ଯଦି ସେଦିନ ସଂଧ୍ୟାରେ ପାଞ୍ଚ ମିନିଟ୍ ପରେ ତାଙ୍କ ସ୍ତ୍ରୀ ଆରାୟୀ ପହଞ୍ଚିନଥାନ୍ତେ, ସେଟ୍ଟୁ ଆଜି ବଞ୍ଚି ନଥାନ୍ତେ। ଆରାୟୀ ଘର ଭିତରକୁ ପଶି ଆସିବା ବେଳକୁ ସେ ତାଙ୍କ ବେକରେ ରଶି ଗୁଡ଼ାଇ ସାରିଥିଲେ।
ନାମମାତ୍ର ଚାଷୀ କେ. ଲିକନ୍ କହନ୍ତି, ‘‘ଏହା ନିକଟତର ଥିଲା’’ - ସେଟ୍ଟୁ ତାଙ୍କ ଡାକ ନାଁ - ମୁକ୍ତି ପାଇବାକୁ ସେ ଯେଉଁ ଚରମ ପଦକ୍ଷେପ ନେଇଥିଲେ ତା ପାଇଁ ସେ ଅନୁତପ୍ତ। ସହାୟତା ପାଇଁ ଆରାୟୀ ବଡ଼ ପାଟିରେ ଡ଼ାକ ପକାଇଥିଲେ; ପଡୋଶୀମାନେ ଦୌଡ଼ି ଆସିଲେ ଏବଂ ସେଟ୍ଟୁଙ୍କୁ ତଳକୁ ଆଣିଲେ। ସମୟ ଅତିକ୍ରମ କରିଗଲା।
ଏହା ଥିଲା ନଭେମ୍ବର ୬, ୨୦୧୬। ୫୦ ଛୁଇଁବାକୁ ଯାଉଥିବା ସେଟ୍ଟୁ ସେଦିନ ଅପରାହ୍ଣରେ ତାଙ୍କ କ୍ଷେତକୁ ଯାଇଥିଲେ। ତାଙ୍କର ଦେଢ ଏକର ଜମିରେ ଲାଗିଥିବା ଧାନ ଫସଲକୁ କେମିତି ବଞ୍ଚେଇ ହେବ, ତାକୁ ନେଇ ସେ ଚିନ୍ତିତ ହୋଇପଡ଼ିଥିଲେ। ତାମିଲନାଡ଼ୁ ତିରୁଚିରାପଲ୍ଲୀ ଜିଲ୍ଲା ଥାୟାନୁର ଗାଁର ଏହି ଉଜୁଡ଼ା କ୍ଷେତ ତାଙ୍କ ମନୋବଳ ଭାଙ୍ଗିଦେଇଥିଲା। ଦ୍ୱିତୀୟ ଥର ପାଇଁ ବୁଣିଥିବା ମଞ୍ଜି ଗଜା ହୋଇନଥିଲା।
ସେଟ୍ଟୁ କହନ୍ତି, ‘‘ସେଦିନ ସଂଧ୍ୟାରେ ମୁଁ ଘରକୁ ଫେରିଥିଲି; ମୋ ସ୍ତ୍ରୀ ଓ ପୁଅମାନେ ଅନ୍ୟ ଲୋକଙ୍କ କ୍ଷେତରେ କାମ କରିବାକୁ ଯାଇଥିଲେ।’’ “କେମିତି କରଜ ସୁଝିବି ଆଉ ଘର ଚଳିବ ସେ କଥା ଭାବିବାକୁ ଲାଗିଲି।’’ ଜିଲ୍ଲା ସମବାୟ ବ୍ୟାଙ୍କ ଏବଂ ହାତ ଉଧାର ଆକାରରେ ୧.୫ ଲକ୍ଷ ଟଙ୍କା ଆଣିଥିଲେ। ‘‘ଚିନ୍ତା ମୋତେ ଗ୍ରାସ କରିଥିଲା ଆଉ ଆଉ ଆତ୍ମହତ୍ୟା କରିବାକୁ ଭାବି ବସିଲି।’’
