ପ୍ରିୟଙ୍କା ମଣ୍ଡଳ ତାଙ୍କ ସ୍ମୃତି ଦ୍ୱାରା ଖୁବ୍ ଦୁଃଖିତ ହୋଇ ଧୀରେ କହିଥିଲେ, ‘‘ମୁଁ ଭାବୁଛି ବାବା ମୋ ସହ ଏଠି ଥାଆନ୍ତେ କି ।’’ ରଜତ ଜୁବିଲି ଗ୍ରାମରେ ଥିବା ତାଙ୍କ ସ୍ୱାମୀଙ୍କ ଘରକୁ ନେବା ପାଇଁ ଅପେକ୍ଷା କରିଥିବା ଗୋଲାପୀ ଏବଂ ନୀଳ ପାଲିଙ୍କିରେ ସେ ଝିଲ୍ମିଲ୍ କରୁଥିବା ଲାଲ୍ ଏବଂ ସୁନେଲି ରଙ୍ଗର ପୋଷାକ ଏବଂ କୋଳରେ ଫୁଲ ସହ ବସିଥିଲେ ।
ପ୍ରିୟଙ୍କା, ୨୩ ମଧ୍ୟ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ଥିବା ଏହି ଗ୍ରାମର ବାସିନ୍ଦା। ସେ ଡିସେମ୍ବର ୭, ୨୦୨୦ରେ ୨୭ ବର୍ଷ ବୟସ୍କ ହିରଣ୍ମୟ ମଣ୍ଡଳଙ୍କୁ ବିବାହ କରିଥିଲେ। ହିରଣ୍ମୟ ପାଖ ଘରେ ରହୁଥିଲେ ଏବଂ କୋଲକାତାର ଏକ ଖୁଚୁରା ପୋଷାକ ଦୋକାନରେ ଜଣେ ଫ୍ଲୋର୍ ଏକ୍ଜିକ୍ୟୁଟିଭ୍ ଭାବରେ କାର୍ଯ୍ୟ କରୁଥିଲେ। ସେମାନେ ପରସ୍ପରକୁ ପ୍ରେମ କରୁଥିଲେ ଏବଂ ୨୦୧୯ରେ ବିବାହ କରିବା ପାଇଁ ଯୋଜନା କରିଥିଲେ ।
କିନ୍ତୁ ସୁନ୍ଦରବନର ଲାହିରିପୁର ଗ୍ରାମ ପଞ୍ଚାୟତରେ ଥିବା ଏହି ଗ୍ରାମରେ ସେମାନଙ୍କର ବିବାହ ଅଟକିଯିବାକୁ ବାଧ୍ୟ ହୋଇଥିଲା ଯେତେବେଳେ ପ୍ରିୟଙ୍କାଙ୍କ ୪୫ ବର୍ଷ ବୟସ୍କ ପିତା ଅର୍ଜୁନ ମଣ୍ଡଳ ଜୁଲାଇ ୨୯, ୨୦୧୯ରେ ଗୋଟିଏ ବାଘ ଦ୍ୱାରା ନିହତ ହୋଇଥିଲେ । ଜଣେ ମତ୍ସ୍ୟଜୀବୀ ଥିବା ଅର୍ଜୁନ ନିତିଦିନ ପରି ସୁନ୍ଦରବନର ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରର କେନ୍ଦ୍ରସ୍ଥଳରେ ଥିବା ପିର୍ଖାଲି ଗାଜି ଜଙ୍ଗଲ କ୍ଷେତ୍ରକୁ କଙ୍କଡ଼ା ଧରିବା ପାଇଁ ଯାଇଥିଲେ । ତାଙ୍କ ଶରୀରର ଅବଶେଷ କେବେବି ମିଳିନଥିଲା ।
ଅର୍ଜୁନ ପ୍ରତ୍ୟେକ ଥର କଙ୍କଡ଼ା ଧରିବା ପାଇଁ ଜଙ୍ଗଲକୁ ଯିବା ସମୟରେ ତାଙ୍କ ପରିବାର ସେ ନିରାପଦରେ ଫେରିବା ନେଇ ଭୟ ମଧ୍ୟରେ ରହୁଥିଲେ । ଅର୍ଜୁନ ଜୁଲାଇ ୨୦୧୯ରେ ତାଙ୍କ ଶେଷ ଶିକାର ଯାତ୍ରାରେ ଯିବା ସମୟରେ ତାଙ୍କ ମନରେ ଝିଅର ବିବାହର ଚିନ୍ତା ଥିଲା ।
ତାଙ୍କ ପତ୍ନୀ ପୁଷ୍ପା କୁହନ୍ତି, ‘‘ପ୍ରିୟଙ୍କାର ବିବାହ ପାଇଁ ଆମର ଅର୍ଥ ଆବଶ୍ୟକ ଥିଲା। ଅର୍ଜୁନ ଜଙ୍ଗଲକୁ ଯିବା ଏଡ଼ାଇ ପାରିନଥିଲେ । କିନ୍ତୁ ତାଙ୍କୁ ପୂର୍ବରୁ ଆଭାସ ମିଳିବା ପରି ମନେ ହେଉଥିଲା ଯେମିତିକି କିଛି ଖରାପ ହେବାକୁ ଯାଉଛି ।’’

























