“ସେମାନେ କହନ୍ତି କି ଏ ଜାଗାରୁ ଦୁର୍ଗନ୍ଧ ବାହାରୁଛି, ଅପରିଷ୍କାର ଦେଖାଯାଉଛି, ଆବର୍ଜନା ଭରି ରହିଛି,” ରାସ୍ତାର ଦୁଇ କଡ଼ରେ ଧାଡ଼ି ଧାଡ଼ି କରି ରଖା ଯାଇଥିବା ମାଛ ବାକ୍‌ସ ଓ ସେଠାରେ ବସିଥିବା ମାଛ ବିକାଳିଙ୍କ ଆଡ଼କୁ ଆଙ୍ଗୁଠି ଦେଖାଇ ଉତ୍ତେଜିତ କଣ୍ଠରେ କହନ୍ତି ଏନ୍‌. ଗୀତା। “ଏହି ଆବର୍ଜନା ହିଁ ଆମ ସଂପତ୍ତି; ଏହି ଦୁର୍ଗନ୍ଧ ହିଁ ଆମର ଜୀବିକା। ଆମେ ଏହାକୁ ଛାଡ଼ି କେଉଁଠିକି ବା ଯିବୁ?” ଏହି ୪୨ ବର୍ଷୀୟା ମହିଳା ଜଣକ ପଚାରନ୍ତି।

ଆମେ ଠିଆ ହୋଇଛୁ ମରିନା ବିଚ୍‌ କଡ଼େ କଡ଼େ ୨.୫ କିଲୋମିଟର ଯାଏଁ ଲମ୍ବିଥିବା ନୋଚିକୁପ୍ପମର ଅସ୍ଥାୟୀ ମାଛ ବଜାରରେ। ସହରର ସୌନ୍ଦର୍ଯ୍ୟକରଣ ଦୃଷ୍ଟିରୁ ଏହି ମାଛ ବିକାଳିମାନେ ଏଠାରୁ ଚାଲି ଯାଆନ୍ତୁ ବୋଲି ଯେଉଁମାନେ ଚାହାଁନ୍ତି, ସେହି ‘ସେମାନେ’ ହେଲେ ଏଠାକାର ଅଭିଜାତ ବର୍ଗର ଆଇନ ପ୍ରଣେତାମାନେ ଏବଂ ସରକାରୀ କର୍ତ୍ତୃପକ୍ଷ। କିନ୍ତୁ ଗୀତାଙ୍କ ଭଳି ମତ୍ସ୍ୟଜୀବୀଙ୍କ ପାଇଁ ନୋଚିକୁପ୍ପମ ହେଉଛି ସେମାନଙ୍କର ଉରୁ (ଗାଁ)। ବିଭିନ୍ନ ସମୟରେ ସୁନାମି ଓ ବାତ୍ୟା ସତ୍ତ୍ୱେ ଯେଉଁଠାରେ ସେମାନେ ରହିଆସିଛନ୍ତି।

ବଜାରରେ ଭିଡ଼ ଲାଗିବା ପୂର୍ବରୁ ଗୀତା ତାଙ୍କ ମାଛ ଷ୍ଟଲ୍‌କୁ ପ୍ରସ୍ତୁତ କରି ନେଉଛନ୍ତି। ଓଲଟା ରଖାଯାଇଥିବା କେତେକ ମୁହଁଖୋଲା ବାକ୍‌ସ ଉପରେ ପଡ଼ିଥିବା ଗୋଟିଏ ପ୍ଲାଷ୍ଟିକ୍‌ ପଟା ଉପରେ ପାଣି ଛିଞ୍ଚି ଦେଉଛନ୍ତି। ଅପରାହ୍‌ଣ ୨ଟା ଯାଏଁ ସେ ଏହି ଷ୍ଟଲ୍‌ରେ ରହିବେ। ଦୁଇ ଦଶନ୍ଧି ତଳେ ସେ ବାହା ହେବା ପରଠାରୁ ଏହି ସ୍ଥାନରେ ହିଁ ମାଛ ବିକି ଆସୁଛନ୍ତି।

କିନ୍ତୁ ପ୍ରାୟ ବର୍ଷେ ତଳେ, ୨୦୨୩ ଏପ୍ରିଲ ୧୧ ତାରିଖ ଦିନ, ସେ ଓ ଲୁପ୍‌ ରୋଡ୍‌ରେ ମାଛ ବିକ୍ରି କରିଆସୁଥିବା ତାଙ୍କ ଭଳି ଅନ୍ୟ ପ୍ରାୟ ତିନି ଶହ ମାଛ ବିକାଳିଙ୍କୁ ଗ୍ରେଟର ଚେନ୍ନାଇ କର୍ପୋରେସନ୍‌ (ଜିସିସି) ତରଫରୁ ଜବରଦଖଲ ଉଚ୍ଛେଦ ସକାଶେ ଏକ ନୋଟିସ୍‌ ମିଳିଲା। ମାଡ୍ରାସ୍‌ ହାଇକୋର୍ଟଙ୍କ ଏକ ନିର୍ଦ୍ଦେଶ ପାଳନ କରିବାକୁ ଯାଇ ସପ୍ତାହକ ଭିତରେ ଏହି ରାସ୍ତାକୁ ଦଖଲମୁକ୍ତ କରିବା ଲାଗି ଜିସିସି ଏହି ନୋଟିସ୍‌ ଜାରି କରିଥିଲା।

“ଆଇନଗତ ପ୍ରକ୍ରିୟା ଅନୁସରଣ ପୂର୍ବକ ଗ୍ରେଟର ଚେନ୍ନାଇ କର୍ପୋରେସନ୍‌ ଲୁପ୍‌ ରୋଡ୍‌ରୁ ସମସ୍ତ ଜବରଦଖଲ (ମାଛ ବିକାଳି, ଷ୍ଟଲ୍‌, ପାର୍କିଂ କରାଯାଇଥିବା ଯାନବାହନ) ହଟାଇବ। ରାସ୍ତା ଏବଂ ଫୁଟ୍‌ପାଥର ସବୁ ଅଂଶରୁ ଜବରଦଖଲ ହଟାଇ ଏହାକୁ ଯାନବାହନ ଏବଂ ପଦଚାରୀମାନଙ୍କ ଅବାଧ ଯାତାୟାତ ନିମନ୍ତେ ଉପଲବ୍‌ଧ କରାଇବାରେ କର୍ପୋରେସନକୁ ପୋଲିସ ସହାୟତା ପ୍ରଦାନ କରିବ,” ହାଇକୋର୍ଟଙ୍କ ଆଦେଶରେ ଉଲ୍ଲେଖ କରାଯାଇଥିଲା।

PHOTO • Abhishek Gerald
PHOTO • Manini Bansal

ବାମ : ନୋଚିକୁପ୍ପମ ବଜାରରେ ତିଲାପିଆ, ମାକେରେଲ ଓ ଥ୍ରେଡ୍‌ଫିନ୍‌ ଭଳି ସମୁଦ୍ର ମାଛ ସହିତ ଗୀତା ଡାହାଣ : ନୋଚିକୁପ୍ପମ ବଜାରରେ ମତ୍ସ୍ୟଜୀବୀମାନେ ସେଦିନ ଧରିଥିବା ମାଛକୁ ସଜେଇ ରଖୁଛନ୍ତି

PHOTO • Abhishek Gerald
PHOTO • Manini Bansal

ବାମ : ନୂତନ ମାର୍କେଟ ପରିସରର ଗୋଟିଏ ଭାଗ, ମଝିରେ କାର ପାର୍କିଂ ପାଇଁ ସ୍ଥାନ ରହିଛି ଡାହାଣ : ନୋଚିକୁପ୍ପମ ସମୁଦ୍ରକୂଳରେ ରଖାଯାଉଥିବା ୨୦୦ରୁ ଅଧିକ ଡଙ୍ଗାରୁ ଅଳ୍ପ କେତୋଟି

ହେଲେ, ମତ୍ସ୍ୟଜୀବୀ ସଂପ୍ରଦାୟ ପାଇଁ ସେମାନେ ହିଁ ସେଠାକାର ପୂର୍ବକୁଡ଼ି , ମୂଳ ଅଧିବାସୀ। ଏବଂ ସେମାନେ ନୁହନ୍ତି, ବରଂ ଏହି ନଗରୀ ହିଁ ସେହି ଜାଗାକୁ ଧୀରେ ଧୀରେ ଜବର ଦଖଲ କରିବାରେ ଲାଗିଛି, ଇତିହାସ ଅନୁସାରେ, ଯେଉଁ ଜାଗା ଉପରେ ସେମାନଙ୍କର ଅଧିକାର ରହିଛି।

ଚେନ୍ନାଇ (କିମ୍ବା ମାଡ୍ରାସ) ନଗରୀ ଗଢ଼ା ହେବାର ବହୁ ପୂର୍ବରୁ ଏହି ସମୁଦ୍ର ଉପକୂଳରେ ଅନେକ ଛୋଟ ଛୋଟ କାଟ୍ଟୁମାରାମ (ଭେଳା) ଧାଡ଼ିରେ ରହୁଥିଲା। ନିଷ୍ପ୍ରଭ ଆଲୁଅରେ ମାଛ ଧରାଳିମାନେ ଧୈର୍ଯ୍ୟ ଧରି ବସି ରହୁଥିଲେ, ଏଠାକାର ପବନକୁ ଅନୁଭବ କରୁଥିଲେ, ଆଘ୍ରାଣ କରୁଥିଲେ ମୃଦୁମନ୍ଦ ସମୀରର ବାସ୍ନା, ଆଉ ବନ୍ଦା-ଥାନ୍ନି - ବା ଚେନ୍ନାଇ ସମୁଦ୍ର ଉପକୂଳରେ ଋତୁ ଭିତ୍ତିରେ କେବେ କେମିତି ଦେଖାଯାଉଥିବା କାବେରୀ ଓ କୋଲିଡାମ ନଦୀର ପଙ୍କ ଭର୍ତ୍ତି ଜୁଆର ଉପରେ ନଜର ରଖୁଥିଲେ। ଏହି ଜୁଆରରେ ଭାସି ଆସୁଥିବା ପ୍ରଚୁର ପରିମାଣର ମାଛ ଧରୁଥିଲେ। ଆଜିକାଲି ଏହା ଆଉ ପ୍ରଚୁର ପରିମାଣରେ ମିଳୁନାହିଁ ସତ, ତଥାପି ଚେନ୍ନାଇର ମାଛଧରାଳିମାନେ ଉପକୂଳ ସମୁଦ୍ରରେ ଡଙ୍ଗା ବାହିବାରେ ଲାଗନ୍ତି।

“ଆଜି ବି ମାଛଧରାଳିମାନେ ବନ୍ଦା ଥାନ୍ନି କୁ ଅପେକ୍ଷା କରନ୍ତି, ହେଲେ ଚେନ୍ନାଇ ନଗରୀର ବାଲି ଓ କଂକ୍ରିଟ୍‌ ତଳେ ଦବି ଯାଇଛି ସେଦିନର ସେହି ସ୍ମୃତି, ଯେତେବେଳେ କି ଚେନ୍ନାଇ ଥିଲା ଏକ ମାଛଧରା କୁପ୍ପମ (ସମାନ ବୃତ୍ତିକୁ ଆପଣେଇ ନେଇଥିବା ଲୋକଙ୍କର ଏକ ପଲ୍ଲୀ ଗାଁ),” ଦୀର୍ଘଶ୍ୱାସ ପକାଇ କହନ୍ତି ଏସ୍‌. ପାଲାୟମ, ନୋଚିକୁପ୍ପମ ବଜାର ସଂଲଗ୍ନ ନଦୀ ଆରପଟର ଏକ ଗାଁ, ଉରୁର ଓଲକୋଟ କୁପ୍ପମର ଜଣେ ମାଛ ଧରାଳି। “ସେ କଥା କ’ଣ ଲୋକେ ମନେ ରଖିଛନ୍ତି ?”

ସମୁଦ୍ର ତଟବର୍ତ୍ତୀ ଏହି ବଜାରଟି ମତ୍ସ୍ୟଜୀବୀମାନଙ୍କର ଜୀବନରେଖା। ଜିସିସିର ଯୋଜନା ଅନୁସାରେ, ଏଠାରୁ ମାଛ ବଜାର ସ୍ଥାନାନ୍ତରିତ ହେଲେ ଏହା ହୁଏତ ସହରବାସୀଙ୍କ ପାଇଁ ସାମାନ୍ୟ ଅସୁବିଧା ସୃଷ୍ଟି କରିବ, କିନ୍ତୁ ଯେଉଁ ମାଛ ଧରାଳିମାନେ ନୋଚିକୁପ୍ପମ ବଜାରରେ ମାଛ ବ୍ୟବସାୟ କରିଆସୁଛନ୍ତି, ସେମାନଙ୍କ ପାଇଁ ଏହା ଜୀବିକା ଏବଂ ପରିଚୟର ପ୍ରଶ୍ନ।

*****

ମରିନା ବିଚ୍‌ ଲାଗି ସଂଗ୍ରାମ ବହୁ ପୁରୁଣା କଥା।

ବ୍ରିଟିଶ ଅମଳରୁ ଆରମ୍ଭ କରି, ଗୋଟିଏ ପରେ ଗୋଟିଏ ଯେତେ ସରକାର ଆସିଛନ୍ତି ଏବଂ ଯାଇଛନ୍ତି, ମରିନା ବିଚ୍‌ର ସୌନ୍ଦର୍ଯ୍ୟ ବୃଦ୍ଧି ଦିଗରେ ସେମାନଙ୍କ ଅବଦାନ ରହିଥିବା କଥା କହିଛନ୍ତି। ଏକ ସୁଦୀର୍ଘ ବେଳାଭୂମି ମାର୍ଗ, ସୀମାନ୍ତରେ ଘାସର ଗାଲିଚା, ସୁବ୍ୟବସ୍ଥିତ ଢଙ୍ଗରେ ବଢ଼ିଥିବା ବୃକ୍ଷରାଜି, ପରିଷ୍କାର ଚଲାପଥ, ସ୍ମାର୍ଟ କିଓସ୍କ, ରାମ୍ପ ଏବଂ ଆହୁରି ଅନେକ।

PHOTO • Manini Bansal
PHOTO • Manini Bansal

ବାମ : ନୋଚିକୁପ୍ପମ ଲୁପ୍‌ ରୋଡ୍‌ରେ ପୋଲିସ ପା ଟ୍ରୋଲିଂ ଡାହାଣ : ନୋଚିକୁପ୍ପମ ବଜାରରେ ବିକ୍ରି ପାଇଁ ରହିଥିବା ତଟକା ଚିଙ୍ଗୁଡ଼ି

PHOTO • Manini Bansal
PHOTO • Sriganesh Raman

ବାମ : ନୋଚିକୁପ୍ପମରେ ଜାଲ ରଖିବା ଏବଂ ଅବସର ବିନୋଦନ ଲାଗି ମତ୍ସ୍ୟଜୀବୀମାନଙ୍କ ଅସ୍ଥାୟୀ ତମ୍ବୁ ଓ ଚାଳିଆ ଘର ଡାହାଣ : ମତ୍ସ୍ୟଜୀବୀମାନେ ମରିନା ବିଚ୍‌ରେ ସେମାନେ ଧରିଥିବା ମାଛକୁ ଜାଲରୁ ବାହାର କରୁଛନ୍ତି

ଏଥର କିନ୍ତୁ ଲୁପ୍‌ ରୋଡ୍‌ରେ ଯାନବାହନ ଭିଡ଼ ଯୋଗୁଁ ବିଶୃଙ୍ଖଳା ସୃଷ୍ଟି ହେଉଥିବା ଯୋଗୁଁ ଅଦାଲତ ନିଜ ପକ୍ଷରୁ କରିଥିବା –‘ସ୍ୱତଃ ପ୍ରଣୋଦିତ’ ଆବେଦନର ବିଚାର କରି ମତ୍ସ୍ୟଜୀବୀ ସଂପ୍ରଦାୟ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଏହି ରାସ୍ତା ଦେଇ ମାଡ୍ରାସ୍ ହାଇକୋର୍ଟର ବିଚାରପତିମାନେ ଯିବାଆସିବା କରିଥାଆନ୍ତି। ଯାନବାହନ ଚଳାଚଳର ବ୍ୟସ୍ତବହୁଳ ସମୟରେ, ରାସ୍ତାର ଉଭୟ ପାଖରେ ରହିଥିବା ମାଛ ଷ୍ଟଲ୍‌ଗୁଡ଼ିକ ଯୋଗୁଁ ଅଧିକ ବିଶୃଙ୍ଖଳା ସୃଷ୍ଟି ହେଉଥିବାରୁ ଏଗୁଡ଼ିକୁ ଉଚ୍ଛେଦ ନିମନ୍ତେ ଆଦେଶ ଦିଆଯାଇଥିଲା।

ଏପ୍ରିଲ ୧୨ ତାରିଖ ଦିନ ଜିସିସି ଏବଂ ପୋଲିସ ଅଧିକାରୀମାନେ ଯେତେବେଳେ ଲୁପ୍‌ ରୋଡ୍‌ର ପଶ୍ଚିମ ପଟେ ଥିବା ମାଛ ଷ୍ଟଲ୍‌ଗୁଡ଼ିକ ଉଚ୍ଛେଦ ଆରମ୍ଭ କଲେ, ମତ୍ସ୍ୟଜୀବୀ ସଂପ୍ରଦାୟ ପକ୍ଷରୁ ବାରମ୍ବାର ସାମୂହିକ ପ୍ରତିବାଦ କରାଗଲା। ଆଧୁନିକ ମାଛ ମାର୍କେଟ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ନହେଲା ଯାଏଁ ଲୁପ୍‌ ରୋଡ୍‌ର ମାଛବିକାଳିମାନଙ୍କୁ ନିୟନ୍ତ୍ରିତ କରାଯିବ ବୋଲି ଅଦାଲତରେ ଜିସିସି ପକ୍ଷରୁ ପ୍ରତିଶ୍ରୁତି ପ୍ରଦାନ କରାଯିବା ପରେ ପ୍ରତିବାଦ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା। ଏବେ ସେହି ଅଞ୍ଚଳରେ ଅଧିକ ସଂଖ୍ୟକ ପୋଲିସର ଉପସ୍ଥିତି ଦୃଷ୍ଟିଗୋଚର ହୁଏ।

“ବିଚାରପତି ହୁଅନ୍ତୁ କି ଚେନ୍ନାଇ କର୍ପୋରେସନ୍‌, ସେମାନେ ସମସ୍ତେ ସରକାରର ଅଂଶ, ନୁହେଁ କି? ତେବେ ସରକାର କାହିଁକି ଏହା କରୁଛନ୍ତି ? ଗୋଟିଏ ପଟେ ସେମାନେ ଆମକୁ ସମୁଦ୍ରତଟର ପ୍ରତୀକ ରୂପେ ବିବେଚନା କରୁଛନ୍ତି ତ ଅନ୍ୟ ପଟେ ସେମାନେ ଆମ ଜୀବିକା ଅର୍ଜନ ଉପରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି,” ସମୁଦ୍ରକୂଳରେ ମାଛ ବିକ୍ରି କରୁଥିବା ୫୨ ବର୍ଷ ବୟସ୍କା ଏସ୍‌.ସରୋଜା କହନ୍ତି।

ନୋଚିକୁପ୍ପମରେ (୨୦୦୯ରୁ ୨୦୧୫ ଭିତରେ) ନିର୍ମିତ ସରକାର ପ୍ରଦତ୍ତ ବାସଗୃହଗୁଡ଼ିକରେ ଭିତ୍ତି ଚିତ୍ର ଅଙ୍କନକୁ ଉପଲକ୍ଷ୍ୟ କରି ସେ ଏହା କହନ୍ତି। ସମୁଦ୍ରକୂଳରୁ ସେମାନଙ୍କୁ ପୃଥକ୍‌ କରୁଥିବା ରାସ୍ତା ଆରପଟରେ ଏହି ସରକାରୀ ଘରଗୁଡ଼ିକ ରହିଛି। ୨୦୨୩ ମାର୍ଚ୍ଚରେ ତାମିଲନାଡୁ ସହରାଞ୍ଚଳ ବାସଗୃହ ଉନ୍ନୟନ ବୋର୍ଡ, ଏସ୍‌ଟି+ଆର୍ଟ ନାମକ ଏକ ବେସରକାରୀ ସଂସ୍ଥା ଏବଂ ଏସିଆନ୍‌ ପେଣ୍ଟ୍‌ସର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମତ୍ସ୍ୟଜୀବୀ ସଂପ୍ରଦାୟର ବସ୍ତିକୁ ଏକ ‘ନୂତନ ରୂପ’ ଦିଆଯାଇଥିଲା। ନେପାଳ, ଓଡ଼ିଶା, କେରଳ, ରୁଷ ଏବଂ ମେକ୍‌ସିକୋରୁ ନିମନ୍ତ୍ରିତ ହୋଇ ଆସିଥିବା ଶିଳ୍ପୀମାନେ ନୋଚିକୁପ୍ପମର ୨୪ଟି ବସାଘର କାନ୍ଥରେ ଭିତ୍ତିଚିତ୍ର ଅଙ୍କନ କରିଥିଲେ।

“ସେମାନେ ଆମ ଜୀବନକୁ କାନ୍ଥରେ ଆଙ୍କନ୍ତି ଏବଂ ତା’ ପରେ ଆମକୁ ଏ ଅଞ୍ଚଳରୁ ବିଦା କରିଦିଅନ୍ତି,” କୋଠାଘରଗୁଡ଼ିକୁ ଚାହିଁ ଗୀତା କହନ୍ତି। ଏହି କୋଠାଘରଗୁଡ଼ିକରେ ମିଳିଥିବା ‘ମାଗଣା ବାସଗୃହ’ ସବୁ ଆଉ ଯାହା ହେଉ କି ନ ହେଉ, ମାଗଣା ଆଦୌ ନୁହେଁ। “ଗୋଟିଏ ଆପାର୍ଟମେଣ୍ଟ ପାଇଁ ଜଣେ ଏଜେଣ୍ଟ ମୋତେ ୫ ଲକ୍ଷ ଟଙ୍କା ଦେବାକୁ କହିଲେ,” ନୋଚିକୁପ୍ପମର ଜଣେ ପୁରୁଖା ମତ୍ସ୍ୟଜୀବୀ ୪୭ ବର୍ଷୀୟ ପି. କାନ୍ନାଦାସନ କହନ୍ତି। “ଆମେ ନ ଦେଇଥିଲେ, ଆପାର୍ଟମେଣ୍ଟକୁ ଆଉ କାହା ନାଁରେ କରି ଦିଆଯାଇଥାନ୍ତା,” ୪୭ ବର୍ଷୀୟ ଆରାସୁ କହନ୍ତି।

ଏକ ଦ୍ରୁତ ବର୍ଦ୍ଧମାନ ସହରାଞ୍ଚଳ ରୂପେ ଚେନ୍ନାଇର ରୂପାନ୍ତରଣ ଏବଂ ସମୁଦ୍ର କୂଳରେ ଓ ମତ୍ସ୍ୟଜୀବୀମାନଙ୍କ ବସ୍ତି ଭିତର ଦେଇ ଲୁପ୍‌ ରୋଡ୍‌ ନିର୍ମାଣ କାରଣରୁ ହିଁ ଅନେକ ସମୟରେ ମତ୍ସ୍ୟଜୀବୀମାନେ ସିଟି କର୍ପୋରେସନ ସହ ମୁହାଁମୁହିଁ ହୋଇଥିବା ନଜରକୁ ଆସିଛି।

PHOTO • Manini Bansal
PHOTO • Manini Bansal

ବାମ : ନୋଚିକୁପ୍ପମରେ କାନ୍ନାଦାସନ ଡାହାଣ : ବଜାରରେ ଲାଗିଥିବା ଏକ ଛତାର ଛାଇରେ ଫଟୋ ଉଠାଇବା ଲାଗି ପୋଜ୍‌ ଦେଉଛନ୍ତି ଆରାସୁ (ଧଳା ଦାଢ଼ି) ଏବଂ ତାଙ୍କ ପୁଅ ନୀତୀଶ (ବାଦାମୀ ରଙ୍ଗର ଟି-ସାର୍ଟ) ଏବଂ ସାଙ୍ଗରେ ଅଛନ୍ତି ନୀତୀଶଙ୍କ ଜେଜେମାଆ

PHOTO • Sriganesh Raman
PHOTO • Sriganesh Raman

ବାମ : ନୋଚିକୁପ୍ପମ ବଜାରରେ ମାଛ ବିକୁଛନ୍ତି ରଣଜିତ ଡାହାଣ : ସରକାର ମତ୍ସ୍ୟଜୀବୀମାନଙ୍କୁ ବଣ୍ଟନ କରିଥିବା ବାସଗୃହ ପରିସରରେ ଅଙ୍କିତ ଭିତ୍ତି ଚିତ୍ର

ମତ୍ସ୍ୟଜୀବୀମାନେ ଭାବନ୍ତି ଯେ ସେମାନେ ସମସ୍ତେ ଗୋଟିଏ କୁପ୍ପମ୍‌ , ଅର୍ଥାତ୍‌ ପଲ୍ଲୀରେ ରହନ୍ତି। “ପୁରୁଷମାନେ ଯଦି ସମୁଦ୍ରରେ ଏବଂ ସମୁଦ୍ର କୂଳରେ କାମ କରନ୍ତି ଏବଂ ମହିଳାମାନଙ୍କୁ ଘରଠାରୁ ବହୁ ଦୂରରେ କାମ କରିବାକୁ ପଡ଼େ ତେବେ ଗୋଟିଏ କୁପ୍ପମ୍‌ କେମିତି ରହିବ?” ୬୦ ବର୍ଷୀୟ ପାଲାୟମ ପଚାରନ୍ତି। “ଆମେ ପରସ୍ପର ମଧ୍ୟରେ ଏବଂ ସମୁଦ୍ର ସହିତ ସମସ୍ତ ସଂଯୋଗ ହରାଇ ବସିବୁ।” ଅନେକ ପରିବାର କ୍ଷେତ୍ରରେ, ପୁରୁଷମାନେ ଡଙ୍ଗାରୁ ମାଛ ବାହାର କରି ମହିଳାମାନଙ୍କ ମାଛ ଷ୍ଟଲକୁ ନେବା ସମୟରେ ହିଁ ଯାହା କଥାବାର୍ତ୍ତା ହୋଇଥାଏ। କାରଣ, ପୁରୁଷମାନେ ରାତିରେ ମାଛ ଧରନ୍ତି ଏବଂ ଦିନ ବେଳା ଶୋଇ ରହନ୍ତି, ଯେତେବେଳେ କି ମହିଳାମାନେ ମାଛ ବିକିବାକୁ ବାହାରି ଯାଆନ୍ତି।

ଅନ୍ୟପକ୍ଷରେ, ସେଠାକାର ପଥଚାରୀ ଓ ଦୌଡ଼ାଳିମାନଙ୍କ ମତରେ ପାରମ୍ପରିକ ଭାବରେ ଏହି ସ୍ଥାନ ମତ୍ସ୍ୟଜୀବୀମାନଙ୍କର ମାଲିକାନାରେ ରହିଛି। “ସକାଳେ ଅନେକ ଲୋକ ଏଠାକୁ ଆସନ୍ତି,” ମରିନା ବିଚ୍‌ରେ ନିୟମିତ ଚାଲିବାକୁ ଆସୁଥିବା ୫୨ ବର୍ଷୀୟ ଚିଟ୍ଟିବାବୁ କହନ୍ତି। “ବିଶେଷତଃ ସେମାନେ ମାଛ କିଣିବାକୁ ଆସନ୍ତି... ଏହା ସେମାନଙ୍କର (ମତ୍ସ୍ୟଜୀବୀମାନଙ୍କର) କୌଳିକ ବ୍ୟବସାୟ ଏବଂ ସେମାନେ ଏଠାରେ ଦୀର୍ଘ ବର୍ଷ ହେଲା ରହିଆସୁଛନ୍ତି। ସେମାନଙ୍କୁ ଏଠାରୁ ଉଠିଯିବା ପାଇଁ କହିବା ଠିକ୍‌ ନୁହେଁ,” ସେ କହନ୍ତି।

ତାଙ୍କ କଥାରେ ସମ୍ମତି ପ୍ରକାଶ କରନ୍ତି ନୋଚିକୁପ୍ପମର ୨୯ ବର୍ଷୀୟ ମତ୍ସ୍ୟଜୀବୀ ରଣଜିତ କୁମାର। “ସେହି ଏକା ସ୍ଥାନକୁ ଭିନ୍ନ ଭିନ୍ନ ପ୍ରକାରର ଲୋକେ ବ୍ୟବହାର କରିପାରନ୍ତି। ଉଦାହରଣ ସ୍ୱରୂପ, ଲୋକେ ପାଦରେ ଚାଲିବାକୁ ସକାଳ ୬ଟାରୁ ୮ଟା ଭିତରେ ଆସନ୍ତି। ସେତେବେଳେ ଆମେ ସମୁଦ୍ର ଭିତରେ ଥାଉ। ଆମେ ଫେରି ଆସିବା ବେଳକୁ ଏବଂ ମହିଳାମାନେ ଷ୍ଟଲ ବସାଇବା ବେଳକୁ ଚାଲିବାକୁ ଆସିଥିବା ଲୋକେ ଫେରିସାରି ଥାଆନ୍ତି। ଚାଲିବାକୁ ଆସୁଥିବା ଲୋକଙ୍କ ସହିତ ଆମର କୌଣସି ସମସ୍ୟା ନାହିଁ। କେବଳ ସରକାରୀ କର୍ତ୍ତୃପକ୍ଷ ହିଁ ଯାହା ସମସ୍ୟା ସୃଷ୍ଟି କରୁଛନ୍ତି,” ସେ କହନ୍ତି।

*****

ବଜାରରେ ଭିନ୍ନ ଭିନ୍ନ ପ୍ରକାରର ମାଛ ମିଳେ। କେତେକ ଛୋଟ ଆକାରର, ଆଉ କେତେକ ‘କ୍ରେସେଣ୍ଟ ଗ୍ରଣ୍ଟର’ (ଟେରାପନ୍ ଜାରବୁଆ) ଏବଂ ‘ପଗ୍‌ନୋଜ ପୋନିଫିସ୍‌’ (ଡେଭେକ୍ସିମେଣ୍ଟମ୍ ଇନସିଡିଏଟର୍) ଭଳି ଗଭୀର ସମୁଦ୍ରରେ ରହୁଥିବା ପ୍ରଜାତିର ମାଛ। ନୋଚିକୁପ୍ପମ ବଜାରରେ ଏହା କିଲୋ ପିଛା ୨୦୦ରୁ ୩୦୦ ଟଙ୍କାରେ କିଣାଯାଇପାରିବ। ଏହି ମାଛଗୁଡ଼ିକ ଏଠିକା ଅଞ୍ଚଳର ପାଖ ସମୁଦ୍ରରୁ, ଅର୍ଥାତ୍‌ ଗାଁଠାରୁ ୨୦ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ଧରାଯାଏ ଏବଂ ବଜାରର ଗୋଟିଏ ପଟେ ରଖି ବିକ୍ରି କରାଯାଏ। ଅନ୍ୟ ପଟରେ ଅଧିକ ଦାମ୍‌ର ମାଛ ବିକ୍ରି ହୁଏ। ଯେମିତି କି ‘ସିଅର୍‌ ଫିସ୍‌’ (ସ୍କୋମ୍ବରମୋରସ୍ କୋମେରସନ୍) ବା ବଡ଼ କୋକଲି ମାଛ ସଦୃଶ ସୁର୍ମଇ ମାଛର (ସ୍ୟୁଡୋକାରନକ୍ସ ଡେଣ୍ଟେକ୍ସ) ଦର ସାଧାରଣତଃ କିଲୋ ପିଛା ୯୦୦ରୁ ୧୦୦୦ ଟଙ୍କାରେ ବିକ୍ରି ହୁଏ। ସେହିଭଳି  ବଡ଼ ବଡ଼ ଟ୍ରେଭାଲି ବା ଭେକ୍‌ଟି ଭଳି ମାଛ କିଲୋ ପିଛା ୫୦୦ରୁ ୭୦୦ ଟଙ୍କାରେ କିଣାଯାଇପାରେ। ଏଠାକାର ମାଛ ଧରାଳି ସମ୍ପ୍ରଦାୟର ଲୋକେ ବିକ୍ରି କରୁଥିବା ଏହି ମାଛଗୁଡ଼ିକ ପାଇଁ ସ୍ଥାନୀୟ ନାମ କୀଚନ୍, କରପୁଡ଼ି, ବନଜରମ୍, ପରଇ ବ୍ୟବହାର କରିଥାନ୍ତି।

ଖରା ତାତି ବଢ଼ିବା ସହିତ ମାଛ ପଚିସଢ଼ି ଯିବାର ଆଶଙ୍କା ବଢ଼ିବାରେ ଲାଗେ ଏବଂ ପଚିଯିବା ପୂର୍ବରୁ ଏହାକୁ ବିକ୍ରି କରିବା ଲାଗି ସେମାନେ ପୂରା ଦମ୍‌ରେ ଲାଗି ପଡ଼ନ୍ତି। ହେଲେ ମାଛ ଚିହ୍ନିବାରେ ପାରଙ୍ଗମ ଗ୍ରାହକମାନେ ତଟକା ମାଛ ଏବଂ ସଢ଼ିବାକୁ ବସିଥିବା ମାଛ ମଧ୍ୟରେ ଥିବା ତଫାତ୍‌କୁ ସହଜରେ ବାରି ପାରନ୍ତି।

PHOTO • Manini Bansal
PHOTO • Sriganesh Raman

ବାମ : ନୋଚିକୁପ୍ପମର ଜଣେ ମାଛ ବିକାଳି ସେ ଧରିଥିବା କୋକଲି ମାଛକୁ ବାଛି ରଖୁଛନ୍ତି ଡାହାଣ : ବଜାରରେ ମହିଳା ମତ୍ସ୍ୟଜୀବୀମାନେ ରାସ୍ତା କଡ଼ରେ ମାଛ ସଫା କରୁଛନ୍ତି

PHOTO • Abhishek Gerald
PHOTO • Manini Bansal

ବାମ : ନୋଚିକୁପ୍ପମରେ ଶୁଖାଯାଇଥିବା ଚାଉଳି ମାଛ ଡାହାଣ : ବିକ୍ରି ଅପେକ୍ଷାରେ ଫ୍ଲାଉଣ୍ଡର , ଗୋଟ୍‌ଫିସ୍‌ ଏବଂ ସିଲଭର ବିଡ୍ଡି ଭଳି ଭିନ୍ନ ଭିନ୍ନ ପ୍ରକାର ମାଛ

“ମୁଁ ଯଦି ବେଶି ମାଛ ନ ବିକିବି, ତେବେ ମୋ ପିଲାଙ୍କ ଫି’ କିଏ ଦେବ ?” ଗୀତା ପଚାରନ୍ତି। ତାଙ୍କର ଦୁଇଟି ପିଲା। ଜଣେ ସ୍କୁଲ ଯାଏ, ଏବଂ ଅନ୍ୟ ଜଣକ କଲେଜରେ ପଢ଼େ। “ସବୁଦିନ ମୋ ସ୍ୱାମୀଙ୍କ ମାଛ ଧରିବା ଉପରେ ମୁଁ ନିର୍ଭର କରିପାରିବି ନାହିଁ। ମୋତେ ରାତି ୨ଟାରୁ ଉଠି କାଶିମେଡୁ (ନୋଚିକୁପ୍ପମର ଉତ୍ତରରେ ୧୦ କିଲୋମିଟର ଦୂର) ଯାଇ ମାଛ କିଣିବାକୁ ହେବ ଏବଂ ଫେରି ଆସି ଏଠାରେ ଷ୍ଟଲ ଖୋଲିବାକୁ ପଡ଼ିବ। ଯଦି ତାହା ନ ହୁଏ, ତେବେ ପିଲାଙ୍କ ଫି’ କଥା ଛାଡ଼ନ୍ତୁ, ଆମକୁ ଖାଇବାକୁ ବି ମିଳିବନି,” ସେ କହନ୍ତି।

ତାମିଲନାଡୁର ୬୦୮ଟି ଗାଁରେ ସାମୁଦ୍ରିକ ମାଛ ଧରି ଜୀବିକା ନିର୍ବାହ କରୁଥିବା ପ୍ରାୟ ୧୦.୪୮ ଲକ୍ଷ ମତ୍ସ୍ୟଜୀବୀ ଙ୍କ ମଧ୍ୟରୁ ପ୍ରାୟ ଅଧା ମହିଳା। ଏବଂ ମୁଖ୍ୟତଃ ବିଭିନ୍ନ ପଲ୍ଲୀର ମହିଳାମାନେ ହିଁ ମାଛ ବିକିବା ପାଇଁ ଅସ୍ଥାୟୀ ଷ୍ଟଲ ଚଳାନ୍ତି। ସେମାନଙ୍କ ସଠିକ ଆୟ ଆକଳନ କରିବା କଷ୍ଟକର, କିନ୍ତୁ ନୋଚିକୁପ୍ପମର ମତ୍ସ୍ୟଜୀବୀ ଏବଂ ମାଛ ବିକାଳିମାନେ, ଦୂରବର୍ତ୍ତୀ ସରକାରୀ ସ୍ୱୀକୃତିପ୍ରାପ୍ତ କାଶିମେଡୁ ମୁହାଣ କିମ୍ବା ଅନ୍ୟାନ୍ୟ ବଜାରର ମାଛ ବିକାଳିଙ୍କ ତୁଳନାରେ ଅପେକ୍ଷାକୃତ ଭଲ ସ୍ଥିତିରେ ଜୀବନ କାଟନ୍ତି ବୋଲି ମହିଳାମାନେ କହନ୍ତି

“ମୋ ପାଇଁ ସପ୍ତାହର ଶେଷ ଦିନଗୁଡ଼ିକ ବ୍ୟସ୍ତବହୁଳ ସମୟ,” ଗୀତା କହନ୍ତି। ପ୍ରତିଟି ବିକ୍ରିରୁ ମୁଁ ମୋଟାମୋଟି ୩୦୦ରୁ ୫୦୦ ଟଙ୍କା ପାଏ। ଏବଂ ମୁଁ ଷ୍ଟଲ ଖୋଲିବା ସମୟରୁ (ସକାଳ ୮ଟା ୩୦ରୁ ୯ଟା) ଦିନ ଗୋଟାଏ ପର୍ଯ୍ୟନ୍ତ ଲଗାତାର ମାଛ ବିକ୍ରି କରିଚାଲେ। କିନ୍ତୁ ମୁଁ କେତେ ରୋଜଗାର କରେ ତାହା ଆପଣଙ୍କୁ କହିବା କଷ୍ଟକର, କାରଣ, ସକାଳୁ ଯାଇ ମୋତେ ମାଛ କିଣିବାକୁ ପଡ଼େ ଏବଂ ସେ ବାବଦରେ କେତେ ଟଙ୍କା ଖର୍ଚ୍ଚ ହୁଏ, ତାହା ମାଛର ପ୍ରଜାତି ଓ ପ୍ରତି ଦିନ ମୁଁ କିଣୁଥିବା ମାଛର ଦର ଉପରେ ନିର୍ଭର କରେ।”

ଏଠାରୁ ପ୍ରସ୍ତାବିତ ପାଚେରି ଘେରା ବଜାରକୁ ଉଠିଗଲେ ସେମାନଙ୍କର ଆୟ ହ୍ରାସ ପାଇବ ବୋଲି ସେମାନେ ସମସ୍ତେ ଆଶଙ୍କା କରନ୍ତି। “ଆମେ ଏଠାକାର ରୋଜଗାରରେ ଘର ଚଳାଇବା ସହିତ ଆମ ପିଲାମାନଙ୍କର ଯତ୍ନ ନେଇପାରୁଛୁ,” ନିଜ ନାଁ ପ୍ରକାଶ ନ କରିବା ସର୍ତ୍ତରେ ଜଣେ ମତ୍ସ୍ୟଜୀବୀ ମହିଳା କହନ୍ତି। “ମୋ ପୁଅ ବି କଲେଜକୁ ଯାଏ ! ଆମେ ଯଦି ଏମିତି ଏକ ବଜାରକୁ ପଳାଇବୁ ଯେଉଁଠିକି ମାଛ କିଣିବାକୁ କେହି ଆସିବେନି, ତେବେ ମୋ ଅନ୍ୟ ପିଲାମାନଙ୍କୁ କେମିତି କଲେଜକୁ ପଠାଇବି ? ସରକାର ସେମାନଙ୍କ କଥା ବି ବୁଝିବେ କି?” ସରକାରଙ୍କ ବିରୋଧରେ ଅଭିଯୋଗର ପରିଣତିକୁ ନେଇ ସେ ବିବ୍ରତ ଏବଂ ଆଶଙ୍କିତ।

ବେସାନ୍ତ ନଗର ବସ୍‌ ଷ୍ଟାଣ୍ଡ ପାଖ ଅନ୍ୟ ଏକ ବାଡ଼ଘେରା ମାଛ ବଜାରକୁ ଚାଲି ଯିବାକୁ ବାଧ୍ୟ ହୋଇଥିବା ମହିଳାମାନଙ୍କ ମଧ୍ୟରୁ ଜଣେ ହେଲେ ୪୫ ବର୍ଷୀୟା ଆର୍‌. ଉମା ଏବଂ ସେ କହନ୍ତି, “ନୋଚିକୁପ୍ପମରେ ଗୋଟିଏ ଚିତ୍ରିତ ସ୍କାଟ୍‌ ମାଛ (ସ୍କାଟୋଫାଗସ୍ ଅର୍ଗସ୍) ୩୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବେସାନ୍ତ ନଗର ମାର୍କେଟରେ ଏହା ୧୫୦ ଟଙ୍କାରୁ ଅଧିକ ହୁଏ ନାହିଁ। ଏହି ବଜାରରେ ଆମେ ଦର ବଢ଼ାଇଲେ କେହି କିଣିବେ ନାହିଁ। ଚାରିଆଡ଼କୁ ଦେଖନ୍ତୁ, ଏ ବଜାରଟା ଅପରିଷ୍କାର ଏବଂ ଏଠାକାର ମାଛ ବି ବାସି। ଏଠାକୁ କିଏ ମାଛ କିଣିବାକୁ ଆସିବେ ? ଆମେ ସମୁଦ୍ରରୁ ଧରା ହେଉଥିବା ତଟକା ମାଛକୁ ସମୁଦ୍ରକୂଳରେ ବିକିବାକୁ ପସନ୍ଦ କରୁ। କିନ୍ତୁ ସରକାରୀ କର୍ତ୍ତୃପକ୍ଷ ଆମକୁ ଅନୁମତି ଦେଉନାହାନ୍ତି। ସେମାନେ ଆମକୁ ଏହି ମାର୍କେଟକୁ ଉଠାଇ ଆଣିଛନ୍ତି। ତେଣୁ ଆମକୁ ଏଠାରେ ଦର କମ କରିବାକୁ ପଡିବ, ବାସି ମାଛ ବିକି ଅଳ୍ପ ରୋଜଗାରରେ ଚଳିବାକୁ ପଡ଼ିବ। ନୋଚିକୁପ୍ପମ ସମୁଦ୍ର କୂଳରେ ମାଛ ବିକିବା ଲାଗି ମହିଳମାନେ କାହିଁକି ଲଢୁଛନ୍ତି ତାହା ଆମେ ବୁଝି ପାରୁଛୁ, ଆମେ ବି ତାହା କରିବା ଉଚିତ ଥିଲା।”

PHOTO • Manini Bansal
PHOTO • Manini Bansal

ବାମ : ମରିନା ବତୀଘର ଅଞ୍ଚଳରେ ଚାଲିବାକୁ ଆସିଥିବା ସମୟରେ ଚିଟ୍ଟିବାବୁ ନିୟମିତ ଭାବେ ମାଛ କିଣିବା ଲାଗି ଏହି ବଜାରକୁ ଆସନ୍ତି ଡାହାଣ : ନୋଚିକୁପ୍ପମ ବଜାରରୁ ସ୍ଥାନାନ୍ତର ସଂପର୍କରେ ନିଜ ଦୁଃଖ ଶୁଣାଉଛନ୍ତି ପୁରୁଖା ମତ୍ସ୍ୟଜୀବୀ କ୍ରିଷ୍ଣାରାଜ

ସମୁଦ୍ରକୂଳରୁ ମାଛ କିଣୁଥିବା ଚିଟ୍ଟିବାବୁ କହନ୍ତି, “ମୁଁ ଜାଣିଛି ଯେ ନୋଚିକୁପ୍ପମ ବଜାରରୁ ମାଛ କିଣିଲେ ମୋତେ ଅଧିକ ଦର ଦେବାକୁ ପଡୁଛି, କିନ୍ତୁ ଏହା ସେହି ଦର ପାଇବାକୁ ହକଦାର, କାରଣ, ଏଠାକାର ମାଛର ଗୁଣ ସଂପର୍କରେ ମୁଁ ନିଶ୍ଚିନ୍ତ”। ନୋଚିକୁପ୍ପମରେ ଜମା ହୋଇଥିବା ଅଳିଆ ଓ ଏବଂ ସେଥିରୁ ନିର୍ଗତ ଦୁର୍ଗନ୍ଧ ଉପରେ ନଜର ପକାଇ ସେ ଆହୁରି କହନ୍ତି, “କୋୟାମ୍ବେଡୁ ବଜାର (ଫୁଲ, ଫଳ ଓ ପନିପରିବାର ଏକ ବଜାର) କ’ଣ ସବୁବେଳେ ପରିଷ୍କାର ଥାଏ ? ସବୁ ବଜାରରେ ଆବର୍ଜନା ରହିଛି, ଅନ୍ତତଃ ଖୋଲା ଆକାଶ ତଳେ ଥିବା ବଜାରଗୁଡ଼ିକ ଅପେକ୍ଷାକୃତ ଭଲ।

“ସମୁଦ୍ରକୂଳର ଗୋଟିଏ ବଜାରରୁ ଦୁର୍ଗନ୍ଧ ବାହାରିପାରେ,” କଥା ମଝିରେ କହନ୍ତି ସରୋଜା, “କିନ୍ତୁ ଖରାରେ ସବୁ କିଛି ଶୁଖିଯାଏ ଏବଂ ତା’ପରେ ଏହାକୁ ଓଳାଇ ଦିଆଯାଇପାରେ। ସୂର୍ଯ୍ୟ ସବୁ ମଇଳା ସଫା କରି ଦିଅନ୍ତି।”

“ଅଳିଆବୁହା ଗାଡ଼ି ଆସି ଘରକୁ ଘର ବୁଲି ଅଳିଆ ନେଇଯାଏ, କିନ୍ତୁ ବଜାରର ଅଳିଆ ନିଏ ନାହିଁ,” ନୋଚିକୁପ୍ପମର ୭୫ ବର୍ଷୀୟ ମତ୍ସ୍ୟଜୀବୀ କ୍ରିଷ୍ଣାରାଜ ଆର୍‌. କହନ୍ତି। “ସେମାନେ (ସରକାର) ଏହି ସ୍ଥାନକୁ (ଲୁପ୍‌ ରୋଡ୍‌ ବଜାରକୁ) ବି ପରିଷ୍କାର ରଖିବା ଦରକାର”।

“ସରକାର ନାଗରିକମାନଙ୍କୁ ଅନେକ ସାମାଜିକ ସୁବିଧା ଦେଉଛନ୍ତି। ତେଣୁ, ଏଠାକାର (ଲୁପ୍‌) ଏବଂ ଆଖପାଖ ଅଞ୍ଚଳରେ ଝାଡୁ ମରାଯାଇପାରିବ ନାହିଁ କାହିଁକି ? ସେମାନେ (ସରକାର) କ’ଣ କେବଳ ସଫା କରିବା ଲାଗି ଏହି ଅଞ୍ଚଳକୁ ଆମର ବୋଲି ଘୋଷଣା କରୁଛନ୍ତି ଏବଂ ଅନ୍ୟ କୌଣସି ବ୍ୟବହାର ପାଇଁ ଏହା ଆମର ନୁହେଁ ?” ପାଲାୟମ ପଚାରନ୍ତି।

କାନ୍ନାଦାସନ କହନ୍ତି, “ସରକାର କେବଳ ଧନୀ ଲୋକଙ୍କ ସପକ୍ଷରେ ରହିଛି, ପାଦରେ ଚାଲିବାକୁ ରାସ୍ତା ନିର୍ମାଣ, ରସିରେ କାର୍‌ ଚଳାଇବା ଭଳି ପ୍ରକଳ୍ପ ଲାଗି ରହିଛି। ସେମାନେ ହୁଏତ ଏ ସବୁ କରିବା ପାଇଁ ସରକାରଙ୍କୁ ଅର୍ଥ ଦେଉଛନ୍ତି ଏବଂ ସରକାର ଏହି କାମ କରାଇବା ଲାଗି ମଧ୍ୟସ୍ଥମାନଙ୍କୁ ଅର୍ଥ ଦେଉଛନ୍ତି।

PHOTO • Manini Bansal
PHOTO • Manini Bansal

ବାମ-୧୪ : ନୋଚିକୁପ୍ପମ ଉପକୂଳରେ ଜଣେ ମତ୍ସ୍ୟଜୀବୀ ତାଙ୍କ ଜାଲରୁ ସାର୍ଡାଇନ (କୋକଲି) ମାଛ ବାହାର କରୁଛନ୍ତି ଡାହାଣ : କାନ୍ନାଦାସମ ଧରିଥିବା ଆଙ୍କୋଭି (ଚାଉଳି) ମାଛକୁ ଜାଲରୁ ବାହାର କରୁଛନ୍ତି

“ସମୁଦ୍ରକୂଳ ପାଖରେ ରହିଲେ ହିଁ ଜଣେ ମତ୍ସ୍ୟଜୀବୀ ଜୀବନ ଧାରଣ କରିପାରିବ। ତାଙ୍କୁ ଯଦି ଆପଣ ସହରର ଜନବସତି ଭିତରେ ଛାଡ଼ି ଦେବେ ସେ କେମିତି ବଞ୍ଚିବେ ? କିନ୍ତୁ ମତ୍ସ୍ୟଜୀବୀମାନେ ପ୍ରତିବାଦ କଲେ ସେମାନଙ୍କୁ ଜେଲରେ ପୂରାଇ ଦିଆଯାଉଛି। ମଧ୍ୟମ ବର୍ଗ ଲୋକେ ପ୍ରତିବାଦ କଲେ ବେଳେବେଳେ ସରକାର ଶୁଣିଥାଆନ୍ତି। ଆମେ ଜେଲକୁ ଗଲେ ଆମ ପରିବାର କଥା କିଏ ବୁଝିବ?”, କାନ୍ନାଦାସନ ପଚାରନ୍ତି। “କିନ୍ତୁ ଏ ସବୁ ମତ୍ସ୍ୟଜୀବୀମାନଙ୍କ ସମସ୍ୟା ଏବଂ ସେମାନଙ୍କୁ ନାଗରିକ ଭାବରେ ଗଣାଯାଏ ନାହିଁ,” ସେ କହନ୍ତି।

“ଯଦି ସେମାନଙ୍କୁ ଏ ଜାଗା ଗନ୍ଧାଉଛି, ତେବେ ସେମାନେ ଛାଡ଼ି ଚାଲିଯାଆନ୍ତି,” ଗୀତା କହନ୍ତି। ଆମେ କୌଣସି ସାହାଯ୍ୟ କି ଅନୁଗ୍ରହ ଚାହୁଁ ନାହିଁ। ଆମେ କେବଳ ଆମ କାମରେ ବାଧା କିମ୍ବା କୌଣସି ଅତ୍ୟାଚାର ଚାହୁଁ ନାହୁଁ। ଆମେ ଟଙ୍କା, ମାଛ ରଖିବାକୁ ବାକ୍‌ସ, ଋଣ କି ଆଉ କିଛି ହେଲେ ଚାହୁଁ ନାହିଁ। କେବଳ ଆମକୁ ଆମ ଜାଗାରେ ରହିବାକୁ ଛାଡ଼ି ଦିଅ, ସେତିକି ଯଥେଷ୍ଟ,” ସେ କହନ୍ତି।

ଗୀତା କହନ୍ତି, “ନୋଚିକୁପ୍ପମରେ ବିକ୍ରି ହେଉଥିବା ଅଧିକାଂଶ ମାଛ ଏଠାରୁ ହିଁ ଧରା ହୋଇଥାଏ, କିନ୍ତୁ ବେଳେବେଳେ ଆମେ କାଶିମେଡୁରୁ ମଧ୍ୟ ମାଛ ଆଣିଥାଉ।” “ମାଛ ଯେଉଁଠାରୁ ଆସିଲେ ବି କିଛି ଯାଏଆସେ ନାହିଁ,” ଆରାସୁ କହନ୍ତି, “ଆମେ ଏହିଠାରେ ମାଛ ବିକ୍ରି କରୁ। ଆମେ ସବୁବେଳେ ଏକାଠି ଅଛୁ। ହୁଏତ ଏମିତି ଲାଗିବ ଯେ ଆମେ ପରସ୍ପର ଉପରେ ପାଟି କରୁ, ଝଗଡ଼ା କରୁ, କିନ୍ତୁ ସେ ସବୁ ଛୋଟମୋଟ ଅଭିଯୋଗର କଥା ଏବଂ ଆମ ପାଇଁ କୌଣସି ସମସ୍ୟା ଉପୁଜିଲେ ଆମେ ଏକାଠି ହୋଇ ତାହାର ପ୍ରତିବାଦ କରିବାକୁ ଆଗେଇ ଆସୁ। ଆମେ ଆମ କାମକୁ ପଛରେ ପକାଇ ଆନ୍ଦୋଳନରେ ଯୋଗ ଦେଉ। ତାହା ବି କେବଳ ଆମେ ସମ୍ମୁଖୀନ ହେଉଥିବା ସମସ୍ୟା ପାଇଁ ନୁହେଁ, ଅନ୍ୟ ମତ୍ସ୍ୟଜୀବୀ ଗାଁର ଲୋକଙ୍କ ସମସ୍ୟା ପାଇଁ ବି ଆମେ ଏକାଠି ହୋଇ ପ୍ରତିବାଦ କରୁ।

ଲୁପ୍‌ ରୋଡ ସଂଲଗ୍ନ ତିନିଟି କୁପ୍ପମ୍‌ ରେ ବସବାସ କରୁଥିବା ଏହି ସଂପ୍ରଦାୟର ଲୋକେ ନୂତନ ମାର୍କେଟରେ ଷ୍ଟଲଟିଏ ପାଇବେ ବୋଲି ବି ନିଶ୍ଚିନ୍ତ ନୁହଁନ୍ତି। “ନିର୍ମାଣାଧୀନ ନୂଆ ମାର୍କେଟରେ ୩୫୨ଟି ଷ୍ଟଲ୍‌ ନିର୍ମାଣ କରାଯିବ,” ସେଠାକାର ପରିସ୍ଥିତି ସଂପର୍କରେ ଆମକୁ ସଦ୍ୟତମ ସୂଚନା ଦେବାକୁ ଯାଇ ନୋଚିକୁପ୍ପମ୍‌ ମତ୍ସ୍ୟଜୀବୀ ସମାଜର ମୁଖିଆ ରଣଜିତ କହନ୍ତି। “ଯଦି କେବଳ ନୋଚିକୁପ୍ପମର ମତ୍ସ୍ୟଜୀବୀମାନଙ୍କୁ ଦିଆଯାଏ ତେବେ ଏତିକି ଷ୍ଟଲ୍‌ ଯଥେଷ୍ଟରୁ ଅଧିକ ହେବ। ହେଲେ, ସବୁ ମାଛ ବିକାଳିମାନଙ୍କୁ ମାର୍କେଟରେ ସ୍ଥାନ ଦିଆଯିବ ନାହିଁ। ଏହି ମାର୍କେଟରେ ଲୁପ୍‌ ରୋଡ୍‌ ସଂଲଗ୍ନ ୩ଟି ମତ୍ସ୍ୟଜୀବୀ କୁପ୍ପମ୍‌ ର ମାଛ ବିକାଳିମାନଙ୍କୁ ସ୍ଥାନ ଦିଆଯିବାର ପ୍ରସ୍ତାବ ରହିଛି। ନୋଚିକୁପ୍ପମରୁ ପାଟ୍ଟିନାପାକ୍କମ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳରେ ପାଖାପାଖି ୫୦୦ ମାଛ ବିକାଳି ରହୁଛନ୍ତି। ୩୫୨ ଜଣଙ୍କୁ ଷ୍ଟଲ୍‌ ଦିଆଗଲେ, ବାକି ଲୋକମାନେ କ’ଣ କରିବେ ? କାହାକୁ ମାର୍କେଟରେ ସ୍ଥାନ ମିଳିବ ଏବଂ ବଳକା ଲୋକେ କେଉଁଠିକି ଯିବେ ସେ ସଂପର୍କରେ କିଛି ସ୍ପଷ୍ଟ କରାଯାଇନାହିଁ,” ସେ କହନ୍ତି।

“ମୁଁ ମୋ ମାଛ ବିକିବାକୁ ଫୋର୍ଟ ସେଣ୍ଟ ଜର୍ଜକୁ (ଯେଉଁ ଅଞ୍ଚଳରେ ବିଧାନସଭା ଅବସ୍ଥିତ) ଯିବି। ସମଗ୍ର ପଲ୍ଲୀର ଲୋକେ ଯିବେ ଏବଂ ଆମେ ସେଠାରେ ପ୍ରତିବାଦ କରିବୁ,” ଆରାସୁ କହନ୍ତି।

ଏହି ଲେଖାରେ ପ୍ରକାଶିତ ମହିଳାମାନଙ୍କ ନାମ ସେମାନଙ୍କ ଅନୁରୋଧକ୍ରମେ ପରିବର୍ତ୍ତନ କରାଯାଇଛି

ଅନୁବାଦ : ଓଡ଼ିଶାଲାଇଭ୍‍

Divya Karnad

दिव्या कर्नाड एक अंतर्राष्ट्रीय पुरस्कार-प्राप्त मरीन भूगोल शास्त्री और संरक्षणवादी हैं. वे ‘इनसीज़न फिश’ की सह-संस्थापक भी हैं. उन्हें लिखना और रिपोर्टिंग करना प्रिय है.

की अन्य स्टोरी Divya Karnad
Photographs : Manini Bansal

मानिनी बंसल एक बेंगलुरु निवासी विज़ुअल कम्युनिकेशन डिज़ाइनर और फ़ोटोग्राफ़र हैं, जो पर्यावरण संरक्षण के क्षेत्र में सक्रिय हैं. वे डाक्यूमेंट्री फ़ोटोग्राफ़ी भी करती हैं.

की अन्य स्टोरी Manini Bansal
Photographs : Abhishek Gerald

अभिषेक गेराल्ड, चेन्नई में रहने वाले एक मरीन जीववैज्ञानिक हैं. वे ‘फाउंडेशन फॉर इकोलॉजी रिसर्च एडवोकेसी एंड लर्निंग’ और ‘इनसीज़न फिश’ के साथ संरक्षण और सस्टेनेबल सीफूड पर काम करते हैं.

की अन्य स्टोरी Abhishek Gerald
Photographs : Sriganesh Raman

श्रीगणेश रमण एक मार्केटिंग प्रोफेशनल हैं और फ़ोटोग्राफ़ी में रुचि लेते हैं. वे टेनिस खेलते हैं और अलग-अलग विषयों पर ब्लॉग भी लिखते हैं. ‘इनसीज़न फिश’ में उनका काम पर्यावरण के बारे में सीखने से संबंधित है.

की अन्य स्टोरी Sriganesh Raman
Editor : Pratishtha Pandya

प्रतिष्ठा पांड्या, पारी में बतौर वरिष्ठ संपादक कार्यरत हैं, और पारी के रचनात्मक लेखन अनुभाग का नेतृत्व करती हैं. वह पारी’भाषा टीम की सदस्य हैं और गुजराती में कहानियों का अनुवाद व संपादन करती हैं. प्रतिष्ठा गुजराती और अंग्रेज़ी भाषा की कवि भी हैं.

की अन्य स्टोरी Pratishtha Pandya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE