୯ ବର୍ଷ ବୟସ୍କା ଚନ୍ଦ୍ରିକା ବେହେରା ପ୍ରାୟ ଦୁଇ ବର୍ଷ ହେଲା ସ୍କୁଲ ଯାଉନାହିଁ। କେବଳ ସେ ନୁହେଁ, ବାରବାଙ୍କୀ ଗାଁରେ ତା’ ଭଳି ୧୯ ଜଣ ଯିଏକି ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ୨୦୨୦ ପରଠାରୁ ନିୟମିତ ସ୍କୁଲ ଯାଉନାହାନ୍ତି। ମା’ ତା’କୁ ସ୍କୁଲ ଛାଡ଼ିବ ନାହିଁ, ସେ କହିଥାଏ।

୨୦୦୭ରେ ବାରବାଙ୍କୀରେ ଏକ ସ୍କୁଲ ପ୍ରତିଷ୍ଠା କରାଯାଇଥିଲା, କିନ୍ତୁ ଓଡ଼ିଶା ସରକାର ଏହାକୁ ୨୦୨୦ରେ ବନ୍ଦ କରିଦେଲେ। ଚନ୍ଦ୍ରିକା ଭଳି ଗାଁର ଅଧିକାଂଶ ସାନ୍ତାଳ ଓ ମୁଣ୍ଡା ଆଦିବାସୀ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଏଠାରୁ ୩.୫ କିଲୋମିଟର ଦୂରରେ ଥିବା ଜାମୁପଶି ଗାଁ ସ୍କୁଲରେ ନାମ ଲେଖାଇବାକୁ କୁହାଯାଇଥିଲା।

ଚନ୍ଦ୍ରିକାଙ୍କ ମା’ ମାମୀ ବେହେରା କୁହନ୍ତି, ‘‘ପିଲାମାନେ ସବୁଦିନ ଏତେ ଦୂର ଚାଲି ଚାଲି ଯାଇପାରିବେ ନାହିଁ। ଏତେ ବାଟ ଚାଲି ଚାଲି ଯିବାବେଳେ ସେମାନେ ପରସ୍ପର ସହ ମାଡ଼ଗୋଳ କରୁଛନ୍ତି।’’ ସେ ଆହୁରି କୁହନ୍ତି, ‘‘ଆମେମାନେ ଗରିବ ଶ୍ରମିକ। ଆମେ କାମକୁ ଯିବୁ ନା ପିଲାମାନଙ୍କୁ ସବୁଦିନ ସ୍କୁଲ ଛାଡ଼ିବାକୁ ଯିବୁ? ସରକାର ଆମ ଗାଁ ସ୍କୁଲ ପୁଣିଥରେ ଖୋଲିବା ଉଚିତ୍।’’

ଏହି ସମୟରେ ସେ ଅସହାୟ ଭାବେ କହିଥିଲେ, ତାଙ୍କର ସାନ ଝିଅ ଭଳି ୬ରୁ ୧୦ ବର୍ଷ ବୟସର ପିଲାମାନେ ଅଶିକ୍ଷିତ ହୋଇ ରହିବେ । ୩୦ ବର୍ଷରୁ ଅଧିକ ବୟସ୍କ ଏହି ମା’ଙ୍କର ଆଉ ଗୋଟିଏ ଡର ହେଉଛି, ସେମାନଙ୍କ ଅଞ୍ଚଳ ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ଜଙ୍ଗଲରେ ଶିଶୁ ଅପହରଣକାରୀମାନେ ଥାଇପାରନ୍ତି।

ମାମୀତାଙ୍କ ବଡ଼ ପୁଅ ଯୋଗୀ ପାଇଁ ଏକ ସାଇକେଲ ବ୍ୟବସ୍ଥା କରିଦେଇଛନ୍ତି। ଯୋଗୀ ଏବେ ନିଜ ଘରଠାରୁ ୬ କିଲୋମିଟର ଦୂରରେ ଥିବା ଏକ ସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଛି। ତାଙ୍କର ବଡ଼ଝିଅ ମୋନି ଜାମୁପଶି ସ୍କୁଲରେ ସପ୍ତମ ଶ୍ରେଣୀରେ ପଢ଼ୁଛି ଏବଂ ସବୁଦିନ ପାଠ ପଢ଼ିବାକୁ ଚାଲି ଚାଲି ଯାଉଛି। ସବୁଠୁ ସାନ ଝିଅ ଚନ୍ଦ୍ରିକା ବାଧ୍ୟହୋଇ ଘରେ ରହୁଛି।

‘‘ଆମ ପିଢ଼ିର ଲୋକମାନେ ଚାଲି ଚାଲି ସବୁଆଡ଼କୁ ଯାଉଥିଲେ, ପାହାଡ଼ ଚଢ଼ୁଥିଲେ ଏବଂ ଥକିନଯିବା ପର୍ଯ୍ୟନ୍ତ କଠିନ ଶ୍ରମ କରୁଥିଲେ। ଆମ ପିଲାମାନେ ମଧ୍ୟ ସେମିତି କରିବେ ବୋଲି ଆମେ ଆଶା କରିବୁ କି?’’ ମାମୀ ପ୍ରଶ୍ନ କରିଥାନ୍ତି।

After the school in their village, Barabanki shut down, Mami (standing in a saree) kept her nine-year-old daughter, Chandrika Behera (left) at home as the new school is in another village, 3.5 km away.
PHOTO • M. Palani Kumar
Many children in primary school have dropped out
PHOTO • M. Palani Kumar

ବାମ: ସେମାନଙ୍କ ଗାଁ ବାରବାଙ୍କୀରେ ଥିବା ସ୍କୁଲ ବନ୍ଦ ହୋଇଯିବା ପରେ, ମାମୀ (ଶାଢ଼ି ପିନ୍ଧି ଛିଡ଼ା ହୋଇଛନ୍ତି) ତାଙ୍କର ନଅ ବର୍ଷର ଝିଅ ଚନ୍ଦ୍ରିକା ବେହେରା (ବାମ)କୁ ଘରେ ରଖିଛନ୍ତି କାରଣ ଅନ୍ୟ ଗାଁରେ ଥିବା ନୂଆସ୍କୁଲ ୩.୫ କିଲୋମିଟର ଦୂରରେ ଅବସ୍ଥିତ। ଡାହାଣ : ପ୍ରାଥମିକ ବିଦ୍ୟାଳୟର ଅଧିକାଂଶ ପିଲା ପାଠପଢ଼ା ଛାଡ଼ି ଦେଇଛନ୍ତି

ବାରବାଙ୍କୀ ଗାଁର ୮୭ ପରିବାର ମୁଖ୍ୟତଃ ଆଦିବାସୀ ସମ୍ପ୍ରଦାୟର। କିଛି ଲୋକଙ୍କ ପାଖରେ ଛୋଟ ଛୋଟ ଖଣ୍ଡେ ଜମି ରହିଛି, କିନ୍ତୁ ଅଧିକାଂଶ ଦିନ ମଜୁରିଆ ଏବଂ ସେମାନେ ଏଠାରୁ ୫ କିଲୋମିଟର ଦୂରରେ ଥିବା ସୁକିନ୍ଦାର କୌଣସି ଷ୍ଟିଲ ପ୍ଲାଣ୍ଟ କିମ୍ବା ସିମେଣ୍ଟ କାରଖାନାକୁ କାମ କରିବାକୁ ଯାଆନ୍ତି। ଗାଁର କିଛି ପୁରୁଷ ତାମିଲନାଡ଼ୁର ସୂତା କଳ କିମ୍ବା ବିୟର ବୋତଲ ପ୍ୟାକେଜିଂ ୟୁନିଟରେ କାମ କରିବାକୁ ଚାଲି ଯାଇଛନ୍ତି।

ବାରବାଙ୍କୀରେ ସ୍କୁଲ ବନ୍ଦ ହୋଇଯିବା ପରେ ଏସବୁ ପିଲା ସ୍କୁଲରେ ମିଳୁଥିବା ମଧ୍ୟାହ୍ନ ଭୋଜନରୁ ମଧ୍ୟ ବଞ୍ଚିତ ହୋଇଛନ୍ତି। ମଧ୍ୟାହ୍ନ ଭୋଜନ ଅତି ଗରିବ ପରିବାର ପାଇଁ ଖାଦ୍ୟ ସାରଣୀର ଏକ ଜରୁରି ଅଂଶବିଶେଷ। କିଶୋର ବେହେରା କୁହନ୍ତି, ‘‘ଅତିକମ୍‌ରେ ସାତ ମାସ ହେବ ମୁଁ ଗରମ ରନ୍ଧା ଖାଦ୍ୟ ବଦଳରେ ମିଳୁଥିବା ନଗଦ ଟଙ୍କା କିମ୍ବା ଚାଉଳ ପାଇନାହିଁ।’’ ମଧ୍ୟାହ୍ନ ଭୋଜନ ବନ୍ଦ ରହିବା କାରଣରୁ କିଛି ପରିବାରକୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ମିଳିଛି। ବେଳେବେଳେ ସେମାନଙ୍କୁ କୁହାଯାଇଛି ଯେ ସାଢ଼େ ତିନି କିଲୋମିଟର ଦୂରରେ ଥିବା ନୂଆସ୍କୁଲରେ ସେମାନଙ୍କୁ ଏହା ବିତରଣ କରାଯିବ।

*****

ସେହି ବ୍ଲକରେ ପୁରୁଣା ମାଣତିରା ଏକ ପଡ଼ୋଶୀ ଗ୍ରାମ। ୨୦୨୨ ଏପ୍ରିଲ ମାସର ପ୍ରଥମ ସପ୍ତାହର କଥା। ମଧ୍ୟାହ୍ନ ସମୟରେ ଗାଁକୁ ଯାଇଥିବା ଏକ ସଙ୍କୀର୍ଣ୍ଣ ରାସ୍ତାରେ କୋଳାହଳ ଲାଗିଥାଏ। ଗାଁର ଏହି ପଛ ରାସ୍ତାରେ ହଠାତ୍‌ ମହିଳା, ପୁରୁଷ, ବୟସ୍କ ବୃଦ୍ଧା ଏବଂ ସାଇକେଲରେ ଯାଉଥିବା କିଛି କିଶୋର ପୁଅମାନଙ୍କର ଭିଡ଼ ଜମିଯାଇଛି । କେହି କିଛି କହୁନଥାନ୍ତି, ଯେମିତି ଶେଷ ସମୟ ପାଇଁ ସେମାନେ ଶକ୍ତି ସଞ୍ଚୟ କରି ରଖିଛନ୍ତି। ଉତ୍ତପ୍ତ ମଧ୍ୟାହ୍ନର ୪୨ଡିଗ୍ରୀ ତାପମାତ୍ରାରେ ଗାମୁଛା ଓ ଶାଢ଼ିକାନି ମୁଣ୍ଡରେ ଦେଇ ସମସ୍ତେ ଚାଲିଛନ୍ତି।

ତାପମାତ୍ରାକୁ ଅଣଦେଖା କରି, ପୁରୁଣା ମାଣତିରା ବାସିନ୍ଦାମାନେ ସେମାନଙ୍କ ଛୋଟ ଛୋଟ ପୁଅ ଓ ଝିଅଙ୍କୁ ସ୍କୁଲରୁ ଆଣିବା ଲାଗି ଦେଢ଼ କିଲୋମିଟର ବାଟ ଚାଲି ଚାଲି ଯାଉଥାଆନ୍ତି।

ପୁରୁଣା ମାଣତିରାର ଜଣେ ବାସିନ୍ଦା ହେଉଛନ୍ତି ଦୀପକ ମଲିକ। ସେ ସୁକିନ୍ଦାର ଏକ ସିମେଣ୍ଟ କାରଖାନାରେ ଠିକା ଶ୍ରମିକ ଭାବେ କାମ କରନ୍ତି। ସୁକିନ୍ଦା ଉପତ୍ୟାକା ଏହାର ବିଶାଳ କ୍ରୋମାଇଟ୍‌ ଭଣ୍ଡାର ପାଇଁ ପ୍ରସିଦ୍ଧ। ତାଙ୍କ ଭଳି ଏହି ଅନୁସୂଚିତ ଜାତି ଅଧ୍ୟୁଷିତ ଗ୍ରାମର ଅଧିକାଂଶ ଲୋକ ଜାଣନ୍ତି ଯେ ଭଲ ଶିକ୍ଷା ମିଳିଲେ ପିଲାମାନଙ୍କର ଭବିଷ୍ୟତ ଉନ୍ନତ ହେବ। ସେ କୁହନ୍ତି, ‘‘ଆମ ଗାଁର ଅଧିକାଂଶ ଲୋକ ଦିନରେ କାମ କଲେ ରାତିରେ ଖାଇବାକୁ ପାଆନ୍ତି। ତେଣୁ ୨୦୧୩-୨୦୧୪ରେ ଯେତେବେଳେ ସ୍କୁଲ ଘର ତିଆରି ଆରମ୍ଭ ହୋଇଥିଲା, ଆମ ସମସ୍ତଙ୍କ ପାଇଁ ଏକ ଖୁସିର ମୁହୂର୍ତ୍ତ ଆସିଥିଲା।’’

ପୁରୁଣା ମାଣତିରା ଗାଁରେ ପ୍ରାୟ ୨୫ ପରିବାର ରୁହନ୍ତି। ସେହି ଗାଁର ଜଣେ ବାସିନ୍ଦା ସୁଜାତା ରାଣୀ ସାମଲ କୁହନ୍ତି, ୨୦୨୦ ମହାମାରୀ ପରଠାରୁ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଯାଇଛି । ତେଣୁ ପ୍ରାୟ ୧୪ ଜଣ ପିଲା ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି। ଏବେ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ଛୋଟ ଛୋଟ ପିଲାମାନେ ଏକ ବ୍ୟସ୍ତବହୁଳ ରେଳଧାରଣା ପାର ହୋଇ ଦେଢ଼ କିଲୋମିଟର ଦୂରରେ ଥିବା ଚକୁଆ ଗାଁ ସ୍କୁଲକୁ ପଢ଼ିବା ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି।

The school building in Puranamantira was shut down in 2020.
PHOTO • M. Palani Kumar
The construction of a school building in 2013-2014 was such a huge occasion for all of us,' says Deepak Malik (centre)
PHOTO • M. Palani Kumar

ଫଟୋ. ବାମ: ୨୦୨୦ରେ ବନ୍ଦ ହୋଇଯାଇଥିବା ପୁରୁଣା ମାଣତିରା ସ୍କୁଲର କୋଠା। ଡାହାଣ: ଦୀପକ ମଲିକ (ମଝି) କୁହନ୍ତି, ୨୦୧୩-୧୪ରେ ସ୍କୁଲ ଘର କାମ ତିଆରି ହେବା ଆମ ସମସ୍ତଙ୍କ ପାଇଁ ଏକ ଖୁସିର ମୁହୂର୍ତ୍ତ ଆଣିଥିଲା

Parents and older siblings walking to pick up children from their new school in Chakua – a distance of 1.5 km from their homes in Puranamantira.
PHOTO • M. Palani Kumar
They cross a busy railway line while returning home with the children (right)
PHOTO • M. Palani Kumar

ଫଟୋ: ପିଲାମାନଙ୍କର ମାତାପିତା ଓ ବଡ଼ ଭାଇ ଭଉଣୀ ପୁରୁଣା ମାଣତିରାରେ ଥିବା ସେମାନଙ୍କ ଘରଠାରୁ ଦେଢ଼ କିଲୋମିଟର ଦୂର ଚକୁଆରେ ଥିବା ନୂଆ ସ୍କୁଲରୁ ପିଲାମାନଙ୍କୁ ଆଣିବାକୁ ଯାଉଛନ୍ତି

ରେଳ ଧାରଣାପାର ହେବାକୁ ହେଲେ ଓଭରବ୍ରିଜ୍‌ ଥିବା ଗାଡ଼ି ଚଳାଚଳ ରାସ୍ତା ଦେଇଯିବାକୁ ହେବ, କିନ୍ତୁ ଏଥିପାଇଁ ୫ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡ଼ିବ। ଅନ୍ୟପଟେ ପୁରୁଣା ସ୍କୁଲ ଦେଇଗଲେ କମ୍‌ ବାଟ ପଡ଼ିବ। ଗାଁ ମୁଣ୍ଡରେ ଥିବା ମନ୍ଦିର ଟପିବା ପରେ ବ୍ରାହ୍ମଣୀ ରେଳଷ୍ଟେସନକୁ ଯାଇଥିବା ଉଚ୍ଚା ରେଳଧାରଣା ଅତିକ୍ରମ କରିବା ପରେ ନୂଆ ସ୍କୁଲରେ ପହଞ୍ଚି ହେବ।

ଏକ ମାଲବାହୀ ଟ୍ରେନ୍‌ ଗର୍ଜ୍ଜନ କରି ଚାଲିଯାଉଛି।

ଭାରତୀୟ ରେଳବାଇର ହାଓଡ଼ା-ଚେନ୍ନାଇ ମୁଖ୍ୟ ଲାଇନ ଉପରେ ଥିବା ବ୍ରାହ୍ମଣୀ ଷ୍ଟେସନ ଦେଇ ପ୍ରତି ଦଶମିନିଟରେ ଥରେ, ମାଲବାହୀ ଓ ଯାତ୍ରୀବାହୀ ଟ୍ରେନ୍‌ ଅତିକ୍ରମ କରିଥାଏ। ତେଣୁ, ସାଙ୍ଗରେ କେହି ବଡ଼ ଲୋକନଥିଲେ ପୁରୁଣା ମାଣତିରା ଗାଁର କୌଣସି ଗୋଟିଏ ପରିବାର ସେମାନଙ୍କ ପିଲାକୁ ଏକାକୀ ସ୍କୁଲଯିବାକୁ ଦିଅନ୍ତି ନାହିଁ ।

ପରବର୍ତ୍ତୀ ଟ୍ରେନ ଆସିବା ପୂର୍ବରୁ ସମସ୍ତେ ତରବର ହୋଇ ରେଳଧାରଣା ପାର୍‌ ହେଉଛନ୍ତି। ପୂର୍ବ ଟ୍ରେନ ଯିବାର କମ୍ପନ ଏବେବି ରେଳ ଧାରଣାରେ ଅନୁଭୂତ ହେଉଛି; କିଛି ପିଲା ଖସି-ଡେଇଁ-କୁଦି ଉଚ୍ଚ ରେଳଲାଇନ ପାର୍‌ ହେଉଛନ୍ତି। ସବୁଠୁ ଛୋଟ ପିଲାମାନେ ତରବର ହୋଇ ଉଚ୍ଚ ରେଳଧାରଣା ଉପରକୁ ଚଢ଼ି ତଳକୁ ଖସୁଛନ୍ତି। ପଛରେ ପଡ଼ିଯାଉଥିବା ପିଲାମାନେ ମଧ୍ୟ ସେମାନଙ୍କ ସହ ଯିବା ଲାଗି ତରବର ହେଉଛନ୍ତି। ମଇଳା ପାଦ, କଠୋରପାଦ, ଖରାରେ ସିଝିଯାଇଥିବା ପାଦ, ଖାଲି ପାଦ, ଚାଲି ଚାଲି ଥକି ଯାଇଥିବା ପାଦ, ସମସ୍ତଙ୍କୁ ୨୫ ମିନିଟର ଉଠାଣିଆ ରାସ୍ତା ପାର୍‌ ହେବାକୁ ପଡ଼ୁଛି।

*****

ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ କେନ୍ଦ୍ର ସରକାର ‘ଦୀର୍ଘସ୍ଥାୟୀ କାର୍ଯ୍ୟାନୁଷ୍ଠାନ ଲାଗି ମାନବୀୟ ପୁଞ୍ଜିର ପରିବର୍ତ୍ତନ ବା ସଷ୍ଟେନେବଲ ଆକ୍ସନ ଫର ଟ୍ରାନ୍ସଫର୍ମିଂ ହ୍ୟୁମାନ କ୍ୟାପିଟାଲ (ସାଥ)’ କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନା ମାଧ୍ୟମରେ ବାରବାଙ୍କି ଓ ପୁରୁଣା ମାଣତିରା ଭଳି ଓଡ଼ିଶାର ୯,୦୦୦ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଛି। ସରକାରୀ ଭାବେ ଏହାକୁ ପଡ଼ୋଶୀ ଗାଁର ବିଦ୍ୟାଳୟ ସହ ‘ମିଶ୍ରଣ’ ବା ‘ବିଲୟ’ ବୋଲି କୁହାଯାଉଛି।

ତିନୋଟି ରାଜ୍ୟ - ଓଡ଼ିଶା, ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶରେ ସ୍କୁଲ ଶିକ୍ଷାରେ ‘ସଂସ୍କାର’ ଆଣିବା ଲାଗି ନଭେମ୍ବର ୨୦୧୭ରେ ସାଥ-ଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ୨୦୧୮ରେ ପ୍ରକାଶିତ ପତ୍ର ସୂଚନା କାର୍ଯ୍ୟାଳୟର ଏକ ବିଜ୍ଞପ୍ତିରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ‘‘ପ୍ରତ୍ୟେକ ପିଲା ପାଇଁ ସରକାରୀ ସ୍କୁଲର ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାକୁ ଉତ୍ତରଦାୟୀ, ଆକାଂକ୍ଷୀ ଓ ପରିବର୍ତ୍ତନକାରୀ କରିବା’’ ଏହାର ଉଦ୍ଦେଶ୍ୟ ଥିଲା।

ସ୍କୁଲ ବନ୍ଦ ହୋଇଥିବା ବାରବାଙ୍କି ଗାଁରେ ‘ପରିବର୍ତ୍ତନ’ ସାମାନ୍ୟ ଭିନ୍ନ ଥିଲା। ଏ ଗାଁରେ ଜଣେ ଡିପ୍ଲୋମା ଶିକ୍ଷିତ ଅଛନ୍ତି, କିଛି ଲୋକ ଯୁକ୍ତ ଦୁଇ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଅନ୍ୟ କେତେଜଣ ମାଟ୍ରିକ ଫେଲ ହୋଇଛନ୍ତି। ‘‘ଏବେ ସେତିକି ଶିକ୍ଷାଲାଭ କରିବା ମଧ୍ୟ ସମ୍ଭବ ନୁହେଁ,’’ ବନ୍ଦ ହୋଇଯାଇଥିବା ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ କିଶୋର ବେହେରା କୁହନ୍ତି।

Children in class at the Chakua Upper Primary school.
PHOTO • M. Palani Kumar
Some of the older children in Barabanki, like Jhilli Dehuri (in blue), cycle 3.5 km to their new school in Jamupasi
PHOTO • M. Palani Kumar

ଫଟୋ. ବାମ :ଚକୁଆ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟର ପିଲାମାନେ। ଡାହାଣ : ଝିଲି ବଳ (ନୀଳସାର୍ଟରେ) ବାରବାଙ୍କୀର କେତେ ଜଣ ଉପର ଶ୍ରେଣୀର ଛାତ୍ରଛାତ୍ରୀ ଜାମୁପଶିରେ ଥିବା ନୂଆସ୍କୁଲରେ ପହଞ୍ଚିବା ଲାଗି ୩.୫ କିଲୋମିଟର ଦୂର ଯାଉଛନ୍ତି

ପଡ଼ୋଶୀ ଗାଁର ଏକ ଚୟନିତ ସ୍କୁଲ ସହ ପ୍ରାଥମିକ ବିଦ୍ୟାଳୟର ‘ମିଶ୍ରଣ’ କେବଳ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ଛଡ଼ା ଅନ୍ୟ କିଛି ନୁହେଁ, ଏହାର ପ୍ରକୃତ ଉଦ୍ଦେଶ୍ୟ ହେଉଛି କମ୍‌ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ କରିବା। ନଭେମ୍ବର ୨୦୨୧ରେ ସାଥ-ଇ ଉପରେ ପ୍ରକାଶିତ ରିପୋର୍ଟରେ ନୀତି ଆୟୋଗର ତତ୍କାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତାଭକାନ୍ତ ମିଶ୍ରଣ (ବା ସ୍କୁଲ ବନ୍ଦ)କୁ ଏକ ‘‘ସାହସିକ ଏବଂ ଯୁଗାନ୍ତକାରୀ ସଂସ୍କାର’’ ଭାବେ ବର୍ଣ୍ଣନା କରିଥିଲେ।

ପୁରୁଣା ମାଣତିରାର କୁନି ଛାତ୍ର ସିଦ୍ଧାର୍ଥ ମଲିକ ଚକୁଆରେ ଥିବା ନୂଆସ୍କୁଲରେ ପହଞ୍ଚିବା ଲାଗି ସବୁଦିନ ଦୂରବାଟ ଚାଲି ଚାଲି ଯାଉଛି । ଫଳରେ ତା’ଗୋଡ଼ରେ ଅସହ୍ୟ ଯନ୍ତ୍ରଣା ହେଉଛି। ଅଧିକାଂଶ ସମୟରେ ସେ ସ୍କୁଲ ଯାଇପାରୁନଥିବା, ତା’ର ବାପା ଦୀପକ କୁହନ୍ତି।ଏଭଳି ସ୍ଥିତିରେ ଉପରୋକ୍ତ ଦାବି ଏକ ଉପହାସ ଭଳି ଲାଗିଥାଏ।

ଭାରତରେ ପ୍ରାୟ ୧୧ ଲକ୍ଷ ସରକାରୀ ବିଦ୍ୟାଳୟ ରହିଛି, ଆନୁମାନିକ ୪ ଲକ୍ଷ ବିଦ୍ୟାଳୟରେ ୫୦ରୁ କମ୍‌ ଛାତ୍ରଛାତ୍ରୀ ରହିଛନ୍ତି। ସେହିପରି ପ୍ରାୟ ୧ ଲକ୍ଷ ୧୦ ହଜାର ସ୍କୁଲରେ ୨୦ରୁ କମ୍‌ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି।  ସାଥ-ଇ ରିପୋର୍ଟରେ ଏହିସବୁ ବିଦ୍ୟାଳୟକୁ ‘‘ଉପ-ସ୍ତରୀୟବିଦ୍ୟାଳୟ’’ ବା ‘‘ସବ୍‌-ସ୍କେଲ ସ୍କୁଲ’’ ଭାବେ ବର୍ଣ୍ଣନା କରାଯାଇଛି। ଏସବୁ ବିଦ୍ୟାଳୟରେ ଭିତ୍ତିଭୂମିର ଅଭାବ ରହିଛି :ନିର୍ଦ୍ଦିଷ୍ଟ ବିଷୟରେ ଶିକ୍ଷାଦାନ ପାଇଁ ଶିକ୍ଷକ ନାହାନ୍ତି, ପ୍ରଧାନ ଶିକ୍ଷକ ପଦବୀ ଖାଲି ରହିଛି ଏବଂ ଖେଳପଡ଼ିଆ, ପାଚେରୀ ଓ ପାଠାଗାର ନାହିଁ।

କିନ୍ତୁ ପୁରୁଣା ମାଣତିରା ଗାଁର ଅଭିଭାବକମାନେ କୁହନ୍ତି ଯେ, ସେମାନଙ୍କ ଗାଁ ସ୍କୁଲରେ ଅତିରିକ୍ତ ସୁବିଧା ସୁଯୋଗ ନିର୍ମାଣ କରାଯାଇପାରିଥାନ୍ତା।

ଚକୁଆ ସ୍କୁଲରେ ପାଠାଗାର ଅଛି କି ନାହିଁ କେହି ଜାଣନ୍ତି ନାହିଁ; ଅବଶ୍ୟ ଏଠାରେ ଏକ ପାଚେରୀ ରହିଛି ଯାହାକି ସେମାନଙ୍କ ପୁରୁଣା ସ୍କୁଲରେ ନଥିଲା।

ଓଡ଼ିଶାରେ, ସାଥ-ଇ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ ବର୍ତ୍ତମାନ ଜାରି ରହିଛି। ଏହି ପର୍ଯ୍ୟାୟରେ ‘ମିଶ୍ରଣ’ ପାଇଁ ମୋଟ୍‌ ୧୫,୦୦୦ ବିଦ୍ୟାଳୟକୁ ଚୟନ କରାଯାଇଛି ।

*****

It is 1 p.m. and Jhilli Dehuri, a Class 7 student and her schoolmate, are pushing their cycles home to Barabanki. She is often sick from the long and tiring journey, and so is not able to attend school regularly
PHOTO • M. Palani Kumar
It is 1 p.m. and Jhilli Dehuri, a Class 7 student and her schoolmate, are pushing their cycles home to Barabanki. She is often sick from the long and tiring journey, and so is not able to attend school regularly
PHOTO • M. Palani Kumar

ସମୟ ଅପରାହ୍ଣ ଗୋଟାଏ, ସପ୍ତମ ଶ୍ରେଣୀ ଛାତ୍ରୀ ଏବଂ ମୋର ସହପାଠୀ ଝିଲି ଦେହୁରୀ ସାଇକେଲ ଠେଲି ଠେଲି ସେମାନଙ୍କ ଘର ବାରବାଙ୍କୀକୁ ଫେରୁଛି।  ଦୀର୍ଘ ଏବଂ କ୍ଳାନ୍ତ ଯାତ୍ରା ଯୋଗୁଁ ସେ ଅଧିକାଂଶ ସମୟରେ ଅସୁସ୍ଥ ହୋଇପଡ଼ିଥାଏ, ତେଣୁ ନିୟମିତ ଭାବେ ସ୍କୁଲ ଯିବାକୁ ସକ୍ଷମ ହୁଏ ନାହିଁ

ଘର ପାଖାପାଖି ହୋଇଯିବା ସମୟରେ ଉଠାଣିଆ ରାସ୍ତାରେ ସାଇକେଲ ଠେଲି ଘରକୁ ଫେରିବା ପାଇଁ ଝିଲି ଦେହୁରୀକୁ ସଂଘର୍ଷ କରିବାକୁ ପଡ଼ୁଛି। ତାଙ୍କ ଗାଁ ବାରବାଙ୍କୀର ଏକ ବଡ଼ ଆମ୍ବ ଗଛ ତଳେ କମଳା ରଙ୍ଗର ପାଲ ବିଛା ହୋଇଛି। ଅଭିଭାବକମାନେ ସେଠାରେ ଏକାଠି ବସି ସ୍କୁଲ ସମସ୍ୟା ନେଇ ଆଲୋଚନା କରୁଛନ୍ତି। ଝିଲି କ୍ଳାନ୍ତ ହୋଇ ସେଠାରେ ପହଞ୍ଚୁଛି।

ବାରବାଙ୍କୀର ଉନ୍ନୀତ ପ୍ରାଥମିକ ଏବଂ ବଡ଼ ପିଲାମାନେ (୧୧ରୁ ୧୬ ବର୍ଷ ବୟସ୍କ) ସାଢ଼େ ୩ କିଲୋମିଟର ଦୂରରେ ଥିବା ଜାମୁପଶି ସ୍କୁଲକୁ ଯାଉଛନ୍ତି। କିଶୋର ବେହେରା କୁହନ୍ତି, ପିଲାମାନେ ମଧ୍ୟାହ୍ନର ଟାଣ ଖରାରେ ଚାଲିଚାଲି ଏବଂ ସାଇକେଲରେ ଯିବା ଫଳରେ କ୍ଳାନ୍ତ ହୋଇପଡ଼ୁଛନ୍ତି। ତାଙ୍କ ବଡ଼ ଭାଇଙ୍କ ଝିଅ, ମହାମାରୀ ପରେ ୨୦୨୨ରେ ପଞ୍ଚମ ଶ୍ରେଣୀରେ ନାମ ଲେଖାଇଥିଲା ଏବଂ ଏତେ ବାଟ ଚାଲି ଚାଲି ଯିବାରେ ତା’ର ଅଭ୍ୟାସ ନଥିଲା। ଗତ ସପ୍ତାହରେ ଚାଲି ଚାଲି ଘରକୁ ଫେରିବା ସମୟରେ ସେ ବେହୋସ ହୋଇଯାଇଥିଲା। ଜାମୁପଶି ଗାଁର ଜଣେ ଅପରିଚିତ ବ୍ୟକ୍ତି ତା’କୁ ବାଇକରେ ବସାଇ ଘରକୁ ନେଇ ଆସିଥିଲେ।

କିଶୋର କୁହନ୍ତି, ‘‘ଆମ ପିଲାମାନଙ୍କ ପାଖରେ ମୋବାଇଲ ଫୋନ ନାହିଁ, ଅଥବା ଜରୁରି ପରିସ୍ଥିତିରେ ‘ଅଭିଭାବକଙ୍କ ଫୋନ ନମ୍ବର ରଖିବାର ବ୍ୟବସ୍ଥା’ ସ୍କୁଲରେ ନାହିଁ।’’

ଯାଜପୁର ଜିଲ୍ଲା ସୁକିନ୍ଦା ଓ ଦାନଗଦି ବ୍ଲକର ଉପାନ୍ତ ଗାଁରେ ରହୁଥିବା ସଂଖ୍ୟାଧିକ ମାତାପିତା ଏତେ ଦୂର ନିଜ ପିଲାଙ୍କୁ ସ୍କୁଲ ପଠାଇବାରେ ରହିଥିବା ବିପଦ ବିଷୟରେ କହିଥାନ୍ତି : ପିଲାମାନଙ୍କୁ କେତେବେଳେ ଘଞ୍ଚ ଜଙ୍ଗଲ କିମ୍ବା ବ୍ୟସ୍ତବହୁଳ ରାଜପଥ ପାର୍‌ ହୋଇ ଯିବାକୁ ପଡ଼ିଥାଏ, କିମ୍ବା ସେମାନେ ରେଳଧାରଣା ଅତିକ୍ରମ କରିଥାନ୍ତି। ଆଉ କେତେବେଳେ ପିଲାମାନଙ୍କୁ ତୀଖ ପାହାଡ଼, ମୌସୁମୀ ଋତୁରେ ଉଛୁଳି ପଡ଼ୁଥିବା ଝରଣା, ବୁଲା କୁକୁରଙ୍କ ଦୌରାତ୍ମ୍ୟ ଥିବା ଗାଁ ରାସ୍ତା, ହାତୀ ଚଳପ୍ରଚଳ କରୁଥିବା ଚାଷ ଜମି ପାର ହୋଇ ଯିବାକୁ ପଡ଼ିଥାଏ।

ବନ୍ଦ ହେବା ପାଇଁ ତାଲିକାଭୁକ୍ତ ହୋଇଥିବା ବିଦ୍ୟାଳୟଠାରୁ ସମ୍ଭାବ୍ୟ ନୂଆ ସ୍କୁଲର ଦୂରତା ଚିହ୍ନଟ କରିବା ଲାଗି ଭୌଗୋଳିକ ସୂଚନା ପ୍ରଣାଳୀ (ଜିଆଇଏସ) ବ୍ୟବହାର କରାଯାଇଥିବା ସାଥ୍‌-ଇ ରିପୋର୍ଟରେ କୁହାଯାଇଛି। ତେବେ, ଜିଆଇଏସ ଆଧାରିତ ଦୂରତାର ସ୍ପଷ୍ଟ ଗାଣିତିକ ହିସାବ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇନଥିବା ଦେଖିବାକୁ ମିଳିଥାଏ।

Geeta Malik (in the foreground) and other mothers speak about the dangers their children must face while travelling to reach school in Chakua.
PHOTO • M. Palani Kumar
From their village in Puranamantira, this alternate motorable road (right) increases the distance to Chakua to 4.5 km
PHOTO • M. Palani Kumar

ଫଟୋ. ବାମ: ଚକୁଆରେ ଥିବା ନୂଆ ସ୍କୁଲକୁ ଯିବା ବାଟରେ ସେମାନଙ୍କ ପିଲାମାନେ କିଭଳି ବିପଦର ସମ୍ମୁଖିନ ହେବେ ସେ ସମ୍ପର୍କରେ ଗୀତା ମଲିକ (ତଳେ ବସିଥିବା) ଏବଂ ଅନ୍ୟ ମା’ମାନେ କହୁଛନ୍ତି। ସେମାନଙ୍କ ଗାଁ ପୁରୁଣା ମାଣତିରାରୁ, ବିକଳ୍ପ ଗାଡ଼ି ରାସ୍ତା (ଡାହାଣ)ରେ ସ୍କୁଲ ଗଲେ ସାଢ଼େ ୪କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡ଼ିବ

ପୁରୁଣା ମାଣତିରାର ପୂର୍ବତନ ୱାର୍ଡ ସଦସ୍ୟା ଗୀତା ମଲିକ କୁହନ୍ତି, ଟ୍ରେନ୍‌ ଏବଂ ଦୂରତାକୁ ଛାଡ଼ି ଦେଲେ ମା’ମାନଙ୍କ ପାଇଁ ଅନ୍ୟ କେତେକ ଚିନ୍ତା ମଧ୍ୟ ରହିଛି। ‘‘ଗତ କିଛି ବର୍ଷ ହେବ ପାଣିପାଗରେ ଅନିୟମିତତା ଦେଖା ଦେଉଛି। ବର୍ଷା ଦିନେ ସକାଳୁ ଦିନେ ଦିନେ ଖରା ହେଉଛି ଏବଂ ସ୍କୁଲ ବନ୍ଦ ହେବା ବେଳକୁ ଝଡ଼ ମାଡ଼ି ଆସୁଛି। ଏଭଳି ପରିସ୍ଥିତିରେ ଅନ୍ୟ ଏକ ଗାଁରେ ଥିବା ସ୍କୁଲକୁ ଆପଣ କିଭଳି ନିଜ ପିଲାମାନଙ୍କୁ ପଠାଇବେ?’’

ଗୀତାଙ୍କର ଦୁଇ ପୁଅ। ବଡ଼ ପୁଅକୁ ୧୧ ବର୍ଷ ଏବଂ ସେ ଷଷ୍ଠ ଶ୍ରେଣୀରେ ପଢ଼ୁଛି। ଛଅ ବର୍ଷର ସାନ ପୁଅ ଏବେ ପାଠପଢ଼ା ଆରମ୍ଭ କରିଛି। ସେମାନଙ୍କ ପରିବାର ଭାଗଚାଷୀ ଏବଂ ସେ ତାଙ୍କ ପିଲାମାନଙ୍କ ପାଇଁ ଭଲ ଭବିଷ୍ୟତ ଚାହାନ୍ତି। ସେମାନେ ଭଲ ରୋଜଗାର କରି ନିଜର ଚାଷ ଜମି କିଣନ୍ତୁ ବୋଲି ଗୀତା ଆଶା କରନ୍ତି।

ଆମ୍ବ ଗଛ ତଳେ ଏକାଠି ହୋଇଥିବା ସବୁ ଅଭିଭାବକଙ୍କ ମତ ହେଲା, ସେମାନଙ୍କ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଯିବା ପରଠାରୁ ସେମାନଙ୍କ ପିଲାମାନେ ସମ୍ପୂର୍ଣ୍ଣ ସ୍କୁଲ ଯିବା ବନ୍ଦ କରି ଦେଇଛନ୍ତି କିମ୍ବା ଅନିୟମିତ ହୋଇଯାଇଛନ୍ତି। କିଛି ପିଲା ଗୋଟିଏ ମାସରେ ୧୫ ଦିନ ସ୍କୁଲ ଯାଉନାହାନ୍ତି।

ପୁରୁଣା ମାଣତିରାରେ ଯେତେବେଳେ ସ୍କୁଲ ବନ୍ଦ ହେଲା, ୬ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ସ୍କୁଲ ପରିସରରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ସ୍ଥାନାନ୍ତର ହୋଇ ଏଠାରୁ ୩ କିଲୋମିଟର ଦୂରକୁ ଚାଲିଗଲା।

*****

ଗାଁ ବିଦ୍ୟାଳୟ ଅନେକଙ୍କ ପାଇଁ ପ୍ରଗତିର ପ୍ରତୀକ; ସମ୍ଭାବନା ଏବଂ ଆଶା ଆକାଂକ୍ଷା ପୂରଣ ହେବାର କେନ୍ଦ୍ରସ୍ଥଳୀ।

ଦିନ ମଜୁରିଆ ମାଧବ ମଲିକ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ସେ କୁହନ୍ତି, ୨୦୧୪ରେ ପୁରୁଣା ମାଣତିରାରେ ଯେତେବେଳେ ସ୍କୁଲ ଖୋଲିଲା ତାଙ୍କର ଦୁଇ ପୁଅ ମନୋଜ ଓ ଦେବାଶିଷଙ୍କ ଉନ୍ନତ ଭବିଷ୍ୟତକୁ ନେଇ ସେ ଆଶାବାଦୀ ହୋଇପଡ଼ିଥିଲେ। ‘‘ଆମେ ଆମ ସ୍କୁଲର ଖୁବ୍‌ ଯତ୍ନ ନେଉଥିଲୁ, କାରଣ ଏହା ଆମ ଆଶାର ଏକ ପ୍ରତୀକ ଥିଲା।’’

ଏବେ ବନ୍ଦ ହୋଇଯାଇଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ସମ୍ପୂର୍ଣ୍ଣ ସଫା ରହିଛି। କାନ୍ଥରେ ଚିହ୍ନିତ ଧଳା ଓ ନୀଳ ରଙ୍ଗର ସାରଣୀରେ ଓଡ଼ିଆ ବର୍ଣ୍ଣମାଳା, ସଂଖ୍ୟା ଓ ଛବି ରହିଛି । ଗୋଟିଏ କାନ୍ଥରେ ବ୍ଲାକବୋର୍ଡ ତିଆରି କରାଯାଇଛି।  ପାଠପଢ଼ା ବନ୍ଦ ହୋଇଯିବା ପରେ, ଗାଁ ଲୋକମାନେ ବିଦ୍ୟାଳୟକୁ ଭଜନକୀର୍ତ୍ତନ ପାଇଁ ସବୁଠୁ ପବିତ୍ର ସ୍ଥାନ ଭାବେ ବ୍ୟବହାର କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଗୋଟିଏ ଶ୍ରେଣୀଗୃହକୁ କୀର୍ତ୍ତନ ଘର ଭାବେ ପ୍ରସ୍ତୁତ ରଖାଯାଇଛି। ଗୋଟିଏ କାନ୍ଥରେ ଠାକୁରଙ୍କ ଫଟୋ ସହିତ ଅନ୍ୟାନ୍ୟ ପୂଜା ସାମଗ୍ରୀ ରଖାଯାଇଛି।

Students of Chakua Upper Primary School.
PHOTO • M. Palani Kumar
Madhav Malik returning home from school with his sons, Debashish and Manoj
PHOTO • M. Palani Kumar

ଫଟୋ. ବାମ : ଚକୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ। ଡାହାଣ: ନିଜର ଦୁଇ ପୁଅ ଦେବାଶିଷ ଓ ମନୋଜକୁ ନେଇ ସ୍କୁଲରୁ ଫେରୁଛନ୍ତି ମାଧବ ମଲିକ

ଗାଁ ସ୍କୁଲର ଯତ୍ନ ନେବା ବ୍ୟତୀତ, ସେମାନଙ୍କର ପିଲାମାନଙ୍କ ଉପଯୁକ୍ତ ଶିକ୍ଷା ଯେପରି ଜାରି ରହିବ ସେ ନେଇ ପୁରୁଣା ମାଣତିରା ଗାଁ ଲୋକମାନେ ସଂକଳ୍ପବଦ୍ଧ ରହିଛନ୍ତି। ସେମାନେ ଗାଁର ପ୍ରତ୍ୟେକ ପିଲାଙ୍କ ପାଇଁ ଟ୍ୟୁସନ ବ୍ୟବସ୍ଥା କରିଛନ୍ତି। ଦୁଇ କିଲୋମିଟର ଦୂର ଅନ୍ୟ ଏକ ଗାଁର ଜଣେ ଶିକ୍ଷକ ଆସି ଟ୍ୟୁସନ ପଢ଼ାଉଛନ୍ତି। ଦୀପକ କୁହନ୍ତି, ବର୍ଷା ଦିନେ ମୁଖ୍ୟ ରାସ୍ତା ବନ୍ୟା ପାଣିରେ ବୁଡ଼ିଯାଏ। ଏଭଳି ସ୍ଥିତିରେ ପିଲାମାନଙ୍କର ଟ୍ୟୁସନ ଯେମିତି ବନ୍ଦ ନହେବ ତାହା ସୁନିଶ୍ଚିତ କରିବା ଲାଗି ସେ କିମ୍ବା ଅନ୍ୟ କେହି ଗ୍ରାମବାସୀ ବାଇକରେ ଶିକ୍ଷକଙ୍କୁ ବସାଇ ଗାଁକୁ ଆଣନ୍ତି। ପୁରୁଣା ସ୍କୁଲ ପରିସରରେ ଟ୍ୟୁସନ ଚାଲେ, ଗାଁର ପ୍ରତି ପରିବାର ମାସିକ ୨୫୦ ଟଙ୍କାରୁ ୪୦୦ ଟଙ୍କା ଦିଅନ୍ତି।

‘‘ଟ୍ୟୁସନରେ ହିଁ ପ୍ରାୟତଃ ସବୁ ପାଠପଢ଼ା ହୁଏ,’’ ଦୀପକ କୁହନ୍ତି।

ବାହାରେ, ପଳାଶ ଗଛର ପତଳା ଛାଇରେ ଏକତ୍ରିତ ହୋଇଥିବା ଗ୍ରାମବାସୀ ଗାଁ ସ୍କୁଲ ବନ୍ଦ ହେବାର କାରଣ ଖୋଜି ପରସ୍ପର ମଧ୍ୟରେ ଆଲୋଚନା କରୁଛନ୍ତି। ବର୍ଷା ଦିନେ ବ୍ରାହ୍ମଣୀ ନଦୀରେ ବନ୍ୟା ସମୟରେ ପୁରୁଣା ମାଣତିରା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଥାଏ। କେହି ଅସୁସ୍ଥ ହେଲେ ଗାଁକୁ ଆମ୍ବୁଲାନ୍ସ ଆସିପାରେ ନାହିଁ ଏବଂ ଦିନ ଦିନ ଧରି ବିଦ୍ୟୁତ ଯୋଗାଣ ବନ୍ଦ ହୋଇଯାଏ।

‘‘ସ୍କୁଲ ବନ୍ଦ ହେବାର ଅର୍ଥ ଆମେ ପଛକୁ ପଛ ଚାଲିଯାଉଛୁ। ଆଗକୁ ପରିସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ିବ,’’ ମାଧବ କୁହନ୍ତି।

ସାଥ-ଇ ପ୍ରକଳ୍ପରେ କେନ୍ଦ୍ର ସରକାରଙ୍କ ସହଯୋଗୀ ଥିବା ବିଶ୍ଵସ୍ତରୀୟ ପରାମର୍ଶଦାତା ସଂସ୍ଥା ବୋଷ୍ଟନ କନସଲ୍ଟିଂ ଗ୍ରୁପ (ବିସିଜି) ଏହାକୁ ‘‘ ମାର୍କୀ ଏଜୁକେସନ ଟ୍ରାନ୍ସଫର୍ମେସନ ପ୍ରୋଗ୍ରାମ’ ’ ବା ‘ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଭଳି କାର୍ଯ୍ୟକ୍ରମ’ ଭାବେ ଅଭିହିତ କରିଛି ଯାହାକି ପାଠପଢ଼ା ପରିଣାମରେ ସୁଧାର ଆଣିଥିବା ଦର୍ଶାଇଛି।

କିନ୍ତୁ ଯାଜପୁର ଜିଲ୍ଲାର ଏହି ଦୁଇଟି ବ୍ଲକ ସମେତ ଓଡ଼ିଶାର ଅନ୍ୟ ସ୍ଥାନରେ ଥିବା ବିଭିନ୍ନ ଗାଁରେ ଅଭିଭାବକମାନେ କହୁଛନ୍ତି ଯେ ସ୍କୁଲ ବନ୍ଦ ହୋଇଯିବା କାରଣରୁ ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷାଦାନ କରିବା ଏକ ସମସ୍ୟାରେ ପରିଣତ ହୋଇଛି।

Surjaprakash Naik and Om Dehuri (both in white shirts) are from Gunduchipasi where the school was shut in 2020. They now walk to the neighbouring village of Kharadi to attend primary school.
PHOTO • M. Palani Kumar
Students of Gunduchipasi outside their old school building
PHOTO • M. Palani Kumar

ଫଟୋ. ବାମ : ସୂର୍ଯ୍ୟପ୍ରକାଶ ନାଏକ ଏବଂ ଓମ ଦେହୁରୀ (ଉଭୟ ଧଳା ସାର୍ଟରେ)ଙ୍କ ଗାଁ ଗୁଣ୍ଡୁଚିପଶିର ସ୍କୁଲ ୨୦୨୦ରେ ବନ୍ଦ ହୋଇଯାଇଥିଲା। ସେମାନେ ଏବେ ପାଖ ଗାଁ ଖରଡ଼ି ପ୍ରାଥମିକ ବିଦ୍ୟାଳୟକୁ ଚାଲି ଚାଲି ପାଠପଢ଼ିବାକୁ ଯାଉଛନ୍ତି। ଡାହାଣ : ଗୁଣ୍ଡୁଚିପଶିର ଛାତ୍ରଛାତ୍ରୀ ସେମାନଙ୍କ ପୁରୁଣା ସ୍କୁଲ କୋଠା ବାହାରେ ଛିଡ଼ା ହୋଇଛନ୍ତି

୧୯୫୪ ମସିହାରେ ଗୁଣ୍ଡୁଚିପଶି ଗାଁ ସ୍କୁଲ ନିର୍ମାଣ କରାଯାଇଥିଲା। ସୁକିନ୍ଦା ବ୍ଲକରେ ଥିବା ଏହି ଗାଁ ସମ୍ପୂର୍ଣ୍ଣ ଭାବେ ଖରଡ଼ି ପାହାଡ଼ ଓ ଜଙ୍ଗଲ ଅଞ୍ଚଳରେ ରହିଛି। ଗାଁରେ ଅଧିକାଂଶ ଶବର ସମୁଦାୟର ଲୋକମାନେ ବସବାସ କରନ୍ତି, ସେମାନେ ଶବର କିମ୍ବା ସଅର ଭାବେ ମଧ୍ୟ ପରିଚିତ ଏବଂ ରାଜ୍ୟରେ ଅନୁସୂଚିତ ଜନଜାତି ସମୁଦାୟ ଭାବେ ତାଲିକାଭୁକ୍ତ ହୋଇଛନ୍ତି।

