ଜାନୁୟାରୀ ମାସ ୨୬ ତାରିଖରେ ଦିଲ୍ଲୀରେ କୃଷକମାନଙ୍କ ଟ୍ରାକ୍ଟର ରାଲି ସମୟରେ ମୃତ୍ୟୁବରଣ କରିଥିବା ନଭରିତ ସିଂହଙ୍କ ବାପା ସିର୍ଭିକ୍ରମଜିତ ସିଂହ ହୁଣ୍ଡାଲ କହିଲେ,"କୌଣସି ବାପା-ମାଙ୍କୁ ସନ୍ତାନ ହରାଇବାର ଝଟ୍କା ଲାଗିବା କଥା ନୁହେଁ"।
ଉତ୍ତରପ୍ରଦେଶର ଡିବଡିବାରେ ଥିବା ସେମାନଙ୍କ ଘରେ ନଭରିତଙ୍କ ଫଟୋ ଘରର ଏକ କାନ୍ଥକୁ ଲାଗିରହିଥିଲା, ଯେଉଁଠାରେ ୪୫ବର୍ଷୀୟ ସିର୍ଭିକ୍ରମଜିତ ଏବଂ ତାଙ୍କ ପତ୍ନୀ ୪୨ବର୍ଷୀୟା ପରମଜିତ କୌର, ସମବେଦନା ଜଣାଇବାକୁ ଆସୁଥିବା ଲୋକମାନଙ୍କୁ ଦେଖା କରୁଥିଲେ। ସେମାନଙ୍କ ପୁଅର ମୃତ୍ୟୁ ବାପା-ମାଙ୍କ ଜୀବନ ଅପୁରଣୀୟ ଶୂନ୍ୟତା ଭରିଦେଲା। ସିର୍ଭିକ୍ରିମଜିତ କହିଲେ,"ସେ ମୋତେ କୃଷିକାର୍ଯ୍ୟରେ ସାହାଯ୍ୟ କରୁଥିଲା। ସେ ଆମର ଯତ୍ନ ନେଉଥିଲା। ସେ ଏକ ଦାୟିତ୍ୱବାନ୍ ପିଲା ଥିଲା"।
ଦିଲ୍ଲୀରେ ହେଉଥିବା ସାଧାରଣତନ୍ତ୍ର ଦିବସ ରାଲିରେ ଭାଗ ନେବାପାଇଁ ୨୫ ବର୍ଷୀୟ ନଭରିତ ଦିଲ୍ଲୀ-ୟୁପି ସୀମାରେ ଥିବା ଘାଯିପୁରକୁ ଯାଇଥିଲେ। ୨୦୨୦, ନଭେମ୍ବର ୨୬ରେ ଦିଲ୍ଲୀର ସୀମାରେ କୃଷକମାନଙ୍କ ବିକ୍ଷୋଭ ଆରମ୍ଭ ହେବାଠାରୁ ତାଙ୍କ ଜେଜେବାପା,୬୫ ବର୍ଷୀୟ ହରଦିପ ସିଂହ ଡିବଡିବା ସେଠାରେ କ୍ୟାମ୍ପକରି ରହିଆସୁଥିଲେ।ନଭରିତ ଗୋଟିଏ ଟ୍ରାକ୍ଟର ଚଲାଉଥିଲେ,ଯାହିକି ଦିନ୍ ଦୟାଲ ଉପାଧ୍ୟାୟ ମାର୍ଗରେ ଦିଲ୍ଲୀ ପୁଲିସ୍ ଦ୍ୱାରା କରାଯାଇଥିବା ସୁରକ୍ଷା ବ୍ୟାରିକେଡ୍ ପାଖରେ ଓଲଟିପଡିଲା।
ଯେତେବେଳେ ପୁଲିସ୍ କୁହେ ଯେ ନଭରିତ ଟ୍ରାକ୍ଟର ଓଲଟି ପଡିବା ଜନିତ କ୍ଷତରୁ ମୃତ୍ୟୁବରଣ କରିଛନ୍ତି, ପରିବାରର ବିଶ୍ୱାସ ତାଙ୍କୁ ଦୁର୍ଘଟଣା ଆଗରୁ ଗୁଳି କରାଯାଇଥିଲା। "ଆମେ ଏହା ବିଚାରାଳୟରେ ପ୍ରମାଣ କରିବୁ," ଦିଲ୍ଲୀର ଉଚ୍ଚ ନ୍ୟାୟାଳୟରେ ନଭରିତଙ୍କ ମୃତ୍ୟୁ ମାମଲାର ସରକାରୀ ସ୍ତରରେ ତଦନ୍ତ କରିବା ପାଇଁ ହରଦିପ ସିଂହଙ୍କ ଦ୍ୱାରା ଦାଖଲ କରାଯାଇଥିବା ପିଟିସନ୍ କୁ ସୁଚାଇ, ସିର୍ଭିକ୍ରମଜିତ କହିଲେ।
ଦୁଃଖଦ ଘଟଣା ପରଠାରୁ ଉତ୍ତରପଶ୍ଚିମ ୟୁପିର ସୀମା ଜିଲ୍ଲା ରାମପୁରର କୃଷକମାନେ- ଯେଉଁଠାରେ ଡିବଡିବା ଅବସ୍ଥିତ-ଦୃଢ ନିଶ୍ଚିନ୍ତ ହେଲେ ଯେ ସେପ୍ଟେମ୍ବର ୨୦୨୦ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ନୂତନ କୃଷି ଆଇନ ରଦ୍ଦ ଦାବିରେ ଅଟଳ ରହିବେ। ରାମପୁର ସୀମାଠାରୁ ଉତ୍ତରାଖଣ୍ଡର ଉଧାମସିଂହ ନଗର ଓ କାଶିପୁର ଜିଲ୍ଲା, କୁମାୟୁନ ଅଞ୍ଚଳର, କୃଷକମାନଙ୍କ ସଂକଳ୍ପ ଦୃଢ ହୋଇଛି।







