“ଟ୍ରାକ୍ଟରର ଏକ ଟ୍ରଲି ଗ୍ରାମ ଚାରି ପାଖରେ ବୁଲିଲା ଏବଂ ସମସ୍ତଙ୍କୁ ଅନୁରୋଧ କରାଗଲା ଯେ ଆନ୍ଦୋଳନସ୍ଥଳୀକୁ ପଠାଇବା ଲାଗି କିଛି ସହାୟତା ଦିଆଯାଉ। ମୁଁ ୫୦୦ ଟଙ୍କା, ତିନି ଲିଟର କ୍ଷୀର ଏବଂ ଗୋଟିଏ ଗିନା ଚିନି ଦେଲି”, ହରିୟାଣାର ହିସାର ଜିଲ୍ଲାର ପେଟୱାଡ଼ ଗ୍ରାମର ୩୪ ବର୍ଷୀୟା ସୋନିଆ ପେଟୱାଡ଼ କହିଥିଲେ।
ନାରନୌନ୍ଦ ତହସିଲସ୍ଥିତ ସେମାନଙ୍କ ଗ୍ରାମରେ ଡିସେମ୍ବର ୨୦୨୦ ମଧ୍ୟଭାଗରେ ପ୍ରଥମ ଥର ରାସନ ଏକତ୍ରିତ କରାଯାଇଥିଲା। ଏହି ରାସନ ପେଟୱାଡ଼ଠାରୁ ୧୦୫ କିମି ଦୂର, ଦିଲ୍ଲୀ-ହରିୟାଣା ସୀମାରେ ଥିବା ଟିକରୀକୁ ପଠାଯାଇଥିଲା, ଯେଉଁଠି କୃଷକମାନେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାରିତ ତିନୋଟି ନୂଆ କୃଷି ଆଇନ ବିରୋଧରେ ୨୬ ନଭେମ୍ବରଠାରୁ ଆନ୍ଦୋଳନ କରି ଆସୁଛନ୍ତି।
“ମୋ ପାଖରେ ଅଧିକ ଟଙ୍କା ନଥିଲା। ସେଥିପାଇଁ ମୁଁ କାଠ ଖଣ୍ଡ ଦାନ କଲି”, ସୋନିଆଙ୍କ ବଡ଼ ପରିବାରର ସଦସ୍ୟ, ୬୦ ବର୍ଷୀୟା ଶାନ୍ତି ଦେବୀ କହିଥିଲେ। “ସେତେବେଳେ ଥଣ୍ଡା ପଡ଼ୁଥିଲା। ମୁଁ ଭାବିଲି, ଆନ୍ଦୋଳନକାରୀମାନେ କାଠ ଜଳାଇ ନିଜକୁ ଗରମ ରଖିପାରିବେ।”
ଟ୍ରାକ୍ଟର ଟ୍ରଲି ପେଟୱାଡ଼ରେ ଦ୍ୱିତୀୟ ଥର ପାଇଁ ଜାନୁଆରୀ ପ୍ରାରମ୍ଭରେ ଆସିଥିଲା। “ଯେତେବେଳେ କୌଣସି ବ୍ୟକ୍ତି ଆନ୍ଦୋଳନସ୍ଥଳୀକୁ ଯାଇଥାନ୍ତି, ଗ୍ରାମର ପ୍ରତ୍ୟେକ ମହିଳା ତାଙ୍କୁ କିଛି ନା କିଛି ଦେଇଥାନ୍ତି”, ସୋନିଆ କହିଥିଲେ। ଗୋପାଳନ କରୁଥିବା ମହିଳାମାନେ କ୍ଷୀର ଦେଇ ସହାୟତା କରିଥାନ୍ତି। ଏହା ପରଦା ପଛରେ ରହି କୃଷକ ଆନ୍ଦୋଳନକୁ ସମର୍ଥନ କରିବା ଲାଗି ସେମାନଙ୍କର ଉପାୟ।
କୃଷକମାନେ ଆନ୍ଦୋଳନସ୍ଥଳୀକୁ ଆସିବାର ଆଜକୁ ତିନି ମାସ ହୋଇଗଲାଣି ଏବଂ ହଜାର ହଜାର ଆନ୍ଦୋଳନକାରୀ-ପୁରୁଷ ଓ ମହିଳା-ଏବେ ବି ଦିଲ୍ଲୀ ସୀମାରେ-ମୁଖ୍ୟତଃ ଟିକରୀ ଏବଂ ସିଂଘୁ (ଦିଲ୍ଲୀ-ହରିୟାଣା ସୀମା) ଏବଂ ଗାଜିପୁର (ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମା)ରେ ଏକତ୍ରିତ ହୋଇଛନ୍ତି।
ମୁଁ ପ୍ରଥମ ଥର ପାଇଁ ଫେବୃଆରୀ ୩ ତାରିଖ ଅପରାହ୍ଣରେ ସୋନିଆଙ୍କୁ ଟିକରୀରେ ଭେଟିଥିଲି। ସେ ଆନ୍ଦୋଳନସ୍ଥଳୀକୁ ପେଟୱାଡ଼-ପାଖାପାଖି ୧୦,୦୦୦ ଜନସଂଖ୍ୟା ଥିବା ଗ୍ରାମ (୨୦୧୧ ଜନଗଣନା)-ରୁ ୧୫୦ ଜଣ ମହିଳାଙ୍କ ଏକ ଗୋଷ୍ଠୀ ସହିତ ଆସିଥିଲେ, କିନ୍ତୁ ସେତେବେଳେ ସେମାନେ ଫେରିଯିବା ଲାଗି ପ୍ରସ୍ତୁତ ହେଉଥିଲେ। “ଆନ୍ଦୋଳନକୁ ଦେଖିବା ପରେ ଉତ୍ସାହ ଆସିଯାଇଥାଏ”, ସେ ପରେ ମୋତେ କହିଥିଲେ, ଯେତେବେଳେ ମୁଁ ଫେବୃଆରୀ ୭ ତାରିଖରେ ପେଟୱାଡ଼ରେ ତାଙ୍କୁ ଭେଟିଲି।










