ଜଣେ କିମ୍ବା ଦୁଇ ଜଣ ମହତ୍ୱାକାଂକ୍ଷୀ ସାଂସଦ ପ୍ରାର୍ଥୀଙ୍କୁ ସ୍ୱାଗତ ଜଣାଇବା , ସେମାନଙ୍କୁ ଘରେ ତିଆରି ମକା ଭାଖରୀ କିମ୍ବା , ମଜା କରିବା ପାଇଁ ଗଛ ଉପରକୁ ଚଢ଼ୁଥିବା ପିଲାମାନେ ତୋଳି ଆଣୁଥିବା ମିଠା ଚାରୋଲି ଫଳ ଖୁଆଇବା ସୁଯୋଗର ଆନନ୍ଦକୁ ଉପଭୋଗ କରିବା ଲାଗି ଅମ୍ବାପାଣିର ବାସିନ୍ଦାମାନେ ଅପେକ୍ଷା କରି ରହିଛନ୍ତି।

ତେବେ କୌଣସି ପ୍ରସିଦ୍ଧ ରାଜନୈତିକ ପ୍ରତିନିଧି କେବେ ସେମାନଙ୍କୁ ଭେଟି ନାହାନ୍ତି - ପାଞ୍ଚ ଦଶନ୍ଧି ମଧ୍ୟରେ କେହି ଜଣେ ହେଲେ ନୁହେଁ ଯେବେଠାରୁ ଲୋକମାନେ ପ୍ରଥମ ଥର ବାଉଁଶ , ମାଟି ଏବଂ ଗୋବରରେ ନିଜ ଘର ତିଆରି ଆରମ୍ଭ କରିଥିଲେ। ପଥୁରିଆ ଆବଡ଼ାଖାବଡ଼ା ସତପୁରାର ଚଟାଣ ଶୃଙ୍ଖଳା ଉପରେ ବ୍ୟାପି ରହିଥିବା ଏହି ଗ୍ରାମ ନିକଟତମ ଗାଡ଼ି ଚାଲିବା ଯୋଗ୍ୟ ସଡ଼କଠାରୁ ୧୩ କିଲୋମିଟର ଉଚ୍ଚତାରେ ରହିଛି

୮୧୮ ଜନସଂଖ୍ୟା ବିଶିଷ୍ଟ (ଜନଗଣନା ୨୦୧୧) ଅମ୍ବାପାଣିକୁ ରାସ୍ତା ନାହିଁ, ବିଦ୍ୟୁତ ସଂଯୋଗ ନାହିଁ, ପାଣି ସୁବିଧା ନାହିଁ, ମୋବାଇଲ୍‌ ଫୋନ୍‌ ନେଟୱର୍କ ନାହିଁ, ସୁଲଭ ମୂଲ୍ୟର ଦୋକାନ ନାହିଁ, କୌଣସି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଅଙ୍ଗନୱାଡ଼ି କେନ୍ଦ୍ର ନାହିଁ। ଏଠାକାର ସବୁ ବାସିନ୍ଦା ପାୱରା ଯେଉଁମାନେ ରାଜ୍ୟରେ ଅନୁସୂଚିତ ଜନଜାତି ଭାବେ ତାଲିକାଭୁକ୍ତ। ଗାଁର ୧୨୦ ପରିବାର ମଧ୍ୟରୁ ଅଧିକାଂଶ ସେମାନଙ୍କର ବଂଶର ସମ୍ପର୍କ ମଧ୍ୟପ୍ରଦେଶର ମୂଳବାସିନ୍ଦା ହୋଇଥିବା ଚାରି କିମ୍ବା ପାଞ୍ଚଟି କୂଳ ସହିତ ଯୋଡ଼ିଥା’ନ୍ତି ଯେଉଁମାନେ ଏଠାରୁ ଉତ୍ତର ଦିଗରେ ପ୍ରାୟ ୩୦ କିଲୋମିଟର ମଧ୍ୟରେ ହେବ। ଏହି ସମୟରେ କାଉମାନେ ଉଡ଼ିଯାଆନ୍ତି।

ନେଟୱର୍କଠାରୁ ଅପହଞ୍ଚ ଇଲାକାରେ ଥିବା କାରଣରୁ ଏଠାରେ ଟେଲିଭିଜନ୍‌ ସେଟ୍‌ କିମ୍ବା ସ୍ମାର୍ଟଫୋନ୍‌ ନାହିଁ। ମହିଳାଙ୍କ ମଙ୍ଗଳସୂତ୍ର ଛଡ଼ାଇ ନେବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚେତାବନୀ ଠାରୁ ଆରମ୍ଭ କରି କଂଗ୍ରେସର ସମ୍ବିଧାନ ରକ୍ଷା ଆହ୍ୱାନ ପର୍ଯ୍ୟନ୍ତ, ୨୦୨୪ ଲୋକସଭା ଅଭିଯାନର ସବୁଠୁ କଟୁ ସମାଲୋଚନାର ଅଧ୍ୟାୟ ଅମ୍ବାପାଣିର ମତଦାତାଙ୍କ ନିକଟରେ ପହଞ୍ଚି ପାରିନାହିଁ।

‘‘ଗୋଟିଏ ରାସ୍ତା ହୁଏତ,’’ ଆକର୍ଷଣୀୟ ନିର୍ବାଚନ ପ୍ରତିଶ୍ରୁତି ହେବ, ଉଙ୍ଗ୍ୟା ଗୁର୍ଜା ପାୱାରା କୁହନ୍ତି । ୫୬ ବର୍ଷୀୟ ଏହି ବ୍ୟକ୍ତି ଜଣଙ୍କ ଗାଁର ମୂଳନିବାସୀମାନଙ୍କ ମଧ୍ୟରୁ ଜଣଙ୍କର ବଂଶଜ ଅଟନ୍ତି। ପ୍ରାୟ ଏକ ଦଶନ୍ଧି ପୂର୍ବରୁ, ଯେତେବେଳେ ସେ ନିଜ ଘର ପାଇଁ ଷ୍ଟିଲ୍‌ ଆଲମାରୀ କିଣିବାକୁ ଟଙ୍କା ସଞ୍ଚୟ କରିଥିଲେ, ଚାରି ଜଣ ଲୋକ ୭୫ କିଲୋଗ୍ରାମର ଗୋଟିଏ ଆଲମାରୀକୁ ‘‘ଏକ ଷ୍ଟ୍ରେଚର୍‌ ଭଳି’’ ଭଳି ବୋହି ଉପରକୁ ଆଣିଥିଲେ।

ଏଠାରୁ ୧୩ କିଲୋମିଟର ଦୂର ପାହାଡ଼ ତଳେ ଥିବା ମୋହରାଲେ ବଜାରକୁ କୃଷିଜାତ ଉତ୍ପାଦ ବାଇକ୍‌ରେ ବୋହି ନିଆଯାଏ, ଥରକେ ପ୍ରାୟ ଗୋଟିଏ କୁଇଣ୍ଟାଲ୍‌। ସିଧା ଗଡ଼ାଣିଆ ଅପରିଷ୍କାର ମାଟି ରାସ୍ତା ସହିତ, ଉଚ୍ଚ-ଖାଲ, ତୀଖ ମୋଡ଼ ଓ ବୁଲାଣିର ଶୃଙ୍ଖଳା, ବିଛାଡ଼ି ହୋଇପଡ଼ିଥିବା ବଜୁରୀ ଏବଂ ମଝିରେ ମଝିରେ ସ୍ଲଥ୍‌ ଭାଲୁକୁ ସାମ୍ନା କରିବାର ଭୟ ଗାଁର ଗମନାଗମନ ମାର୍ଗକୁ ବିପଜ୍ଜନକ କରି ଦେଇଥାଏ।

‘‘ତେବେ ଅନ୍ୟପକ୍ଷରେ, ଏହି ରାସ୍ତା ବେଆଇନ କାଠ କାଟିବାକୁ ପ୍ରୋତ୍ସାହନ ଦେବ କି ବୋଲି କେହି ଜଣେ ନିଶ୍ଚିତ ଭାବେ ଚିନ୍ତା କରିବାକୁ ବାଧ୍ୟ ହେବ,’’ ଉଙ୍ଗ୍ୟା ମନ୍ତବ୍ୟ ଦେଇଥା’ନ୍ତି।

PHOTO • Kavitha Iyer
PHOTO • Kavitha Iyer

ବାମ : ଉଙ୍ଗ୍ୟା ପାୱାରା ଏବଂ ତାଙ୍କ ପରିବାରର ଲୋକମାନେ ଅମ୍ବାପାଣିରେ ଥିବା ସେମାନଙ୍କର ଘର ଆଗରେ ଛିଡ଼ା ହୋଇଛନ୍ତି । ଡାହାଣ : ଉଙ୍ଗ୍ୟାଙ୍କ ପତ୍ନୀ ବାଦିବାଇଙ୍କ ଗୋଡ଼ ଉପରେ ଜାଳେଣି କାଠ କାଟୁଥିବା କୁରାଢ଼ି ପଡ଼ିଯବା କାରଣରୁ ତାଙ୍କର ପାଦ ଆଙ୍ଗୁଠି ପ୍ରାୟତଃ କଟି ଯାଇଥିଲା। ଆଘାତ ଚିକିତ୍ସା କରିବା ଲାଗି ଆଖପାଖରେ କୌଣସି କ୍ଲିନିକ୍‌ ନାହିଁ

PHOTO • Kavitha Iyer
PHOTO • Kavitha Iyer

ଗାଁରେ ଥିବା ଉଙ୍ଗ୍ୟା ପାୱାରାଙ୍କ ଘର (ବାମ)। ସେ ଗାଁର ମୂଳନିବାସୀଙ୍କ ମଧ୍ୟରୁ ଜଣଙ୍କର ବଂଶଜ। ଉଙ୍ଗ୍ୟା ଏବଂ ବାଦିବାଈଙ୍କ ଝିଅ ରେହେନ୍ଦି ପାୱାରାଙ୍କ ଶାଶୁ ଘର ବାହାରେ ଏକ ଚାରୋଲି ଗଛ (ଡାହାଣ)। ଗଛ ଉପରେ ଚଢ଼ିବା ଏବଂ ଏହାର ମିଠା ଫଳ ତୋଳିବା ଗାଁ ପିଲାଙ୍କର ଏକ ମନପସନ୍ଦ ଖେଳ

ତାଙ୍କ ପତ୍ନୀ ବାଦିବାଇ ମାସର ଅଧିକାଂଶ ସମୟ ଏଣେତେଣେ ବୁଲିଥା’ନ୍ତି କାରଣ କାଠ କାଟିବା ସମୟରେ ତାଙ୍କ ପାଦ ଉପରେ କୁରାଢ଼ି ଖସି ପଡ଼ିଥିଲା। ଆଘାତ ବହୁତ ଗଭୀର, କିନ୍ତୁ ସେ ତା’ଉପରେ ପଟି ସୁଦ୍ଧା ବାନ୍ଧି ନାହାନ୍ତି। ‘‘ ମୋହରାଳା କିନୱା ହରିପୁରା ପର୍ୟନ୍ତ ଜାୱେ ଲାଗବେ (ମୋତେ ମୋହରାଳା କିମ୍ବା ହରିପୁର ପର୍ଯ୍ୟନ୍ତ ଯିବାକୁ ହେବ),’’ ଆଘାତକୁ କାହିଁକି ଅଣଦେଖା କରିଛନ୍ତି ସେ ବିଷୟରେ ସୂଚନା ଦେଇ ସେ କୁହନ୍ତି। ‘‘କୌଣସି ଦଳ ଆମକୁ ଏଠାରେ ଗୋଟିଏ ଭଲ ଦୱାଖାନା (କ୍ଲିନିକ୍‌) ଦେବ କି? ’’ ସେ ହସି ହସି କୁହନ୍ତି।

ଅମ୍ବାପାଣିରେ ଅତିକମ୍‌ରେ ଜଣେ ଶିଶୁ ଅପପୁଷ୍ଟିର ଶିକାର ଥିବା ଜଣାପଡ଼ିଛି, ତେବେ ଛୋଟ ଝିଅଟି କେତେ ପରିମାଣରେ ଅପପୁଷ୍ଟିର ଶିକାର ହୋଇଛି ତାହା ପରିବାର ଲୋକମାନେ ଜାଣନ୍ତି ନାହିଁ। ଗାଁର ଲୋକମାନେ କୁହନ୍ତି ଯେ ଏଠାରେ କୌଣସି ଅଙ୍ଗନୱାଡ଼ି ନାହିଁ, ଯଦିଓ ଗୋଟିଏ ଦଶନ୍ଧି ପୂର୍ବରୁ ଏଥିପାଇଁ ଅନୁମତି ମିଳିସାରିଛି।

ଏହା ପରିବର୍ତ୍ତେ, ମୋହରାଳେର ଜଣେ ଅଙ୍ଗନୱାଡ଼ି କର୍ମୀଙ୍କୁ ଅମ୍ବାପାଣିର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେ ପ୍ରତିସପ୍ତାହରେ କଷ୍ଟକର ଯାତ୍ରା କରି ଏଠାକୁ ଆସନ୍ତି ଏବଂ ହିତାଧିକାରୀ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଘରକୁ ନେବା ପାଇଁ ରାସନ ସହିତ ଆଇରନ୍‌ ଓ ଫଲିକ୍‌ ଏସିଡ୍‌ ବଟିକା ବିତରଣ କରିଥାନ୍ତି। ‘‘ଆମର ଏଠି ଯଦି ଗୋଟିଏ ଅଙ୍ଗନୱାଡ଼ି କେନ୍ଦ୍ର ଥାଆନ୍ତା, ତା’ହେଲେ ଛୋଟ ପିଲାମାନେ ସେଠାକୁ ଯାଇ କିଛି ଶିଖିପାରିଥାନ୍ତେ,’’ ବାଦିବାଇ କୁହନ୍ତି। ଉଙ୍ଗ୍ୟା କୁହନ୍ତି, ଗାଁରେ ଛଅ ବର୍ଷ ପର୍ଯ୍ୟନ୍ତ ବୟସର ଅତିକମ୍‌ରେ ୫୦ ଜଣ ପିଲା ଅଛନ୍ତି। ଏହି ବୟସର ପିଲାମାନେ ସମସ୍ତେ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ପରିଚାଳନା କରୁଥିବା ସମନ୍ୱିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ)ରୁ ଲାଭ ପାଇବା ପାଇଁ ହକ୍‌ଦାର।

ଶିଶୁଙ୍କ ପ୍ରସବ ପାରମ୍ପରିକ ଭାବେ ଘରେ କରାଯାଇଥାଏ, ତେବେ ଗତ କିଛି ବର୍ଷ ହେବ କେତେଜଣ ଅଳ୍ପ ବୟସର ମହିଳା ୧୩ କିଲୋମିଟର ଦୂର ମୋହରାଳେ କିମ୍ବା ହରିପୁରାର କ୍ଲିନିକ୍‌କୁ ଯିବାକୁ ପଡ଼ିଛି।

ଉଙ୍ଗ୍ୟା ଏବଂ ବାଦିବାଇଙ୍କର ପାଞ୍ଚ ପୁଅ ଓ ଦୁଇ ଝିଅଙ୍କ ସହିତ ବହୁସଂଖ୍ୟକ ନାତିନାତୁଣୀ ଅଛନ୍ତି। ଏହି ଅଶିକ୍ଷିତ ଦମ୍ପତି ନିଜ ପୁଅମାନଙ୍କୁ ସ୍କୁଲ୍‌ ପଠାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ କୌଣସି ରାସ୍ତା ନଥିବାରୁ ଏହା ବାସ୍ତବବାଦୀ ଲକ୍ଷ୍ୟ ନଥିଲା।

ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ବାଉଁଶ ଓ ଘାସ ନଡ଼ା କୋଠରୀରେ ଗୋଟିଏ ସ୍କୁଲ୍‌ ‘କୋଠା’ ମୁଣ୍ଡ ଟେକିଥିଲା, ଯାହା ହୁଏତ’ ଗାଁର ସବୁଠୁ ଭଗ୍ନପ୍ରାୟ ଢାଞ୍ଚା ଥିଲା।

‘‘ସେଠାରେ ପ୍ରକୃତରେ ଜଣେ ଶିକ୍ଷକ ନିଯୁକ୍ତ ହୋଇଥିଲେ, କିନ୍ତୁ ତହସିଲର ଅନ୍ୟ କୌଣସି ସ୍ଥାନରୁ ଜଣେ ବ୍ୟକ୍ତି ପାହାଡ଼ ଚଢ଼ି ଏଠାକୁ ଆସିବ ବୋଲି ଆପଣ ଆଶା କରିପାରୁଛନ୍ତି କି?’’ ଅମ୍ବାପାଣିର ଜଣେ ବାସିନ୍ଦା ରୂପସିଂହ ପାୱାରା ପ୍ରଶ୍ନ କରିଥା’ନ୍ତି। ରୂପସିଂହ ହେଉଛନ୍ତି ଅମ୍ବାପାଣିର ଆଉ ଜଣେ ମୂଳବାସିନ୍ଦା ବଜ୍ରାକଣ୍ଡଲ୍ୟା ପୱାରାଙ୍କ ପୁଅ। ସ୍ଥାନୀୟ ଲୋକମାନେ କୁହନ୍ତି ଯେ ତାଙ୍କର ଦୁଇ ପତ୍ନୀଙ୍କଠାରୁ ୧୫ ପିଲା ଥିଲେ। କେବଳ ବାଇକ୍‌ ଚଳାଇବାରେ ଦକ୍ଷ ଏବଂ ସ୍ଥାନୀୟ ଲୋକମାନେ ୪୦ମିନିଟ୍‌ର ଏହି ରାସ୍ତା ଅତିକ୍ରମ କରିବାର ସାହସ କରିପାରିଥା’ନ୍ତି। ସେ କୁହନ୍ତି, ଏହି ଯାତ୍ରା ଦୁର୍ବଳ ହୃଦୟର ଲୋକଙ୍କ ପାଇଁ ନୁହେଁ ଏବଂ ବନ ବିଭାଗ କର୍ମଚାରୀମାନେ ମଧ୍ୟ ଏଠାରେ ରାସ୍ତା ଭୁଲି ଯାଆନ୍ତି।

PHOTO • Kavitha Iyer
PHOTO • Kavitha Iyer

ଦୁଇ ଦଶନ୍ଧି ପୂର୍ବରୁ ଅମ୍ବାପାଣିରେ ଗୋଟିଏ ସ୍କୁଲ୍‌ ଘର (ବାମ) ନିର୍ମାଣ ହୋଇଥିଲା କିନ୍ତୁ ଏଯାଏଁ ଏଠାକୁ ଶିକ୍ଷକ ଆସିପାରିନାହାନ୍ତି। ଏହି ଗାଁର ବାସିନ୍ଦା ରୂପସିଂହ ପାୱାରା (ଡାହାଣ) ପ୍ରଶ୍ନ କରନ୍ତି, ‘ସେଠାରେ (ସ୍କୁଲରେ) ପ୍ରକୃତରେ ଜଣେ ଶିକ୍ଷକ ନିଯୁକ୍ତ ହୋଇଥିଲେ, କିନ୍ତୁ ତହସିଲର ଅନ୍ୟ କୌଣସି ସ୍ଥାନରୁ ଜଣେ ବ୍ୟକ୍ତି ପାହାଡ଼ ଚଢ଼ି ଏଠାକୁ ଆସିବ ବୋଲି ଆପଣ ଆଶା କରିପାରୁଛନ୍ତି କି?’

PHOTO • Kavitha Iyer

ଜଲଗାଓଁ ଜିଲ୍ଲାର ୟାବଲ ତାଲୁକାର ଅମ୍ବାପାଣି ଗାଁକୁ ପଡ଼ିଥିବା ସେହି କଚ୍ଚା ରାସ୍ତା ହିଁ ଏକମାତ୍ର ସଡ଼କ, ଯାହା ଉପରେ ୪୦ ମିନିଟ୍‌ ପର୍ଯ୍ୟନ୍ତ ମୋଟରସାଇକେଲରେ ବିପଜ୍ଜନକ ସବାରୀ କରିବାକୁ ପଡ଼ିଥାଏ

ନିକଟସ୍ଥ ଚୋପଡ଼ା ତହସିଲର ଧନୋରାରେ ଥିବା ଆଶ୍ରାମ ଶାଳା (ଅନୁସୂଚିତ ଜନଜାତି ଓ ଯାଯାବର ଜନଜାତିର ପିଲାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଆବାସିକ ବିଦ୍ୟାଳୟରୁ ଖରା ଛୁଟି ପାଇଁ ବାଦିବାଇଙ୍କର ଅନ୍ୟତମ ନାତି ବାର୍କ୍ୟା ଘରକୁ ଆସିଛି। ଆଉ ଜଣେ ନାତି ଅନ୍ୟ ଏକ ଆଶ୍ରମ ଶାଳାରେ ରହି ପାଠପଢ଼ୁଛି।

ଅମ୍ବାପାଣିରେ ଆମକୁ ଷ୍ଟିଲ୍‌ ଗ୍ଲାସ୍‌ରେ ନଈ ପାଣି ଏବଂ ଛୋଟ ସେରାମିକ୍‌ କପ୍‌ରେ ନାଲି ଚା’ ପିଇବାକୁ ଦିଆଗଲା। ଏହାକୁ ପରଷି ଦେଇଥିବା ଚାରି ଜଣ ଛୋଟ ଝିଅ କହିଲେ ସେମାନେ କେବେ ସ୍କୁଲ୍‌ ଯାଇନାହାନ୍ତି।

ବାଦିବାଇଙ୍କ ଝିଅ ରେହେନ୍ଦିଙ୍କ ଶାଶୁ ଘର ପ୍ରାୟ ଗୋଟିଏ କିମ୍ବା ଦୁଇ କିଲୋମିଟର ଦୂରରେ ରହିଛି । ଏଠାକୁ ପଡ଼ିଥିବା ଅଙ୍କାବଙ୍କା ଧୂଳି ଧୂସରିତ ମାଟି ରାସ୍ତାକୁ ପାୱାରା ପୁରୁଷମାନେ ଗୋଟିଏ ପାହାଡ଼ ଗଡ଼ାଣିଆ ଚଟାଣ କାଟି ତଳ ଆଡ଼କୁ ଓ ଆଗକୁ ତିଆରି କରିଛନ୍ତି।

ରେହେନ୍ଦି କୁହନ୍ତି ଯେ, ଜାତିଗତ ପ୍ରମାଣପତ୍ର ପାଇବା ଲାଗି ସରକାରୀ ପ୍ରକ୍ରିୟାକୁ ସରଳ କରାଯାଇପାରିବ କି ବୋଲି କିଛି ମତଦାତା ହୁଏତ’ ଚିନ୍ତା କରିପାରନ୍ତି। ଅନ୍ୟ ପୁରୁଷମାନେ ଏକାଠି ହୋଇ କୁହନ୍ତି ଯେ ୨୦ ପ୍ରତିଶତରୁ ୨୫ ପ୍ରତିଶତ ଗ୍ରାମବାସୀଙ୍କ ପାଖରେ ରାସନ କାର୍ଡ ନାହିଁ।

ମୋହରାଳେଠାରୁ ଆଗକୁ ଦକ୍ଷିଣ ଦିଗରେ ପ୍ରାୟ ୧୫ କିମି ଦୂର କୋର୍ପାୱାଲି ଗ୍ରାମରେ ରାସନ ଦୋକାନ (ସାଧାରଣ ବଣ୍ଟନ ବ୍ୟବସ୍ଥା) ଅଛି। ଛଅ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ପ୍ରାୟତଃ ଜନ୍ମ ପ୍ରମାଣପତ୍ର ପାଇଁ ପଞ୍ଜିକୃତ କରାଯାଇନଥାଏ ଏବଂ ଏଠାରେ ସଂସ୍ଥାଗତ ପ୍ରସବ ନହେବାର ଅର୍ଥ ହେଉଛି ପରିବାରର ଛୋଟ ସଦସ୍ୟମାନଙ୍କ ପାଇଁ ଆଧାର କାର୍ଡ ତିଆରି କରିବା କିମ୍ବା ସେମାନଙ୍କୁ ପରିବାରର ରାସନ କାର୍ଡ ହିତାଧିକାରୀ ଭାବେ ସାମିଲ କରିବା ଲାଗି ସଂଘର୍ଷ କରିବାକୁ ପଡ଼ିଥାଏ।

ମହିଳାମାନେ କୁହନ୍ତି ଯେ ପାଣି ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଯାହା ପାଇଁ ରାଜନେତାଙ୍କୁ ଅନୁରୋଧ କରାଯାଇପାରିବ।

ଗାଁରେ କୌଣସି କୂଅ କିମ୍ବା ନଳକୂପ ନାହିଁ, ଅଥବା ହ୍ୟାଣ୍ଡପମ୍ପ କିମ୍ବା ପାଇପଲାଇନ୍‌ ନାହିଁ। ଗ୍ରାମବାସୀମାନେ ପାନୀୟ ଜଳ ଏବଂ ଜଳସେଚନ ପାଇଁ ମୌସୁମୀ ଝରଣା ଓ ପଶ୍ଚିମ ଦିଗକୁ ପ୍ରବାହିତ ତାପିର ଶାଖା ନଦୀ ଉପରେ ନିର୍ଭର କରିଥା’ନ୍ତି। ଗୁରୁତର ଜଳ ସଂକଟ ବିରଳ, କିନ୍ତୁ ଖରା ବଢ଼ିବା ସହିତ ପାଣିର ଗୁଣବତ୍ତା ନଷ୍ଟ ହୋଇଯାଏ। ରେହେନ୍ଦି କୁହନ୍ତି, ‘‘ବେଳେବେଳେ ଆମେ ପୁରୁଷ ଲୋକଙ୍କୁ ଡବା ଦେଇ ମୋଟର ସାଇକେଲରେ ପାଣି ବୋହି ଆଣିବା ପାଇଁ କହିଥାଉ।’’ ଅଧିକାଂଶ ମହିଳା ଏବଂ ଝିଅମାନେ ଦିନ ବେଳା ଅନେକ ଥର ଘରକୁ ପାଣି ବୋହିଥା’ନ୍ତି। ଏଥିପାଇଁ ସେମାନଙ୍କୁ ଖାଲି ପାଦରେ ଆବଡ଼ାଖାବଡ଼ା ରାସ୍ତାରେ ଅତି ସତର୍କତାର ସହିତ ଯିବା ଆସିବା କରିବାକୁ ପଡ଼ିଥାଏ।

PHOTO • Kavitha Iyer
PHOTO • Kavitha Iyer

ଅମ୍ବାପାଣିରେ ଏକ ଅବିକଶିତ ପାଇପ୍‌ଲାଇନ୍‌ ମାଧ୍ୟମରେ ସଫା ପାହାଡ଼ି ପାଣି ଝରିଥାଏ। ଗାଁରେ କୌଣସି କୂଅ, ନଳକୂଅ, ହ୍ୟାଣ୍ଡପମ୍ପ କିମ୍ବା ପାଇପଲାଇନ୍‌ ନାହିଁ

ସ୍କୁଲ୍‌ କୋଠା ଆଡ଼କୁ ଉପରକୁ ଯାଇଥିବା ଧୂଳିଧୂସରିତ ରାସ୍ତାରେ କମଲ ରାହଙ୍ଗ୍ୟା ପାୱାରା ଗୋଟିଏ ଶାଳ ଗଛର ଛାଲ ଉପରେ ନଜର ରଖିଛନ୍ତି ଏବଂ ତା’ ଉପରେ ଗୋଟିଏ ଶଙ୍କୁ ଆକାରର ଧାର ଥିବା ଧାତବ ପାତ୍ରକୁ ରାମ୍ପୁଛନ୍ତି। ତାଙ୍କର ଟାଣ କାନ୍ଧ ଉପରେ ଗୋଟିଏ ଛିଣ୍ଡା ରେକ୍ସିନ୍‌ ବ୍ୟାଗ୍‌ ଝୁଲୁଛି ଯେଉଁଥିରେ ଶାଳ ଗଛ (ଶୋରିୟା ରୋବଷ୍ଟା)ର ପ୍ରାୟ ତିନି କିଲୋଗ୍ରାମ ସୁଗନ୍ଧିତ ରସ ପୂରି ରହିଛି। ସକାଳର କିଛି ଘଣ୍ଟା ବିତିସାରିଛି, ଖରାବେଳ ଆସନ୍ନ ପ୍ରାୟ ଏବଂ ଏହା ପୂର୍ବଦିନର ସର୍ବାଧିକ ଖରାବେଳ ତାପମାତ୍ରା ୪୪ଡିଗ୍ରୀକୁ ଅତିକ୍ରମ କରିଯିବାର ଅନେକ ସମ୍ଭାବନା ରହିଛି ।

ହରିପୁରା ବଜାରରେ କିଲୋପ୍ରତି ୩୦୦ ଟଙ୍କାରେ ବିକ୍ରି କରିବାର ଆଶା ନେଇ କମଲ୍‌ ପ୍ରତ୍ୟେକ ବୁନ୍ଦା ରସକୁ ସଂଗ୍ରହ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିଥିବା କୁହନ୍ତି । ଚାରି ଦିନ ଧରି ସେ ରସ ସଂଗ୍ରହ କରିବା ଏବଂ ବ୍ୟାଗରେ ଭର୍ତ୍ତି କରିବା ଲାଗି ପାଖାପାଖି ପାଞ୍ଚ ଘଣ୍ଟା ବିତାଇଛନ୍ତି। ସ୍ଥାନୀୟ  ଲୋକମାନେ ଏହି ଅଠାଳିଆ ରସକୁ ‘ଡିଙ୍କ୍‌’ କୁହନ୍ତି, ଯଦିଓ ଏହା ଡିଙ୍କ ଲଡ଼ୁରେ ବ୍ୟବହାର କରାଯାଉଥିବା ଖାଦ୍ୟର ଅଠା ନୁହେଁ ଯାହାକି ମହାରାଷ୍ଟ୍ରରେ ଶୀତ ଦିନେ ଏକ ଲୋକପ୍ରିୟ ବ୍ୟଞ୍ଜନ ଅଟେ। ଏହି ରସରୁ କାଠ ଭଳି ଏବଂ ସାମାନ୍ୟ କସ୍ତୁରୀ ପ୍ରାୟ ସୁଗନ୍ଧ ବାହାରିଥାଏ, ଯାହାକି ଅଗରବତୀ ନିର୍ମାତାଙ୍କ ପାଇଁ ଏକ ପସନ୍ଦଯୋଗ୍ୟ କଞ୍ଚା ମାଲ ହୋଇଥାଏ।

ରସ ବାହାର କରିବା ଲାଗି ମାଟିଠାରୁ ଗୋଟିଏ ମିଟର ଉଚ୍ଚତାରେ ଗଛ ଛାଲିର ବାହ୍ୟ ଆବରଣର କିଛି ଭାଗକୁ ସତର୍କତାପୂର୍ବକ ବାହାର କରିବାକୁ ପଡ଼ିଥାଏ। ତା’ପରେ ରସ ବାହାରିବା ପାଇଁ କିଛିଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହୁଏ। ପୁଣିଥରେ ଏହି ପ୍ରକ୍ରିୟାକୁ ଦୋହରାଇବାକୁ ପଡ଼ିଥାଏ।

ସରକାରୀ ଅଧିକାରୀମାନେ କୁହନ୍ତି ଯେ, ରସ ସଂଗ୍ରହ କରିବା କାରଣରୁ ଜଙ୍ଗଲ ନଷ୍ଟ ହେଉଛି। ଗଛ ମୂଳରେ ନିଆଁ ଜାଳି ରସ ସଂଗ୍ରହ କରିବାର ପ୍ରକ୍ରିୟା ଅବଲମ୍ବନ କରାଯିବା କାରଣରୁ ଜଙ୍ଗଲ କ୍ଷୟ ଏକ ସମସ୍ୟା ପାଲଟିଛି । କମଲ କୁହନ୍ତି ଯେ ଅମ୍ବାପାଣିର ଡିଙ୍କ୍‌ ସଂଗ୍ରାହକମାନେ ପାରମ୍ପରିକ ଛାଲି ବାହାର କରିବା ପ୍ରକ୍ରିୟାକୁ ଅବଲମ୍ବନ କରିଥା’ନ୍ତି। ଏହାର କାରଣ ଦର୍ଶାଇ ସେ କୁହନ୍ତି, ‘‘ଆମ ଘର ଏହି ଗୋଟିଏ ଅଞ୍ଚଳରେ ରହିଛି, ତେଣୁ କେହି ଏଠାରେ ନିଆଁ ଜଳାନ୍ତି ନାହିଁ’’

ଗଛ ରସ, ଶାଳ ପତ୍ର, କୋଳି, କେନ୍ଦୁ ପତ୍ର ଓ ମହୁଲ ଫୁଲ ସମେତ ଜଙ୍ଗଲ ଜାତ ଉତ୍ପାଦ ସଂଗ୍ରହ ବର୍ଷ ସାରା ଚାଲୁଥିବା ବେଉସା ନୁହେଁ ଏବଂ ଏଥିରୁ କିଛି ଲାଭ ମଧ୍ୟ ମିଳିନଥାଏ। କମଲଙ୍କ ଭଳି ଲୋକମାନେ ଗୋଟିଏ ବର୍ଷରେ ରସ ସଂଗ୍ରହ କରି ୧୫,୦୦୦-୨୦,୦୦୦ ଟଙ୍କା ଆୟ କରୁଥିବା ବେଳେ ଅନ୍ୟ ଜଙ୍ଗଲଜାତ ଉତ୍ପାଦରୁ ସେତିକି ଅର୍ଥ ରୋଜଗାର କରିପାରିଥା’ନ୍ତି।

ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ଅଧିବାସୀ (ମାନ୍ୟତା ଅଧିକାର) ଆଇନ , ୨୦୦୬ ଅଧୀନରେ ଅମ୍ବାପାଣିର ଚବିଶଟି ପରିବାର ଜମି ପଟ୍ଟା ପାଇଛନ୍ତି। ଆଦୌ ଜଳସେଚନ ନଥିବା କାରଣରୁ ଶୁଖିଲା ଋତୁରେ ଜମି ପଡ଼ିଆ ହୋଇ ରହିଥାଏ।

PHOTO • Kavitha Iyer
PHOTO • Kavitha Iyer

କମଲ ପାୱାରା ଶାଳ ଗଛରୁ ରସ ସଂଗ୍ରହ କରୁଛନ୍ତି ଯାହାକୁ ସେ ଏଠାରୁ ୧୩ କିମି ଦୂର ହରିପୁରା ବଜାରରେ କିଲୋ ପ୍ରତି ୩୦୦ ଟଙ୍କାରେ ବିକ୍ରି କରିବେ

PHOTO • Kavitha Iyer
PHOTO • Kavitha Iyer

ସେ ଏକ ଶଙ୍କୁ ଆକୃତିର ଧାତବ ପାତ୍ର (ବାମ)କୁ ଶାଳ ଗଛରେ ଲଗାଇ ଦେଇ ସେଥିରୁ ଅଠାଳିଆ ରସ ସଂଗ୍ରହ କରିଥାନ୍ତି। ତାଙ୍କର ଟାଣ କାନ୍ଧ ଉପରେ ଗୋଟିଏ ଛିଣ୍ଡା ରେକ୍ସିନ୍ ବ୍ୟାଗ୍ ଝୁଲୁଛି ଯେଉଁଥିରେ ପ୍ରାୟ ତିନି କିଲୋଗ୍ରାମ ସୁଗନ୍ଧିତ ରସ ପୂରି ରହିଛି

ଗୋଟିଏ ଦଶନ୍ଧି ପୂର୍ବରୁ, ପରିବାର ବଢ଼ିବା ଏବଂ ଭିଟାମାଟିରେ ରହି ଗୁଜୁରାଣ ମେଣ୍ଟାଇବା ସମ୍ଭବପରନ ନହେବାରୁ ଅମ୍ବାପାଣିର ପାୱାରାମାନେ ଆଖୁ କଟା ଶ୍ରମିକମାନେ କାମ କରିବା ଲାଗି ବାର୍ଷିକ ପ୍ରବାସ କରିବା ଆରମ୍ଭ କରି ଦେଇଥିଲେ। ‘‘ପ୍ରତ୍ୟେକ ବର୍ଷ ପ୍ରାୟ ୧୫ରୁ ୨୦ ପରିବାର କର୍ଣ୍ଣାଟକ ଯାତ୍ରା କରିଥାନ୍ତି,’’ ଶ୍ରମିକ ଉପଠିକାଦାର କେଲରସିଂ ଜାମସିଂ ପାୱାରା କୁହନ୍ତି। ସେ ଅମଳ କାମ ପାଇଁ ଚୁକ୍ତି କରୁଥିବା ପ୍ରତ୍ୟେକ ‘କୋୟତା’ ପାଇଁ ୧,୦୦୦ ଟଙ୍କାର କମିଶନ୍‌ ରୋଜଗାର କରନ୍ତି।

‘କୋୟତା’ର ପ୍ରକୃତ ଅର୍ଥ ହେଉଛ ଦା’ କିନ୍ତୁ ମହାରାଷ୍ଟ୍ରର ଆଖୁ ଜମିରେ କାମ କରୁଥିବା ଗୋଟିଏ ସ୍ୱାମୀ-ସ୍ତ୍ରୀ ଯୋଡ଼ିକୁ ଗୋଟିଏ ଶ୍ରମିକ ୟୁନିଟ୍‌ ଭାବେ ଦର୍ଶାଇବା ଲାଗି ସେମାନଙ୍କୁ କୋୟତା କୁହାଯାଏ। ଅନଭିଜ୍ଞ ଆଖୁ ଶ୍ରମିକଙ୍କ ରୂପରେ, ଆଖୁ କ୍ଷେତରେ ଅନ୍ୟ ଲୋକଙ୍କ ତୁଳନାରେ ପାୱାରାମାନଙ୍କୁ ଅତି କମ୍‌ ଟଙ୍କାର ଏକକାଳୀନ ଅଗ୍ରୀମ ପଇଠ କରାଯାଇଥାଏ, କୋୟତା ପିଛା ପ୍ରାୟ ୫୦,୦୦୦ ଟଙ୍କା।

‘‘ଅନ୍ୟ କୌଣସି କାମ ନାହିଁ,’’ କେଲରସିଂ କୁହନ୍ତି। ମାସିକ ପ୍ରାୟ ୧୦,୦୦୦ ଟଙ୍କା ପାଇଁ ଗୋଟିଏ ଦମ୍ପତିଙ୍କୁ ୧୨-୧୬ ଘଣ୍ଟା କାମ କରିବାକୁ ହୁଏ, ସେମାନେ ଆଖୁ କାଟନ୍ତି, ସେଗୁଡ଼ିକୁ ବିଡ଼ାରେ ବାନ୍ଧି ଟ୍ରାକ୍ଟରରେ ଲଦନ୍ତି। ଟ୍ରାକ୍ଟର ଆଖୁ ନେଇ ଚିନି କାରଖାନାକୁ ଯାଇଥାଏ, ବେଳେବେଳେ ସେମାନେ ଭୋରରୁ ଉଠି କାମ କରନ୍ତି।

ରୂପସିଂହ କୁହନ୍ତି, ଆଖୁ କାଟିବାକୁ ଯାଇଥିବା ଅମ୍ବାପାଣିର ଦୁଇ ଜଣ ଶ୍ରମିକ ବର୍ତ୍ତମାନ ସୁଦ୍ଧା ମୃତ୍ୟୁବରଣ କରିସାରିଛନ୍ତି। ସେ କୁହନ୍ତି, ‘‘ଅଗ୍ରୀମ ଟଙ୍କା ମିଳିବାର କିଛିଦିନ ମଧ୍ୟରେ ଖର୍ଚ୍ଚ ହୋଇଯାଇଥାଏ ଏବଂ ଦୁର୍ଘଟଣା ଓ ମୃତ୍ୟୁ ପାଇଁ କୌଣସି ଚିକିତ୍ସା ସହାୟତା କିମ୍ବା ବୀମା କିମ୍ବା କ୍ଷତିପୂରଣ ମିଳେ ନାହିଁ।’’

ରେହେନ୍ଦିଙ୍କ ଘରେ ଏକାଠି ହୋଇଥିବା ପୁରୁଷମାନେ କୁହନ୍ତି, ଘର ପାଖରେ କୌଣସି କାମ ମିଳିଲେ ସେମାନେ ଆଉ ଆଖୁ ଶ୍ରମିକ ଭାବେ କାମ କରିବାକୁ ଯିବେ ନାହିଁ । ସେମାନେ ଭାଷା ସମସ୍ୟା କଥା କୁହନ୍ତି । ତା’ଛଡ଼ା ଆଖୁ ଜମି ପାଖରେ ତମ୍ବୁ ଟାଣି ରହିବା ଏବଂ ଟ୍ରକ୍ ଓ ଟ୍ରାକ୍ଟରଠାରୁ ରହିଥିବା ବିପଦ କାରଣରୁ ଅମଳ ସମୟରେ ମହିଳା ଓ ଶିଶୁମାନେ ଭୋଗୁଥିବା କଷ୍ଟ ବିଷୟରେ କହିଥାନ୍ତି । ‘‘ସେଠାରେ ଅତି ଖରାପ ପରିସ୍ଥିତି ଲାଗି ରହିଥାଏ, କିନ୍ତୁ ଅନ୍ୟ କେଉଁ କାମରେ ଏକକାଳୀନ ଅଗ୍ରୀମ ମିଳିବ? କେଲରସିଂ ପଚାରନ୍ତି।

ସେ କୁହନ୍ତି, ଅମ୍ବାପାଣିର ପ୍ରାୟ ୬୦ ପ୍ରତିଶତ ପୁରୁଷ ଲୋକ ଆଖୁ ଅମଳ ଶ୍ରମିକ ଭାବେ କାମ କରିଛନ୍ତି।

ମୋଟା ଅଙ୍କର ଅଗ୍ରୀମ ମିଳିବା ଦ୍ୱାରା ଘରର ଛୋଟମୋଟ ମରାମତି କିମ୍ବା ବାଇକ୍‌ କିଣିବା ପାଇଁ ଉପଯୋଗୀ ହୋଇଥାଏ। ତା’ଛଡ଼ା କନ୍ୟା ପାଇଁ ମଧ୍ୟ ଖର୍ଚ୍ଚ କରିବାକୁ ହୋଇଥାଏ। ପାୱାରା ବରମାନେ ଭାବି କନ୍ୟାର ମାତା-ପିତାଙ୍କୁ ଏହି ଟଙ୍କା ଦିଅନ୍ତି, ଏହି ଅର୍ଥରାଶି ପାୱାରା ପଞ୍ଚାୟତ ଦ୍ୱାରା ଆଲୋଚନା ପରେ ଲାଗୁ କରାଯାଇଥାଏ।

PHOTO • Kavitha Iyer
PHOTO • Kavitha Iyer

ଅମ୍ବାପାଣିର ଅନେକ ବାସିନ୍ଦା ଆଖୁ ଅମଳ ଶ୍ରମିକ ଭାବେ କାମ କରିବା ଲାଗି ବାହାରକୁ ଚାଲି ଯାଆନ୍ତି। କର୍ଣ୍ଣାଟକରେ ଆଖୁ ଅମଳ ପାଇଁ ପ୍ରତ୍ୟେକ ସ୍ୱାମୀ-ସ୍ତ୍ରୀ ଦମ୍ପତିଙ୍କୁ ପଠାଇବା ଲାଗି କେଲରସିଂ ଜାମସିଂ ପାୱାରା କରୁଥିବା ଚୁକ୍ତି ନିମନ୍ତେ ୧,୦୦୦ ଟଙ୍କାର କମିଶନ ପାଆନ୍ତି । ଗତ କିଛି ବର୍ଷ ଧରି ଅଧିକାଂଶ ଲୋକ ଆଖୁ ଅମଳ ଶ୍ରମିକ ଭାବେ ଯାତ୍ରା (ଡାହାଣ) କରି ଆସୁଛନ୍ତି । ଘର ପାଖରେ ରୋଜଗାର ମିଳିଲେ ସେମାନେ ଆଖୁ ଶ୍ରମିକ ଭାବେ କାମ କରିବାକୁ ଯିବେ ନାହିଁ ବୋଲି ସେମାନେ କୁହନ୍ତି

PHOTO • Kavitha Iyer
PHOTO • Kavitha Iyer

ବାମ : ଗାଁରେ ଥିବା ବାଉଁଶ ଓ ଘାସ ନଡ଼ାରେ ନିର୍ମିତ ସ୍କୁଲ୍ ଘରେ ଇଭିଏମ୍‌ ରଖାଯିବ। ଡାହାଣ : ସ୍କୁଲ୍‌ ବାହାରେ ଭଙ୍ଗା ଶୌଚାଳୟ ବ୍ଲକ୍‌

