‘‘ଚାଲୁନ୍, ଚାଲୁନ୍, ପ୍ରସବ ମାର୍ଗ ଦେଇ ଗତି କରୁଥିବା ଜନ୍ମ ହେବାକୁ ଥିବା ଶିଶୁକୁ ମୁଁ ସହାୟତା କରିଥାଏ।’’
ଗୁଣାମୟ ମନୋହର କାମ୍ବଲେ ଦାଇ (ଧାଈ) ଭାବେ ନିଜର ପୁରୁଣା ଦିନ କଥା ମନେ ପକାଇଲେ ତାଙ୍କର ଆଖି ଚମକି ଉଠୁଥିଲା। ଅନେକ ଶିଶୁଙ୍କୁ ସେ ଦୁନିଆକୁ ଆଣିଛନ୍ତି। ତାଙ୍କୁ ଏବେ ୮୬ ବର୍ଷରୁ ଅଧିକ ହେଲାଣି। ସେ ପୂର୍ବ ଭଳି, ଏବେ ପୁଣିଥରେ, ସତର୍କ ଏବଂ ସକ୍ରିୟ ଧାଈ ପାଲଟି ଯାଉଥିଲେ। ପ୍ରସବ ମାର୍ଗ ଦେଇ ଶିଶୁ ବାହାରକୁ ଆସିବାର ପ୍ରକ୍ରିୟାକୁ ବର୍ଣ୍ଣନା କରି, ସେ ହାଲୁକା ଭାବେ କହିଥିଲେ, ‘‘ହାତାତ୍ କାକଣ ଘାଲାତୋ ନା, ଆଗାଦି ତାସା ! (ଯେମିତି ଆମେ ହାତରୁ ଚୁଡ଼ି ବାହାର କରିଥାଉ, ଠିକ୍ ସେମିତି!)।’’ ସେ ନିଜର ମୁଦ୍ରା ଦେଖାଉଥିବା ସମୟରେ ତାଙ୍କ କଚଟିରେ ଥିବା ନାଲି କାଚ ଚୁଡ଼ି ଚମକୁଥିଲା।
ୱାଗଦରୀ ଗ୍ରାମର ଦଳିତ ଅଧିବାସୀ ଗୁଣାମୟ ସାତ ଦଶନ୍ଧି ଧରି ଏହି କାମ କରି ଆସୁଥିଲେ। ପ୍ରଥମେ ସେ ସନ୍ତାନ ଜନ୍ମ କରାଇବାରେ ମହିଳାମାନଙ୍କୁ ସହାୟତା କରୁଥିଲେ। ଓସମାନାବାଦ ଜିଲ୍ଲାର ଶତାଧିକ ଶିଶୁଙ୍କୁ ସେ ସୁରକ୍ଷିତ ଭାବେ ମା’ ଗର୍ଭରୁ ବାହାରକୁ ଆଣିବାରେ ସଫଳ ହୋଇଛନ୍ତି। ‘‘ଏହା ହାତର ଯାଦୁ,’’ ୮୨ ବର୍ଷ ବୟସରେ ଶେଷ ଥର ପାଇଁ ସନ୍ତାନ ପ୍ରସବ କରାଇଥିବା ଏହି ଅନୁଭବୀ (ଭେଟେରାନ୍) ବୟସ୍କ ମହିଳା ଜଣଙ୍କ କହିଥିଲେ। ଏହାକୁ ନେଇ ସେ ଗର୍ବ କରିଥିଲେ, ‘‘ମୋ ହାତ କେବେ ବିଫଳ ହୋଇନାହିଁ। ଭଗବାନ ମୋ ସହିତ ଅଛନ୍ତି।’’
ଗୁଣାମୟଙ୍କ ଝିଅ ବନ୍ଦନା ସୋଲାପୁର ସିଭିଲ ହସ୍ପିଟାଲରେ ଘଟିଥିବା ଏକ ଘଟଣା ବିଷୟରେ ମନେ ପକାଇଥାନ୍ତି। ଅସ୍ତ୍ରୋପଚାର ମାଧ୍ୟମରେ ବନ୍ଦନାଙ୍କର ତିନି ଶିଶୁ ଜନ୍ମ ହେବା ପୂର୍ବରୁ ତାଙ୍କ ମା’ ପ୍ରସବ ଦେଖିବା ଲାଗି ଡାକ୍ତରଙ୍କୁ କହିଥିଲେ। ‘‘ସେମାନେ କହିଥିଲେ, ‘ତୁମେ ଆମଠାରୁ ମଧ୍ୟ ଅଧିକ କୁଶଳୀ, ଆଜି (ଜେଜେ ମା’)’।’’ ସେମାନଙ୍କ ଆଚମ୍ବିତ ଓ ଚକିତ ଅବସ୍ଥା ଦେଖି ଗୁଣାମୟ କେବଳ ହସି ଦେଇଥିଲେ।
ତାଙ୍କ ହାତର କୌଶଳ ଶିଶୁ ଜନ୍ମ କରାଇବାଠାରୁ ଊର୍ଦ୍ଧ୍ୱକୁ ମଧ୍ୟ ବ୍ୟାପି ଯାଇଥିଲା ଏବଂ ସୋଲାପୁର, କୋହ୍ଲାପୁର ଏବଂ ପୁଣେ ଆଦି ସ୍ଥାନ ସମେତ ସାରା ମହାରାଷ୍ଟ୍ରରୁ ତାଙ୍କୁ ଡାକରା ଆସୁଥିଲା। ‘‘ମୋ ଜେଜେ ମା’ ପିଲାମାନଙ୍କ ଆଖି, କାନ କିମ୍ବା ନାକରେ ପଶି ଯାଉଥିବା ଜିନିଷ ବାହାର କରିବାରେ ବେଶ ସିଦ୍ଧହସ୍ତ। ମଞ୍ଜି କିମ୍ବା ଗୋଡ଼ି ପଥର ହୋଇଥାଉ, ଲୋକମାନେ ତାହାକୁ ବାହାର କରିବା ଲାଗି ଜେଜେ ମା’ଙ୍କ ପାଖକୁ ଆସୁଥିଲେ,’’ ଗୁଣାମୟଙ୍କ ଗର୍ବିତ ନାତୁଣୀ ଶ୍ରୀଦେବୀ କିଛି ମାସ ପୂର୍ବରୁ ପରୀକୁ ଭେଟିବା ସମୟରେ କହିଥିଲେ। ଏହି କାମକୁ ଦାଇ ଭାବେ ନିଜ କର୍ତ୍ତବ୍ୟର ଅଂଶବିଶେଷ ବୋଲି ଗୁଣାମୟ ଧାଈ ଗ୍ରହଣ କରି ନେଇଛନ୍ତି। ଏଥିସହିତ ତାଙ୍କ ପାଖରେ ପେଟ ଯନ୍ତ୍ରଣା, ଜଣ୍ଡିସ, ଥଣ୍ଡା ଓ ସର୍ଦ୍ଦି, ଜ୍ୱର ଏବଂ ଅନ୍ୟାନ୍ୟ ରୋଗ ପାଇଁ ଆୟୁର୍ବେଦ ଚିକିତ୍ସା ଜ୍ଞାନ ମଧ୍ୟ ରହିଛି।









