‘‘ମୁଁ ପ୍ରାୟ ୪୫୦ ପକ୍ଷୀଙ୍କ କଳରବ ଜାଣିଛି।’’
ଏହା ମିକା ରାୟଙ୍କର ଏକ ମହତ୍ୱପୂର୍ଣ୍ଣ କୌଶଳ। ଜଙ୍ଗଲର ଜଣେ ଫଟୋଗ୍ରାଫର୍ ଭାବେ ବିରଳ ପକ୍ଷୀ ଓ ପ୍ରାଣୀମାନଙ୍କର ଫଟୋ କ୍ୟାମେରାରେ ଉଠାଇବା ପାଇଁ ଅନେକ ସମୟ ଧରି ଅପେକ୍ଷା କରିବାକୁ ହୋଇଥାଏ, ଆଉ ଏଥିରେ ସ୍ୱରଗୁଡ଼ିକୁ ଚିହ୍ନିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଫରକ ଆଣିପାରେ।
ପର ଥିବା ପ୍ରାଣୀଙ୍କଠାରୁ ଆରମ୍ଭ କରି ଲୋମଶ ସ୍ତନ୍ୟପାୟୀଙ୍କ ପର୍ଯ୍ୟନ୍ତ, ମିକା ବିଗତ କିଛି ବର୍ଷ ମଧ୍ୟରେ ପ୍ରାୟ ୩୦୦ ଭିନ୍ନ ପ୍ରଜାତିଙ୍କର ଫଟୋ ଉଠାଇଛନ୍ତି । ଏଥିରେ ତାଙ୍କୁ ବ୍ଲିଥ୍ସ୍ ଟ୍ରାଗୋପାନ୍ (ଟ୍ରାଗୋପାନ୍ ବ୍ଲିଥି) ନାମକ ଗୋଟିଏ ପକ୍ଷୀର ଫଟୋ ଉଠାଇବା ଲାଗି ବେଶ୍ କଷ୍ଟ କରିବାକୁ ପଡ଼ିଛି, ଏହାକୁ ଦେଖିବା ଅତ୍ୟନ୍ତ ବିରଳ।
ମିକା ଅକ୍ଟୋବର ୨୦୨୦ରେ ସିଗ୍ମା ୧୫୦ ଏମଏମ-୬୦୦ ଏମଏମ୍ ଟେଲିଫଟୋ ଲେନ୍ସ କିଣିଥିଲେ। ଏହି ଶକ୍ତିଶାଳୀ ଲେନ୍ସକୁ ନେଇ ସେ ଟ୍ରାଗୋପାନ୍ର ଫଟୋ ଉଠାଇବା ଲାଗି ଦୃଢ଼ ସଂକଳ୍ପବଦ୍ଧ ଥିଲେ। ‘‘କାଫି ଦିନ୍ ସେ ଆୱାଜ୍ ତୋ ସୁନାଇ ଦେ ରହାଥା (ଅନେକ ଦିନରୁ ମୁଁ ତା’ର ସ୍ୱର ଶୁଣିପାରୁଥିଲି)।’’ ଦୀର୍ଘ ଦିନ ଧରି ଏପରି ଚେଷ୍ଟା କରିବା ସତ୍ତ୍ୱେ କୌଣସି ଫଟୋ ମିଳି ପାରିନଥିଲା।
ଶେଷରେ ମଇ ୨୦୨୧ରେ ମିକା ପୁଣିଥରେ ଯେତେବେଳେ ଅରୁଣାଚଳ ପ୍ରଦେଶର ଇଗଲନେଷ୍ଟ ବନ୍ୟପ୍ରାଣୀ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲରେ ବ୍ଲିଥ୍ ଟ୍ରାଗୋପାନ୍ର ସ୍ୱରକୁ ଅନୁସରଣ କରିବା ସମୟରେ, ଏହି ମାୟାବୀ ଜୀବ ସ୍ପଷ୍ଟ ରୂପେ ଦେଖାଗଲା। ସେ ନିଜ ନିକନ୍ ଡି ୭୨୦୦ କ୍ୟାମେରାର ୧୫୦ ଏମଏମ-୬୦୦ ଏମଏମ ଟେଲିଫଟୋ ଜୁମ୍ ଲେନ୍ସ ଧରି ପ୍ରସ୍ତୁତ ହୋଇ ରହିଥିଲେ। କିନ୍ତୁ ଅତ୍ୟନ୍ତ ଅଧୀର ହୋଇପଡ଼ୁଥିଲେ। ‘‘ମୁଁ ଗୋଟିଏ ଅସ୍ପଷ୍ଟ ଫଟୋ ଉଠାଇଲି। ତାହା ଏତେ ଭଲ ନଥିଲା,’’ ସେ ମନେ ପକାଇ କୁହନ୍ତି ।
ଦୁଇ ବର୍ଷ ପରେ, ୱେଷ୍ଟ କାମେଙ୍ଗରେ ବୋମ୍ପୁ କ୍ୟାମ୍ପ ନିକଟରେ, ସେହି ମାୟାବୀ ପକ୍ଷୀ ଦେଖାଦେଲା। ଉଜ୍ୱଳ କଳଙ୍କି ରଙ୍ଗର ସେହି ପକ୍ଷୀ ପିଠିରେ ଛୋଟ ଧଳା ବିନ୍ଦୁ ଥିଲା ଯାହାକି ପତ୍ର ଗହଳରେ ଆଂଶିକ ରୂପେ ଲୁଚି ରହିଥିଲା। ଏଥର ମିକା ବିଫଳ ହେଲେ ନାହିଁ। ୩୦-୪୦ ସଟ୍ସ୍ର ଗୋଟିଏ ଝଟ୍କାରେ ସେ ୧-୨ଟି ଭଲ ଫଟୋ ଉଠାଇବାରେ ସଫଳ ହେଲେ। ଏହା ପ୍ରଥମ ଥର ପରୀରେ ପ୍ରକାଶ ପାଇଥିଲା, ଅରୁଣାଚଳର ପକ୍ଷୀ, ବିପଦରେ କଳରବ।




















