୨୦୨୦ ମସିହା ମାର୍ଚ୍ଚ ମାସରେ କୋଭିଡ୍-୧୯ ଆରମ୍ଭ ହେବା ପରେ, ମହାରାଷ୍ଟ୍ରର ଓସମାନାବାଦ ଜିଲ୍ଲାରେ ଥିବା ଅରୁଣ ଗାଏକୱାଡଙ୍କର ୧୦ ଏକର କୃଷିକ୍ଷେତ୍ରଟି ପରିତ୍ୟକ୍ତ ହୋଇଯାଇଥିଲା। ଓସମାନାବାଦ ତାଲୁକାର ମହାଲିଙ୍ଗ ଗ୍ରାମରେ ଥିବା ଘରେ ତାଙ୍କର ୪୮ ବର୍ଷୀୟ ସ୍ତ୍ରୀ ରାଜଶ୍ରୀ କୁହନ୍ତି," ଆମେ ସେହି ସମୟରେ ଯଅ, ଚଣା [ବୁଟ] ଏବଂ ପିଆଜ ଅମଳ କରୁଥିଲୁ।"
କିନ୍ତୁ ଦେଶବ୍ୟାପୀ ତାଲାବନ୍ଦ କାରଣରୁ ବଜାରଗୁଡ଼ିକ ବନ୍ଦ ହୋଇଯାଇଥିଲା। ରାଜଶ୍ରୀ କୁହନ୍ତି, "ଆମର ମହଜୁଦ ଥିବା ଅମଳକୁ ଆମେ ମଣ୍ଡିକୁ ନେଇପାରିଲୁ ନାହିଁ। ତେଣୁ ପୁରା ଅମଳ ଆମ ଆଖି ସାମ୍ନାରେ ନଷ୍ଟ ହୋଇଗଲା।"
୫୨ ବର୍ଷୀୟ ଅରୁଣ ଏବଂ ରାଜଶ୍ରୀ ୧୦ କ୍ୱିଣ୍ଟାଲ ଯଅ, ୧୦୦ କ୍ୱିଣ୍ଟାଲ ପିଆଜ ଏବଂ ୧୫ କ୍ୱିଣ୍ଟାଲ ଚଣା ଅମଳ କରିଥିଲେ। ସେହି ସମୟରେ ଯଅର ସର୍ବନିମ୍ନ ସହାୟକ ମୂଲ୍ୟ ଏକ କ୍ୱିଣ୍ଟାଲ ପିଛା ୨୫୫୦ ଟଙ୍କା ଥିଲା। ଚଣା ପାଇଁ ଏହା ୪,୮୦୦ ଟଙ୍କା ଥିଲା ଏବଂ ପିଆଜ ପ୍ରାୟ କ୍ୱିଣ୍ଟାଲ ପିଛା ୧୩୦୦ ଟଙ୍କାରେ ବିକ୍ରି ହେଉଥିଲା। ତେଣୁ ମଞ୍ଜି, ସାର, କୀଟନାଶକ ଏବଂ ଅନ୍ୟାନ୍ୟ ଖର୍ଚ୍ଚକୁ ବାଦ୍ ଦେଇ ଏହି ଦମ୍ପତିଙ୍କର ଅତିକମ୍ରେ ୨୨୭,୫୦୦ ଟଙ୍କାର କ୍ଷତି ହୋଇଥିଲା।
ରାଜଶ୍ରୀ କୁହନ୍ତି, ଏହା ବ୍ୟତୀତ ଫସଲ ଚାଷ ପାଇଁ ସେମାନେ ଘଣ୍ଟା ଘଣ୍ଟା ପରିଶ୍ରମ କରିଥିଲେ। “କୋଭିଡ ଆସିବା ପୂର୍ବରୁ ସେ ଏକ ଟ୍ରାକ୍ଟର କିଣିଥିଲେ ଏବଂ ମାସିକ ୧୫,୦୦୦ଟଙ୍କା କିସ୍ତି ଦେବା ତାଙ୍କ ପକ୍ଷରେ କଷ୍ଟକର ହୋଇଗଲା।। ଆମେ ଏବେ ବ୍ୟାଙ୍କରୁ ନୋଟିସ୍ ପାଇବା ଆରମ୍ଭ କରିଛୁ। ”
କିନ୍ତୁ ଅରୁଣ ଆଶା କରିଥିଲେ ଯେ ୨୦୨୦ ମସିହାର ଖରିଫ ଋତୁରେ (ଜୁଲାଇ-ଅକ୍ଟୋବର) ଏହି କ୍ଷତି ଭରଣା କରିଦେବେ। ଜୁଲାଇ ସୁଦ୍ଧା କୋଭିଡ -୧୯ ର ପ୍ରଥମ ଲହର କମିଯାଇଥିଲା ଏବଂ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲା। ସେ ଭାବିଲେ ସବୁଠାରୁ ଖରାପ ସମୟ ସମାପ୍ତ ହୋଇଛି। "ଆମେ ଭାବୁଥିଲୁ ଶୀଘ୍ର ସ୍ୱାଭାବିକ ଅବସ୍ଥାକୁ ଫେରିବୁ ଏବଂ ବିନାଶ ସମାପ୍ତ ହୋଇଯାଇଛି। ଅରୁଣଙ୍କ ୩୦ ବର୍ଷର ଜ୍ୱାଇଁ ପ୍ରଦୀପ ଧୱଲେ କୁହନ୍ତି, ଅର୍ଥନୀତି ଧୀରେ ଧୀରେ ଖୋଲୁଥିଲା"।
ଗତ ବର୍ଷ ଜୁନ୍ ଶେଷରେ ଅରୁଣ ଏବଂ ରାଜଶ୍ରୀ ସେମାନଙ୍କ ଜମିରେ ସୋୟାବିନ୍ ବୁଣିଥିଲେ। କିନ୍ତୁ ଅକ୍ଟୋବରରେ ଅମଳ ସମୟରେ, ଅଦିନିଆ ବର୍ଷା ଓସମାନାବାଦରେ ସୋୟାବିନ୍ ଫସଲ ଧୋଇ ଦେଇଥିଲା। ରାଜଶ୍ରୀ କୁହନ୍ତି, "ଆମର ସମଗ୍ର ଚାଷ ଜମି ଜଳବନ୍ଦୀ ହୋଇଯାଇଥିଲା"। ଆମେ ଆମର କୌଣସି ଅମଳ ସଞ୍ଚୟ କରିପାରିଲୁ ନାହିଁ। ସେ ସେତେବେଳେ ମୋତେ କେତେ କ୍ଷତି ସହିଛନ୍ତି ତାହା କହି ନଥିଲେ, ବୋଧହୁଏ ସେ ମୋର ଉତ୍କଣ୍ଠାକୁ ବଢାଇବାକୁ ଚାହୁଁନଥିଲେ। ତାଙ୍କର ମନେ ଅଛି ଯେ ସେ ତାଙ୍କୁ କହିଥିଲେ ଗତ ୪-୫ ବର୍ଷର ଋଣକୁ ମିଶାଇ ତାଙ୍କ ଉପରେ ପାଖାପାଖି ୧୦ ଲକ୍ଷ ଟଙ୍କାର ଋଣ ରହିଛି।







