"ଯଦି ସମୁଦ୍ରର ରାଜା ଡଲଫିନ୍ ହୁଏ, ଆମର ରାଜା, ଆମ କେଉଟ ସମୁଦାୟର ରାଜା ହେଉଛି ଅଏଲ୍ ସାର୍ଡିନ୍।”
ବାବୁ (ଛଦ୍ମ ନାମ) ହେଉଛନ୍ତି କେରଳର ଭାଡ଼ାକାରା ସହରର ଚୋମ୍ୱାଲ୍ ମାଛଧରା ବନ୍ଦରରେ ମାଛ ବୋଝେଇ କରୁଥିବା ଜଣେ ଶ୍ରମିକ। ସେ ଗତ କିଛି ଦଶନ୍ଧି ଧରି ଅଏଲ୍ ସାର୍ଡିନ୍ ମାଛ ଜାହାଜରୁ ଖାଲି କରୁଛନ୍ତି ଏବଂ ଡଙ୍ଗାରେ ବୋଝେଇ କରୁଛନ୍ତି।
ବାବୁ ବନ୍ଦରରେ ସକାଳ ପ୍ରାୟ ୭ଟାରେ ପହଞ୍ଚନ୍ତି ଏବଂ ଏହି କାମ ପାଇଁ ସେ ଅଲଗା କରି ରଖିଥିବା ପୋଷାକ –ଗୋଟିଏ ନୀଳ ଲୁଙ୍ଗି, ଗୋଟିଏ ଟି-ସାର୍ଟ ଏବଂ ଚପଲ୍ ପିନ୍ଧନ୍ତି। ୪୯ ବର୍ଷୀୟ ମାଛ ବୋଝାଳୀ ତା’ପରେ ଆଣ୍ଠୁ ଉଚ୍ଚା କାଦୁଅ ପାଣିରେ ସମୁଦ୍ର ଭିତରକୁ ଯାଆନ୍ତି। “ଆମେ ସମସ୍ତେ (ଲୋଡର୍) ଏହି କାମ ପାଇଁ ଅଲଗା ଚପଲ ଏବଂ ପୋଷାକ ରଖୁ କାରଣ ପାଣି ଗନ୍ଧ ହୁଏ,’’ ସେ କହନ୍ତି। ବନ୍ଦରର କୋଳାହଳ ଥମି ଆସିଲେ ସେ ବିଳମ୍ୱିତ ରାତିରେ ଘରକୁ ଫେରିବେ।
ଡିସେମ୍ବର ମାସର ଏକ ଶୀତୁଆ ଦିନରେ ଏହି ସାମ୍ବାଦିକ, ବାବୁ କର୍ମଚଞ୍ଚଳ ବନ୍ଦରକୁ ଆସିବା ସମୟରେ ତାଙ୍କ ସହିତ କଥା ହୋଇଥିଲା। ବହୁ ସଂଖ୍ୟାରେ ଧଳା ବଗ, କିଛି ମାଛ ଚୋରାଇବା ଆଶାରେ ଡଙ୍ଗାରେ ଥିବା ବାଉଁଶ ଝୁଡ଼ି ଚାରିପଟେ ଡେଇଁ ଡେଇଁ ଉଙ୍କି ମାରୁଥିଲେ। ସମୁଦ୍ରକୂଳରେ ବାଲି ଉପରେ ମାଛ ଭର୍ତ୍ତି ଜାଲ ରଖାଯାଇଥିଲା। ମାଛ ମୂଲଚାଲ କରୁଥିବା ଲୋକଙ୍କ କୋଳାହଳରେ ପୂରି ଉଠୁଥିଲା ବନ୍ଦର ପରିବେଶ।










