“ଦିଲ୍ଲୀରୁ ଫେରିବା ଦୁଇ ବର୍ଷ ହେଇଗଲାଣି। ସରକାର ଆମର ସବୁ ଦାବି ପୂରଣ କରିବେ ବୋଲି କହିଥିଲେ, କିନ୍ତୁ ଆମର ସେହି ଦାବିଗୁଡିକୁ ଘେନି ଆଲୋଚନା କରିବା ପାଇଁ କେହି ଆମକୁ ଡାକିଲେ ନାହିଁ”, କହନ୍ତି ପଞ୍ଜାବର ସାଙ୍ଗରୁର ଜିଲ୍ଲା ନିବାସୀ ୬୦-ବର୍ଷ ବୟସ୍କା ଚରଣଜିତ କୌର। ସେ ଓ ତାଙ୍କ ପରିବାର ତାଙ୍କର ଦୁଇ ଏକର ଜମିରେ ଗହମ, ଧାନ ଓ ଘରର ଆବଶ୍ୟକତା ମୁତାବକ କିଛିଟା ପରିବା ଚାଷ କରନ୍ତି। “ଆମେ ସବୁ ଚାଷୀଙ୍କ ଅଧିକାର ପାଇଁ ଲଢେଇ କରୁଛୁ”, ସେ ପୁଣି କହନ୍ତି।
ପଟିଆଲା ଜିଲ୍ଲାର ଶମ୍ଭୁ ସୀମାରେ ଚରଣଜିତ ତାଙ୍କ ପଡ଼ୋଶୀ ଓ ବନ୍ଧୁ ଗୁରମିତ କୌର ଅନ୍ୟ ମହିଳାମାନଙ୍କ ସହ ଏକାଠି ବସି ରହିଛନ୍ତି। ଅପରାହ୍ନର ଉଷୁମ ସୂର୍ଯ୍ୟ କିରଣ ସେମାନଙ୍କ ଉପରେ ପଡୁଥାଏ। “ଆମକୁ ସେମାନେ (ସରକାର) ଦିଲ୍ଲୀ ଯିବାକୁ ମଧ୍ୟ ଦେଉନାହାନ୍ତି”, କହନ୍ତି ଗୁରମିତ। ବିରୋଧ ପ୍ରଦର୍ଶନ କରୁଥିବା କୃଷକମାନଙ୍କୁ ଦିଲ୍ଲୀରେ ପହଞ୍ଚିବାକୁ ବନ୍ଦ କରିବା ପାଇଁ, ହରିୟାନା-ଦିଲ୍ଲୀ ସୀମାର ରାସ୍ତାରେ ଓ ପୁଣି ଦିଲ୍ଲୀ-ହରିୟାନା ସୀମାରେ କରାଯାଇଥିବା ବହୁ-ସ୍ତରୀୟ କଂକ୍ରିଟ କାନ୍ଥ, ଲୁହା କଣ୍ଟା ଓ କଣ୍ଟା ବାଡ ବାବଦରେ କହୁଥିଲେ। ପଢନ୍ତୁ: ‘ମୋତେ ଶମ୍ଭୁ ସୀମାରେ ବନ୍ଦୀ ହେବା ପରି ଲାଗିଲା’
ଏଠାରେ ଏକାଠି ହୋଇଥିବା ଚାଷୀମାନଙ୍କ ମତରେ କେନ୍ଦ୍ର ସରକାର ସେମାଙ୍କୁ ଏକାଧିକ କାରଣରୁ ନିରାଶ କରିଛନ୍ତି: ସ୍ଵାମୀନାଥନ କମିଶନ ସୁପାରିଶ ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଗ୍ୟାରେଣ୍ଟି, ଚାଷୀ ଓ କୃଷି ଶ୍ରମିକମାନଙ୍କ ସମସ୍ତ ଋଣ ଛାଡ, ଲକ୍ଷ୍ମୀପୁର-ଖେରି ନରସଂହାରରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ନ୍ୟାୟ ପ୍ରଦାନ, ଦୋଷୀମାନଙ୍କୁ ଗିରଫ, ଚାଷୀ ଓ କୃଷି ଶ୍ରମିକମାନଙ୍କ ପାଇଁ ପେନସନ ସ୍କିମ ଲାଗୁ କରିବା ଓ ୨୦୨୦-୨୧ ବିରୋଧ ରେ ଶହୀଦ ହୋଇଥିବା ଚାଷୀମାନଙ୍କ ପରିବାରକୁ କ୍ଷତିପୂରଣ ଦେବା।
କିଛି ସପ୍ତାହ ପୂର୍ବେ ଫେବୃୟାରୀ ୧୩ ତାରିଖରେ ଯେତେବେଳେ ଏହି ଚାଷୀମାନେ ଜାତୀୟ ରାଜଧାନୀକୁ ଯାଇ ସେମାନଙ୍କ ଦାବି ଉପସ୍ଥାପନ କରିବାକୁ ଏକ ଶାନ୍ତି ଶୋଭାଯାତ୍ରାରେ ବାହାରିଥିଲେ ସେତେବେଳେ ହରିୟାନା ପୋଲିସ ପକ୍ଷରୁ ଆଉ ଆଗକୁ ନବଢ଼ିବା ପାଇଁ ସେମାନଙ୍କ ଉପରେ ଲୁହାବୁହା ଗ୍ୟାସ, ପାଣି ତୋପ ଓ ପେଲେଟ ବନ୍ଧୁକରୁ ରବର ବୁଲେଟ ମରା ଯାଇଥିଲା।










