ୟେଳିଲ ଆନ୍ନାଙ୍କ ସ୍ମୃତି ମୋତେ ଜୋର କରି ଜାବୁଡ଼ି ଧରିଛି ଏବଂ ଏକ ଯାଦୁକରୀ ଶକ୍ତି ବଳରେ ମୋତେ ଦରିଆ ପାରି କରି ନେଉଛି। ଏହା ମୋତେ ଗୀତ ଗାଉଥିବା ଛାଇରେ ଭର୍ତ୍ତି ରଙ୍ଗୀନ ଜଙ୍ଗଲ, ଡେଙ୍ଗା ନୃତ୍ୟରତ ବୃକ୍ଷରାଜି, ସ୍ୱାଧୀନ ରାଜାଙ୍କ କାହାଣୀ ମଧ୍ୟ ଦେଇ ପର୍ବତ ଶିଖର ଉପରକୁ ଆଗେଇ ନେଇଥିଲା। ସେଠାରୁ ଦୁନିଆ ସ୍ୱପ୍ନ ଭଳି ଲାଗୁଥିଲା। ଏହାପରେ, ହଠାତ୍‌ ଆନ୍ନା (ବଡ଼ ଭାଇ) ମୋତେ ତାରାମାନଙ୍କ ଗହଣରେ, ଥଣ୍ଡା ରାତିର ପବନରେ ଫିଙ୍ଗି ଦେଲେ। ମୁଁ ଯେପର୍ଯ୍ୟନ୍ତ ମାଟିରେ ପରିଣତ ନହୋଇଛି ସେ ମୋତେ ଭୂପୃଷ୍ଠ ଆଡ଼କୁ ଠେଲିଦେଲେ।

ସେ ମାଟିରେ ଗଢ଼ା ହୋଇଥିଲେ। ତାଙ୍କ ଜୀବନ ସେହିଭଳି ଥିଲା। ସେ ଥିଲେ ଏକାଧାରରେ ଜଣେ ବିଦୂଷକ, ଜଣେ ଗୁରୁ, ଜଣେ ଶିଶୁ, ଜଣେ ଅଭିନେତା, ସେ ମାଟି ଭଳି ନମନୀୟ ଥିଲେ। ୟେଳିଲ ଆନ୍ନା, ସେ ମୋତେ ମାଟିରେ ଗଢ଼ିଥିଲେ।

ସେ ପିଲାମାନଙ୍କୁ କହୁଥିବା ରାଜାଙ୍କ କାହାଣୀ ମଧ୍ୟରେ ମୁଁ ବଡ଼ ହୋଇଥିଲି। କିନ୍ତୁ ଏବେ ମୁଁ ତାଙ୍କ କାହାଣୀ କହିବା ଲାଗି ଚାହୁଁଛି, ସେହି ବ୍ୟକ୍ତି ଓ ତାଙ୍କ ଫଟୋଗ୍ରାଫ ପଛରେ ଥିବା ଏକ କାହାଣୀ। ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ଏ କାହାଣୀ ମୋ ଭିତରେ ରହିଥିଲା।

*****

ଆର. ୟେଳିଲରସନ ବିଦୂଷକମାନଙ୍କ ରାଜା, ଚାରି ପାଖରେ ଏକ ମୂଷିକ ଡେଉଁଛି, ଭ୍ରୂଭଙ୍ଗ ସହିତ ଏକ ରଙ୍ଗୀନ ପକ୍ଷୀ, କମ୍‌ ଦୁଷ୍ଟ ଏକ ଗଧିଆ, ଲମ୍ବା ଲମ୍ବା ପାଦ ପକାଉଥିବା ଏକ ସିଂହ ବିଷୟରେ କାହାଣୀ। ଏସବୁ କିଛି ଗୋଟିଏ ଦିନର କାହାଣୀ ଉପରେ ନିର୍ଭର କରିଥାଏ। ୩୦ ବର୍ଷରୁ ଅଧିକ ସମୟ ଧରି ତାମିଲନାଡ଼ୁର ବିଭିନ୍ନ ଜଙ୍ଗଲ ଓ ସହର ମଧ୍ୟ ଦେଇ ପରିଭ୍ରମଣ କରିବା ସହିତ ଏସବୁ କାହାଣୀ ସେ ନିଜ ପିଠିରେ ବୋହୁଥିବା ଏକ ବଡ଼ ସବୁଜ ବ୍ୟାଗରେ ବୋହି ଚାଲିଛନ୍ତି।

୨୦୧୮ ମସିହାର କଥା। ଆମେ ନାଗାପଟ୍ଟିନମ୍‌ରେ ଏକ ସରକାରୀ ବିଦ୍ୟାଳୟ ପରିସରରେ ଥିଲୁ। ଗଜ ବାତ୍ୟାରେ ଉପୁଡ଼ି ଯାଇଥିବା ଗଛର କଟା ଗଣ୍ଡି ସବୁ ଗଦା ହୋଇ ରଖାଯାଇଥିଲା, ସ୍କୁଲ ପରିସର ଏକ କାଠ ମିଲ୍‌ ଭଳି ଦେଖାଯାଉଥିଲା। ବାତ୍ୟାରେ ସବୁଠୁ ପ୍ରଭାବିତ ତାମିଲନାଡ଼ୁର ଏହି ଜିଲ୍ଲାରେ ଥିବା ସ୍କୁଲ ପରିସରର ଏଭଳି ପରିତ୍ୟକ୍ତ ଏବଂ ଭଗ୍ନ ଦୃଶ୍ୟ ଗୋଟିଏ କୋଣରେ ପିଲାମାନଙ୍କର କୋଳାହଳପୂର୍ଣ୍ଣ ହସରେ ଉଭେଇ ଯିବା ଭଳି ଦେଖାଯାଉଥିଲା।

‘‘ବନ୍ଦାଣେ ରେନ୍ନା ପାରେଙ୍ଗେ କଟ୍ଟିୟାକ୍କାରନ ଆମା କଟ୍ଟିୟାକ୍କାରନ। ବାରାଣେ ରେନ୍ନା ପାରେଙ୍ଗେ (ଦେଖ, ବିଦୂଷକ ଆସିଛନ୍ତି, ହଁ, ବିଦୂଷକ ଆସୁଛନ୍ତି, ଦେଖ)।"

PHOTO • M. Palani Kumar

ନାଟକ ପାଇଁ ପ୍ରସ୍ତୁତ କରିବା ପୂର୍ବରୁ ୟେଳିଲ ଆନ୍ନା ପିଲାମାନଙ୍କ ସହ ବସିଛନ୍ତି, ସେମାନଙ୍କ ରୁଚି ସମ୍ପର୍କରେ ପଚାରୁଛନ୍ତି

PHOTO • M. Palani Kumar

୨୦୧୮ରେ ଗଜ ବାତ୍ୟା ପରେ ନାଗାପଟ୍ଟିନମରେ ଆୟୋଜିତ କଳା ଶିବିର ପିଲାମାନଙ୍କ ମଧ୍ୟରେ ଏବଂ ସେମାନଙ୍କ ଶ୍ରେଣୀଗୃହରେ ହସ ଫେରାଇ ଆଣିଥିଲା

ମୁହଁରେ ଧଳା ଓ ହଳଦିଆ ରଙ୍ଗ ଲାଗିଥିଲା, ତିନୋଟି ଲାଲ ଟୋପା – ଗୋଟିଏ ନାକ ଓ ଦୁଇଟି ଗାଲ ଉପରେ ଥିଲା, ଯିବା ଆସିବା ପାଇଁ ଏକ ଆକାଶୀ ନୀଳ ରଙ୍ଗର ବ୍ୟାଗ, ମୁଣ୍ଡରେ ବିଦୂଷକଙ୍କ ଟୋପି, ଓଠରେ ମଜାଳିଆ ଗୀତ ଏବଂ ଅଙ୍ଗପ୍ରତ୍ୟଙ୍ଗରେ ଏକ ବେପରୁଆ ତାଳ ଥିଲା- ସେ ଖୁବ ମଜାଳିଆ ଦିଶୁଥିଲେ। କୋଳାହଳ ସ୍ୱାଭାବିକ ଥିଲା। ୟେଳିଲ ଆନ୍ନାଙ୍କ ‘କଳା’ ଶିବିର ଠିକ ଏହିପରି ଆରମ୍ଭ ହେଉଥିଲା, ତାହା ଜବାଦୁ ପର୍ବତର ଏକ ଛୋଟ ପବ୍ଲିକ୍‌ ସ୍କୁଲରେ ହେଉ କିମ୍ବା ଚେନ୍ନାଇର ଘରୋଇ ସ୍କୁଲରେ, ଆଦିବାସୀ ପିଲାମାନଙ୍କ ପାଇଁ ସତ୍ୟମଙ୍ଗଳମର ଜଙ୍ଗଲରେ ଥିବା ଏକ ଦୂରବର୍ତ୍ତୀ ବିଦ୍ୟାଳୟରେ ହେଉ, କିମ୍ବା ପୁଣି ବିଶେଷ ଯତ୍ନ ଆବଶ୍ୟକ କରୁଥିବା ପିଲାମାନଙ୍କ ପାଇଁ। ଆନ୍ନା ଗୀତଟିଏ କିମ୍ବା ଛୋଟ ପ୍ରହସନ ଶୁଣାନ୍ତି, ପିଲାମାନେ ତାଙ୍କ ସହ ହସି, ଖେଳି, ଦୌଡ଼ି ଏବଂ ଗୀତ ଗାଇ ନିଜର ସବୁ ଅବରୋଧକୁ ପଛରେ ପକାଇ ଦେଇଥାନ୍ତି।

ଜଣେ ପ୍ରଶିକ୍ଷିତ କଳାକାର ହୋଇଥିବାରୁ ଆନ୍ନା କେବେ ବି ସ୍କୁଲରେ ଉପଲବ୍ଧ ସୁବିଧା ବିଷୟରେ ଚିନ୍ତା କରିନଥାନ୍ତି। ସେ କିଛି ମାଗନ୍ତି ନାହିଁ। କୌଣସି ଅଲଗା ହୋଟେଲ କିମ୍ବା ଲଜିଂ ବ୍ୟବସ୍ଥା, କୌଣସି ବିଶେଷ ଉପକରଣ, କିଛି ବି ନୁହେଁ। ବିଦ୍ୟୁତ, କିମ୍ବା ପାଣି କିମ୍ବା ଫେନ୍ସି କାରିଗରୀ ସାମଗ୍ରୀ ବିନା ସେ ପ୍ରଦର୍ଶନ କରିଥାନ୍ତି। କେବଳ ପିଲାମାନଙ୍କୁ ଭେଟିବା, କଥାହେବା ଏବଂ ସେମାନଙ୍କ ସହିତ କାମ କରିବା ତାଙ୍କ ପାଇଁ ଯଥେଷ୍ଟ। ବାକି ସବୁ କିଛି ପଛରେ ପଡ଼ିଯାଏ। ଆପଣ ତାଙ୍କ ଜୀବନରୁ ପିଲାମାନଙ୍କୁ ଦୂରେଇ ପାରିବେ ନାହିଁ।  ପିଲାମାନଙ୍କ କଥା ଆସିଲେ ସେ ଆକର୍ଷଣୀୟ ଏବଂ ସକ୍ରିୟ ବ୍ୟକ୍ତି ଭାବେ କାର୍ଯ୍ୟ କରିଥାନ୍ତି।

ଥରେ ସତ୍ୟମଙ୍ଗଲର ଏକ ଗାଁରେ ତାଙ୍କୁ ଏପରି ପିଲାଙ୍କ ସହ କାମ କରିବାକୁ ପଡ଼ିଲା ଯେଉଁମାନେ ପୂର୍ବରୁ କେବେ ରଙ୍ଗ ଦେଖିନଥିଲେ। ପ୍ରଥମ ଥର ପାଇଁ ସେ ପିଲାମାନଙ୍କୁ ନିଜ କଳ୍ପନା ପରିଧି ବାହାରେ କିଛି ତିଆରି କରିବା ଲାଗି ରଙ୍ଗର ବ୍ୟବହାର କରିବା ଶିଖାଇଥିଲେ। ଏହା ସେମାନଙ୍କ ପାଇଁ ଏକ ନୂଆ ଅନୁଭୂତି ଥିଲା। ପିଲାଙ୍କ ପାଇଁ ତାଙ୍କର କଳା ବିଦ୍ୟାଳୟ କାଲିମନ ବିରାଲଗଲ (ମାଟିର ଆଙ୍ଗୁଠି) ଖୋଲିବା ପରଠାରୁ ୨୨ ବର୍ଷ ଧରି ନିରନ୍ତର ଭାବେ ସେ ଏଭଳି ଅନୁଭୂତି ସୃଷ୍ଟି କରିଆସିଛନ୍ତି।  ତାଙ୍କ ସବୁଠୁ ଭଲ ଗୁଣ ହେଉଛି ପିଲାଙ୍କ ସହିତ ତାଙ୍କ କାମ ଏବଂ ସବୁବେଳେ ସେ ପିଲାମାନଙ୍କ ମଧ୍ୟରେ ରହି କଳା ପ୍ରଦର୍ଶନ କରିବା ଲାଗି ପ୍ରସ୍ତୁତ ରହିଥାନ୍ତି।

୩୦ ବର୍ଷରୁ ଅଧିକ ସମୟ ପୂର୍ବରୁ ଚେନ୍ନାଇର ଲଳିତ କଳା କଲେଜରୁ ଆନ୍ନା ଲଳିତ କଳାରେ ସ୍ନାତକ ଡିଗ୍ରୀ ସମ୍ପୂର୍ଣ୍ଣ କରିଥିଲେ। ‘‘ମୋର ବରିଷ୍ଠମାନେ, ଚିତ୍ରକର ତାମିଲସେଲଭନ,’’ ସେ ସ୍ମରଣ କରି କୁହନ୍ତି, ‘‘କଷ୍ଟ୍ୟୁମ ଡିଜାଇନର ଶ୍ରୀ ପ୍ରଭାକରନ, ଚିତ୍ରକର ଶ୍ରୀ ରାଜମୋହନ, ମୋ କଲେଜରେ ଜୀବନରେ ମୋତେ ଅନେକ ସାହାଯ୍ୟ କରିଛନ୍ତି। ଡିଗ୍ରୀ ସମ୍ପୂର୍ଣ୍ଣ କରିବାରେ ସେମାନଙ୍କର ସହାୟତା ଭୁଲି ହେବ ନାହିଁ।’’ ଟେରାକୋଟ୍ଟା ମୂର୍ତ୍ତି ଉପରେ ଏକ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିବା ପରେ, କଳାତ୍ମକ କାର୍ଯ୍ୟକୁ ନେଇ କିଛି ପରୀକ୍ଷାନିରୀକ୍ଷା କରିବା ଲାଗି ମୁଁ ଚେନ୍ନାଇ ଲଳିତ କଳା ଏକାଡେମୀରେ ଯୋଗ ଦେଇଥିଲି।’’ କିଛି ସମୟ ପାଇଁ ସେ ନିଜର ମୂର୍ତ୍ତିକଳା ଷ୍ଟୁଡିଓରେ ମଧ୍ୟ କାମ କରିଥିଲେ।

ସେ କହୁଥିଲେ, ‘‘କିନ୍ତୁ ଯେତେବେଳେ ମୋ କାମ ବିକ୍ରି ହେବା ଆରମ୍ଭ କଲା, ମୁଁ ଅନୁଭବ କଲି ଯେ ମୋର ଏସବୁ କାମ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ସେବେଠାରୁ ମୁଁ ସାଧାରଣ ଲୋକଙ୍କ ସହିତ କଳାତ୍ମକ ଗତିବିଧିରେ ସାମିଲ ହେବା ଆରମ୍ଭ କଲି ଏବଂ ତାମିଲନାଡ଼ୁର ୫ଟି ଭୂମି (ପାହାଡ଼, ସମୁଦ୍ର କୂଳ, ମରୁଭୂମି, ଜଙ୍ଗଲ, ଚାଷ ଜମି) ସେହି ସ୍ଥାନ ଥିଲା ଯେଉଁଠି ମୁଁ ରହିବାକୁ ଚାହୁଁଥିଲି। ମୁଁ ମୋ ପିଲାଙ୍କ ସହିତ ମାଟି ଓ ହସ୍ତଶିଳ୍ପ ଖେଳନା ତିଆରି କରିବା କାମ ଆରମ୍ଭ କଲି।’’ ସେ ପିଲାମାନଙ୍କୁ କାଗଜ ମୁଖା, ମାଟି ମୁଖା, ମାଟି ମୂର୍ତ୍ତି, ଚିତ୍ରାଙ୍କନ, ଚିତ୍ରକଳା, ଗ୍ଲାସ ପେଣ୍ଟିଂ, ଓରିଗାମୀ ତିଆରି କରିବା ଶିଖାଇଥିଲେ।

PHOTO • M. Palani Kumar
PHOTO • M. Palani Kumar

ବାମ: ସତ୍ୟମଙ୍ଗଳମର ପିଲାମାନଙ୍କୁ ପ୍ରଥମ ଥର ପାଇଁ ରଙ୍ଗର ଯାଦୁ ସମ୍ପର୍କରେ ପରିଚିତ ହୋଇଛନ୍ତି ଡାହାଣ : କାଡବୋର୍ଡ ଏବଂ ସମ୍ବାଦପତ୍ର ବ୍ୟବହାର କରି କାବେରୀପଟ୍ଟନମର ପିଲାମାନେ ହରିଣ ମୁକୁଟ ତିଆରି କରିଛନ୍ତି

PHOTO • M. Palani Kumar
PHOTO • M. Palani Kumar

ବାମ: କାବେରୀପଟ୍ଟନମରେ ଏକ କର୍ମଶାଳାର ଶେଷ ଦିନରେ ପ୍ରଦର୍ଶିତ ହେବାକୁ ଥିବା ନାଟକ ପାଇଁ ପିଲାମାନେ ନିଜେ ତିଆରି କରିଥିବା ଟୋପି ପିନ୍ଧିଛନ୍ତି ଡାହାଣ: ପେରାମ୍ବଲୁରରେ ପିଲାମାନେ ତିଆରି କରିଥିବା ମାଟି ମୁଖା ପ୍ରଦର୍ଶିତ କରୁଛନ୍ତି, ପ୍ରତ୍ୟେକଟିର ଏକ ଅଭିନବ ଅଭିବ୍ୟକ୍ତି ରହିଛି

ଆମେ ଯେତେବେଳେ ଯାତ୍ରା କରିଥାଉ, ପରିବହନର ମାଧ୍ୟମ ଯାହା ହେଉ ପଛେ – ବସ୍‌, ଭ୍ୟାନ କିମ୍ବା ଯାହାବି ମିଳୁ, ଆମର ବଡ଼ ଲଗେଜ୍‌ ମଧ୍ୟରେ ପିଲାମାନଙ୍କ ପାଇଁ ଅନେକଗୁଡ଼ିଏ ଜିନିଷ ଥାଏ। ୟେଳିଲ ଆନ୍ନାଙ୍କର ବଡ଼ ସବୁଜ ବ୍ୟାଗରେ ଡ୍ରଇଁ ବୋର୍ଡ, ପେଣ୍ଟ ବ୍ରସ, ରଙ୍ଗ, ଫେବିକଲ ଟ୍ୟୁବ୍ସ, ବ୍ରାଉନ ବୋର୍ଡ, ଗ୍ଲାସ ପେଣ୍ଟ, ପେପର ଏବଂ ଆହୁରି ଅନେକ ଜିନିଷରେ ଭର୍ତ୍ତି ହୋଇ ରହୁଥିଲା। ସେ ଆମକୁ ଚେନ୍ନାଇର ପ୍ରତ୍ୟେକ ସମ୍ଭାବ୍ୟ ପଡ଼ାକୁ ନେଇ ଯାଉଥିଲେ – ଏଲିସ ରୋଡଠାରୁ ଆରମ୍ଭ କରି ପ୍ୟାରୀ’ସ କର୍ନର, ଟ୍ରିପଲିକେନ୍‌ଠାରୁ ଏଗମୋର ପର୍ଯ୍ୟନ୍ତ – ଯେଉଁଠି ସହଜରେ ଏକ କଳା ସାମଗ୍ରୀ ଦୋକାନ ମିଳିପାରିବ। ଆଉ ସେତେବେଳକୁ ଆମ ପାଦରେ ଯନ୍ତ୍ରଣା ହୋଇଯାଉଥିଲା। ବିଲ୍‌ ପ୍ରାୟ ୬-୭ ହଜାର ଟଙ୍କା ହୋଇଯାଉଥିଲା।

ଆନ୍ନାଙ୍କ ପାଖରେ କେବେ ବି ଯଥେଷ୍ଟ ଟଙ୍କା ନଥିଲା। ସେ ବନ୍ଧୁମାନଙ୍କ ଠାରୁ, ଛୋଟମୋଟ ଚାକିରିରୁ, ଘରୋଇ ବିଦ୍ୟାଳୟରେ ନିଜ କାମରୁ ଏହି ଟଙ୍କା ଯୋଗାଡ଼ କରୁଥିଲେ, ଯାହାଫଳରେ ସେ ଆଦିବାସୀ କିମ୍ବା ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ମାଗଣାରେ କଳା ଶିବିର ଆୟୋଜନ କରିପାରିବେ। ୟେଳିଲ ଆନ୍ନାଙ୍କ ସହିତ ପ୍ରାୟ ୫ ବର୍ଷ ଧରି ଯାତ୍ରା କରିବା ସମୟରେ ଜୀବନକୁ ନେଇ ତାଙ୍କୁ କେବେ ନିରୁତ୍ସାହିତ ଦେଖିନାହିଁ। ସେ କେବେବି ନିଜ ପାଇଁ କିଛି ସଞ୍ଚୟ କରିବା ପାଇଁ ଚିନ୍ତା କରୁନଥିଲେ, ଏମିତି ମଧ୍ୟ ନୁହେଁ ଯେ ତାଙ୍କ ପାଖରେ କିଛି ସଞ୍ଚୟ ରହିଥିଲା। ଯାହା ସେ ରୋଜଗାର କରୁଥିଲେ, ମୋ ଭଳି ସହକଳାକାରଙ୍କ ସହ ବାଣ୍ଟି ଦେଉଥିଲେ।

ବେଳେବେଳେ, କିଛି କିଣିବା ପରିବର୍ତ୍ତେ, ଆନ୍ନା ପିଲାମାନଙ୍କୁ ଶିଖାଇବା ଲାଗି ନୂଆ ସାମଗ୍ରୀ ଆବିଷ୍କାର କରୁଥିଲେ। ସେ ଭାବୁଥିଲେ ଏସବୁ କଥା ପିଲାମାନଙ୍କୁ ଶିଖାଇବାରେ ଶିକ୍ଷା ବ୍ୟବସ୍ଥା ବିଫଳ ହୋଇଛି। ବିଭିନ୍ନ ପ୍ରକାର କାରିଗରୀ ନିମନ୍ତେ ସେ ସ୍ଥାନୀୟ ସାମଗ୍ରୀ ବ୍ୟବହାର କରିବା ଲାଗି ସେମାନଙ୍କୁ କହୁଥିଲେ। ମାଟି ସହଜରେ ମିଳି ଯାଉଥିଲା ଏବଂ ଅଧିକାଂଶ ସମୟରେ ସେ ଏହାକୁ ବ୍ୟବହାର କରୁଥିଲେ। କିନ୍ତୁ ନିଜେ ସେ ଏହାକୁ ପ୍ରସ୍ତୁତ କରୁଥିଲେ, ବାଲି ଓ ପଥର ବାହାର କରିବା ଠାରୁ ଆରମ୍ଭ କରି ମାଟି ଖଣ୍ଡକୁ ଚୂନା କରିବା ଏବଂ ସେଗୁଡ଼ିକୁ ଗୋଳାଇବା, ଛାଣିବା, ଶୁଖାଇବା ଆଦି ସବୁ କାମ ସେ ନିଜେ କରୁଥିଲେ। ସେ ଓ ତାଙ୍କ ଜୀବନ ବିଷୟରେ ମାଟି ହିଁ ମୋତେ ମନେ ପକାଇ ଦେଇଥାଏ। ପିଲାମାନଙ୍କ ଜୀବନ ସହ ଜଡ଼ିତ ଏବଂ ନମନୀୟ। ସେ ପିଲାମାନଙ୍କୁ ମୁଖା ତିଆରି ଶିଖାଉଥିଲେ, ଯାହାକୁ ଦେଖିବା ବାସ୍ତବରେ ରୋମାଞ୍ଚକର ଥିଲା। ପ୍ରତ୍ୟେକ ମୁଖା ଉପରେ ଏକ ଅଭିନବ ଅଭିବ୍ୟକ୍ତି ରହିଥିଲା, କିନ୍ତୁ ପିଲାମାନଙ୍କ ମୁଖମଣ୍ଡଳରେ ବିଶୁଦ୍ଧ ଆନନ୍ଦର ପ୍ରତିଫଳନ ଦେଖିବାକୁ ମିଳୁଥିଲା।

ପିଲାମାନେ ମାଟି ଉଠାଇବା ଏବଂ ତାହାକୁ ମୁଖାର ଆକାର ଦେବା ସମୟର ଖୁସି ବାସ୍ତବରେ ଦୁର୍ମୂଲ୍ୟ ଥିଲା। ୟେଳିଲ ଆନ୍ନା ସେମାନଙ୍କୁ ସେହି ବିଚାର ବିଷୟରେ ଚିନ୍ତା କରିବା ଲାଗି ଅନୁପ୍ରାଣିତ କରୁଥିଲେ, ଯାହା ସେମାନଙ୍କ ଜୀବନ ସହ ଜଡ଼ିତ ହୋଇଥିବ। ସେ ପିଲାମାନଙ୍କୁ ତାଙ୍କ ଆଗ୍ରହ ବିଷୟରେ ପଚାରୁଥିଲେ, ସେମାନଙ୍କୁ ଅନୁସରଣ କରିବା ଲାଗି ନିବେଦନ କରୁଥିଲେ। କିଛି ପିଲା ଏଥିପାଇଁ ପାଣି ଟାଙ୍କି ତିଆରି କରୁଥିଲେ, କାରଣ ସେମାନଙ୍କ ଘରେ ପାଣି କମ୍‌ କିମ୍ବା ଆଦୌ ପାଣି ନଥିଲା। ଆଉ କିଛି ଲୋକ ହାତୀ ତିଆରି କରୁଥିଲେ। ବନାଞ୍ଚଳର ପିଲାମାନେ ଶୁଣ୍ଢ ଟେକିଥିବା ହାତୀ ତିଆରି କରୁଥିଲେ, ଏହି ବିଶାଳ ହାତୀମାନଙ୍କ ସହ ସେମାନଙ୍କ ସୁନ୍ଦର ସମ୍ପର୍କର ପ୍ରତୀକ ଥିଲା।

PHOTO • M. Palani Kumar

ମାଟି ସବୁବେଳେ ମୋତେ ୟେଳିଲ ଆନ୍ନା ଏବଂ ପିଲାମାନଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ମନେ ପକାଇ ଦେଇଥାଏ। ସେ ନିଜେ ମାଟି ଭଳି ଥିଲେ, ନମନୀୟ। ସେ ପିଲାମାନଙ୍କୁ ମୁଖା ତିଆରି ଶିଖାଉଥିବା ଦେଖିବା ବେଶ୍ ରୋମାଞ୍ଚକର ଥିଲା, ଯେମିତି ଏଠାରେ ନାଗାପଟ୍ଟିନମର ସ୍କୁଲରେ ସେ ଏହା ଶିଖାଉଛନ୍ତି

PHOTO • M. Palani Kumar

ସେ ପିଲାମାନଙ୍କୁ ନିଜ ବାସ୍ତବ ଦୁନିଆର ଫଟୋ ଏବଂ ବିଚାରକୁ ସେମାନେ ତିଆରି କରୁଥିବା କଳାକୃତିରେ ପ୍ରତିଫଳିତ କରିବା ଲାଗି ଅନୁପ୍ରାଣିତ କରୁଥିଲେ। ସତ୍ୟମଙ୍ଗଳମରେ ଏକ ଆଦିବାସୀ ପଡ଼ାରେ ଏ ପିଲାଟି ଭଳି, ଯିଏକି ଉପରକୁ ଶୁଣ୍ଢ ଉଠାଇଥିବା ଏବଂ ମାଟି ହାତୀ ତିଆରି କରୁଛନ୍ତି, ଯେମିତି ପଶୁକୁ ସେ ଦେଖିଛନ୍ତି

ସେ କଳା ଶିବିର ପାଇଁ ଉପଯୋଗ କରାଯାଉଥିବା ସାମଗ୍ରୀ ଉପରେ ସତର୍କତା ପୂର୍ବକ ବିଚାର କରୁଥିଲେ। ପରିପୂର୍ଣ୍ଣତା ପ୍ରତି ତାଙ୍କର ଆଗ୍ରହ, ପିଲାମାନଙ୍କୁ ସଠିକ ପ୍ରକାରର ସାମଗ୍ରୀ ଯୋଗାଇ ଦେବାର ଚିନ୍ତା ତାଙ୍କୁ ଆମ ଆଖି ଆଗରେ ଜଣେ ନାୟକ ସଜାଇ ଦେଇଥିଲା। ଶିବିରର ପ୍ରତ୍ୟେକ ରାତ୍ରିରେ, ୟେଳିଲ ଆନ୍ନା ଏବଂ ଅନ୍ୟମାନେ ପରଦିନ ପାଇଁ ସହାୟକ ସାମଗ୍ରୀ ଏବଂ ଉପକରଣ ଯୋଗାଡ଼ କରିବାରେ ଲାଗି ପଡ଼ୁଥିଲେ। ସେ ଶିବିର ସାମ୍ନାରେ ଦୃଷ୍ଟିବାଧିତ ପିଲାମାନଙ୍କ ସହ କଥାବାର୍ତ୍ତା କରିବାର ପଦ୍ଧତିକୁ ଜାଣିବା ନିମନ୍ତେ ନିଜ ଆଖିରେ ପଟି ବାନ୍ଧି ଦେଉଥିଲେ। ସେ ବଧିର ପିଲାମାନଙ୍କୁ ପ୍ରଶିକ୍ଷଣ ଦେବା ପୂର୍ବରୁ ନିଜ କାନ ବନ୍ଦ କରି ଦେଉଥିଲେ। ଯେପରି ଭାବେ ସେ ନିଜ ଛାତ୍ରଛାତ୍ରୀଙ୍କ ଅନୁଭୂତିକୁ ବୁଝିବା ଲାଗି ଚେଷ୍ଟା କରିଥିଲେ, ତାହା ଦେଖି ମୁଁ ମୋ ଫଟୋଗ୍ରାଫୀ ବିଷୟ ସହ ଅଧିକ ଯୋଡ଼ି ହେବା ଲାଗି ଅନୁପ୍ରାଣିତ ହୋଇଥିଲି। କ୍ଲିକ୍‌ ବା ଫଟୋ ଉଠାଇବା ପୂର୍ବରୁ କନେକ୍ଟ ବା ଯୋଡ଼ି ହେବା ମୋ ପାଇଁ ଜରୁରି ଥିଲା।

ୟେଳିଲ ଆନ୍ନା ବେଲୁନର ଯାଦୁ ବୁଝିପାରିଥିଲେ। ବେଲୁନ ସହ ଖେଳାଯାଉଥିବା ଖେଳ ତାଙ୍କୁ ସବୁବେଳେ ଛୋଟ ପୁଅ ଝିଅଙ୍କ ସହ ସମ୍ପର୍କ ସ୍ଥାପନରେ ସହାୟକ ହୋଇଥିଲା। ନିଜ ବ୍ୟାଗରେ ସେ ବହୁ ପରିମାଣରେ ବେଲୁନ ପ୍ୟାକ୍‌ କରି ରଖୁଥିଲେ- ବଡ଼ ଗୋଲ ବାଲା, ଲମ୍ବା ସାପ ଭଳି, ଘୂରୁଥିବା, ହୁଇସିଲ୍‌ ମାରୁଥିବା, ପାଣି ଭର୍ତ୍ତି ବେଲୁନ ଆଦି। ସେ ପିଲାମାନଙ୍କ ମଧ୍ୟରେ ବେଶ ଉତ୍ସାହ ସୃଷ୍ଟି କରିଥିଲେ। ତା’ଛଡ଼ା ସଙ୍ଗୀତ ବି ଥିଲା।

‘‘ନିଜ କାମ ସମୟରେ, ମୁଁ ଏହା ମଧ୍ୟ ଅନୁଭବ କଲି ଯେ ପିଲାମାନଙ୍କୁ ଲଗାତାର ଗୀତ ଏବଂ ଖେଳର ଆବଶ୍ୟକତା ରହିଥାଏ, ମୁଁ ଏପରି ଗୀତ ଓ ଖେଳ ନେଇ ଆସିଛି ଯେଉଁଥିରେ ସାମାଜିକ ବାର୍ତ୍ତା ମଧ୍ୟ ରହିଛି। ମୁଁ ମଧ୍ୟ ସାଥୀରେ ଗାଇଥାଏ,’’ ଆନ୍ନା କହୁଥିଲେ। ସେହି ସ୍ଥାନରେ ସେ ରୋମାଞ୍ଚ ଭରି ଦେଉଥିଲେ। ଆଦିବାସୀ ଗାଁର ପିଲାମାନେ ତାଙ୍କୁ ଶିବିର ପରେ ଛାଡ଼ିବାକୁ ସହଜରେ ପ୍ରସ୍ତୁତ ହେଉନଥିଲେ। ସେମାନେ ତାଙ୍କୁ ଗୀତ ଗାଇବାକୁ କହୁଥିଲେ। ସେ ଅବିଶ୍ରାନ୍ତ ଭାବେ ଗାଇ ଚାଲୁଥିଲେ। ପିଲାମାନେ ଚାରି ପାଖରେ ଘେରି ରହୁଥିଲେ, ଗୀତ ଚାଲୁଥିଲା।

ସେ ଯେଉଁ ଭଳି ମାର୍ଗରେ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବା, ନିଜ ଛାତ୍ରଛାତ୍ରୀଙ୍କ ଅନୁଭୂତି ବୁଝିବା ଲାଗି ଚେଷ୍ଟା କରୁଥିଲେ ତାହା ମୋତେ ମୋ ଫଟୋଗ୍ରାଫୀ ବିଷୟ ସହିତ ଭଲ ଭାବେ ଯୋଡ଼ି ହେବା ଲାଗି ଅନୁପ୍ରାଣିତ କରିଥିଲା। ପ୍ରଥମେ, ଯେତେବେଳେ ଫଟୋଗ୍ରାଫୀ ବିଷୟରେ ମୋର ଜ୍ଞାନ ପ୍ରାରମ୍ଭିକ ଅବସ୍ଥାରେ ଥିଲା, ମୁଁ ୟେଳିଲ ଆନ୍ନାଙ୍କୁ ନିଜେ ଉଠାଇଥିବା ଫଟୋ ଦେଖାଇଲି। ସେ ମୋତେ କହିଲେ ଯେ ମୁଁ ନିଜ ଫଟୋକୁ ସେହି ଲୋକମାନଙ୍କ ପାଖକୁ ନେଇଯିବି ଯେଉଁମାନେ ସେହି ଫ୍ରେମରେ ଅଛନ୍ତି। ‘‘ସେମାନେ (ଲୋକମାନେ) ଆପଣଙ୍କୁ ନିଜ କୌଶଳକୁ ପରବର୍ତ୍ତୀ ସ୍ତର ପର୍ଯ୍ୟନ୍ତ ନେଇଯିବା ଶିଖାଇବେ’’, ସେ କହିଥିଲେ।

PHOTO • M. Palani Kumar

ପିଲାମାନେ ଅଧିକାଂଶ ସମୟରେ ଶିବିର ସରିବା ପରେ ୟେଳିଲ ଆନ୍ନାଙ୍କୁ ଛାଡ଼ୁନଥିଲେ। 'ପିଲାମାନଙ୍କର ସବୁବେଳେ ଗୀତ ଓ ଖେଳ ଦରକାର ହୋଇଥାଏ। ମୁଁ ସେମାନଙ୍କ ସହ ଗୀତ ଗାଇଥାଏ’

PHOTO • M. Palani Kumar

ସାଲେମରେ, ଶ୍ରବଣବାଧିତ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ସ୍କୁଲରେ ସେ ବେଲୁନରେ ଖେଳୁଛନ୍ତି

ଶିବିରଗୁଡ଼ିକରେ ପିଲାମାନେ ସବୁବେଳେ ନିଜ ସୃଜନଶୀଳତାର ପ୍ରଦର୍ଶନ କରିଥିଲେ। ସେମାନଙ୍କର ପେଣ୍ଟିଂ, ଓରିଗାମୀ ଏବଂ ମାଟି କଣ୍ଢେଇ ପ୍ରଦର୍ଶିତ ହେଉଥିଲା। ପିଲାମାନେ ନିଜ ମାତା-ପିତା ଏବଂ ଭାଇ-ଭଉଣୀଙ୍କୁ ଆଣି ଗର୍ବର ସହିତ ନିଜ ପ୍ରତିଭାକୁ ପ୍ରଦର୍ଶିତ କରୁଥିଲେ। ୟେଳିଲ ଆନ୍ନା ଏହାକୁ ସେମାନଙ୍କ ପାଇଁ ଏକ ଉତ୍ସବରେ ପରିଣତ କରି ଦେଇଥିଲେ। ସେ ଲୋକମାନଙ୍କୁ ସ୍ୱପ୍ନ ଦେଖାଇଥିଲେ। ମୋର ପ୍ରଥମ ଫଟୋଗ୍ରାଫୀ ପ୍ରଦର୍ଶନୀ ସେମିତି ଏକ ସ୍ୱପ୍ନ ଥିଲା ଯାହାକୁ ସେ ପୂରଣ କରିଥିଲେ। ତାଙ୍କର ଏକ ଶିବିରରୁ ହିଁ ମୋତେ ଆୟୋଜନ ପାଇଁ ପ୍ରେରଣା ମିଳିଥିଲା। କିନ୍ତୁ ମୋ ପାଖରେ ସେଥିପାଇଁ ଏତେ ଟଙ୍କା ନଥିଲା।

ଆନ୍ନା ମୋତେ ସବୁବେଳେ ପରାମର୍ଶ ଦେଉଥିଲେ କି ଯେତେବେଳେ ବି ମୋ ପାଖରେ କିଛି ଟଙ୍କା ଥିବ, ମୁଁ ମୋ ପ୍ରିଣ୍ଟ ପ୍ରସ୍ତୁତ ରଖିବି। ସେ ମୋତେ କହିଥିଲେ ଯେ ମୁଁ ଏହାକୁ ବଡ଼ କରିଦେବେି। ସେ ଲୋକମାନଙ୍କୁ ମୋ ବିଷୟରେ କହିଥିଲେ। ସେମାନଙ୍କୁ ମୋ କାମ ବିଷୟରେ କହୁଥିଲେ। ମୁଁ ଭାବୁଛି ତା’ପରେ ମୋ ପାଇଁ ସବୁକିଛି ସହଜ ହୋଇଗଲା। ୟେଳିଲ ଆନ୍ନାର ଦଳରେ ମଞ୍ଚ କଳାକାର ଏବଂ କାର୍ଯ୍ୟକର୍ତ୍ତା କୃଷ୍ଣା ପ୍ରସାଦ ମୋତେ ୧୦,୦୦୦ ଟଙ୍କାର ସିଡ୍‌ ମନି ଦେଇଥିଲେ। ପ୍ରଥମ ଥର ପାଇଁ ମୁଁ ମୋ ଫଟୋ ପ୍ରିଣ୍ଟ କଲି। ମୋ ଫଟୋଗୁଡ଼ିକ ପାଇଁ କାଠ ଫ୍ରେମ କିଭଳି ପ୍ରସ୍ତୁତ କରିବାକୁ ହେବ ଆନ୍ନା ମୋତେ ଶିଖାଇ ଦେଇଥିଲେ। ତାଙ୍କ ପାଖରେ ଏକ ସ୍ପଷ୍ଟ ଯୋଜନା ଥିଲା, ଯାହା ବିନା ମୋର ପ୍ରଥମ ପ୍ରଦର୍ଶନୀ ହୋଇପାରିନଥାନ୍ତା।

ପରବର୍ତ୍ତୀ ସମୟରେ ଏହି ଫଟୋଗୁଡ଼ିକ ରଞ୍ଜିତ ଆନ୍ନା (ପା ରଞ୍ଜିତ) ଏବଂ ତାଙ୍କ ନୀଲମ ପ୍ରୋକଲଚରାଲ୍‌ ସେଣ୍ଟରରେ ପହଞ୍ଚିଲା। ପରେ ବିଶ୍ୱବ୍ୟାପୀ ଅନେକ ସ୍ଥାନକୁ ଗଲା, କିନ୍ତୁ ଏହି ବିଚାର ପ୍ରଥମେ ୟେଳିଲ ଆନ୍ନାଙ୍କ ଶିବିରରେ ରୂପ ନେଇଥିଲା। ମୁଁ ପ୍ରଥମ ଥର ଯେତେବେଳେ ତାଙ୍କ ସହିତ ବୁଲିବା ଆରମ୍ଭ କଲି ଅଧିକ କିଛି ଜାଣିନଥିଲି। ଏହି ଯାତ୍ରା ସମୟରେ ଅନେକ କଥା ଜାଣିଲି। କିନ୍ତୁ ଅଧିକ ଜାଣିଥିବା ଏବଂ କମ୍‌  ଜାଣିଥିବା ଲୋକଙ୍କ ଭିତରେ ସେ କେବେ ବି ଭେଦଭାବ କରୁନଥିଲେ। ସେ କମ୍‌ ପ୍ରତିଭାଶାଳୀ ହୋଇଥିଲେ ମଧ୍ୟ ସେମାନଙ୍କୁ ସାଥିରେ ନେଇ ଆସିବା ଲାଗି ଆମକୁ ଉତ୍ସାହିତ କରୁଥିଲେ। ସେ କହୁଥିଲେ ‘‘ଆସନ୍ତୁ ସେମାନଙ୍କୁ ନୂଆ କଥା ଜଣାଇବା, ସେମାନଙ୍କ ସହିତ ଯାତ୍ରା କରିବା’’। ସେ କେବେ ବି କୌଣସି ବ୍ୟକ୍ତିଙ୍କ ଦୋଷତ୍ରୁଟି ଦେଖୁନଥିଲେ। ଆଉ ଏମିତି ଭାବେ ସେ କଳାକାରମାନଙ୍କୁ ତିଆରି କରୁଥିଲେ।

ପିଲାମାନଙ୍କ ମଧ୍ୟରେ ସେ କଳାକାର ଏବଂ ଅଭିନେତାମାନଙ୍କୁ ତିଆରି କରିଥିଲେ। ‘‘ଆମେ ବଧିର ପିଲାମାନଙ୍କୁ କଳାର ରୂପ ଅନୁଭବ କରିବା ଶିଖାଇଥାଉ – ଆମେ ତାଙ୍କୁ ଚିତ୍ର କରିବା, ମାଟିରୁ ଜୀବନ ଗଢ଼ିବା ଶିଖାଇଥାଉ। ନେତ୍ରହୀନ ପିଲାମାନଙ୍କ ପାଇଁ, ଆମେ ସେମାନଙ୍କୁ ସଙ୍ଗୀତ ଓ ରଙ୍ଗମଞ୍ଚ ଶିଖାଇଥାଉ। ଆମେ ତାଙ୍କୁ ମାଟିରେ ତ୍ରି-ପରିମାପ ବିଶିଷ୍ଟ ମୂର୍ତ୍ତି ତିଆରି କରିବା ମଧ୍ୟ ଶିଖାଇଥାଉ। ଆମେ ଦେଖୁ ଯେ ପିଲାମାନେ ଯେତେବେଳେ ଏପରି କଳା ରୂପ ଶିଖିଥାନ୍ତି, ତାହାକୁ ସମାଜ ପ୍ରତି ନିଜ ଧାରଣାର ଅଂଶବିଶେଷ ଭାବେ ଶିକ୍ଷା ଲାଭ କରିଥାନ୍ତି, ସେମାନେ ମଧ୍ୟ ସ୍ୱାଧୀନ ଅନୁଭବ କରିଥାନ୍ତି,’’ ଆନ୍ନା କହିଥିଲେ।

PHOTO • M. Palani Kumar

ତାଞ୍ଜାଭୁରରେ ଦୃଷ୍ଟିବାଧିତ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏକ ସ୍କୁଲର ପିଲାମାନେ ୟେଳିଲ ଆନ୍ନାଙ୍କ ସହିତ ସେମାନଙ୍କ ଜୀବନକୁ ଉପଭୋଗ କରୁଛନ୍ତି ଶିବିର ଆରମ୍ଭ କରିବା ପୂର୍ବରୁ ସେମାନଙ୍କ ସହ କିଭଳି କାମ କରିବାକୁ ହେବ ତାହା ଜାଣିବା ଲାଗି ସେ ନିଜ ଆଖିକୁ ବାନ୍ଧି ଦେଇଥାନ୍ତି ଶ୍ରବଣ ବାଧିତ ପିଲାଙ୍କ ସହ କାମ କରିବା ବେଳେ ସେ ନିଜର କାନ ବାନ୍ଧି ଦେଇଥାନ୍ତି

PHOTO • M. Palani Kumar

କାବେରୀପଟ୍ଟିନମରେ ପିଲାମାନେ ଏକ ଲୋକନୃତ୍ୟ ଓୟିଲ ଆଟ୍ଟମ ପ୍ରଦର୍ଶନ କରୁଛନ୍ତି। ୟେଳିଲ ଆନ୍ନା ପିଲାମାନଙ୍କୁ ଅନେକ ଲୋକକଳା ରୂପ ଶିଖାଇଛନ୍ତି

ପିଲାମାନଙ୍କ ସହିତ କାମ କରିବା ସମୟରେ ସେ ଅନୁଭବ କରିପାରିଥିଲେ ଯେ ‘‘ଗାଁର ପିଲାମାନେ-ବିଶେଷ କରି ଝିଅମାନେ – ସ୍କୁଲରେ ଖୁବ୍‌ ଲାଜକୁଳା ଥାଆନ୍ତି। ସେମାନେ ଶିକ୍ଷକଙ୍କୁ କିଛି ପ୍ରଶ୍ନ ପଚାରିବା କିମ୍ବା ସନ୍ଦେହ ବ୍ୟକ୍ତ କରିବା ଲାଗି ପ୍ରସ୍ତୁତ ନଥାନ୍ତି।’’ ସେ କହିଥିଲେ, ‘‘ମୁଁ ସେମାନଙ୍କୁ ସାର୍ବଜନୀନ କାର୍ଯ୍ୟକ୍ରମରେ ମଞ୍ଚ ମାଧ୍ୟମରେ ଶିଖାଇବା ଲାଗି ନିଷ୍ପତ୍ତି ନେଇଥିଲି। ଏମିତି କରିବା ଲାଗି ମୁଁ ମଞ୍ଚ କାର୍ଯ୍ୟକର୍ତ୍ତା କରୁଣା ପ୍ରସାଦଙ୍କଠାରୁ ଥିଏଟର କ୍ଲାସ ନେଲି। କଳାକାର ପୁରୁଷୋତ୍ତମଙ୍କଠାରୁ କେତେକେ ମାର୍ଗଦର୍ଶନ ପାଇବା ପରେ ଆମେ ପିଲାମାନଙ୍କୁ ମଞ୍ଚରେ ପ୍ରଶିକ୍ଷଣ ଦେବା ଆରମ୍ଭ କଲୁ।’’

ସେ ମଧ୍ୟ ବିଭିନ୍ନ କଳା ରୂପକୁ ଗ୍ରହଣ କରିବା ଲାଗି ଚେଷ୍ଟା କରୁଥିଲେ ଯାହାକୁ ସେ ନିଜ ପିଲାମାନଙ୍କୁ ଶିଖାଇବା ଲାଗି ଅନ୍ୟ ଦେଶର କଳାକାରମାନଙ୍କଠାରୁ ଶିଖିଥିଲେ। ସେ ପିଲାମାନଙ୍କୁ ନିଜ ଆଖପାଖର ପରିବେଶ ସହ ସମ୍ବେଦନଶୀଳ ହେବା ପାଇଁ ଶିଖାଉଥିଲେ। “ଆମ ଶିବିରର ଅଂଶବିଶେଷ ଭାବେ ଆମେ ପରିବେଶ ବିଷୟ ଆଧାରିତ ଚଳଚ୍ଚିତ୍ର ପ୍ରଦର୍ଶନ କରୁଥିଲୁ। ଆମେ ସେମାନଙ୍କୁ ଜୀବନକୁ ବୁଝିବା ଭଳି କଳା ଶିଖାଉ ଥିଲୁ – ଯେତେ ଛୋଟ ହେଉ ପଛେ, ଏକ ଚଢ଼େଇ କିମ୍ବା ଏକ କୀଟପତଙ୍ଗ। ସେମାନେ ନିଜ ଆଖପାଖରେ ଥିବା ଗଛ ଚିହ୍ନିବା ଶିଖୁଥିଲେ, ସେଗୁଡ଼ିକର ଗୁରୁତ୍ୱ ବୁଝୁଥିଲେ ଏବଂ ପୃଥିବୀକୁ ସମ୍ମାନ ଓ ସୁରକ୍ଷା ଦେବା ଶିଖୁଥିଲେ। ସେମାନେ ଆମ ବୃକ୍ଷ ଏବଂ ପ୍ରାଣୀମାନଙ୍କର ଇତିହାସ ଜାଣିବାକୁ ପାଉଥିଲେ। ଉଦାହରଣ ସ୍ଵରୁପ, ସଙ୍ଗମ ସାହିତ୍ୟରେ ୯୯ଟି ପୁଷ୍ପ ବିଷୟରେ ଉଲ୍ଲେଖ କରାଯାଇଛି। ଆମେ ପିଲାମାନଙ୍କୁ ତାହା ଆଙ୍କିବାକୁ କହିଥାଉ ଏବଂ ଆମ ପ୍ରାଚୀନ ବାଦ୍ୟଯନ୍ତ୍ର ବଜାଇବା ସହିତ ସେଗୁଡ଼ିକୁ ଗାଇବା ଲାଗି କହିଥାଉ,’’ ଆନ୍ନା କହିଥିଲେ।  ସେ ନାଟକ ପାଇଁ ନୂଆ ଗୀତ ସୃଷ୍ଟି କରୁଥିଲେ। ସେ କୀଟପତଙ୍ଗ ଏବଂ ପ୍ରାଣୀଙ୍କ ସମ୍ପର୍କରେ କାହାଣୀ ପ୍ରସ୍ତୁତ କରୁଥିଲେ।

ୟେଳିଲ ଆନ୍ନା ଅଧିକାଂଶ ସମୟରେ ଆଦିବାସୀ ଏବଂ ଉପକୂଳ ସମୁଦାୟର ପିଲାମାନଙ୍କ ସହ କାମ କରୁଥିଲେ। ଯେତେବେଳେ ସେ ସହରାଞ୍ଚଳର ପିଲାମାନଙ୍କ ସହ କାମ କରୁଥିଲେ, ତାଙ୍କୁ ଲାଗୁଥିଲା ଯେମିତି ସେମାନେ ଲୋକ କଳା ଏବଂ ଜୀବନଜୀବିକା ବିଷୟରେ କମ୍‌  ଜାଣନ୍ତି। ଏହାପରେ ସେ ଲୋକକଳାର ପଦ୍ଧତିକୁ କାର୍ଯ୍ୟକାରୀ କରିବା ଆରମ୍ଭ କରୁଥିଲେ। ଏଥିରେ ପାରାଇ ସାମିଲ ରହୁଥିଲା। ଏଥିରେ ବାଜା, ପାଉଁଜି ଭଳି ଅଳଙ୍କାର ସହ ପ୍ରଦର୍ଶିତ ହେଉଥିବା ସିଲମ୍ବ ବାଜୁଥିଲା ଏବଂ ପୁଲି, ଯେଉଁଥିରେ ବାଘ ମୁଖା ପିନ୍ଧାଯାଉଥିଲା, ଆଦି ସାମିଲ ରହିଥିଲା। “ଏହି ଲୋକକଳା ରୂପକୁ ପିଲାମାନଙ୍କ ପାଖକୁ ନେଇ ଯିବା ଏବଂ ତା’କୁ ସଂରକ୍ଷିତ କରି ରଖିବା ଲାଗି ମୁଁ ସବୁବେଳେ ଜୋର ଦେଇଥାଏ। ଆମ ପିଲାମାନଙ୍କୁ ଖୁସି ଓ ମୁକ୍ତ ରଖିବାରେ କଳା ରୂପଗୁଡ଼ିକ ସହାୟକ ହୋଇଥାଏ ବୋଲି ମୋର ଦୃଢ଼ ବିଶ୍ୱାସ,’’ ୟେଳିଲ ଆନ୍ନା କହିଥିଲେ।

୫-୬ ଦିନ ପର୍ଯ୍ୟନ୍ତ ଚାଲୁଥିବା ଶିବିରରେ ସବୁବେଳେ ଗୋଟିଏ କିମ୍ବା ଦୁଇଟି କଳାକାର ଦଳ ଭାଗ ନେଉଥିଲେ। ବେଳେବେଳେ ଆମ ସହ ଗାୟକ ତାମିଲରାସନ, ଚିତ୍ରକର ରାକେଶ କୁମାର, ମୂର୍ତ୍ତକାର ୟେଳିଲ ଆନ୍ନା ଏବଂ ଲୋକ କଳାକାର ଭେଲମୁରୁଗାନ ଏବଂ ଆନନ୍ଦ ପ୍ରମୁଖ ଗୋଟିଏ ଦଳରେ ସାମିଲ ହୋଇଥିଲେ। “ନିଶ୍ଚିତ ଭାବେ, ଆମ ଦଳରେ ଫଟୋଗ୍ରାଫରମାନେ ସାମିଲ ଥିଲେ ଯେଉଁମାନେ ଆମ ପିଲାମାନଙ୍କୁ ସେମାନଙ୍କ ଜୀବନର ଫଟୋକୁ ସାଇତି ରଖିବା ଶିଖାଉଥିଲେ,’’ ମୋର ସ୍ୟାଡୋଇଙ୍ଗ୍ କାର୍ଯ୍ୟ ବିଷୟରେ ଉଲ୍ଲେଖ କରି ଆନ୍ନା କହିଥିଲେ।

PHOTO • M. Palani Kumar

ନମକ୍କାଲ ଜିଲ୍ଲାର ତିରୁଚେଙ୍ଗୋଡୁରେ ଏକ ଶିବିରର ଶେଷ ଦିନ ‘ପ୍ରଦର୍ଶନୀ ଦିବସ’ରେ ପାରାଇ ଆଟ୍ଟମ ପାଇଁ ଫ୍ରେମ ଡ୍ରମ ବଜାଉଛନ୍ତି ପିଲାମାନେ

PHOTO • M. Palani Kumar

ତାଞ୍ଜାଭୁରରେ, ଆଂଶିକ ଦୃଷ୍ଟିହୀନ ଝିଅମାନେ ଫଟୋ ଉଠାଉଛନ୍ତି

କେମିତି ସୁନ୍ଦର ମୁହୂର୍ତ୍ତ ତିଆରି କରିବାକୁ ହେବ ସେ ଜାଣନ୍ତି। ଏ ମୁହୂର୍ତ୍ତ ପିଲା ଓ ବଡ଼ଙ୍କୁ ଖୁସି ଦେଇଥାଏ। ମୋ ନିଜ ମାତାପିତାଙ୍କ ସହ ଏପରି ମୁହୂର୍ତ୍ତ ସୃଷ୍ଟି କରିବା ସେ ମୋତେ ଶିଖାଇଥିଲେ। ମୁଁ ଯେତେବେଳେ ମୋର ଇଞ୍ଜିନିୟରିଂ ପାଠପଢ଼ା ସରିବା ପରେ ଲକ୍ଷ୍ୟହୀନ ଭାବେ ଚାକିରି ଖୋଜୁଥିଲି, ଯେତେବେଳେ ଫଟୋଗ୍ରାଫି ପ୍ରତି ମୋର ଆଗ୍ରହ ସୃଷ୍ଟି ହେଲା, ୟେଳିଲ ଆନ୍ନା ମୋତେ ମୋ ମାତାପିତାଙ୍କ ସହ ରହିବାକୁ ମଧ୍ୟ କହିଥିଲେ। ସେ ମୋତେ ତାଙ୍କ ମା’ଙ୍କ ସହିତ ତାଙ୍କର ସମ୍ପର୍କ ବିଷୟରେ କହିଥିଲେ; ତାଙ୍କ ବାପା ପ୍ରାଣ ହରାଇବା ପରେ ମା’ ହିଁ ତାଙ୍କୁ ଓ ତାଙ୍କର ୪ ଭଉଣୀଙ୍କୁ ଏକାକୀ ପାଳିଥିଲେ। ୟେଳିଲ ଆନ୍ନାଙ୍କଠାରୁ ତାଙ୍କ ମା’ଙ୍କ ସଂଘର୍ଷର କାହାଣୀ ଶୁଣିବା ପରେ ମୋତେ ବଢ଼ାଇବା ଲାଗି ମୋ ମାତାପିତାଙ୍କ ସଂଘର୍ଷକୁ ମୁଁ ବୁଝିପାରିଥିଲି। ଏହିପରି ଭାବେ ମୁଁ ମୋ ମା’ଙ୍କୁ ସମ୍ମାନ ଦେଇଥିଲି, ତାଙ୍କର ଫଟୋ ଉଠାଇଥିଲି ଏବଂ ତାଙ୍କ ବିଷୟରେ ଲେଖିଥିଲି

ମୁଁ ଯେତେବେଳେ ଏଲିଲ ଆନ୍ନାଙ୍କ ସହିତ ଯାତ୍ରା ଆରମ୍ଭ କଲି, ମୁଁ ମଧ୍ୟ ନାଟକ ଆୟୋଜନ କରିବା, ଚିତ୍ର ଆଙ୍କିବା ଓ ରଙ୍ଗ କରି ଶିଖିବା ସହ ପିଲାମାନଙ୍କୁ କିଡ୍ସ ଫଟୋଗ୍ରାଫୀ ଶିଖାଇବା ଆରମ୍ଭ କରିଥିଲି। ଏହା ପିଲାମାନଙ୍କ ଏବଂ ମୋ ଭିତରେ ମତବିନିମୟର ପରିସର ଖୋଲି ଦେଇଥିଲା। ମୁଁ ସେମାନଙ୍କ ସହ କଥା ହେବା, ଖେଳିବା, ନାଚିବା ଓ ଗାଇବା ପରେ ଯେତେବେଳେ ସେମାନଙ୍କର ଫଟୋ ଉଠାଉଥିଲି ଏହା ଏକପ୍ରକାର ସମାରୋହ ଭଳି ଥିଲା। ମୁଁ ସେମାନଙ୍କ ସହ ତାଙ୍କ ଘରକୁ ଯାଉଥିଲି, ସେମାନଙ୍କ ସହ ଖାଉଥିଲି ଏବଂ ସେମାନଙ୍କ ମାତାପିତାଙ୍କ ସହ କଥା ହେଉଥିଲି। ସେମାନଙ୍କ ସହ କଥାବାର୍ତ୍ତା ହେବା, ସେମାନଙ୍କ ସହ ସମୟ ବିତାଇବା ପରେ ଫଟୋ ଉଠାଇବାରେ ରହିଥିବା ଚମତ୍କାରକୁ ମୁଁ ଅନୁଭବ କରିଥିଲି।

ବିଗତ ୨୨ ବର୍ଷ ମଧ୍ୟରେ, ୟେଳିଲ ଆନ୍ନା କଳିମନ ବିରଲଗଲ ଆରମ୍ଭ କରିବା ପରଠାରୁ ସେ ସ୍ପର୍ଶ କରିଥିବା ପ୍ରତ୍ୟେକଙ୍କ ଜୀବନରେ ଆନନ୍ଦର ପ୍ରକାଶ ଆଣିପାରିଥିଲେ। “ଆଦିବାସୀ ପିଲାମାନଙ୍କୁ ଆମେ ଶିକ୍ଷାଗତ ମାର୍ଗଦର୍ଶନ ପ୍ରଦାନ କରିଥାଉ। ଆମେ ସେମାନଙ୍କୁ ଶିକ୍ଷାର ଆବଶ୍ୟକତା ବିଷୟରେ ଅବଗତ କରାଇଥାଉ। ଝିଅମାନଙ୍କୁ ମଧ୍ୟ ଆମେ ଆତ୍ମରକ୍ଷା ପ୍ରଶିକ୍ଷଣ ଦେଇଥାଉ,’’ ସେ କହିଥିଲେ। ତାଙ୍କର ଚିନ୍ତାଧାରା ଥିଲା, ଆମ ପିଲାମାନଙ୍କୁ ବିଶ୍ୱାସ କରିବା, ସେମାନଙ୍କ ମଧ୍ୟରେ ଯୁକ୍ତିଯୁକ୍ତ ଚିନ୍ତାଧାରା ବିକଶିତ କରିବା ଏବଂ ସେମାନଙ୍କୁ ବିଚାର ଓ ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରଦାନ କରିବା।

ସେ କହୁଥିଲେ, “ଆମେ ବିଶ୍ୱାସ କରୁ ଯେ ସବୁ ଜୀବନ ସମାନ ଏବଂ ଆମେ ସେମାନଙ୍କୁ ତାହା ଶିଖାଇଥାଉ। ସେମାନଙ୍କ ଖୁସିରେ ହିଁ ମୋର ଖୁସି।”

PHOTO • M. Palani Kumar

କୋଇମ୍ବାଟୁରର ଏକ ବିଦ୍ୟାଳୟରେ ଏକ ନାଟକ “ମିରର” ପ୍ରଦର୍ଶନ କରୁଛନ୍ତି ୟେଳିଲ ଆନ୍ନା, ଯାହା ଉପସ୍ଥିତ ପିଲାଙ୍କ ମୁହଁରେ ହସ ଫୁଟାଇଛି

PHOTO • M. Palani Kumar

ୟେଳିଲ ଆନ୍ନା ଏବଂ ତାଙ୍କ ଦଳ ନାଗପାଟ୍ଟିନମରେ ପକ୍ଷୀମାନଙ୍କ ବିଷୟରେ ଏକ ନାଟକ ପ୍ରସ୍ତୁତ କରୁଛନ୍ତି

PHOTO • M. Palani Kumar

ତିରୁବନନମଲାଇରେ ମାସ୍କ, ପୋଷାକ ଏବଂ ଚିତ୍ରିତ ଚେହେରା ସହିତ ସିଂହ ରାଜା ନାମକ ଏକ ନାଟକ କରିବାକୁ ପ୍ରସ୍ତୁତି

PHOTO • M. Palani Kumar

ସତ୍ୟମଙ୍ଗଳମରେ ପିଲାମାନଙ୍କ ସହ ୟେଳିଲ ଆନ୍ନା ଆପଣ ତାଙ୍କ ଜୀବନରୁ ପିଲାମାନଙ୍କୁ ଅଲଗା କରିପାରିବେ ନାହିଁ ପିଲାମାନଙ୍କ କଥା ଆସିଲେ ସେ ଜଣେ ଉତ୍ସାହୀ ଏବଂ ସକ୍ରିୟ ମଣିଷ ପାଲଟିଯାଆନ୍ତି

PHOTO • M. Palani Kumar

ଜବଦୁ ପାହାଡରେ ପିଲାମାନେ ତିଆରି କରିଥିବା କାଗଜ ମାସ୍କ ସହିତ ଛିଡ଼ା ହୋଇଛନ୍ତି

PHOTO • M. Palani Kumar

କାଞ୍ଚିପୁରମରେ ଶ୍ରବଣ ଏବଂ ବାକଶକ୍ତି ବାଧିତଙ୍କ ପାଇଁ ଏକ ବିଦ୍ୟାଳୟରେ ଏକ ଅରିଗାମି କର୍ମଶାଳା ଅଧିବେଶନରେ କାଗଜ ପ୍ରଜାପତି ଦ୍ୱାରା ଘେରି ରହିଥିବା ଜଣେ ଶିଶୁ

PHOTO • M. Palani Kumar

ପେରମ୍ବାଲୁରରେ , ପିଲାମାନେ ମଞ୍ଚ ସାଜସଜ୍ଜା ପାଇଁ ନିଜର ପୋଷ୍ଟର ତିଆରି କରୁଛନ୍ତି ସେହି ମଞ୍ଚ କାଗଜ ଓ କପଡ଼ାରେ ତିଆରି ହୋଇଥିଲା

PHOTO • M. Palani Kumar

ଜବାଧୁ ପର୍ବତରେ ସେମାନଙ୍କ ଚାରି ପାଖରେ ଥିବା ଗଛର ଡାଳ ବ୍ୟବହାର କରି ୟେଳିଲ ଆନ୍ନା ଓ ପିଲାମାନେ ଏକ ପଶୁର ମଡେଲ ତିଆରି କରୁଛନ୍ତି

PHOTO • M. Palani Kumar

ନାଗାପଟ୍ଟିନମରେ ଥିବା ଏକ ବିଦ୍ୟାଳୟ ପରିସରରେ ପିଲାମାନଙ୍କ ସହିତ ବସିଛନ୍ତି

PHOTO • M. Palani Kumar

କାଞ୍ଚିପୁରମଠାରେ ଥିବା ଶ୍ରବଣବାଧିତ ପିଲାଙ୍କ ଏକ ସ୍କୁଲ ଛାତ୍ରବାସ ପରିସରରେ ପୁରୁଣା ସିଡିରେ ସାମଗ୍ରୀ ପ୍ରସ୍ତୁତି

PHOTO • M. Palani Kumar

ସାଲେମର ଏକ ବିଦ୍ୟାଳୟରେ ପିଲାମାନେ ସେମାନଙ୍କର କଳାକୃତି ପ୍ରଦର୍ଶନ କରୁଛନ୍ତି

PHOTO • M. Palani Kumar

ପ୍ରଦର୍ଶନୀ ଦିବସ ଦିନ ସତ୍ୟମଙ୍ଗଳମରେ ଏକ ଶିବିରରେ ତିଆରି ହୋଇଥିକା କଳାକୃତି ଦେଖିବା ଲାଗି ଗ୍ରାମବାସୀଙ୍କୁ ସ୍ୱାଗତ କରୁଛନ୍ତି ୟେଳିଲ ଆନ୍ନା ଓ ଅନ୍ୟ ପିଲାମାନେ

PHOTO • M. Palani Kumar

କାବେରିପଟ୍ଟିନମରେ ପ୍ରଦର୍ଶନୀ ଦିବସରେ ପୋଇ କଲ କୁତୁରାଇ ଲୋକନୃତ୍ୟ ଶିଖାଉଛନ୍ତି ୟେଳିଲ ଆନ୍ନା ପୋଇ କାଲ କୁତୁରାଇ ବା ନକଲି ଗୋଡ଼ ଥିବା ଘୋଡ଼ା, କାର୍ଡବୋର୍ଡ ଏବଂ କପଡ଼ାରେ ତିଆରି ହୋଇଥାଏ

PHOTO • M. Palani Kumar

କାବେରିପଟ୍ଟିନମରେ ଶିବିରର ଶେଷ ଦିନରେ, ୟେଳିଲ ଆନ୍ନାଙ୍କ ଦଳ ଏବଂ ପିଲାମାନେ “ପାପ୍ରାପା ବାଏ ବାଏ, ବାଏ ବାଏ ପାପ୍ରାପା’ ଚିଲ୍ଲାଉଛନ୍ତି

ଏହି ପ୍ରବନ୍ଧରେ ସାହାଯ୍ୟ ପାଇଁ ଲେଖକ କବିତା ମୁରଲୀଧରନ୍ ଏବଂ ଅପର୍ଣ୍ଣା କାର୍ତ୍ତିକେୟନଙ୍କୁ ଧନ୍ୟବାଦ ଦେବାକୁ ଚାହାଁନ୍ତି।

ଉପସଂହାର: ଏହି ପ୍ରବନ୍ଧ ପ୍ରକାଶିତ ହେବା ପାଇଁ ପ୍ରସ୍ତୁତ ହେବା ସମୟରେ ୨୩ ଜୁଲାଇ, ୨୦୨୨ରେ ଆର ୟେଳିଲରସନକୁ ଗୁଇଲେନ-ବେରେ ସିଣ୍ଡ୍ରୋମ ନାମକ ରୋଗରେ ପୀଡ଼ିତ ହୋଇଥିବା ଜଣାପଡ଼ିଥିଲା। ଏହା ଏକ ଗମ୍ଭୀର ସ୍ନାୟବିକ ରୋଗ ଯେଉଁଥିରେ ଶରୀରର ପ୍ରତିଷେଧକ ଶକ୍ତି ସ୍ନାୟୁ ଉପରେ ପ୍ରଭାବ ପକାଇଥାଏ। ଏହି ରୋଗ ପାରିପାର୍ଶ୍ୱିକ ସ୍ନାୟବିକ ପ୍ରଣାଳୀକୁ ପ୍ରଭାବିତ କରିଥାଏ ଏବଂ ମାଂସପେଶୀକୁ ଦୁର୍ବଳ କରିଦେଇଥାଏ ତଥା ପକ୍ଷାଘାତର କାରଣ ସାଜିଥାଏ।

ଅନୁବାଦ: ଓଡ଼ିଶାଲାଇଭ୍‍

M. Palani Kumar

M. Palani Kumar is PARI's Staff Photographer and documents the lives of the marginalised. He was earlier a 2019 PARI Fellow. Palani was the cinematographer for ‘Kakoos’, a documentary on manual scavengers in Tamil Nadu, by filmmaker Divya Bharathi.

Other stories by M. Palani Kumar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE