ଛେଳି ବିକିଦେବୁ ।”

Jayamma Belliah
ବାଘର ପାଦଚିହ୍ନ: “ଦିନେ ସକାଳେ ମୁଁ କାମ (ଆଖପାଖ ଘରଗୁଡ଼ିକରେ ଜଣେ ଘରୋଇ ଚାକରାଣୀ ଭାବେ) କରିବାକୁ ଯିବା ବେଳେ ଏହି ପାଦଚିହ୍ନ ଦେଖିଲି । ଏଠି ବହୁତ ବାଘ ଅଛନ୍ତି । ସେମାନେ ଆମ ଗାଈ ଓ ଛେଳିକୁ ମାରିଦିଅନ୍ତି । ସେମାନଙ୍କ ଯିବାଆସିବା ଲାଗି ରହିଥାଏ । ଏଠାକାର ଲୋକେ କହନ୍ତି ଯେ, ଏବେ ଚିତାବାଘ ତୁଳନାରେ ବାଘ ବେଶୀ ଅଛନ୍ତି ।”

Jayamma Belliah
ଦୁଇଟି ଝିଅ: “ମୋ ଝିଆରୀମାନଙ୍କୁ ଜଙ୍ଗଲ ଭିତର ଦେଇ ଚାଲି ଚାଲି ସେମାନଙ୍କ ସ୍କୁଲ୍ରେ ପହଞ୍ଚିବାକୁ ହୁଏ; ସେମାନେ ପ୍ରତିଦିନ ଆମ ଗାଁରୁ ତିନି କିଲୋମିଟର ଚାଲନ୍ତି । ମୋର ବଡ଼ ଝିଆରୀ ୮ମ ଶ୍ରେଣୀ ପାସ୍ କରିସାରିଛି, କିନ୍ତୁ ଏଠାରେ ହାଇସ୍କୁଲ୍ ନାହିଁ, ତେଣୁ ତାକୁ ଏଠାରୁ ୧୦ କିଲୋମିଟର ଦୂର ହାଇସ୍କୁଲ୍କୁ ଯିବାକୁ ପଡ଼ିବ । ହୁଏତ ସେ ସେଠାରେ ହଷ୍ଟେଲ୍ରେ ରହିବ କିମ୍ବା ଏଠାରୁ ସବୁଦିନ ଯିବାଆସିବା କରିବ । ସେ ଏବେ ସ୍କୁଲ୍ ଛାଡ଼ି ଯାଉଥିବାରୁ ତା ସାନ ଭଉଣୀକୁ ଏକୁଟିଆ ସ୍କୁଲ୍ ଯିବାକୁ ହେବ । ବଣୁଆ ଜୀବଙ୍କ ଯୋଗୁଁ ସେ ଏକୁଟିଆ ଚାଲି ଚାଲି ଯିବାକୁ ଭୟ କରେ। ତେଣୁ ବେଳେ ବେଳେ ସ୍କୁଲ୍ ଯାଏନାହିଁ । ହୁଏତ ସେ ଅଧାରୁପାଠ ଛାଡ଼ି ଦେବ । ମୋ ଗାଁର ସାତ କି ଆଠ ଜଣ ପିଲା ସ୍କୁଲ୍ଯାଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଧାରୁ ପାଠ ଛାଡ଼ି ଦେଲେ । କେବଳ ମୋ ଝିଆରୀ ହିଁ ସ୍କୁଲ୍ ପଢ଼ାରେ ଏତେ ଆଗକୁ ଯାଇଛି ।”

Jayamma Belliah
ଚିତାବାଘ ଗଛ: “ଏହା ହେଉଛି ଜଙ୍ଗଲ ଭିତର ଦେଇ ଯାଇଥିବା କାଲୁଦାରି (ପାଦଚଲା ରାସ୍ତା) । ମୁଁ ସବୁଦିନ ଏହି ରାସ୍ତାରେ କାମକୁ ଯାଏ ଏବଂ ସକାଳେ ମୋ ସହିତ ମୋ ଝିଆରୀମାନେ ବି ସ୍କୁଲ୍କୁ ଚାଲି ଚାଲି ଯାଆନ୍ତି । ତିନି ମାସ ତଳେ, ଜଣେ ବୁଢ଼ୀ ସକାଳେ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ । ପରେ, ମୁଁ କାମ ସାରି ଘରକୁ ଫେରିବା ବାଟରେ ଏହି ଗଛ ପାଖରେ ବହୁ ଲୋକ ରୁଣ୍ଡ ହୋଇଥିବା ଦେଖିଲି । ତାଙ୍କର ସବୁ ଛେଳି ଆଗରୁ ଘରକୁ ଫେରିସାରିଥିଲେ, ସେମାନଙ୍କ ଭିତରୁ କାହାରି ଉପରେ ଆକ୍ରମଣ ହୋଇ ନଥିଲା କି କେହି ଖଣ୍ଡିଆଖାବରା ହୋଇ ନଥିଲେ । ବୁଢ଼ୀ ଘରକୁ ନ ଫେରିବାରୁ ଅନ୍ୟମାନେ ତାଙ୍କୁ ଖୋଜିବାକୁ ଗଲେ ଏବଂ ସେ ଏହି ଗଛ ପାଖରେ ପଡ଼ିଥିବା ଦେଖିଲେ । ତାଙ୍କୁ ସେହି ଜନ୍ତୁଟି ଖାଇ ନଥିଲା । ତାଙ୍କ ଉପର ମଥାର ଦୁଇପଟରେ ଦୁଇଟି କାମୁଡ଼ା ଚିହ୍ନ ଥିଲା । ମୁଁ ଜାଣିନି ସେଇଟା ବାଘ ଥିଲା କି ଚିତାବାଘ । ଡାକ୍ତରଖାନା ନିଆଯିବା ପରଦିନ ମହିଳା ଜଣକ ପ୍ରାଣ ହରାଇଲେ । ସେ ଥିଲେ ମୋର ଖୁଡ଼ି । ମୁଁ ସବୁଦିନ ସେଇ ଏକା ରାସ୍ତାରେ ଚାଲି ଚାଲି ଯାଏ । ଆମେ ଚାଲି ଚାଲି ଯିବାକୁ ଭୟ କରୁ, କିନ୍ତୁ ଆମେ ଏ କ୍ଷେତ୍ରରେ ବେଶୀ କିଛି କରିପାରିବୁନି । ଏହାକୁ ଡରି ଆମେ ଘରେ ବସିପାରିବୁନି । ସ୍କୁଲ୍ ପିଲାମାନଙ୍କ ପାଇଁ ବସ୍ ସୁବିଧା କରିବାକୁ ଆମେ ସମସ୍ତେ ଦସ୍ତଖତ କରି ଆବେଦନପତ୍ର ପଠାଇଲୁ, କିନ୍ତୁ କିଛି ହେଲାନାହିଁ ।”

Jayamma Belliah
ଚିତାବାଘ: “ମୁଁ ଯେଉଁ ଜାଗାରେ କାମ କରେ, ତା’ର ପଛପଟ ପାହାଡ଼ ଗଡ଼ାଣିରେ ଥିବା ଏକ ପଥର ଉପରେ ଚିତାବାଘଟି ବସିଥିଲା । ସନ୍ଧ୍ୟାରେ ମୁଁ ଘରକୁ ଫେରୁଥିବା ବେଳେ ତାକୁ ଦେଖିଲି । ଏହା ମୋର ଖୁବ୍ ନିକଟରେ ଥିଲା, ବୋଧହୁଏ ୪-୫ ମିଟର ଦୂରରେ । ମୋ ସ୍ୱାମୀ ମୋତେ ନେବାକୁ ଆସିଥିଲେ, ତେଣୁ ମୁଁ ବେଶୀ ଡରି ଯାଇନଥିଲି । ଚିତାବାଘ ଆମ ପାଖକୁ ଆସିଲେ, ଆମେ ବେଶୀ କିଛି କରିପାରିବୁନି । ମୁଁ ଏହି ଫଟୋ ଉଠାଇଲି, କାରଣ ମୁଁ ଏହି ଚିତାବାଘର ଗୋଟିଏ ଫଟୋ ନେବାକୁ ଚାହୁଁଥିଲି । ମୋ ସ୍ୱାମୀ ନ ଥିଲେ ବି ମୁଁ ଏହି ଫଟୋ ଉଠାଇ ଥାଆନ୍ତି । ମୁଁ ଚିତାବାଘ ଓ ବାଘକୁ ଭୟ କରେ । ମୁଁ ଯେତେବେଳେ ଏହି ଫଟୋ ଉଠାଇଲି, ଚିତାବାଘଟି ଆମକୁ ଦେଖିଲା ଏବଂ ପଥର ପଛରେ ଧୀରେ ଧୀରେ ତା’ର ମୁଣ୍ଡ ତଳକୁ କରିନେଲା ।”

Jayamma Belliah
ମଞ୍ଚା: ଲୋକେ ଯେତେବେଳେ ଚୀନାବାଦାମ, ମାଣ୍ଡିଆ ଓ ଶିମ୍ବ ଚାଷ କରନ୍ତି, ସେମାନେ ସେମାନଙ୍କ କ୍ଷେତକୁ ସନ୍ଧ୍ୟା ସାତଟା ସୁଦ୍ଧା ଯାଆନ୍ତି ଏବଂ ସେଠାରେ ପରଦିନ ସକାଳ ଛ’ଟା ଯାଏ ରହନ୍ତି । ସେମାନେ ଗଛ ଉପରକୁ ଚଢ଼ି ଜୀବଜନ୍ତୁଙ୍କ ଦାଉରୁ ସେମାନଙ୍କ କ୍ଷେତକୁ ରକ୍ଷା କରିବାକୁ ରାତି ସାରା ନ ଶୋଇ ଜଗି ରହନ୍ତି । ସେମାନେ ହାତୀ ଓ ବାର୍ହାମାନଙ୍କ ନିକଟରୁ ସେମାନଙ୍କ ଫସଲକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରନ୍ତି । ଯେତେବେଳେ ଜୀବଜନ୍ତୁ ଆସନ୍ତି, ସେମାନେ ବାଣ ଫୁଟାଇ ଦିଅନ୍ତି । ବେଳେବେଳେ ସେମାନେ କିଛି କରିପାରନ୍ତି ନାହିଁ । ଅମଳ ଋୁତୁର ପୂରା ଛ’ ମାସ ଧରି ସେମାନେ ଏହା କରନ୍ତି, ଅନ୍ୟଥା ସବୁ ନଷ୍ଟ ହୋଇଯାଏ ।

Jayamma Belliah
ମୃତ ଶାଗୁଣା: “ବିଦ୍ୟୁତ୍ ତାରରେ କରେଣ୍ଟ ଥିବା କଥା ଶାଗୁଣାଟି ଜାଣି ନଥିଲା ଏବଂ ଏହା ଉପରେ ବସିବା ପରେ ମରିଗଲା । ବର୍ଷା ହେବା ପରେ ଏହା ଘଟିଥିଲା । ଏହି ସବୁ ତାର ଭିତର ଦେଇ ଯାଉଥିବା କରେଣ୍ଟ୍ ସଂପର୍କରେ ଏହି ପ୍ରାଣୀମାନେ କ’ଣ ବା ଜାଣିଛନ୍ତି ? ଶାଗୁଣାଟି ତଳେ ଥିବା ନାଗ ଅଇରି (lantana camara) ବାଡ଼ ଉପରେ ପଡ଼ିଗଲା । ଆଗରୁ ଏଠାରେ ବହୁତ ଶାଗୁଣା ଥିଲେ, କିନ୍ତୁ ଏବେ ସେମାନଙ୍କ ସଂଖ୍ୟା କମିଯାଇଛି। ଆଗରୁ ସେଠାରେ ଏବେକାର ଭଳି ଏତେ ନାଗ ଅଇରି (lantana) ଗଛ ନ ଥିଲା, କିନ୍ତୁ ଗତ ୧୦ ବର୍ଷ ହେଲା ଏହା ପ୍ରଚୁର ପରିମାଣରେ ବଢୁଛି । ଏହା ଏତେ ଶୀଘ୍ର କେମିତି ବଢୁଛି ବୋଲି କେହି ଜାଣନ୍ତିନି । ଏହା ବେଶୀ କିଛି କାମରେ ଲାଗେନି, କିନ୍ତୁ ଏହାର ଶାଖାରୁ ଚଉକି ତିଆରି କରାଯାଇପାରେ । ଏବେ ଏହା ଜଙ୍ଗଲରେ ମଧ୍ୟ ବଢୁଛି । ଯେଉଁଠି ଘାସ ବଢ଼େ ସେଠାରେ ଏହା ଉପୁଜେ ଏବଂ ଆଜିକାଲି ଘାସ କମ୍ ହେବାରେ ଲାଗିଛି । ଏହି କାରଣରୁ ଗାଈ ଓ ଛେଳିମାନଙ୍କ ପାଇଁ କମ୍ ଖାଦ୍ୟ ରହୁଛି ।”
କର୍ଣ୍ଣାଟକର ମଙ୍ଗଳା ଗାଁରେ ଅବସ୍ଥିତ ମାରିଆମ୍ମା ଚାରିଟେବ୍ଲ ଟ୍ରଷ୍ଟ୍ ସମନ୍ୱୟରେ ଏହି କାର୍ଯ୍ୟରେ ସହଯୋଗ କରିଥିଲେ ଜାରେଡ୍ ମାର୍ଗୁଲିସ୍ । ବାଲ୍ଟିମୋର୍ କାଉଣ୍ଟିରେ ଥିବା ୟୁନିଭର୍ସିଟି ଅଫ୍ ମେରିଲ୍ୟାଣ୍ଡ ପକ୍ଷରୁ ୨୦୧୫-୨୦୧୬ରେ ପ୍ରଦତ୍ତ ଫୁଲ୍ବ୍ରାଇଟ୍ ନେହରୁ ଷ୍ଟୁଡେଣ୍ଟସ ରିସର୍ଚ୍ଚ ଗ୍ରାଣ୍ଟ୍ ଶୀର୍ଷକ ଏକ ଗ୍ରାଜୁଏଟ୍ ଷ୍ଟୁଡେଣ୍ଟ ରିସର୍ଚ୍ଚ୍ ଗ୍ରାଣ୍ଟ୍ ସହାୟତାରେ ଏବଂ ମାରିଆମ୍ମା ଚାରିଟେବ୍ଲ ଟ୍ରଷ୍ଟର ସଦୟ ସହଯୋଗରେ, ଏବଂ ସର୍ବୋପରି ଫଟୋଗ୍ରାଫରମାନଙ୍କର ସ୍ୱତଃ ଯୋଗଦାନ, ଉତ୍ସାହ ଏବଂ ପ୍ରୟାସ ବଳରେ ଏହା ସମ୍ଭବ ହୋଇପାରିଛି । ଏହାର ଲେଖା ଅନୁବାଦ କ୍ଷେତ୍ରରେ ବି.ଆର୍.ରାଜୀବଙ୍କ ବହୁମୂଲ୍ୟ ସହାୟତା ମଧ୍ୟ ରହିଛି । PARIର କ୍ରିଏଟିଭ୍ କମନ୍ସ ନୀତି ଅନୁସାରେ ସବୁ ଫଟୋର ପ୍ରକାଶନ ଅଧିକାର କେବଳ ଫଟୋଗ୍ରାଫରମାନଙ୍କର । ସେଗୁଡ଼ିକର ଉପଯୋଗ ଏବଂ ପୁନଃପ୍ରକାଶନ ସମ୍ପର୍କିତ ଯେ କୌଣସି ପ୍ରଶ୍ନ, PARI ନିକଟକୁ ପ୍ରେରଣ କରିବା ଉଚିତ ।
ସମ୍ପର୍କିତ ବିଷୟଗୁଡ଼ିକ:
‘ଆମର ପାହାଡ଼ ଓ ଜଙ୍ଗଲ ଅଛି ଏବଂ ଆମେ ସେଠାରେ ରହୁ’
ବାନ୍ଦିପୁରରେ ବାସଗୃହ ସହିତ ଶସ୍ୟ ଅମଳ
ବାନ୍ଦିପୁରର ଯୁବରାଜଙ୍କ ସହ ମୁହାଁମୁହିଁ
'ସେହିଠାରେ ହିଁ ଆକ୍ରମଣ କରନ୍ତି ବାଘ ଓ ଚିତାବାଘ'
‘ମୁଁ ଏହି ଫଟୋ ଉଠାଇବା ପରେ ବାଛୁରୀଟି ହଜିଗଲା’
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଜୟାମ୍ମା-ଯେତେବେଳେ-ଚିତାବାଘକୁ-ଦେଖିଲେ

