କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାରେ ଥିବା ବାନ୍ଦିପୁର ଜାତୀୟ ଉଦ୍ୟାନ ନିକଟ ମଙ୍ଗଳା ଗାଁର ଏମ୍‌. ଇନ୍ଦ୍ର କୁମାର । ବହୁ ବର୍ଷ ତଳେ ତାଙ୍କ ପରିବାରର ଜମିବାଡ଼ି ଥିଲା । କିନ୍ତୁ ଏବେ ତାଙ୍କର କିଛି ହେଲେ ଜମି ନାହିଁ । ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ରହନ୍ତି ୩୮ ବର୍ଷୀୟ ଇନ୍ଦ୍ର କୁମାର । ପିଲା ଦୁହେଁ ୧୯ କିଲୋମିଟର ଦୂର ଗୁଣ୍ଡୁଲୁପେଟ୍‌ରେ ଥିବା ସ୍କୁଲ୍‌କୁ ବସ୍‌ରେ ଯାଆନ୍ତି ।

ଇନ୍ଦ୍ର ତାଙ୍କ ଗାଁରେ ଥିବା ଏକ ବନ୍ୟଜୀବ ସ୍ମାରକୀ ବିକ୍ରୟ କେନ୍ଦ୍ରର ପରିଚାଳକ। ଏହି କେନ୍ଦ୍ର ମାରିଆମ୍ମା ଚାରିଟେବ୍‌ଲ ଟ୍ରଷ୍ଟର ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରେ। ଗୃହପାଳିତ ପଶୁଙ୍କ ଉପରେ ବଣୁଆ ଜୀବଜନ୍ତୁଙ୍କ ଆକ୍ରମଣ ଘଟଣାକୁ ତଥ୍ୟଭୁକ୍ତ କରି ସେ ମଧ୍ୟ ଟ୍ରଷ୍ଟର ସହାୟତା କରନ୍ତି । ଟ୍ରଷ୍ଟର ବିଭିନ୍ନ କାର୍ଯ୍ୟ ମଧ୍ୟରୁ ଗୋଟିଏ ହେଲା, ବାଘ, ଚିତାବାଘ ଓ ବଣୁଆ କୁକୁରଙ୍କ ଶିକାର ଯୋଗୁଁ ସେମାନଙ୍କ ଗୃହପାଳିତ ପଶୁଙ୍କୁ ହରାଉଥିବା ସଂରକ୍ଷଣ ପ୍ରକଳ୍ପ ଆଖପାଖ ଗାଁର ଲୋକମାନଙ୍କୁ ଆର୍ଥିକ କ୍ଷତିପୂରଣ ପ୍ରଦାନ କରିବା ।

PHOTO • M. Indra Kumar

ତାଙ୍କର ଚିତ୍ର ନିବନ୍ଧଟି ବନ୍ୟଜୀବଙ୍କ ସହ ଜୀବନ ସମ୍ବନ୍ଧିତ ଏକ ସହଭାଗିତାମୂଳକ ବୃହତ୍‌ ଫଟୋଗ୍ରାଫି ପ୍ରକଳ୍ପର ଅଂଶବିଶେଷ ଏବଂ PARI ଉପରେ ଛ’ଟିକିଆ ଶୃଙ୍ଖଳରେ ପଞ୍ଚମ ।

PHOTO • M. Indra Kumar

ଗୃହପାଳିତ ପଶୁଚରାଳି: “ଗାଈଚରାଳି ଜଣକ ପାଣି ପିଆଇବା ପାଇଁ ତାଙ୍କ ଗାଈମାନଙ୍କୁ ଜଙ୍ଗଲ ନିକଟ ହ୍ରଦ ଆଡ଼କୁ ଆଣୁଛନ୍ତି । ଚରାଇବା ପୂର୍ବରୁ ଏବଂ ପରେ ସେମାନେ ଏହା କରନ୍ତି । ଜଙ୍ଗଲ ଭିତରେ ପାଣି ନଥିବାରୁ ସେମାନେ ଏଠାକୁ ଆସନ୍ତି । ବହୁ ଲୋକ ସେମାନଙ୍କ ଗୃହପାଳିତ ପଶୁମାନଙ୍କୁ ଜଙ୍ଗଲରେ ଚରାଇବାକୁ ନିଅନ୍ତି । ସେହିଠାରେ ହିଁ  ବାଘ ଓ ଚିତାବାଘ ଆକ୍ରମଣ କରନ୍ତି ।”

PHOTO • M. Indra Kumar

ଫସଲ ଅମଳ: “ଏହି ବ୍ୟକ୍ତି ଜଣକ ତାଙ୍କ କ୍ଷେତରେ କାମ କରୁଛନ୍ତି । ପୃଷ୍ଠଭାଗରେ ଆପଣ ଦେଖିପାରିବେ ଠିକ୍‌ ପାହାଡ଼ ଢାଲୁରେ ଥିବା ପଡ଼ିଆ ଜମି- କିଛି ସମୟ ପରେ ଏଇଠି ହିଁ ତାଙ୍କ ଗାଈକୁ ମାରି ଦିଆଯାଇଥିଲା । ସେ ମତେ ଫୋନ୍‌ କଲେ ଏବଂ କହିଲେ ଯେ ତାଙ୍କ ଗାଈ ମରିଯାଇଛି । ସେତେବେଳକୁ ପ୍ରାୟ ମଧ୍ୟାହ୍ନ ୧୨ଟା । ଏହା ଥିଲା ଏ ପ୍ରକାରର ଗୋଟିଏ ଘଟଣା, କିନ୍ତୁ ଏମିତି ଆକ୍ରମଣ ଅନେକ ଥର ହୋଇଛି । ଗାଈଚରାଳିଙ୍କ ଆଖି ଆଗରେ ବି ଏହା ଘଟିପାରେ । ମୁଁ ଏହି ଫଟୋ ଉଠାଇଲି ଏବଂ ତା ପରେ ତାଙ୍କ ଗାଈମରିଯାଇଥିଲା ।”

PHOTO • M. Indra Kumar

ଚିତାବାଘ ଆକ୍ରମଣ: “ଏହା ସେହି ସଙ୍କରଜାତୀୟ ଗାଈ ଯାହାକୁ ଚିତାବାଘ ଆକ୍ରମଣ କରିଥିଲା । ଲୋକ ଜଣକ ଗାଈମାନଙ୍କୁ ପଡ଼ିଆ ଜମିରେ ଚରିବାକୁ ଛାଡ଼ି ଦେଲେ ଏବଂ ପାଖରେ ଥିବା କ୍ଷେତରେ କାମ କରୁଥିଲେ (ପୂର୍ବର ଚିତ୍ର)। ତା ପରେ ସେ ଦେଖିଲେ ଯେ ସବୁ ଗାଈ ଭୟରେ ଦୌଡୁଛନ୍ତି । ସେ ସେହି ସ୍ଥାନରେ ପହଞ୍ଚିବା ବେଳକୁ ତାଙ୍କ ଗାଈଟି ମରିଯାଇଥିଲା ।”

PHOTO • M. Indra Kumar

ମାରିଆମ୍ମା ମନ୍ଦିର: “ଆଖପାଖର ୧୫ଟି ଗାଁ ପାଇଁ ଏହା ହିଁ ମୁଖ୍ୟ ମନ୍ଦିର । ସେ ହେଉଛନ୍ତି ମାରିଆମ୍ମା, ଆମ ଗାଁ ଠାକୁରାଣୀ । ପ୍ରତି ପାଞ୍ଚ ବର୍ଷରେ ଆମେ ଏହି ମନ୍ଦିରରେ ଆମର ଏକ ବିଶାଳ ମେଳା ଆୟୋଜିତ ହୁଏ । ଏ ବର୍ଷ ଏହି ମେଳା ହୋଇଥିଲା । ବେଳେବେଳେ ଠାକୁରାଣୀଙ୍କୁ ବ୍ୟାଘ୍ରବାହିନୀ ରୂପରେ ଏବଂ ଆଉ ବେଳେବେଳେ ସିଂହବାହିନୀ ରୂପରେ ଚିତ୍ରିତ କରାଯାଏ ।”

PHOTO • M. Indra Kumar

ବୀରଭଦ୍ର କୁନିତା: “ଏହା ହେଉଛି ବୀରଭଦ୍ର କୁନିତା (ଏକ ଲୋକପ୍ରିୟ ଲୋକକଳା ଏବଂ ନୃତ୍ୟ ରୂପ)। ସେମାନେ ମଧ୍ୟବିବାହ ଓ ଗୃହପ୍ରତିଷ୍ଠା ଭଳି ଖୁସି ଉତ୍ସବ ପାଳନ ସମୟରେ କଳାପ୍ରଦର୍ଶନ କରନ୍ତି । କଳା ପ୍ରଦର୍ଶନ ପାଇଁ ସେମାନଙ୍କୁ ନିମନ୍ତ୍ରଣ କରିବା ଶୁଭ ବୋଲି ବିଚାର କରାଯାଏ । ବିଶ୍ୱାସ କରାଯାଏ ଯେ, ସେମାନେ ଦୁଷ୍ଟ ଆତ୍ମାକୁ ଦୂରେଇ ଦେଇପାରିବେ । ଏ ବର୍ଷ ମାରିଆମ୍ମାଙ୍କ ମେଳାରେ କଳା ପ୍ରଦର୍ଶନ ପାଇଁ ସେମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ।”

PHOTO • M. Indra Kumar

ଭାଲୁ ଚମଡ଼ା ସହ ଢୋଲବାଦକ: ‘‘ସେମାନେ କୁରୁବା ଗୌଡ଼ା ସଂପ୍ରଦାୟ ଅନ୍ତର୍ଭୁକ୍ତ । ମେଳା ସମୟରେ କଳା ପ୍ରଦର୍ଶନ ପାଇଁ ସେମାନଙ୍କୁ ବି ନିମନ୍ତ୍ରଣ କରାଯାଇଥିଲା । ସେମାନେ ସେମାନଙ୍କ ମୁଣ୍ଡ ଉପରେ ଭାଲୁ ମୁହଁ ଲଗାଇଛନ୍ତି ।”

PHOTO • M. Indra Kumar

ରାସ୍ତାକଡ଼ର ଆଲୋକ: “ମେଳା ଅବସରରେ ଆଲୁଅ ଲାଗିଥିବା ମୋ ଗାଁର ମୁଖ୍ୟ ରାସ୍ତା ।”

PHOTO • M. Indra Kumar

ଆକାଶ: “ମୁଁ ଚାଲି ଚାଲି ଯାଉଥିବା ବେଳେ ଏହି ଫଟୋ ଉଠାଇଥିଲି । ଏହି ଗଛ ଓ ଆକାଶ ମତେ ଭଲ ଲାଗିଲା । ଗତ ସପ୍ତାହରେ ଏହି ଗଛ ନିକଟରେ ଗୋଟିଏ ଚିତାବାଘ ଦେଖାଯାଇଥିଲା ।”

PHOTO • M. Indra Kumar

ଗୁହାଳରେ ଗାଈ : “ଏହି ଗାଈକୁ ଗୋଟିଏ ଚିତାବାଘ ଆକ୍ରମଣ କରିଥିଲା । ତା’ର ବେକରେ ଆଘାତ ଲାଗିଛି । ଜଣେ ଗାଈଚରାଳି ଏହାକୁ ଦେଖିଲେ ଏବଂ ଚିତାବାଘକୁ ଘଉଡ଼ାଇ ଦେଲେ । ତା ପରେ ଏହି ଗାଈକୁ ଘରକୁ ନିଆଗଲା ଏବଂ ଗୁହାଳରେ ବାନ୍ଧି ଦିଆଗଲା । ଏବେ ସେ ସୁସ୍ଥ ହେଉଛି । ସାଧାରଣତଃ ବାଘର ଶିକାର କରିବା ଢଙ୍ଗ, ଚିତାବାଘ ତୁଳନାରେ ବେଶ୍‌ ଅଲଗା । ବାଘ ତୁଳନାରେ ଚିତାବାଘ ଅତି କଦର୍ଯ୍ୟ ଭାବେ ଶିକାର କରିଥାଏ ।”

PHOTO • M. Indra Kumar

ବାଘ ଆକ୍ରମଣ: “ଏହି ବଣୁଆ ଗାଈଟିକୁ ଗୋଟିଏ ବାଘ ଖାଇଦେଇଥିଲା । ବାଘ ଯେତେବେଳେ ଶିକାର କରେ, ଶିକାରକୁ କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନିଏ ଏବଂ ତା’ପରେ ଖାଏ । ସେ ଶିକାର କରିଥିବା ପ୍ରାଣୀର ପଛପଟରୁ ଖାଇବା ଆରମ୍ଭ କରେ । ପ୍ରଥମେ ସେ କ୍ଷୀର ଥିବା ପହ୍ନା ଖାଏ ଏବଂ ତା’ପରେ ପଛଗୋଡ଼ । ବାଘ ଖୁବ୍‌ ଭଲ ଭାବରେ ପୋଛି କରି ଖାଇଥାଏ । ସେ ଲାଞ୍ଜକୁ ହଟାଇ ଦିଏ । ମୁଁ ଜାଣିନି କାହିଁକି ଏମିତି କରେ । ପ୍ରତିଟି ବାଘ ଶିକାରରେ ଏହି ବିଶେଷତା ଥାଏ । କେବଳ ବାଘମାନେ ହିଁ ଏଭଳି ବଡ଼ ବଡ଼ ଗାଈ ଶିକାର କରନ୍ତି ଏବଂ ସେମାନେ ଶିକାରକୁ ଦୂରକୁ ଘୋଷାଡ଼ି ନେଇପାରନ୍ତି । ଏହି ପ୍ରଭେଦ (ଦୁଇ ଶିକାରୀ ପଶୁଙ୍କ ମଧ୍ୟରେ) ଜାଣିବାକୁ ଆମେ ପାଦଚିହ୍ନ ଦେଖୁ ଏବଂ ଜାଣିପାରୁ ଯେ, ଏହା ବାଘ ଥିଲା ନା ଚିତାବାଘ। ଏହି ବ୍ୟକ୍ତିଙ୍କ ଘର ୟେଲାଚାଟ୍ଟିରେ । ତାଙ୍କର ପ୍ରାୟ୧୦-୧୨ଟି ଗାଈ ଅଛି । ବନବିଭାଗ ତାଙ୍କୁ କ୍ଷତିପୂରଣ ଆକାରରେ ୧୦,୦୦୦ ଟଙ୍କା ଦେବା କଥା । କିନ୍ତୁ ସେମାନଙ୍କ ନିକଟରୁ କାହାରିକୁ ୩,୦୦୦ ଟଙ୍କାରୁ ଅଧିକ ମିଳିନାହିଁ । ଏ ପର୍ଯ୍ୟନ୍ତ ସେ ବନ ବିଭାଗ ନିକଟରୁ ତାଙ୍କ କ୍ଷତିପୂରଣ ଟଙ୍କା ପାଇନାହାନ୍ତି । କିନ୍ତୁ ଆମ ଚାରିଟେବ୍‌ଲ ଟ୍ରଷ୍ଟରୁ ସେ ୫,୦୦୦ ଟଙ୍କା ପାଇଛନ୍ତି ।

କର୍ଣ୍ଣାଟକର ମଙ୍ଗଳା ଗାଁରେ ଅବସ୍ଥିତ ମାରିଆମ୍ମା ଚାରିଟେବ୍‌ଲ ଟ୍ରଷ୍ଟ୍‌ ସମନ୍ୱୟରେ ଏହି କାର୍ଯ୍ୟରେ ସହଯୋଗ କରିଥିଲେ ଜାରେଡ୍‌ ମାର୍‌ଗୁଲିସ୍‌ । ବାଲ୍‌ଟିମୋର୍‌ କାଉଣ୍ଟିରେ ଥିବା ୟୁନିଭର୍ସିଟି ଅଫ୍‌ ମେରିଲ୍ୟାଣ୍ଡ ପକ୍ଷରୁ ୨୦୧୫-୨୦୧୬ରେ ପ୍ରଦତ୍ତ ଫୁଲ୍‌ବ୍ରାଇଟ୍‌ ନେହରୁ ଷ୍ଟୁଡେଣ୍ଟସ ରିସର୍ଚ୍ଚ ଗ୍ରାଣ୍ଟ୍‌ ଶୀର୍ଷକ ଏକ ଗ୍ରାଜୁଏଟ୍‌ ଷ୍ଟୁଡେଣ୍ଟ ରିସର୍ଚ୍ଚ୍‌ ଗ୍ରାଣ୍ଟ୍‌ ସହାୟତାରେ ଏବଂ ମାରିଆମ୍ମା ଚାରିଟେବ୍‌ଲ ଟ୍ରଷ୍ଟର ସଦୟ ସହଯୋଗରେ, ଏବଂ ସର୍ବୋପରି ଫଟୋଗ୍ରାଫରମାନଙ୍କର ସ୍ୱତଃ ଯୋଗଦାନ, ଉତ୍ସାହ ଏବଂ ପ୍ରୟାସ ବଳରେ ଏହା ସମ୍ଭବ ହୋଇପାରିଛି । ଏହାର ଲେଖା ଅନୁବାଦ କ୍ଷେତ୍ରରେ ବି.ଆର୍‌.ରାଜୀବଙ୍କ ବହୁମୂଲ୍ୟ ସହାୟତା ମଧ୍ୟ ରହିଛି । PARIର କ୍ରିଏଟିଭ୍‌ କମନ୍‌ସ ନୀତି ଅନୁସାରେ ସବୁ ଫଟୋର ପ୍ରକାଶନ ଅଧିକାର କେବଳ ଫଟୋଗ୍ରାଫରମାନଙ୍କର । ସେଗୁଡ଼ିକର ଉପଯୋଗ ଏବଂ ପୁନଃପ୍ରକାଶନ ସମ୍ପର୍କିତ ଯେ କୌଣସି ପ୍ରଶ୍ନ, PARI ନିକଟକୁ ପ୍ରେରଣ କରିବା ଉଚିତ ।

ସମ୍ବନ୍ଧିତ ଲେଖା:

ଯେତେବେଳେ ଜୟାମ୍ମା ଚିତାବାଘକୁ ଦେଖିଲେ
‘ଆମର ପାହାଡ଼ ଓ ଜଙ୍ଗଲ ଅଛି ଏବଂ ଆମେ ସେଠାରେ ରହୁ’
ବାନ୍ଦିପୁରରେ ବାସଗୃହ ସହିତ ଶସ୍ୟ ଅମଳ
ବାନ୍ଦିପୁରର ଯୁବରାଜଙ୍କ ସହ ମୁହାଁମୁହିଁ
‘ମୁଁ ଏହି ଫଟୋ ଉଠାଇବା ପରେ ବାଛୁରୀଟି ହଜିଗଲା’

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

M. Indra Kumar

M. Indra Kumar lives in Mangala village near Bandipur National Park in Karnataka. He works as the manager at a local wildlife souvenir shop.

Other stories by M. Indra Kumar