ଅଞ୍ଜନୀ ଯାଦବ ୨୦୨୦ ଅଗଷ୍ଟରେ ନିଜର ଦ୍ୱିତୀୟ ପ୍ରସବ ପରେ ନିଜ ବାପାଙ୍କ ଘରକୁ ଆସିଥିଲେ । ସେବେଠାରୁ ସେ ତାଙ୍କ ସ୍ୱାମୀ ବା ଶାଶୁ-ଶ୍ୱଶୁରଙ୍କ ପାଖକୁ ଯାଇନାହାନ୍ତି । ୩୧ ବର୍ଷୀୟା ଅଞ୍ଜନୀ ଏବଂ ତାଙ୍କର ଦୁଇ ପିଲା ଏବେ ବିହାରର ଗୟା ଜିଲ୍ଲା ବୋଧଗୟା ବ୍ଲକ୍‌ ଅଧୀନ ବକରୌର ଗାଁରେ ଥିବା ତାଙ୍କ ବାପ ଘରେ ରହୁଛନ୍ତି । ସେ ନିଜ ସ୍ୱାମୀଙ୍କ ଗାଁ ନାଁ ନେଉନାହାନ୍ତି ଯଦିଓ ତାହା ମାତ୍ର ଅଧା ଘଣ୍ଟା ଦୂର ରାସ୍ତାରେ ଅବସ୍ଥିତ ।

‘‘ସରକାରୀ ହସ୍ପିଟାଲରେ ମୋ ପ୍ରସବର ଦୁଇ ଦିନ ପରେ, ମୋ ଭାଉଜ (ସ୍ୱାମୀଙ୍କ ଭାଉଜ) ମୋତେ ରୋଷେଇ କରିବାକୁ ଏବଂ ଘର ସଫେଇ କରିବାକୁ କହିଲେ । ସେ କହିଲେ ଯେ ତାଙ୍କର ପ୍ରଥମ ପିଲା ଜନ୍ମ କରିବା ପରେ ଘରକୁ ଆସିବା ପରେ ସେ ବି ସମାନ କାମ କରିଥିଲେ । ସେ ମୋ’ଠାରୁ ୧୦ ବର୍ଷ ବଡ଼ । ମୋର ପ୍ରସବ ସମୟରେ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା । ଏମିତିକି ପିଲା ଜନ୍ମ ହେବା ପୂର୍ବରୁ ନର୍ସ କହିଥିଲେ ଯେ ମୋର ରକ୍ତ ହୀନତା ଥିଲା(ଗୁରୁତର ଆନିମିଆ) ଏବଂ ଫଳ ଓ ପନିପରିବା ଖାଇବା ଦରକାର । ଯଦି ମୁଁ ମୋର ଶାଶୁ ଘରେ ଥାଆନ୍ତି, ମୋର ଅବସ୍ଥା ଆହୁରି ଖରାପ ହୋଇଯାଇଥାଆନ୍ତା ।’’

ନିକଟରେ ଆସିଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS-5) ଅନୁସାରେ ଗତ ୫ ବର୍ଷ ଭିତରେ ଦେଶର ଅଧିକାଂଶ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଶିଶୁ ଓ ମହିଳାମାନଙ୍କଠାରେ ରକ୍ତହୀନତା ସମସ୍ୟା ଅଧିକ ଦେଖାଯାଉଛି ।

ଅଞ୍ଜନୀ ଆହୁରି କହିଲେ ଯେ ତାଙ୍କର ସ୍ୱାମୀ, ୩୨ ବର୍ଷୀୟ ସୁଖୀରାମ ଗୁଜରାଟର ସୁରଟରେ ଗୋଟିଏ ସୂତା କଳରେ କାମ କରନ୍ତି । ସେ ଦେଢ଼ ବର୍ଷ ହେଲା ଘରକୁ ଆସିନାହାନ୍ତି । ‘‘ସେ ପିଲା ଜନ୍ମ ବେଳେ ଘରକୁ ଆସିବାର ଥିଲା, କିନ୍ତୁ ତାଙ୍କ କମ୍ପାନୀ ଚେତାବନୀ ଦେଲା ଯେ ଦୁଇ ଦିନରୁ ଅଧିକ ଛୁଟି ନେଲେ ସେମାନେ କାମରୁ ବାହାର କରିଦେବେ । ଏହି କୋରୋନା ରୋଗ ପରେ ଆମ ଭଳି ଗରିବଙ୍କର ସ୍ଥିତି ଆର୍ଥିକ, ମାନସିକ ଏବଂ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆହୁରି ଖରାପ ହୋଇଯାଇଛି  । ତେଣୁ ମୁଁ ସମ୍ପୂର୍ଣ୍ଣ ଏକୁଟିଆ ଥିଲି ଆଉ ନିଜେ ନିଜେ ସବୁ କରୁଥିଲି ।

ସେ ପରୀକୁ କହିଲେ, ‘‘ତେଣୁ ତାଙ୍କ ଅନୁପସ୍ଥିତିରେ ମୋ ପାଇଁ ସୃଷ୍ଟି ହୋଇଥିବା ମରଣାନ୍ତର ପରିସ୍ଥିତିରୁ ମୋତେ ପଳାଇ ଆସିବାକୁ ହେଲା । ପ୍ରସବ ପରବର୍ତ୍ତୀ ଯତ୍ନ କଥା ଛାଡ଼ନ୍ତୁ, ମୋତେ କେହି ପିଲାର ଦେଖାଶୁଣା କରିବାରେ ବି ସାହାଯ୍ୟ କରୁ ନ ଥିଲେ । ଅଞ୍ଜନୀ ଯାଦବ ଏବେ ବି ଗୁରୁତର ରକ୍ତହୀନତାର ଶିକାର ଅଛନ୍ତି, ରାଜ୍ୟର ଲକ୍ଷ ଲକ୍ଷ ଅନ୍ୟ ମହିଳାଙ୍କ ଭଳି ।

NFHS-5 ରିପୋର୍ଟ ଅନୁସାରେ ବିହାରରେ ପ୍ରାୟ ୬୪ ପ୍ରତିଶତ ମହିଳା ରକ୍ତହୀନତାର ଶିକାର ।

କରୋନା ମହାମାରୀ ପରିପ୍ରେକ୍ଷୀରେ ୨୦୨୦ର ବୈଶ୍ୱିକ ପୋଷଣ ରିପୋର୍ଟ ଅନୁସାରେ, ‘‘ପ୍ରଜନନ ଆୟୁର ମହିଳାଙ୍କ ମଧ୍ୟରେ ରକ୍ତହୀନତା କମ୍‌ କରିବା ପାଇଁ ଲକ୍ଷ୍ୟ ପ୍ରାପ୍ତି ଦିଗରେ ଭାରତ କୌଣସି ପ୍ରଗତି କରିନାହିଁ । ଏବେ ବି ୧୫ରୁ ୪୯ ବର୍ଷ  ବୟସ ମଧ୍ୟରେ ୫୧.୪ ପ୍ରତିଶତ ମହିଳା ଏହା ଦ୍ବାରା ପ୍ରଭାବିତ ।’’

PHOTO • Jigyasa Mishra

ଅଞ୍ଜନୀ ଯାଦବ ଗତବର୍ଷ ତାଙ୍କର ଦ୍ୱିତୀୟ ପିଲାକୁ ଜନ୍ମ ଦେବା ପରଠାରୁ ନିଜ ବାପା ଘରେ ହିଁ ରହୁଛନ୍ତି । ତାଙ୍କୁ ଶାଶୁ ଘରେ ସାହାଯ୍ୟ କରିବାକୁ ବା ଯତ୍ନ ନେବାକୁ କେହି ନାହାନ୍ତି, ଏବଂ ତାଙ୍କ ସ୍ୱାମୀ ଦୂର ସ୍ଥାନରେ ରହନ୍ତି

ଛଅ ବର୍ଷ ତଳେ ତାଙ୍କର ବିବାହ ପରେ, ଅଞ୍ଜନୀ, ଅନ୍ୟ ଭାରତୀୟ ମହିଳାଙ୍କ ଭଳି ନିକଟସ୍ଥ ଗାଁରେ ଥିବା ନିଜ ଶାଶୁ ଶ୍ୱଶୁରଙ୍କ ସହ ରହିବାକୁ ଗଲେ । ତାଙ୍କ ସ୍ୱାମୀଙ୍କ ପରିବାରରେ ତାଙ୍କର ବାପା-ମା, ଦୁଇ ବଡ଼ ଭାଇ, ସେମାନଙ୍କର ସ୍ତ୍ରୀ ଏବଂ ପିଲାମାନେ ଥିଲେ । ଅଞ୍ଜନୀ ଅଷ୍ଟମ ଶ୍ରେଣୀ ପରେ ପାଠ ପଢ଼ା ଛାଡ଼ିଥିଲେ ଏବଂ ତାଙ୍କ ସ୍ୱାମୀ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ  ।

ଏନଏଫ୍‌ଏଚଏସ୍-୫ ଅନୁସାରେ, ବିହାରରେ ୧୫-୧୯ ବର୍ଷ ବୟସ ବର୍ଗର ମହିଳାଙ୍କ ମଧ୍ୟରେ କିଶୋର ପ୍ରଜନନ ହାର ୭୭ ପ୍ରତିଶତ  । ରାଜ୍ୟର ସମସ୍ତ ମହିଳାଙ୍କ ମଧ୍ୟରୁ ୨୫ ପ୍ରତିଶତରୁ ଅଧିକଙ୍କର ବଡି ମାସ୍‌ ଇଣ୍ଡେକ୍ସ (BMI) ସ୍ୱାଭାବିକଠାରୁ କମ୍‌ । ଏବଂ ସର୍ବେକ୍ଷଣ ଅନୁସାରେ ୧୫ରୁ ୪୯ ବର୍ଷ ବୟସ ମଧ୍ୟରେ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୬୩ ପ୍ରତିଶତ ରକ୍ତହୀନତାର ଶିକାର ।

ବକରୌରରେ ନିଜ ବାପା-ମା’ଙ୍କ ଘରେ, ଅଞ୍ଜନୀ ନିଜ ମା’, ଭାଇ, ତାଙ୍କ ସ୍ତ୍ରୀ ଏବଂ ସେମାନଙ୍କର ଦୁଇ ପିଲାଙ୍କ ସହ ରହନ୍ତି । ତାଙ୍କ ଭାଇ ୨୮ ବର୍ଷୀୟ ଅଭିଷେକ, ଗୟା ସହରରେ ଡେଲିଭରୀ ମ୍ୟାନ୍‌ ଭାବେ କାମ କରନ୍ତି, ଅଞ୍ଜନୀଙ୍କ ମା’ ମଧ୍ୟ ସେଠାରେ ଘରୋଇ ସହାୟକ ଭାବେ କାମ କରନ୍ତି । ସେ କହନ୍ତି, ‘‘ମୋଟାମୋଟି ଭାବେ ଆମ ପରିବାରର ମାସିକ ଆୟ ପ୍ରାୟ ୧୫ ହଜାର ଟଙ୍କା ହୋଇଯାଏ । ଯଦିଓ ମୁଁ ସେଠାରେ ରହିବା ନେଇ କାହାରି ସମସ୍ୟା ନାହିଁ, ତେବେ ମୁଁ ସେମାନଙ୍କ ଉପରେ ନିଜକୁ ଏକ ବୋଝ ବୋଲି ଭାବୁଛି । ’’

ଅଞ୍ଜନୀ କହନ୍ତି, ‘‘ମୋ ସ୍ୱାମୀ ସୁରଟରେ ତାଙ୍କର ଅନ୍ୟ ୩ ଜଣ ସହକର୍ମୀଙ୍କ ସହ ରହନ୍ତି । ମୁଁ ଅପେକ୍ଷା କରିଛି ସେ ଯଥେଷ୍ଟ ସଞ୍ଚୟ କରିବେ ଏବଂ ଏକ ଅଲଗା ଘର ନେବେ, ଯାହା ଫଳରେ ଆମେ ସମସ୍ତେ ସେଠାରେ (ସୁରଟରେ) ରହିପାରିବୁ ।’’

*****

ଅଞ୍ଜନୀ କହିଲେ, ‘‘ଆସନ୍ତୁ-ମୁଁ ଆପଣଙ୍କୁ ମୋ ସାଙ୍ଗଙ୍କ ପାଖକୁ ନେଇଯାଉଛି, ଯାହାର ଶାଶୁ ବି ତା’ର ଜୀବନ ସମାନ ଭାବେ ନର୍କ କରିଦେଇଛନ୍ତି ।’’ ମୁଁ ତାଙ୍କ ପଛେ ପଛେ ଗୁଡ଼ିଆର ଘରକୁ ଗଲି, ପ୍ରକୃତରେ ତା’ର ସ୍ୱାମୀଙ୍କ ଘରକୁ । ୨୯ ବର୍ଷୀୟା ଗୁଡ଼ିଆ ୪ଟି ପିଲାଙ୍କର ମା’ । ତାଙ୍କର ସବା ସାନ ପିଲାଟି ଗୋଟିଏ ପୁଅ, ତା’ର ଶାଶୁ ବନ୍ଧ୍ୟାକରଣ କରିବାକୁ ଦେଲେ ନାହିଁ କାରଣ ସେ ଆଉ ଗୋଟିଏ ପୁଅ ପିଲା ଚାହୁଁଥିଲେ । ଗୁଡ଼ିଆ ଯିଏ କି ଦଳିତ ସମ୍ପ୍ରଦାୟର ସେ କେବଳ ନିଜର ଡାକ ନାଁରେ ଡକାଯିବାକୁ ପସନ୍ଦ କରନ୍ତି।

ଏନଏଫ୍‌ଏଚଏସ୍-୫ ଅନୁସାରେ ଭାରତର ଅଧିକାଂଶ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗତ ପାଞ୍ଚ ବର୍ଷ ଭିତରେ ମହିଳା ଓ ଶିଶୁମାନଙ୍କଠାରେ ରକ୍ତହୀନତା ଅଧିକ ବଢ଼ିଯାଇଛି

ଗୁଡ଼ିଆ ପରୀକୁ କହିଲେ ‘‘ମୋର ତିନିଟି ଝିଅ ହେବା ପରେ ମୋ ଶାଶୁ ଗୋଟିଏ ପୁଅ ଚାହୁଁଥିଲେ । ତା’ପରେ ମୋର ଗୋଟିଏ ପୁଅ ହେଲା, ମୁଁ ଭାବିଲି ମୋ ଜୀବନ ସହଜ ହେବ । କିନ୍ତୁ ସେ କହିଲେ ଯଦି ତୋର ତିନିଟି ଝିଅ ଅଛନ୍ତି ତେବେ ତୋର ଅତି କମ୍‌ରେ ୨ଟି ପୁଅ ହେବା ଉଚିତ । ସେ ମୋତେ ଅପରେସନ୍‌ ହେବାକୁ ଦେଉନାହାନ୍ତି ।’’

୨୦୧୧ ଜନଗଣନା ଅନୁସାରେ ଗୟା ବିହାରରେ ଶିଶୁ ଅନୁପାତ ହାରରେ ତୃତୀୟ ସ୍ଥାନରେ ରହିଛି । ଏହି ଜିଲ୍ଲାର ହାର ୦-୬ ବୟସ ବର୍ଗ ମଧ୍ୟରେ ୯୬୦ ରହିଛି, ଯେତେବେଳେ କି ରାଜ୍ୟର ହାର ୯୩୫ ।

ଗୁଡ଼ିଆ ଗୋଟିଏ ଟିଣ ଓ ଆଜବେଷ୍ଟସ ଘେରା ଦୁଇ କୋଠରୀ ବିଶିଷ୍ଟ ଘରେ ରହନ୍ତି, ଯାହା କାଦୁଅରେ ତିଆରି ଏବଂ ସେଥିରେ ପାଇଖାନା ନାହିଁ । ତାଙ୍କ ସ୍ୱାମୀ, ୩୪ ବର୍ଷୀୟ ଶିବସାଗର, ତାଙ୍କ ମା’ ଏବଂ ସେମାନଙ୍କର ପିଲାମାନେ ଏବଂ ଅନ୍ୟ ଭାଇ ଭଉଣୀମାନେ ଏହି ଛୋଟିଆ ଘରେ ରହନ୍ତି । ଶିବସାଗର ସ୍ଥାନୀୟ ଗୋଟିଏ ଢାବାରେ ସହାୟକ ଭାବେ କାମ କରନ୍ତି ।

୧୭ ବର୍ଷ ବୟସରେ ବିବାହ କରିଥିବା ଗୁଡ଼ିଆ କେବେ ବି ସ୍କୁଲ ଯାଇନାହାନ୍ତି । ସେ ଆମକୁ କହିଲେ, ‘‘ମୁଁ ଆମ ପରିବାରର ପାଞ୍ଚ ଝିଅଙ୍କ ମଧ୍ୟରେ ପ୍ରଥମ ଥିଲି ଏବଂ ମୋ ବାପା ମା’ ମୋତେ ସ୍କୁଲ ପଠାଇବାରେ ସକ୍ଷମ ନ ଥିଲେ । କିନ୍ତୁ ମୋର ଦୁଇ ଭଉଣୀ ଓ ଜଣେ ମାତ୍ର ଭାଇ, ଯିଏ କି ସମସ୍ତଙ୍କଠାରୁ ସାନ, ସ୍କୁଲ ଯାଇଛନ୍ତି ।

ଗୁଡ଼ିଆଙ୍କ ଘରର ମୁଖ୍ୟ ଦ୍ୱାର ଗୋଟିଏ ସଂକୀର୍ଣ୍ଣ ରାସ୍ତା ଆଡ଼କୁ ଖୋଲେ, ଯାହା କି ଅତି ବେଶୀରେ ୪ ଫୁଟ ଚଉଡ଼ା, ସେହି ପଟେ ରାସ୍ତାର ଆରପାଖରେ ଆଉ ଜଣେ ପଡ଼ୋଶୀଙ୍କର ଘର ରହିଛି । କୋଠରୀ ଭିତରେ କାନ୍ଥରେ ବହି ଭର୍ତ୍ତି ଦୁଇଟି ସ୍କୁଲ ବ୍ୟାଗ୍‌ ଝୁଲୁଛି । ଗୁଡ଼ିଆ କହନ୍ତି, ‘‘ଏ ସବୁ ମୋ ବଡ଼ ଝିଅମାନଙ୍କର । ସେମାନେ ଏହାକୁ ପ୍ରାୟ ବର୍ଷେରୁ ଅଧିକ ସମୟ ହେଲା ଛୁଇଁ ନାହାନ୍ତି । ’’ ୧୦ ବର୍ଷର ଝିଅ ଖୁସ୍‌ବୁ ଓ ୮ ବର୍ଷର ବର୍ଷା ଲଗାତର ପାଠପଢ଼ାରେ ଦୁର୍ବଳ ହେବାରେ ଲାଗିଛନ୍ତି । କରୋନା ମହାମାରୀ ଯୋଗୁଁ ଦେଶବ୍ୟାପୀ ପ୍ରଥମ ଲକ୍‌ଡାଉନ୍‌ ପରଠାରୁ ଏଠାରେ ସ୍କୁଲଗୁଡ଼ିକ ଆଉ ଖୋଲିନାହିଁ ।

PHOTO • Jigyasa Mishra

ଗୁଡ଼ିଆର ଶାଶୁ ତାଙ୍କୁ ବନ୍ଧ୍ୟାକରଣ କରାଇବାକୁ ଦେଇନାହାନ୍ତି, କାରଣ ସେ ଆଉ ଗୋଟିଏ ପିଲା ଜନ୍ମ କରୁ ବୋଲି ଶାଶୁ ଚାହାନ୍ତି

ଗୁଡ଼ିଆ କହନ୍ତି, ‘‘ମୋ ପିଲାଙ୍କ ମଧ୍ୟରୁ ୨ ଜଣ ଅତି କମ୍‌ରେ ଦିନକୁ ଥରେ ମଧ୍ୟାହ୍ନ ଭୋଜନ ଆକାରରେ ଠିକ୍‌ ଖାଦ୍ୟ ଖାଇବାକୁ ପାଉଥିଲେ । କିନ୍ତୁ ଏବେ ଆମେ ଯାହା ପାରୁଛୁ ସେଥିରେ ସାଲିସ କରି ବଞ୍ଚୁଛୁ । ’’

ସ୍କୁଲ ବନ୍ଦ ହେବା ସେମାନଙ୍କର ଭୋକକୁ ବଢ଼ାଇ ଦେଇଛି । ଦୁଇ ଜଣ ବଡ଼ ଝିଅ ଯେହେତୁ ଏବେ ମଧ୍ୟାହ୍ନ ଭୋଜନ ପାଉନାହାନ୍ତି, ଘରେ ବି ସେମିତି କିଛି ଖାଇବାକୁ ନାହିଁ । ଅଞ୍ଜନୀଙ୍କ ପରିବାର ଭଳି, ଗୁଡ଼ିଆଙ୍କ ପରିବାରର ମଧ୍ୟ ନା କୌଣସି ସ୍ଥିର ଆୟ ଅଛି ନା ଅଛି ଖାଦ୍ୟ ନିରାପତ୍ତା । ଏହି ୭ ସଦସ୍ୟ ବିଶିଷ୍ଟ ପରିବାର ସମ୍ପୂର୍ଣ୍ଣ ଭାବେ ତାଙ୍କ ସ୍ୱାମୀ ଆୟ କରୁଥିବା ଅସ୍ଥିର ମାସିକ ୯ ହଜାର ଟଙ୍କା ଆୟ ଉପରେ ନିର୍ଭରଶୀଳ ।

୨୦୨୦ର ବୈଶ୍ୱିକ ପୋଷଣ ରିପୋର୍ଟ ଅନୁସାରେ, ‘‘ଅନୌପଚାରିକ ଅର୍ଥନୈତିକ କର୍ମଚାରୀମାନଙ୍କ ମଧ୍ୟରୁ ଅଧିକାଂଶ ଅସ୍ଥିର ଅବସ୍ଥାରେ ଥାଆନ୍ତି, କାରଣ ଅଧିକାଂଶଙ୍କ ପାଖରେ ସାମାଜିକ ନିରାପତ୍ତା ଏବଂ ଠିକ୍‌ ମାନର ସ୍ୱାସ୍ଥ୍ୟ ସେବା ଓ ଉତ୍ପାଦନ କ୍ଷମ ସମ୍ପତ୍ତିର ଅଭାବ ଥାଏ । ଲକ୍‌ଡାଉନ୍‌ ସମୟରେ କୌଣସି ଆୟର ସୂତ୍ର ନ ଥିବାରୁ ଅଧିକାଂଶ ନିଜକୁ ଓ ସେମାନଙ୍କ ପରିବାରକୁ ଖାଦ୍ୟ ଯୋଗାଇବାରେ ଅକ୍ଷମ ହୋଇଛନ୍ତି । ଅଧିକାଂଶଙ୍କ ପାଇଁ ଆୟ ନ ଥିବା ଅର୍ଥ ଖାଦ୍ୟ ବି ନାହିଁ ବା ଅତି ବେଶୀରେ କମ୍‌ ଖାଦ୍ୟ ଏବଂ କମ୍‌ ପୋଷକ ଖାଦ୍ୟ । ’’

ଏହି ରିପୋର୍ଟ ପ୍ରଦର୍ଶିତ କରୁଥିବା ଚିତ୍ର ଗୁଡ଼ିଆର ପରିବାର ପାଇଁ ଉପଯୁକ୍ତ । ସେମାନେ କ୍ଷୁଧା ସହ ଲଢ଼େଇ କରନ୍ତି ଏବଂ ଦଳିତ ଭାବେ ପକ୍ଷପାତିତା ସହ ମଧ୍ୟ ଲଢ଼େଇ କରନ୍ତି । ତାଙ୍କ ସ୍ୱାମୀଙ୍କ ଚାକିରି ସୁରକ୍ଷାଠାରୁ ବହୁ ଦୂରରେ । ଏବଂ ତାଙ୍କ ପରିବାର ପାଇଁ ସ୍ୱାସ୍ଥ୍ୟ ସେବାର କୌଣସି ସୁବିଧା ନାହିଁ ।

*****

ସୂର୍ଯ୍ୟାସ୍ତ ହେବା ପରେ ବୋଧଗୟା ବ୍ଲକ୍‌ର ମୁସାର ତୋଲା(ବସ୍ତି ବା କଲୋନୀ)ରେ ଜୀବନ ସ୍ୱାଭାବିକ ହୋଇଯାଏ । ରାଜ୍ୟର ଅନୁସୂଚିତ ଜାତି ଶ୍ରେଣୀର ନିମ୍ନ ଶ୍ରେଣୀରେ ଆସୁଥିବା ଏହି ସମ୍ପ୍ରଦାୟର ମହିଳାମାନେ ସେମାନଙ୍କର ଦିନ ଯାକର କାମ ଶେଷ କରି, ସଂଧ୍ୟାରେ ଏକାଠି ହୁଅନ୍ତି, ପରସ୍ପର ସହ ଗପସପ କରନ୍ତି, ପରସ୍ପରର ଏବଂ ପିଲାମାନଙ୍କ ମୁଣ୍ଡରୁ ଉକୁଣି ଦେଖନ୍ତି ।

ସେମାନେ ସମସ୍ତେ ନିଜ ନିଜର ଛୋଟିଆ ଘରର ଦୁଆର ବା ପ୍ରବେଶ ପଥରେ ବସନ୍ତି । ଘର ସବୁ ଗୋଟିଏ ସଂକୀର୍ଣ୍ଣ ରାସ୍ତାର ଉଭୟ ପଟରେ ଧାଡ଼ି ଧାଡ଼ି ରହିଛି, ରାସ୍ତାର ଉଭୟ ପଟରେ ଉଛୁଳି ଉଠୁଥିବା ଡ୍ରେନ୍‌ ଥାଏ । ୩୨ ବର୍ଷୀୟା ମାଲା ଦେବୀ ଯିଏ ୧୫ ବର୍ଷ ବୟସରେ ବିବାହ ହୋଇଯିବା ପରଠାରୁ ଏହି କଲୋନୀରେ ରହିଆସୁଛନ୍ତି, କହିଲେ, ‘‘ଏହି ଭାବେ ହିଁ ମୁସାର ତୋଲାକୁ ବ୍ୟାଖ୍ୟା କରାଯାଏ ? ଆମର ଏହି ଭଳି କୁକୁର ଓ ଘୁଷୁରୀଙ୍କ ମଧ୍ୟରେ ରହିବାର ଅଭ୍ୟାସ ହୋଇଯାଇଛି । ’’

ତାଙ୍କ ସ୍ୱାମୀ ୪୦ ବର୍ଷୀୟ ଲଲ୍ଲନ ଆଦିବାସୀ, ଗୟା ଜିଲ୍ଲା ମୁଖ୍ୟାଳୟରେ ଗୋଟିଏ ଘରୋଇ କ୍ଲିନିକ୍‌ରେ ସଫେଇ କର୍ମଚାରୀ ଭାବେ କାମ କରନ୍ତି । ମାଲା କହନ୍ତି, ତାଙ୍କ ପାଖରେ କେବେ ବି ବନ୍ଧ୍ୟାକରଣ କରାଇବାର ବିକଳ୍ପ ନ ଥିଲା ଏବଂ ସେ କାମନା କରୁଛନ୍ତି ତାଙ୍କର ୪ଟି ପିଲା ବଦଳରେ କେବଳ ଗୋଟିଏ ପିଲା ଥାଆନ୍ତା କି ?

ତାଙ୍କର ସବା ବଡ଼ ପୁଅ, ୧୬ ବର୍ଷୀୟ ଶମ୍ଭୁ ହିଁ କେବଳ ସ୍କୁଲ ଯାଇଛି, ସେ ଏବେ ନବମ ଶ୍ରେଣୀରେ ପଢୁଛି । ସେ ପଚାରିଲେ ‘‘ତୃତୀୟ ଶ୍ରେଣୀ ପରେ ଝିଅମାନଙ୍କର ପାଠପଢ଼ା ଜାରି ରଖିବାରେ ମୁଁ ସକ୍ଷମ ନ ଥିଲି । ଲଲ୍ଲନ ମାସକୁ ମାତ୍ର ୫,୫୦୦ ଟଙ୍କା ଆୟ କରନ୍ତି, ଆଉ ଆମେ ଛଅ ଜଣ । ଆପଣ ଭାବୁଛନ୍ତି ଏହା ଆମର ଆବଶ୍ୟକତା ପୂରଣ କରିପାରିବ ? ’’ ମାଲାଙ୍କର ସବାବଡ଼ ଓ ସବାସାନ ପିଲା ପୁଅ । ଅନ୍ୟ ଦୁଇ ଜଣ ଝିଅ ।

PHOTO • Jigyasa Mishra

ମାଲା କହନ୍ତି, ତାଙ୍କ ପାଖରେ କେବେ ବି ବନ୍ଧ୍ୟାକରଣ କରାଇବାର ବିକଳ୍ପ ନ ଥିଲା ଏବଂ ସେ କାମନା କରୁଛନ୍ତି ତାଙ୍କର ୪ଟି ପିଲା ବଦଳରେ କେବଳ ଗୋଟିଏ ପିଲା ଥାଆନ୍ତା କି ?

ଏଠାରେ ମଧ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ହୋଇପଡ଼ିଥିବାରୁ, ପୂର୍ବରୁ ସ୍କୁଲ ଯାଉଥିବା ଏହି ତୋଲାର କେତେକ ପିଲା ଏବେ ଯାଇପାରୁନାହାନ୍ତି । ଏହାର ଅର୍ଥ ମଧ୍ୟାହ୍ନ ଭୋଜନ ହରାଇବା ଏବଂ ଏହା ଭୋକକୁ ଅଧିକ ବଢ଼ାଇ ଦେଉଛି । ଏମିତିକି ଭଲ ସମୟରେ ବି ଏହି ସମ୍ପ୍ରଦାୟରୁ ଖୁବ୍‌ କମ୍‌ ପିଲା ସ୍କୁଲ ଯାଆନ୍ତି । ସାମାଜିକ ନ୍ୟାୟ, ବିଭେଦ ଏବଂ ଆର୍ଥିକ ଚାପ ଯୋଗୁଁ ମୁସାହାର ପିଲାମାନେ ଖାସ୍‌ କରି ଝିଅମାନଙ୍କୁ ସ୍କୁଲ ଯିବା ଦ୍ରୁତ ଗତିରେ ବନ୍ଦ ହୋଇଯାଉଛି ଏବଂ ଏହି ହାର ଅନ୍ୟ ଅଧିକାଂଶ ସମ୍ପ୍ରଦାୟଠାରୁ ଦ୍ରୁତ ।

ନିକଟରେ ୨୦୧୧ ଜନଗଣନା ଅନୁସାରେ ବିହାରରେ ପ୍ରାୟ ୨. ୭୨ ନିୟୁତ ମୁସାହର ଗଣନା କରାଯାଇଥିଲା ।  ଦୁସାଦ ଓ ଚାମରଙ୍କ ପରେ ଏମାନେ ତୃତୀୟ ବୃହତ ଅନୁସୂଚିତ ଜାତି ସମ୍ପ୍ରଦାୟ । ସେମାନେ ରାଜ୍ୟର ୧୬.୫୭ ନିୟୁତ ଦଳିତଙ୍କର ଏକ ଷଷ୍ଠାଂଶ-କିନ୍ତୁ ବିହାରର ମୋଟ ଜନସଂଖ୍ୟା ୧୦୪ ନିୟୁତ(୨୦୧୧)ର ମାତ୍ର ୨.୬ ପ୍ରତିଶତ ।

ଅକ୍ସଫାମ୍‌ର ୨୦୧ ୮ର ରିପୋର୍ଟ ଅନୁସାରେ, ‘‘ମୁସାହାରମାନଙ୍କ ମଧ୍ୟରୁ ପ୍ରାୟ ୯୬.୩ ପ୍ରତିଶତ ଭୂମିହୀନ ଏବଂ ୯୨.୫ ପ୍ରତିଶତ କୃଷି ଶ୍ରମିକ ଭାବେ କାମ କରନ୍ତି । ଉଚ୍ଚ ଜାତିର ହିନ୍ଦୁମାନେ ଅସ୍ପୃଶ୍ୟ ବୋଲି କହୁଥିବା ଏହି ସମ୍ପ୍ରଦାୟର ସାକ୍ଷରତା ହାର ମାତ୍ର ୯.୮ ପ୍ରତିଶତ, ଯାହା ଦେଶର ଦଳିତଙ୍କ ମଧ୍ୟରେ ସର୍ବନିମ୍ନ । ଏହି ସମ୍ପ୍ରଦାୟର ମହିଳାଙ୍କ ସାକ୍ଷରତା ହାର ୧-୨ ପ୍ରତିଶତ ।’’

ଏକଦା ଗୌତମଙ୍କ ଜ୍ଞାନୋଦୟ ସ୍ଥଳ ଥିବା ବୋଧଗୟାରେ ଏହି ସାକ୍ଷରତା ହାର ଆପଣଙ୍କୁ ଏଠାରେ ପ୍ରଭାବିତ କରିବ ।

ସବା ସାନ ପୁଅକୁ ପୂର୍ବ ରାତିର ବାସି ଭାତ ଗୋଟିଏ ପାତ୍ରରେ ବଢ଼ାଉ ବଢ଼ାଉ ମାଲା କହିଲେ,‘‘ଆମେ କେବଳ ପିଲା ଜନ୍ମ କରିବା ଏବଂ ସେମାନଙ୍କୁ ଖୁଆଇବାକୁ ଅଛୁ, କିନ୍ତୁ ଟଙ୍କା ନ ଥିଲେ ତାହା କେମିତି କରିବି ? ଏହା ହିଁ କେବଳ ମୋ ପାଖରେ ତୋ ପାଇଁ ଅଛି । ଖାଅ ନ ହେଲେ ଭୋକରେ ରୁହ ।’’ ରାଗରେ ମାଲା ନିଜର ଅସହାୟତା ପ୍ରକାଶ କରୁଥିଲେ ।

PHOTO • Jigyasa Mishra
PHOTO • Jigyasa Mishra

ବାମ - ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ, ଶିବାନୀ ତାଙ୍କ  ସ୍ୱାମୀଙ୍କ ଭାଇ ଉପରେ ନିର୍ଭର କରନ୍ତି । ଡାହାଣ - ବୋଧଗୟାର ମୁସାହାର କଲୋନୀରେ ମହିଳାମାନେ ସେମାନଙ୍କ ଘର ବାହାରେ ଥିବା ରାସ୍ତାରେ ସଂଧ୍ୟା କାଟନ୍ତି

ଏହି ଗ୍ରୁପ୍‌ର ଆଉ ଜଣେ ମହିଳା ହେଲେ ୨୯ ବର୍ଷୀୟା ଶିବାନୀ ଆଦିବାସୀ । ଫୁସ୍‌ଫୁସ୍‌ କ୍ୟାନ୍‌ସରରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ, ଶିବାନୀ ତାଙ୍କର ଦୁଇ ପିଲା ଓ ସ୍ୱାମୀଙ୍କ ପରିବାର ସହ ମୋଟ ୮ ଜଣିଆ ପରିବାରରେ ରହନ୍ତି । ତାଙ୍କର କୌଣସି ପ୍ରତ୍ୟକ୍ଷ ଆୟ ଉତ୍ସ ନାହିଁ, ଏଣୁ ନିଜର ସମସ୍ତ ଆବଶ୍ୟକତା ପାଇଁ ସେ ସ୍ୱାମୀଙ୍କ ଭାଇ ଉପରେ ନିର୍ଭରଶୀଳ । ଶିବାନୀ ପରୀକୁ କହିଲେ, ‘‘ମୁଁ ତାଙ୍କୁ ନିର୍ଦ୍ଦିଷ୍ଟ ଭାବେ ମୋ ପାଇଁ ଓ ମୋ ପିଲାଙ୍କ ପାଇଁ ପରିବା, କ୍ଷୀର ଓ ଫଳ ଆଣିବାକୁ କହିପାରିବି ନାହିଁ । ସେ ଆମକୁ ଯାହା ବି ଖୁଆଉଛନ୍ତି ସେଥିପାଇଁ ଆମେ କୃତଜ୍ଞ । ଅଧିକାଂଶ ଦିନ ଆମେ ମାର-ଭାତ ଖାଇ ରହୁ (ପଖାଳରେ ଲୁଣ ପକାଇ)’’

ଅକ୍ସଫାମ୍‌ର ରିପୋର୍ଟ ଅନୁସାରେ ‘‘ବିହାରର ମୋଟ ଜନସଂଖ୍ୟାର ପ୍ରାୟ ୮୫ ପ୍ରତିଶତ ଅପପୁଷ୍ଟିର ଶିକାର ।’’

ମାଲା ଓ ଶିବାନୀଙ୍କ କାହାଣୀ ବିହାର ଗ୍ରାମାଞ୍ଚଳରେ ରହୁଥିବା ଅଗଣିତ ଅନ୍ୟ ଦଳିତ ମହିଳାଙ୍କ କାହାଣୀର ମାତ୍ର ଉଦାହରଣ ମାତ୍ର ।

ବିହାରର ଅନୁସୂଚିତ ଜାତି ସଂଖ୍ୟାର ପାଖାପାଖି ୯୩ ପ୍ରତିଶତ ଗ୍ରାମାଞ୍ଚଳରେ ରହନ୍ତି । ରାଜ୍ୟର ଜିଲ୍ଲାଗୁଡ଼ିକ ମଧ୍ୟରୁ ଗୟାରେ ସର୍ବାଧିକ ସଂଖ୍ୟାରେ ୩୦.୩୯ ପ୍ରତିଶତ ଦଳିତ ରହନ୍ତି । ମୁସାହାରମାନେ ରାଜ୍ୟର ‘ମହାଦଳିତ’ ବା ଅନୁସୂଚିତ ଜାତିଙ୍କ ମଧ୍ୟରେ ସବୁଠାରୁ ଗରିବ ସାମାଜିକ ଗୋଷ୍ଠୀ ମଧ୍ୟରେ ଅନ୍ତର୍ଭୁକ୍ତ  ।

ଅଞ୍ଜନୀ, ଗୁଡ଼ିଆ, ମାଲା ଏବଂ ଶିବାନୀ ଭିନ୍ନ ଭିନ୍ନ ସାମାଜିକ ଓ ଅର୍ଥନୈତିକ ପୃଷ୍ଠିଭୂମିରୁ ଆସନ୍ତି । କିନ୍ତୁ ସମସ୍ତଙ୍କ ମଧ୍ୟରେ ଗୋଟିଏ ସାଧାରଣ କଥା ରହିଛି, ତାହା ହେଲା ସେମାନଙ୍କର ନିଜର ଶରୀର, ସର୍ବୋପରି ନିଜ ଜୀବନ ଉପରେ କୌଣସି ନିୟନ୍ତ୍ରଣ ନାହିଁ । ସେମାନେ ସମ୍ଭବତଃ ସେମାନେ ଭିନ୍ନ ଭିନ୍ନ ସ୍ତରରେ କ୍ଷୁଧାର ସାମ୍ନା କରୁଛନ୍ତି । ଅଞ୍ଜନୀ ପ୍ରସବର ବହୁ ମାସ ପରେ ବି ରକ୍ତହୀନତାର ଶିକାର । ଗୁଡ଼ିଆ ନିଜର ବନ୍ଧ୍ୟାକରଣ ସମ୍ପର୍କିତ ଚିନ୍ତାଧାରାରୁ ନିଜକୁ ବିରତ କରିସାରିଛନ୍ତି । ମାଲା ଓ ଶିବାନୀ ଦୀର୍ଘ ସମୟ ହେଲା କୌଣସି ପ୍ରକାର ଭଲ ଭବିଷ୍ୟତ କଥା ଲକ୍ଷ୍ୟ ରଖିବା ଛାଡ଼ି ଦେଇଛନ୍ତି-ଏମାନଙ୍କ ପାଇଁ ତିଷ୍ଠିବା ହିଁ କାଠିକର ।

ପରିଚୟ ଗୁପ୍ତ ରଖିବା ଉଦ୍ଦେଶ୍ୟରେ ଏହି କାହାଣୀରେ ବ୍ୟକ୍ତିମାନଙ୍କର ନାମ ପରିବର୍ତ୍ତନ କରାଯାଇଛି  ।

ଦେଶର ଗ୍ରାମାଞ୍ଚଳର କିଶୋର ଝିଅ ଓ  କମ୍‌ ବୟସ୍କ ମହିଳାମାନଙ୍କ ଉପରେ ପରୀ ଏବଂ କାଉଣ୍ଟର ମିଡିଆ ଟ୍ରଷ୍ଟର ଦେଶବ୍ୟାପୀ  ରିପୋର୍ଟିଂ ପପୁଲେସନ୍‌ ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆ ଦ୍ୱାରା ସାଧାରଣ ଲୋକଙ୍କର କଥା ଓ ଜୀବନ୍ତ ଅନୁଭୂତି ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ ଓ ସ୍ପର୍ଶକାତର ଗୋଷ୍ଠୀଙ୍କର ଅବସ୍ଥା ସମ୍ପର୍କରେ ଲୋକଲୋଚନକୁ ଆଣିବା ପାଇଁ କରାଯାଉଥିବା ଉଦ୍ୟମର ଅଂଶ  ।

ଏହି ଆଲେଖ୍ୟକୁ ପୁନଃପ୍ରକାଶନ କରିବାକୁ ଚାହୁଁଛନ୍ତି ? ଦୟାକରି [email protected] ଙ୍କୁ [email protected] .ଙ୍କୁ cc ରେ ରଖି ମେଲ୍‌ କରନ୍ତୁ ।

ଜିଜ୍ଞାସା ମିଶ୍ର ଠାକୁର ଫ୍ୟାମିଲି ଫାଉଣ୍ଡେସନ୍‌ ପକ୍ଷରୁ ଏକ ସ୍ୱତନ୍ତ୍ର ସାମ୍ବାଦିକତା ଅନୁଦାନ ମାଧ୍ୟମରେ ଜନସ୍ୱାସ୍ଥ୍ୟ ଏବଂ ନାଗରିକ ସ୍ୱତନ୍ତ୍ରତା ଉପରେ  ରିପୋର୍ଟିଂ କରନ୍ତି । ଠାକୁର ଫ୍ୟାମିଲି ଫାଉଣ୍ଡେସନ୍‌ ଏହି ରିପୋର୍ଟର ସମ୍ପାଦକୀୟ ବିବରଣୀ ଉପରେ କୌଣସି ନିୟନ୍ତ୍ରଣ କରିନାହିଁ ।

ଅନୁବାଦ: ଓଡ଼ିଶାଲାଇଭ୍‍

Jigyasa Mishra

ಉತ್ತರ ಪ್ರದೇಶದ ಚಿತ್ರಕೂಟ ಮೂಲದ ಜಿಗ್ಯಾಸ ಮಿಶ್ರಾ ಸ್ವತಂತ್ರ ಪತ್ರಕರ್ತೆಯಾಗಿ ಕೆಲಸ ಮಾಡುತ್ತಾರೆ.

Other stories by Jigyasa Mishra
Illustration : Priyanka Borar

ಕವರ್ ಇಲ್ಲಸ್ಟ್ರೇಷನ್: ಪ್ರಿಯಾಂಕಾ ಬೋರಾರ್ ಹೊಸ ಮಾಧ್ಯಮ ಕಲಾವಿದೆ. ಹೊಸ ಪ್ರಕಾರದ ಅರ್ಥ ಮತ್ತು ಅಭಿವ್ಯಕ್ತಿಯನ್ನು ಕಂಡುಹಿಡಿಯಲು ತಂತ್ರಜ್ಞಾನವನ್ನು ಪ್ರಯೋಗಿಸುತ್ತಿದ್ದಾರೆ. ಅವರು ಕಲಿಕೆ ಮತ್ತು ಆಟಕ್ಕೆ ಎಕ್ಸ್‌ಪಿರಿಯೆನ್ಸ್ ವಿನ್ಯಾಸ‌ ಮಾಡುತ್ತಾರೆ. ಸಂವಾದಾತ್ಮಕ ಮಾಧ್ಯಮ ಇವರ ಮೆಚ್ಚಿನ ಕ್ಷೇತ್ರ. ಸಾಂಪ್ರದಾಯಿಕ ಪೆನ್ ಮತ್ತು ಕಾಗದ ಇವರಿಗೆ ಹೆಚ್ಚು ಆಪ್ತವಾದ ಕಲಾ ಮಾಧ್ಯಮ.

Other stories by Priyanka Borar

ಪಿ. ಸಾಯಿನಾಥ್ ಅವರು ಪೀಪಲ್ಸ್ ಆರ್ಕೈವ್ ಆಫ್ ರೂರಲ್ ಇಂಡಿಯಾದ ಸ್ಥಾಪಕ ಸಂಪಾದಕರು. ದಶಕಗಳಿಂದ ಗ್ರಾಮೀಣ ವರದಿಗಾರರಾಗಿರುವ ಅವರು 'ಎವೆರಿಬಡಿ ಲವ್ಸ್ ಎ ಗುಡ್ ಡ್ರಾಟ್' ಮತ್ತು 'ದಿ ಲಾಸ್ಟ್ ಹೀರೋಸ್: ಫೂಟ್ ಸೋಲ್ಜರ್ಸ್ ಆಫ್ ಇಂಡಿಯನ್ ಫ್ರೀಡಂ' ಎನ್ನುವ ಕೃತಿಗಳನ್ನು ರಚಿಸಿದ್ದಾರೆ.

Other stories by P. Sainath
Series Editor : Sharmila Joshi

ಶರ್ಮಿಳಾ ಜೋಶಿಯವರು ಪೀಪಲ್ಸ್ ಆರ್ಕೈವ್ ಆಫ್ ರೂರಲ್ ಇಂಡಿಯಾದ ಮಾಜಿ ಕಾರ್ಯನಿರ್ವಾಹಕ ಸಂಪಾದಕಿ ಮತ್ತು ಬರಹಗಾರ್ತಿ ಮತ್ತು ಸಾಂದರ್ಭಿಕ ಶಿಕ್ಷಕಿ.

Other stories by Sharmila Joshi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE