୮୨ ବର୍ଷ ବୟସ୍କ ବାପୁ ସୂତାରଙ୍କର ୧୯୬୨ ମସିହାର ସେ ଦିନ ବିଷୟରେ ସ୍ପଷ୍ଟ ଭାବେ ମନେ ଅଛି। ସେତେବେଳେ ସେ ନିଜର ଆଉ ଏକ କାଠର ପଦଚାଳିତ ହସ୍ତତନ୍ତ ବିକ୍ରି କରିଥିଲେ। ୭ ଫୁଟ ଲମ୍ବ ଏହି ତନ୍ତକୁ ସେ ନିଜ କର୍ମଶାଳାରେ ହାତରେ ତିଆରି କରିଥିଲେ। କୋହ୍ଲାପୁର କାସାବା ଗାଁର ଜଣେ ବୁଣାକାର ଏହାକୁ ଭଲ ଦାମ୍ରେ ୪୧୫ ଟଙ୍କା ଦେଇ କିଣି ନେଇଥିଲେ।
ଯଦି ଏହା ସେ ତିଆରି କରିଥିବା ଶେଷ ହସ୍ତତନ୍ତ ହୋଇନଥାନ୍ତା ତା’ହେଲେ ଏହା ତାଙ୍କ ପାଇଁ ଏକ ମଧୁର ସ୍ମୃତି ହୋଇଥାନ୍ତା। ଏହାପରେ ତାଙ୍କୁ ଆଉ ଅର୍ଡର ମିଳିଲା ନାହିଁ; ସେ ତିଆରି କରିଥିବା କାଠର ହସ୍ତନିର୍ମିତ ପଦଚାଳିତ ହସ୍ତତନ୍ତ କିଣିବା ଲାଗି ଆଉ କେହି ନଥିଲେ। ‘‘ତ୍ୟା ଭେଲି ସାଗଲା ମୋଡଲା (ସେବେଠାରୁ ସବୁକିଛି ସରିଗଲା),’’ ସେ ମନେ ପକାଇ କହିଥିଲେ।
ଆଜି, ଛଅ ଦଶନ୍ଧି ପରେ, ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାର ରେଣ୍ଡଲରେ କିଛି ଲୋକ ଜାଣନ୍ତି ଯେ, ବାପୁ ଏ ଗାଁରେ ଶେଷ ପଦଚାଳିତ ତନ୍ତ ନିର୍ମାତା ଭାବେ ବଞ୍ଚିଛନ୍ତି। ଏକଦା ଜଣେ କାରିଗର ଭାବେ ତାଙ୍କୁ ଅନେକ ଲୋକ ଖୋଜୁଥିଲେ। ଗାଁର ସବୁଠୁ ବୟସ୍କ ବୁଣାକାର ବସନ୍ତ ତାମ୍ବେ (୮୫) କୁହନ୍ତି, ‘‘ରେଣ୍ଡଲ ଏବଂ ଆଖପାଖ ଗାଁର ଅନ୍ୟ ସବୁ ହସ୍ତତନ୍ତ ନିର୍ମାତାମାନେ ମୃତ୍ୟୁବରଣ କଲେଣି’’।
ରେଣ୍ଡଲରେ କାଠରେ ହସ୍ତତନ୍ତ ତିଆରି କରିବାର ପରମ୍ପରା ଏବେ ମୃତପ୍ରାୟ। ‘‘ଏପରିକି ସେହି (ଶେଷ) ହସ୍ତତନ୍ତ ମଧ୍ୟ ଏବେ ଆଉ ନାହିଁ,’’ ବାପୁ କହିଥିଲେ। ନିଜ ସାଧାରଣ ଘର ଚାରି ପାଖରେ ଥିବା କର୍ମଶାଳାଗୁଡ଼ିକରେ ବିଦ୍ୟୁତ ଚାଳିତ ହସ୍ତତନ୍ତ ଯନ୍ତ୍ରର ଘଡ଼ ଘଡ଼ ଶବ୍ଦ ଶୁଣି ସେ ବିରକ୍ତ ହୋଇଗଲେଣି।
ବାପୁଙ୍କର ଗୋଟିଏ ବଖୁରିକିଆ ପାରମ୍ପରିକ କର୍ମଶାଳା ତାଙ୍କ ଘର ଭିତରେ ରହିଛି, ଯାହାକି ଗୋଟିଏ ଯୁଗ ବିତିଯିବାର ସାକ୍ଷୀ ରହିଛି। ବାଦାମୀ ରଙ୍ଗର ମିଶ୍ରଣ ଥିବା ସେହି କର୍ମଶାଳାରେ – ଡାର୍କ, ସିପିୟା, ରସେଟ, ସେଡଲ, ସିଏନା, ମାହୋଗାନୀ, ରୁଫସ ଏବଂ ଆହୁରି ଅନେକ କିଛି ରହିଛି – ସବୁ ସମୟ ସହିତ ରଙ୍ଗହୀନ ହୋଇଚାଲିଛି, ସମୟ ବିତିବା ସହିତ ଏସବୁର ଚମକ ଧୀରେ ଧୀରେ ହଜି ଯାଉଛି।

