ପାୱାରା ଜନଜାତି ମଧ୍ୟରେ ସାମାଜିକ ଓ ବୈବାହିକ ସମ୍ପର୍କକୁ ନିୟନ୍ତ୍ରିତ କରୁଥିବା ମାନଦଣ୍ଡ ଅଭିନବ ଅଟେ। ବିବାହ ବିବାଦ ଉପରେ ପଞ୍ଚାୟତ କିଭଳି ନିୟମ ପ୍ରସ୍ତୁତ କରିଥାଏ ସେ ସମ୍ପର୍କରେ ରୂପସିଂହ ସୂଚନା ଦେଇଥା’ନ୍ତି। ଆଲୋଚନା ସମୟରେ ଉଭୟ ପକ୍ଷ ସରସ୍ପର ସହ କିଛି ଡଜନ୍‌ ଗଜ ଦୂରରେ ବସନ୍ତି, ଏହି ପ୍ରକ୍ରିୟାକୁ ଝଗଡ଼ା କୁହାଯାଏ। ବେଳେବେଳେ କନ୍ୟାକୁ ବାହାଘରର କିଛି ଦିନ ପରେ ଇଜ୍ଜତ ନାମକ ଅର୍ଥଦାନ ସହିତ ତା’ର ମାତା-ପିତାଙ୍କୁ ଫେରାଇ ଦିଆଯାଏ, କିନ୍ତୁ ଯଦି ସେ ଅନ୍ୟ କୌଣସି ପୁରୁଷଙ୍କ ସହିତ ଚାଲି ଯାଆନ୍ତି ତା’ହେଲେ କନ୍ୟା ପରିବାର ଲୋକଙ୍କୁ କନ୍ୟାର ମୂଲ୍ୟ ପାଇଁ ସଂଗ୍ରହ କରିଥିବା ଅର୍ଥର ଦୁଇଗୁଣା କ୍ଷତିପୂରଣ ଦେବାକୁ ପଡ଼ିଥାଏ।

ଜଲଗାଁଓର ଜିଲ୍ଲାପାଳ ଆୟୁଷ ପ୍ରସାଦ କୁହନ୍ତି, ‘‘ଅମ୍ବାପାଣି ପ୍ରକୃତରେ ଏକ ସ୍ୱତନ୍ତ୍ର ଗ୍ରାମ।’’ ସ୍ଥାନୀୟ ଲୋକମାନେ କୁହନ୍ତି ଯେ, ସେ ପ୍ରଥମ ଜିଲ୍ଲାପାଳ ଥିଲେ, ଯିଏକି ଡିସେମ୍ବର ୨୦୨୩ରେ ସେମାନଙ୍କୁ ଭେଟିବା ଲାଗି ୧୦ କିଲୋମିଟର ପାଦରେ ଚାଲି ଚାଲି ଏଠାକୁ ଆସିଥିଲେ ।  ‘‘ନିଜର ଅବସ୍ଥିତି କାରଣରୁ ଏହାର (ଗାଁର) ଅସାଧାରଣ ଆହ୍ୱାନ ରହିଛି, କିନ୍ତୁ ଆମେ ଉନ୍ନତ ସେବା ପାଇବା ଲାଗି ପ୍ରକ୍ରିୟା ଆରମ୍ଭ କରିଛୁ।’’ ଗୋଟିଏ ମୁଖ୍ୟ ଆଇନଗତ ସମସ୍ୟା ହେଉଛି ଗାଁକୁ ରାଜସ୍ୱ ବିଭାଗ ଦ୍ୱାରା ମାନ୍ୟତା ମିଳିନାହିଁ, କାରଣ ଏହା ମୂଳତଃ ଜଙ୍ଗଲ ଜମି ଉପରେ ସ୍ଥାପିତ ହୋଇଛି। ପ୍ରସାଦ କହିଥିଲେ, ‘‘ଅମ୍ବାପାଣିକୁ ଗାଓଠନ କରିବାର କାମ ଆରମ୍ଭ ହୋଇସାରିଛି ଏବଂ ଏହାପରେ ଅନେକ ସରକାରୀ ଯୋଜନା କାର୍ଯ୍ୟ ଆରମ୍ଭ କରାଯିବ ।

ବର୍ତ୍ତମାନ, ସ୍କୁଲ୍‌ କୋଠରୀ, ଏହାର ବାହାରେ ଥିବା ଏକ ଭଙ୍ଗା ଶୌଚାଳୟ ବ୍ଲକ୍‌ରେ ୩୦୦ରୁ ଅଧିକ ପଞ୍ଜିକୃତ ମତଦାତା ମଇ ୧୩ ତାରିଖରେ ନିଜର ମତଦାନ କରିବେ। ଜଲଗାଓଁ ଜିଲ୍ଲାର ରାୱେର୍‌ ସଂସଦୀୟ କ୍ଷେତ୍ର ଅଧୀନରେ ଅମ୍ବାପାଣି ଆସିଥାଏ। ଇଭିଏମ୍‌ ଏବଂ ଅନ୍ୟ ସମସ୍ତ ମତଦାନ ସାମଗ୍ରୀକୁ ପାଦରେ ଚାଲି ଚାଲି ଏବଂ ମୋଟର୍‌ ସାଇକେଲ୍‌ରେ ପାହାଡ଼ ଉପରକୁ ଅଣାଯିବ ।

ସାଧାରଣ ନିର୍ବାଚନ ସମୟରେ ଏହି ମତଦାନ କେନ୍ଦ୍ରରେ ହାରାହାରୀ ୬୦ ପ୍ରତିଶତ ମତଦାନ ହୋଇଥିଲା ଏବଂ ଅଧିକାରୀମାନେ କୁହନ୍ତି ଯେ ଅମ୍ବାପାଣିକୁ ନିଜ ଗଣତାନ୍ତ୍ରିକ ଅଧିକାରକୁ ପ୍ରୟୋଗ କରିବା ଲାଗି ଆବଶ୍ୟକ ସବୁ ଜିନିଷ ଯୋଗାଇ ଦିଆଯିବ। କେବଳ ଗଣତନ୍ତ୍ରର ସୁଫଳ ମିଳିବାରେ ବିଳମ୍ବ ହେବ।

ଅନୁବାଦ : ଓଡ଼ିଶାଲାଇଭ୍‍

Kavitha Iyer

Kavitha Iyer has been a journalist for 20 years. She is the author of ‘Landscapes Of Loss: The Story Of An Indian Drought’ (HarperCollins, 2021).

Other stories by Kavitha Iyer
Editor : Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE