ଜମିଲ (୨୭) ଏମ୍ବ୍ରୋଡୋରୀ ବା ସୂଚୀକାର୍ଯ୍ୟରେ ବେଶ୍ ଦକ୍ଷ ଯେଉଁଥିରେ ଜରି (ସୁନା) ସୂତା ବ୍ୟବହାର କରାଯାଏ। ହାଓଡ଼ା ଜିଲ୍ଲାର ଏହି ଶ୍ରମିକ ଜଣଙ୍କ ଘଣ୍ଟା ଘଣ୍ଟା ଧରି ଆଣ୍ଠୁ ମୋଡ଼ି ଚଟାଣ ଉପରେ ବସି ରୁହନ୍ତି ଏବଂ ମହଙ୍ଗା ପୋଷାକକୁ ଉଜ୍ଜ୍ୱଳ କରିଥା’ନ୍ତି। କିନ୍ତୁ ୩୦ ବର୍ଷ ନପୂରୁଣୁ ସେ ଅସ୍ଥି ଯକ୍ଷ୍ମା ରୋଗରେ ପୀଡ଼ିତ ହେବା ପରେ ଏହି ଛୁଞ୍ଚି ସୂତାକୁ ଅଲଗା ରଖି ଦେଇଛନ୍ତି। ରୋଗ କାରଣରୁ ତାଙ୍କର ହାଡ଼ ଏତେ ଦୁର୍ବଳ ହୋଇଯାଇଛି ଯେ ଅଧିକ ସମୟ ଧରି ଗୋଡ଼ ମୋଟି ବସିବା ତାଙ୍କ ପକ୍ଷେ ସମ୍ଭବପର ନୁହେଁ ।
‘‘ବର୍ତ୍ତମାନ ମୋ କାମ କରିବାର ବୟସ ଏବଂ (ମୋ) ବାପାମା’ ବିଶ୍ରାମ ନେବା ଉଚିତ୍। କିନ୍ତୁ ଏହାର ଓଲଟା ହେଉଛି। ମୋର ଚିକିତ୍ସା ଖର୍ଚ୍ଚରେ ସହାୟତା ପାଇଁ ସେମାନଙ୍କୁ କାମ କରିବାକୁ ହେଉଛି,’’ ଜମିଲ କୁହନ୍ତି । ହାଓଡ଼ା ଜିଲ୍ଲାର ଚେଙ୍ଗାଇଲ୍ ଅଞ୍ଚଳରେ ରହୁଥିବା ଏହି ବ୍ୟକ୍ତି ଜଣଙ୍କ ଚିକିତ୍ସା ପାଇଁ କୋଲକାତା ଯାଆନ୍ତି ।
ସେହି ଜିଲ୍ଲାରେ, ଅଭିକ୍ ଓ ତାଙ୍କ ପରିବାର ହାଓଡ଼ା ପିଲଖାନା ବସ୍ତିରେ ରୁହନ୍ତି ଏବଂ ଏହି କିଶୋର ଜଣଙ୍କ ମଧ୍ୟ ଅସ୍ଥି ଯକ୍ଷ୍ମାରେ ପୀଡ଼ିତ। ୨୦୨୨ ମଧ୍ୟଭାଗରେ ତାଙ୍କୁ ସ୍କୁଲ୍ ଛାଡ଼ିବାକୁ ପଡ଼ିଥିଲା। ଯଦିଓ ଏବେ ସେ ସୁସ୍ଥ ହେଉଛନ୍ତି ତଥାପି ଏବେ ସ୍କୁଲ୍ ଯିବାକୁ ସେ ଅସମର୍ଥ।
୨୦୨୨ରେ ଏହି କାହାଣୀ ପାଇଁ ଖବର ସଂଗ୍ରହ କରିବାକୁ ଯିବା ସମୟରେ ମୁଁ ପ୍ରଥମ ଥର ପାଇଁ ଜମିଲ୍, ଅଭିକ୍ ଓ ଅନ୍ୟମାନଙ୍କୁ ଭେଟିଥିଲି। ମୁଁ ପ୍ରାୟତଃ ସେମାନଙ୍କୁ ଜାଣିବା ଲାଗି ପିଲଖାନା ବସ୍ତିରେ ଥିବା ସେମାନଙ୍କ ଘରକୁ ଯାଉଥିଲି ଏବଂ ସେମାନଙ୍କ ଦୈନନ୍ଦିନ ଜୀବନର ଫଟୋ ଉଠାଉଥିଲି ।
ଘରୋଇ କ୍ଲିନିକ୍ର ଖର୍ଚ୍ଚ ଉଠାଇବାକୁ ସକ୍ଷମ ହୋଇନଥିବାରୁ ଜମିଲ ଓ ଅଭିକ୍ ପ୍ରଥମରୁ ଦକ୍ଷିଣ ୨୪ ପରଗଣା ଏବଂ ହାଉଡ଼ା ଜିଲ୍ଲାର ଗ୍ରାମାଞ୍ଚଳରେ କାମ କରୁଥିବା ଏକ ଅଣ-ସରକାରୀ ସଂଗଠନ ଦ୍ୱାରା ପରିଚାଳିତ ଗୋଟିଏ ଭ୍ରାମ୍ୟମାଣ ଯକ୍ଷ୍ମା କ୍ଲିନିକକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିଲେ। କେବଳ ସେମାନେ ନୁହନ୍ତି ।






















