ମତ୍ସ୍ୟ ଉତ୍ପାଦନ ଶିଳ୍ପ କ୍ଷେତ୍ରରେ, ବିଶେଷତଃ ତାମିଲନାଡୁ ଉପକୂଳର ଏକ ବ୍ୟସ୍ତବହୁଳ ମାଛଧରା ବନ୍ଦର କୁଡ୍ଡାଲୋର ସହରର ଉଷ୍ଣ ପାଣିପାଗରେ, ବରଫ ବିକାଳିମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ସହରର ଓଲ୍‌ଡ ଟାଉନ୍ ବନ୍ଦରରେ, ବଡ଼ ବଡ଼ ମାଛ ବ୍ୟବସାୟୀମାନଙ୍କୁ ଏବଂ ଯନ୍ତ୍ରଚାଳିତ ବୋଟ୍‌ରେ ବ୍ୟବହାର ପାଇଁ ବଡ଼ ବଡ଼ କମ୍ପାନୀଗୁଡ଼ିକ ଥରକରେ ବହୁ ପରିମାଣର ବରଫ ଯୋଗାଇ ଦିଅନ୍ତି।

ମାଛ ଓ ବରଫ ବେପାରର ସେହି ଦୁନିଆରେ, ମତ୍ସ୍ୟଜୀବୀ ଏବଂ ମହିଳା ମାଛ ବିକାଳିମାନଙ୍କୁ ବରଫ ବିକ୍ରି କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କବିତା। ସେ ଗୋଟିକୁ ୮୦୦ ଟଙ୍କା ହିସାବରେ ବଡ଼ ବଡ଼ ବରଫ ଖଣ୍ଡ କିଣନ୍ତି ଏବଂ ଏଗୁଡ଼ିକୁ ଛୋଟ ଛୋଟ ଖଣ୍ଡରେ ଭାଙ୍ଗି ଖଣ୍ଡକୁ ୧୦୦ ଟଙ୍କା ଲେଖାଏଁ ବିକ୍ରି କରନ୍ତି। ଏହି କାମ କରିବା ଲାଗି ମାତ୍ରାଧିକ ଶାରୀରିକ ପରିଶ୍ରମ ଆବଶ୍ୟକ ହୁଏ। ତେଣୁ କବିତା ଜଣେ ପୁରୁଷ ଶ୍ରମିକଙ୍କୁ କାମରେ ଲଗାଇଛନ୍ତି ଏବଂ ମଜୁରି ବାବଦରେ ତାଙ୍କୁ ଦୈନିକ ୬୦୦ ଟଙ୍କା ଏବଂ ଦୁଇବେଳା ଖାଇବାକୁ ଦିଅନ୍ତି।

ଏହି ୪୧ ବର୍ଷୀୟା ମହିଳା ବରଫ ବିକାଳି କହନ୍ତି, “ମାଛ ପାଇଁ ବରଫ ଦରକାର କରୁଥିବା ମହିଳାମାନଙ୍କ ପାଇଁ ମୁଁ ଏହି ଛୋଟ ଛୋଟ ବରଫ ଖଣ୍ଡ ବୋହିନିଏ। ଏଥିରେ କଠିନ ପରିଶ୍ରମ କରିବାକୁ ପଡ଼େ ଏବଂ ଆମେ କେବଳ ଗୁଜରାଣ ମେଣ୍ଟାଇବା ଲାଗି ଯଥେଷ୍ଟ ରୋଜଗାର କରିଥାଉ। ସତ କହିବାକୁ ଗଲେ ଏଥିରୁ ମୁଁ  କିଛି ପଇସା ସଞ୍ଚୟ କରିବାକୁ ଚାହେଁ, ହେଲେ ବେପାରରେ ବଡ଼ ବଡ଼ କମ୍ପାନୀ ସହିତ ପ୍ରତିଯୋଗିତା କରିବାରେ ଆମେ ସକ୍ଷମ ନୁହଁ।”

ପ୍ରଥମେ ୨୦୧୭ରେ କବିତା ବରଫ ବିକିବା ଆରମ୍ଭ କଲେ। କବିତା କହନ୍ତି, “ମୋ ଶ୍ୱଶୁର ଅମୃତଲିଙ୍ଗମଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ଖରାପ ହେବାରୁ ମୁଁ ତାଙ୍କ ସହିତ ବରଫ ବିକ୍ରି ବ୍ୟବସାୟରେ ଯୋଗ ଦେଲି। ମୋ ସ୍ୱାମୀଙ୍କର ଏ ଦିଗରେ ଆଗ୍ରହ ନଥିଲା ଏବଂ ମୋ ଦିଅର ବିଦେଶରେ ଚାକିରି କରିବାକୁ ଚାଲିଯାଇଥିଲେ।” ଅଧିକନ୍ତୁ, କବିତା ସ୍କୁଲରେ ପାଠ ପଢ଼ିଥିବାରୁ ଏହି ବ୍ୟବସାୟ ବଢ଼ାଇବା ଦିଗରେ ତାଙ୍କ ନିଜର ଦକ୍ଷତା ସହାୟକ ହୋଇଥିଲା।

ଭାଇଭଉଣୀଙ୍କ ମଧ୍ୟରେ କବିତା ସବୁଠୁ ସାନ। ତାଙ୍କ ବାପା ଥିଲେ ଜଣେ ସ୍ୱ-ପ୍ରଶିକ୍ଷିତ କାରିଗର। କବିତାଙ୍କୁ ୧୪ ବର୍ଷ ହୋଇଥିବା ସମୟରେ ସେ ଅସୁସ୍ଥ ହୋଇପଡ଼ିଲେ। ସେତେବେଳେ ୯ମ ଶ୍ରେଣୀରେ ପଢୁଥିବା କବିତା ଅଧାରୁ ସ୍କୁଲ ପାଠ ଛାଡ଼ି ଦିନ ମଜୁରିଆ ଭାବରେ, ଧାନରୁଆ ଏବଂ ବଛାବଛି ଭଳି ଚାଷବାସ କାମ କରୁଥିବା ତାଙ୍କ ମାଆଙ୍କ ସହିତ କ୍ଷେତକୁ ଯିବା ଆରମ୍ଭ କଲେ।

Kavitha's husband, Anbu Raj brings ice to the Cuddalore fish harbour in a cart (left) and unloads it (right)
PHOTO • M. Palani Kumar
Kavitha's husband, Anbu Raj brings ice to the Cuddalore fish harbour in a cart (left) and unloads it (right)
PHOTO • M. Palani Kumar

କବିତାଙ୍କ ସ୍ୱାମୀ ଅନ୍‌ବୁ ରାଜ (ବାମ) ଗୋଟିଏ ଠେଲାଗାଡ଼ିରେ ଲଦି କୁଡ୍ଡାଲୋର ମାଛଧରା ବନ୍ଦରକୁ ବରଫ ଆଣନ୍ତି ଏବଂ (ଡାହାଣ) ସେଠାରେ ତାହାକୁ ଓହ୍ଲାଇ ଦିଅନ୍ତି

They bring the ice blocks to the fish market (left), where they crush them (right)
PHOTO • M. Palani Kumar
They bring the ice blocks to the fish market (left), where they crush them (right)
PHOTO • M. Palani Kumar

ସେମାନେ (ବାମ) ମାଛ ବଜାରକୁ ବଡ଼ ବଡ଼ ବରଫ ଖଣ୍ଡ ଆଣନ୍ତି, ସେଠାରେ (ଡାହାଣ) ସେଗୁଡ଼ିକୁ ଭାଙ୍ଗି ଖଣ୍ଡ ଖଣ୍ଡ କରନ୍ତି

ଜଣେ କଳାକାର ଏବଂ ଚିତ୍ରକର ଅନବୁ ରାଜଙ୍କୁ ବିବାହ କରିବା ସମୟରେ କବିତାଙ୍କୁ ୨୩ ବର୍ଷ ବୟସ ହୋଇଥିଲା। କୁଡ୍ଡାଲୋର ଓଲ୍‌ଡ ଟାଉନ୍ ନିକଟ ସାଣ୍ଡ୍ରୋର୍ପାଲାୟାମ ପଲ୍ଲୀରେ ପିଲାମାନଙ୍କ ସହିତ ସେମାନେ ରହନ୍ତି। ପିଲାମାନେ ହେଲେ ୧୭ ବର୍ଷର ଭେଙ୍କଟେଶନ ଏବଂ ୧୫ ବର୍ଷର ତାଙ୍ଗା ମିତ୍ରା।

୨୦ ବର୍ଷରୁ ଅଧିକ କାଳ ପୂର୍ବରୁ, ଯେତେବେଳେ କେହି ହେଲେ ଛୋଟ ଛୋଟ ଖଣ୍ଡରେ ବରଫ ବିକ୍ରି କରୁ ନଥିଲେ, ତାଙ୍କ ଶ୍ୱଶୁର, ୭୫  ବର୍ଷୀୟ ଅମୃତଲିଙ୍ଗମ ବନ୍ଦରରେ ବରଫ ବିକିବା ଆରମ୍ଭ କରିଥିଲେ। ସେତେବେଳେ ବରଫ କେବଳ ବଡ଼  ଆକାରରେ ବ୍ୟବସାୟୀମାନଙ୍କୁ ବିକ୍ରି କରାଯାଉଥିଲା। ବହୁ ପରିମାଣର ବରଫ କିଣିବା ପାଇଁ ଅମୃତଲିଙ୍ଗମଙ୍କ ପାଖରେ ପୁଞ୍ଜିର ଅଭାବ ଥିଲା ଏବଂ ସେ କ୍ଷୁଦ୍ର ବେପାରୀମାନଙ୍କୁ ବରଫ ବିକ୍ରି କରିବାକୁ ବିଚାର କରି ନିଜ ପାଇଁ ପ୍ରକୃଷ୍ଟ ସ୍ଥାନଟିଏ ସ୍ଥିର କରିନେଲେ।

କବିତା କହନ୍ତି, “ବଡ଼ ବ୍ୟବସାୟୀମାନଙ୍କ ପାଖରେ ବରଫ କଳ, ବୋଝେଇ କରିବା ପାଇଁ ଲୋକ, ପରିବହନ ଲାଗି ଗାଡ଼ି ଓ ବିକାଳିମାନେ ଅଛନ୍ତି।” କିନ୍ତୁ ବ୍ୟବସାୟ ପାଇଁ ତାଙ୍କ ପାଖରେ ସମ୍ବଳ କହିଲେ ମାସକୁ ୧,୦୦୦ ଟଙ୍କା ଭଡ଼ାରେ ୨୦ ବର୍ଗଫୁଟ୍‌ର ଦୋକାନଟିଏ ରହିଛି। ସେହିଠାରେ ହିଁ ସେ ବରଫକୁ ଛୋଟ ଛୋଟ ଖଣ୍ଡରେ କାଟି କରି ବିକ୍ରି କରନ୍ତି।

କବିତା କହନ୍ତି, “ବଡ଼ ବଡ଼ ବରଫ ବେପାରୀମାନଙ୍କ ସହିତ ପ୍ରତିଯୋଗିତା ବଢ଼ିବାରେ ଲାଗିଛି, ହେଲେ ମୋତେ ଏଥିରେ ହିଁ ଦୃଢ଼ତାର ସହିତ ତିଷ୍ଠି ରହିବାକୁ ହେବ।”

ବିଭିନ୍ନ ପ୍ରକାର ମାଛର ପ୍ରକ୍ରିୟାକରଣ, ସଂରକ୍ଷଣ କରିବା, ବିତରଣ ଏବଂ ବିପଣନର ଭିନ୍ନ ଭିନ୍ନ ପର୍ଯ୍ୟାୟରେ ବରଫ ଆବଶ୍ୟକ ହୋଇଥାଏ। କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟ ଗବେଷଣା ସଂସ୍ଥା ପକ୍ଷରୁ ପ୍ରକାଶିତ ସାମୁଦ୍ରିକ ମତ୍ସ୍ୟସଂପଦ ଗଣନା ୨୦୧୬ ଅନୁସାରେ, ମତ୍ସ୍ୟସଂପଦ ସହ ଜଡ଼ିତ ବିଭିନ୍ନ ଜୀବିକାରେ ମାଛ ବିକ୍ରି, ଜାଲ ତିଆରି ଓ ମରାମତି, ମାଛର ଚିକିତ୍ସା, ପ୍ରକ୍ରିୟାକରଣ ଏବଂ କାତି ଛଡ଼ାଇବା ପ୍ରଭୃତି କାର୍ଯ୍ୟ ଅନ୍ତର୍ଭୁକ୍ତ। ଏ କ୍ଷେତ୍ରରେ କାର୍ଯ୍ୟରତ କର୍ମଜୀବୀଙ୍କୁ ‘ଶ୍ରମିକ’ ଏବଂ ‘ଅନ୍ୟାନ୍ୟ’ ନାମରେ ବର୍ଗୀକରଣ କରାଯାଇଛି। ଶେଷୋକ୍ତ ବର୍ଗର ବ୍ୟକ୍ତିମାନେ ମାଛ ନିଲାମ କରିବା, ବରଫ ଭାଙ୍ଗିବା ସହିତ ବିଭିନ୍ନ ଦ୍ୱିକୋଷୀୟ ପ୍ରାଣୀ, ଶାମୁକା, ସମୁଦ୍ର ଶୈବାଳ, ସାଜସଜ୍ଜାରେ ବ୍ୟବହୃତ ମାଛ ପ୍ରଭୃତି ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହୁଅନ୍ତି।

