ଯେଉଁଦିନ ବଜରଙ୍ଗ ଗାଏକୱାଡ଼ଙ୍କ ଓଜନ ପାଞ୍ଚ କିଲୋଗ୍ରାମ କମିଗଲା, ସେଦିନ ସେ ଜାଣିଗଲେ ଯେ, ଯାହା କ୍ଷତି ହେବା କଥା ତାହା ହୋଇସାରିଲାଣି । ସେ କହନ୍ତି, “ଆଗରୁ ମୁଁ ପ୍ରତିଦିନ ଛଅ ଲିଟର ମଇଁଷି କ୍ଷୀର ପିଉଥିଲି, ୫୦ଟି ବାଦାମ, ୧୨ଟି କଦଳୀ ଏବଂ ଦୁଇଟି ଅଣ୍ଡା ଖାଉଥିଲି ଏବଂ ତା ସାଙ୍ଗକୁ ଦିନେ ଛଡ଼ା ଦିନେ ମାଂସ ବି ଖାଉଥିଲି ।” ଏବେ ସେ ସପ୍ତାହକରେ କିମ୍ବା ବେଳେବେଳେ ଆହୁରି ଅଧିକ ସମୟ ମଧ୍ୟରେ, ଏହି ସବୁ ଖାଦ୍ୟ ଖାଇପାରୁଛନ୍ତି ଏବଂ ତାଙ୍କ ଓଜନ ୬୧ କିଲୋକୁ ଖସି ଆସିଲାଣି ।
କୋଲ୍ହାପୁର ଜିଲ୍ଲା ଅନ୍ତର୍ଗତ ଜୁନେ ପରଗାଓଁ ଗାଁର ୨୫ ବର୍ଷୀୟ ପହିଲମାନ ବଜରଙ୍ଗ କହନ୍ତି “ଜଣେ ପହିଲମାନଙ୍କ ଶରୀରର ଓଜନ କମିବା ଉଚିତ ନୁହେଁ । ଏହା ତୁମକୁ ଦୁର୍ବଳ କରିଦେବ ଏବଂ ଲଢ଼େଇରେ ତୁମର ଦାଉ ସେତେଟା ଭଲ ହେବନି । ଆମ ପାଇଁ ତାଲିମ ଯେତିକି ଗୁରୁତ୍ୱପୂର୍ଣ୍ଣ ଖୁରାକ (ଖୋରାକ) ବି ସେତିକି ।” ଗ୍ରାମୀଣ ପଶ୍ଚିମ ମହାରାଷ୍ଟ୍ରର ଅନ୍ୟ ଅନେକ ପହିଲମାନଙ୍କ ଭଳି ବଜରଙ୍ଗ ମଧ୍ୟ ଦୀର୍ଘ ଦିନ ହେଲା ନିଜର ପରିପୁଷ୍ଟ ଖୋରାକ ପାଇଁ - ଖୋଲା ଆକାଶ ତଳେ ଲାଲ ମାଟିରେ ଆୟୋଜିତ ପ୍ରତିଯୋଗିତାରୁ- ପୁରସ୍କାର ବାବଦରେ ମିଳୁଥିବା ଅର୍ଥ ଉପରେ ନିର୍ଭର କରିଆସୁଥିଲେ ।
କିନ୍ତୁ କୋଲ୍ହାପୁରର ଦୋନୋଲି ଗାଁରେ ଆୟୋଜିତ ମଇଦାନ (ଲଢ଼େଇ) ପରେ ୫୦୦ ଦିନରୁ ଅଧିକ ସମୟ ହେଲା ସେ କୌଣସି ଲଢ଼େଇରେ ଭାଗ ନେଇନାହାନ୍ତି । ସେ କହନ୍ତି, “ମୁଁ ଯେତେ ବେଶୀ ଆହତ ହୋଇଥିଲେ ବି ଏତେ ଲମ୍ବା ସମୟ ପାଇଁ ବିରତି ନେଇ ନଥାଆନ୍ତି । ”













