୨୦୨୦ ମସିହା ମାର୍ଚ୍ଚ ମାସରେ କୋଭିଡ୍‍-୧୯ ଆରମ୍ଭ ହେବା ପରେ, ମହାରାଷ୍ଟ୍ରର ଓସମାନାବାଦ ଜିଲ୍ଲାରେ ଥିବା ଅରୁଣ ଗା ଏକ ୱାଡ ଙ୍କର ୧୦ ଏକର କୃଷିକ୍ଷେତ୍ରଟି ପରିତ୍ୟକ୍ତ ହୋଇଯାଇଥିଲା। ଓସମାନାବାଦ ତାଲୁକାର ମହାଲିଙ୍ଗ ଗ୍ରାମରେ ଥିବା ଘରେ ତାଙ୍କର ୪୮ ବର୍ଷୀୟ ସ୍ତ୍ରୀ ରାଜଶ୍ରୀ କୁହନ୍ତି," ଆମେ ସେହି ସମୟରେ ଯଅ, ଚଣା [ବୁଟ] ଏବଂ ପିଆଜ ଅମଳ କରୁଥିଲୁ।"

କିନ୍ତୁ ଦେଶବ୍ୟାପୀ ତାଲାବନ୍ଦ କାରଣରୁ ବଜାରଗୁଡ଼ିକ  ବନ୍ଦ ହୋଇଯାଇଥିଲା। ରାଜଶ୍ରୀ କୁହନ୍ତି, "ଆମର ମହଜୁଦ ଥିବା ଅମଳକୁ ଆମେ ମଣ୍ଡିକୁ ନେଇପାରିଲୁ ନାହିଁ। ତେଣୁ ପୁରା ଅମଳ ଆମ ଆଖି ସାମ୍ନାରେ ନଷ୍ଟ ହୋଇଗଲା।"

୫୨ ବର୍ଷୀୟ ଅରୁଣ ଏବଂ ରାଜଶ୍ରୀ ୧୦ କ୍ୱିଣ୍ଟାଲ ଯଅ, ୧୦୦ କ୍ୱିଣ୍ଟାଲ ପିଆଜ ଏବଂ ୧୫ କ୍ୱିଣ୍ଟାଲ ଚଣା ଅମଳ କରିଥିଲେ। ସେହି ସମୟରେ ଯଅର ସର୍ବନିମ୍ନ ସହାୟକ ମୂଲ୍ୟ ଏକ କ୍ୱିଣ୍ଟାଲ ପିଛା ୨୫୫୦ ଟଙ୍କା ଥିଲା। ଚଣା ପାଇଁ ଏହା ୪,୮୦୦ ଟଙ୍କା ଥିଲା ଏବଂ ପିଆଜ ପ୍ରାୟ କ୍ୱିଣ୍ଟାଲ ପିଛା ୧୩୦୦ ଟଙ୍କାରେ ବିକ୍ରି ହେଉଥିଲା। ତେଣୁ ମଞ୍ଜି, ସାର, କୀଟନାଶକ ଏବଂ ଅନ୍ୟାନ୍ୟ ଖର୍ଚ୍ଚକୁ ବାଦ୍‍ ଦେଇ ଏହି ଦମ୍ପତିଙ୍କର ଅତିକମ୍‌ରେ ୨୨୭,୫୦୦ ଟଙ୍କାର କ୍ଷତି ହୋଇଥିଲା।

ରାଜଶ୍ରୀ କୁହନ୍ତି, ଏହା ବ୍ୟତୀତ ଫସଲ ଚାଷ ପାଇଁ ସେମାନେ ଘଣ୍ଟା ଘଣ୍ଟା ପରିଶ୍ରମ କରିଥିଲେ। “କୋଭିଡ ଆସିବା ପୂର୍ବରୁ ସେ ଏକ ଟ୍ରାକ୍ଟର କିଣିଥିଲେ ଏବଂ ମାସିକ ୧୫,୦୦୦ଟଙ୍କା କିସ୍ତି ଦେବା ତାଙ୍କ ପକ୍ଷରେ କଷ୍ଟକର ହୋଇଗଲା।। ଆମେ ଏବେ ବ୍ୟାଙ୍କରୁ ନୋଟିସ୍‍ ପାଇବା ଆରମ୍ଭ କରିଛୁ। ”

କିନ୍ତୁ ଅରୁଣ ଆଶା କରିଥିଲେ ଯେ ୨୦୨୦ ମସିହାର ଖରିଫ ଋତୁରେ (ଜୁଲାଇ-ଅକ୍ଟୋବର) ଏହି କ୍ଷତି ଭରଣା କରିଦେବେ। ଜୁଲାଇ ସୁଦ୍ଧା କୋଭିଡ -୧୯ ର ପ୍ରଥମ ଲହର କମିଯାଇଥିଲା ଏବଂ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲା। ସେ ଭାବିଲେ ସବୁଠାରୁ ଖରାପ ସମୟ ସମାପ୍ତ ହୋଇଛି। "ଆମେ ଭାବୁଥିଲୁ ଶୀଘ୍ର ସ୍ୱାଭାବିକ ଅବସ୍ଥାକୁ ଫେରିବୁ ଏବଂ ବିନାଶ ସମାପ୍ତ ହୋଇଯାଇଛି। ଅରୁଣଙ୍କ ୩୦ ବର୍ଷର ଜ୍ୱାଇଁ ପ୍ରଦୀପ ଧୱଲେ କୁହନ୍ତି, ଅର୍ଥନୀତି ଧୀରେ ଧୀରେ ଖୋଲୁଥିଲା"।

ଗତ ବର୍ଷ ଜୁନ୍ ଶେଷରେ ଅରୁଣ ଏବଂ ରାଜଶ୍ରୀ ସେମାନଙ୍କ ଜମିରେ ସୋୟାବିନ୍ ବୁଣିଥିଲେ। କିନ୍ତୁ ଅକ୍ଟୋବରରେ ଅମଳ ସମୟରେ, ଅଦିନିଆ ବର୍ଷା ଓସମାନାବାଦରେ ସୋୟାବିନ୍ ଫସଲ ଧୋଇ ଦେଇଥିଲା। ରାଜଶ୍ରୀ କୁହନ୍ତି, "ଆମର ସମଗ୍ର ଚାଷ ଜମି ଜଳବନ୍ଦୀ ହୋଇଯାଇଥିଲା"। ଆମେ ଆମର କୌଣସି ଅମଳ ସଞ୍ଚୟ କରିପାରିଲୁ ନାହିଁ। ସେ ସେତେବେଳେ ମୋତେ କେତେ କ୍ଷତି ସହିଛନ୍ତି ତାହା କହି ନଥିଲେ, ବୋଧହୁଏ ସେ ମୋର ଉତ୍କଣ୍ଠାକୁ ବଢାଇବାକୁ ଚାହୁଁନଥିଲେ। ତାଙ୍କର ମନେ ଅଛି ଯେ ସେ ତାଙ୍କୁ କହିଥିଲେ ଗତ ୪-୫ ବର୍ଷର ଋଣକୁ ମିଶାଇ ତାଙ୍କ ଉପରେ ପାଖାପାଖି ୧୦ ଲକ୍ଷ ଟଙ୍କାର ଋଣ ରହିଛି।

PHOTO • Parth M.N.
PHOTO • Parth M.N.

ବାମ: ପ୍ରଦୀପ ଧୱଲେ ତାଙ୍କର ଶ୍ୱଶୁର ଅରୁଣ ଗା ଏକ ୱାଡ କିଣିଥିବା ଟ୍ରାକ୍ଟର ସହିତ, ଡାହାଣ: ସେହି ଅସ୍ଥାୟୀ ଘର ଯେଉଁଠାରେ ଅରୁଣ ଅତ୍ମହତ୍ୟା କରିଥିଲେ

ଏହାର କିଛି ଅଂଶ ସେମାନଙ୍କ ତିନି ଝିଅଙ୍କ ବିବାହ ପାଇଁ ନିଆଯାଇଥିବା ଋଣ ଯୋଗୁଁ ହୋଇଥିଲା। ରାଜଶ୍ରୀ କୁହନ୍ତି, "କୋଭିଡ ପୂର୍ବରୁ ମଧ୍ୟ ଆମର ଅବସ୍ଥା ଖରାପ ଥିଲା। ତାଲାବନ୍ଦ ଏବଂ ପ୍ରବଳ ବର୍ଷା ପରେ ଏହା ବହୁତ ଖରାପ ହୋଇଗଲା"। ଆମର ମଧ୍ୟ ୨୦ ବର୍ଷର ପୁଅ ମନ୍ଥନ ଅଛି। ତାଙ୍କ ଶିକ୍ଷା ପାଇଁ ଆମକୁ ଟଙ୍କା ଦରକାର ଥିଲା।

ଅରୁଣ ତଥାପି ଆଶା ହରାଇ ନାହାନ୍ତି । ସେ ଭାବିଲେ ସବୁଠାରୁ ଖରାପ ସମୟ ତାଙ୍କର ସରିଗଲା। ଏକ ନୂତନ ଶକ୍ତି ସହିତ ସେ ନଭେମ୍ବର ମାସରେ ପ୍ରାୟ ଆରମ୍ଭ ହେବାକୁ ଥିବା ରବି ଋତୁ ପାଇଁ କାମ କରିବା ଆରମ୍ଭ କଲେ। ସେ ଯଅ ଏବଂ ଚଣା ଚାଷ କଲେ। ପ୍ରଦୀପ କୁହନ୍ତି, "ମାତ୍ର ଯେତେବେଳେ ରବି ଫସଲ ଅମଳ ଆରମ୍ଭ ହେଲା [ମାର୍ଚ୍ଚ ମାସ ପାଖାପାଖି] [କୋଭିଡ-୧୯]ଦ୍ୱିତୀୟ ଲହର ଆସିଥିଲା। ଏହା ପ୍ରଥମ ଅପେକ୍ଷା ଭୟଙ୍କର ଥିଲା। ଲୋକମାନେ ଗତ ବର୍ଷ ଅପେକ୍ଷା ଅଧିକ ଭୟଭୀତ ହୋଇଥିଲେ। କେହି ବାହାରେ ରହିବାକୁ ଚାହୁଁନଥିଲେ।"

ଏଥର ସେମାନେ ୨୫ କ୍ୱିଣ୍ଟାଲ ଯଅ ଏବଂ ପ୍ରାୟ ୨୦ କ୍ୱିଣ୍ଟାଲ ଚଣା ଅମଳ କଲେ। କିନ୍ତୁ ଅରୁଣ ଏବଂ ରାଜଶ୍ରୀଙ୍କ ପାଇଁ ଏହି ୨୦୨୦ ମସିହା ମାର୍ଚ୍ଚ ମାସରେ ସବୁ ଶେଷ ହୋଇଯାଇଥିଲା। ଦେଶରେ ଆଉ ଏକ ତାଲାବନ୍ଦ କରାଯାଇଥିଲା, ବଜାର ବନ୍ଦ ହେଲା ଏବଂ ସମସ୍ତ ପ୍ରମୁଖ ଫସଲର ମୂଲ୍ୟ ହ୍ରାସ ପାଇଥିଲା।

ଅନ୍ୟ ଏକ ବିପର୍ଯ୍ୟୟ ସହ୍ୟ କରିବାର ଚିନ୍ତା ଅରୁଣଙ୍କୁ ଅତିଷ୍ଠ କରିଥଲା। ଚଳିତ ବର୍ଷ ଏପ୍ରିଲ ମାସର ଦିନେ ସକାଳେ ସେ ନିଜ ଘର ପାଖରେ ଥିବା ଏକ ଅସ୍ଥାୟୀ ଘରେ ଫାଶୀ ଲଗାଇ ଦେଇଥିଲେ।

ଅରୁଣ ହୁଏତ କୋଭିଡ-୧୯ ରୁ ରକ୍ଷା ପାଇଥିଲେ, କିନ୍ତୁ ତାହା ଦେଇଥିବା କ୍ଷତିରୁ ସେ ରକ୍ଷା ପାଇପାରିଲେ ନାହିଁ।

ଆମେରିକାର PEW ଅନୁସନ୍ଧାନ କେନ୍ଦ୍ରର ୨୦୨୧ ମସିହା ମାର୍ଚ୍ଚ ମାସର ରିପୋର୍ଟ ଅନୁଯାୟୀ ୨୦୨୦ ମସିହା ମାର୍ଚ୍ଚ ମାସରେ କୋଭିଡ -୧୯ ଆରମ୍ଭ ହେବାର ଗୋଟିଏ ବର୍ଷ ପରେ, ଦିନକୁ ୨ ଡଲାର (ପାଖାପାଖି ୧୪୯ ଟଙ୍କା) କିମ୍ବା ତା’ଠାରୁ କମ୍ ଆୟ ସହିତ ଭାରତରେ ପ୍ରାୟ ୭୫ ନିୟୁତ ଲୋକ ଦାରିଦ୍ର୍ୟକୁ ଠେଲି ହୋଇ ଯାଇଥିଲେ।

ମହାରାଷ୍ଟ୍ରର ମରାଠାୱାଡା ଅଞ୍ଚଳର ଏକ କୃଷି ଜିଲ୍ଲା ଓସମାନାବାଦରେ ଏହି ମାନ୍ଦା ଅବସ୍ଥା ବିଶେଷ ଭାବରେ ଉଲ୍ଲେଖନୀୟ,  ଯେଉଁଠାରେ ଗତ ତିନି ଦଶନ୍ଧି ଧରି କୃଷକମାନେ ଋଣ ଏବଂ ଦାରିଦ୍ର୍ୟ ସହ ସଂଘର୍ଷ କରିଆସୁଛନ୍ତି।

PHOTO • Parth M.N.
PHOTO • Parth M.N.

ଚଳିତ ବର୍ଷ ଏପ୍ରିଲରେ ଓସମାନାବାଦରେ ଅମଳ ହୋଇଥିବା ପିଆଜ ନଷ୍ଟ ହେବାକୁ ଯାଉଛି, ଯେତେବେଳେ କୋଭିଡ - ୧୯ ଦ୍ୱିତୀୟ ଲହର ଚାଷୀଙ୍କୁ ସେମାନଙ୍କ ଷ୍ଟକ୍ ବିକ୍ରୟ କରିବାରେ ବାଧା ଉପୁଯାଇଥିଲା

୨୦୧୫ ରୁ ୨୦୧୮ ମସିହା ମଧ୍ୟରେ ରାଜ୍ୟର ମରାଠାୱାଡାରେ ସର୍ବାଧିକ ସଂଖ୍ୟକ କୃଷକ ଆତ୍ମହତ୍ୟା କରିଥିଲେ। ବର୍ତ୍ତମାନ ମରୁଡ଼ି, ମୁଦ୍ରାସ୍ଫୀତି ଏବଂ ଜଳବାୟୁ ପରିବର୍ତ୍ତନ ଦ୍ୱାରା ସ୍ଥାନୀୟ ଅର୍ଥନୀତି ଧ୍ୱଂସ ପାଇ ଚାଷୀଙ୍କ ସମସ୍ୟାକୁ ବହୁଗୁଣିତ କରିଦେଇଛି। ମହାମାରୀ ଆରମ୍ଭ ହେବା ପରଠାରୁ ସେମାନଙ୍କ ବଞ୍ଚିବା ପାଇଁ ସଂର୍ଘଷ ଅଧିକ କଷ୍ଟସାଧ୍ୟ ହୋଇଯାଇଛି ଓ ଅନେକ କୃଷକ ଦାରିଦ୍ର୍ୟର ସୀମାରେଖା ତଳକୁ ଠେଲି ହେଇଯାଇଛନ୍ତି।

ଦ୍ୱିତୀୟ ଲହର ଆସିବା ପୂର୍ବରୁ ମଧ୍ୟ ସବୁ କିଛି ହରାଇବା ଭୟରେ ୪୦ ବର୍ଷୀୟ ରମେଶ ଚୌରେ ଆତଙ୍କିତ ରହୁଥିଲେ କାରଣ ପ୍ରଥମ ଲହର ତାଙ୍କର ସଂକଳ୍ପ ଭାଙ୍ଗିଦେଇଥିଲା।

ଓସମାନାବାଦର ରଘୁଚିୱାଡି ଗାଁରେ ତିନି ଏକର କୃଷିକ୍ଷେତ୍ର ଥିବା ଚାଷୀ, ରମେଶ ତାଙ୍କ ପତ୍ନୀଙ୍କ ଡାଏଲିସିସ୍ ଚିକିତ୍ସା ପାଇଁ ଋଣ ନେଇଥିଲେ, ଯେଉଁଥିପାଇଁ ସେମାନଙ୍କୁ ପ୍ରତିମାସରେ ଅତି କମରେ ୯୦ କିଲୋମିଟର ଦୂରରେ ଥିବା ଲାଟୁର ଯିବାକୁ ପଡ଼େ। ପାଖ ଘରେ ରହୁଥିବା ତାଙ୍କର ୬୧ ବର୍ଷୀୟ କାକା ରାମରାଓ କୁହନ୍ତି, "ତାଙ୍କ ଚିକିତ୍ସା ପାଇଁ ତାଙ୍କୁ ବହୁତ ଖର୍ଚ୍ଚ କରିବାକୁ ପଡୁଥିଲା"। "୨୦୧୯ ମସିହା ସେପ୍ଟେମ୍ବର ମାସରେ ସେ ମୃତ୍ୟୁବରଣ କରିଥିଲେ।"

ପତ୍ନୀଙ୍କ ମୃତ୍ୟୁ ପରେ ରମେଶ ତାଙ୍କ ଜମିରେ ଜୋୱାର ଏବଂ ସୋୟାବିନ ଚାଷ କରିଥିଲେ। ସେ ବଞ୍ଚିବା ପାଇଁ ଏକ ଟେମ୍ପୋ ଚଲାଇଲେ ଏବଂ ତାଙ୍କର ୧୬ ବର୍ଷର ପୁଅ ରୋହିତଙ୍କ ଯତ୍ନ ନେଉଥିଲେ। ରାମରାଓ କୁହନ୍ତି, "ସେ ଜଣେ ଡ୍ରାଇଭର ଭାବରେ ମାସକୁ ୬୦୦୦ ଟଙ୍କା ରୋଜଗାର କରୁଥିଲେ।" "କିନ୍ତୁ କୋଭିଡ -୧୯ [ମହାମାରୀ]] କାରଣରୁ ସେ କାମ ହରାଇଲେ। ଏବଂ ସେ ଜଣେ କୃଷକ ଭାବରେ ମଧ୍ୟ ଅନେକ କ୍ଷତି ସହିଲେ।"

ରାମରାଓ କୁହନ୍ତି,ଅନ୍ୟ କୃଷକମାନଙ୍କ ପରି ରମେଶ ତାଙ୍କର ୨୫ କ୍ୱିଣ୍ଟାଲ ଯଅ ବିକ୍ରୟ କରିପାରିଲେ ନାହିଁ ତେଣୁ ସେ ପ୍ରାୟ ୬୪,୦୦୦ ଟଙ୍କାର କ୍ଷତି ସହିଥିଲେ। ରାମରାଓ କୁହନ୍ତି ଯେ ତାଙ୍କ  ପୁତୁରା ଏହା ବ୍ୟତିତ ଆହୁରି ୩୦,୦୦୦ ଟଙ୍କା ଅଧିକ କ୍ଷତି ସହିଛନ୍ତି। କାରଣ ଫସଲ ବଢାଇବା ପାଇଁ ସେ ଅତି କମରେ ଏକର ପିଛା ୧୨,୦୦୦ ଟଙ୍କା ବିନିଯୋଗ କରିଥିଲେ।

ରମେଶଙ୍କ ଚାଷ ଖର୍ଚ୍ଚ ଏବଂ ଚିକିତ୍ସା ବିଲ୍ ସମେତ ୪ ଲକ୍ଷ ଟଙ୍କାର ଋଣ ତାଙ୍କୁ ଚିନ୍ତାରେ ପକାଇଥିଲା। ରାମରାଓ କୁହନ୍ତି, "ସେ ହୃଦୟଙ୍ଗମ କରିଥିଲେ ଯେ ସୋୟାବିନ ଋତୁରେ ଭଲ ଫସଲ ହେଲେ ମଧ୍ୟ ସେ ତାଙ୍କର ଋଣ ଶୀଘ୍ର ପରିଶୋଧ କରିପାରିବେ ନାହିଁ। ଗତ ବର୍ଷ ସେପ୍ଟେମ୍ବର ମାସରେ ରମେଶ ଆତ୍ମହତ୍ୟା କରିଥିଲେ। ରାମରାଓ କୁହନ୍ତି, "ମୁଁ ସନ୍ଧ୍ୟାରେ କ୍ଷେତକୁ ଯାଇଥିଲି ଏବଂ ମୁଁ ଫେରିବା ପରେ ତାଙ୍କୁ ଏକ ସିଲିଂ ଫ୍ୟାନରେ [ଘର ଭିତରେ]  ଝୁଲୁଥିବାର ଦେଖିଲି। ଅକ୍ଟୋବରରେ ହୋଇଥିବା ବର୍ଷା ତାଙ୍କର ସମ୍ପୂର୍ଣ୍ଣ ଅମଳ ଧୋଇ ଦେଇଥିଲା। ଅନ୍ତତଃ ପକ୍ଷେ ତାଙ୍କୁ ତାହା ଦେଖିବାକୁ ପଡ଼ିଲା ନାହିଁ।

ଏକ ବର୍ଷ ମଧ୍ୟରେ ଉଭୟ ପିତାମାତାଙ୍କୁ ହରାଇ ରମେଶଙ୍କ ପୁଅ ରୋହିତ ନିଜର ଅଧ୍ୟୟନକୁ ଜାରି ରଖିବା ପାଇଁ ଏକ ରେସନ ଦୋକାନରେ କାମ କରିବା ଆରମ୍ଭ କରିଥିଲେ। ସେ କୁହନ୍ତି, "ମୁଁ ବର୍ତ୍ତମାନ ସ୍କୁଲ ଶେଷ କରି କଲେଜ ଯାଇ କଳା ପଢିବାକୁ ଚାହୁଁଛି। ଏହା ପରେ ମୁଁ କଣ କରିବି ପରେ ଦେଖିବି।"

PHOTO • Parth M.N.

ରାମରାଓ ନିଜର ପୁତୁରାଙ୍କ ବିଷୟରେ କୁହନ୍ତି, 'ରମେଶ କୃଷକ ଭାବରେ ଅନେକ କଷ୍ଟ ସହିଛନ୍ତି'

ବୁଡ଼ି ଯାଉଥିବା ସ୍ଥାନୀୟ ଅର୍ଥନୀତି, ବର୍ଷ ବର୍ଷ ଧରି ମରୁଡ଼ି, ମୁଦ୍ରାସ୍ଫୀତି ଏବଂ ଜଳବାୟୁ ପରିବର୍ତ୍ତନ କୃଷକଙ୍କ ସମସ୍ୟା ବଢାଇ ଦେଇଛି। ମହାମାରୀ ଆରମ୍ଭ ହେବା ପରଠାରୁ ସେମାନଙ୍କ ବଞ୍ଚିବା ପାଇଁ ସଂର୍ଘଷ ଅଧିକ କଷ୍ଟସାଧ୍ୟ ହୋଇଯାଇଛି, ଅନେକ କୃଷକଙ୍କୁ ଦାରିଦ୍ର୍ୟର ସୀମାରେଖା ତଳକୁ ଠେଲି ଦେଇଛି

କୃଷକମାନଙ୍କର ହ୍ରାସ ପାଉଥିବା କ୍ରୟ କ୍ଷମତା ସୁଦୂରପ୍ରସାରୀ ପରିଣାମ ଦେଇଛି ।

ଏହାର ପ୍ରଭାବ ବିଡ୍ ଜିଲ୍ଲାର ଧାରୁର ତାଲୁକାରେ ଥିବା ଏକ କୃଷି ସେବା କେନ୍ଦ୍ରର ମାଲିକ ୩୧ ବର୍ଷୀୟ ଶ୍ରୀକ୍ରିଷ୍ଣ ବାଧେ ଅନୁଭବ କରିଥିଲେ। ଓସମାନାବାଦ ସହରଠାରୁ ପ୍ରାୟ ୧୧୫ କିଲୋମିଟର ଦୂର ଦେବଦହିପାଳ ଗ୍ରାମରେ ଥିବା ତାଙ୍କ ଦୋକାନରେ ଏହି ଅଞ୍ଚଳର ଚାଷୀଙ୍କୁ ମଞ୍ଜି, ସାର ଏବଂ କୀଟନାଶକ ବିକ୍ରି କରିଥିଲା। "ଅନେକ କ୍ଷେତ୍ରରେ କୃଷକମାନେ ଏହି ସାମଗ୍ରୀଗୁଡ଼ିକ କିଣନ୍ତି ନାହିଁ, ସେମାନେ ଋଣ କରି ନେଇଥାନ୍ତି"। ବାଧେଙ୍କ ୨୪ ବର୍ଷୀୟ ସମ୍ପର୍କୀୟ ଖାନ୍ଦୁପୋଟେ କୁହନ୍ତି,  "ଥରେ କୃଷି ଋତୁ ଶେଷ ହେବା ପରେ ସେମାନେ ଷ୍ଟକ୍ ବିକ୍ରୟ କରିବା ପରେ ଦୋକାନୀଙ୍କ ନିକଟରେ ଯାହା ଋଣ ଥାଏ ତାହା ପରିଶୋଧ କରିଥାନ୍ତି।"

ପୋଟେ କୁହନ୍ତି, ତେବେ ମହାମାରୀ ଆରମ୍ଭ ହେବା ପରେ ଅଧିକାଂଶ କୃଷକ ବାଧେଙ୍କୁ ଋଣ ଫେରସ୍ତ କରିବାକୁ ସମର୍ଥ ହୋଇନଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଶ୍ରୀକ୍ରିଷ୍ଣଙ୍କର ନିଜର ପାଞ୍ଚ ଏକର ଚାଷ ଜମି ଥିଲା ତେଣୁ ସେ ଜାଣିଥିଲେ ଯେ କୃଷକମାନେ ମିଛ କହୁ ନାହାନ୍ତି’’। ‘‘କିନ୍ତୁ ବିତରକମାନଙ୍କଠାରୁ କିଣିଥିବା ଷ୍ଟକ୍‍ ପାଇଁ ତାଙ୍କୁ ସେମାନଙ୍କୁ ତାଙ୍କର ଅର୍ଥ ଦେବାକୁ ପଡ଼ିବ। ସେ ଏଥିପାଇଁ ଟଙ୍କା ଋଣ ନେବାକୁ ଚାହୁଁଥିଲେ। କିନ୍ତୁ ତାହା ହୋଇପାରିଲା ନାହିଁ।’’

ବାଧେ ଅଧିକରୁ ଅଧିକ ଚିନ୍ତିତ ହେଲେ। ତାପରେ ୨୦୨୧ ମସିହା ମଇ ମାସରେ, ସେ ଦିନେ ନିଜ ଫାର୍ମକୁ ଯାଇ ଏକ ଗଛରେ ଫାଶୀ ଲଗାଇଦେଲେ।  ପୋଟେ କୁହନ୍ତି, "ଆଉ ଏକ ଋତୁରେ କ୍ଷତି ହେବା କଥା ଚିନ୍ତା କରି ସେ ଭୟଭୀତ ହୋଇଯାଇଥିଲେ"। "ପ୍ରକୃତ କଥା ହେଉଛି, କୃଷକମାନଙ୍କୁ ଚାଷ ଜାରି ରଖିବା ବ୍ୟତୀତ କ୍ଷତି ଭରଣା କରିବାର ଅନ୍ୟ କୌଣସି ଉପାୟ ସେମାନଙ୍କ ପାଖରେ ନାହିଁ।"

ରାଜଶ୍ରୀ ତାହା କରିବାକୁ ଯୋଜନା କରିଛନ୍ତି। ସେ କୁହନ୍ତି, "ଆମେ ସୋୟାବିନ୍ ଋତୁ [୨୦୨୧ ମସିହାରେ] ଆରମ୍ଭରେ ୧ ଲକ୍ଷ  ଟଙ୍କା ଋଣରେ] ଆଣିଛୁ। "ଆମେ ସୋୟାବିନ ଫସଲ ଅମଳ କରିବା ପରେ ଋତୁ ଶେଷରେ ଏହାକୁ ପରିଶୋଧ କରିବୁ। ଆମର ଋଣକୁ ଧୀରେ ଧୀରେ ହ୍ରାସ କରିବାର ଏହା ଏକ ମାତ୍ର ଉପାୟ"।

ତେଣୁ, ରାଜଶ୍ରୀ ଏକ ଉତ୍ତମ ଫସଲ ଆଶା କରୁଛନ୍ତି। ଝିଅ ଓ ଜ୍ୱାଇଁମାନେ ଏହି ଅସୁବିଧା ସମୟରେ ତାଙ୍କୁ ସାହାଯ୍ୟ କରୁଛନ୍ତି। ତାଙ୍କର ସବୁକିଛି ବାଟକୁ ଫେରିବା ଆରମ୍ଭ ହେଲା। କିନ୍ତୁ ସେପ୍ଟେମ୍ବର ଶେଷରେ ବାତ୍ୟା ଗୁଲାବ ମରାଠାୱାଡାରେ ପ୍ରବଳ ବର୍ଷା କରାଇବା ପରେ ରାଜଶ୍ରୀ ଭୟଭୀତ ହୋଇ ଭାବୁଛନ୍ତି ଯେ ତାଙ୍କ ସହ ଆହୁରି ଅନେକ କିଛି ଖରାପ ଘଟଣା ଘଟିବାର ଅଛି।

ଏହି କାହାଣୀ ସାମ୍ବାଦିକଙ୍କୁ ଏକ ସ୍ୱାଧୀନ ସାମ୍ବାଦିକତା ଅନୁଦାନ ମାଧ୍ୟମରେ ପୁଲିତଜର କେନ୍ଦ୍ର ଦ୍ୱାରା ସମର୍ଥିତ ଏକ କ୍ରମର ଅଂଶ।

ଅନୁବାଦ: ଓଡ଼ିଶାଲାଇଭ୍‍

Parth M.N.

पार्थ एम एन, साल 2017 के पारी फ़ेलो हैं और एक स्वतंत्र पत्रकार के तौर पर विविध न्यूज़ वेबसाइटों के लिए रिपोर्टिंग करते हैं. उन्हें क्रिकेट खेलना और घूमना पसंद है.

की अन्य स्टोरी Parth M.N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

की अन्य स्टोरी OdishaLIVE