‘‘ମୁଁ ତାକୁ ଗୋଟିଏ ବାଡ଼ିରେ ପିଟିଲି, କିନ୍ତୁ ସେ ମୋ ଉପରକୁ ଡେଇଁ ପଡ଼ିଲା ଏବଂ ମୋର ବେକ ଓ ବାହୁକୁ ତା’ର ପଞ୍ଝାରେ ଆମ୍ପୁଡ଼ି ଦେଲା। ମୁଁ ଜଙ୍ଗଲ ଭିତରେ ଚାରି କିଲୋମିଟର ଭିତରେ ଥିଲି । ମୋର ପୋଷାକ ରକ୍ତରେ ବୁଡ଼ି ଯାଇଥିଲା। ମୁଁ ବହୁ କଷ୍ଟରେ ଘରକୁ ଫେରିଲି।’’ ବିଶାଲରାମ ମରକାମ ସେହି ଚିତାବାଘ ଆକ୍ରମଣରୁ ଆରୋଗ୍ୟଲାଭ କରିବା ପାଇଁ ତା’ପର ଦୁଇ ସପ୍ତାହ ହସ୍ପିଟାଲରେ ବିତାଇଲେ । କିନ୍ତୁ ସେ ଖୁସି ଥିଲେ ଯେ ତା’ଙ୍କର ମଇଁଷିମାନଙ୍କର କୌଣସି କ୍ଷତି ହୋଇ ନ ଥିଲା । ସେ କହିଲେ, ‘‘ଚିତାବାଘ ମୋର କୁକୁରଙ୍କୁ ବି ଆକ୍ରମଣ କରିଥିଲା । ସେମାନେ ଦୌଡ଼ି ପଳାଇଲେ।’’
ଏହି ଆକ୍ରମଣ ୨୦୧୫ରେ ଘଟିଥିଲା । ମରକାମ ଏବେ ଏ ସମ୍ପର୍କରେ ହସି ହସି କହିଲେ ଯେ ସେ ଶିକାରୀଙ୍କୁ ଆକ୍ରମଣ ପୂର୍ବରୁ ଓ ପରେ ବି ନିକଟରୁ ଦେଖିଛନ୍ତି । ଛତିଶଗଡ଼ର ଜାବରା ଜଙ୍ଗଲରେ, ଯେଉଁଠାରେ ସେ ନିଜର ମଇଁଷି ଚରାନ୍ତି, ସେଠାରେ କେବଳ ଭୋକିଲା ଚିତାବାଘ ନୁହେଁ, ବାଘ, ଗଧିଆ, ଶୃଗାଳ, ବଣୁଆ କୁକୁର, କୋକିଶିଆଳି ଏବଂ ବଣୁଆ ଘୁଷୁରି, ସମ୍ୱର ଏବଂ ଚିତା ହରିଣ ଏବଂ ଶକ୍ତିଶାଳୀ ବଣୁଆ ମଇଁଷି ମଧ୍ୟ ସାମ୍ନାକୁ ଆସିଯିବାର ସମ୍ଭାବନା ରହିଛି। ଗ୍ରୀଷ୍ମ ଋତୁରେ, ଯେତେବେଳେ ପଶୁମାନେ ବିରଳ ପାଣିର ଉତ୍ସ ସନ୍ଧାନରେ ଯାଆନ୍ତି, ସେତେବେଳେ ଭୋକିଲା ଶିକାରଙ୍କ ସାମ୍ନା କରିବାର ସମ୍ଭାବନା ଦୁଇଗୁଣ, ଏପରିକି ତିନିଗୁଣ ଥାଏ ।
ମରକାମ କୁହନ୍ତି, ‘‘ମୋର ମଇଁଷିମାନେ ଆପେ ଆପେ ଜଙ୍ଗଲରେ ବୁଲୁଥାଆନ୍ତି। କେବଳ ସେମାନେ ନ ଫେରିଲେ ହିଁ ମୁଁ ଖୋଜିବାକୁ ଯାଏ । ବେଳେ ବେଳେ ମୋର ପଶୁମାନେ ଭୋର୍ ୪ଟା ଯାଏଁ ଫେରନ୍ତି ନାହିଁ। ରାତିରେ ଜଙ୍ଗଲରେ ସେମାନଙ୍କୁ ଖୋଜିବାକୁ ମୁଁ ଗୋଟିଏ ଡବଲ୍ (ଶକ୍ତିଶାଳୀ) ଟର୍ଚ୍ଚ ବ୍ୟବହାର କରେ।’’ ସେ ତାଙ୍କ ପାଦ ଦେଖାଇଲେ, ଜଙ୍ଗଲରେ ଖାଲି ପାଦରେ ବୁଲିବା ଫଳରେ ସେଥିରେ ବହୁ କ୍ଷତ ହୋଇଛି ଓ ଚମ ଛାଡ଼ିଯାଇଛି ।
ତାଙ୍କର ସ୍ୱାଧୀନଚେତା ମଇଁଷିମାନେ ପ୍ରତିଦିନ ଖାଦ୍ୟ ସନ୍ଧାନରେ ଚରିବା ପାଇଁ ଧାମତରୀ ଜିଲ୍ଲା ନାଗ୍ରୀ ତହସିଲ ଅଧୀନ ଜାବ୍ରା ଗାଁ ନିକଟରେ ଥିବା ଜଙ୍ଗଲର ୯ରୁ୧୦ କିଲୋମିଟର ଯାଏଁ ବୁଲନ୍ତି । ମରକାମ କହନ୍ତି, ‘‘ଗ୍ରୀଷ୍ମ ଦିନରେ ଖାଦ୍ୟ ଖୋଜି ଖୋଜି ସେମାନେ ଦୁଇ ଗୁଣା ଅଧିକ ଦୂରକୁ ଚାଲିଯାଆନ୍ତି, କେହି ଏବେ ଜଙ୍ଗଲ ଉପରେ ଭରସା କରିପାରିବ ନାହିଁ; ପଶୁମାନେ ଭୋକରେ ମରିଯାଇପାରନ୍ତି।’’









