ଜାନୁଆରୀ ଏବଂ ଫେବ୍ରୁଆରୀ ମାସରେ କପା ଦର, ଏହାର ସର୍ବନିମ୍ନ ସହାୟକ ମୂଲ୍ୟ (MSP) କୁଇଣ୍ଟାଲ ପିଛା ୫,୫୦୦ ଟଙ୍କାରୁ ଖସି ଆସିଥିବା କାରଣରୁ ପାୱାର ପୂର୍ବରୁ ତାଙ୍କ କପା ବିକ୍ରି କରି ନଥିଲେ । ଶ୍ରମିକମାନଙ୍କ ମଜୁରି ଦେବା ପାଇଁ ଫେବ୍ରୁଆରୀ ଶେଷ ଆଡ଼କୁ ସେ କୁଇଣ୍ଟାଲ ପିଛା ୪,୫୦୦ ଟଙ୍କା ଦରରେ ୪୦-୫୦ କୁଇଣ୍ଟାଲ କପା ବିକ୍ରି କରିଥିଲେ ।
ଏପ୍ରିଲରେ ଚାହିଦା ବଢ଼ିବା ଯାଏ ଅପେକ୍ଷା କରିବାକୁ ସେ ସ୍ଥିର କରିଥିଲେ । ସେ କହନ୍ତି, ଏଇ କିଛି ବର୍ଷ ହେଲା ଏହି ଧାରା ଚଳିଆସୁଛି: କପା ଦର ଜାନୁଆରୀ-ଫେବ୍ରୁଆରୀରେ ଖସି ଆସେ ଏବଂ ମାର୍ଚ୍ଚ-ଏପ୍ରିଲରେ ବଢ଼ିବାରେ ଲାଗେ ।
କିନ୍ତୁ ଏଥର ମାର୍ଚ୍ଚରେ ଯାହା ଆସିଲା ତାହା ଥିଲା ଲକ୍ଡାଉନ୍ ।
ଏବେ, କୋଭିଡ୍-୧୯ ସଂକଟ ଜନିତ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଥିବା ବେଳେ ଏବଂ ଲକ୍ଡାଉନ୍ ତୃତୀୟ ମାସରେ ପହଞ୍ଚିଥିବା ବେଳେ, କେହି କ୍ରେତା ନାହାନ୍ତି ଏବଂ କୃଷି କ୍ଷେତ୍ରରେ ଯୋଗାଣ ଶୃଙ୍ଖଳ ବ୍ୟାପକ ବାଧାପ୍ରାପ୍ତ ହୋଇଛି ।
ବିକ୍ରି ହୋଇ ନଥିବା କପା (ଏବଂ ଅନ୍ୟ ରବି ଫସଲ, ନିର୍ଦ୍ଦିଷ୍ଟ ଭାବେ ଅର୍ଥକରୀ ଫସଲ) ସହିତ ଅଡୁଆ ସ୍ଥିତିରେ ଫସି ରହିଥିବା ମହାରାଷ୍ଟ୍ରର, ବାସ୍ତବରେ ସାରା ଦେଶର ଅଗଣିତ କୃଷକଙ୍କ ମଧ୍ୟରୁ ପାୱାର ଜଣେ ।
ଏ କ୍ଷେତ୍ରରେ, କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ସଂସ୍ଥା ଭାରତୀୟ କପା ନିଗମ (CCI)ଏବଂ ରାଜ୍ୟସ୍ତରୀୟ ବିଭିନ୍ନ ସଂସ୍ଥା ପକ୍ଷରୁ ମହାରାଷ୍ଟ୍ରରେ ପ୍ରାୟ ୧୫୦ଟି କପା କ୍ରୟ କେନ୍ଦ୍ର ଖୋଲିଥିଲା । ହେଲେ,ଟଳମଳ ସ୍ଥିତିରେ ଥିବା କ୍ରୟ ବ୍ୟବସ୍ଥା ପୂର୍ବରୁ ଅନ୍ଲାଇନ୍ ପଞ୍ଜୀକରଣ ଏବଂ ଏଥିରେ ଲାଗି ରହିଥିବା ଲମ୍ବା ଧାଡ଼ି ଯୋଗୁଁ ପାୱାରଙ୍କ ଭଳି ବ୍ୟାକୁଳ ବିକ୍ରେତାଙ୍କ ଧୈର୍ଯ୍ୟ ପରୀକ୍ଷା ହିଁ ସାର ହୋଇଛି ।
ଏ ପର୍ଯ୍ୟନ୍ତ ସାରା ଦେଶରୁ ଭାରତୀୟ କପା ନିଗମ,୯୩ଲକ୍ଷ ଗାଣ୍ଠି (ମୋଟାମୋଟି ୪୬୫ ଲକ୍ଷ କୁଇଣ୍ଟାଲ) କପା କିଣିଛି । ପୂର୍ବରୁ,୨୦୦୮ ମସିହାରେ କିଣା ହୋଇଥିବା ସର୍ବାଧିକ ୯୦ ଲକ୍ଷ ଗାଣ୍ଠି ତୁଳନାରେ ଏହା ଅଧିକ । ଏବଂ ଗତ ଦଶନ୍ଧିରେ ସାରା ଦେଶର ବାର୍ଷିକ ହାରାହାରି କ୍ରୟ ତୁଳନାରେ ପ୍ରାୟ ନଅ ଗୁଣ ଅଧିକ । ଏଥର ଏଭଳି ହାରରେ କପା କିଣା ହେବାର କାରଣ ହେଉଛି, ମାର୍ଚ୍ଚ ମଧ୍ୟ ଭାଗରେ ସାରା ଦେଶ ଲକ୍ଡାଉନ୍ ଆଡ଼କୁ ମୁହାଁଉଥିବା ବେଳେ ଘରୋଇ ବ୍ୟବସାୟୀମାନେ କପା କିଣିବା ବନ୍ଦ କରିଦେଇଥିଲେ ।
ଏହା ବ୍ୟତୀତ, କୋଭିଡ୍-୧୯ ପୂର୍ବରୁ ବ୍ୟବସାୟୀମାନେ କପା କୁଇଣ୍ଟାଲ ପିଛା ୫,୦୦୦ ଟଙ୍କା ଦରରେ କିଣିବାକୁ ବସିଥିବା ବେଳେ ଭାରତୀୟ କପା ନିଗମ କୁଇଣ୍ଟାଲ ପିଛା ୫,୫୦୦ ଟଙ୍କାରେ ବିକିବାକୁ ଚାଷୀଙ୍କୁ ସୁଯୋଗ ଦେଇଥିଲା । ଏବେ ସେହି ବ୍ୟବସାୟୀମାନେ ଆଦୌ କପା କିଣୁନାହାନ୍ତି । ଇତ୍ୟବସରରେ,ଦୁର୍ବଳ ଆର୍ଥିକ ସ୍ଥିତିରେ ରହିଥିବା ଭାରତୀୟ କପା ନିଗମ ଏବଂ ରାଜ୍ୟ ସରକାର ଆଉ ଅଧିକ କପା କିଣିବାକୁ ଆଗ୍ରହୀ ନୁହଁନ୍ତି ।