ପଞ୍ଜାବ ଓ ହରିୟାଣା ମଧ୍ୟରେ ଶମ୍ଭୁ ଓ ଖାନୌରୀ ସୀମାରେ ଫେବୃଆରୀ ୨୦୨୪ରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ଲୁହ ବୁହା ଗ୍ୟାସ୍ ଛଡ଼ାଯିବା ଓ ଲାଠି ମାଡ଼ କରିବା ଭଳି ସରକାରଙ୍କ ଦମନମୂଳକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଚାଷୀମାନେ ତୀବ୍ର ପ୍ରତିବାଦ କରି ଆସୁଛନ୍ତି। ପଢ଼ନ୍ତୁ : ‘ମୋତେ ଶମ୍ଭୁ ସୀମାରେ ବନ୍ଦୀ ହେବା ପରି ଲାଗିଲା’।
ରାଜଧାନୀରେ ପ୍ରବେଶ କରୁଥିବା ଚାଷୀଙ୍କୁ ଅଟକାଇବା ଲାଗି ସରକାରଙ୍କ ପକ୍ଷରୁ ଭୌତିକ ଅବରୋଧ ଓ ପ୍ରତିବନ୍ଧକ ସୃଷ୍ଟି କରାଯିବା ପ୍ରତିବାଦରେ ଜଣେ ବକ୍ତା ଉଗ୍ର ଆହ୍ୱାନ ଦେଇ କହିଥିଲେ : ‘‘ଦିଲ୍ଲୀ ହମାରୀ ହୈ, ଦେଶ ପର୍ ୱହି ରାଜ୍ କରେଗା, ଯୋ କିଷାନ୍ ମଜ୍ଦୁର୍ କୀ ବାତ୍ କରେଗା! (ଦିଲ୍ଲୀ ଆମର! ଦେଶରେ ସେ ହିଁ ଶାସନ କରିବ, ଯିଏ ଚାଷୀ ଶ୍ରମିକଙ୍କ କଥା ଶୁଣିବ!)
ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡର ଚାଷୀ ଓ ଶ୍ରମିକ ସଂଘ ନେତମାନେ ‘କର୍ପୋରେଟ୍, ସାମ୍ପ୍ରଦାୟିକ, ଏକଚ୍ଛତ୍ରବାଦ ଶାସନ’କୁ ବିରୋଧ କରିବା ସହ ବର୍ତ୍ତମାନ ସରକାରଙ୍କୁ ଉଚିତ୍ ଦଣ୍ଡ ଦେବା ପାଇଁ ଆହ୍ୱାନ କରିଥିଲେ।
‘‘୨୨ ଜାନୁଆରୀ, ୨୦୨୧ ପରଠାରୁ ସରକାର ଚାଷୀ ସଂଗଠନ ସହିତ କଥା ହୋଇନାହାନ୍ତି। ଯଦି କୌଣସି ଆଲୋଚନା ହୋଇନାହିଁ, ଦାବିର ସମାଧାନ ହେବ କିପରି?’’ ରାକେଶ ଟିକାୟତ ତାଙ୍କ ଭାଷଣରେ କହିଥିଲେ। ଟିକାୟତ ଭାରତୀୟ କିଷାନ ୟୁନିଅନ୍ (ବିକେୟୁ)ର ଜାତୀୟ ମୁଖପାତ୍ର ଏବଂ ଏସକେଏମ୍ର ଜଣେ ନେତା।
‘‘୨୦୨୦-୨୧ରେ ଚାଷୀ ଆନ୍ଦୋଳନର ଶେଷରେ ନରେନ୍ଦ୍ର ମୋଦୀଙ୍କ ସରକାର ସି୨ + ୫୦ ପ୍ରତିଶତ ହାରରେ ଆଇନଗତ ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ଗ୍ୟାରେଣ୍ଟି ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ତାହା ଏବେ ସୁଦ୍ଧା କାର୍ଯ୍ୟକାରୀ ହୋଇନାହିଁ। ଋଣ ଛାଡ଼ କରାଯିବ ବୋଲି ମଧ୍ୟ ସେମାନେ ଗ୍ୟାରେଣ୍ଟି ଦେଇଥିଲେ, ଯାହାକି ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇନାହିଁ,’’ ସର୍ବଭାରତୀୟ କିଷାନ୍ ସଭା (ଏଆଇକେଏସ୍)ର ସାଧାରଣ ସମ୍ପାଦକ ଡକ୍ଟର ବିଜୁ କ୍ରିଷ୍ଣନ୍ କହିଥିଲେ। ପଢ଼ନ୍ତୁ ଚାଷୀ ଆନ୍ଦୋଳନ ଉପରେ ପରୀର ସମ୍ପୂର୍ଣ୍ଣ କଭରେଜ୍।
ବର୍ଷେ ବ୍ୟାପୀ ଚାଲିଥିବା ଚାଷୀ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ୭୩୬ ଜଣ ଚାଷୀଙ୍କ ବିଷୟରେ ମଧ୍ୟ କ୍ରିଷ୍ଣନ୍ ମଞ୍ଚ ଉପରେ ଥାଇ ମତ ରଖିଥିଲେ। ସେମାନଙ୍କ ପରିବାରକୁ କ୍ଷତିପୂରଣ ଦେବା ଏବଂ ସେମାନଙ୍କ ବିରୋଧରେ ରହିଥିବା ମାମଲା ପ୍ରତ୍ୟାହାର କରିବା ଲାଗି ସରକାର ଦେଇଥିବା ପ୍ରତିଶ୍ରୁତି ଏଯାଏଁ ପୂରଣ କରିନାହାନ୍ତି। ‘‘ବିଦ୍ୟୁତ ଆଇନ ସଂଶୋଧନକୁ ପ୍ରତ୍ୟାହାର କରାଯିବାର ଥିଲା ଯାହା ବର୍ତ୍ତମାନ ସୁଦ୍ଧା କରାଯାଇନାହିଁ,’’ ମହାପଞ୍ଚାୟତ ଠାରେ ପରୀ ସହ କଥା ହୋଇ ସେ କହିଥିଲେ।