କୋହ୍ଲାପୁର ଜିଲ୍ଲାର ରାଜାରାମ ଚିନି କଳଠାରେ ଫେବୃଆରୀ ମାସର ଉତ୍ତପ୍ତ ଓ ଶାନ୍ତ ଏକ ଅପରାହ୍ଣ। କାରଖାନା ପରିସରରେ ଥିବା ଶହ ଶହ ଖୋପ୍ୟା (ଚିନି କଳ ଶ୍ରମିକମାନଙ୍କ ଛପର କୁଡ଼ିଆ) ପ୍ରାୟତଃ ଖାଲି ପଡ଼ିଛି। ପ୍ରବାସୀ ଶ୍ରମିକମାନେ ଓ୍ୱଡ଼ାନାଗେ ଗାଁ ପାଖକୁ ଆଖୁ କାଟିବାକୁ ଯାଇଛନ୍ତି। ଉକ୍ତ ସ୍ଥାନଟି ଏଠାରୁ ଚାଲି ଚାଲି ଗଲେ ଗୋଟିଏ ଘଣ୍ଟାର ବାଟ ହେବ ।
ଦୂରରୁ ଧାତବ ବାସନକୁସନର ଶବ୍ଦ ଶୁଭୁଛି। କିଛି ଶ୍ରମିକ ବୋଧହୁଏ ଘରେ ରହିଯାଇଛନ୍ତି ବୋଲି ଏଥିରୁ ସଙ୍କେତ ମିଳୁଛି। ସେହି ଶବ୍ଦକୁ ଅନୁସରଣ କରି ଆମେ ୧୨ ବର୍ଷର ବାଳିକା ସ୍ୱାତୀ ମହାର୍ନୋର୍ ପାଖରେ ପହଞ୍ଚୁ, ଯିଏ କି ନିଜ ପରିବାରର ରାତ୍ରୀ ଭୋଜନ ରାନ୍ଧିବାକୁ ପ୍ରସ୍ତୁତ ହେଉଛି । କ୍ଳାନ୍ତ ଓ ବିଷର୍ଣ୍ଣ ବଦନରେ ସେ ନିଜ ପରିବାରର କୁଡ଼ିଆ ଦୁଆରେ ଏକାକୀ ବସିଥିବା ଆମେ ଦେଖୁ। ରୋଷେଇ ପାଇଁ ବାସନକୁସନଗୁଡ଼ିକ ଏଣେତେଣେ ବିଛାଡ଼ି ହୋଇ ପଡ଼ିଥାଏ।
ଅଳସ ଭାଙ୍ଗି ସେ କୁହନ୍ତି, ‘‘ଭୋର ୩ଟା ବେଳୁ ମୁଁ ଉଠିଲିଣି।’’
ମହାରାଷ୍ଟ୍ର ବାୱଡ଼ା ତାଲୁକାରେ ଆଖୁ କାଟିବାରେ ସହାୟତା କରିବା ଲାଗି ଏହି ଛୋଟ ଝିଅ ନିଜର ମାତାପିତା, ସାନ ଭାଇ ଏବଂ ଜେଜେବାପାଙ୍କ ସହିତ ଏକ ବଳଦ ଗାଡ଼ିରେ ଆଜି ସକାଳୁ ବାହାରିଛି। ପାଞ୍ଚ ଜଣିଆ ପରିବାରକୁ ଗୋଟିଏ ଦିନରେ ୨୫ ମୋଲୀ (ବିଡ଼ା) ଆଖୁ ମଜୁରି ଆକାରରେ ମିଳିବ। ସମସ୍ତଙ୍କୁ ମିଶି ଏହି ଲକ୍ଷ୍ୟ ପୂରଣ କରିବାକୁ ହେବ। ମଧ୍ୟାହ୍ନ ଭୋଜନରେ ଖାଇବା ଲାଗି ସେମାନେ ଗତ ରାତିରେ ରନ୍ଧା ହୋଇଥିବା ଭାକରୀ ସହିତ ବାଇଗଣସବଜୀ ଆଣିଛନ୍ତି।
ଦିନ ଗୋଟାଏ ବେଳେ କେବଳ ସ୍ୱାତୀ ଫେରି ଆସିଥିଲେ। ଛଅ କିଲୋମିଟର ବାଟ ଚାଲି ଚାଲି ସେ ଚିନି କଳ ପରିସରରେ ଥିବା ନିଜ ଘରକୁ ଫେରିଥିଲେ। ‘‘ବାବା (ଜେଜେବାପା) ମୋତେ ଏଠାରେ ଛାଡ଼ି ଦେଇ ଫେରିଯାଇଛନ୍ତି।’’ ୧୫ ଘଣ୍ଟା ଧରି ଆଖୁ କାଟିବା ପରେ ପରିବାରର ଅନ୍ୟମାନେ ଘରକୁ ଫେରିବେ। ସେତେବେଳକୁ ସମସ୍ତେ କ୍ଳାନ୍ତ ଓ ଭୋକିଲା ଥିବେ। ତେଣୁ ସେମାନଙ୍କ ପାଇଁ ରାତ୍ରୀ ଭୋଜନ ପ୍ରସ୍ତୁତ କରିବା ଲାଗି ସେ ଆଗୁଆ ଘରକୁ ଚାଲି ଆସିଛନ୍ତି। ‘‘ସକାଳ ପହରୁ ଆମେ [ପରିବାରର ସମସ୍ତେ] କେବଳ ଗୋଟିଏ କପ୍ ଚା’ ପିଇ ରହିଛୁ,’’ ସ୍ୱାତୀ କହିଥାଏ।
ନଭେମ୍ବର ୨୦୨୨ରେ ବୀଡ଼ ଜିଲ୍ଲା ଅନ୍ତର୍ଗତ ସକୁନ୍ଦୱାଡ଼ି ଗାଁରେ ଥିବା ସେମାନଙ୍କ ଘରୁ ସ୍ୱାତୀର ପରିବାର କୋହ୍ଲାପୁର ଜିଲ୍ଲାକୁ ଚାଲି ଆସିଥିଲେ। ସେବେଠାରୁ ୫ ମାସ ଧରି ଦୈନିକ ଘରୁ କ୍ଷେତକୁ ଯିବା ଆସିବା କରିବା, ଆଖୁ କାଟିବା ଓ ରୋଷେଇ କରିବା, ତା’ର ନିତିଦିନିଆ କାମ ପାଲଟିଛି। ସେମାନେ ଏହି କାରଖାନା ପରିସରରେ ରୁହନ୍ତି। ୨୦୨୦ରେ ଅକ୍ସଫାମ୍ ଇଣ୍ଡିଆର ହ୍ୟୁମାନ୍ କଷ୍ଟ୍ ଅଫ୍ ସୁଗାର (ଚିନିର ମାନବୀୟ ମୂଲ୍ୟ) ରିପୋର୍ଟରେ କୁହାଯାଇଛି ଯେ ମହାରାଷ୍ଟ୍ରର ପ୍ରବାସୀ ଶ୍ରମିକମାନେ ମୁଖ୍ୟତଃ ଜରି ପାଲ ଛପର ପଡ଼ିଥିବା ଅସ୍ଥାୟୀ ତମ୍ବୁର ବଡ଼ କଲୋନୀଗୁଡ଼ିକରେ ରହିଥାନ୍ତି। ଏସବୁ କଲୋନୀରେ ପ୍ରାୟତଃ ପାଣି, ବିଦ୍ୟୁତ ସଂଯୋଗ କିମ୍ବା ଶୌଚାଳୟ ନଥାଏ।










