ପେଟର ଭୋକ ମେଣ୍ଟାଇବା ପାଇଁ ଜଲାଲ ଅଲୀ ବାଉଁଶରେ ମାଛ ଜାଲ ତିଆରି ଶିଖିବାକୁ ବାଧ୍ୟ ହୋଇଥିଲେ।
ସେ ଯୁବକ ଥିବା ବେଳେ ଗୁଜୁରାଣ ମେଣ୍ଟାଇବା ପାଇଁ ଦିନ ମଜୁରିଆ ଭାବେ କାମ କରୁଥିଲେ, କିନ୍ତୁ ବର୍ଷା ଋତୁରେ ତାଙ୍କୁ ଏହି କାମ ମିଳୁନଥିଲା: ‘‘ବର୍ଷା ଋତୁରେ ମାତ୍ର କିଛି ଦିନ ଧାନ ରୋଇବା କାମକୁ ଛାଡ଼ି ଦେଲେ ବାକି ଦିନ କୌଣସି କାମ ମିଳୁନଥିଲା,’’ ସେ କୁହନ୍ତି।
କିନ୍ତୁ ସେ ରହୁଥିବା ଦରଙ୍ଗ ଜିଲ୍ଲାର ମୌସିତା-ବାଲାବାରିର ସନ୍ତସନ୍ତିଆ ସ୍ଥାନ ଓ ପୋଖରୀରେ ବର୍ଷା ଦିନେ ଖୁବ୍ ମାଛ ଚାଲି ଆସିଥିଲେ ଏବଂ ବାଉଁଶ ମାଛ ଜାଲର ଚାହିଦା ଅଧିକ ହୋଇଗଲା। ‘‘ବାଉଁଶ ମାଛ ଜାଲ କେମିତି ତିଆରି କରିବାକୁ ହେବ ମୁଁ ଶିଖିଲି କାରଣ ସେହି ବାଟରେ ମୁଁ ମୋ ପରିବାର ପାଇଁ ଦାନା ଯୋଗାଡ଼ କରିପାରିଥିଲି। ଭୋକରେ ଥିଲେ, ପେଟ ଭରିବା ପାଇଁ ଆପଣ ସବୁଠୁ ସହଜ ମାର୍ଗ ଖୋଜିବେ,’’ ପୁରୁଣା ଦିନ କଥା ମନେ ପକାଇ ଏହି ୬୦ ବର୍ଷ ବୟସ୍କ ବ୍ୟକ୍ତି ଜଣଙ୍କ କହିଥା’ନ୍ତି।
ଏସବୁ ଜଳାଶୟରେ ବିଭିନ୍ନ ପ୍ରକାର ମାଛ ଧରିବା ପାଇଁ ଦେଶୀ ବାଉଁଶ ଜାଲ ସେପ୍ପା, ବୋସନା ଓ ବାଏର ତିଆରି କରିବାରେ ଜଲାଲ ଏବେ ଜଣେ କୁଶଳୀ କାରିଗର ପାଲଟି ଯାଇଛନ୍ତି। ଆସାମର ଆର୍ଦ୍ରଭୂମି ମୌସିତା-ବାଲାବାରୀସ୍ଥିତ ପୁବ୍-ପଦୋଖାଟ ଗ୍ରାମରେ ଥିବା ତାଙ୍କ ଘରେ ସେ ଏସବୁ ତିଆରି କରନ୍ତି।
ଜଲାଲ କୁହନ୍ତି, ‘‘ଠିକ୍ ଦୁଇ ଦଶନ୍ଧି ପୂର୍ବରୁ ମୋ ଗାଁ ଏବଂ ପଡ଼ୋଶୀ ଗ୍ରାମର ପ୍ରାୟତଃ ପ୍ରତ୍ୟେକ ପରିବାର ମାଛ ଧରିବା ପାଇଁ (ବାଉଁଶ) ଜାଲ ବ୍ୟବହାର କରୁଥିଲେ। ସେତେବେଳେ ବାଉଁଶ ଜାଲ କିମ୍ବା ହାତ ତିଆରି ଶିବ୍ ଜାଲ ବ୍ୟବହାର କରାଯାଉଥିଲା।’’ ବାଉଁଶ କାଠି ବା ପାତିଆ ଲାଗିଥିବା ଚାରିକୋଣ ବିଶିଷ୍ଟ ବର୍ଗାକୃତି ଜାଲ ବିଷୟରେ ସେ ଉଲ୍ଲେଖ କରୁଛନ୍ତି ଯାହାକୁ ସ୍ଥାନୀୟ ଅଞ୍ଚଳରେ ଟୋଙ୍ଗି ଜାଲ ବା ଝେଟକା ଜାଲ୍ ବୋଲି କୁହାଯାଏ।
ଆକୃତି ଅନୁଯାୟୀ ସ୍ଥାନୀୟ ବାଉଁଶ ମାଛ ଧରା ଜାଲଗୁଡ଼ିକର ନାମକରଣ କରାଯାଇଥାଏ: ‘‘ସେପ୍ପା ଜାଲର ଆକୃତି ଢୋଲ ଭଳି। ବାଏର ମଧ୍ୟ ଢୋଲ ଆକୃତିର କିନ୍ତୁ ଏହା ଲମ୍ବା ଓ ଚଉଡ଼ା। ଦାର୍କି ଦେଖିବାକୁ ଆୟତାକାର ବାକ୍ସ ଭଳି,’’ ଜଲାଲ କୁହନ୍ତି। ଦୁଏର, ଦିୟାର୍ ଏବଂ ବୈଷ୍ଣୋ ଜାଲକୁ ଜଳପ୍ରବାହ ସ୍ଥାନ ଯଥା ପାଣି ଜମିଥିବା ଧାନ ଓ ଝୋଟ କ୍ଷେତ, ଛୋଟ କେନାଲ, ପାଟ ଭିତରକୁ ପାଣି ବୋହୁଥିବା ସ୍ଥାନ, ଆର୍ଦ୍ରଭୂମି କିମ୍ବା ନଦୀର ସଂଗମ ସ୍ଥଳରେ ରଖି ଦିଆଯାଏ।














