ହର୍ମନଦୀପ ସିଂହ ଯେଉଁଠି ଛିଡ଼ା ହୋଇଥିଲେ ତାଙ୍କ ଚାରିପାଖରେ ରଙ୍ଗିନ୍ ଗୁଡ଼ି ସବୁ ବିଛେଇ ହୋଇପଡ଼ିଥିଲା। ଟିକେ ଆଗରେ, ପଞ୍ଜାବ ଏବଂ ହରିଆଣା ମଝିରେ ଶମ୍ଭୁ ସୀମାରେ କୃଷକମାନଙ୍କ ଶୋଭାଯାତ୍ରା ଦିଲ୍ଲୀରେ ପହଞ୍ଚିବାକୁ ରୋକିବା ପାଇଁ ପୋଲିସ ଦ୍ୱାରା ବିଶାଳ ବ୍ୟାରିକେଡ୍ ସବୁ ଲଗାଯାଇଥିଲା।
ଅମୃତସରରୁ ଆସିଥିବା ଏହି ୧୭ ବର୍ଷ ବୟସ୍କ ତରୁଣ ପ୍ରତିବାଦକାରୀ କୃଷକମାନଙ୍କ ଉପରେ ଲୁହବୁହା ଗ୍ୟାସ୍ ଶେଲ୍ ଖସାଉଥିବା ଡ୍ରୋନ୍ଗୁଡ଼ିକୁ ତଳକୁ ଆଣିବା ପାଇଁ ଏହି ଗୁଡ଼ିଗୁଡ଼ିକ ବ୍ୟବହାର କରିଥିଲେ, ଏହା ପ୍ରତି ଆକ୍ରମଣର ଏକ ନୂତନ ଉପାୟ ଥିଲା। ସେ କହନ୍ତି, ‘‘ମୁଁ ମୋର ଆଖି ଚାରିପାଖରେ ଟୁଥ୍ପେଷ୍ଟ ଲଗାଇଛି, କାରଣ ଏହା ଲୁହବୁହା ଗ୍ୟାସ୍ର ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଆମେ ଆଗକୁ ମାଡ଼ିଚାଲିବୁ ଏବଂ ଏହି ଯୁଦ୍ଧ ଜିତିବୁ।’’
୧୩ ଫେବୃଆରୀ ୨୦୨୪ରେ ଦିଲ୍ଲୀକୁ ଶାନ୍ତିପୂର୍ଣ୍ଣ ଯାତ୍ରା ଆରମ୍ଭ କରିଥିବା ପଞ୍ଜାବର ହଜାର ହଜାର କୃଷକ ଓ ଶ୍ରମିକମାନଙ୍କ ମଧ୍ୟରୁ ହର୍ମନଦୀପ ହେଉଛନ୍ତି ଜଣେ। ଶମ୍ଭୁ ସୀମାରେ ସେମାନେ ଅର୍ଦ୍ଧ ସାମରିକ, ରାପିଡ୍ ଆକ୍ସନ୍ ଫୋର୍ସ (ଆର୍.ଏ.ଏଫ୍.) କର୍ମଚାରୀ ଏବଂ ପୋଲିସ ଅଧିକାରୀମାନଙ୍କୁ ଭେଟିଥିଲେ। କୃଷକମାନେ ଦିଲ୍ଲୀରେ ସେମାନଙ୍କ ପ୍ରତିବାଦ ସ୍ଥଳରେ ପହଞ୍ଚିବାକୁ ରୋକିବା ପାଇଁ ଲୁହା କଣ୍ଟା ଏବଂ କଂକ୍ରିଟ୍ କାନ୍ଥ ରାସ୍ତା ଉପରେ ରଖାଯାଇଥିଲା।
ପ୍ରଥମ ବ୍ୟାରିକେଡ୍ଠାରେ ଗୁରଜାନ୍ଦ ସିଂହ ଖାଲ୍ସା ସେମାନଙ୍କର ପାଞ୍ଚଟି ମୁଖ୍ୟ ଦାବିକୁ ପୁନରାବୃତ୍ତି କରି ଏକ ସମୂହକୁ ଉଦ୍ବୋଧିତ କରୁଥିଲେ- ସ୍ୱାମୀନାଥନ ଆୟୋଗଙ୍କ ଅନୁମୋଦନ ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍.ଏସ୍.ପି.)ର ପ୍ରତିଶ୍ରୁତି, କୃଷକ ଏବଂ କୃଷି ଶ୍ରମିକମାନଙ୍କ ଋଣକୁ ସମ୍ପୂର୍ଣ୍ଣ ଛାଡ଼, ଲଖିମପୁରଖେରୀ ଗଣହତ୍ୟାରେ ପ୍ରଭାବିତ କୃଷକମାନଙ୍କ ନିମନ୍ତେ ନ୍ୟାୟ ଏବଂ ଅପରାଧୀଙ୍କୁ ଗିରଫ କରିବା, କୃଷକ ଏବଂ ଶ୍ରମିକମାନଙ୍କ ପାଇଁ ଏକ ପେନ୍ସନ୍ ଯୋଜନା ଆରମ୍ଭ କରିବା ଏବଂ ୨୦୨୦-୨୦୨୧ ପ୍ରତିବାଦରେ ସହିଦ୍ ହୋଇଥିବା କୃଷକମାନଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା।
























