୩୦ ବର୍ଷ ବୟସ୍କ ପ୍ରଭାକର ଚଭହଲ, ତାଙ୍କ ଦାଦା ୫୫ବର୍ଷ ବୟସ୍କ ଶିବାଜୀ ଚହଲଙ୍କଠାରୁ କଷ୍ଟକର ସମୟ ଦେଖୁଛନ୍ତି। ଉଭୟ ମରାଠାଓ୍ୱାଡାର ପର୍ଭାଣୀ ଜିଲ୍ଲାର ମୋରେ ଗାଁଓର ଚାଷୀ। ଉଭୟ ମୁଖ୍ୟତଃ କପା ଚାଷ କରନ୍ତି। କିନ୍ତୁ ଯେତେବେଳେ ଶିବାଜୀଙ୍କର କପା ବହୁ ବର୍ଷ ପର୍ଯ୍ୟନ୍ତ ଏକ ଅର୍ଥକରୀ ଫସଲ ହୋଇଥିଲା, ପ୍ରଭାକରଙ୍କର ସେହି ସମାନ ଫସଲ ଆଉ ଅଧିକ ଅର୍ଥ ଆଣୁନାହିଁ।
ଚହଲମାନେ କେବଳ ଏକୁଟିଆ ନୁହଁନ୍ତି। ମରାଠାଓ୍ୱାଡାର ପର୍ଭାଣୀ, ହିଙ୍ଗୋଳି ଏବଂ ଔରଙ୍ଗାବାଦ ଜିଲ୍ଲାରେ ବିଶାଳ କପା କ୍ଷେତ୍ର ରହିଛି- ଏହା ପ୍ରାୟ ୧୭.୬୦ ଲକ୍ଷ ହେକ୍ଟର ବୋଲି ରାଜ୍ୟ କୃଷି ବିଭାଗ ସୂଚନା ଦେଇଛି। ଏହି ଫସଲ ଯଅ, ହରଡ଼, ସୋୟାବିନ୍ ପରି ଖାଦ୍ୟ ଫସଲ ତୁଳନାରେ ଅଧିକ ଲାଭ ଦେଇ ଆସୁଥିଲା- ସେହି କାରଣରୁ କପାକୁ ‘ଅର୍ଥକରୀ’ ଫସଲ କୁହାଯାଉଥିଲା। କିନ୍ତୁ ବର୍ଷ ପରେ ବର୍ଷ କପାର ଉତ୍ପାଦନ ଖର୍ଚ୍ଚ ବଢ଼ିଚାଲିଛି। ଯେତେବେଳେ କି ଲାଭ ପ୍ରାୟ ସମାନ ରହିଛି ଫଳରେ କପା ନାମକୁ ମାତ୍ର ଅର୍ଥକରୀ ଫସଲ ହୋଇରହିଛି।
ପ୍ରଭାକର ପରିସ୍ଥିତିକୁ ବିଶଦ ଭାବରେ ବ୍ୟାଖ୍ୟା କରନ୍ତି। ସେ ଗୋଟିଏ କାଗଜ କାଢ଼ନ୍ତି, ଯେଉଁଥିରେ କି ସେ ଗୋଟିଏ ଏକର କପା ଚାଷ ପାଇଁ କରିଥିବା ସମସ୍ତ ଖର୍ଚ୍ଚ ଲେଖିଛନ୍ତି- ଗୋଟିଏ ବ୍ୟାଗ୍ ବିହନ ପାଇଁ ଟ. ୮୦୦, ଜୁନ୍ ମାସର ମଝିଆମଝି ବୁଣିବା ସମୟ ପୂର୍ବରୁ ଜମି ପ୍ରସ୍ତୁତି ପାଇଁ ଶ୍ରମିକମାନଙ୍କୁ ଟ ୧,୧୦୦ ମଜୁରୀ ଭାବରେ ଏବଂ ବିହନ ବୁଣିବା ସମୟରେ ଆଉ ଟ. ୪୦୦। ଯଦି ମୌସୁମୀ ବର୍ଷା ଭଲ ହେବ ସେ ତିନୋଟି ପର୍ଯ୍ୟାୟରେ ଅନାବନା ବାଛିବା ଆବଶ୍ୟକ କରିବେ, ଯାହାକି ମଜୁରୀ ଭାବରେ ଆଉ ଟ. ୩୦୦୦ ଖର୍ଚ୍ଚ କରାଇବ। ଉର୍ବରକ? ଆଉ ଟ ୩୦୦୦। କୀଟନାଶକ ପାଇଁ ଟ. ୪୦୦୦। ଅମଳ ଖର୍ଚ୍ଚ ଟ. ୫୦୦୦ ହେବ।
ଏବଂ ଏହା ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଶେଷ ପ୍ରତିବନ୍ଧକ ହେଉଛି ବଜାରରେ ବିକ୍ରି କରିବା, ଯାହାର ଖର୍ଚ୍ଚ ଅମଳ ପିଛା ଟ. ୩୦୦୦, ଏଥିରେ ପରିବହନ ଏବଂ ବ୍ୟବସାୟୀଙ୍କୁ ଦେଉଥିବା କମିଶନ ମଧ୍ୟ ରହିଛି।
ପ୍ରଭାକର କୁହନ୍ତି, ‘‘ଏସବୁ ମିଶାଇଲେ ଏକର ପିଛା ଟ.୨୦,୩୦୦ ପ୍ରାୟ ହେବ’’। ଚଳିତବର୍ଷ ନଭେମ୍ବର, ଡିସେମ୍ବରରେ ସେ ତାଙ୍କ କପା ଅମଳ କରିବା ସମୟରେ ଆଶା କରାଯାଉଥିବା ବଜାର ଦର ଥିଲା କ୍ୱିଣ୍ଟାଲ ପିଛା ଟ. ୪,୩୦୦ (ଗତବର୍ଷ ଏହା ଟ. ୪,୦୦୦ ଥିଲା)। ସେ କୁହନ୍ତି ‘‘ଆୟ (ସବୁ ଖର୍ଚ୍ଚ ପରେ) ୩୪,୮୦୦ଟଙ୍କା।’’ ଅର୍ଥାତ୍ ଆଠ ମାସର କଠିନ ପରିଶ୍ରମ ଏବଂ ନିବେଶ ଏକର ପିଛା ମାତ୍ର ୧୪,୫୦୦ଟଙ୍କା। ଏବଂ ଏହା ପରେ ଚହଲମାନଙ୍କୁ ପାଣି ପମ୍ପ ଏବଂ ବୋରଓ୍ୱେଲ୍ ପାଇଁ ବିଦ୍ୟୁତ ବିଲ୍ ଦେବାକୁ ହେବ ଏବଂ ତାଙ୍କ ଛଅଟି ଗାଈ ପାଇଁ ମାସକୁ ଟ. ୧୪,୦୦୦ରୁ ଅଧିକ ଖର୍ଚ୍ଚ କରିବାକୁ ହେବ।