କାଭେରୀ ତ୍ରିକୋଣଭୂମିର ଏହି ଅଞ୍ଚଳ ଏକଦା ଖୁବ ଉର୍ବର ଥିଲା। ସେଟ୍ଟୁ ଆତ୍ମହତ୍ୟା ଉଦ୍ୟମ କରିବାର କିଛି ମାସ ପରେ, ୨୦୧୭ ଏପ୍ରିଲ ଶେଷ ଏବଂ ମେ ଆରମ୍ଭରେ ତାମିଲନାଡ଼ୁର ଏହି ଅଞ୍ଚଳର ଚାଷୀ ଦିଲ୍ଲୀରେ ଆନ୍ଦୋଳନ କରିଥିଲେ। ଆନ୍ଦୋଳନକାରୀମାନେ ପାଟିରେ ମୂଷା ଧରି, ମଣିଷ ଖପୁରୀ ପ୍ରଦର୍ଶନ କରି, ଏବଂ ରାସ୍ତାରେ ଘୁସୁରି ଘୁସୁରି ଏବଂ ଗଡ଼ିଗଡ଼ି ବିରୋଧ ପ୍ରଦର୍ଶନ କରିଥିଲେ। ସେମାନେ ଋଣ ଛାଡ଼ ଦାବି କରିଥିଲେ। ସେତେବେଳକୁ ଅନେକ ଚାଷୀ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରି ସାରିଥିଲେ। କିଛି ଚାଷୀ ହୃଦଘାତର ଶିକାର ହୋଇଥିଲେ।
୨୦୧୭ ଜାନୁଆରୀ ମାସରେ ତ୍ରିକୋଣଭୂମି ଅଞ୍ଚଳରେ ୫୦ଟି ଅକସ୍ମାତ ମୃତ୍ୟୁ ଏବଂ ଆତ୍ମହତ୍ୟା ଘଟଣା ଉପରେ ଅନୁଧ୍ୟାନ ହୋଇଥିଲା। କୃଷି ସହ ସଂପୃକ୍ତ ଥିବା ପିପୁଲ୍ସ୍ ୟୁନିୟନ ଅଫ୍ ସିଭିଲ ଲିବର୍ଟିଜ୍ ଟିମ୍, ସାମାଜିକ କର୍ମୀ, ଛାତ୍ର, ଡାକ୍ତର ଏବଂ ଅନ୍ୟାନ୍ୟ କ୍ଷେତ୍ରରୁ ଲୋକେ ଏହା ଉପରେ ଅନୁଧ୍ୟାନ କରିଥିଲେ। ୨୦୧୭ ଜାନୁଆରୀରୁ ଜୁନ୍ ମଧ୍ୟରେ ହୃଦଘାତଜନିତ ଆକସ୍ମିକ ମୃତ୍ୟୁ ସଂଖ୍ୟା ୨୦୦ ହେବ ବୋଲି ସ୍ଥାନୀୟ ଚାଷୀ ସଂଗଠନମାନେ ହିସାବ କରିଥିଲେ। ଏହାସହ କେବଳ ଡିସେମ୍ବର ୨୦୧୬ରେ ଏହି ଅଞ୍ଚଳର ପ୍ରାୟ ୧୦୬ ଜଣ ଚାଷୀ ଆତ୍ମହତ୍ୟା କରିଥିଲେ। ୨୦୧୭, ଜାନୁଆରୀ ୫ ତାରିଖରେ ଜାତୀୟ ମାନବାଧିକାର ଆୟୋଗ ରାଜ୍ୟ ସରକାରଙ୍କୁ ଜାରି କରିଥିବା ନୋଟିସ୍ରେ ଏହି ତଥ୍ୟ ଉଲ୍ଲେଖ ଥିଲା।
ତାମିଲନାଡ଼ୁ ଉପରେ ସଂକଟ ପଡ଼ିଥିବା ଏହା ଇଙ୍ଗିତ କରୁଛି। ପୂର୍ବ ତାମିଲନାଡ଼ୁର କାବେରୀ ଅବବାହିକାର ଏହି ତ୍ରିକୋଣଭୂମି ଅଞ୍ଚଳ ବେଶ ସମୃଦ୍ଧ। ଏହି ଅଞ୍ଚଳରେ ସମୁଦ୍ର ସହ ସାମିଲ ହୋଇଛି ନଦୀ। ଏଠାରେ ଉତ୍କଟ ଜଳ ସଂକଟ ପଡ଼ିଥିବା ପ୍ରତି ଗାଁର ଚାଷୀ ଆମକୁ ଜଣାଉଥିଲେ। ଏହା ଏକ ମାନବକୃତ ସଂକଟ ବୋଲି ଚାଷୀ ଜୋର ଦେଇ କହନ୍ତି। କଦବା କେମିତି ମରୁଡ଼ିର ସାମ୍ନା କରେ ଏହି ଅଞ୍ଚଳ। ଏ ବର୍ଷ ମରୁଡ଼ି ରେକର୍ଡ ଭାଙ୍ଗିଛି।





