ଆର. କୈଳାସମ୍ ପ୍ରାୟତଃ ବିଚଳିତ ମନ ନେଇ ବ୍ୟାଙ୍କରୁ ଫେରିଥାନ୍ତି। “ଯେତେବେଳେ ବି ମୁଁ ମୋର ବ୍ୟାଙ୍କ ଖାତା ଅପଡେଟ୍ କରିବାକୁ ଯାଇଥାଏ, ସେମାନେ ମୋତେ ମେସିନ ଖରାପ ଅଛି, କିମ୍ବା ପରେ କେବେ ଆସନ୍ତୁ କହି ଫେରାଇ ଦିଅନ୍ତି”, ସେ କୁହନ୍ତି।
ନିଜ ପଡ଼ା, ବଙ୍ଗଲାମେଡ଼ୁରୁ ୫ କିଲୋମିଟର ଦୂର କେ.ଜି. କାଣ୍ଡିଗାଇ ସହରରେ ଥିବା ବ୍ୟାଙ୍କରେ ପହଞ୍ଚିବା ଲାଗି ଦୀର୍ଘ ଦୁଇ ଘଣ୍ଟାର ପଦଯାତ୍ରା ପରେ ତାଙ୍କୁ ଏପରି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥାଏ। (ଗୋଟିଏ ବର୍ଷ ପୂର୍ବ ପର୍ଯ୍ୟନ୍ତ ଅଧା ରାସ୍ତା ପାଇଁ ବସ୍ ସେବା ଉପଲବ୍ଧ ଥିଲା, କିନ୍ତୁ ବର୍ତ୍ତମାନ ତାହା ବନ୍ଦ ହୋଇଯାଇଛି)
ବ୍ୟାଙ୍କରେ ତାଙ୍କର ପ୍ରକୃତ ସଂଘର୍ଷ ଆରମ୍ଭ ହୋଇଥାଏ। ତାମିଲନାଡ଼ୁର ତିରୁଭଲ୍ଲୁର ଜିଲ୍ଲା ଅନ୍ତର୍ଗତ କେ. ଜି କାଣ୍ଡିଗାଇସ୍ଥିତ କାନାରା ବ୍ୟାଙ୍କ ଶାଖାରେ ପାସବୁକ୍ ଏଣ୍ଟ୍ରି ପାଇଁ ସ୍ୱୟଂ ଚାଳିତ ମେସିନ୍ ରହିଛି। କୈଳାସମ୍ କେବେ ବି ଏହାକୁ ଉପଯୋଗ କରିବା ଲାଗି ସକ୍ଷମ ହୋଇନଥାନ୍ତି। “ଏହା ମୋ ପାଇଁ କାମ କରେ ନାହିଁ”, ସେ କୁହନ୍ତି।
ଦିନେ ସକାଳେ, ସେ ଯେତେବେଳେ, ମୋ ସହିତ ବ୍ୟାଙ୍କ ସେବା ସମସ୍ୟା ସମ୍ପର୍କରେ ଆଲୋଚନା କରୁଥିଲେ, ସେଠାରେ ଥିବା ଭେଲିକଣ୍ଠନ ଗଛ ଛାଇରେ, ବସିଥିବା କିଛି ମହିଳା, ଆମ ସହିତ ଯୋଗ ଦେଇଥିଲେ। “ଏଣ୍ଟ୍ରି କରିବା ଲାଗି ତୁମ ଖାତାରେ ଏକ ଷ୍ଟିକରର ଆବଶ୍ୟକତା ରହିଛି, ଥାଥା (ଜେଜେବାପା),” ସେମାନଙ୍କ ମଧ୍ୟରୁ ଜଣେ କହିଲେ। ସେମାନେ ଠିକ୍ କହୁଥିଲେ : କୈଳାସମଙ୍କ ବ୍ୟାଙ୍କ ଖାତାରେ ଏକ ବାରକୋଡ୍ ନାହିଁ, ଯାହାକି ମେସିନ କାମ କରିବା ଲାଗି ଜରୁରି। “ମୁଁ ଜାଣିନାହିଁ ସେମାନେ କାହିଁକି ଏକ ଷ୍ଟିକର ଦେଉନାହାନ୍ତି। ମୁଁ ଏସବୁ କଥା ବୁଝିପାରୁନାହିଁ”, ସେ କୁହନ୍ତି। ମହିଳାମାନେ ମଧ୍ୟ ନିଶ୍ଚିତ ନୁହଁନ୍ତି ଏବଂ ଅନୁମାନ କରି କୁହନ୍ତି : “ଯଦି ତୁମେ (ଏଟିଏମ) କାର୍ଡ ପାଇବ, ତା’ହେଲେ ତୁମେ ଷ୍ଟିକର ପାଇବ”, ଜଣେ କହିଥିଲେ। “ତୁମେ ୫୦୦ ଟଙ୍କା ଦେଇ ନୂଆ ଆକାଉଣ୍ଟ ଖୋଲିବା ଉଚିତ୍”, ଅନ୍ୟ ଜଣେ କହିଥିଲେ। “ଯଦି ଏହା ଜିରୋ ଆକାଉଣ୍ଟ ହୋଇଥାଏ, ତୁମେ ତାହା ପାଇବ ନାହିଁ”, ତୃତୀୟ ମହିଳା ଜଣଙ୍କ କହିଲେ। କୈଳାସମ୍ ତୁନି ହୋଇଗଲେ।
ବ୍ୟାଙ୍କ ସେବାକୁ ନେଇ ସଂଘର୍ଷ କରୁଥିବା ସେ ଏକମାତ୍ର ବ୍ୟକ୍ତି ନୁହନ୍ତି। ବଙ୍ଗଲାମେଡ଼ୁରେ ଅନେକଙ୍କ ପାଇଁ, ସେମାନଙ୍କର ଆକାଉଣ୍ଟ ଚଳାଇବା, ଟଙ୍କା ଉଠାଇବା ଏବଂ ସେମାନଙ୍କର ରୋଜଗାର ବିଷୟରେ ଜାଣିବା, ସହଜ ହୋଇନଥାଏ। ଏହି ପଡ଼ା- ସରକାରୀ ଭାବେ ଚେରୁକ୍କାନୁର ଇରୁଲାର କଲୋନୀ ଭାବେ ପରିଚିତ- ତିରୁତ୍ତାନି ବ୍ଲକର ଏକ ଖୋଲା ବୁଦାଳିଆ ଭୂଖଣ୍ଡ ମଧ୍ୟ ଭାଗରେ ଥିବା ଏକମାତ୍ର ବସତି। ସଡ଼କର ଉଭୟ କଡ଼ରେ ୩୫ଟି ଇରୁଲା ପରିବାରର କିଛି ଛୋଟିଆ କଚ୍ଚା ଘର ଓ କିଛି ପକ୍କା ଘର ରହିଛି। (ସରକାରୀ କାଗଜପତ୍ରରେ ବର୍ତ୍ତମାନ ଏହି ସମୁଦାୟର ନାମ ଇରୁଲାର ବୋଲି ପ୍ରାୟତଃ ଉଲ୍ଲେଖ କରାଯାଉଛି)
କୈଳାସମ, ୬୦, ଏବଂ ତାଙ୍କ ପତ୍ନୀ କେ. ସଞ୍ଜୟାମ୍ମା, ୪୫, ଏଠାରେ ଚାଳଛପର ଥିବା ଏକ ମାଟି ଘରେ ରୁହନ୍ତି। ସେମାନଙ୍କର ଚାରିଟି ଛେଳି ରହିଛି, ଯେଉଁମାନଙ୍କୁ ସଞ୍ଜୟାମ୍ମା ପାଳିଥାନ୍ତି; ସେମାନଙ୍କର ଚାରି ଜଣ ପିଲାମାନେ ନିଜ ପରିବାର ସହିତ ବାହାରକୁ ଚାଲିଯାଇଛନ୍ତି। ଦିନ ମଜୁରି କରୁଥିବା କୈଳାସମ କୁହନ୍ତି, “ଯଦି ମୁଁ ଚାଷ ଜମିରେ କାମ କରେ ମୋତେ ସାରା ଦିନ କାମ କରିବାକୁ ହୋଇଥାଏ। ସେଥିପାଇଁ ମୋର ଗମ୍ଭୀର ପିଠି ଯନ୍ତ୍ରଣା ହୁଏ ଏବଂ ହାଡ଼ ଦରଜ ହୋଇଥାଏ। ତେଣୁ ଆଜିକାଲି ମୁଁ ଏରି ଭେଲାଇ (ହ୍ରଦ କାମ, ଏମଜିଏନଆରଇଜିଏକୁ ଯାହା କୁହାଯାଏ) କାମ କରିବାକୁ ପସନ୍ଦ କରିଥାଏ।” ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ସୁନିଶ୍ଚିତ ନିଯୁକ୍ତି ଆଇନ ୨୦୦୫ରେ ପ୍ରତି ଗ୍ରାମୀଣ ପରିବାରକୁ ବାର୍ଷିକ ଅତିକମରେ ୧୦୦ ଦିନର କାମ ଯୋଗାଇ ଦେବାର ବ୍ୟବସ୍ଥା ରହିଛି-ଯଦିଓ ବଙ୍ଗଲାମେଡ଼ୁର ଇରୁଲାଙ୍କ ପାଇଁ ୧୦୦ ଦିନର କାମ ମିଳିବା ବିରଳ।