ଏମାନଙ୍କ ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୩୨ ଜଣ ପିଲା ପଢ଼ୁଥିଲେ କିନ୍ତୁ ସରକାର ଏହି ସ୍କୁଲକୁ ମଧ୍ୟ ବନ୍ଦ କରିଦେଲେ। ଛୁଟି ପରେ ସ୍କୁଲ ଖୋଲିବା ମାତ୍ରେ ପିଲାମାନଙ୍କୁ ପାଖ ଗାଁରେ ଥିବା ଆଉ ଏକ ସ୍କୁଲକୁ ଯିବାକୁ ପଡ଼ିଲା। ଜଙ୍ଗଲ ରାସ୍ତାରେ ଗଲେ ଗୋଟିଏ କିଲୋମିଟର ପରେ ସ୍କୁଲ ପଡ଼ିବ, କିନ୍ତୁ ବିକଳ୍ପ ରାସ୍ତା ହେଉଛି ଏକ ବ୍ୟସ୍ତବହୁଳ ମୁଖ୍ୟ ରାସ୍ତା ଯାହାକି ଛୋଟ ପିଲାଙ୍କ ଯାତାୟାତ ପାଇଁ ଆଦୌ ନିରାପଦ ନୁହେଁ।

ଗୋଟିଏ ପଟେ ସ୍କୁଲରେ ଉପସ୍ଥାନ କମିଯାଇଛି, ଅନ୍ୟପଟେ ମଧ୍ୟାହ୍ନ ଭୋଜନ ନମିଳୁ ପଛେ ପିଲାମାନଙ୍କ ସୁରକ୍ଷା ପ୍ରତି ମାତାପିତା ଅଧିକ ଧ୍ୟାନ ଦେଉଛନ୍ତି।

ଦ୍ୱିତୀୟ ଶେଣୀରେ ପଢ଼ୁଥିବା ଓମ ଦେହୁରୀ ଏବଂ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ସୂର୍ଯ୍ୟପ୍ରକାଶ ନାୟକ କୁହନ୍ତି, ସେମାନେ ସାଙ୍ଗ ହୋଇ ସ୍କୁଲ ଯାଆନ୍ତି। ଦୁହେଁ ପ୍ଲାଷ୍ଟିକ ବୋତଲରେ ପାଣି ନେଇ ଯାଆନ୍ତି, କିନ୍ତୁ ସେମାନଙ୍କ ପାଖରେ ଜଳଖିଆ ନଥାଏ କିମ୍ବା ଏଥିପାଇଁ ଟଙ୍କା ମଧ୍ୟ ନଥାଏ। ତୃତୀୟ ଶ୍ରେଣୀରେ ପଢ଼ୁଥିବା ରାଣୀ ବାରିକ କୁହେ, ତା’କୁ ସ୍କୁଲରେ ପହଞ୍ଚିବାକୁ ଏକ ଘଣ୍ଟା ଲାଗିଥାଏ, କାରଣ ସେ ଟିକେ ଅଳସୁଆ ଏବଂ ସାଙ୍ଗମାନଙ୍କ ଆସିବାକୁ ଅପେକ୍ଷା କରି ରହିଥାଏ।

ରାଣୀର ଜେଜେ ମା’ ବକଟୀ ବାରିକ କୁହନ୍ତି, ଛଅ ଦଶନ୍ଧି ଧରି ଚାଲିଥିବା ସେମାନଙ୍କ ଗାଁ ସ୍କୁଲକୁ ବନ୍ଦ କରି ଦେବା ଏବଂ ପିଲାମାନଙ୍କୁ ଜଙ୍ଗଲ ରାସ୍ତାରେ ପାଖ ଗାଁ ସ୍କୁଲକୁ ପଠାଇବାରେ ଲାଭ କ’ଣ ସେ ବୁଝିପାରୁନାହାନ୍ତି। ‘‘କୁକୁର ଓ ସାପ ଭୟ ରହିଛି, ବେଳେବେଳେ ଭାଲୁ ମଧ୍ୟ ଚାଲି ଆସନ୍ତି। ଆପଣଙ୍କ ସହରରେ ଥିବା ମାତାପିତା ନିଜ ପିଲାଙ୍କୁ ସ୍କୁଲ ପଠାଇବା ଲାଗି ଏହାକୁ ଏକ ନିରାପଦ ମାର୍ଗ ବୋଲି ଗ୍ରହଣ କରିବେ କି?’’ ସେ ପ୍ରଶ୍ନ କରନ୍ତି।

ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ଏବେ ଛୋଟ ପିଲାଙ୍କୁ ସ୍କୁଲ ନେବା ଆଣିବାର ଦାୟିତ୍ୱ ଦିଆଯାଇଛି। ସପ୍ତମ ଶ୍ରେଣୀରେ ପଢ଼ୁଥିବା ଶୁଭଶ୍ରୀ ବେହେରାକୁ ନିଜର ଦୁଇ ସମ୍ପର୍କୀୟ ସାନ ଭାଇଭଉଣୀ ଭୂମିକା ଏବଂ ଓମ୍‌ ଦେହୁରୀଙ୍କୁ ନେବା ଆଣିବା ଲାଗି ଅନେକ କସରତ କରିବାକୁ ପଡ଼ୁଛି। ‘‘ସେମାନେ ସବୁବେଳେ ଆମ କଥା ଶୁଣନ୍ତି ନାହିଁ। ଯଦି ସେମାନେ ଦୌଡ଼ିବା ଆରମ୍ଭ କଲେ, ପ୍ରତ୍ୟେକଙ୍କୁ ଗୋଡ଼ାଇ ଧରିବା ସମ୍ଭବ ନୁହେଁ,’’ ସେ କହିଥାଏ।

ମାମୀନା ପ୍ରଧାନଙ୍କ ପିଲାମାନେ - ସପ୍ତମ ଶ୍ରେଣୀରେ ପଢ଼ୁଥିବା ରାଜେଶ ଏବଂ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଲିଜା ନୂଆ ସ୍କୁଲକୁ ଚାଲି ଚାଲି ଯାଆନ୍ତି। ‘‘ପିଲାମାନଙ୍କୁ ପ୍ରାୟ ୧ ଘଣ୍ଟା ଚାଲି ଚାଲି ଯିବାକୁ ପଡ଼ୁଛି, କିନ୍ତୁ ଆମ ପାଖରେ ଆଉ କ’ଣ ଉପାୟ ଅଛି?’’ ଚାଳଛପର ଓ ଇଟା କାନ୍ଥ ଥିବା ନିଜ ଘରେ ବସି ଏହି ଦିନ ମଜୁରିଆ ଜଣଙ୍କ ଦୁଃଖର ସହିତ କହିଥାନ୍ତି। ସେ ଓ ତାଙ୍କ ସ୍ୱାମୀ ମହନ୍ତ କୃଷି ଋତୁରେ ଅନ୍ୟମାନଙ୍କ ଜମିରେ କାମ କରନ୍ତି ଏବଂ ଅନ୍ୟ ଦିନରେ ଅଣ-କୃଷି କାର୍ଯ୍ୟ କରିଥାନ୍ତି।

Mamina and Mahanto Pradhan in their home in Gunduchipasi. Their son Rajesh is in Class 7 and attends the school in Kharadi.
PHOTO • M. Palani Kumar
‘Our children [from Gunduchipasi] are made to sit at the back of the classroom [in the new school],’ says Golakchandra Pradhan, a retired teacher
PHOTO • M. Palani Kumar

ବାମ:  ଗୁଣ୍ଡୁଚିପଶିରେ ଥିବା ସେମାନଙ୍କ ଘରେ ମାମୀନା ଓ ମହନ୍ତ ପ୍ରଧାନ। ସପ୍ତମ ଶ୍ରେଣୀରେ ପଢ଼ୁଥିବା ସେମାନଙ୍କ ପୁଅ ରାଜେଶ ଖରଡ଼ିରେ ଥିବା ସ୍କୁଲକୁ ଯାଉଛନ୍ତି। ଡାହାଣ: ‘ଆମ ପିଲାମାନଙ୍କୁ (ଗୁଣ୍ଡୁଚିପଶିର) ଶ୍ରେଣୀର (ନୂଆ ସ୍କୁଲରେ) ପଛ ଧାଡ଼ିରେ ବସାଇ ଦିଆଯାଉଛି’, ଅବସରପ୍ରାପ୍ତ ଶିକ୍ଷକ ଗୋଲକଚନ୍ଦ୍ର ପ୍ରଧାନ କୁହନ୍ତି

Eleven-year-old Sachin (right) fell into a lake once and almost drowned on the way to school
PHOTO • M. Palani Kumar

