୨୨ ବର୍ଷର ଗୁରୁପ୍ରିତ ସିଂଙ୍କ ଯେଉଁଦିନ ମୃତ୍ୟୁ ହୋଇଥିଲା, ସେହିଦିନ ପର୍ଯ୍ୟନ୍ତ ସେ ନୂତନ କୃଷି ଆଇନର ବିରୋଧ କରିବାକୁ ନିଜ ଗ୍ରାମରେ ସମ୍ମିଳନୀମାନ ଆୟୋଜନ କରୁଥିଲେ । ତାଙ୍କ ବାପା, ଚାଷୀ ଜଗ୍‌ତାର ସିଂ କଟାରିଆ, ଯାହାର ଉତ୍ତର-ପଶ୍ଚିମ ପଞ୍ଜାବ ସ୍ଥିତ ତାଙ୍କ ଗ୍ରାମରେ ପାଞ୍ଚ ଏକର ଜମି ଅଛି, ତାଙ୍କର ଶେଷ ଭାଷଣ କଥା ମନେ ପକାନ୍ତି । ସେଦିନ ସେ ଚାଷୀମାନଙ୍କୁ ଦିଲ୍ଲୀରେ ନୂଆ ଇତିହାସ ଲେଖା ଯାଉଛି ଆଉ ସେମାନେ ଏଥିରେ ଯୋଗଦାନ କରିବାକୁ ସେଠାକୁ ଯିବା ଉଚିତ ବୋଲି କହିବାବେଳେ ତାଙ୍କ କଥା ୧୫ରୁ ଅଧିକ ଦର୍ଶକ ମନଦେଇ ଶୁଣୁଥିଲେ। ଡିସେମ୍ବର ୨୦୨୦ ପ୍ରାତଃକାଳରେ ସେହି ଉତ୍ତେଜକ ଭାଷଣ ପ୍ରଦାନ କରିବା ପରେ, ଦଳ ରାଜଧାନୀ ଅଭିମୁଖେ ଯାତ୍ରା ଆରମ୍ଭ କରିବାକୁ ଅଣ୍ଟା ଭିଡ଼ି ବାହାରିଥିଲା ।

ସେମାନେ ଗତ ବର୍ଷ ଡିସେମ୍ବର ୧୪ରେ, ପଞ୍ଜାବର ସହିଦ ଭଗତ ସିଂ ନଗର ଜିଲ୍ଲାର ବଲାଚଚୌର ତହସିଲ ରେ ଅବସ୍ଥିତ ସେମାନଙ୍କ ଗ୍ରାମ ମକୋୱାଲ୍‌ ଛାଡ଼ିଥିଲେ । କିନ୍ତୁ ପ୍ରାୟ ୩୦୦ କିଲୋମିଟର ଯାତ୍ରା କରିବା ପରେ, ହରିୟାଣାର ଅମ୍ବାଲା ଜିଲ୍ଲାର ମୋହରା ପାଖରେ ଗୋଟିଏ ଭାରି ଯାନ ଆସି ତାଙ୍କ ଟ୍ରାକ୍ଟର ଟ୍ରଲି ସହିତ ବାଡେଇ ହୋଇଥିଲା । “ଖୁବ୍‌ ଜୋର୍‌ରେ ଧକ୍‌କା ଦେଇଥିଲା ।  ଗୁରୁପ୍ରିତ ମରିଗଲା” ବୋଲି ଜଗ୍‌ତାର କହିଲେ । ଜଗ୍‌ତାରଙ୍କ ପୁଅ ପଟିଆଲା ସ୍ଥିତ ମୋଦି କଲେଜ୍‌ର ବିଏ ଛାତ୍ର ଥିଲେ । “ତାହା ଥିଲା ଆନ୍ଦୋଳନରେ ତାଙ୍କର ଅଂଶଦାନ – ତାଙ୍କର ଜୀବନ”।

ସେପ୍ଟେମ୍ବର ୨୦୨୦ରେ ଭାରତ ସରକାରଙ୍କ ଦ୍ୱାରା ପ୍ରଚଳିତ ତିନି କୃଷି ଆଇନକୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନରେ ଭାଗ ନେଇ ପ୍ରାଣ ହରାଇଥିବା ୭୦୦ ବା ଅଧିକ ଲୋକଙ୍କ ମଧ୍ୟରୁ ଗୁରୁପ୍ରିତ ହେଉଛନ୍ତି ଜଣେ । ସମଗ୍ର ଦେଶର ଚାଷୀକୂଳ ଏହି ବିଲ୍‌କୁ ବିରୋଧ କରିଥିଲେ କାରଣ ସେମାନେ ବିଶ୍ୱାସ କରୁଥିଲେ ଏହି ବିଲ୍‌ ଲାଗୁ ହେଲେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବ ଓ ଘରୋଇ ବ୍ୟବସାୟୀ ଓ ବଡ଼ ବଡ଼ ନିଗମଗୁଡ଼ିକ ଫସଲ ମୂଲ୍ୟ ନିୟନ୍ତ୍ରଣ କରିବେ ଓ ବଜାରରୁ ମାତ୍ରାଧିକ ଲାଭାନ୍ୱିତ ହେବେ । ଏହି ଆନ୍ଦୋଳନରେ ଭାଗ ନେବାପାଇଁ ମୁଖ୍ୟତଃ ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶର ଚାଷୀମାନେ ନଭେମ୍ବର ୧୬,୨୦୨୦ରୁ ଦିଲ୍ଲୀ ସୀମାକୁ ଆସିବା ଆରମ୍ଭ କରିଥିଲେ। "ଆଇନ ରଦ୍ଦ କରିବାକୁ ଦାବି କରି ସେମାନେ ଦିଲ୍ଲୀ-ହରିୟାଣା ସୀମାର ସିଙ୍ଘୁ ଏବଂ ଟିକ୍ରିରେ ଏବଂ ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାରେ ଥିବା ଗାଜୀପୁରରେ କ୍ୟାମ୍ପ ସ୍ଥାପନ କରିଛନ୍ତି।"

ବିରୋଧ ପ୍ରଦର୍ଶନ ଆରମ୍ଭ ହେବାର ଏକ ବର୍ଷ ପରେ, ପ୍ରଧାନମନ୍ତ୍ରୀ ନଭେମ୍ବର ୧୯,୨୦୨୧ରେ ଆଇନ୍‌ଗୁଡ଼ିକ ପ୍ରତ୍ୟାହାର କରିବା ପାଇଁ ଘୋଷଣା କଲେ । ସରକାର ଚାଷୀ ୟୁନିୟନ ଦ୍ୱାରା କରାଯାଇଥିବା ଅଧିକାଂଶ ଦାବି ପୂରଣ ହେବା ପରେ, କୃଷି ଆଇନ ପ୍ରତ୍ୟାହାର ବିଲ୍‌ ୨୦୨୧ ନଭେମ୍ବର ୨୯ରେ ସଂସଦରେ ପାରିତ ହେଲା, କିନ୍ତୁ ଆନ୍ଦୋଳନ ଡିସେମ୍ବର ୧୧,୨୦୨୧ରେ ସମାପ୍ତ ହୋଇଥିଲା।

ମୁଁ କେତୋଟି ପରିବାର ସହିତ କଥା ହୋଇଥିଲି – ଫୋନ୍‌ରେ ଓ ବ୍ୟକ୍ତିଗତ  ଭାବେ– ଯେଉଁମାନେ ସେମାନଙ୍କର ପ୍ରିୟଜନଙ୍କୁ ଆନ୍ଦୋଳନବେଳେ ହରାଇଥିଲେ । ବିପର୍ଯ୍ୟୟଗ୍ରସ୍ତ ଓ ଦୁଃଖୀ, ଆଉ କ୍ରୋଧାନ୍ୱିତ ମଧ୍ୟ, ସେମାନେ ସହିଦ୍‌ମାନଙ୍କ ମଧ୍ୟରୁ ସେମାନଙ୍କ ଆତ୍ମୀୟମାନଙ୍କୁ ମନେପକାଇଲେ, ଯେଉଁମାନେ ଏହି ଉଦ୍ଦେଶ୍ୟ ସାଧନ ପାଇଁ ସେମାନଙ୍କ ଜୀବନ ଉତ୍ସର୍ଗ କରିଥିଲେ ।

“ଆମେ ଚାଷୀମାନଙ୍କ ବିଜୟକୁ ନେଇ ଆନନ୍ଦିତ, ହେଲେ, ଆଇନ୍‌ ପ୍ରତ୍ୟାହାର କରିବା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କର ଘୋଷଣାରେ ଆମେ ଖୁସି ଅନୁଭବ କରୁନାହୁଁ,” ଜଗ୍‌ତାର ସିଂ କଟରିଆ କହିଲେ । “ସରକାର ଚାଷୀମାନଙ୍କ ହିତ ସାଧନ ପାଇଁ କିଛି ମଧ୍ୟ କରିନାହାନ୍ତି । ବରଂ, ଚାଷୀ ଓ ମୃତ ବ୍ୟକ୍ତିମାନଙ୍କୁ ଅପମାନିତ କରିଛନ୍ତି ।

From the left: Gurpreet Singh, from Shahid Bhagat Singh Nagar district, and Ram Singh, from Mansa district, Punjab; Navreet Singh Hundal, from Rampur district, Uttar Pradesh
From the left: Gurpreet Singh, from Shahid Bhagat Singh Nagar district, and Ram Singh, from Mansa district, Punjab; Navreet Singh Hundal, from Rampur district, Uttar Pradesh
From the left: Gurpreet Singh, from Shahid Bhagat Singh Nagar district, and Ram Singh, from Mansa district, Punjab; Navreet Singh Hundal, from Rampur district, Uttar Pradesh

ବାମରୁ : ପଞ୍ଜାବର ସହିଦ୍‌ ଭଗତ୍‌ ସିଂ ନଗରର ଗୁରୁପ୍ରିତ ସିଂ ଓ ମନସା ଜିଲ୍ଲାର ରାମ ସିଂ; ଉତ୍ତର ପ୍ରଦେଶର ରାମପୁର ଜିଲ୍ଲାର ନବ୍‌ରିତ୍‌ ସିଂ

“ଆମ ଚାଷୀମାନେ ମରୁଛନ୍ତି । ଆମ ସୈନିକମାନେ ମଧ୍ୟ ପଞ୍ଜାବ ଓ ଦେଶ ପାଇଁ ପ୍ରାଣ ଦେଇଛନ୍ତି । ହେଲେ, ସରକାର ସହିଦମାନଙ୍କ ବିଷୟରେ ଚିନ୍ତିତ ଥିବା ଜଣାପଡୁନାହିଁ – ସେମାନେ (ଦେଶ) ସୀମାର ହୁଅନ୍ତୁ କିମ୍ବା ଦେଶ ଭିତରର ହୁଅନ୍ତୁ । ଏହା ସୀମାରେ ଯୁଦ୍ଧ କରୁଥିବା ଜୱାନମାନଙ୍କୁ ଓ ଖାଦ୍ୟ ଉତ୍ପାଦନ କରୁଥିବା ଚାଷୀମାନଙ୍କୁ ପରିହାସ କରୁଛି” ବୋଲି ପଞ୍ଜାବର ମନ୍‌ସା ଜିଲ୍ଲାର ବୁଧଲ୍‌ଦା ତହସିଲ ଅନ୍ତର୍ଗତ ଦୋଦ୍ରା ଗାଁର ୬୧ବର୍ଷ ବୟସ୍କ ଜ୍ଞାନ ସିଂ କୁହନ୍ତି ।

ବିରୋଧ ପ୍ରଦର୍ଶନର ପ୍ରାରମ୍ଭିକ ଦିନଗୁଡ଼ିକରେ ଜ୍ଞାନ ସିଂ ତାଙ୍କର ୫୧ବର୍ଷୀୟ ଭାଇ ରାମ ସିଂଙ୍କୁ ହରାଇଥିଲେ । ରାମ ଭାରତୀ କିଷାନ ୟୁନିୟନ (ଏକତା ଉଗ୍ରହଣ) ଚାଷୀ ସଂଗଠନର ସଦସ୍ୟ ଥିଲେ । ସେ ବିରୋଧ ପ୍ରଦର୍ଶନ ସ୍ଥଳ ପାଇଁ ମନ୍‌ସା ରେଳ ଷ୍ଟେସନ୍‌ରେ କାଠ ଏକତ୍ରିତ କରୁଥିଲେ । ଗତବର୍ଷ ନଭେମ୍ବର ୨୪ରେ ଗୋଟିଏ କାଠ ଗଡ଼ ତାଙ୍କ ଉପରେ ପଡ଼ିଯାଇ ତାଙ୍କର ମୃତ୍ୟୁ ହୋଇଯାଇଥିଲା । “ତାଙ୍କର ପାଞ୍ଚଟି ପଞ୍ଜରା ହାଡ଼ ଭାଙ୍ଗି ଯାଇଥିଲା ଓ ଫୁସ୍‌ଫୁସ୍‌ କ୍ଷତିଗ୍ରସ୍ତ ହୋଇଥିଲା’’ ବୋଲି ଜ୍ଞାନ ସିଂ କହିଲେ, ତାଙ୍କର ଗମ୍ଭୀର ସ୍ୱର ତାଙ୍କ ଯନ୍ତ୍ରଣାକୁ ଘୋଡ଼ାଇ ଦେଉଥିଲା ।

ଏହା ସହିତ “କୃଷି ଆଇନ ପ୍ରତ୍ୟାହାର କରାଯିବ ବୋଲି ଯେତେବେଳେ ଘୋଷଣା ହେଲା, ଆମ ଗ୍ରାମ ନିବାସୀମାନେ ବାଣ ଫୁଟାଇଲେ ଓ ଦୀପ ପ୍ରଜ୍ଜ୍ୱଳିତ କଲେ” ବୋଲି ଜ୍ଞାନ କହିଲେ । “ଆମ ପରିବାରର ଜଣେ ସହିଦ୍‌ ହୋଇଯାଇଛନ୍ତି, ଏଣୁ ଆମେ ଉତ୍ସବରେ ସାମିଲ ହେଲୁ ନାହିଁ। ହେଲେ, ଆମେ ଆନନ୍ଦିତ ହୋଇଥିଲୁ ।

ସରକାର ବହୁ ପୂର୍ବରୁ ଏହି ତିନି ଆଇନ୍‌ ପତ୍ୟାହାର କରିଦେଇଥିଲେ ଉଚିତ ହୋଇଥାନ୍ତା, ବୋଲି ଉତ୍ତର ପ୍ରଦେଶ (ୟୁପି)ର ରାମପୁର ଜିଲ୍ଲା, ବିଳାସପୁର ତହସିଲ ର ଡିବ୍‌ଡିବା ଗ୍ରାମର ୪୬ ବର୍ଷ ବୟସ୍କ ଶ୍ରୀବିକ୍ରମଜିତ୍‌ ସିଂ ହୁଣ୍ଡାଲ୍‌ କହିଲେ। "ହେଲେ, ଏହା ଏପରି କରିନଥିଲା,  ଚାଷୀ ନେତାମାନଙ୍କ ସହିତ ୧୧ରାଉଣ୍ଡ କଥା ହେବାପରେ ମଧ୍ୟ”। ଜାନୁଆରୀ ୨୬, ୨୦୨୧ ରେ ଦିଲ୍ଲୀରେ ଆୟୋଜିତ ଚାଷୀମାନଙ୍କର ଏକ ସମ୍ମିଳନୀରେ ଯୋଗ ଦେଇଥିବାବେଳେ ତାଙ୍କର ୨୫ ବର୍ଷର ପୁଅ ନବ୍‌ରିତ୍‌ ସିଂ ହୁଣ୍ଡାଲ ପ୍ରାଣ ହରାଇଥିଲେ । ସେ ଏକ ଟ୍ରାକ୍ଟର ଚଲାଉଥିଲେ ଯାହା ଦୀନଦୟାଲ ଉପାଧ୍ୟାୟ ମାର୍ଗରେ ଦିଲ୍ଲୀ ପୁଲିସ୍‌ ଦ୍ୱାରା ନିରାପତ୍ତା ରକ୍ଷା କରିବା ପାଇଁ ତିଆରି ହୋଇଥିବା ବାରିକେଡ୍‌ରେ ଓଲଟି ପଡିଲା । ଏହା ପୂର୍ବରୁ ନବ୍‌ରୀତକୁ ପୋଲିସ ଗୁଳି କରିଥିଲା ବୋଲି ତାଙ୍କ ବାପା ପୋଲିସ୍‌ ଉପରେ ଦୋଷାରୋପ କରି କହିଲେ । ଅଥଚ, ଟ୍ରାକ୍ଟର ଓଲଟିଯିବାରୁ ଆଘାତ ଲାଗି ନବ୍‌ରୀତଙ୍କ ପ୍ରାଣହାନୀ ହୋଇଥିବା କଥା ଦିଲ୍ଲୀ ପୋଲିସ୍‌‌ ସେ ସମୟରେ କହିଥିଲେ । “ଘଟଣାର ଅନୁସନ୍ଧାନ ଚାଲିଛି” ବୋଲି ଶ୍ରୀବିକ୍ରମଜିତ କହିଲେ ।

“ସେ ଚାଲିଯିବା ପରେ ସବୁକିଛି ସମ୍ପୂର୍ଣ୍ଣ ଭାବେ ଓଲଟି ଯାଇଥିବା ଭଳି ମନେ ହେଉଛି,” ବୋଲି ଏକାଧାରରେ ଶ୍ରୀବିକ୍ରମଜିତ କହିଲେ । “ଆଇନ ପ୍ରତ୍ୟାହାର କରି ସରକାର ଚାଷୀମାନଙ୍କ ଘା’ରେ ଔଷଧ ଲଗାଇବା କାମ କରିନାହାନ୍ତି । ବରଂ ଏହା ହେଉଛି ନିଜ ଆସନ ବଞ୍ଚାଇ ରଖିବା ପାଇଁ ଏକ ଚାଲ୍‌,” ବୋଲି ସେ କହିଲେ । “ଏହା ଆମ ଭାବନା ସହିତ ଖେଳ”।

ଜୀବିତ ବା ମୃତ, ଚାଷୀମାନଙ୍କ ପ୍ରତି ସରକାରଙ୍କ ମନୋବୃତ୍ତି ବହୁତ ଖରାପ, ବୋଲି ୟୁପିର ବାହରୈଚ ଜିଲ୍ଲା ବଲାହା ବ୍ଲକ୍‌ରେ ଭାତେହଟା ଗ୍ରାମର ୪ ୦ ବର୍ଷ ବୟସ୍କ ଜଗ୍‌ଜିତ ସିଂ କହିଲେ । “ଆମେ ଭୋଟ୍‌ ଦେଇ ଏହି ସରକାରକୁ କ୍ଷମତାସୀନ କରିଥିଲୁ। ଆଉ, ଏବେ ସେମାନେ ଆମକୁ ‘ଖଲିସ୍ତାନି’. ‘ରାଷ୍ଟ୍ରବିରୋଧି’ ଆଦି ଅନେକ ନାମ ଦେଇଛନ୍ତି ଓ ଆମକୁ ଦମନ କରୁଛନ୍ତି । କେତେ ସାହସ ସେମାନଙ୍କର?” ବୋଲି ସେ କହିଲେ । ଜଗଜିତଙ୍କ ଭାଇ ଦଲଜିତ ସିଂଙ୍କ ମୃତ୍ୟୁ ଅକ୍ଟୋବର ୩,୨୦୨୧ରେ ୟୁପିର ଲଖିମପୁର ଖେରିରେ ସଂଗଠିତ ଏକ ହିଂସାପୂର୍ଣ୍ଣ ଘଟଣାରେ ହୋଇଥିଲା, ଯେଉଁଠାରେ ଚାଷୀମାନେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ କୁମାର ଥେନି, ସେପ୍ଟେମ୍ବରରେ ଏକ ଭାଷଣ ମାଧ୍ୟମରେ ଚାଷୀମାନଙ୍କୁ  ଦେଇଥିବା ଧମକ ବିରୋଧରେ ପ୍ରତିବାଦ କରିବାକୁ ଏକାଠି ହୋଇଥିଲେ ।

From the left: Daljeet Singh, from Bahraich district, and Lovepreet Singh Dhillon, from Kheri district, Uttar Pradesh; Surender Singh, from Shahid Bhagat Singh Nagar district, Punjab
From the left: Daljeet Singh, from Bahraich district, and Lovepreet Singh Dhillon, from Kheri district, Uttar Pradesh; Surender Singh, from Shahid Bhagat Singh Nagar district, Punjab
From the left: Daljeet Singh, from Bahraich district, and Lovepreet Singh Dhillon, from Kheri district, Uttar Pradesh; Surender Singh, from Shahid Bhagat Singh Nagar district, Punjab

ବାମରୁ : ଉତ୍ତର ପ୍ରଦେଶର ବ ହରାଇଚ୍ ଜିଲ୍ଲାର ଦଲ୍‌ଜିତ୍‌ ସିଂ ଓ ଖେରି ଜିଲ୍ଲାରୁ ଲଭ୍‌ପ୍ରିତ୍‌ ସିଂ ଧିଲନ୍ ; ସୁରେନ୍ଦର ସିଂ, ସହିଦ୍‌ ଭଗତ୍‌ ସିଂ ନଗର ଜିଲ୍ଲା, ପଞ୍ଜାବରୁ

ଯେତେବେଳେ ମନ୍ତ୍ରୀଙ୍କ ରକ୍ଷା ସହଚରମାନଙ୍କର ଗାଡି ଚାରିଜଣ ଚାଷୀ ଓ ଜଣେ ସାମ୍ବାଦିକଙ୍କ ଉପରେ ମାଡ଼ିଯିବାରୁ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା, ସେଠାରେ ହିଂସାର ସୂତ୍ରପାତ ହୋଇଥିଲା । ଏହି ଘଟଣାର ୧୩ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଥେନିଙ୍କ ପୁଅ ଆଶିଷ ମିଶ୍ର ଅଛନ୍ତି । ଘଟଣାର ଯାଞ୍ଚ କରୁଥିବା ସ୍ପେସିଆଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି) ଏହାକୁ ‘ଯୋଜନାବଦ୍ଧ ଷଡଯନ୍ତ୍ର’ ଭାବେ ବର୍ଣ୍ଣନା କରିଛନ୍ତି ।

ଦଲ୍‌ଜିତ୍‌, ୩୫, ଙ୍କୁ ପ୍ରଥମେ ଦୁଇଟି ଏସ୍‌ୟୁଭି (ସ୍ପୋର୍ଟସ ୟୁଟିଲିଟି ଭେହିକଲ୍‌) ଧକ୍କା ଦେଇଥିଲେ ଓ ତୃତୀୟଟି ତାଙ୍କ ଉପରେ ମାଡ଼ି ଯାଇଥିଲା । “ଆମର ୧୬ ବର୍ଷର ପୁଅ ରାଜଦୀପ ଏ ସବୁ କିଛି ନିଜେ ଦେଖିଥିଲା,” ବୋଲି ଦଲଜିତ୍‌ଙ୍କ ସ୍ତ୍ରୀ ପରମଜିତ କୌର କହିଲେ । “ସେଦିନ ସକାଳ ବେଳା ସେ ବିରୋଧ ପ୍ରଦର୍ଶନ କରିବାକୁ ଯିବା ପୂର୍ବରୁ, ଦଲ୍‌ଜିତ ହସୁଥିଲେ ଓ ଆମକୁ ହାତ ହଲାଇ ବାଏ କହୁଥିଲେ । ଏପରିକି ଘଟଣା ଘଟିବାର ୧୫ମିନିଟ ପୂର୍ବରୁ ଆମେ କଥା ହେଇଥିଲୁ,” ବୋଲି ସେ ମନେପକାଇ କହିଲେ । “ସେ କେତେବେଳେ ଆସିବେ ବୋଲି ମୁଁ ତାଙ୍କୁ ପଚାରିଥିଲି । ‘ଏଠି ବହୁତ ଲୋକ ଅଛନ୍ତି । ମୁଁ ଶୀଘ୍ର ଫେରିବି ବୋଲି ସେ କହିଥିଲେ”। ତାହା କେବେ ହେଲା ନାହିଁ ।

କୃଷି ଆଇନ ରଦ୍ଦ କରିବା ପାଇଁ ଯେତେବେଳେ ଘୋଷଣା କରାଗଲା, ସେତେବେଳେ ଘରର ବାତାବରଣ ଦୁଃଖମୟ ଥିଲା, ବୋଲି ପରମଜିତ କୁହନ୍ତି । “ସେ ଦିନ ପୁଣି ଆମ ପରିବାର ଦଲ୍‌ଜିତ୍‌ଙ୍କୁ ହରାଇଥିବାରୁ ଶୋକାକୂଳ ହୋଇଯାଇଥିଲା”। ଜଗଜିତ କହିଲେ, “ଆଇନ୍‌ ପ୍ରତ୍ୟାହାର ମୋ ଭାଇକୁ ଫେରାଇ ଆଣିପାରିବ ନାହିଁ । ଏହା ସେହି ୭୦୦ଜଣ ସହିଦ୍‌ଙ୍କ ମଧ୍ୟରୁ କାହାରିକୁ ମଧ୍ୟ ସେମାନଙ୍କର ପ୍ରିୟଜନଙ୍କ ପାଖକୁ ଫେରାଇ ଆଣିପାରିବନାହିଁ’’।

ଯେଉଁ ଏସ୍‌ୟୁଭି ଗାଡି ଲଖିମପୁର ଖେରିରେ ବିରୋଧ ପ୍ରଦର୍ଶନକାରୀଙ୍କ ଉପରେ ମାଡ଼ି ଯାଇଥିଲା, ତାହା ଜନଗହଳିପୂର୍ଣ୍ଣ  ସ୍ଥାନରେ ଧୀର ଗତିରେ ଯାଉଥିଲା, ହେଲେ ଅଳ୍ପ ଗହଳି ଥିବା ସ୍ଥାନରେ ସେମାନେ ଗତି ବଢ଼ାଇ ଦେଉଥିଲେ, ବୋଲି ୪୫ ବର୍ଷୀୟ ସତ୍‌ନାମ ଧିଲୋନ୍‌ କହିଲେ । ତାଙ୍କ ପୁଅ ଲଭ୍‌ପ୍ରିତ ସିଂ ଧିଲୋନ୍‌, ୧୯, ନିଷ୍ପୀଡ଼ିତମାନଙ୍କ ମଧ୍ୟରେ  ଥିଲା । “ସେମାନେ ଲୋକମାନଙ୍କୁ ବାରମ୍ବାର ଧକ୍କା ଦେଉଥିଲେ ଓ କୌଣସି ବାଛବିଚାର ନକରି ସେମାନଙ୍କର ହତ୍ୟା କରୁଥିଲେ,” ବୋଲି ୟୁପିର ଖେରି ଜିଲ୍ଲା ପଲିଆ ତହସିଲର ଭଗୱନ୍ତ ନଗର ଗ୍ରାମ ନିବାସୀ ସତ୍‌ନାମ କହିଲେ । ଏହି ଅଘଟଣ ଘଟିବାବେଳକୁ ସେ ଆନ୍ଦୋଳନ ସ୍ଥଳରେ ନଥିଲେ ହେଲେ ଘଟଣାପରେ ସେଠାରେ ପହଞ୍ଚିବା ପରେ କେହି ଜଣେ ତାଙ୍କ ଆଗରେ ସମ୍ପୂର୍ଣ୍ଣ ଘଟଣା ବର୍ଣ୍ଣନା କରିଥିଲେ ।

ଲଭପ୍ରିତଙ୍କ ମା’ ସତ୍‌ୱିନ୍ଦର କୌର, ୪୨, ରାତିରେ ବାରମ୍ବାର ନିଦରୁ ଉଠି ଯାଆନ୍ତି ଓ ତାଙ୍କ ପୁଅ ସତ୍‌ନାମ କଥା ମନେପକାଇ ଭୋ ଭୋ ହୋଇ କାନ୍ଦନ୍ତି । “ଆମର ଦାବି ହେଉଛି ସେହି ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ଓ ତାଙ୍କ ପୁଅକୁ ଦଣ୍ଡିତ କରାଯାଉ । ଆମେ କେବଳ ନ୍ୟାୟ ଚାହୁଁ’’।

“ଆମକୁ ନ୍ୟାୟ ମିଳିବ, ତାହା ନିଶ୍ଚିତ କରିବାପାଇଁ ସରକାର କିଛି କରୁନାହାନ୍ତି,” ବୋଲି ଖେରି ଧୌରହର ତହସିଲର ଜଗଦୀପ ସିଂକହିଲେ । ତାଙ୍କ ବାପା, ୫୮ବର୍ଷୀୟ ନାଚତ୍ତର ସିଂଙ୍କୁ ଲଖିମପୁର ହିଂସାରେ ହତ୍ୟା କରାଯାଇଥିଲା । ଏହି ଦୁଃଖଦ ଘଟଣା ବିଷୟରେ କହିବାକୁ ଯେତେବେଳେ କୁହାଗଲା, ଉତ୍ତେଜିତ ହୋଇ ୩୧ବର୍ଷୀୟ ଜଗଦୀପ କହିଲେ “ଆମ ଉପରେ କ’ଣ ବିତୁଛି, ସେ ବିଷୟରେ ପଚାରିବା ଠିକ୍‌ କଥା ନୁହେଁ । ଏହା ହେଉଛି ଜଣେ ଭୋକିଲା ମଣିଷ ଭୋଗୁଥିବା ଦୁର୍ଦ୍ଦଶା ଭଳି, ଯାହାର ହାତଗୁଡ଼ିକ ପଛରେ ବାନ୍ଧିଦେଇ, ତା’ ସାମନାରେ ଖାଦ୍ୟ ରଖାଯାଇ ‘ଖାଦ୍ୟ କିଭଳି ଲାଗିଲା’ ବୋଲି ପଚରାଯିବା? ଏହା ପରିବର୍ତ୍ତେ, ମୋତେ କୁହନ୍ତୁ ନ୍ୟାୟ ପାଇଁ ଏହି ଲଢ଼େଇ ଏବେ କେଉଁଠାରେ ପହଞ୍ଚିଛି। ଆମେମାନେ ଏହି ସରକାରର କ’ଣ ଅନିଷ୍ଟ କରିଛୁ? ଚାଷୀମାନଙ୍କୁ ଏଭଳିଭାବେ କାହିଁକି ଦମନ କରାଯାଉଛି?

From the left: Harbansh Singh and Pal Singh, from Patiala district, and Ravinder Pal, from Ludhiana district, Punjab
From the left: Harbansh Singh and Pal Singh, from Patiala district, and Ravinder Pal, from Ludhiana district, Punjab
From the left: Harbansh Singh and Pal Singh, from Patiala district, and Ravinder Pal, from Ludhiana district, Punjab

ବାମରୁ : ପଞ୍ଜାବର ପଟିଆଲା ଜିଲ୍ଲାର ହରବଂଶ ସିଂ ଓ ପାଲ୍ ସିଂ ଓ ଲୁଧିଆନା ଜିଲ୍ଲାର ରବିନ୍ଦର ପାଲ

ଜଗ୍‌ଦୀପ୍‌ ହେଉଛନ୍ତି ଜଣେ ଡାକ୍ତର ଓ ତାଙ୍କର ସାନ ଭାଇ ଦେଶର ସୀମା ସୁରକ୍ଷା ପାଇଁ ରହିଥିବା ଏକ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ସହିତ, ସଶସ୍ତ୍ର ସୀମା ବଳରେ କାମ କରନ୍ତି । “ଆମେ ଦେଶ ସେବା କରୁଛୁ” ବୋଲି ଜଗଦୀପ କ୍ରୋଧରେ କହିଲେ । “ଜଣେ ପୁଅକୁ ପଚାର ତା ବାପାକୁ ହରାଇ ସେ କ’ଣ ଅନୁଭବ କରିଥାଏ।”

ମନ୍‌ପ୍ରିତ ସିଂ ମଧ୍ୟ ତାଙ୍କ ବାପା ସୁରେନ୍ଦର ସିଂଙ୍କୁ ଡିସେମ୍ବର ୪, ୨୦୨୦ରେ ଏକ ଦୁର୍ଘଟଣାରେ ହରାଇଥିଲେ । ସୁରେନ୍ଦର, ୬୪, ସହୀଦ ଭଗତ ସିଂ ନଗରର ବାଲାଚୌର ତହସିଲ୍ ‌ରେ ଥିବା ତାଙ୍କ ଗ୍ରାମ ହସନ୍‌ପୁରଖୁର୍ଦରୁ ଦିଲ୍ଲୀ ଅଭିମୁଖେ ଯାଉଥିଲେ, ବିରୋଧ ପ୍ରଦର୍ଶନରେ ଯୋଗ ଦେବାପାଇଁ । ଆଉ, ହରିୟାଣାର ସୋନିପତ୍‌ ନିକଟରେ ଅଘଟଣ ଘଟିଥିଲା । "(ମୋତେ ବହୁତ ଦୁଃଖ ହେଉଛି, ହେଲେ ମୁଁ ଗର୍ବିତ । ସେ ଏହି ଆନ୍ଦୋଳନରେ ଯୋଗ ଦେଇ ଆତ୍ମୋର୍ତ୍ସୋଗ କରିଛନ୍ତି । ସେ ଜଣେ ସହିଦ୍‌ଙ୍କ ଭଳି ମରିଛନ୍ତି, ବୋଲି ୨ ୯ ବର୍ଷୀୟ ମନପ୍ରିତ୍‌ କୁହନ୍ତି । “ସୋନିପତ୍‌ର ପୋଲିସ୍‌ କର୍ମଚାରୀମାନେ ମୋତେ ମୋ’ ବାପାଙ୍କ ମରଶରୀର ଖୋଜି ବାହାର କରିବାରେ ସାହାଯ୍ୟ କରିଥିଲେ’’।

ହରବଂଶ ସିଂ, ୭୩, ମଧ୍ୟ ସେହି ପଞ୍ଜାବର ପଟିଆଲା ଜିଲ୍ଲାର ସେହି ଚାଷୀମାନଙ୍କ ମଧ୍ୟରୁ ଜଣେ ଯିଏ ଆନ୍ଦୋଳନ ସ୍ଥଳ ଦିଲ୍ଲୀ ସୀମାକୁ ଆସିବା  ପୂର୍ବରୁ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଦେଇଥିଲେ। ଭାରତୀ କିଷାନ ୟୁନିୟନ୍‌ (ସିଧୁପୁର)ର ସଦସ୍ୟ ହରବଂଶ ପଟିଆଲା ତହସିଲ ଅନ୍ତର୍ଗତ ତାଙ୍କ ଗ୍ରାମ ମେହେମୁଦ୍‌ପୁରଜତ୍ତନରେ ଗୋଟିଏ ସଭାକୁ ସମ୍ବୋଧିତ କରୁଥିଲେ । ଗତ ବର୍ଷ ଅକ୍ଟୋବର ୧୭ରେ ଭାଷଣ ଦେଉଥିବା ବେଳେ ସେ ସଂଘାତର ଶିକାର ହୋଇଥିଲେ। “ସେ ଦର୍ଶକମାନଙ୍କୁ ଆଇନ୍‌ ବିଷୟରେ ବର୍ଣ୍ଣନା କରୁଥିବାବେଳେ ପଡ଼ିଗଲେ। ହୃଦ୍‌ଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା,” ବୋଲି ତାଙ୍କର ୨ ୯ ବର୍ଷ ବୟସ୍କ ପୁଅ ଜଗ୍‌ତାର ସିଂ କହିଲେ ।

“ଆମେ ସେତେବେଳେ ଖୁସି ହୁଅନ୍ତୁ, ଯଦି ଯେଉଁମାନେ ମରିଗଲେ ସେମାନଙ୍କୁ ଏପରି ମରିବାକୁ ପଡିନଥାନ୍ତା,” ବୋଲି ଜଗ୍‌ତାର କୁହନ୍ତି ।

ଯେତେବେଳେ ୫୮ ବର୍ଷୀୟ ଚାଷୀ  ପାଲ୍‌ ସିଂ, ଯାହାର ପଟିଆଲାର ନଭ ତହସିଲରେ ଥିବା ତାଙ୍କ ଗ୍ରାମ ସାହୌଲିରେ ୧.୫ଏକର ଜମି ଅଛି, ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନରେ ଯୋଗ ଦେବାପାଇଁ ବାହାରିଲେ, “ମୁଁ ଜୀବିତ ଆସିବା ଆଶା ରଖିବ ନାହିଁ ’’ କହିଥିବା ତାଙ୍କ ବୋହୁ ଅମନଦୀପ କୌର କହିଲେ । ଡିସେମ୍ବର ୧୫, ୨୦୨୦ରେ ହୃଦ୍‌ଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । “ଯେଉଁମାନେ ଚାଲିଗଲେ, ସେମାନଙ୍କୁ କେହି ମଧ୍ୟ ଫେରାଇ ଆଣିପାରିବେ ନାହିଁ,” ବୋଲି କଲେଜ୍‌ରେ ଲାଇବ୍ରେରୀ ମ୍ୟାନେଜ୍‌ମେଣ୍ଟ ଅଧ୍ୟୟନ କରିଥିବା ୩୧ ବର୍ଷୀୟ ଅମନଦୀପ ପ୍ରକାଶ କରିଛନ୍ତି । କିନ୍ତୁ ଯେଉଁ ଦିନ କୃଷକମାନେ ଦିଲ୍ଲୀରେ ପହଞ୍ଚିଲେ ସେହି ଦିନ ଆଇନକୁ ରଦ୍ଦ କରାଯିବା ଉଚିତ୍। ‘‘ଅପରନ୍ତୁ, ସେମାନେ (ସରକାର ଓ ପୋଲିସ୍‌) ତାହା କଲେ ଯାହା ଚାଷୀମାନଙ୍କ ପଥ ଅବରୋଧ କରିବା ପାଇଁ ସେମାନେ କରିପାରିଥାନ୍ତେ ।  ସେମାନେ ବାରିକେଡ୍‌ ଲଗାଇଲେ ଓ ଗାତ ଖୋଳିଲେ’’।

ପାଲ୍‌ ସିଂ ଏକ  ଚାରିଜଣିଆ ପରିବାରର ମୁଖ୍ୟ ଉପାର୍ଜନକାରୀ ସଦସ୍ୟ ଥିଲେ, ଯାହା ବୋଝ ତଳେ ଦବି ରହିଛି । ଅମନଦୀପ ଟେଲର୍‌ ଭାବେ କାମ କରନ୍ତି, ହେଲେ, ତାଙ୍କ ସ୍ୱାମୀ କିଛି କରନ୍ତି ନାହିଁ ଓ ତାଙ୍କ ମା’ ହେଉଛନ୍ତି ଜଣେ ଗୃହିଣୀ । “ମରିବାର ଗୋଟିଏ ଦିନ ପୂର୍ବରୁ ସେ ତାଙ୍କ ଜୋତା ପିନ୍ଧି ଶୋଇ ପଡିଥିଲେ । “ସେ ପରଦିନ ବଡ଼ିଭୋରରୁ ସେଠାରୁ ବାହାରି ଘରକୁ ଆସିବାକୁ ଚାହୁଁଥିଲେ,” ବୋଲି ଅମନଦୀପ କହିଲେ । “ତାଙ୍କ ମରଶରୀର ଘରକୁ ଆସିଲା, ସେ ନୁହେଁ”।

From the left: Malkit Kaur, from Mansa district, Punjab; Raman Kashyap, from Kheri district, UP; Gurjinder Singh, from Hoshiarpur district, Punjab
From the left: Malkit Kaur, from Mansa district, Punjab; Raman Kashyap, from Kheri district, UP; Gurjinder Singh, from Hoshiarpur district, Punjab
From the left: Malkit Kaur, from Mansa district, Punjab; Raman Kashyap, from Kheri district, UP; Gurjinder Singh, from Hoshiarpur district, Punjab

ବାମରୁ : ପଞ୍ଜାବର ମନ୍‌ସା ଜିଲ୍ଲାର ମାଲ୍‌କିତ୍‌ କୌର ; ୟୁପିର ଖେରି ଜିଲ୍ଲାର ରମଣ କଶ୍ୟପ ; ପଞ୍ଜାବ , ହୋସିଆର୍‌ପୁର ଜିଲ୍ଲାର ଗୁର୍‌ଜିନ୍ଦର ସିଂ

ପଞ୍ଜାବର ଲୁଧିଆନା ଜିଲ୍ଲା ଖନ୍ନା ତହସିଲର ଇକୋଲାହାରୁ ଆସିଥିବା ୬୭ ବର୍ଷୀୟ ରବିନ୍ଦର ପାଲଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ଡିସେମ୍ବର ୩ରେ, ସିଂଘୁରେ ବିଳ୍ପବାତ୍ମକ ସଂଗୀତ ଗାଉଥିବା ଏକ ଭିଡିଓରେ ରେକର୍ଡ ହୋଇଛି । ସେ ଏକ  ଧଳା କୁର୍ତ୍ତା ପିନ୍ଧିଥିଲେ, ଯେଉଁଥିରେ ଲାଲ୍‌ କାଳିରେ ସ୍ଲୋଗାନମାନ ଲେଖାଯାଇଥିଲା, ଯେପରିକି ‘ପ୍ରଣାମ ସହିଦୋଁ କୋ’ (ସହିଦ୍‌ମାନଙ୍କୁ ନମସ୍କାର), ‘ନାପଗ୍‌ଡିନା ଟପ୍‌, ଭଗତ୍‌ସିଂ ଏକ ସୋଚ୍‌’ (ପଗଡ଼ି ନୁହେଁ କି ଟୋପି ନୁହେଁ, ଭଗତ ସିଂଙ୍କ ଚିନ୍ତାଧାରାକୁ ସଲାମ) ।

ଅଥଚ, ସେହିଦିନ ଉପରବେଳା ଆଡ଼କୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଇଥିଲା। ତାଙ୍କୁ ଡିସେମ୍ବର ୫ରେ ଲୁଧିଆନା ସ୍ଥାନାନ୍ତରିତ କରାଗଲା, ଯେଉଁଠାରେ ପରବର୍ତ୍ତୀ ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ‘‘ସେ ଅନ୍ୟମାନଙ୍କର ଚେତନା ଜାଗ୍ରତ କରୁଥିଲେ ଆଉ ବର୍ତ୍ତମାନ ନିଜେ ଚିରଦିନ ପାଇଁ ଶୋଇଗଲେ,” ବୋଲି ୨୦୧୦ରୁ ୨୦୧୨ ପର୍ଯ୍ୟନ୍ତ ଭୂଟାନ୍‌ ରାଜପରିବାରର ସୈନିକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିବା ତାଙ୍କର ପୁଅ , ୪୨ବର୍ଷୀୟ ରାଜେଶ କୁମାର କହିଲେ । “ମୋର ବାପା କୃଷି ଶ୍ରମିକ ସଂଘର ଜଣେ ସଦସ୍ୟ ଥିଲେ ଓ ସେମାନଙ୍କ ଏକତା ପାଇଁ କାମ କରୁଥିଲେ,” ବୋଲି ରାଜେଶ ବର୍ଣ୍ଣନା କରି କହିଲେ ।

ଷାଠିଏ ବର୍ଷ ବୟସରେ ମଧ୍ୟ ମାଲ୍‌କିତ୍‌ କୌର ପଞ୍ଜାବର ମନ୍‌ସାରେ ମଜ୍‌ଦୂର ମୁକ୍ତି ମୋର୍ଚ୍ଚାର ଜଣେ ସକ୍ରିୟ ସଦସ୍ୟ ଥିଲେ । ସେ ଶ୍ରମିକମାନଙ୍କ ଅଧିକାର ପାଇଁ ଅଭିଯାନ ଚଲାଉଥିଲେ । କିଛି ଜମିଜମା ନଥିବା ଜଣେ ଦଳିତ, ୧,୫୦୦ ଚାଷୀମାନଙ୍କର ଏକ ଦଳ ସହିତ ଗତବର୍ଷ ଡିସେମ୍ବର ୧୬ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲେ । “ସେମାନେ ହରିୟାଣାରେ ଫତେହବାଦ୍‌ଠାରେ ଏକ ଲଙ୍ଗରରେ (ଗୋଷ୍ଠୀ ପାକଶାଳା) ରହିଲେ । ସେ ରାସ୍ତା ପାରି ହେଉଥିବାବେଳେ ଗୋଟିଏ ଯାନ ତାଙ୍କୁ ଧକ୍କା ଦେବାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା,” ବୋଲି ସଂଗଠନର ଶ୍ରମିକମାନଙ୍କ ସ୍ଥାନୀୟ ମୁଖିଆ ଗୁର୍‌ଜନ୍ତ ସିଂ କହିଲେ ।

ଅକ୍ଟୋବର ୩, ୨୦୨୧ର ଲଖିମପୁର ଖେରୀ ଘଟଣାରେ ୩୪ ବର୍ଷୀୟ ରମଣ କଶ୍ୟପ ହତ୍ୟାର ଶିକାର ହୋଇଥିଲେ । ଦୁଇଟି ସନ୍ତାନର ବାପା, ଶ୍ରୀ କଶ୍ୟପ ଖେରିର ନିଘସାନ୍‌ ତହସିଲରୁ ସାଧନା ପ୍ଲସ୍‌ ନାମକ ଏକ ଟିଭି ନ୍ୟୁଜ୍‌ ଚ୍ୟାନେଲ୍‌ ପାଇଁ କାମ କରୁଥିଲେ। “ସେ ସବୁବେଳେ ସମାଜ ସେବା ପାଇଁ ଆଗ୍ରହୀ ଥିଲେ,” ବୋଲି ତାଙ୍କ ଭାଇ, ଚାଷୀ ପୱନ କଶ୍ୟପ କହିଲେ। ସେ, ରମଣ ଓ ସେମାନଙ୍କର ତୃତୀୟ ଭାଇଙ୍କ ପାଖରେ ଯୁଗ୍ମଭାବେ ଚାରି ଏକର ଭୂମି ଅଛି । “ସେ ଏକ ଗାଡ଼ିର ଚକ ତଳେ ଆସିଯାଇଥିଲେ ଓ ପଡ଼ିଯାଇଥିଲେ । ଘଟଣା ସ୍ଥଳରେ ତାଙ୍କୁ ତିନି ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଉପେକ୍ଷା କରାଯାଇଥିଲା । ତାଙ୍କର ଶରୀରକୁ ସିଧାସଳଖ ଅଟୋପ୍ସି ପାଇଁ ପଠାଇଦିଆଯାଇଥିଲା’’ ବୋଲି ତାଙ୍କ ଜମିରେ ଚାଷ କରୁଥିବା ୩୨ବର୍ଷ ବୟସ୍କ ପବନ କହିଲେ । “ମୁଁ ତାଙ୍କୁ ଶବାଗାରରେ ଦେଖିଥିଲି । ଟାୟାର ଓ ରାସ୍ତାରେ ବିଛା ଯାଇଥିବା ମୋଟା ବାଲି ଓ ଗେଟିରେ ଘଷି ହୋଇ ତାଙ୍କ ଶରୀରର ବିଭିନ୍ନ ସ୍ଥାନ ରାଞ୍ଚୁଡ଼ି ହୋଇଯାଇଥିଲା । ସଠିକ୍‌ ସମୟରେ ତାଙ୍କର ଉପଚାର କରାଯାଇଥିଲେ ସେ ବଞ୍ଚିଯାଇଥାନ୍ତେ।’’

ପିଲାମାନଙ୍କୁ ହରାଇଥିବା ପରିବାରଗୁଡ଼ିକ ପାଇଁ ଜୀବନ ବୋଝ ପାଲଟି ଯାଇଛି । ପଞ୍ଜାବର ହୋସିଆର୍‌ପୁର ଜିଲ୍ଲା ଗର୍‌ଶଙ୍କର ତହସିଲ ଅନ୍ତର୍ଗତ ତଣ୍ଡାର ଗୁର୍‌ଜିନ୍ଦର ସିଂଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା । “ଆମର ପରିବାର ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି। ସରକାର ଏହିପରି ଭୟଙ୍କର ଆଇନ୍‌ କାହିଁକି ଆଣିଲେ? ବୋଲି ତାଙ୍କ ମା, ୩୮ ବର୍ଷ ବୟସ୍କ କୁଲବିନ୍ଦର କୌର କୁହନ୍ତି । ଗୁଜିନ୍ଦର ଦିଲ୍ଲୀ ବାହାରେ ଥିବା ବିରୋଧ ପ୍ରଦର୍ଶନ ସ୍ଥଳକୁ ଯିବାବେଳେ ଡିସେମ୍ବର ୧୬,୨୦୨୦ରେ କର୍‌ନାଲ୍‌ ଠାରେ ସେ ଯେଉଁ ଟ୍ରାକ୍ଟରରେ ଯାତ୍ରା କରୁଥିଲେ, ସେଥିରୁ ତଳକୁ ଖସି ପଡ଼ିଥିଲେ। ଏହାର ମାତ୍ର ୧୦ଦିନ ପୂର୍ବରୁ, ଡିସେମ୍ବର ୬ରେ, ହରିୟାଣାର କୈଥାଲ ଜିଲ୍ଲା ଗୁହଲା ତହସିଲ ଅନ୍ତର୍ଗତ ମସ୍ତଗଡ଼ର ୧୮ ବର୍ଷ ବୟସ୍କ ଜସ୍‌ପ୍ରିତ୍‌ ସିଂ ସିଙ୍ଘୁକୁ ଯାତ୍ରା କରୁଥିଲେ । ସେ ଯେଉଁ ଗାଡ଼ିରେ ଯାତ୍ରା କରୁଥିଲେ, ତାହା କେନାଲ୍‌କୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଜସ୍‌ପ୍ରିତ୍‌ଙ୍କ ୫୦ବର୍ଷୀୟ ଦାଦା ପ୍ରେମ ସିଂ କହିଲେ ଯେ “ଯେଉଁ ପରିବାରଗୁଡ଼ିକ ସେମାନଙ୍କ ପ୍ରିୟଜନମାନଙ୍କୁ ହରାଇଛନ୍ତି, ସେମାନଙ୍କ ପାଇଁ ଆଇନ୍‌ ପ୍ରତ୍ୟାହାର ହେଲା କି ନାହିଁ ? ତାହା ମୂଲ୍ୟହୀନ’’।

ମୃତକମାନଙ୍କ ପରିବାର ସହିତ କଥାହେବାବେଳେ ମୁଁ ଜାଣି ପାରୁଥିଲି ଯେ ଦିଲ୍ଲୀର ରୁକ୍ଷ ଜଳବାୟୁରେ ମୃତ୍ୟୁର ମୁଖ୍ୟ କାରଣ ହେଉଛି ସଡ଼କ ଦୁର୍ଘଟଣା, ମାନସିକ ଚାପ, ଶାରିରୀକ କଷ୍ଟ ଆଦି । କୃଷି ଆଇନ୍‌ ଜନିତ ମାନସିକ ଯନ୍ତ୍ରଣା ଓ ଏହା ପରବର୍ତ୍ତୀ ଅନିର୍ଦ୍ଦିଷ୍ଟତା, ଚାଷୀମାନେ ହୃଦୟଙ୍ଗମ କରିପାରୁଥିବା ଉଦାସୀନତା ସହିତ ମିଶି ଆତ୍ମହତ୍ୟା ଜନିତ ମୃତ୍ୟୁର ସୂତ୍ରପାତ ହୋଇଥିଲା ।

From the left: Jaspreet Singh, from Kaithal district, Haryana; Gurpreet Singh, from Fatehgarh Sahib district, Punjab; Kashmir Singh, from Rampur district, UP
From the left: Jaspreet Singh, from Kaithal district, Haryana; Gurpreet Singh, from Fatehgarh Sahib district, Punjab; Kashmir Singh, from Rampur district, UP
From the left: Jaspreet Singh, from Kaithal district, Haryana; Gurpreet Singh, from Fatehgarh Sahib district, Punjab; Kashmir Singh, from Rampur district, UP

ବାମରୁ : ହରିୟାଣାର କୈଥାଲ୍‌ ଜିଲ୍ଲାର ଜସ୍‌ପ୍ରିତ୍‌ ସିଂ , ପଞ୍ଜାବର ଫତେଗ ଡ଼ ସାହିବ ଜିଲ୍ଲାର ଗୁର୍‌ପ୍ରିତ୍‌ ସିଂ ; ୟୁପିର ରାମପୁର ଜିଲ୍ଲା ରୁ କଶ୍ମୀର ସିଂ

ନଭେମ୍ବର ୧୦,୨୦୨୧ ରେ, ୪୫  ବର୍ଷର  ଗୁର୍‌ପ୍ରିତ ସିଂଙ୍କ ମରଶରୀର ସିଙ୍ଘୁର ଧାରଣା ସ୍ଥଳ ପାଖରେ ଥିବା ଏକ ସ୍ଥାନୀୟ ଭୋଜନାଳୟ ସମ୍ମୁଖରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା। କେବଳ ଗୋଟିଏ ଶବ୍ଦ, ଜିମ୍ମେଦାର (ଉତ୍ତରଦାୟୀ) ତାଙ୍କ ବାମ ହାତରେ ଲେଖା ହୋଇଥିଲା ବୋଲି ତାଙ୍କର ୨୧ବର୍ଷର ପୁଅ ଲଭ୍‌ପ୍ରିତ୍‌ ସିଂ ମୋତେ କହିଲେ। ପଞ୍ଜାବର ଫତେଗଡ଼ ଜିଲ୍ଲା ଅମ୍‌ଲୋହ ତହସିଲ୍ ‌ର ରୁର୍‌କି ଗ୍ରାମରେ ତାଙ୍କର ଅଧା ଏକର ଜମି ଅଛି, ଯାହା ପରିବାରର ଗୋ-ସମ୍ପଦକୁ ଘାସ ଯୋଗାଉଥିଲା। ସେ ପିଲାମାନଙ୍କୁ ଏଠାରୁ ୧୮କିଲୋମିଟର ଦୂରରେ ଅବସ୍ଥିତ ମଣ୍ଡି ଗୋବିନ୍ଦଗଡ଼କୁ ପିଲାମାନଙ୍କୁ ଘରୁ ସ୍କୁଲ୍‌କୁ ଓ ସ୍କୁଲ୍‌ରୁ ଘରକୁ, ନେବା ଆଣିବ କରି ଜୀବିକା ନିର୍ବାହ କରୁଥିଲେ । “ଯଦି ୧୦ଦିନ ପୂର୍ବେ ଆଇନ୍‌ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନିଆଯାଇଥାନ୍ତା, ତା’ହେଲେ ଆଜି ମୋର ବାପା ବଞ୍ଚିଥାନ୍ତେ ବୋଲି ୨୧ବର୍ଷର ପୁଅ ଲଭ୍‌ପ୍ରିତ୍‌ ଯିଏ ମଣ୍ଡି ଗୋବିନ୍ଦଗଡ଼ରେ ଥିବା ଦେଶ ଭଗତ ବିଶ୍ୱବିଦ୍ୟାଳୟର ବି କମ୍‌ ଛାତ୍ର ଅଟନ୍ତି, କହିଲେ । ସରକାର ଚାଷୀମାନଙ୍କ ସମସ୍ତ ଦାବି ମାନିନେବା ଉଚିତ, ଯାହାଫଳରେ ମୋ ବାପାଙ୍କ ଭଳି ଆଉ କେହି ଏହିପରି ଏକ ପଦକ୍ଷେପ ନେବା ପାଇଁ ବାଧ୍ୟ ହେବେ ନାହିଁ।

କଶ୍ମୀର ସିଂଙ୍କ ଜନ୍ମ ୧୫ ଅଗଷ୍ଟ, ୧୯୪୭ରେ ହୋଇଥିଲା, ଯେଉଁଦିନ ଆଧୁନିକ ଭାରତ ବ୍ରିଟିଶ୍‌ ଶାସନ ମୁକ୍ତ ହୋଇଥିଲା। ୟୁପିର ରାମପୁର ଜିଲ୍ଲାର ସୁଆର୍‌ ବ୍ଲକ୍‌ ଅନ୍ତର୍ଗତ ପାସିଆପୁରାର ଜଣେ ଚାଷୀ ଥିଲେ, ସେ ଘାଜିପୁର୍‌ ସାଇଟ୍‌ରେ ତିଆରି ହୋଇଥିବା ଗୋଷ୍ଠୀ ପାକଶାଳାରେ କାମରେ ସାହାଯ୍ୟ କରୁଥିଲେ । ହେଲେ, ଜାନୁଆରୀ ୨,୨୦୨୧ରେ ସେ ନିଜକୁ ଫାଶି ଲଗାଇ ମରିଯାଇଥିଲେ । ଆଉ, ସେ ଏକ ନୋଟ୍‌ ଛାଡି ଯାଇଥିଲେ, ଯେଉଁଥିରେ ସେ କହିଥିଲେ ଯେ “ମୁଁ କୃଷି ଆଇନ୍‌ର ବିରୋଧ କରିବାକୁ ମୋର ଶରୀର ତ୍ୟାଗ କରୁଛି”।

“ସହିଦ୍‌ମାନଙ୍କର ୭୦୦ ପରିବାରକୁ ଏବେ କିଭଳି ଅନୁଭବ ହେଉଥିବ?” ବୋଲି କଶ୍ମୀର ସିଂଙ୍କର ନାତି ଗୁର୍‌ବିନ୍ଦର ସିଂ ମୋତେ ପଚାରିଲେ । “ଯଦିଓ ଆଇନ୍‌ ପ୍ରତ୍ୟାହାର କରାଯାଇଛି, ହେଲେ, ଆମର ୭୦୦ ଚାଷୀ ଆଉ କେବେ ମଧ୍ୟ ଫେରିବେ ନାହିଁ ’’।

ଦିଲ୍ଲୀ ଚାରିପାଖରେ ଥିବା ବିରୋଧ ପ୍ରଦର୍ଶନ ସ୍ଥଳଗୁଡ଼ିକ ଖାଲି ହୋଇଗଲାଣି, ହେଲେ ଏମ୍‌ଏସ୍‌ପିର ଏକ ବୈଧାନିକ ଗ୍ୟାରେଣ୍ଟି ଓ ସହିଦଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ସରକାରଙ୍କ ଉପରେ ଚାଷୀମାନେ ଚାପ ପକାଇବା ଜାରି ରଖିଛନ୍ତି । ଅଥଚ, ୧, ୨୦୨୧ରେ, ସଂସଦରେ ଉପସ୍ଥାପିତ ଲିଖିତ ଉତ୍ତରରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଲେ ଯେ ଅନୁକମ୍ପା ରାଶିର କୌଣସି ପ୍ରଶ୍ନ ଉଠୁନାହିଁ ଯେହେତୁ ସରକାରଙ୍କ ପାଖରେ ମୃତ୍ୟୁର କୌଣସି ରେକର୍ଡ ନାହିଁ ।

ଯଦି ସରକାର ଟିକିଏ ଦୃଷ୍ଟି ରଖିଥାନ୍ତେ, ତାହାହେଲେ କେତେଜଣ ମରିଛନ୍ତି ତାହା ଜାଣିପାରିଥାନ୍ତେ ବୋଲି ଗୁର୍‌ବିନ୍ଦର କୁହନ୍ତି। ‘‘ଚାଷୀମାନେ ରାଜପଥ ଉପରେ ବସିଥିବାବେଳେ ସରକାର ତାଙ୍କର ଭବନରେ ବିଶ୍ରାମ କରୁଥିଲେ।’’ ଟେକ୍ନୋଲୋଜି ଓ ଡାଟା ସହଜରେ ଉପଲବ୍ଧ ହେଉଥିବାବେଳେ, “ଏହି ଆନ୍ଦୋଳନରେ ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ଡାଟା ବାହାର କରିବା କିଭଳି ସମ୍ଭବ ହୋଇପାରୁନାହିଁ?” ବୋଲି ମଜ୍‌ଦୁର ମୁକ୍ତି ମୋର୍ଚାର ଗୁର୍‌ଜନ୍ତ ସିଂ କୁହନ୍ତି ।

ଗୁର୍‌ପ୍ରିତ ସିଂ ଆଉ କେବେ ମଧ୍ୟ ଭାଷଣ ଦେବେ ନାହିଁ । ତାଙ୍କ ଭଳି ୭୦୦ରୁ ଅଧିକ ଅନ୍ୟ ଚାଷୀମାନେ ଦିଲ୍ଲୀ ସୀମାରେ ଲେଖା ଯାଇଥିବା ଇତିହାସର ଶେଷ ଅଧ୍ୟାୟର ସାକ୍ଷୀ କେବେ ମଧ୍ୟ ହୋଇପାରିବେ ନାହିଁ । ସେମାନଙ୍କର ସହ-ପ୍ରଦର୍ଶନକାରୀଙ୍କର ଆଖିରୁ ଲୁହ ପୋଛିବା ପାଇଁ ବା ବା ସେମାନଙ୍କ ସହିତ ବିଜୟର ସ୍ୱାଦ ଚାଖିବା ପାଇଁ ଏଠାରେ ସେମାନଙ୍କ ମଧ୍ୟରୁ କେହି ମଧ୍ୟ ନଥିଲେ । ହେଲେ, ବୋଧହୁଏ ସେମାନେ ପୃଥିବୀ ପୃଷ୍ଠରେ ଚାଷୀମାନେ ସେମାନଙ୍କୁ ସାଲ୍ୟୁଟ୍‌ କରୁଥିବା ଦେଖି ଦେଖି ଉପରେ ଆକାଶରେ  ସଫଳତାର ପତାକା ଉତ୍ତୋଳନ କରୁଥିବେ।

ସମସ୍ତ ଫଟୋ ସହିଦ ପରିବାର ସୌଜନ୍ୟରୁ । ପ୍ରଚ୍ଛଦ ଫଟୋ : ଅମୀର ମଲିକ।


ଯଦି ଆପଣଙ୍କ ଠାରେ ଆତ୍ମହତ୍ୟା ପ୍ରବଣତା ରହିଛି କିମ୍ବା ଆପଣ ହତାଶା ମଧ୍ୟରେ ରହିଛନ୍ତି ତା’ହେଲେ ଜାତୀୟ ହେଲ୍ପଲାଇନ, କିରନ ୧୮୦୦-୫୯୯-୦୦୧୯ ( ୪/୭ ନିଃଶୁଳ୍କ) କିମ୍ବା ଆପଣଙ୍କ ନିକଟରେ ଥିବା ଏପରି ଅନ୍ୟ କୌଣସି ହେଲ୍ପଲାଇନକୁ ଲ୍ କରନ୍ତୁ। ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସମ୍ପର୍କରେ ସୂଚନା ଏବଂ ସେବା ପାଇବାକୁ ହେଲେ, ଦୟାକରି ଏସପିଆଇଏଫର ମାନସିକ ସ୍ୱାସ୍ଥ୍ୟ ଡିରେକ୍ଟୋରୀ ଦେଖନ୍ତୁ।

ଅନୁବାଦ: ଓଡ଼ିଶାଲାଇଭ୍‍

Amir Malik

आमिर मलिक मुक्त पत्रकार असून २०२२ या वर्षासाठी ते पारी फेलो होते.

यांचे इतर लिखाण Amir Malik
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE