ଫେବୃୟାରୀ ୧୩ ତାରିଖ ଦିନ ପଞ୍ଜାବର ଜଣେ ସମାଜ ବିଜ୍ଞାନର ଛାତ୍ର ଦବିନ୍ଦର ସିଂ ଭାଙ୍ଗୁ କୃଷକମାନଙ୍କ ଆନ୍ଦୋଳନରେ ଯୋଗ ଦେବା ପାଇଁ ସାଙ୍ଗମାନଙ୍କ ସହ ଶମ୍ଭୁ ସୀମାକୁ ଯାଇଥିଲେ। ସେମାନେ ପହଞ୍ଚିଲା ବେଳକୁ ପ୍ରାୟ ଦିନ ୨ଟା ବାଜିଥିଲା। ରାପିଡ୍ ଆକ୍ସନ ଫୋର୍ସ (ଆରଏଏଫ୍) ଏବଂ ହରିୟାଣା ସୀମାବର୍ତ୍ତୀ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିସାରିଥିଲେ।
ଦବିନ୍ଦରଙ୍କର ବନ୍ଧୁ ତରଣବୀର ସିଂ କହିଲେ, ‘‘ସେ ଗୋଟିଏ ଦଳ ଭିତରେ ଶାନ୍ତିପୂର୍ଣ୍ଣ ଭାବରେ ଠିଆ ହୋଇଥିଲା ବେଳେ ତାଙ୍କ ବାମ ଆଖିରେ ଗୋଟିଏ ରବର ଗୁଳି ବାଜିଲା। ଦବିନ୍ଦର ସଙ୍ଗେ ସଙ୍ଗେ ତଳେ ପଡ଼ିଗଲେ। ଆମେ ତାଙ୍କୁ ତଳୁ ଉଠାଇବା ପାଇଁ ଚେଷ୍ଟା କଲାବେଳେ ପୋଲିସ୍ ଆମ ଉପରକୁ ତିନିରୁ ଚାରିଟି ଟିୟର୍ ଗ୍ୟାସ୍ ସେଲ୍ ଫାୟାର୍ କଲା।’’ ଏହା ପ୍ରାୟ ଅପରାହ୍ଣ ୩ଟା ବେଳେ, ଆମେ ବିକ୍ଷୋଭ ସ୍ଥଳରେ ପହଞ୍ଚିବାର ଘଣ୍ଟାଏ ମଧ୍ୟରେ ଘଟିଗଲା।
ଚାଷୀମାନେ ଦିଲ୍ଲୀରେ ଫେବୃୟାରୀ ୧୩ ତାରିଖ ଦିନ ଅନ୍ୟାନ୍ୟ ସମସ୍ୟା ସହିତ ଏନଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ପାଇଁ ଆଇନତଃ ନିଶ୍ଚିତତା ଦାବି କରି ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଆରମ୍ଭ କରିଥିଲେ। ସେମାନଙ୍କ ଶମ୍ଭୁ ସୀମାରେ ପଞ୍ଜାବ ଓ ହରିୟାଣା ମଝିରେ ପୋଲିସ୍ ଏବଂ ଆରଏଏଫ୍ ଦ୍ୱାରା ଅଟକା ଯାଇଥିଲା ଓ ସେମାନଙ୍କ ଯାତ୍ରାରେ ବାଧା ଦେବା ପାଇଁ ବ୍ୟାରକେଡ୍ ସ୍ଥାପନ କରାଯାଇଥିଲା। ଯେତେବେଳେ ଚାଷୀମାନେ ଆଗକୁ ଚାଲିବାକୁ ଚେଷ୍ଟା କଲେ ସେମାନଙ୍କ ଉପରେ ଟିୟର୍ ଗ୍ୟାସ୍ ସେଲ୍ ଓ ରବର ପ୍ୟାଲେଟ୍ ବା ଗୁଳିରେ ଆକ୍ରମଣ କରାଗଲା। (ଏହା ସହିତ ମଧ୍ୟ ପଢ଼ନ୍ତୁ: ‘‘ମୋତେ ଶମ୍ଭୁ ସୀମାରେ ବନ୍ଦି ହେବା ପରି ଲାଗିଲା’’)।
ଟିୟର୍ ଗ୍ୟାସ୍ ସେଲ୍ର ତୀବ୍ର ଗନ୍ଧଯୁକ୍ତ ଧୂଆଁର ମୁକାବିଲା କରି ଦବିନ୍ଦରଙ୍କ ସାଙ୍ଗମାନେ ନିଜର ଉଦ୍ୟମ ଆରମ୍ଭ କଲେ, ତାଙ୍କ ଦେହରୁ ରକ୍ତସ୍ରାବ ହେଉଥିଲା ବେଳେ ତାଙ୍କୁ ତୁରନ୍ତ ଉଠାଇ ଆଣିଲେ। ତାଙ୍କୁ ସେହି ସ୍ଥାନରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅବସ୍ଥିତ ୨୨ ବର୍ଷର ପୁରୁଣା ସରକାରୀ ଡାକ୍ତରଖାନାକୁ ବାନୁର୍କୁ ଆମ୍ବୁଲାନ୍ସ ଯୋଗେ ଆଣିଲେ। ସେଠାରେ ଡାକ୍ତର ତାଙ୍କୁ ଚଣ୍ଡିଗଡ଼ର ସରକାରୀ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲକୁ ରେଫର କଲେ, ଯେଉଁଠାରେ ଫେବୃୟାରୀ ୧୫ ତାରିଖ ଦିନ ତାଙ୍କ ଆଖିରେ ଅସ୍ତ୍ରୋପଚାର କରାଗଲା। ଡାକ୍ତରମାନେ କହୁଛନ୍ତି ତାଙ୍କର ବାମ ଆଖିର ଦୃଷ୍ଟିଶକ୍ତି ଫେରି ପାଇବାର ସମ୍ଭାବନା ଖୁବ୍ କମ୍।
ଦବିନ୍ଦରଙ୍କର ପିତା ମନଜିତ୍ ସିଂ, ଜଣେ ଚାଷୀ ସେ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ପୁଅ ବିଦେଶ ନ ଯିବାକୁ ସ୍ଥିର କରିଥିଲା, ବରଂ ଏଠାରେ ରହି ପୋଲିସ୍ ଚାକିରିରେ ଯୋଗ ଦେବା ପାଇଁ ପ୍ରସ୍ତୁତ ହେଉଥିଲା।






