୧୧ ବର୍ଷ ବୟସ୍କ ସଚିନ (ଡାହାଣ) ଥରେ ସ୍କୁଲକୁ ଯିବା ବାଟରେ ଏକ ହ୍ରଦରେ ପଡ଼ି ବୁଡ଼ିଯିବା ଅବସ୍ଥାକୁ ଚାଲି ଆସିଥିଲା

ଅଭିଭାବକମାନେ କୁହନ୍ତି ଯେ ସେମାନଙ୍କ ଗୁଣ୍ଡୁଚିପଶି ସ୍କୁଲରେ ପାଠପଢ଼ାର ମାନ ଭଲ ଥିଲା। ‘‘ଏଠାରେ ଆମ ପିଲାମାନଙ୍କୁ ଶିକ୍ଷକମାନେ ବ୍ୟକ୍ତିଗତ ଭାବେ ଧ୍ୟାନ ଦେଉଥିଲେ। (ନୂଆ ସ୍କୁଲରେ), ଆମ ପିଲାଙ୍କୁ ଶ୍ରେଣୀର ପଛ ଧାଡ଼ିରେ ବସେଇ ଦିଆଯାଉଛି,’’ ଗାଁର ମୂରବୀ ଗୋଲକ ଚନ୍ଦ୍ର ପ୍ରଧାନ (୬୮) କୁହନ୍ତି।

ନିକଟସ୍ଥ ସୁକିନ୍ଦା ବ୍ଲକର ସାଆଁତରାପୁର ଗାଁରେ ମଧ୍ୟ ଏକ ପ୍ରାଥମିକ ବିଦ୍ୟାଳୟ ୨୦୧୯ରେ ବନ୍ଦ ହୋଇଯାଇଥିଲା। ପିଲାମାନେ ଏବେ ଗାଁଠାରୁ ଦେଢ଼ କିଲୋମିଟର ଦୂର ଜାମୁପଶି ସ୍କୁଲକୁ ଯାଉଛନ୍ତି। ୧୧ ବର୍ଷ ବୟସ୍କ ଛାତ୍ର ସଚିନ ମଲିକକୁ ଥରେ ସ୍କୁଲ ଯିବା ବାଟରେ ଜଙ୍ଗଲି କୁକୁର ଗୋଡ଼ାଇ ଥିଲେ। ନିଜକୁ ବଞ୍ଚାଇବାକୁ ଯାଇ ସେ ଏକ ଜଳାଶୟରେ ପଡ଼ିଯାଇଥିଲା। ସଚିନର ବଡ଼ ଭାଇ ସୌରଭ କୁହନ୍ତି, ‘‘୨୦୨୧ ଶେଷ ଭାଗରେ ଏହି ଘଟଣା ଘଟିଥିଲା। ଦୁଇ ଜଣ ବଡ଼ ପିଲା ତା’କୁ ବୁଡ଼ିଯିବାରୁ ବଞ୍ଚାଇ ଥିଲେ। କିନ୍ତୁ ସମସ୍ତେ ଏତେ ଡରିଯାଇଥିଲେ ଯେ ପରଦିନ ଅଧିକାଂଶ ପିଲା ସ୍କୁଲ ଯାଇନଥିଲେ। ୨୧ ବର୍ଷ ବୟସ୍କ ସୌରଭ ଏଠାରୁ ୧୦ କିଲୋମିଟର ଦୂର ଡୁବୁରୀସ୍ଥିତ ଏକ ଷ୍ଟିଲ ପ୍ଲାଣ୍ଟରେ ଦିନ ମଜୁରିଆ ଭାବେ କାମ କରନ୍ତି।

ଜାମୁପଶି ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଚିକାଙ୍କ ସହାୟିକ ଭାବେ କାମ କରୁଥିବା ଜଣେ ବିଧବା ଲାବଣ୍ୟ ମଲିକ କୁହନ୍ତି, ସାଆଁତରାପୁର-ଜାମୁପଶି ରାସ୍ତାରେ ବଡ଼ ଲୋକଙ୍କୁ ମଧ୍ୟ ଭୋକିଲା ବୁଲା କୁକୁର ଆକ୍ରମଣ କରିଛନ୍ତି। “୧୫-୨୦ କୁକୁର ଏକାଠି ଆସନ୍ତି। ଥରେ ସେମାନେ ମୋତେ ଗୋଡ଼ାଇବାରୁ ମୁଁ ତଳେ ମୁହଁ ମାଡ଼ି ପଡ଼ିଯାଇଥିଲି। ଶେଷରେ ଗୋଟିଏ କୁକୁର ମୋ ଗୋଡ଼କୁ କାମୁଡ଼ି ଦେଇଥିଲା,’’ ସେ କୁହନ୍ତି।

ସାଆଁତରାପୁର ଗାଁରେ ୯୩ ପରିବାର ରୁହନ୍ତି, ଏମାନେ ମୁଖ୍ୟତଃ ଅନୁସୂଚିତ ଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ ସମୁଦାୟର ବାସିନ୍ଦା। ଗାଁ ସ୍କୁଲ ବନ୍ଦ ହେବା ବେଳକୁ ସେଠାରେ ୨୮ ଜଣ ପିଲା ପଢ଼ୁଥିଲେ। ଏବେ ଗାଁର ମାତ୍ର ୮-୧୦ ଜଣ ପିଲା ନିୟମିତ ସ୍କୁଲ ଯାଉଛନ୍ତି।

ସାଆଁତରାପୁରର ଗଙ୍ଗା ମଲିକ ଜାମୁପଶିରେ ଷଷ୍ଠ ଶ୍ରେଣୀରେ ପଢ଼ୁଛି। ଜଙ୍ଗଲ ରାସ୍ତାରେ ଯିବା ସମୟରେ ସେ ଏକ ବର୍ଷା ଦିନିଆ ଜଳାଶୟରେ ପଡ଼ିଯାଇଥିଲା। ସେବେଠାରୁ ସେ ସ୍କୁଲ ଯିବା ବନ୍ଦ କରି ଦେଇଥିଲା। ତା’ ବାପା ସୁଶାନ୍ତ ମଲିକ ଜଣେ ଦିନ ମଜୁରିଆ। ଉକ୍ତ ଘଟଣା ସମ୍ପର୍କରେ ମନେ ପକାଇ ସେ କୁହନ୍ତି, ‘‘ଗଙ୍ଗା ଉକ୍ତ ଜଳାଶୟରେ ମୁହଁ ଧୋଉଥିବା ସମୟରେ ଗୋଡ଼ ଖସିଯିବାରୁ ପଡ଼ିଯାଇଥିଲା। ସୌଭାଗ୍ୟବଶତଃ ସମ୍ପୂର୍ଣ୍ଣ ବୁଡ଼ିଯିବା ପୂର୍ବରୁ ତା’କୁ ଉଦ୍ଧାର କରାଯାଇଥିଲା। ସେବେଠାରୁ ସେ ପ୍ରାୟତଃ ସ୍କୁଲ ଯାଉନାହିଁ।’’

ବାସ୍ତବରେ, ଗଙ୍ଗା ନିଜର ଫାଇନାଲ ପରୀକ୍ଷା ପାଇଁ ସ୍କୁଲ ଯିବାକୁ ସାହସ ଜୁଟାଇ ପାରିନଥିଲା, କିନ୍ତୁ ସେ କହିଥାଏ, ‘‘ଯେମିତି ହେଉ ମୁଁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଗଲି।’’

ଆସ୍ପାୟାର ଇଣ୍ଡିଆର କର୍ମଚାରୀମାନଙ୍କୁ ସହାୟତା ପାଇଁ ରିପୋର୍ଟର ଧନ୍ୟବାଦ ଜଣାଇଛନ୍ତି

ଅନୁବାଦ : ଓଡ଼ିଶାଲାଇଭ୍‍

Kavitha Iyer

Kavitha Iyer has been a journalist for 20 years. She is the author of ‘Landscapes Of Loss: The Story Of An Indian Drought’ (HarperCollins, 2021).

Other stories by Kavitha Iyer
Photographer : M. Palani Kumar

M. Palani Kumar is Staff Photographer at People's Archive of Rural India. He is interested in documenting the lives of working-class women and marginalised people. Palani has received the Amplify grant in 2021, and Samyak Drishti and Photo South Asia Grant in 2020. He received the first Dayanita Singh-PARI Documentary Photography Award in 2022. Palani was also the cinematographer of ‘Kakoos' (Toilet), a Tamil-language documentary exposing the practice of manual scavenging in Tamil Nadu.

Other stories by M. Palani Kumar
Editor : Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE