ରାସ୍ତାରେ ସବୁଠାରୁ ଅଧିକ ଚଳପ୍ରଚଳ ହେଉଥିବା ଯାନ ହେଉଛି ପାଣିଟ୍ୟାଙ୍କର ଆଉ ଜମିରେ ବୋରୱେଲ୍ ରିଗ୍। ବେଳେ ବେଳେ ଏଗୁଡ଼ିକ କୌଣସି ସଂସ୍ଥାଦ୍ୱାରା ପରିଚାଳିତ ହୋଇଥାଏ ଆଉ ବେଳେ ବେଳେ ଜିଲ୍ଳାର ସ୍ଥାନୀୟ ବାସିନ୍ଦାଙ୍କର ହୋଇଥାଏ। କିନ୍ତୁ ଅଧିକାଂଶ ରିଗ୍ ତାମିଲ୍ନାଡ଼ୁ, କର୍ଣ୍ଟାଟକ ଓ ଆନ୍ଧ୍ରପ୍ରଦେଶର। ଜଣେ ଚାଷୀ ୧,୫୦,୦୦୦ ଟଙ୍କା ଖର୍ଚ୍ଚ କରି ଗୋଟିଏ ୫୦୦ ଫୁଟ୍ ବୋରୱେଲ୍ ଖୋଳିଥାନ୍ତି। ଏଥିରେ ଷ୍ଟିଲ୍ ପାଇପ୍, ସବ୍ ମର୍ସିବୁଲ୍ ପମ୍ପ, କେବୁଲ୍, ସେଟିଂ ଓ ପରିବହନ ଖର୍ଚ୍ଚ ରହିଥାଏ। ଏହି ରିଗ୍ ଚାଳନାକାରୀ ଅବଶିଷ୍ଟ ୪୦,୦୦୦ ଟଙ୍କା ନେଇଥାନ୍ତି। ଯାହାକି ଡ୍ରିଲିଂ ପାଇଁ ହୋଇଥାଏ। ପ୍ରଥମ ୩୦୦ ଫୁଟ୍ ପାଇଁ ଫୁଟକୁ ୬୦ ଟଙ୍କା ଲାଗିଥାଏ। ତା’ପରେ ପ୍ରତି ଫୁଟକୁ ୧୦ ଟଙ୍କା ହିସାବରେ ପ୍ରତି ୧୦୦ ଫୁଟରେ ଚାର୍ଜ କରାଯାଇଥାଏ। ଏବଂ ବୋର୍କୁ ସୁରକ୍ଷିତ ରଖିବା ପାଇଁ ପାଇପ୍ କେସିଂ ପାଇଁ ପ୍ରତିଫୁଟକୁ ୨୦୦ ଟଙ୍କା ଲାଗିଥାଏ। ଏହା ୬୦ ଫୁଟ୍ ପର୍ଯ୍ୟନ୍ତ ତଳକୁ ଯାଇପାରେ।
ଆନୁମାନିକ ରାଜ୍ୟରେ ଏବର୍ଷ ପ୍ରଥମ ୩ ମାସ ମଧ୍ୟରେ ଅତିକମରେ ୨୦,୦୦୦ ବୋରୱେଲ୍ ଖୋଳାଯାଇଛି। କେତେକ ଅଧିକାରୀଙ୍କର ଭୟ ହୁଏ ଯେ ଏହି ପରିମାଣ ଅଧିକ ହୋଇପାରେ। ‘‘ଟାକୱିକ୍ ପରି ୧୦୦ ସରିକି ଗାଁରେ ପ୍ରାୟ ୩୦,୦୦୦ ପାଖାପାଖି ବୋରୱେଲ ଖୋଳାଯାଇଥିବ। ଏପରିକି ଯଦି ପମ୍ପ ଏବଂ ଷ୍ଟିଲ୍ ପାଇପ୍ ଟାକୱିକର ଏକ ତୃତୀୟାଂଶ ବୋର୍ ପାଇଁ କିଣାଯାଇଥାଏ ତେବେ ଏହାର ଅର୍ଥ ପ୍ରତିଟି ଗ୍ରାମ ଜାନୁଆରୀ ଏବଂ ମାର୍ଚ୍ଚ ମାସ ମଧ୍ୟରେ ୯୦ ଦିନ ମଧ୍ୟରେ ଅତିକମ୍ରେ ୨୫ ନିୟୁତ ଟଙ୍କା ଖର୍ଚ୍ଚ କରିଥାଏ। ଏପରିକି ଯଦି ଜଳସଙ୍କଟ ଦେଖାଦେଉଥିବା ଜିଲ୍ଲାରେ ସମସ୍ତ ୩୦,୦୦୦ ବୋରୱେଲରେ ୫୦୦ ଫୁଟରୁ କମ୍ ହୋଇଥାଏ ତେବେ ଏହା ୨.୫ ଶହ ନିୟୁତ ଟଙ୍କାର ବ୍ୟବସାୟ।
‘‘ଜଣେ ଅପରେଟର ଦିନରେ ତିନୋଟି ପର୍ଯ୍ୟନ୍ତ ଖୋଳିପାରିବ।’’ ଟାକୱିକର ରାଉତ କହନ୍ତି। ‘‘ଅତିକମରେ ଦୁଇଟି’’, କହନ୍ତି ରୋଶନ୍ ଗାଁର ଖରାତ୍। ‘‘ସେ ଯଦି ଗୋଟିଏ ଗାଁରେ ହୋଇଥାଏ ତେବେ ୩ଟି ପର୍ଯ୍ୟନ୍ତ ଖୋଳିପାରିବେ।’’ ରାସ୍ତାରେ ଗଲାବେଳେ ଆମେ ଜଣେ ନୂଆ ବୋରୱେଲ୍ ମାଲିକ ସଞ୍ଜୟ ଶଙ୍କର ସେଲକେଙ୍କୁ ଭେଟିଲୁ। ସେ ଆମକୁ କହିଲେ, ‘‘ମୁଁ ୧.୪ କୋଟି ଟଙ୍କା ଖର୍ଚ୍ଚ କରିଛି।’’ ଛୋଟିଆ ପରିମାଣ ନୁହେଁ, କିନ୍ତୁ ଯଦି ଦିନକୁ ଦୁଇଟି ଲେଖାଁଏ ଡ୍ରିଲ୍ କରେ ତେବେ ଛଅ ମାସରେ ଆଦାୟ ହୋଇଯିବ। ଆଉ ଚାହିଦା କିଛି କମ୍ ନୁହେଁ। ଆମ ସହିତ କଥାବାର୍ତ୍ତା ହେଲାବେଳେ ମଧ୍ୟ ବାରମ୍ବାର ତାଙ୍କର ଫୋନ୍ ବାଜୁଥିଲା।
ଏବେ କେବଳ ବଢ଼ି ଚାଲିଥିବା କରଜ ଯୋଗୁଁ ଲୋକେ ସାମାନ୍ୟ ବିବ୍ରତ ହୋଇ ପଡ଼ିଛନ୍ତି। ଏହି ପ୍ରକ୍ରିୟା ମନ୍ଥର ହୋଇଛି। ଲୋକେ କେମିତି ଏତେ ଋଣ ପରିଶୋଧ କରିବେ? ସାହୁକାରମାନେ ବର୍ଷକୁ ୬୦ରୁ ୧୨୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମାଗୁଛନ୍ତି। ‘‘ଚାଷ କରାଯାଉଥିବା ସ୍ଥାନରେ ଶ୍ରୀ ରାଉତ୍ କହନ୍ତି ‘‘ବ୍ୟାଙ୍କ ଋଣ ପରିଶୋଧ ପାଇଁ ନୋଟିସ୍ ଏହିମାସରୁ ଆରମ୍ଭ ହେବ ଏବଂ ବୋରୱେଲ୍ ସହିତ ସାହୁକାରର ଋଣମଧ୍ୟ ରହିଛି। ଯାହାକି ଆମେ ଫସଲ ଅମଳ ପରେ ହିଁ ଦେଇପାରିବୁ।’’ ସେହି ଫସଲ ହେଉଛି ମୁଖ୍ୟତଃ ଆଖୁ - ଏଥିପାଇଁ ଏକର ପିଛା ୧୮୦୦ ନିୟୁତ ଲିଟର ପାଣି ଆରମ୍ଭ ହୋଇଥାଏ- ଏବଂ ଏହି ପାଣି ଏବେ ମୁଖ୍ୟ ସମସ୍ୟା ହୋଇ ଠିଆ ହୋଇଛି। ଗାଁ ଲୋକେ ଏହାକୁ କହୁଛନ୍ତି ‘‘ବୋଝ ଉପରେ ନଳିତା ବିଡା।’’
ଆହୁରି ବଡ଼ କଥା ହେଉଛି ମହାରାଷ୍ଟ୍ରର ୯୦ ଶତକଡ଼ା ଅଞ୍ଚଳ କଠିନ ପଥର। ରାଜ୍ୟ ଭୂତଳ ଜଳ ସର୍ବେକ୍ଷଣ ଓ ବିକାଶ ଏଜେନ୍ସି (ଜିଏସଡିଏ) ଅଧିକାରୀମାନେ ଏହା ପ୍ରକାଶ କରିଛନ୍ତି। ପାରମ୍ପରିକ କୂଅର ହାରାହାରି ଗଭୀରତା ଏପରି ଗଭୀରତାରେ ୩୨-୪୦ ଫୁଟ୍ ହୋଇଥାଏ। ସର୍ବାଧିକ, ପ୍ରାୟ ୮୦ ଫୁଟ୍ ପର୍ଯ୍ୟନ୍ତ ହୋଇଥାଏ। ‘‘ଏହା ହେଉଛି ଭୌଗୋଳିକ ବାସ୍ତବତା’’, କହନ୍ତି ଭାରତ ସରକାରଙ୍କର ପୂର୍ବତନ ଜଳ ସମ୍ପଦ ସଚିବ, ମାଧବ ଚିଟାଲେ। ‘‘ଏହାର ଅର୍ଥ ପ୍ରାୟ ୨୦୦ ଫୁଟ୍ ତଳେ ପାଣି ମିଳିବା ସମ୍ଭବ ନୁହେଁ। ଏବଂ ୨୦୦ରୁ ୬୫୦ ଫୁଟ୍ ତଳେ ମଧ୍ୟ ପାଣି ମିଳିବାର ସମ୍ଭାବନା ଖୁବ୍ କମ୍’’। ଯଦିଓ ନୂତନ ବୋରୱେଲଗୁଡ଼ିକ ସେହି ପରିସର ମଧ୍ୟରେ ଅଧିକ ଗଭୀର ବେଳେ ବେଳେ ଆହୁରି ଅଧିକ ଗଭୀର ହୋଇଥାଏ।
ତେବେ ମହାରାଷ୍ଟ୍ରରେ କେତେକ ଜଳସେଚନ ବୋରୱେଲ୍ ରହିଛି? କେହି ଜାଣନ୍ତି ନାହିଁ। ୨୦୦୮-୦୯ ଜିଏସ୍ଟି ରିପୋର୍ଟରେ ଏହି ସଂଖ୍ୟା ୧,୯୧,୩୯୬ ବୋଲି ଦର୍ଶାଯାଇଛି। ତେଣୁ ସମ୍ଭବତଃ ମୋ ଜିଲ୍ଲାରେ ଅଧିକ ରହିଛି’’ ପରିହାସରେ କହନ୍ତି ଜଣେ ବରିଷ୍ଠ ପ୍ରଶାସକ। ଆମେ କିପରି ଏହି ଅଙ୍କକୁ ବଦଳାଇବା? ‘‘କାହାର କୌଣସି ଦାୟିତ୍ୱ ନାହିଁ’’ କହନ୍ତି ଜଣେ ଜିଏସ୍ଡିଏ ଅଧିକାରୀ। ‘‘କୌଣସି ମାଲିକ ନୂଆ ବୋରୱେଲ୍ ବିଷୟରେ ପଞ୍ଜିକରଣ କରିବା ବା ରିପୋର୍ଟ କରିବା ବିଷୟରେ କେହି ଚିନ୍ତାକରନ୍ତି ନାହିଁ। ପାରମ୍ପରିକ କୂଅର ମାଲିକମାନେ ଏହା କରିବା ପାଇଁ ଓ ଜଳକର ପୈଠ କରିବାକୁ ବାଧ୍ୟ ହୋଇଥାନ୍ତି। କିନ୍ତୁ ବୋରୱେଲ୍ ମାଲିକଙ୍କ ପାଇଁ କୌଣସି ନିୟମ ନାହିଁ।’’ ଏକ ନୂତନ ରାଜ୍ୟ ନିୟମ ନିର୍ଦ୍ଧାରଣ କରି ରାଜ୍ୟ ପ୍ରୟା କରିଛି କିନ୍ତୁ କିଛିଦିନ ହେଲାଣି ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଡ଼ିରହିଛି।
‘‘୧୯୭୪ରୁ ୧୯୮୫ ପର୍ଯ୍ୟନ୍ତ,’’ କହନ୍ତି ଚିଟାଲେ ‘‘ରାଜସ୍ୱ ଅଧିକାରୀମାନେ କୂଅକୁ ଗୋଟିଏ ବର୍ଗରେ ଲେଖି ରଖୁଥିଲେ। ତେଣୁ ସେତେବେଳେ ପ୍ରକୃତରେ କେତୋଟି ବୋରୱେଲ୍ ଥିଲା ଜାଣିବା କଷ୍ଟକର । ୧୯୮୫ ପରଠାରୁ ସ୍ପଷ୍ଟ ଭାବରେ ପୃଥକ କରାଗଲା। ତେବେ ସେତେବେଳେ ମଧ୍ୟ ବୋରୱେଲ୍ ମାଲିକଙ୍କ ପାଇଁ ଏହା ରିପୋର୍ଟ କରିବା ବିଷୟରେ କୌଣସି ବାଧ୍ୟବାଧକତା ନଥିଲା। ୨୦୦୦ ମସିହାରେ ଚିଟାଲେଙ୍କ ନେତୃତ୍ୱରେ ବସିଥିବା କମିଶନ ଦେଖିଥିଲେ ଯେ ଅଧିକାଂଶ ଜଳସେଚନ ବୋରୱେଲ ବା ନଳକୂପ ହେଉଛି ଡଗୱେଲ୍ ବା କୂପ। ସେହି ବର୍ଷ ପ୍ରାୟ ୧.୪ ନିୟୁତ କୂପ ରହିଥିଲା। କିନ୍ତୁ ତାହା ପରଠାରୁ ଏହା ଦ୍ରୁତ ଗତିରେ ବଢ଼ିଚାଲିଛି ଏବଂ ଗଣିବା ପାଇଁ କୌଣସି ଉଦ୍ୟମ କରାଯାଇନାହିଁ।
୨୦୦୮ -୦୯ ଜିଏସଡିଏ ରିପୋର୍ଟରେ ଦର୍ଶାଯାଇଛି ଏକ ବିପଦଜନକ ସଂଖ୍ୟା ୧,୯୧,୩୯୬ଟି । ଯେହେତୁ ଭୂତଳ ଜଳ ଉତ୍ତୋଳନ ଏହିପରି ଅଙ୍କ ଉପରେ ଆକଳନ କରାଯାଉଛି ଆମେ ରାଜ୍ୟର ଅବଶିଷ୍ଟ ଭୂତଳ ଜଳ ସମ୍ପର୍କରେ ଭୁଲ୍ ଚିତ୍ର ପାଉଛୁ। ଏଠାରେ ବାସ୍ତବରେ ଆହୁରି ଅଧିକ ସଂଖ୍ୟକ ବୋରୱେଲ୍ ରହିଛି। ଯାହାକି ‘‘ରାଜ୍ୟ ବ୍ୟାପୀ ଜଳସେଚନର ମୁଖ୍ୟ ଅଂଶ ଏବଂ ଅଧିକାଂଶ ମଧ୍ୟ ବିଦ୍ୟୁତ୍ ସଂଯୋଗ ପାଇଁ ରହିଥିବା ରେକର୍ଡରେ ନାହିଁ।’’ ଯଦି ଆମେ ଏସବୁ ଗଣନା କରିବା ତେବେ ପରିସ୍ଥିତି ନିଶ୍ଚୟ ଉଦବେଗଜନକ ବୋଲି ସ୍ପଷ୍ଟ ହୋଇଯିବ।
ବର୍ତ୍ତମାନ ରାଜ୍ୟରେ କେତୋଟି ବୋରୱେଲ୍ ରହିଛି ଜାଣିବା ନିହାତି ଆବଶ୍ୟକ। ଏହିଠାରୁ ଆରମ୍ଭ ହେବ ସମସ୍ୟାର ମୁକାବିଲା କରିବା। ‘‘ଯେତେବେଳେ ରାଷ୍ଟ୍ରପତି ଆଇନକୁ ସ୍ୱୀକୃତି ଦେବେ ଆମେ କାମ ଆରମ୍ଭ କରିପାରିବୁ।’’ ଜଣେ ରାଜ୍ୟ ଅଧିକାରୀ କହନ୍ତି।
ଏହା ମଧ୍ୟରେ ସଞ୍ଜୟ ସେଲ୍କେଙ୍କର ରିଗ୍ ପେଟ୍ରୋଲ୍ ପମ୍ପରେ ଟାଙ୍କି ଭରୁଛି। ଆଉ ଗୋଟିଏ ଦିନ ପାଇଁ ପ୍ରସ୍ତୁତ ହେଉଛି ବୋଧହୁଏ ଆଉ ତିନୋଟି ବୋରୱେଲ୍ ଖୋଳାଯାଇପାରେ।
ଏହି ଲେଖାଟି ପ୍ରଥମେ ଏପ୍ରିଲ୍ ୧୯ ୨୦୧୩ରେ ଦ ହିନ୍ଦୁରେ ପ୍ରକାଶିତ ହୋଇଥିଲା।
ଏହା ସହିତ ପଢ଼ନ୍ତୁ: ଗଭୀର ଜଳ ସଂକଟ
ଏହି ଲେଖାଟି ହେଉଛି ଏକ ସିରିଜର ଅଂଶ, ଯାହାପାଇଁ ପି.ସାଇନାଥ ୱାର୍ଲଡ ମିଡ଼ିଆ ସମିଟ୍ ଗ୍ଲୋବାଲ୍ ଆୱାର୍ଡ ଫର୍ ଏକ୍ସଲେନ୍ସ, ୨୦୧୪ ଲାଭ କରିଥିଲେ।
ଅନୁବାଦ: ଓଡ଼ିଶାଲାଇଭ୍