ପାଳି ପଡ଼ିବା ଯାଏ ଅପେକ୍ଷା କରିବା ଲାଗି ଜଙ୍ଗଲର ରାଜାଙ୍କୁ ଆପଣ ବାଧ୍ୟ କରିପାରିବେନି।
ସିଂହମାନେ ଆସୁଛନ୍ତି। ସୁଦୂର ଗୁଜରାଟରୁ। ଏବଂ ସେମାନଙ୍କ ପ୍ରବେଶ ପ୍ରକ୍ରିୟାକୁ ସୁଗମ କରିବା ଲାଗି ସମସ୍ତଙ୍କୁ ବାଟ ଛାଡ଼ି ଦେବାକୁ ପଡ଼ିବ।
ଏହା ହିଁ ଗୋଟିଏ ଭଲକଥା ଭଳି ମନେ ହେଉଥିଲା। ଯଦିବା ଏହା କେମିତି ସମ୍ଭବ ହେବ ବୋଲି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିସରରେ ରହିଥିବା ଗାଁ ଲୋକେ ବି ଅନିଶ୍ଚିତ ଥିଲେ।
କୁନୋ ଉଦ୍ୟାନ ପରିସର ବାହାରେ ଥିବା ଆଗାରା ଗାଁରେ ଆମ ସହ କଥାବାର୍ତ୍ତା କରିବା ଅବସରରେ ୭୦ରୁ ଅଧିକ ବର୍ଷ ବୟସର ରଘୁଲାଲ ଜାଟଭ କହିଥିଲେ, “ଏହି ବଡ଼ ବଡ଼ ଜନ୍ତୁମାନେ ପହଞ୍ଚିବା ପରେ ଏ ଅଞ୍ଚଳ ବି ବିଖ୍ୟାତ ହୋଇଯିବ। ଆମେମାନେ ଗାଇଡ୍ ଭାବରେ ଚାକିରି ପାଇଯିବୁ। ଆମେ ଏ ଅଞ୍ଚଳରେ ଦୋକାନ ଏବଂ ହୋଟେଲ ଚଳାଇ ପାରିବୁ। ଆମ ପରିବାର ଚଳିଯିବ।”
ରଘୁଲାଲ କହନ୍ତି, “ଆମକୁ ଭଲ ଜଳସେଚିତ ଜମି, ସବୁଦିନିଆ ରାସ୍ତା, ସାରା ଗାଁକୁ ବିଜୁଳି ଆଲୁଅ ଏବଂ ଅନ୍ୟ ସୁବିଧା ସୁଯୋଗ ମିଳିଯିବ।”
ସେ କହନ୍ତି, “ସରକାର ତ ଆମକୁ ଏହି ପ୍ରତିଶ୍ରୁତି ଦେଇଥିଲେ”।
ଏବଂ ଏହି କାରଣରୁ ହିଁ ପାଇରା ଏବଂ କୁନୋ ଜାତୀୟ ଉଦ୍ୟାନ ପରିସରରେ ରହିଥିବା ୨୪ଟି ଗାଁର ପ୍ରାୟ ୧,୬୦୦ ପରିବାର ନିଜ ନିଜ ଘର ଖାଲି କରି ଦେଇଥିଲେ। ମୁଖ୍ୟତଃ ସେମାନେ ଥିଲେ ସହରିୟା ଆଦିବାସୀ ଏବଂ ଦଳିତ ଏବଂ ଗରିବ ଅନ୍ୟ ପଛୁଆ ବର୍ଗର। ନିର୍ବାସନ ଦିଗରେ ସେମାନଙ୍କ ଯାତ୍ରା ଥିଲା ନିହାତି ତରବରିଆ।
ବହୁ ଟ୍ରାକ୍ଟର ଅଣାଯାଇଥିଲା ଏବଂ ପିଢ଼ି ପରେ ପିଢ଼ି ଧରି ସାଇତି ରଖିଥିବା ନିଜ ନିଜର ସଂପତ୍ତିକୁ ସାଙ୍ଗରେ ଧରି ତରତର ହୋଇ ନିଜ ଭିଟାମାଟିକୁ ପଛରେ ଛାଡ଼ିଯାଇଥିଲେ ବନବାସୀମାନେ। ଆହୁରି ମଧ୍ୟ ସେମାନେ ଛାଡ଼ି ଯାଇଥିଲେ ପ୍ରାଥମିକ ବିଦ୍ୟାଳୟ, ଅନେକ ଢିଙ୍କିଆ କଳ ଓ କୂଅ ଏବଂ ବଂଶାନୁକ୍ରମିକ ଭାବେ ସେମାନେ ଚାଷବାସ କରିଆସୁଥିବା ଜମିବାଡ଼ି। ଏମିତି କି ଗୃହପାଳିତ ପଶୁମାନଙ୍କୁ ବି ଛାଡ଼ି ଦେଲେ। କାରଣ ଜଙ୍ଗଲର ପର୍ଯ୍ୟାପ୍ତ ଚାରଣ ସମ୍ବଳ ଛାଡ଼ି ଚାଲିଯିବା ପରେ ସେମାନଙ୍କୁ ଖାଦ୍ୟ ଯୋଗାଇବା କଷ୍ଟକର ହୋଇପଡ଼ିବ।
ତେଇଶ ବର୍ଷ ପରେ, ଏବେ ବି ସେମାନେ ସିଂହମାନଙ୍କୁ ଅପେକ୍ଷା କରିଛନ୍ତି।


