ତାମିଲ ନାଡୁରେ ୨,୭୦୦ ଜଣ ମହିଳା ଏବଂ ୨,୨୨୧ ଜଣ ପୁରୁଷ ଏହି ‘ଅନ୍ୟାନ୍ୟ’ ବର୍ଗରେ ରହିଥିବା ବେଳେ କୁଡ୍ଡାଲୋରରେ ଏହି ସଂଖ୍ୟା ୪୦୪ ଜଣ ମହିଳା ଏବଂ ୩୫ ଜଣ ପୁରୁଷରେ ସୀମିତ ରହିଛି। ଏଥିରୁ ତିନି ଚତୁର୍ଥାଂଶ କେବଳ କୁଡ୍ଡାଲୋର ଓଲ୍‌ଡ ଟାଉନ୍ ବନ୍ଦର ନିକଟବର୍ତ୍ତୀ ବିଭିନ୍ନ ଗାଁରେ ବସବାସ କରନ୍ତି। ଯେଉଁ ବ୍ୟକ୍ତିମାନେ ବରଫ ସହ ସଂପୃକ୍ତ କାର୍ଯ୍ୟରେ ନିୟୋଜିତ ସେମାନେ ସାଧାରଣତଃ ଗାଡ଼ିରୁ ବରଫ ତଳକୁ ଓହ୍ଲାନ୍ତି ଏବଂ ତାହାକୁ ଭାଙ୍ଗନ୍ତି, ବାକ୍ସରେ ବରଫ ଦେଇ ମାଛକୁ ପ୍ୟାକିଂ କରନ୍ତି ଏବଂ ବାକ୍‌ସଗୁଡ଼ିକୁ ଗାଡ଼ିରେ ବୋଝେଇ କରି ବିଭିନ୍ନ ସ୍ଥାନକୁ ପରିବହନ କରନ୍ତି।

ନିକଟସ୍ଥ ତାମିଲନାଡୁ ରାଜ୍ୟ ଶିଳ୍ପ ଉନ୍ନୟନ ନିଗମ (SIPCOT)ର ଶିଳ୍ପାଞ୍ଚଳରେ ଅବସ୍ଥିତ ଦୁଇଟି କମ୍ପାନୀରୁ କବିତା ବରଫ କିଣନ୍ତି ଏବଂ ଏହାକୁ ଅନେକ କ୍ଷୁଦ୍ର ବିକ୍ରେତା ଓ ମୁଣ୍ଡ ବୋଝେଇ ବିକ୍ରେତାମାନଙ୍କୁ ବିକ୍ରି କରନ୍ତି।

Left: They use a machine to crush them, and then put the crushed ice in a bag to sell.
PHOTO • M. Palani Kumar
Right: Kavitha and Anbu Raj bringing a load to vendors under the bridge
PHOTO • M. Palani Kumar

ବାମ : ସେମାନେ ବରଫ ଭାଙ୍ଗିବା ପାଇଁ ଗୋଟିଏ ମେସିନ୍‌ ବ୍ୟବହାର କରନ୍ତି ଏବଂ ଏହି ଭଙ୍ଗା ବରଫ ବିକିବା ପାଇଁ ବସ୍ତାରେ ଭର୍ତ୍ତି କରନ୍ତି ଡାହାଣ : ପୋଲ ତଳେ ଅପେକ୍ଷାରତ ବିକ୍ରେତାଙ୍କ ପାଇଁ କବିତା ଓ ଅନ୍‌ବୁ ରାଜ ଠେଲାଗାଡ଼ିରେ ଲଦି ବରଫ ଆଣନ୍ତି

କବିତାଙ୍କ ଲମ୍ବା ଓ ପତଳା ଶରୀରରେ ତାଙ୍କ ଶାରୀରିକ ପରିଶ୍ରମ ପ୍ରତିଫଳିତ ହୋଇଥାଏ। ସେ କହନ୍ତି, “ମୁଣ୍ଡରେ ବରଫ ଖଣ୍ଡ ବୋଝେଇ କରି ବନ୍ଦର ନିକଟ ଆମ ଦୋକାନରୁ ପୋଲ ତଳେ ଅପେକ୍ଷା କରି ବସିଥିବା ମହିଳା ବିକ୍ରେତାମାନଙ୍କ ପାଖକୁ ବୋହିନେବା କଷ୍ଟକର କାମ।” ଭଡ଼ାରେ ମୋଟର ସାଇକେଲ ଚାଳିତ ଗାଡ଼ି ଆଣିଲେ ଦୋକାନରୁ ଗୋଟିଏ ଥର ବରଫ ନେଇଯିବା ଲାଗି ୧୦୦ ଟଙ୍କା ଭଡ଼ା ଦେବାକୁ ହୁଏ। କବିତାଙ୍କୁ ପ୍ରତିଦିନ ବରଫ ଭାଙ୍ଗିବାକୁ ଥିବା ମେସିନ୍‌ରେ ୨୦୦ ଟଙ୍କାର ଡିଜେଲ ଭରିବାକୁ ପଡ଼େ।

ଏ ବ୍ୟବସାୟ ଚଳାଇବା ବ୍ୟୟସାପେକ୍ଷ। କବିତା ୨୧୦ଟି ବଡ଼ ବରଫ ଖଣ୍ଡକୁ ୨୧,୦୦୦ ଟଙ୍କାରେ କିଣନ୍ତି ଏବଂ ଏହା ସହିତ ଶ୍ରମିକ ମଜୁରି, ଇନ୍ଧନ, ଭଡ଼ା ଓ ପରିବହନ ବାବଦ ଅତିରିକ୍ତ ସାପ୍ତାହିକ ଖର୍ଚ୍ଚ ମିଶିଲେ ମୋଟ ୨୬,୦୦୦ ଟଙ୍କା ଖର୍ଚ୍ଚ ହୁଏ। ଏହି ବ୍ୟବସାୟରୁ ତାଙ୍କର ଆୟ ୨୯,୦୦୦ରୁ ୩୧,୫୦୦ ଟଙ୍କା ମଧ୍ୟରେ ରହିଥାଏ। ତେଣୁ ସପ୍ତାହକୁ ତାଙ୍କର ଲାଭ ପରିମାଣ ୩,୦୦୦ରୁ ୩,୫୦୦ ଟଙ୍କା ଭିତରେ ରହିଥାଏ। ଯାହାକି ମୋଟାମୋଟି ଭଲ ବୋଲି କୁହାଯାଇପାରନ୍ତା। ହେଲେ, ଏହା କବିତା ଓ ତାଙ୍କ ସ୍ୱାମୀ ଅନ୍‌ବୁ ରାଜଙ୍କର ସମ୍ମିଳିତ ରୋଜଗାର।

ମତ୍ସ୍ୟଜୀବୀ ସଂପ୍ରଦାୟର ହୋଇ ନଥିବାରୁ କବିତା ମତ୍ସ୍ୟଜୀବୀ ମହିଳାମାନଙ୍କ ସମବାୟ ସମିତିର ସଦସ୍ୟା ହେବାକୁ ଯୋଗ୍ୟ ନୁହଁନ୍ତି। ଏହା ହୋଇଥିଲେ ହୁଏତ ସେ ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନା ର ସୁବିଧା ପାଇପାରୁଥାଆନ୍ତେ। ସେ ବାନ୍ନିୟର ସଂପ୍ରଦାୟର ଏବଂ ଏହି ସଂପ୍ରଦାୟ ସର୍ବାଧିକ ପଛୁଆ ଜାତି (MBC) ଭାବରେ ଶ୍ରେଣୀଭୁକ୍ତ ହୋଇଛି। ଏହି ଶ୍ରେଣୀକୁ ମାଛଧରା କାର୍ଯ୍ୟରେ ନିୟୋଜିତ ଜାତି ଭାବରେ ଗଣନା କରାଯାଏ ନାହିଁ

ବିଭିନ୍ନ ସରକାରୀ ଯୋଜନାରେ ମତ୍ସ୍ୟସଂପଦ କ୍ଷେତ୍ରରେ କାର୍ଯ୍ୟରତ କବିତାଙ୍କ ଭଳି ମହିଳାଙ୍କ ଯୋଗଦାନ ସଂପର୍କରେ ଯତ୍‌କିଞ୍ଚିତ ସୂଚନା ମାତ୍ର ଦିଆଯାଇଛି। ଉଦାହରଣ ସ୍ୱରୂପ, ତାମିଲନାଡୁ ମତ୍ସ୍ୟଜୀବୀ ଏବଂ ମାଛଧରା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟରେ ନିୟୋଜିତ ଶ୍ରମିକ (ସାମାଜିକ ସୁରକ୍ଷା ଓ କଲ୍ୟାଣ) ଆଇନ, ୨୦୦୭ ଅନୁସାରେ କବିତାଙ୍କ କାର୍ଯ୍ୟକୁ ‘ଉପକୂଳ କର୍ମୀ’ ଭାବରେ ବର୍ଗୀକରଣ କରାଯାଇପାରେ। ଏହି ବର୍ଗର କାର୍ଯ୍ୟରେ ଗାଡ଼ିରୁ ବରଫ ଓହ୍ଲାଇବା ଏବଂ ଭାଙ୍ଗିବା, ବାକ୍‌ସରେ ମାଛ ପ୍ୟାକ୍ କରିବା ଏବଂ ପରିବହନ ପାଇଁ ବୋଝେଇ କରିବା ପ୍ରଭୃତି କାର୍ଯ୍ୟ ଅନ୍ତର୍ଭୁକ୍ତ। କିନ୍ତୁ ଏଭଳି ବର୍ଗୀକରଣରୁ କବିତାଙ୍କୁ କିଛି ହେଲେ ଲାଭ ମିଳେ ନାହିଁ।

*****

Left: Kavitha, her mother-in-law Seetha, and Anbu Raj waiting for customers early in the morning.
PHOTO • M. Palani Kumar
Right: They use iron rod to crack ice cubes when they have no electricity
PHOTO • M. Palani Kumar

ବାମ: ବଡ଼ି ଭୋର୍‌ରୁ ଗ୍ରାହକଙ୍କ ଅପେକ୍ଷାରେ ଠିଆ ହୋଇଛନ୍ତି କବିତା, ତାଙ୍କ ଶାଶୂ ସୀତା, ଏବଂ ସ୍ୱାମୀ ଅନ୍‌ବୁ ରାଜ। ଡାହାଣ:ବିଦ୍ୟୁତ ନଥିବା ସମୟରେ ସେମାନେ ଲୁହା ଛଡ଼ ବ୍ୟବହାର କରି ବରଫ ଖଣ୍ଡ ଭାଙ୍ଗିଥାଆନ୍ତି

ବଡି ଭୋରରୁ କବିତା ଓ ତାଙ୍କ ୪୨ ବର୍ଷୀୟ ସ୍ୱାମୀ ଅନ୍‌ବୁ ରାଜଙ୍କ ଦିନ ଆରମ୍ଭ ହୁଏ। ବରଫ ବିକିବା ପାଇଁ ଭୋର ୩ଟାରୁ ସେମାନେ ବନ୍ଦର ଅଭିମୁଖେ ଯାଆନ୍ତି। ଭୋର ୩ଟାରୁ ୬ଟା ହେଉଛି ବରଫ ବିକ୍ରିର ସବୁଠାରୁ ପ୍ରକୃଷ୍ଟ ସମୟ। ଏହି ସମୟରେ ବିଭିନ୍ନ ରାଜ୍ୟର ବେପାରୀମାନେ ମାଛ କିଣିବାକୁ ଆସି ପହଞ୍ଚନ୍ତି। ଏହି ସମୟରେ ହିଁ ଅଧିକାଂଶ ମତ୍ସ୍ୟଜୀବୀ ନିଜ ନିଜର ମାଛକୁ ବୋଟ୍‌ରୁ ଖଲାସ କରନ୍ତି ଏବଂ ଏହାକୁ ସଂରକ୍ଷଣ କରିବା ଲାଗି ବରଫ ଆବଶ୍ୟକ କରନ୍ତି।

ସକାଳ ୬ଟାରେ କବିତାଙ୍କ ଶାଶୂ, ୬୫ ବର୍ଷୀୟା ସୀତା ଆସି କବିତାଙ୍କ କାମରେ ଲାଗି ପଡ଼ନ୍ତି ଏବଂ ସେ ଘରକୁ ଫେରିଯାଇ ପିଲାମାନେ ସ୍କୁଲ ଯିବା ଆଗରୁ ସେମାନଙ୍କ ପାଇଁ ରନ୍ଧାବଢ଼ା କରନ୍ତି। ଦିନ ୧୦ଟାରେ କବିତା ପୁଣି ବନ୍ଦରକୁ ଫେରି ଆସି ବରଫ ବିକ୍ରି କରିବାରେ ଲାଗନ୍ତି। ବନ୍ଦର ପାଖ ଦୋକାନରୁ ଘରକୁ ସେ ସାଇକେଲ୍‌ରେ ଯା’ଆସ କରନ୍ତି ଏବଂ ଏହି ଦୂରତା ଅତିକ୍ରମ କରିବା ଲାଗି ତାଙ୍କୁ ପାଖାପାଖି ପାଞ୍ଚ ମିନିଟ୍‌ ଲାଗେ। ହେଲେ, ବନ୍ଦରରେ ଶୌଚାଳୟ ଏବଂ ଗାଧୁଆପାଧୁଆ କରିବା ପାଇଁ ସ୍ଥାନ ନ ଥିବା ତାଙ୍କ ପାଇଁ ଏକ ବଡ଼ ସମସ୍ୟା।

ତାଙ୍କ ପରିବାରରେ ସୀତାଙ୍କ ନିଷ୍ପତ୍ତି ହିଁ ଗୁରୁତ୍ୱପୂର୍ଣ୍ଣ। କବିତା କହନ୍ତି, “ବରଫ ଭାଙ୍ଗିବା ପାଇଁ ଗୋଟିଏ ମେସିନ୍‌ କିଣିବା ସକାଶେ ଗୋଟିଏ ବେସରକାରୀ ଅର୍ଥଲଗାଣ ସଂସ୍ଥାରୁ ୫୦,୦୦୦ ଟଙ୍କା ଋଣ ଆଣିବାକୁ ସେ ହିଁ ନିଷ୍ପତ୍ତି ନେଇଥିଲେ।”

ସେ ଆହୁରି କହନ୍ତି, “ଆମ ଋଣ ଉପରେ କେତେ ସୁଧ ଦେବାକୁ ପଡୁଛି ସେ କଥା ବି ମୁଁ ଜାଣିନି। ମୋ ଶାଶୂ ସେ ସବୁ କଥା ବୁଝନ୍ତି ଏବଂ ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସେ ନିଅନ୍ତି।”

Left: Kavitha (blue sari) sometimes buys fish from the market to cook at home.
PHOTO • M. Palani Kumar
Right: The Cuddalore fish market is crowded early in the morning
PHOTO • M. Palani Kumar

ବାମ: ଘରେ ରାନ୍ଧିବା ପାଇଁ ବେଳେବେଳେ ସ୍ଥାନୀୟ ବଜାରରୁ କବିତା (ନୀଳ ଶାଢ଼ିରେ) ମାଛ କିଣନ୍ତି। ଡାହାଣ: ବଡ଼ି ଭୋରରୁ କୁଡ୍ଡାଲୋର ମାଛ ବଜାରରେ ଲୋକଙ୍କ ଭିଡ଼ ଜମିଯାଏ

Left: Kavitha returns home to do housework on a cycle.
PHOTO • M. Palani Kumar
Right: Kavitha and Seetha love dogs. Here, they are pictured talking to their dog
PHOTO • M. Palani Kumar

ବାମ: ଘରକାମ କରିବା ପାଇଁ ସାଇକେଲରେ କବିତା ଘରକୁ ଫେରନ୍ତି। ଡାହାଣ: କବିତା ଓ ସୀତା କୁକୁରମାନଙ୍କୁ ଭଲ ପାଆନ୍ତି, ଚିତ୍ରରେ ସେମାନେ ସେମାନଙ୍କ କୁକୁର ସହିତ କଥାବାର୍ତ୍ତା କରୁଛନ୍ତି

ହେଲେ କବିତାଙ୍କର ବ୍ୟବସାୟ ଜ୍ଞାନ ରହିଛି। ବାକିରେ ବିକିବା ବେଳେ ସେ ତୁରନ୍ତ ସେହି କାରବାର ସଂପର୍କରେ ଲେଖି ରଖନ୍ତି। ସେ ମଧ୍ୟ ବରଫ କିଣାବିକା ସଂପର୍କିତ ହିସାବ ରଖନ୍ତି। କିନ୍ତୁ ସେ ତାଙ୍କର ସମସ୍ତ ରୋଜଗାରକୁ ତାଙ୍କ ଶାଶୂଙ୍କୁ ହସ୍ତାନ୍ତର କରିବା ଦରକାର।

ତାଙ୍କର ଯାହା ଦରକାର ସବୁ ମିଳିଯାଉଥିବାରୁ ସେ କୌଣସି କଥାରେ ଆପତ୍ତି କରିବାକୁ ଚାହାଁନ୍ତି ନାହିଁ। ସେ କହନ୍ତି, “ଯଦିବା ଟଙ୍କା ପଇସା ଉପରେ ମୋର ନିୟନ୍ତ୍ରଣ ନାହିଁ, ତଥାପି ମୋର ନିଜସ୍ୱ ଆୟ ରହିଛି ଏବଂ ଏଥିରୁ ହିଁ ମୋତେ ଆମ ଘରେ ସମ୍ମାନ ମିଳେ।” ବନ୍ଦରଠାରୁ ପ୍ରାୟ ୨ କିଲୋମିଟର ଦୂର ଗୋଟିଏ ତିନି କୋଠରି ବିଶିଷ୍ଟ ଘରେ ଏହି ପରିବାର ରହନ୍ତି।

ସେ କହନ୍ତି, “ଆମ ପରିବାରରେ ସମସ୍ତଙ୍କର ପରସ୍ପର ସହ ଭଲ ବୁଝାମଣା ରହିଛି।” ମେକାନିକାଲ ଇଞ୍ଜିନିୟରିଂ ପଢ଼ିବା ପରେ ସିଙ୍ଗାପୁରରେ କାର୍ଯ୍ୟରତ ତାଙ୍କ ଦିଅର ଅରୁଲ ରାଜ ତାଙ୍କ ପିଲାମାନଙ୍କ ସ୍କୁଲ ଫି’ ଦିଅନ୍ତି।

ତାଙ୍କ ଶାଶୂ ଓ ଶ୍ୱଶୁରଙ୍କ ବୟସ ବଢ଼ିବା ସହିତ ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରହୁ ନଥିବାରୁ ପରିବାର ପ୍ରତି କବିତାଙ୍କ ଦାୟିତ୍ୱ ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ ସେ ଏହାକୁ ତୁଲାଇବା ସହିତ ବରଫ ବ୍ୟବସାୟରେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି।

ଅନୁବାଦ : ଓଡ଼ିଶାଲାଇଭ୍‍

Nitya Rao

नित्या राव, यूके के नॉर्विच में स्थित यूनिवर्सिटी ऑफ़ ईस्ट एंग्लिया में जेंडर ऐंड डेवेलपमेंट की प्रोफ़ेसर हैं. वह महिलाओं के अधिकारों, रोज़गार, और शिक्षा के क्षेत्र में शोधकर्ता, शिक्षक, और एक्टिविस्ट के तौर पर तीन दशकों से अधिक समय से बड़े पैमाने पर काम करती रही हैं.

की अन्य स्टोरी Nitya Rao
Photographs : M. Palani Kumar

एम. पलनी कुमार पीपल्स आर्काइव ऑफ़ रूरल इंडिया के स्टाफ़ फोटोग्राफर हैं. वह अपनी फ़ोटोग्राफ़ी के माध्यम से मेहनतकश महिलाओं और शोषित समुदायों के जीवन को रेखांकित करने में दिलचस्पी रखते हैं. पलनी को साल 2021 का एम्प्लीफ़ाई ग्रांट और 2020 का सम्यक दृष्टि तथा फ़ोटो साउथ एशिया ग्रांट मिल चुका है. साल 2022 में उन्हें पहले दयानिता सिंह-पारी डॉक्यूमेंट्री फ़ोटोग्राफी पुरस्कार से नवाज़ा गया था. पलनी फ़िल्म-निर्माता दिव्य भारती की तमिल डॉक्यूमेंट्री ‘ककूस (शौचालय)' के सिनेमेटोग्राफ़र भी थे. यह डॉक्यूमेंट्री तमिलनाडु में हाथ से मैला साफ़ करने की प्रथा को उजागर करने के उद्देश्य से बनाई गई थी.

की अन्य स्टोरी M. Palani Kumar
Editor : Urvashi Sarkar

उर्वशी सरकार, स्वतंत्र पत्रकार हैं और साल 2016 की पारी फ़ेलो हैं.

की अन्य स्टोरी उर्वशी सरकार
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE