“ କୋଇ ସରକାର ନହିଁ ଚଙ୍ଗି ଆମ ଲୋକାଁ ଲାୟି (ସାଧାରଣ ଲୋକଙ୍କ ପାଇଁ କୌଣସି ସରକାର ଭଲ ନୁହେଁ),” ୭୦ ବର୍ଷୀୟା ଗୁରମିତ କୌର କହନ୍ତି । ଲୁଧିଆନାର ଜଗରାଓଁରେ ଆୟୋଜିତ କିଷାନ-ମଜଦୁର ମହାପଞ୍ଚାୟତ (କୃଷକ ଓ ଶ୍ରମିକମାନଙ୍କର ବିଶାଳ ଗ୍ରାମସଭା) ରେ ଯୋଗ ଦେବା ଲାଗି ବସିଆଁ ଗାଁରୁ ଆସିଥିବା ଦଳେ ମହିଳାଙ୍କ ସହିତ ସେ ଏକ ଚାଳିଆ ତଳର ଛାଇରେ ବସିଛନ୍ତି ।
“ଚାକିରି ଦେବେ ବୋଲି (ପ୍ରଧାନ ମନ୍ତ୍ରୀ) ମୋଦି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ କୌଣସି ପ୍ରତିଶ୍ରୁତି ପୂରଣ ହେଲାନାହିଁ । (ତେଣୁ ଏବେ) ଏନା ଦା କୋଇ ହକ୍ ନହିଁ ସାଡ଼େ ଇଥେ ଆ କେ ଭୋଟାଁ ମାଗାଁ ଦା (ଏଠାକୁ ଆସି ଭୋଟ ମାଗିବାର କୌଣସି ଅଧିକାର ସେମାନଙ୍କର ନାହିଁ),” ସେ କହନ୍ତି । ଗୁରମିତ କୌର ଦକୌନ୍ଦାର ଭାରତୀୟ କିଷାନ ୟୁନିଅନ (ବିକେୟୁ ଏକତା) ସହ ସମ୍ବନ୍ଧିତ ଏବଂ ସେ ‘ପରୀ’କୁ କହନ୍ତି ଯେ, ୨୦୧୯ର ଲୋକସଭା ନିର୍ବାଚନରେ ସେ ମୋଦିଙ୍କୁ ଭୋଟ ଦେଇଥିଲେ ।
ଜଗରାଓଁର ନୂତନ ଶସ୍ୟ ବଜାରରେ ମେ ମାସ ୨୧ ତାରିଖ ଦିନ ଅନୁଷ୍ଠିତ ମହାପଞ୍ଚାୟତରେ ପାଖାପାଖି ୫୦,୦୦୦ ଲୋକ ଯୋଗ ଦେଇଥିଲେ । ସେମାନେ ସମସ୍ତେ ନିଜର ଶକ୍ତି ପ୍ରଦର୍ଶନ ସହିତ ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧରେ ପ୍ରତିବାଦ କରିବା ଲାଗି ବିଭିନ୍ନ କୃଷକ ସଂଗଠନ, ଶ୍ରମିକ ସଂଘ, ଅଙ୍ଗନବାଡ଼ି କର୍ମୀ ସଂଘ ଏବଂ ଡାକ୍ତରୀ ଚିକିତ୍ସା ଅଧିକାରୀ ସଂଘ ତରଫରୁ ଆସିଥିଲେ । ମଞ୍ଚ ଉପରେ ଲାଗିଥିବା ବ୍ୟାନରରେ କୁହାଯାଇଥିଲା, ‘ବିଜେପି ହରାଓ , କର୍ପୋରେଟ୍ ଭ ଜାଓ , ଦେଶ ବଚାଓ (ବିଜେପିକୁ ହରାଅ । କର୍ପୋରେଟ ସଂସ୍ଥାମାନଙ୍କୁ ତଡ଼ିଦିଅ । ଦେଶ ବଞ୍ଚାଅ) ।’
“ଆମେ ପଞ୍ଜାବରେ ମୋଦିଙ୍କୁ କଳାପତାକା ଦେଖାଇବୁ,” ମହାପଞ୍ଚାୟତରେ ଉପସ୍ଥିତ ଥିବା ‘ବିକେୟୁ-ଲଖୋୱାଲ ଚାପ୍ଟର’ ସଭାପତି ହରିନ୍ଦର ସିଂହ ଲଖୋୱାଲ କହନ୍ତି ।
ପଞ୍ଜାବରେ ୨୦୨୪ ଜୁନ ୧ ତାରିଖ ଦିନ ଭୋଟଗ୍ରହଣ କରାଯିବ ଏବଂ ରାଜ୍ୟରେ ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ନରେନ୍ଦ୍ର ମୋଦି ପ୍ରସ୍ତୁତ ହୋଇ ରହିଛନ୍ତି । ସେହି ରାଜ୍ୟରେ, ଯେଉଁଠି କୃଷକମାନଙ୍କ ଦାବି ପ୍ରତି କେନ୍ଦ୍ର ସରକାରଙ୍କ ଉଦାସୀନ ମନୋଭାବର ପ୍ରତିବାଦ କରାଯାଇଆସୁଛି । କୃଷକମାନଙ୍କ ଦାବିଗୁଡ଼ିକ ହେଲା: ସ୍ୱାମୀନାଥନ କମିଶନଙ୍କ ସୁପାରିସ ମୁତାବକ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍ପି) ନିଶ୍ଚିତ ରୂପେ ଲାଗୁ କରିବା, କୃଷିଋଣ ସଂପୂର୍ଣ୍ଣ ଛାଡ଼ କରିବା, ଲଖିମପୁର ଖିରି ଗଣହତ୍ୟାର ପୀଡ଼ିତ ବ୍ୟକ୍ତିମାନଙ୍କୁ ନ୍ୟାୟ ପ୍ରଦାନ, କୃଷକ ଏବଂ ଶ୍ରମିକମାନଙ୍କ ପାଇଁ ପେନ୍ସନ୍ ଯୋଜନା କରିବା ଏବଂ ୨୦୨୦-୨୦୨୧ର ପ୍ରତିବାଦ ଆନ୍ଦୋଳନ ବେଳେ ସହିଦ ହୋଇଥିବା କୃଷକମାନଙ୍କ ପରିବାରକୁ କ୍ଷତିପୂରଣ ଦେବା । ପଢ଼ନ୍ତୁ: କୃଷକ ଆନ୍ଦୋଳନ ସଂପର୍କିତ ‘ପରୀ’ର ପୂର୍ଣ୍ଣାଙ୍ଗ ରିପୋର୍ଟ
ସମବେତ ଲୋକମାନଙ୍କୁ ସମ୍ବୋଧନ କରିବା ପୂର୍ବରୁ କୃଷକ ନେତାମାନେ ୨୦୨୦-୨୧ର କୃଷକ ଆନ୍ଦୋଳନରେ ପ୍ରାଣ ହରାଇଥିବା ୭୫୦ ଜଣ କୃଷକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବିଶେଷ ରୂପରେ ୨୧ ବର୍ଷୀୟ କୃଷକ ଶୁଭକରଣ ସିଂହଙ୍କ ସ୍ମୃତିଚାରଣ କରାଯାଇଥିଲା । ଏ ବର୍ଷ ଫେବ୍ରୁଆରୀ ମାସରେ, କୃଷକମାନେ ଶାନ୍ତିପୂର୍ଣ୍ଣ ଭାବରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ସମୟରେ ପଟିଆଲାର ଢାବି ଗୁଜରାଣରେ ପୋଲିସ ସହ ସେମାନଙ୍କର ସଂଘର୍ଷ ହୋଇଥିଲା । ସଂଘର୍ଷରେ ଶୁଭକରଣଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା ଏବଂ ପରେ ସେ ପ୍ରାଣ ହରାଇଥିଲେ । ଏହା ମଧ୍ୟ ପଢ଼ନ୍ତୁ: ‘ଯଦି ଆମେ ଆମ ନିଜ ରାଜ୍ୟରେ ସୁରକ୍ଷିତ ନୋହୁଁ, ତେବେ କେଉଁଠି ସୁରକ୍ଷିତ ରହିବୁ?’
କିଛି ମାସ ତଳେ, ୨୦୨୪ ଫେବ୍ରୁଆରୀରେ, ପୂର୍ବ ପ୍ରତିଶ୍ରୁତି ମୁତାବକ ଦାବି ପୂରଣ କରିବା ଲାଗି ସ୍ୱର ଉତ୍ତୋଳନ କରିବାକୁ ଯାଉଥିବା କୃଷକମାନଙ୍କୁ ଦିଲ୍ଲୀରେ ପ୍ରବେଶ କରାଇ ଦିଆଯାଇ ନଥିଲା । ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀମାନଙ୍କୁ ରାସ୍ତାରେ ବାଡ଼ ପକାଇ ଅଟକ ରଖାଯାଇଥିଲା ଏବଂ ସେମାନଙ୍କ ଉପରେ ପାଣି ମାଡ଼ କରାଯିବା ସହିତ ଲୁହବୁହା ବାଷ୍ପ ମଧ୍ୟ ପ୍ରୟୋଗ କରାଯାଇଥିଲା ।
ଏବେ, ବିଜେପି ସେମାନଙ୍କ ଗାଁରେ ପ୍ରଚାର କରୁ ବୋଲି ସେମାନେ ଚାହୁଁ ନାହାନ୍ତି ।
ସେହି ସମାନ ମନୋଭାବ ପୋଷଣ କରନ୍ତି ବିକେୟୁ ଶାଦିପୁର ସଭାପତି ବୁଟା ସିଂହ । “ଏବେ କାହିଁକି ମୋଦି ପଞ୍ଜାବ ଆସୁଛନ୍ତି?” ସେ ପଚାରନ୍ତି, “ଆମେ ତାଙ୍କୁ ପ୍ରଚାର କରାଇ ଦେବୁନାହିଁ,”
ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ୱାନକ୍ରମେ ସମଗ୍ର ପଞ୍ଜାବରେ ଲୋକେ ପ୍ରଚାର ଲାଗି ଆସୁଥିବା ବିଜେପି ନେତା ଓ ପ୍ରାର୍ଥୀମାନଙ୍କୁ ସେମାନଙ୍କ ଗାଁରେ ପୂରାଇ ଦେଉ ନାହାନ୍ତି ।
ଜଗରାଓଁରେ କୃଷକ ନେତାମାନେ ସେମାନଙ୍କ ଭାଷଣରେ, ଯଥାକ୍ରମେ ଫରିଦକୋଟ ଓ ଲୁଧିଆନାର ବିଜେପି ପ୍ରାର୍ଥୀ ହଂସରାଜ ହଂସ ଏବଂ ରବନୀତ ବିଟ୍ଟୁଙ୍କ ନାମ ଉଲ୍ଲେଖ କରିଥିଲେ ।
“ନେତାମାନେ ହାତ ଯୋଡ଼ି ଭୋଟ ମାଗନ୍ତି । ତା’ପରେ ଏହି ଲୋକମାନେ ଆମ କଥା ପରେ ବୁଝିନେବେ ବୋଲି କହନ୍ତି । ଆମ କଥା ବୁଝିବାକୁ ସେମାନେ କିଏ? ତାଙ୍କ ଭାଷଣରେ ପ୍ରଶ୍ନ କରନ୍ତି ଲଖୋୱାଲ । ସାମାଜିକ ଗଣମାଧ୍ୟମରେ ବହୁଳ ମାତ୍ରାରେ ପ୍ରସାରିତ ହଂସଙ୍କର ଏକ ଭିଡିଓ କ୍ଲିପ୍ରେ ସେ କହିଛନ୍ତି କି ଯେଉଁମାନେ ତାଙ୍କୁ ବିରୋଧ କରୁଛନ୍ତି ସେମାନଙ୍କ କଥା ସେ ଜୁନ ୧ ତାରିଖର ଭୋଟଗ୍ରହଣ ପରେ ବୁଝିନେବେ । ଏ ସଂପର୍କରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଏକ ଅଭିଯୋଗ ଭିତ୍ତିରେ ଭାରତର ନିର୍ବାଚନ କମିଶନ ହଂସଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଳଂଘନ ସଂପର୍କିତ ନୋଟିସ୍ ଜାରି କରିଛନ୍ତି ।
ଲୁଧିଆନାର ସଙ୍ଗତପୁରା ଗାଁରୁ ଆସିଛନ୍ତି ୭୪ ବର୍ଷୀୟ ଚେତାନ ସିଂହ ଚୌଧରୀ । “ଆଗରୁ ଆମ ବାପାମାଆ ଏବଂ ଜେଜେବାପା-ଜେଜେମାଆ ଯାହାକୁ ଭୋଟ ଦେବାକୁ କହୁଥିଲେ ଆମେ ତାଙ୍କୁ ଦେଉଥିଲୁ,” ସେ କହନ୍ତି । “ଏବେ ସବୁକଥା ବଦଳି ଯାଇଛି । ଏବେକାର ଉଦ୍ଦେଶ୍ୟ ହେଉଛି ମୋଦିଙ୍କୁ ବିଦା କରିବା ।”
ସେ ବିକେୟୁ-ରାଜେୱାଲ ସଂଗଠନର ଜଣେ ସଦସ୍ୟ । ତାଙ୍କ ବାପା ବାବୁ ସିଂହ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ବୋଲି ‘ପରୀ’କୁ ସେ କହନ୍ତି ଏବଂ ଏ ସଂପର୍କରେ ପଞ୍ଜାବ ସରକାରଙ୍କ ପକ୍ଷରୁ ପ୍ରଦତ୍ତ କାର୍ଡ ଆମକୁ ଦେଖାନ୍ତି । ବାବୁ ସିଂହ ଭାରତୀୟ ଜାତୀୟ ସେନା (ଆଇଏନ୍ଏ)ର ଜଣେ ସୈନିକ ଥିଲେ । “ସେମାନେ କୃଷକମାନଙ୍କର ମଙ୍ଗଳ କଥା ଚିନ୍ତା କରନ୍ତି ନାହିଁ,” ବିଜେପିକୁ ଲକ୍ଷ୍ୟ କରି ଚେତନ କହନ୍ତି ।
ନେତାଙ୍କ ଭାଷଣ ଅବ୍ୟାହତ ରହିଥିବା ବେଳେ ବିଭିନ୍ନ ସ୍ଲୋଗାନ୍ରେ ପ୍ରକମ୍ପିତ ହେଉଥିଲା ସାରା ଶସ୍ୟ ବଜାର । “ କିଷାନ ମଜଦୁର ଏକତା ଜିନ୍ଦାବାଦ (କୃଷକ ଓ ଶ୍ରମିକଙ୍କ ଏକତା ଜିନ୍ଦାବାଦ!),’ ସେମାନେ କହି ଚାଲିଥିଲେ, ଏବଂ, “ନରେନ୍ଦ୍ର ମୋଦି ଫେରି ଯାଅ!”
କିଷାନ-ମଜଦୁର ମହାପଞ୍ଚାୟତ ସ୍ଥଳରେ ଆଖପାଖ ଗାଁର ବିଭିନ୍ନ କୃଷକ ସଂଘ ତରଫରୁ ଅନେକ ଲଙ୍ଗର (ଭୋଜନ କେନ୍ଦ୍ର) ସ୍ଥାପନ କରାଯାଇଥିଲା । ଡାକ୍ତରୀ ଚିକିତ୍ସକ ସଂଘ ପକ୍ଷରୁ ଚିକିତ୍ସା ଶିବିର ମଧ୍ୟ ଖୋଲାଯାଇଥିଲା । ୨୦୨୦-୨୧ର ପ୍ରତିବାଦ ଆନ୍ଦୋଳନ ସମୟରେ ଟିକ୍ରି ସୀମାରେ ୧୩ ମାସ ଧରି ରହିଥିବା ଆନ୍ଦୋଳନକାରୀ କୃଷକମାନଙ୍କୁ ସେମାନଙ୍କ ସଂଘ ସମର୍ଥନ କରିଥିଲା । ପଞ୍ଜାବର ‘ଇନ୍କିଲାବୀ କେନ୍ଦର’ ଏବଂ ‘ଜହ୍ମୁରୀ ଅଧିକାର ସଭା’ର ସଦସ୍ୟମାନେ ନିର୍ବାଚନ ଏବଂ ଶିକ୍ଷା, ନିଯୁକ୍ତି, ସ୍ୱାସ୍ଥ୍ୟ ଏବଂ ଧର୍ମ, ଜାତି, ଲିଙ୍ଗ ପ୍ରଭୃତି କ୍ଷେତ୍ରରେ ସାଧାରଣ ଲୋକଙ୍କ ସମସ୍ୟା ସଂପର୍କିତ ପ୍ରଚାରପତ୍ର ବଣ୍ଟନ କରିଥିଲେ ।
ବିଜେପିକୁ ଭୋଟ ନ ଦେବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନ ଦେଇଥିଲେ ହେଁ ସେମାନେ ଅନ୍ୟ କୌଣସି ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବା ପାଇଁ କହୁନାହାନ୍ତି । କୀର୍ତ୍ତୀ କିଷାନ ୟୁନିଅନର ଜଣେ ନେତା ରାଜିନ୍ଦର ଦୀପସିଂହୱାଲା କହନ୍ତି, “ବିଜେପି ପ୍ରାର୍ଥୀଙ୍କୁ ଯିଏ ହରାଇ ପାରିବେ, ସେହି ବ୍ୟକ୍ତିଙ୍କୁ ଭୋଟ ଦିଅନ୍ତୁ ।”
ଉଦ୍ଯାପନ ବେଳକୁ ମହାପଞ୍ଚାୟତର ସ୍ପଷ୍ଟ ବାର୍ତ୍ତା ଥିଲା - ପ୍ରଚାର ବେଳେ ବିଜେପିକୁ ବିରୋଧ କର, ନିର୍ବାଚନରେ ବିଜେପିକୁ ହରାଅ । “କେହି ହିଂସାର ଆଶ୍ରୟ ନେବେ ନାହିଁ, ଆମେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ପ୍ରତିବାଦ କରିବୁ,” ମହାପଞ୍ଚାୟତର ନିଷ୍ପତ୍ତି ଘୋଷଣା କରି ଲଖୋୱାଲ କହନ୍ତି ।
ଅନୁବାଦ: ଓଡ଼ିଶାଲାଇଭ୍