ନିକଟସ୍ଥ ସ୍ୱାସ୍ଥ୍ୟସେବା ପାଇବା ପାଇଁ ଡ୍ୟାମର ଜଳଭଣ୍ଡାରରେ ଦୁଇଘଣ୍ଟା ଯାତ୍ରା କରିବାକୁ ପଡେ। ଅନ୍ୟ ବିକଳ୍ପଟି ହେଲା ଆଂଶିକ ତିଆରି ହୋଇଥିବା ରାସ୍ତାରେ ଏକ ଉଚ୍ଚ ପର୍ବତକୁ ପାର କରିବାକୁ ପଡେ।

ଏବଂ ପ୍ରବା ଗୋଲୋରି ନଅ ମାସର ଗର୍ଭବତୀ ଥିଲେ ଏବଂ ସନ୍ତାନ ପ୍ରସବର ନିକଟବର୍ତ୍ତି ଥିଲେ।

ମୁଁ ଯେତେବେଳେ କୋଟଗୁଡା ଗାଁରେ ଅପରାହ୍ନ ୨ଟା ପାଖାପାଖି ପହଁଚିଲି, ପ୍ରବାଙ୍କର ପଡୋଶୀମାନେ ତାଙ୍କର କୁଡିଆ ଚାରିପଟେ ଏକାଠିହୋଇ ଭାବୁଥିଲେ ଶିଶୁଟି ଜନ୍ମ ହୋଇପାରିବ ନାହିଁ।

୩୫ ବର୍ଷୀୟା ପ୍ରବା ନିଜର ତିନି ମାସର ପ୍ରଥମ ଶିଶୁକୁ ହରାଇ ଥିଲେ, ତାଙ୍କର ଝିଅ ଏବେ ଛଅ ବର୍ଷର। ସେ ଉଭୟଙ୍କୁ ନିଜ ଘରେ ବିନା କଷ୍ଟରେ ଜନ୍ମ ଦେଇଥିଲେ, ସ୍ଥାନୀୟ ଧାଈମାନଙ୍କ ସାହାଯ୍ୟରେ, ସ୍ଥାନୀୟ ପ୍ରସବ ପରିଚାରିକା। କିନ୍ତୁ ଏଥର ଧାଈମାନେ ଦ୍ୱିଧାଗ୍ରସ୍ତ ଥିଲେ, ସେମାନେ ଭାବୁଥିଲେ ଏହା ଏକ କଷ୍ଟକର ପ୍ରସବ ହେବ।

ଯେତେବେଳେ ଫୋନ୍‍ ବାଜିଲା ମୁଁ ସେହି ଅପରାହ୍ନରେ ଏକ ଖବର ଅନୁସନ୍ଧାନରେ ପାଖ ଗାଁରେ ଥିଲି। ଜଣେ ସାଙ୍ଗର ମୋଟର ବାଇକରେ (ମୋର ସ୍କୁଟି ଏହି ପାହାଡିଆ ରାସ୍ତାରେ ଯାଇପାରିବ ନାହିଁ) ମୁଁ ସଙ୍ଗେ ସଙ୍ଗେ କୋଟଗୁଡା ଅଭିମ୍ମୁଖେ ବାହାରିଗଲି ଯାହାକି ଓଡିଶାର ମାଲକାନଗିରି ଜିଲ୍ଲାରେ ମାତ୍ର ୬୦ ଜଣ ଲୋକଙ୍କୁ ନେଇ ଏକ ଛୋଟ ଗାଁ।

ମଧ୍ୟଭାରତର ଆଦିବାସୀବହୁଳ ଅନ୍ୟ ଅଞ୍ଚଳ ପରି ଚିତ୍ରକୋଣ୍ଡା ବ୍ଲକର ଏହି ଦୁର୍ଗମ ଛୋଟିଆ ଗାଁଟି ନକ୍‍ସଲପନ୍ଥୀ ଓ ରାଜ୍ୟର ସୁରକ୍ଷାବାହିନୀଙ୍କ ମଧ୍ୟରେ ବାରମ୍ବାର ସଂଘର୍ଷ ଦେଖିଛି। ରାସ୍ତାଘାଟ ଏବଂ ଅନ୍ୟାନ୍ୟ ଗମନା ଗମନ ସୁବିଧା ଏହି ଅଞ୍ଚଳରେ ବହୁତ ଖରାପ ଓ ଦୁର୍ଲଭ  ଅଟେ।

To help Praba Golori (left) with a very difficult childbirth, the nearest viable option was the sub-divisional hospital 40 kilometres away in Chitrakonda – but boats across the reservoir stop plying after dusk
PHOTO • Jayanti Buruda
To help Praba Golori (left) with a very difficult childbirth, the nearest viable option was the sub-divisional hospital 40 kilometres away in Chitrakonda – but boats across the reservoir stop plying after dusk
PHOTO • Jayanti Buruda

ପ୍ରବା ଗୋଲୋରିଙ୍କୁ(ବାମ) ଏକ କଷ୍ଟକର ଶିଶୁଜନ୍ମରେ ସାହାଯ୍ୟ କରିବା ପାଇଁ, ଏକ ମାତ୍ର ବାଟ ଥିଲା ୪୦ କିଲୋମିଟର ଦୂରରେ ଥିବା ଚିତ୍ରକୋଣ୍ଡାର ଉପଖଣ୍ଡସ୍ତ ରୀ ୟ ଚିକିତ୍ସାଳୟ, କିନ୍ତୁ ଜଳଭଣ୍ଡାରରେ ସଂଧ୍ୟ୍ୟା ପରେ ବୋଟ ଯାତାୟତ କରିନଥାଏ।

କୋଟଗୁଡାରେ ବାସ କରୁଥିବା ସ୍ୱଳ୍ପ ସଂଖ୍ୟକ ପରିବାରଗୁଡିକ ପରୋଜା ସଂମ୍ପ୍ରଦାୟର, ଯେଉଁମାନେକି ମୁଖ୍ୟତଃ ହଳଦି, ଅଦା, ଡାଲି ଓ ଧାନ ସହିତ ଅନ୍ୟ ଫସଲ ନିଜ ବ୍ୟବହାର ଓ ଏଠାକୁ ବୁଲିବାକୁ ଆସୁଥିବା ଲୋକମାନଙ୍କୁ ବିକ୍ରୀ କରିବା ପାଇଁ ଚାଷ କରିଥାଆନ୍ତି।

ଏଠାରୁ ୫ କିଲୋମିଟର ଦୂରରେ ଥିବା ଜୋଡାମ୍ବୋ ପଞ୍ଚାୟତର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡାକ୍ତରମାନେ ନିୟମିତ ଆସନ୍ତି ନାହିଁ। ଏବଂ ତାଲାବନ୍ଦ ସହିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଟି ବନ୍ଦ ହୋଇଯାଇଥିଲା ଯେତେବେଳେ କି ୨୦୨୦ ମସିହା ଅଗଷ୍ଟ ମାସରେ ପ୍ରବାର ପିଲା ଜନ୍ମ ସମୟ ଥିଲା। କୁଡୁମୁଲୁଗୁମା ଗାଁରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟି ଏଠାରୁ ୧୦୦ କିଲୋମିଟର ଦୂରରେ ଥିଲା। ଏଥର ପ୍ରବାଙ୍କର ଶଲ୍ୟ ଚିକିତ୍ସାର ଆବଶ୍ୟକତା ଥିଲା, ଯାହାକି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରାଯାଇପାରିବ ନାହିଁ।

ଏଣୁ ଏକମାତ୍ର ନିର୍ଭର ଯୋଗ୍ୟ ବାଟଥିଲା ୪୦ କିଲୋମିଟର ଦୂରରେ ଥିବା ଚିତ୍ରକୋଣ୍ଡାର ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ - କିନ୍ତୁ ଚିତ୍ରକୋଣ୍ଡା/ବାଲିମେଳା ଜଳଭଣ୍ଡାରରେ ସଂଧ୍ୟା ପରେ ବୋଟ୍‌ଗୁଡିକ ଚଳପ୍ରଚଳ କରନ୍ତି ନାହିଁ। ଉଚ୍ଚ ପର୍ବତରେ ଥିବା ଏହି ରାସ୍ତାରେ ମୋଟର ବାଇକରେ କିମ୍ବା  କଷ୍ଟରେ ଚାଲିକରି ଯିବାକୁ ପଡେ - ଯାହାକି ନଅ ମାସର ଗର୍ଭବତୀ ପ୍ରବାଙ୍କ ପକ୍ଷେ ସଂପୂର୍ଣ୍ଣ ରୁପେ ଅନୁପଯୁକ୍ତ ଥିଲା।

ମାଲକାନଗିରି ଜିଲ୍ଲା କାର୍ଯ୍ୟାଳୟରେ ଥିବା ମୋର ଚିହ୍ନା ପରିଚିତ ଲୋକଙ୍କଠାରୁ ସାହାଯ୍ୟ ପାଇବା ପାଇଁ ମୁଁ ଚେଷ୍ଟା କଲି, କିନ୍ତୁ ସେମାନେ କହିଲେ ସେହି ଖରାପ ରାସ୍ତାରେ ଆମ୍ବୁଲାନ୍ସ ପଠାଇବା ସମ୍ଭବ ନୁହେଁ। ଜିଲ୍ଲା ଡାକ୍ତରଖାନାରେ ଜଳ ଆମ୍ବୁଲାନ୍ସର ସୁବିଧା ଥିଲା କିନ୍ତୁ ତାଲାବନ୍ଦ କାରଣରୁ ତାହା ଯାଇ ପାରିନଥିଲା।

ତାପରେ ମୁଁ ଜଣେ ସ୍ଥାନୀୟ ଆଶା କର୍ମୀଙ୍କୁ (ମାନ୍ୟତାପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ) ଏକ ଘରୋଇ ପିକ୍‍ଅପ ଭ୍ୟାନ୍‍ ଆଣିବାକୁ ରାଜି କରାଇଲି। ତାହାର ଭଡା ୧୨୦୦ ଟଙ୍କା ଥିଲା। ସେ କେବଳ ପରଦିନ ସକାଳେ ଆସିପାରିବ।

The state's motor launch service is infrequent, with unscheduled suspension of services. A privately-run boat too stops plying by evening. So in an emergency, transportation remains a huge problem
PHOTO • Jayanti Buruda

ରାଜ୍ୟର ମୋଟର ଲଞ୍ଚ ସେବା ଅନିୟମିତ ଅଟେ, ଏହାର ସେବାକୁ ବିନା ସୂଚନାରେ ବନ୍ଦ କରିଦିଆଯାଏ। ଘରୋଇ ବୋ ଟ୍‌ ଟି ମଧ୍ୟ ସଂଧ୍ୟା ସୁଦ୍ଧା ଯାତାୟତ ବନ୍ଦ କରିଦିଏ। ତେଣୁ ଜରୁରୀକାଳୀନ ସମୟରେ ଗମନାଗମନ ଏଠାରେ ଏକ ବଡ ସମସ୍ୟା ହୋଇ ରହିଆସିଛି

ଆମେମାନେ ବାହାରିଗଲୁ। ପାହାଡ ଉପରେ ନିର୍ମାଣ କରାଯାଉଥିବା ରାସ୍ତାରେ ପ୍ରବାକୁ ନେଉଥିବା ଭ୍ୟାନ୍‍ଟି ଖରାପ ହୋଇଗଲା। ଜାଳେଣୀ କାଠ ନେବା ପାଇଁ ଆସିଥିବା ସୀମା ସୁରକ୍ଷା ବାହିନୀର ଏକ ଟ୍ରାକ୍ଟରକୁ ଆମେ ଦେଖିଲୁ ଏବଂ ଆମକୁ ସାହାଯ୍ୟ କରିବା ପାଇଁ ସେମାନଙ୍କୁ ଅନୁରୋଧ କଲୁ। ପାହାଡ ଉପରେ ଥିବା ସୀମା ସୁରକ୍ଷା ବଳ ଶିବିରକୁ ସେମାନେ ଆମକୁ ନେଇଗଲେ। ହନ୍ତଳଗୁଡାରେ ଥିବା ଶିବିରର ଅଧିକାରୀମାନେ ପ୍ରବାଙ୍କୁ ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିବାର ବ୍ୟବସ୍ଥା କଲେ।

ଡାକ୍ତରଖାନାର କର୍ମଚାରୀମାନେ କହିଲେ ୬୦ କିଲୋମିଟର ଦୂରରେ ଥିବା ମାଲକାନଗିରି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ତାଙ୍କୁ ନେବାକୁ ପଡିବ। ସେଠାକୁ ଯିବା ପାଇଁ ସେମାନେ ଏକ ଗାଡିର ବ୍ୟବସ୍ଥା କଲେ।

ମୁଁ ପ୍ରଥମ ଥର କୋଟଗୁଡାକୁ ହଠାତ୍‍ ଯିବାର ଏକ ଦିନ ପରେ, ଆମେ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ବିଳମ୍ବିତ ଅପରାହ୍ନରେ ପହଁଚିଲୁ ।

ସେଠାରେ ପ୍ରବା ତିନି ଦିନର କଷ୍ଟ  ସହିଲେ ଯେତେବେଳେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନେ ପ୍ରସବ ପାଇଁ ଚେଷ୍ଟା କଲେ ମାତ୍ର ସଫଳ ହେଲେ ନାହିଁ। ଶେଷରେ ଆମମାନଙ୍କୁ କୁହାଗଲା ଯେ ତାଙ୍କର ସିଜରିଆନ୍‍ ଅସ୍ତ୍ରୋପଚାର କରାଯିବ।

ଅଗଷ୍ଟ ୧୫ ତାରିଖ ଦିନ ଅପରାହ୍ନରେ ପ୍ରବା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ-ତାର ଓଜନ ସଠିକ୍‍ ତିନି କିଲୋ ଥିଲା। କିନ୍ତୁ ଡାକ୍ତରମାନେ କହିଲେ ତା‘ର ସ୍ୱାସ୍ଥ୍ୟାବସ୍ଥା ଜଟିଳ ଅଛି। ପିଲାଟିର ମଳତ୍ୟାଗ କରିବା ପାଇଁ ଦ୍ୱାର ନଥିଲା ଏବଂ ତୁରନ୍ତ ଅସ୍ତ୍ରପୋଚାରର ଆବଶ୍ୟକତା ଥିଲା। ମାଲକାନଗିରି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଏହି ଅସ୍ତ୍ରୋପଚାର କରିବା ପାଇଁ ଆବଶ୍ୟକୀୟ ଉପକରଣ ନଥିଲା।

ଏଠାରୁ ୧୫୦ କିଲୋମିଟର ଦୂର କୋରାପୁଟରେ ଥିବା ନୂତନ ଓ ସମସ୍ତ ସୁବିଧା ଥିବା ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଶିଶୁଟିକୁ ଭର୍ତ୍ତି କରିବାର ଥିଲା।

Kusama Naria (left), nearly nine months pregnant, walks the plank to the boat (right, in red saree) for Chitrakonda to get corrections made in her Aadhaar card
PHOTO • Jayanti Buruda
Kusama Naria (left), nearly nine months pregnant, walks the plank to the boat (right, in red saree) for Chitrakonda to get corrections made in her Aadhaar card
PHOTO • Jayanti Buruda

କୁସମ ନରିଆ (ବାମ), ପାଖାପାଖି ନଅ ମାସର ଗର୍ଭବତୀ, ନିଜ ଆଧାର କାର୍ଡରେ ସଂଶୋଧନ ନିମନ୍ତେ ଚିତ୍ରକୁଣ୍ଡାକୁ ଯିବା ପାଇଁ ଏକ କାଠ ପଟା ଉପରେ ଚାଲିକରି ବୋ ଟ୍‌ କୁ (ଡାହାଣ, ନାଲି ଶାଢୀରେ) ଗଲେ

ପିଲାଟିର ବାପା ପୋଡୁ ଗୋଲାରି, ଏପର୍ଯ୍ୟନ୍ତ ଗଭୀର ନୈରାଶ୍ୟରେ ଥିଲେ ଏବଂ ତା‘ର ମା ଅଚେତ ଅବସ୍ଥାରେ ଥିଲେ। ଏଣୁ ଆଶା କର୍ମୀ (ଯିଏକି ପ୍ରଥମେ ଭ୍ୟାନ୍‍ରେ କୋଟଗୁଡା ଗାଁରୁ ଆସିଥିଲେ)ଏବଂ ମୁଁ ପିଲାଟିକୁ କୋରାପୁଟ ନେଇକରି ଗଲୁ। ଏହା ଥିଲା ଅଗଷ୍ଟ ୧୫ ତାରିଖ ଦିନ ସଂଧ୍ୟା ପାଖାପାଖି ୬ ଘଟିକା ସମୟ।

ଆମେ ଯାଉଥିବା ସ୍ୱାସ୍ଥ୍ୟକେନ୍ଦ୍ରର ଆମ୍ବୁଲାନ୍ସଟି ମାତ୍ର ତିନି କିଲୋମିଟର ଯିବା ପରେ ଖରାପ ହୋଇଗଲା। ଆମେ ଡାକିଥିବା ଦ୍ୱିତୀୟ ଆମ୍ବୁଲାନ୍ସଟି ଆଉ ୩୦ କିଲୋମିଟର ଯିବା ପରେ ଖରାପ ହୋଇଗଲା। ଆଉ ଗୋଟେ ଆମ୍ବୁଲାନ୍ସ ଆସିବାକୁ ଆମେ ଗଭୀର ଜଙ୍ଗଲରେ ବର୍ଷା ରାତିରେ ଅପକ୍ଷାକରି ରହିଲୁ। ଶେଷରେ ଆମେ ତାଲାବନ୍ଦରେ ଥିବା କୋରାପୁଟରେ ମଧ୍ୟରାତ୍ର ପରେ ପହଁଚିଲୁ।

ସେଠାରେ ଡକ୍ତରମାନେ ଶିଶୁଟିକୁ ସାତ ଦିନ ପାଇଁ ICU ରେ ସ୍ୱାସ୍ଥ୍ୟଗତ ପର୍ଯ୍ୟବେକ୍ଷଣରେ ରଖିଲେ। ଏହି ସମୟରେ ଆମେମାନେ ପବାଙ୍କୁ (ପୋଡୁଙ୍କ ସହିତ) ବସ୍‍ ମାଧ୍ୟମରେ କୋରାପୁଟ ଆଣିବାକୁ ସକ୍ଷମ ହେଲୁ ଯାହାଦ୍ୱାରା କି ସେ ପ୍ରଥମଥର ଦୀର୍ଘ ଏକ ସପ୍ତାହ ପରେ ନିଜ ଶିଶୁକୁ ଦେଖିପାରିଲେ। ଏବଂ ଏହା ପରେ ଡାକ୍ତରମାନେ ଆମକୁ କହିଲେ ଶିଶୁରୋଗ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ହେଉଥିବା ଆନୁଷଙ୍ଗିକ ସୁବିଧା ଓ ବିଶେଷଜ୍ଞ ଡାକ୍ତର ଏଠାରେ ନାହାନ୍ତି।

ଶିଶୁଟିକୁ ଅନ୍ୟ ଏକ ଡାକ୍ତରଖାନାକୁ ନେବାକୁ ପଡିବ। ତାହା ଥିଲା ଏଠାରୁ ୭୦୦ କିଲୋମିଟର ଦୂର ବରହମ୍‍ପୁରରେ (ବ୍ରହ୍ମପୁର ନାମରେ ମଧ୍ୟ ଜଣା) ଥିବା ଏମକେସିଜି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ। ଆମେ ପୁନର୍ବାର ଆଉ ଏକ ଆମ୍ବୁଲାନ୍ସ ପାଇଁ ଅପେକ୍ଷା କଲୁ ଏବଂ ନିଜକୁ ଆଉ ଏକ ଲମ୍ବା ଯାତ୍ରା ପାଇଁ ପ୍ରସ୍ତୁତ ରଖିଲୁ।

ଆମ୍ବୁଲାନ୍ସଟି ରାଜ୍ୟ ସରକାରଙ୍କ ଅନୁଷ୍ଠାନରୁ ଆସିଥିଲା, କିନ୍ତୁ ଯେହେତୁ ସେହି ଅଞ୍ଚଳ ସମ୍ବେଦନଶୀଳ ଥିଲା ଆମକୁ ଖର୍ଚ୍ଚ ପାଇଁ ପାଖାପାଖି ୫୦୦ ଟଙ୍କା ଦେବାକୁ ପଡିଲା। (ମୁଁ ଓ ମୋ ସାଙ୍ଗ ଏହି ସମସ୍ତ ଖର୍ଚ୍ଚ ବହନ କଲୁ - ଆମେମାନେ ମୋଟ ଉପରେ ୩୦୦୦ ରୁ ୪୦୦୦ ଟଙ୍କା ଏହି ସବୁ ହସ୍ପିଟାଲ‍କୁ ଯିବା ପାଇଁ ଖର୍ଚ୍ଚ କଲୁ)। ମୁଁ ଯାହା ମନେ ପକାଉଛି ବରହମପୁର ହସ୍ପିଟାଲରେ ପହଁଚିବା ପାଇଁ ଆମକୁ ବାର ଘଣ୍ଟାରୁ ଅଧିକ ସମୟ ଲାଗିଲା।

People of Tentapali returning from Chitrakonda after a two-hour water journey; this jeep then takes them a further six kilometres to their hamlet. It's a recent shared service; in the past, they would have to walk this distance
PHOTO • Jayanti Buruda

ଦୁଇ ଘଣ୍ଟାର ଜଳ ଯାତ୍ରା ପରେ ତେଣ୍ଟାପଲିର ଲୋକମାନେ ଚିତ୍ରକୋଣ୍ଡାରୁ ଫେରନ୍ତି; ଏହି ଜିପ୍‌ଟି ତା’ପରେ ଛଅ କିଲୋମିଟର ରାସ୍ତା ଅତିକ୍ରମ କରି ସେମାନଙ୍କୁ ଗାଁରେ ପହଁଚାଇଥାଏ। ଏହା ହେଉଛି ବର୍ତ୍ତମାନର ଏକ ସହଯାତ୍ରା ସେବା; ପୂର୍ବରୁ ସେମାନଙ୍କୁ ଏହି ବାଟ ଚାଲିକରି ଯିବାକୁ ପଡୁଥିଲା

ଏହି ସମୟରେ ଆମକୁ ଚାରୋଟି ବିଭିନ୍ନ ଡାକ୍ତରଖାନାକୁ ଭ୍ୟାନ, ଟ୍ରାକ୍ଟର, ଏକାଧିକ ଆମ୍ବୁଲାନ୍ସ ଓ ବସ୍‍ ରେ  - ଚିତ୍ରକୋଣ୍ଡା, ମାଲକାନଗିରି ମୁଖ୍ୟକାର୍ଯ୍ୟାଳୟ ଏବଂ ବରହମପୁର - ଏବଂ ପାଖାପାଖି ଏକ ୧୦୦୦ କିଲୋମିଟର ଯାତ୍ରା କରିଥିଲୁ।

ଅସ୍ତ୍ରୋପଚାର ଜଟିଳ ଥିଲା ବୋଲି ଆମକୁ ଜଣାଇ ଦିଆଯାଇଥିଲା। ଶିଶୁଟିର ଫୁସ୍‍ଫୁସ୍‍ରେ ମଧ୍ୟ କ୍ଷତ ସୃଷ୍ଟି ହୋଇଥିଲା ଏବଂ ଏହାକୁ ଅସ୍ତ୍ରୋପଚାର କରି କାଢିଦିଆ ଗଲା। ମଳ ବାହାର କରିବା ନିମନ୍ତେ ପାକସ୍ଥଳୀରେ ଏକ ଛିଦ୍ର କରାଗଲା। ସ୍ଥାୟୀ ଛିଦ୍ର ନିମନ୍ତେ ଏକ ଦ୍ୱିତୀୟ ଅସ୍ତ୍ରୋପଚାରର ଆବଶ୍ୟକତା ଥିଲା, କିନ୍ତୁ ତାହା କେବଳ କରାଯାଇ ପାରିବ ଯେବେ ଶିଶୁଟିର ଓଜନ ଆଠ କିଲୋ ହେବ।

ମୁଁ ଶେଷ ଥର ଯେବେ ତାଙ୍କ ପରିବାରର ସଂସ୍ପର୍ଶରେ ଆସିଥିଲି, ଶିଶୁଟି ଆଠ ମାସର ହୋଇଥିଲା, କିନ୍ତୁ ଏହି ମାଇଲ ଖୁଣ୍ଟକୁ ଛୁଇଁ ନଥିଲା। ଦ୍ୱିତୀୟ ଅସ୍ତ୍ରୋପଚାରଟି ଏପର୍ଯ୍ୟନ୍ତ ବି ସ୍ଥଗିତ ରହିଛି।

ଅସଂଖ୍ୟ ବାଧାବିଘ୍ନ ସତ୍ତ୍ଵେ ଜନ୍ମ ହେବାର ଏକ ମାସ ପରେ ଶିଶୁଟିର ନାମ କରଣ ଉତ୍ସବକୁ ମୋତେ ଡକା ଯାଇଥିଲା। ଏବଂ ମୁଁ ତା’ର ନାମ ମୃତ୍ୟୁଞ୍ଜୟ ଦେଇଥିଲି - ମୃତ୍ୟୁକୁ  ଯିଏ ଜୟ କରିଛି। ସେହି ଦିନ ଥିଲା ୨୦୨୦ ମସିହା, ଅଗଷ୍ଟ ୧୫ ତାରିଖ, ଭାରତର ସ୍ୱାଧିନତା ଦିବସ - ସେ ନିଜ ଭାଗ୍ୟ ସହିତ ସେହି ଯୁଦ୍ଧରେ ମଧ୍ୟ ରାତ୍ରିରେ ନିଜ ମା’ଙ୍କ ପରି ବିଜୟୀ ହୋଇଥିଲେ।

*****

ଯେତେବେଳେ କି ପ୍ରବାଙ୍କର କଠୋର ପରୀକ୍ଷା ବହୁତ କଷ୍ଟକର ଥିଲା, ମାଲକାନଗିରି ଜିଲ୍ଲାର ଆଦିବାସୀ ବହୁଳ ସୁଦୂର ଗାଁ ଗୁଡିକରେ, ଜନ ସ୍ୱାସ୍ଥ୍ୟ ସୁବିଧା ଓ ଗମନାଗମନ ସୁବିଧା ବିକ୍ଷିପ୍ତ ଭାବରେ ରହିଥିଲା। ମହିଳାମାନେ ଦୈନନ୍ଦିନ ଜୀବନରେ ଏହି ଭଳି ବିପଦପୂର୍ଣ୍ଣ ପରିସ୍ଥିତିରେ ପଡୁଛନ୍ତି।

ମାଲକାନଗିରିର ୧୦୫୫ଟି ଗାଁର ସମୁଦାୟ ଜନସଂଖ୍ୟାର ୫୭ ଶତାଶଂ ହେଉଛନ୍ତି ଅନୁସୂଚିତ ଜନଜାତି ସମ୍ପ୍ରଦାୟର- ମୁଖ୍ୟତଃ ପରଜା ଓ କୋୟା। ଯେତେବେଳେ କି ବିଭିନ୍ନ ଭାବରେ ଏହି ସମ୍ପ୍ରଦାୟର କଳା, ସଂସ୍କୃତି ଏବଂ ପ୍ରାକୃତିକ ସମ୍ପଦ ଓ ଏହି ଅଞ୍ଚଳକୁ ମନେପକାଯାଏ, ଲୋକମାନଙ୍କର ଆବଶ୍ୟକ ହେଉଥିବା ସ୍ୱାସ୍ଥ୍ୟ ସୁବିଧାକୁ ଉପେକ୍ଷା କରାଯାଏ। ଏହି ଅଞ୍ଚଳର ଅବସ୍ଥିତି- ପାହାଡ ଜଙ୍ଗଲ ଅଞ୍ଚଳ ଓ ଜଳ ସମ୍ପଦ- ଏହା ସହିତ ବହୁ ବର୍ଷର ସଂଘର୍ଷ ଓ ରାଜ୍ୟ ସରକାରଙ୍କ ଅବହେଳା ଏହି ଅଞ୍ଚଳରେ ଜୀବନ ରକ୍ଷାକାରୀ ସେବାଗୁଡିକୁ ଦୁର୍ଲଭ କରିଦେଇଛି।

People of Tentapali returning from Chitrakonda after a two-hour water journey; this jeep then takes them a further six kilometres to their hamlet. It's a recent shared service; in the past, they would have to walk this distance
PHOTO • Jayanti Buruda

ପୁରୁଷଲୋକମାନେ କ୍ୱଚିତ୍‍ ବୁଝିପାରନ୍ତି ଯେ ଆମ ପରି ମହିଳାମାନଙ୍କର ମଧ୍ୟ ହୃଦୟ ଅଛି ଓ ଆମେ ବି ଯନ୍ତ୍ରଣା ଅନୁଭବ କରିପାରୁ। ସେମାନେ ଭାବନ୍ତି ଆମେ କେବଳ ସନ୍ତାନ ପ୍ରସବ କରିବା ପାଇଁ ଜନ୍ମ ହୋଇଛୁ’

ଅତିକମ୍‍ରେ ମାଲକାନଗିରି ଜିଲ୍ଲାର ୧୫୦ଟି ଗାଁ କୁ ରାସ୍ତା ସଂଯୋଗ ହୋଇନାହିଁ (୨୦୨୦ ମସିହା ଫେବୃୟାରୀ ୧୮ ତାରିଖ ଦିନ ରାଜ୍ୟ ବିଧାସଭାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ପ୍ରତାପ ଜେନା କହିଲେ ଓଡିଶାରେ ୧୨୪୨ଟି ଗାଁକୁ ରାସ୍ତା ସଂଯୋଗ ହୋଇନାହିଁ)

ଏମାନଙ୍କ ମଧ୍ୟରୁ  କୋଟାଗୁଡାରୁ ୨ କିଲୋମିଟର ଦୂର ତେଣ୍ଟାପଲି ହେଉଛି ଅନ୍ୟତମ, ଯେଉଁଠିକୁ କୌଣସି ରାସ୍ତା ସଂଯୋଗ ହୋଇ ନାହିଁ। "ତେଣ୍ଟାପଲିରେ ଦୀର୍ଘ ୭୦ ବର୍ଷ ହେଲା ରହିଆସୁଥିବା କମଲା ଖିଲ୍ଲୋ କହନ୍ତି, "ବାବୁ, ଆମର ଜୀବନ ଏଠାରେ ଜଳବନ୍ଦୀ ହୋଇ ରହିଛି ତେଣୁ ଆମେ ମଲେ କିମ୍ବା ବଞ୍ଚିଲେ କାହାର ଚିନ୍ତା କରିବାର ନାହିଁ। ଆମେ ଏହି ଜଳକୁ ଚାହିଁ ଆମ ଜୀବନର ଅଧିକାଂଶ ସମୟ ବିତାଇ ସାରିଲାଣୁ, ଯାହାକି ମହିଳା ଓ ଯୁବତୀମାନଙ୍କର ଦୁର୍ଦ୍ଦଶାକୁ ବହୁଗୁଣିତ କରିଛି।’’

ତେଣ୍ଟାପଲି, କୋଟଗୁଡା ଓ ଜଳଭଣ୍ଡାର ଅଞ୍ଚଳରେ ଥିବା ଜୋଡାମ୍ବୋ ପଞ୍ଚାୟତର ଲୋକମାନେ ଅନ୍ୟ ଗାଁକୁ ମୋଟର ବୋଟ୍‌ରେ ଯାଇଥାନ୍ତି, ଏହି ଯାତ୍ରା ୯୦ମିନିଟ୍‍ ରୁ ୪ଘଣ୍ଟା ଲାଗିଥାଏ। ୪୦ କିଲୋମିଟର ଦୂରରେ ଥିବା ଚିତ୍ରୋକୋଣ୍ଡାରେ ଉପଲବ୍ଧ ସ୍ୱାସ୍ଥ୍ୟସେବା ପାଇବାର ସବୁଠାରୁ ଉପଯୁକ୍ତ ବାଟ ହେଉଛି ବୋଟ୍। ୧୦୦ କିଲୋମିଟର ଦୂରରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପାଇଁ ଏଠାର ଲୋକଙ୍କୁ ବୋଟ୍‌ରେ ଯିବାକୁ ପଡେ ଓ ତା’ପରେ ଆଗକୁ  ବସ୍‍ରେ କିମ୍ବା ଏକ ଜିପ୍‍ରେ ଅନ୍ୟ ଯାତ୍ରୀଙ୍କ ସହ ଭଡା ଭାଗ କରି ଯାଆନ୍ତି।

ଜଳ ସଂପଦ ବିଭାଗ ଦ୍ୱାରା ଯୋଗାଇ ଦିଆଯାଇଥିବା ମୋଟର ଲଞ୍ଚ ସେବା ଭରସାଯୋଗ୍ୟ ନୁହେଁ, ଯାହାକି ବାରମ୍ବାର କୌଣସି ସୂଚନା ବିନା ବନ୍ଦ ହୋଇଯାଏ। ଏବଂ ଏହି ବୋଟ୍‌ଗୁଡିକ ଦିନରେ ଗୋଟିଏ ଥର ଯାତ୍ରା କରି ଫେରେ। ଏକ ଘରୋଇ ପରିଚାଳିତ ପାୱାର ବୋଟ୍‌ ସେବାର ଟିକେଟ୍‍ ପ୍ରତି ମୂଲ୍ୟ ୨୦ ଟଙ୍କା, ଯାହାକି ସରକାର ପରିଚାଳିତ ଲଞ୍ଚ ସେବା ମୂଲ୍ୟର ୧୦ ଗୁଣା। ଏହା ମଧ୍ୟ ସଂଧ୍ୟ୍ୟା ସୁଦ୍ଧା ନିଜର ସେବା ବନ୍ଦ କରିଦିଏ। ତେଣୁ ଜରୁରୀକାଳୀନ ସମୟରେ, ଗମନାଗମନ ଏକ ବଡ ସମସ୍ୟା ହୋଇ ରହିଛି।

କୋଟଗୁଡାର ତିନୋଟି ପିଲାଙ୍କ ମା ୨୦ବର୍ଷୀୟା କୁସୁମ ନରିଆ କୁହନ୍ତି,"ଆଧାରକାର୍ଡ ହେଉ କିମ୍ବା ଡାକ୍ତରଙ୍କୁ ସାକ୍ଷାତ୍‍ କରିବା, ଆମମାନଙ୍କୁ ଏମାନଙ୍କ ଉପରେ ନିର୍ଭର କରିବାକୁ ପଡେ [ପରିବହନର ମାଧ୍ୟମ] ଏବଂ ଏହି କାରଣରୁ ମହିଳାମାନେ ସନ୍ତାନ ପ୍ରସବ ପାଇଁ ଡାକ୍ତରଖାନା ଯିବା ପାଇଁ ରାଜି ହୁଅନ୍ତି ନାହିଁ।"

Samari Khillo of Tentapali hamlet says: 'We depend more on daima than the medical [services]. For us, they are doctor and god’
PHOTO • Jayanti Buruda
Samari Khillo of Tentapali hamlet says: 'We depend more on daima than the medical [services]. For us, they are doctor and god’
PHOTO • Jayanti Buruda

ତେଣ୍ଟାପଲି ଗାଁର ସମରି ଖିଲ୍ଲୋ କୁହନ୍ତି: ‘ଆମେ ଡାକ୍ତରମାନଙ୍କ ଅପେକ୍ଷା ଧାଈମା’ଙ୍କ ଉପରେ ଅଧିକ ନିର୍ଭର କରୁ [ସେବା]। ଆମମାନଙ୍କ ପାଇଁ ସେମାନେ ଡାକ୍ତର ଓ  ଭଗବାନ’

ସେ କୁହନ୍ତି ଯଦିଓ ଏବେ ଆଶା ଦିଦିମାନେ ଏହି ଦୁର୍ଗମ ଅଞ୍ଚଳମାନଙ୍କୁ ଯାଉଛନ୍ତି। କିନ୍ତୁ ଏହି ଆଶା ଦିଦିମାନଙ୍କର ବିଶେଷ କିଛି  ଅଭିଜ୍ଞତା ନାହିଁ କି ଏମାନେ ସବୁ ବିଷୟରେ ପରିଜ୍ଞାତ ନୁହନ୍ତି, ଏବଂ ସେମାନେ କେବଳ ମାସକେ ଥରେ ବା ଦୁଇଥର ଗାଁକୁ ବୁଲି ଆସି ଗର୍ଭବତୀ ମହିଳାମାନଙ୍କୁ ଆଇରନ୍‍ ବଟିକା, ଫଲିକ୍‍ ଏସିଡ ବଟିକା ଓ ଶୁଖିଲା ଖାଦ୍ୟ ଦିଅନ୍ତି। ଶିଶୁମାନଙ୍କର ଟୀକାକରଣର ରେକର୍ଡ ବିକ୍ଷିପ୍ତ ଓ ଅସମ୍ପୂର୍ଣ୍ଣ ହୋଇ ରହିଯାଏ। ଯେତେବେଳେ ଏକ କଷ୍ଟକର ସନ୍ତାନ ପ୍ରସବର ଆଶଙ୍କା କରାଯାଏ, ସେମାନେ ଗର୍ଭବତୀ ମହିଳାଙ୍କ ସହ ଡାକ୍ତରଖାନାକୁ ଯାଇଥାଆନ୍ତି।

ଏଠାର ଗାଁଗୁଡ଼ିକରେ ନିୟମିତ ବୈଠକ ଓ ସଚେତନ ଶିବିର କରାଯାଏ ନାହିଁ, ମହିଳା ଓ କିଶୋର ଯୁବତୀମାନଙ୍କ ସହିତ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ କୌଣସି ଆଲୋଚନା କରାଯାଏ ନାହିଁ। ଆଶାକର୍ମୀମାନଙ୍କର ବୈଠକଗୁଡିକ ବିଦ୍ୟାଳୟରେ ଅନୁଷ୍ଠିତ ହେବା କଥା ମାତ୍ର ଏହି ବୈଠକଗୁଡିକ କେବେବି ଅନୁଷ୍ଠିତ ହୁଏ ନାହିଁ କାରଣ କୋଟଗୁଡ଼ାରେ କୌଣସି ବିଦ୍ୟାଳୟ ନାହିଁ (ଯଦିଓ ତେଣ୍ଟାପଲିରେ ଏକ ବିଦ୍ୟାଳୟ ଅଛି ଯେଉଁଠିକି ଶିକ୍ଷକମାନେ କେବେବି ନିୟମିତ ଭାବରେ ଆସନ୍ତି ନାହିଁ) ଏବଂ ଅଙ୍ଗନବାଡ଼ି ଗୃହ ଅର୍ଦ୍ଧନିର୍ମିତ ଅବସ୍ଥାରେ ଅଛି।

ଏହି ଅଞ୍ଚଳର ଆଶା କର୍ମୀ ଯମୁନା ଖାରା କୁହନ୍ତି, ଯୋଡାମ୍ବୋ ପଞ୍ଚାୟତରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ କେବଳ ପ୍ରାଥମିକ ଚିକିତ୍ସାର ସୁବିଧା ମିଳିପାରିବ ଏବଂ ଗର୍ଭବତୀ ମହିଳା ଓ ଗୁରୁତର ରୋଗୀଙ୍କ ପାଇଁ ଏଠାରେ କୌଣସି ସୁବିଧା ନାହିଁ, ସେ ଏବଂ ଅନ୍ୟ ଦିଦିମାନେ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାପାଇଁ ପସନ୍ଦ କରିଥାଆନ୍ତି। "କିନ୍ତୁ ଏହା ବହୁତ ଦୂରରେ ଏବଂ ସଡକ ପଥରେ ଯିବା ପାଇଁ କୌଣସି ସୁବିଧା ନାହିଁ। ବୋଟ୍‌ରେ ଯାତ୍ରା ବିପଦପୂର୍ଣ୍ଣ ଅଟେ। ସରକାରୀ ଲଞ୍ଚ ସବୁବେଳେ ଚାଲେ ନାହିଁ। ତେଣୁ ବର୍ଷ ବର୍ଷ ଧରି ଆମେମାନେ ଧାଈମା [ପାରମ୍ପରିକ ପ୍ରସବ ସହାୟିକା, ଟିବିଏଏସ] ଙ୍କ ଉପରେ ନିର୍ଭର କରି ଆସୁଛୁ।"

ତେଣ୍ଟାପଲି ଗାଁର ସମରି ଖିଲୋ, ଯିଏକି ଜଣେ ପରଜା ଆଦିବାସୀ, ଦୃଢତାର ସହ କୁହନ୍ତି: "ଡାକ୍ତରଖାନା [ସେବା] ଅପେକ୍ଷା ଆମେମାନେ ଅଧିକ ଧାଈମା’ଙ୍କ ଉପରେ ଅଧିକ ନିର୍ଭର କରୁ। ମୋର ତିନୋଟି ପିଲାଙ୍କ ପ୍ରସବ ଧାଈମାଙ୍କ ସାହାଯ୍ୟରେ କରାଯାଇଥିଲା - ଆମ ଗାଁରେ ସେହି ପରି ତିନି ଜଣ ଅଛନ୍ତି।"

୧୫ଟି ପାଖାପାଖି ଗାଁର ମହିଳାମାନେ ବୋଧକି ଦୋକାରି ଉପରେ ନିର୍ଭର କରନ୍ତି - ଯାହାକି ସ୍ଥାନୀୟ ଦେଶୀୟ ଭାଷାରେ ପାରମ୍ପରିକ ପ୍ରସବ ସହାୟିକାମାନଙ୍କୁ ବୁଝାଏ। ସମରି କୁହନ୍ତି,"ସେମାନେ ଆମ ପାଇଁ ଆର୍ଶୀବାଦ କାରଣ ସେମାନଙ୍କ ଯୋଗୁ ଆମେମାନେ ଡାକ୍ତରଖାନା ନଯାଇ ନିରାପଦରେ ମା’ ହୋଇ ପାରୁଛୁ"। "ଆମମାନଙ୍କ ପାଇଁ ସେମାନେ ଡାକ୍ତର ଓ ଭଗବାନ। ସେମାନେ ମହିଳା ହୋଇଥିବାରୁ ଆମମାନଙ୍କର ଦୁଃଖକୁ ବୁଝନ୍ତି – ପୁରୁଷ ଲୋକମାନେ କ୍ୱଚିତ୍‍ ଅନୁଭବ କରନ୍ତି ଯେ ଆମମାନଙ୍କର ଦୃଦୟ ଅଛି ଓ ଆମେ ମଧ୍ୟ ଯନ୍ତ୍ରଣାକୁ ଅନୁଭବ କରିପାରୁ। ସେମାନେ ଭାବନ୍ତି ଆମେମାନେ କେବଳ ସନ୍ତାନ ପ୍ରସବ କରିବା ପାଇଁ ଜନ୍ମ ହୋଇଛୁ"।

Gorama Nayak, Kamala Khillo, and Darama Pangi (l to r), all veteran daima (traditional birth attendants); people of around 15 hamlets here depend on them
PHOTO • Jayanti Buruda

ଗୋରମା ନାୟକ, କମଳା ଖିଲୋ, ଓ ଡରମା ପାଙ୍ଗି (ଆଇ ଟୁ ଆର), ସମସ୍ତେ ପୋଖତ ଧାଈମା (ପାରମ୍ପରିକ ପ୍ରସବ ସହାୟିକା); ପାଖାପାଖି ୧୫ଟି ଗାଁର ଲୋକମାନେ ଏମାନଙ୍କ ଉପରେ ନିର୍ଭର କରନ୍ତି

ଧାଈମାନେ ମଧ୍ୟ ଗର୍ଭଧାରଣ କରିପାରୁନଥିବା ମହିଳାମାନଙ୍କୁ ସ୍ଥାନୀୟ ଚେରମୂଳି ଦେଇଥାଆନ୍ତି। ଯଦି ଏହା କାମ କରେ ନାହିଁ, ସେମାନଙ୍କ ସ୍ୱାମୀମାନେ ବେଳେବେଳେ ପୁନର୍ବିବାହ କରିଥାଆନ୍ତି।

କୁସୁମା ନରିଆ, ଯିଏକି ୧୩ ବର୍ଷ ବୟସରେ ବିବାହ କଲେ ୨୦ ବର୍ଷ ବୟସ ବେଳକୁ ସେ ତିନୋଟି ସନ୍ତାନଙ୍କୁ ଜନ୍ମ ଦେଇଥିଲେ, ସେ ମୋତେ କହିଲେ ଯେ ସେ ଏପରିକି ରଜଃସ୍ରାବ ବିଷୟରେ ଜାଣିନଥିଲେ, ଆଉ ଗର୍ଭନିରୋଧକ କଥା ଛାଡ। ସେ କୁହନ୍ତି, "ମୁଁ ଏକ ଛୋଟ ପିଲା ଥିଲି ଓ କିଛି ଜାଣିନଥିଲି"। "କିନ୍ତୁ ଯେତେବେଳେ ଏହା ହେଲା [ରଜଃସ୍ରାବ], ମୋ ମା ମୋତେ କପଡା ବ୍ୟବହାର କରିବାକୁ କହିଲେ ଓ ମୁଁ ପ୍ରାପ୍ତ ବୟସ୍କ ହୋଇଗଲିଣି କହି ମୋର ବିବାହ ସଙ୍ଗେସଙ୍ଗେ କରାଇଦେଲେ। ମୁଁ ଶାରୀରିକ ସମ୍ପର୍କ ବିଷୟରେ କିଛି ବି ଜାଣି ନଥିଲି। ମୋର ପ୍ରଥମ ପ୍ରସବ ସମୟରେ ସେ ମୋତେ ଏକୁଟିଆ ଡାକ୍ତରଖାନାରେ ଛାଡି ଚାଲିଗଲେ, ଯଦି ପିଲା ମରିଯିବ ତାକୁ ଖାତିରି ନକରି - କାରଣ ଶିଶୁଟି ଥିଲା ଏକ ଝିଅ। କିନ୍ତୁ ମୋର ଝିଅ ବଞ୍ଚିଗଲା।"

କୁସୁମଙ୍କର ଅନ୍ୟ ଦୁଇଟି ଶିଶୁ ହେଉଛନ୍ତି ପୁଅ। "ଅଳ୍ପ ବ୍ୟବଧାନରେ ମୁଁ ଯେତେବେଳେ ଦ୍ୱିତୀୟ ସନ୍ତାନ ପାଇଁ ମନାକଲି, ମୋତେ ମାଡ଼ ମରାଗଲା କାରଣ ସମସ୍ତେ ପୁତ୍ର ସନ୍ତାନ ପାଇଁ ଆଶାୟୀ ଥିଲେ। ମୋର କିମ୍ବା ମୋ ସ୍ୱାମୀଙ୍କର ଔଷଧ [ଗର୍ଭନିରୋଧକ] ବିଷୟରେ କୌଣସି ଧାରଣା ନଥିଲା। ମୁଁ ଯଦି ଜାଣି ଥାଆନ୍ତି, ମୁଁ ଏତେ ଯନ୍ତ୍ରଣା ପାଇ ନଥାନ୍ତି। କିନ୍ତୁ ମୁଁ ଯଦି ବିରୋଧ କରି ଥାଆନ୍ତି, ତେବେ ମୋତେ ଘରୁ ବାହାର କରି ଦିଆଯାଇଥାଆନ୍ତା।"

କୋଟଗୁଡାରେ କୁସୁମ ଘର ଠାରୁ ଅଳ୍ପ ଦୂରରେ ପ୍ରବା ରୁହନ୍ତି। ସେ ମୋତେ କୌଣସି ଏକ ଦିନ କହିଲେ: "ମୁଁ ବିଶ୍ୱାସ କରିପାରୁନାହିଁ ଯେ ମୁଁ ବଞ୍ଚିଛି। ମୁଁ ଜାଣିପାରୁ ନାହିଁ ଯାହା ସବୁ ସେ ସମୟରେ ଘଟିଗଲା ସେଗୁଡିକୁ ମୁଁ କିପରି ସହ୍ୟ କରୁଥିଲି, ମୁଁ ଭୟଙ୍କର ଯନ୍ତ୍ରଣା ପାଉଥିଲି, ମୋତେ ଏଭଳି ଯନ୍ତ୍ରଣାରେ ଦେଖି ମୋ ଭାଇ କାନ୍ଦୁଥିଲା। ପରେ ହସ୍ପିଟାଲରୁ ହସ୍ପିଟାଲକୁ ଯାତ୍ରା, ତାପରେ ଏହି ଶିଶୁ ଓ ତାକୁ କିଛି ଦିନ ମୁଁ ନଦେଖି ପାରିବା। ମୁଁ ଜାଣିପାରୁ ନାହିଁ ମୁଁ କିପରି ଏ ସବୁ ସହିଗଲି। ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ଏଭଳି ଅନୁଭୁତି କାହାକୁ ନଦିଅନ୍ତୁ। କିନ୍ତୁ ଆମେମାନେ ସମସ୍ତେ ଘାଟି [ପର୍ବତ] ଝିଅ ଓ ଆମ ସମସ୍ତଙ୍କର ଜୀବନ ସମାନ ଅଟେ।"

ପ୍ରବାଙ୍କର ମୃତ୍ୟୁଞ୍ଜୟକୁ ଜନ୍ମ କରିବାର ଅନୁଭୁତି - ଏବଂ ଏହି ଭଳି ଏହି ଗ୍ରାମର ବହୁତ ମହିଳାଙ୍କର କାହାଣୀ ଏବଂ ଆଦିବାସୀ ବହୁଳ ଭାରତର ଏହି ଅଞ୍ଚଳରେ ମହିଳାମାନେ କିପରି ପ୍ରସବ କରନ୍ତି - ହେଉଛି ସମ୍ପୂର୍ଣ୍ଣ ରୂପେ ଅବିଶ୍ୱସନୀୟ। କିନ୍ତୁ ଆମ ମାଲକାନଗିରିରେ କ’ଣ ହେଉଛି କେହିବି ଚିନ୍ତାକରନ୍ତି ନାହିଁ?

ପରୀ ଓ କାଉଣ୍ଟର ମେଡିଆ ଟ୍ରଷ୍ଟ ର ସାରା ଦେଶରେ ଗ୍ରାମୀଣ ଭାରତର  କିଶୋର ବାଳିକା ଓ ତରୁଣ ମହିଳାମାନଙ୍କ ଉପରେ ଗବେଷଣା ବିବରଣୀ ପ୍ରସ୍ତୁତ କରିବା ଯାହାକି ଜନସଂଖ୍ୟା ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ଙ୍କର ସହାୟତାରେ ଏହି ଗୁରୁତ୍ୱପୂର୍ଣ୍ଣ ତଥା ଅବହେଳିତ ବର୍ଗଙ୍କ ଅବସ୍ଥା ବିଷୟରେ ସେମାନଙ୍କ ଠାରୁ ଶୁଣି ଓ ସାଧାରଣ ଲୋକଙ୍କ ଜୀବନ୍ତ ଅନୁଭୂତିକୁ ଅନୁଭବ କରି ପରିପ୍ରକାଶ କରିବା ହେଉଛି ଲକ୍ଷ୍ୟ।

ଏହି ଅନୁଚ୍ଛେକୁ ପୁନଃପ୍ରକାଶ କରିବା କୁ ଚାହୁଁଛନ୍ତି କି? write to [email protected] with a cc to [email protected]

ଅନୁବାଦ: ଓଡ଼ିଶାଲାଇଭ୍

Jayanti Buruda

Jayanti Buruda of Serpalli village in Malkangiri, Odisha, is a full-time district reporter for Kalinga TV. She focuses on stories from rural areas, and on livelihoods, culture and health education.

Other stories by Jayanti Buruda
Illustration : Labani Jangi

Labani Jangi is a 2020 PARI Fellow, and a self-taught painter based in West Bengal's Nadia district. She is working towards a PhD on labour migrations at the Centre for Studies in Social Sciences, Kolkata.

Other stories by Labani Jangi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE