“କିଛି ବର୍ଷ ପୂର୍ବେ ଯାହା ଥିଲା ସେପରି ସ୍ଥିତି ଆଉ ନାହିଁ । ଆଜିର ମହିଳାମାନେ ବର୍ତ୍ତମାନର ଗର୍ଭନିରୋଧକ ପଦ୍ଧତି ସମ୍ପର୍କରେ ଭଲ ଭାବେ ସଚେତନ ଓ ସୂଚୀତ ଅଛନ୍ତି,” କହିଥିଲେ ସାଲା ଖାତୁନ, ଯିଏକି ଇଟା ଓ ଚୂନରେ ନିର୍ମିତ ସୂର୍ଯ୍ୟାଲୋକ ପଡ଼ିଥିବା ଏକ ବାରଣ୍ଡାରେ ଛିଡ଼ା ହୋଇଥିଲେ, ଯାହାର କାନ୍ଥରେ ସମୁଦ୍ର-ନୀଳ ରଙ୍ଗ ଦିଆଯାଇଥିଲା ।

ସେ ନିଜ ଅଭିଜ୍ଞତାରୁ କହୁଥିଲେ-ଗତ ଏକ ଦଶନ୍ଧି ହେବ ସାଲା ଓ ତାଙ୍କ ପୁତୁରାଙ୍କ ପତ୍ନୀ ଶମା ପରବିନ୍ ବିହାର ମଧୁବନୀ ଜିଲ୍ଲାର ହସନପୁର ଗ୍ରାମର ମହିଳାମାନଙ୍କ ପାଇଁ ଅଣସରକାରୀ ମାନ୍ୟତାପ୍ରାପ୍ତ ପରିବାର ନିୟୋଜନ ଓ ଋତୁସ୍ରାବ ପରାମର୍ଶଦାତ୍ରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି ।

ମହିଳାମାନେ ଅଧିକାଂଶ ସମୟରେ ସେମାନଙ୍କୁ ଗର୍ଭନିରୋଧକ, ଗର୍ଭଧାରଣରେ ବ୍ୟବଧାନ, ଟିକାକରଣର ସମୟ ଏବଂ ଅନ୍ୟାନ୍ୟ ବିଷୟରେ ପ୍ରଶ୍ନ ଓ ଅନୁରୋଧ କରିଥାନ୍ତି । ଆହୁରି କିଛି ମହିଳା ଆସି ଗୋପନୀୟ ଭାବେ ଇଞ୍ଜେକ୍ସନ ମାଧ୍ୟମରେ କୌଣସି ଗର୍ଭନିରୋଧକ ଗ୍ରହଣ କରିବା ପାଇଁ ଅନୁରୋଧ କରିଥାନ୍ତି ।

ଶମାଙ୍କ ଘରର ଗୋଟିଏ କୋଣରେ ଛୋଟିଆ ଗୁପ୍ତ କ୍ଲିନିକରେ, ଆଲମାରୀରେ ଔଷଧର ଛୋଟ ଶିଶି ଓ ଷ୍ଟ୍ରିପଗୁଡ଼ିକ ଥାଏ ।  ୪୦ ବର୍ଷୀୟା ଶମା ଏବଂ ୫୦ ବର୍ଷୀୟା ସାଲା, ସେମାନଙ୍କ ମଧ୍ୟରୁ କେହି  ଜଣେ ମଧ୍ୟ ତାଲିମପ୍ରାପ୍ତ ନର୍ସ ନୁହନ୍ତି, କିନ୍ତୁ ମାଂସପେଶୀରେ ଇଞ୍ଜେକ୍ସନ ଦେଇଥାନ୍ତି। “ବେଳେବେଳେ ମହିଳାମାନେ ଏକୁଟିଆ ଆସିଥାନ୍ତି, ଇଞ୍ଜେକ୍ସନ ନେଇ ଶୀଘ୍ର ପଳାଇ ଯାଇଥାନ୍ତି । ସେମାନଙ୍କ ଘରେ କେହି କିଛି ଜାଣନ୍ତି ନାହିଁ”, ସାଲା କୁହନ୍ତି । “ଅନ୍ୟମାନେ ସେମାନଙ୍କ ସ୍ୱାମୀ କିମ୍ବା ଅନ୍ୟ ମହିଳା ସମ୍ପର୍କୀୟଙ୍କ ସହିତ ଆସିଥାନ୍ତି ।”

ଫୁଲପରାସ ବ୍ଲକ ସାଇନି ଗ୍ରାମ ପଞ୍ଚାୟତ ଅଧୀନ ହସନପୁର ଗ୍ରାମରେ ୨୫୦୦ ବାସିନ୍ଦା ରହିଥାନ୍ତି, ଏକ ଦଶନ୍ଧି ପୂର୍ବେ ଏମାନେ ପରିବାର ନିୟୋଜନ ପଦ୍ଧତି ସମ୍ପର୍କରେ ସେତେଟା ପରିଚିତ ନଥିଲେ, କିନ୍ତୁ ଏବେ ଏକ ନାଟକୀୟ ପରିବର୍ତ୍ତନ ଆସିଛି ।

ଏହି ପରିବର୍ତ୍ତନ କାହିଁକି ଆସିଛି? “ ୟେ ଅନ୍ଦର କୀ ବାତ୍ ହୈ (ଏହା ଭିତିରି କଥା)”, ଶମା କୁହନ୍ତି।

In the privacy of a little home-clinic, Salah Khatun (left) and Shama Parveen administer the intra-muscular injection
PHOTO • Kavitha Iyer

ଏକ ଛୋଟିଆ ଘରୋଇ କ୍ଲିନିକର ଗୋପନୀୟତା ଭିତରେ , ସାଲା ଖାତୁନ (ବାମ) ଓ ଶମା ପରବୀନ ମାଂସପେଶୀରେ ଇଞ୍ଜେକ୍ସନ ଦେଇଥାନ୍ତି ।

ଅତୀତରେ ହସନପୁରରେ ଗର୍ଭନିରୋଧକର କମ୍ ଗ୍ରହଣୀୟତା ରାଜ୍ୟର ବ୍ୟାପକ ସ୍ଥିତିର ଚିତ୍ର ପ୍ରଦାନ କିରଥାଏ- ଏନଏଫଏଚଏସ-୪ (୨୦୧୫-୧୬) ର ସୂଚନା ଅନୁଯାୟୀ, ବିହାରରେ ମୋଟ ପ୍ରଜନନ ହାର ୩.୪ ପ୍ରତିଶତ-ଯାହାକି ସର୍ବଭାରତୀୟ ହାର ୨.୨ ଠାରୁ ବହୁ ଅଧିକ। (ଗର୍ଭଧାରଣ ସମୟରେ ମହିଳାମାନେ ଗର୍ଭରେ ଧାରଣ କରୁଥିବା ଶିଶୁଙ୍କ ସଂଖ୍ୟାକୁ ଟିଏଫଆର ମାଧ୍ୟମରେ ଦର୍ଶାଯାଇଥାଏ)

ରାଜ୍ୟର ଟିଏଫଆର ଏନଏଫଏଚଏସ-୫ (୨୦୧୯-୨୦) ରେ ୩କୁ ହ୍ରାସ ପାଇଛି, ଏବଂ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ୪ ଓ ୫ ରାଉଣ୍ଡ ମଧ୍ୟରେ ରାଜ୍ୟରେ ଗର୍ଭନିରୋଧକର ବ୍ୟବହାରରେ ବୃଦ୍ଧି ଯୋଗୁଁ ଏହି ସଂଯୋଗ ସୃଷ୍ଟି ହୋଇଛି-ଯାହାକି ୨୪.୧ ପ୍ରତିଶତରୁ ୫୫.୮ ପ୍ରତିଶତକୁ ବୃଦ୍ଧି ପାଇଛି।

ନସବନ୍ଦୀ- ମହିଳାଙ୍କ ବନ୍ଧ୍ୟାକରଣ ପାଇଁ ଏକ ପ୍ରକ୍ରିୟା- ସମସ୍ତ ଆଧୁନିକ ପରିବାର ନିୟୋଜନ ପଦ୍ଧତି ମଧ୍ୟରେ ସର୍ବାଧିକ ଲୋକପ୍ରିୟ, ୮୬ ପ୍ରତିଶତ ମାମଲାରେ ଏହାର ଉପଯୋଗ କରାଯାଇଥାଏ (ଏନଏଫଏଚଏସ-୪ ସୂଚନା ମିଳିଥାଏ)। ଏନଏଫଏଚଏସ-୫ରେ ଏହାର ବିସ୍ତୃତ ତଥ୍ୟକୁ ଅପେକ୍ଷା କରାଯାଇଛି, କିନ୍ତୁ ପିଲାଙ୍କ ଜନ୍ମ ମଧ୍ୟରେ ବ୍ୟବଧାନକୁ ସୁନିଶ୍ଚିତ କରିବା ଲାଗି ଇଞ୍ଜେକ୍ସନ ମାଧ୍ୟମରେ ଦିଆଯାଉଥିବା ଗର୍ଭନିରୋଧକ ଭଳି ନୂଆ ପଦ୍ଧତି, ବର୍ତ୍ତମାନ ରାଜ୍ୟ ନୀତିର ପ୍ରମୁଖ ଉପାଦାନ ପାଲଟିଛି।

ହସନପୁରରେ ମଧ୍ୟ, ଯାହା ସାଲା ଓ ଶମା କହିଥାନ୍ତି, ଅଧିକାଂଶ ମହିଳା ଗର୍ଭନିରୋଧ ପାଇଁ-ମୁଖ୍ୟତଃ ବଟିକା, କିନ୍ତୁ ଅଧିକ ହରମୋନ ଇଞ୍ଜେକ୍ସନର ବ୍ୟବହାର କରିଥାନ୍ତି, ଯାହାକୁ ଡିପୋଟ-ମେଡ୍ରୋକ୍ସି ପ୍ରୋଗେଷ୍ଟେରୋନ ଆସେଟେଟ (ଡିଏମପିଏ) କୁହାଯାଏ, ଭାରତରେ ଏହା ‘ଡିପୋ-ପ୍ରୋଭେରା’ ଏବଂ ‘ପରୀ’ ନାମରେ ବିକ୍ରି ହୋଇଥାଏ। ସରକାରୀ ଡାକ୍ତରଖାନା ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ କେନ୍ଦ୍ରରେ ‘ଅନ୍ତରା’ ବ୍ରାଣ୍ଡ ନାମରେ  ଡିଏମପିଏ ମିଳିଥାଏ। ୨୦୧୭ରେ ଭାରତରେ ଏହାର ଆରମ୍ଭ ପୂର୍ବରୁ ‘ଡିପୋ’କୁ ପଡ଼ୋଶୀ ଦେଶ ନେପାଳରୁ ବିହାରକୁ ଅଣାଯାଉଥିଲା। ବ୍ୟକ୍ତିବିଶେଷ ଏବଂ ସ୍ୱେଚ୍ଛାସେବୀ ସଂସ୍ଥା ସମେତ ଘରୋଇ ସଂଗଠନଗୁଡ଼ିକ ଏହାକୁ ଆଣୁଥିଲେ। ଏହା ଗୋଟିଏ ଇଞ୍ଜେକ୍ସନ ପିଛା ୨୪୫ରୁ ୩୫୦ ଟଙ୍କାରେ ବିକ୍ରି ହୋଇଥାଏ, ତେବେ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଡାକ୍ତରଖାନାରେ ଏହା ମାଗଣାରେ ମିଳିଥାଏ।

ଏହି ଇଞ୍ଜେକ୍ସନକୁ ପୂର୍ବରୁ ବିରୋଧ କରାଯାଉଥିଲା, ମହିଳା ଅଧିକାର ସଂଗଠନ ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ବହୁ ବର୍ଷ ଧରି, ବିଶେଷ କରି ୯୦ଦଶକରେ, ଏହାକୁ ବିରୋଧ କରିଥିଲେ। କାରଣ ଏହାର ଅନେକ ପାର୍ଶ୍ଵ ପ୍ରତିକ୍ରିୟା ରହିଥିଲା ଯେପରିକି ଡିସମେନୋରିଆ (ଅତ୍ୟଧିକ ଏବଂ ଯନ୍ତ୍ରଣାଦାୟକ ଋତୁସ୍ରାବ), ଆମେନୋରିଆ (ଆଦୌ ଋତୁସ୍ରାବ ନହେବା), ବ୍ରଣ, ଓଜନ ବଢ଼ିଯିବା, ଓଜନ କମିଯିବା, ଋତୁସ୍ରାବରେ ଅନିୟମିତା ଓ ଆହୁରି ଅନେକ। ଏହାର ନିରାପତ୍ତାକୁ ନେଇ ଦୀର୍ଘଦିନର ବିରୋଧ, ଏକାଧିକ ପରୀକ୍ଷଣ, ବିଭିନ୍ନ ଗୋଷ୍ଠୀ ଠାରୁ ମତାମତ ସଂଗ୍ରହ ଏବଂ ଅନ୍ୟ ପ୍ରକ୍ରିୟା ଦେଇ ଗତି କରିବା ଫଳରେ ୨୦୧୭ ପରେ ଯାଇ ଡିଏମପିଏ ଭାରତରେ ପ୍ରଚଳିତ ହୋଇଥିଲା। ବର୍ତ୍ତମାନ ଦେଶରେ ଏହାର ଉତ୍ପାଦନ କରାଯାଉଛି।

ଅକ୍ଟୋବର ୨୦୧୭ରେ ଏହି ଇଞ୍ଜେକ୍ସନ ଅନ୍ତରା ନାମରେ ବିହାରରେ ଶୁଭାରମ୍ଭ କରାଯାଇଥିଲା ଏବଂ ଜୁନ ୨୦୧୯ ସୁଦ୍ଧା ଏହା ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପକେନ୍ଦ୍ରରେ ଉପଲବ୍ଧ ହୋଇଥିଲା। ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ, ଅଗଷ୍ଟ ୨୦୧୯ ସୁଦ୍ଧା ୪୨୪,୪୨୭ ଡୋଜ ଦିଆଯାଇସାରିଛି, ଯାହାକି ଦେଶରେ ସର୍ବାଧିକ। ୪୮.୮ ପ୍ରତିଶତ ମହିଳା ଥରେ ଏହାକୁ ନେବା ପରେ ଦ୍ୱିତୀୟ ଡୋଜ୍ ମଧ୍ୟ ନେଇଛନ୍ତି।

Hasanpur’s women trust Shama and Salah, who say most of them now ensure a break after two children. But this change took time

ହସନପୁରର ମହିଳାମାନେ ଶମା ଓ ସାଲାଙ୍କୁ ବିଶ୍ୱାସ କରନ୍ତି, ଯେଉଁମାନେ କୁହନ୍ତି ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବର୍ତ୍ତମାନ ଦୁଇ ପିଲାଙ୍କ ମଧ୍ୟରେ ବ୍ୟବଧାନ ରଖୁଛନ୍ତି। କିନ୍ତୁ ଏହି ପରିବର୍ତ୍ତନ ସମୟ ନେଇଛି।

ଡିଏମପିଏ ବ୍ୟବହାର ନେଇ ସେମାନଙ୍କର ଚିନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ରହିଥିଲା। ଅଧ୍ୟୟନରୁ ଜଣାପଡ଼ିଥିବା ବିପଦଗୁଡ଼ିକ ମଧ୍ୟରେ ଅସ୍ଥି ଖଣିଜ ଘନତା ହ୍ରାସ ପାଇବା (ଇଞ୍ଜେକ୍ସନ ବନ୍ଦ କରିଥିଲେ ଏହାର ଓଲଟା ପ୍ରଭାବ ଦେଖାଯାଉଥିବା ବିଶ୍ୱାସ କରାଯାଏ) ମଧ୍ୟ ରହିଛି। ଡିଏମପିଏ ବ୍ୟବହାର କରୁଥିବା ମହିଳାମାନଙ୍କର ପ୍ରତି ଦୁଇ ବର୍ଷରେ ଥରେ ପରୀକ୍ଷା କରାଇ ନେବା ଆବଶ୍ୟକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିସ କରିଛି।

ଶମା ଏବଂ ସାଲା କୁହନ୍ତି ସେମାନେ ନିରାପତ୍ତାକୁ ନେଇ ବେଶ ସଚେତନ। ଉଚ୍ଚ ରକ୍ତଚାପ ଥିବା ମହିଳାମାନଙ୍କୁ ଇଞ୍ଜେକ୍ସନ ମାଧ୍ୟମରେ ଗର୍ଭନିରୋଧକ ଦେଇନଥାନ୍ତି, ଏବଂ ଦୁଇ ସ୍ୱାସ୍ଥ୍ୟସେବା ସ୍ୱେଚ୍ଛାସେବୀ ଇଞ୍ଜେକ୍ସନ ଦେବା ପୂର୍ବରୁ ପ୍ରତିଥର ରକ୍ତଚାପ ଯାଞ୍ଚ କରିଥାନ୍ତି। ସେମାନେ କୁହନ୍ତି ଯେ ସେମାନଙ୍କ ନିକଟକୁ ପାର୍ଶ୍ଵ ପ୍ରତିକ୍ରିୟାର କୌଣସି ଅଭିଯୋଗ ଆସିନାହିଁ।

ଗ୍ରାମରେ କେତେଜଣ ମହିଳା ଡିପୋ-ପ୍ରୋଭେରା ବ୍ୟବହାର କରୁଛନ୍ତି ସେ ସମ୍ପର୍କରେ ସେମାନଙ୍କ ପାଖରେ ସଠିକ୍ ତଥ୍ୟ ନାହିଁ, କିନ୍ତୁ ଏହା ଏକ ଲୋକପ୍ରିୟ ବିକଳ୍ପ, କାରଣ ଏହା ହୁଏତ ଗୋପନୀୟତା ଏବଂ ତିନି ମାସରେ ଗୋଟିଏ ଥରର ବିକଳ୍ପ ପ୍ରଦାନ କରିଥାଏ। ବର୍ଷରେ ମାତ୍ର ଥରୁଟିଏ କିଛି କିଛି ମାସ ପାଇଁ ଘରକୁ ଫେରୁଥିବା ପୁରୁଷମାନଙ୍କୁ ବିବାହ କରିଥିବା ମହିଳାମାନେ କମ ଅବଧି ପାଇଁ ଏହାକୁ ଏକ ସରଳ ପଦ୍ଧତି ଭାବେ ଉପଯୋଗ କରିଥାନ୍ତି। (ସ୍ୱାସ୍ଥ୍ୟସେବା କର୍ମୀ ଓ ଡାକ୍ତରୀ ଅଧ୍ୟୟନରୁ ଜଣାପଡ଼ିଥାଏ ଯେ ଶେଷ ଡୋଜ ନେବାର ତିନି ମାସର ବ୍ୟବଧାନରେ ପ୍ରଜନନ କ୍ଷମତା ପୁଣିଥରେ ଫେରିଆସିଥାଏ।)

ବିକେନ୍ଦ୍ରୀକୃତ ଗଣତନ୍ତ୍ର ଏବଂ ସମୁଦାୟ ଆଧାରିତ ଆତ୍ମନିର୍ଭରଶୀଳତା ଆଦର୍ଶରେ ଅନୁପ୍ରାଣିତ ହୋଇ, ୭୦ ଦଶକର ଶେଷ ଭାଗରେ ବିନୋବା ଭାବେ ଓ ଜୟପ୍ରକାଶ ନାରାୟଣଙ୍କ ଅନୁଗାମୀମାନଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଘୋଘରଡିହା ପ୍ରଖଣ୍ଡ ସ୍ୱରାଜ୍ୟ ବିକାଶ ସଂଘ (ଜିପିଏସଭିଏସ) ପକ୍ଷରୁ କରାଯାଇଥିବା କାର୍ଯ୍ୟ କାରଣରୁ ମଧୁବନୀରେ ହରମୋନ ଇଞ୍ଜେକ୍ସନ ଅଧିକ ଗ୍ରହଣୀୟ ହୋଇପାରିଛି। (୯୦ ଦଶକର ଶେଷ ଭାଗରେ, ବିକାଶ ସଂଘ ମଧ୍ୟ ରାଜ୍ୟ ସରକାରଙ୍କ ସହଭାଗିତାରେ ଟିକାକରଣ ଅଭିଯାନ ଏବଂ ପରିବାର ନିୟୋଜନ ଶିବିର ଆୟୋଜନ କରିଥିଲା, ‘ଲକ୍ଷ୍ୟବଦ୍ଧ’ ଆଭିମୁଖ୍ୟ ପାଇଁ ଏହା ପ୍ରଶଂସିତ ମଧ୍ୟ ହୋଇଥିଲା।)

ମୁସଲିମ ବହୁଳ ଗ୍ରାମ ହସନପୁରରେ ପୋଲିଓ ପାଇଁ ଟିକାକରଣ ଏବଂ ପରିବାର ନିୟୋଜନ ସପକ୍ଷରେ ପ୍ରଚାରପ୍ରସାର ୨୦୦୦ ମସିହାଠାରୁ ଧୀରେ ଧୀରେ ଆରମ୍ଭ ହୋଇଥିଲା, ଯେତେବେଳେ ଜିପିଏସଭିଏସ ଏହି ଗ୍ରାମ ଓ ଅନ୍ୟ ଗ୍ରାମଗୁଡ଼ିକରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହିଳା ମଣ୍ଡଳଗୁଡ଼ିକୁ ସଂଗଠିତ କରିଥିଲା। ସାଲା ଏକ କ୍ଷୁଦ୍ର-ସଞ୍ଚୟ ଗୋଷ୍ଠୀର ସଦସ୍ୟା ହୋଇଥିଲେ ଏବଂ ଏଥିରେ ଯୋଗ ଦେବା ନିମନ୍ତେ ଶମାଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ।

ଗତ ତିନି ବର୍ଷ ଧରି, ଜିପିଏସଭିଏସ ଏହି ଦୁଇ ମହିଳା ଋତୁସ୍ରାବ, ସ୍ୱଚ୍ଛତା, ପୁଷ୍ଟିସାଧନ ଓ ପରିବାର ନିୟୋଜନ ଉପରେ ଜିପିଏସଭିଏସ ଦ୍ୱାରା ଆୟୋଜିତ ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବିକାଶ ସଂଘ କାର୍ଯ୍ୟ କରୁଥିବା ମଧୁବନୀ ଜିଲ୍ଲାର ପାଖାପାଖି ୪୦ଟି ଗ୍ରାମରେ ସଂଗଠନ ପକ୍ଷରୁ ମହିଳାମାନଙ୍କୁ ଏକ ‘ସହେଲି ନେଟୱର୍କ’ ଗଠନ କରାଯାଇଥିଲା ଓ ମହିଳାମାନଙ୍କୁ ଋତୁସ୍ରାବ ଉତ୍ପାଦ, କଣ୍ଡୋମ ଓ ଗର୍ଭନିରୋଧକ ବଟିକା ଥିବା ଏକ କିଟ୍ ଦିଆଯାଇଥିଲା ଯାହାକୁ ମହିଳାମାନେ ବିକ୍ରି କରିପାରିବେ। ଏହା ମହିଳାମାନଙ୍କ ଘର ପାଖରେ ଗର୍ଭନିରୋଧକ ପହଞ୍ଚାଇଥିଲା ଏବଂ ତାହା ପୁଣି ଅଣ-ନିର୍ଣ୍ଣୟକାରୀ ଦିଗ ମାଧ୍ୟମରେ। ୨୦୧୯ରେ, ଡିଏମପିଏ ଇଞ୍ଜେକ୍ସନ ପରୀ ବ୍ରାଣ୍ଡ ନାମରେ ଉପଲବ୍ଧ ହୋଇଥିଲା, ଏହା ମଧ୍ୟ କିଟ୍ ବ୍ୟାଗରେ ସାମିଲ କରାଯାଇଥିଲା।

Salah with ANM Munni Kumari: She and Shama learnt how to administer injections along with a group of about 10 women trained by ANMs (auxiliary-nurse-midwives) from the nearby PHCs
PHOTO • Kavitha Iyer

ଏଏନଏମ ମୁନ୍ନି କୁମାରୀଙ୍କ ସହିତ ସାଲା : ନିକଟସ୍ଥ ପିଏଚସିରୁ ଏଏନଏମ (ଅକ୍ଜିଲାରୀ-ନର୍ସ-ମିଡୱାଇଭ୍ସ)ଙ୍କ ଠାରୁ ସେ ଓ ଶମାଙ୍କ ସମେତ ୧୦ ଜଣ ମହିଳାଙ୍କ ଏକ ଦଳ ଇଞ୍ଜେକ୍ସନ ଦେବା ପାଇଁ ତାଲିମ ନେଇଥିଲେ।

“ସହେଲି ନେଟୱର୍କର ପାଖାପାଖି ୩୨ ଜଣ ମହିଳା ବର୍ତ୍ତମାନ ଏକ ବିକ୍ରି ନେଟୱର୍କ ଗଠନ କରିଛନ୍ତି। ଆମେ ସେମାନଙ୍କୁ ଜଣେ ସ୍ଥାନୀୟ ହୋଲସେଲରଙ୍କ ସହିତ ଯୋଗାଯୋଗ କରି ଦେଇଛୁ, ଯାହାଙ୍କଠାରୁ ସେମାନେ ଏକକାଳୀନ ହୋଲସେଲ ଦରରେ ସାମଗ୍ରୀ କ୍ରୟ କରିଥାନ୍ତ”, ମଧୁବନୀରେ ଅବସ୍ଥାପିତ ଜିପିଏସଭିଏସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ କୁମାର ସିଂ କହିଥାନ୍ତି। ଏଥିପାଇଁ, ସଂଗଠନ ପକ୍ଷରୁ କିଛି ମହିଳାଙ୍କୁ ପ୍ରାରମ୍ଭିକ ପୁଞ୍ଜି ଯୋଗାଇ ଦିଆଯାଇଛି। “ପ୍ରତ୍ୟେକ ସାମଗ୍ରୀ ବିକ୍ରି ଉପରେ ସେମାନେ ୨ ଟଙ୍କାର ଲାଭ ପାଇଥାନ୍ତି”, ସିଂ କୁହନ୍ତି।

ହସନପୁରରେ ଯେତେବେଳେ ଅଳ୍ପ ସଂଖ୍ୟକ ମହିଳାମାନେ ନିୟମିତ ଭାବେ ଇଞ୍ଜେକ୍ସନ ନେବା ଆରମ୍ଭ କଲେ, ଦୁଇଟି ଡୋଜ ମଧ୍ୟରେ ତିନି ମାସର ବ୍ୟବଧାନ ରହିବା ପରେ ଦୁଇ ସପ୍ତାହ ମଧ୍ୟରେ ପରବର୍ତ୍ତୀ ଡୋଜ୍ ଯେପରି ନିଆଯିବ ତାହା ସେମାନଙ୍କୁ ନିଶ୍ଚିତ କରିବାକୁ ହୋଇଥାଏ। ତେଣୁ ଏହି କାରଣରୁ ନିକଟସ୍ଥ ପିଏଚସିରୁ ଏଏନଏମ (ଅକ୍ଜିଲାରୀ-ନର୍ସ-ମିଡୱାଇଭ୍ସ)ଙ୍କ ଠାରୁ ଶମା ଓ ସାଲା ଅନ୍ୟ ଦଶ ଜଣ ମହିଳାଙ୍କ ଏକ ସମୂହ ସହିତ ଇଞ୍ଜେକ୍ସନ ଦେବା ଶିଖିଥିଲେ। (ହସନପୁରରେ ଏକ ସାଧାରଣ ସ୍ୱାସ୍ଥ୍ୟସେବା କେନ୍ଦ୍ର ନାହିଁ; ନିକଟସ୍ଥ ପିଏଚସି ଫୁଲପାରସ ଓ ଝାଞ୍ଝରପୁର, ୧୬ରୁ ୨୦ କିଲୋମିଟର ବ୍ୟବଧାନରେ ରହିଛି)।

ଫୁଲପଡ଼ା ପିଏଚସିରେ ଅନ୍ତରା ଇଞ୍ଜେକ୍ସନ ନେଇଥିବା ମହିଳାମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଉଜମା (ଛଦ୍ମନାମ), ଜଣେ ଅଳ୍ପ ବୟସ୍କା ମହିଳା ଯାହାଙ୍କର ତିନି ପିଲା ଆଗୁଆ ଏବଂ ଅଳ୍ପ ବ୍ୟବଧାନରେ ଜନ୍ମ ନେଇସାରିଥିଲେ। “ମୋ ସ୍ୱାମୀ ଦିଲ୍ଲୀ ଏବଂ ଅନ୍ୟତ୍ର କାମ ଉଦ୍ଦେଶ୍ୟରେ ଯାଇଥାନ୍ତି। ସେ ଯେତେବେଳେ ଘରକୁ ଫେରନ୍ତି ଆମେ ଭାବୁ ସୁଇ (ଇଞ୍ଜେକ୍ସନ) ନେଇଯିବା ଭଲ ହେବ”, ସେ କୁହନ୍ତି। “ବର୍ତ୍ତମାନ ସମୟ ଖୁବ କଷ୍ଟକର ହୋଇଯାଇଛି, ଆମେ ବଡ଼ ପରିବାର ଚଳାଇପାରିବୁ ନାହିଁ”, ଉଜମା ଏବେ ନସବନ୍ଦୀ ଭଳି “ସ୍ଥାୟୀ” ଗର୍ଭନିରୋଧକ ପଦ୍ଧତି ବିଷୟରେ ଚିନ୍ତା କରୁଛନ୍ତି।

‘ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା କର୍ମୀ’ ଭାବେ ପ୍ରଶିକ୍ଷଣ ନେଇଥିବା ମହିଳାମାନେ ମଧ୍ୟ ପିଏଚସିରେ ମାଗଣାରେ ଅନ୍ତରା ଇଞ୍ଜେକ୍ସନ ନେବାକୁ ଚାହୁଁଥିବା ମହିଳାମାନଙ୍କୁ ସହାୟତା କରିଥାନ୍ତି, ଏଥିପାଇଁ ମହିଳାମାନେ ନିଜକୁ ପଞ୍ଜୀକରଣ କରାଇବା ଆବଶ୍ୟକ। ଶମା ଓ ସାଲା କୁହନ୍ତି, ଧୀରେ ଧୀରେ ଗ୍ରାମ-ସ୍ତରୀୟ ଅଙ୍ଗନୱାଡିଗୁଡ଼ିକ ମହିଳାମାନଙ୍କୁ ଅନ୍ତରା ଇଞ୍ଜେକ୍ସନ ଉପଲବ୍ଧ କରାଇବେ।  ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ମାର୍ଗଦର୍ଶିକାରେ କୁହାଯାଇଛି ଯେ ତୃତୀୟ ପର୍ଯ୍ୟାୟରେ ଏହା ଉପକେନ୍ଦ୍ରଗୁଡ଼ିକରେ ମଧ୍ୟ ଉପଲବ୍ଧ ହେବ।

ଏବେ, ଶମା କୁହନ୍ତି, ଗାଁର ଅଧିକାଂଶ ମହିଳା ଦୁଇ ପିଲାଙ୍କ ମଧ୍ୟରେ ନିଶ୍ଚିତ ଭାବେ “ଏକ ବ୍ୟବଧାନ” ରକ୍ଷା କରୁଛନ୍ତି।

କିନ୍ତୁ ହସନପୁରରେ ଏହି ପରିବର୍ତ୍ତନ ଆସିବା ପାଇଁ ସମୟ ଲାଗିଥିଲା। “ ଲମ୍ବା ଲଗା (ବହୁ ସମୟ ହୋଇଗଲା)”, ଶମା କୁହନ୍ତି, “କିନ୍ତୁ ଆମେ କରିପାରିଲୁ”।

ଶମାଙ୍କ ସ୍ୱାମୀ, ରେହମାତୁଲ୍ଲା ଅବୁ, ଯାହାଙ୍କୁ ବର୍ତ୍ତମାନ ପାଖାପାଖି ୫୦ ବର୍ଷ ହେବ, ହସନପୁରରେ ଚିକିତ୍ସା କରିଥାନ୍ତି, ତେବେ ତାଙ୍କ ପାଖରେ ଏମବିବିଏସ ଡିଗ୍ରୀ ନାହିଁ। ପତିଙ୍କ ସମର୍ଥନରେ ସେ ୧୫ ବର୍ଷ ପୂର୍ବରୁ ମଦର୍ସା ବୋର୍ଡର ଆଲିମ-ସ୍ତରର ପରୀକ୍ଷା ଦେଇଥିଲେ, ଏହା ଏକ ମାଧ୍ୟମିକ ପ୍ରି-ଡିଗ୍ରୀ ପାଠ୍ୟକ୍ରମ ଥିଲା। ଏହି ସମର୍ଥନ ଏବଂ ମହିଳା ଗୋଷ୍ଠୀରେ ତାଙ୍କର କାର୍ଯ୍ୟ ଶମାଙ୍କୁ ତାଙ୍କ ପତିଙ୍କ ସହିତ ରାଉଣ୍ଡରେ ଯିବା, ବେଳେ ବେଳେ ପ୍ରସବ ପାଇଁ ଯିବା କିମ୍ବା ସେମାନଙ୍କ ଘରେ ଥିବା କ୍ଲିନିକରେ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେବାରେ ସହାୟ ହୋଇଥିଲା।

PHOTO • Kavitha Iyer

ମୁଖ୍ୟତଃ ମୁସଲିମ ବହୁଳ ଗ୍ରାମରେ ଧାର୍ମିକ ଆସ୍ଥାର ସମ୍ବେଦନଶୀଳ କ୍ଷେତ୍ରରେ ଗର୍ଭନିରୋଧକର ଉପଯୋଗ କରିବା ପ୍ରସଙ୍ଗରେ କୌଣସି ଅସହମତି ରହିଥିବା କଥାକୁ ଶମା ଓ ସଲା ବିଶ୍ୱାସ କରନ୍ତି ନାହିଁ। ବରଂ, ସେମାନେ କୁହନ୍ତି, ସମୟ ବିତିବା ସହ ସମାଜ ସବୁକିଛି ନିଜ ଦୃଷ୍ଟିରେ ଦେଖିବାକୁ ଚାହୁଁଛି।

ଶମା ବାଳିକାବଧୂ ଥିଲେ, ୧୯୯୧ରେ ନିଜ କିଶୋରାବସ୍ଥାରେ ପହଞ୍ଚିବା ପୂର୍ବରୁ ସେ ବାହା ହୋଇଯାଇଥିଲେ ଏବଂ ବର୍ତ୍ତମାନର ସୁପାଉଲ ଜିଲ୍ଲାର ଡୁବିୟାହିରୁ ହସନପୁରକୁ ଆସିଥିଲେ। “ମୋତେ କଠୋର ପରଦା ଆଢ଼ୁଆଳରେ ପୂର୍ବରୁ ରହିବାକୁ ପଡ଼ୁଥିଲା; ଏପରିକି ମୁଁ ମୋ ମୋହଲ୍ଲା ମଧ୍ୟ ଦେଖିନଥିଲି,” ସେ କହିଥାନ୍ତି। ମହିଳା ଗୋଷ୍ଠୀ ସହିତ ତାଙ୍କର କାର୍ଯ୍ୟ ସେସବୁ ତାଙ୍କ ପାଇଁ ବଦଳାଇ ଦେଇଥିଲା। “ବର୍ତ୍ତମାନ ଏକ ଶିଶୁ ସମ୍ପୂର୍ଣ୍ଣ ଯାଞ୍ଚ ମୁଁ କରିପାରିବି। ମୁଁ ମଧ୍ୟ ଇଞ୍ଜେକ୍ସନ ଦେଇପାରିବି ଏବଂ ସାଲାଇନ ଡ୍ରିପ ଲଗାଇପାରିବି। ଇତନା କର୍ ଲେତେ ହେଁ (ଏତିକି ମୁଁ କରିଦେଇପାରେ)”, ସେ କୁହନ୍ତି।

ଶମା ଓ ରେହମାତୁଲ୍ଲା ଅବୁଙ୍କର ତିନି ଜଣ ପିଲା ଅଛନ୍ତି। ବଡ଼ ପୁଅକୁ ୨୮ ବର୍ଷ  ଏବେ ସୁଦ୍ଧା ବିବାହ କରିନାହିଁ, ସେ ଗର୍ବର ସହିତ କହିଥାନ୍ତି। ତାଙ୍କର ଝିଅ ସ୍ନାତକ ଉତ୍ତୀର୍ଣ୍ଣ ହୋଇ ବିଏଡ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଚାହୁଁଛି। “ମାଶାଆଲ୍ଲା, ସେ ଜଣେ ଶିକ୍ଷୟିତ୍ରୀ ହେବ”, ଶମା କୁହନ୍ତି। ଛୋଟ ପୁଅ ଏବେ କଲେଜରେ ଅଛି।

ସେ ଯେତେବେଳେ ଛୋଟ ପରିବାର ରଖିବା ଲାଗି କହିଥାନ୍ତି ହସନପୁରର ମହିଳାମାନେ ଶମାଙ୍କୁ ବିଶ୍ୱାସ କରିଥାନ୍ତି। “ସେମାନେ ମୋ ପାଖକୁ ବେଳେବେଳେ କେତେକ ସ୍ୱାସ୍ଥ୍ୟ ସମସ୍ୟା ନେଇ ଆସିଥାନ୍ତି ଏବଂ ମୁଁ ସେମାନଙ୍କୁ ଜନ୍ମ ନିୟନ୍ତ୍ରଣ ପାଇଁ ପରାମର୍ଶ ଦେଇଥାଏ। ପରିବାର ଯେତେ ଛୋଟ ହେବ, ସେମାନେ ସେତେ ଖୁସିରେ ରହିବେ।”

ଶମାଙ୍କ ଘର କାନ୍ଥରୁ ରଙ୍ଗ ଛାଡ଼ିଯାଇଛି କିନ୍ତୁ ଖୁଣ୍ଟ ଓ ଅର୍ଦ୍ଧଗୋଲାକାର ଛାତ ଯୋଗୁ ଘର ବାରଣ୍ଡାଟି ସୂର୍ଯ୍ୟାଲୋକ ପଡ଼ି ଆଲୋକିତ ହୋଇଥାଏ, ପବନ ବାଜୁଥିବା ଏହି ସ୍ଥାନ ୫ରୁ୧୬ ବର୍ଷ ବୟସ୍କ ୪୦ ଜଣ ଛାତ୍ରୀଙ୍କ ପାଇଁ ଏକ ଶିକ୍ଷାଦାନ ସ୍ଥାନ ପାଲଟିଛି। ସେ ସେମାନଙ୍କୁ ବିଦ୍ୟାଳୟର ପାଠ୍ୟଖସଡ଼ା ସହିତ ଏମ୍ବ୍ରୋଡୋରୀ କିମ୍ବା ସିଲେଇ ଏବଂ ସଙ୍ଗୀତ ଶିକ୍ଷା ଦେଇଥାନ୍ତି। ଏବଂ ଏଠାରେ କିଶୋରୀ ବାଳିକାମାନଙ୍କ ପ୍ରଶ୍ନର ଉତ୍ତର ଦେବା ଲାଗି ଶମା ସବୁବେଳେ ଆଗ୍ରହୀ ଥାଆନ୍ତି।

ତାଙ୍କର ପୂର୍ବତନ ଛାତ୍ରୀଙ୍କ ମଧ୍ୟରୁ ଜଣେ ହେଉଛିନ୍ତ ୧୮ ବର୍ଷ ବୟସ୍କା ଗଜଲା ଖାତୁନ। “ମା’ର ଗର୍ଭ ହେଉଛି ପିଲାର ପ୍ରଥମ ମଦର୍ସା । ସମସ୍ତ ପାଠପଢ଼ା ଓ ଭଲ ସ୍ୱାସ୍ଥ୍ୟ ସେଠାରେ ଆରମ୍ଭ ହୋଇଥାଏ”, ସେ ଶମାଙ୍କ ଠାରୁ ଶିଖିଥିବା ଏକ ଧାଡ଼ିକୁ ବାରମ୍ବାର ଆବୃତ୍ତି କରି କହିଥାନ୍ତି। “ମାସିକ ଋତୁସ୍ରାବ ସମୟରେ କ’ଣ କରିବାକୁ ହେବ, ବିବାହର ପ୍ରକୃତ ବୟସ କ’ଣ, ମୁଁ ଏସବୁ କିଛି ଶିଖିଛି। ମୋ ପରିବାରରେ ସମସ୍ତେ ଏବେ ସାନିଟାରୀ ପ୍ୟାଡ ବ୍ୟବହାର କରୁଛନ୍ତି, କପଡ଼ା ନୁହେଁ”, ସେ କୁହନ୍ତି। “ମୁଁ ମଧ୍ୟ ପୁଷ୍ଟିସାଧନ ପ୍ରତି ଯତ୍ନଶୀଳ। ଯଦି ମୁଁ ସୁସ୍ଥ ରହିବି, ମୁଁ ଭବିଷ୍ୟତରେ ସୁସ୍ଥ ପିଲାଙ୍କୁ ଜନ୍ମଦେବି।”

ସାଲା (ଯିଏକି ନିଜ ପରିବାର ବିଷୟରେ କଥା ହେବାକୁ ଚାହାନ୍ତି ନାହିଁ) ମଧ୍ୟ ଏହି ସମୁଦାୟର ବିଶ୍ୱାସ ହାସଲ କରିବାରେ ସମର୍ଥ ହୋଇଛନ୍ତି। ସେ ମଧ୍ୟ ଏବେ ହସନପୁର ମହିଳା ମଣ୍ଡଳର ନଅଟି କ୍ଷୁଦ୍ର ସଞ୍ଚୟ ଗୋଷ୍ଠୀର ନେତ୍ରୀ ହୋଇପାରିଛନ୍ତି, ପ୍ରତ୍ୟେକ ଗୋଷ୍ଠୀରେ ୧୨-୧୮ ଜଣ ମହିଳା ଅଛନ୍ତି ଏବଂ ସେମାନେ ମାସିକ ୫୦୦-୭୫୦ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରୁଛନ୍ତି। ଗୋଷ୍ଠୀ ମାସକୁ ଥରେ ବୈଠକ ଆୟୋଜନ କରିଥାଏ। ମୁଖ୍ୟତଃ, ଏଥିରେ ବହୁ ଅଳ୍ପ ବୟସ୍କା ମା’ମାନେ ଅଛନ୍ତି ଏବଂ ସାଲା ସେମାନଙ୍କୁ ଜନ୍ମ ନିୟନ୍ତ୍ରଣ ପାଇଁ ପରାମର୍ଶ ଦେଇଥାନ୍ତି।

Several young mothers often attend local mahila mandal meetings where Salah encourages discussions on birth control
PHOTO • Kavitha Iyer

ବହୁ ଅଳ୍ପ ବୟସ୍କା ମା’ ସ୍ଥାନୀୟ ମହିଳା ମଣ୍ଡଳର ବୈଠକରେ ଯୋଗ ଦେଇଥାନ୍ତି ଯେଉଁଠି ସାଲା ସେମାନଙ୍କୁ ଜନ୍ମ ନିୟନ୍ତ୍ରଣ ପାଇଁ ଉତ୍ସାହିତ କରିଥାନ୍ତି।

ମଧୁବନୀସ୍ଥିତ ଜିପିଏସଭିଏସର ପୂର୍ବତନ ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ୭୦ ଦଶକରେ ପ୍ରତିଷ୍ଠା ହୋଇଥିବା ଏହି ସଂଗଠନର ଅନ୍ୟତମ ପ୍ରତିଷ୍ଠାତା। ସେ କହିଥାନ୍ତି, ‘‘ଆମର ୩୦୦ ମହିଳା ଗୋଷ୍ଠୀର ନାମ କସ୍ତୁରବା ମହିଳା ମଣ୍ଡଳ ନାମ ଦିଆଯାଇଛି ଏବଂ ଗ୍ରାମୀଣ ମହିଳା, ଏପରିକି ଏହି (ହସନପୁର) ଭଳି ରକ୍ଷଣଶୀଳ ସମାଜର ମହିଳାମାନଙ୍କ ପାଇଁ ସଶକ୍ତିକରଣକୁ ବାସ୍ତବ ରୂପ ଦେବା ପାଇଁ ଆମେ ପ୍ରୟାସ କରୁଛୁ।” ସେ ଜୋର ଦେଇ କହିଥାନ୍ତି, ବିଭିନ୍ନ କ୍ଷେତ୍ରରେ ସେମାନଙ୍କର କାର୍ଯ୍ୟ ଯୋଗୁଁ ସମୁଦାୟ ଏବେ ଶମା ଓ ସାଲାଙ୍କ ଭଳି ସ୍ୱେଚ୍ଛାସେବୀଙ୍କୁ ବିଶ୍ୱାସ କରୁଛନ୍ତି। “ପୂର୍ବରୁ ଏହି ଅଞ୍ଚଳରେ ଗୁଜବ ଥିଲା ଯେ ପଲ୍ସ ପୋଲିଓ ବୁନ୍ଦା ପୁଅମାନଙ୍କୁ ନପୁଂସକ କରିଦେଇଥାଏ। ପରିବର୍ତ୍ତନ ପାଇଁ ସମୟ ଲାଗିଥାଏ...”।

ମୁଖ୍ୟତଃ ମୁସଲିମ ବହୁଳ ଗ୍ରାମରେ ଧାର୍ମିକ ଆସ୍ଥାର ସମ୍ବେଦନଶୀଳ କ୍ଷେତ୍ରରେ ଗର୍ଭନିରୋଧକର ଉପଯୋଗ କରିବା ପ୍ରସଙ୍ଗରେ କୌଣସି ଅସହମତି ରହିଥିବା କଥାକୁ ଶମା ଓ ସଲା ବିଶ୍ୱାସ କରନ୍ତି ନାହିଁ। ବରଂ, ସେମାନେ କୁହନ୍ତି, ସମୟ ବିତିବା ସହ ସମାଜ ସବୁକିଛି ନିଜ ଦୃଷ୍ଟିରେ ଦେଖିବାକୁ ଚାହୁଁଛି।

“ମୁଁ ଆପଣଙ୍କୁ ଏକ ଉଦାହରଣ ଦେବାକୁ ଚାହେଁ”, ଶମା କୁହନ୍ତି। “ଗତବର୍ଷ, ମୋର ଜଣେ ସମ୍ପର୍କୀୟା ଯିଏକି ବିଏ ଡିଗ୍ରୀ ହାସଲ କରିଛନ୍ତି, ପୁନଃ ଗର୍ଭବତୀ ହେଲେ। ପୂର୍ବରୁ ତାଙ୍କର ତିନି ଜଣ ପିଲା ଥିଲେ। ଶେଷ ପିଲା ଜନ୍ମ ପାଇଁ ତାଙ୍କୁ ଅସ୍ତ୍ରୋପଚାର କରାଇବାକୁ ପଡ଼ିଥିଲା। ମୁଁ ତାଙ୍କୁ ଚେତାଇ ଦେଇ କହିଥିଲି ଯେ ସେ ସାବଧାନ ହେବା ଉଚିତ, ତାଙ୍କର ଗର୍ଭ ଖୋଲିଯାଇଛି। ତାଙ୍କର ଜଟିଳ ସମସ୍ୟା ଦେଖାଦେଲା ଏବଂ ଆଉ ଏକ ଅସ୍ତ୍ରୋପଚାର କରାଗଲା, ଏଥର ତାଙ୍କର ଗର୍ଭାଶୟ ଅପସାରଣ କରିବାକୁ ପଡ଼ିଲା। ଏସବୁ ପାଇଁ ସେମାନଙ୍କୁ ୩-୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା”। ଏପରି ଘଟଣା ଅନ୍ୟ ମହିଳାମାନଙ୍କୁ ନିରାପଦ ଗର୍ଭନିରୋଧକ ପଦ୍ଧତିର ସନ୍ଧାନ କରିବା ଏବଂ ଗ୍ରହଣ କରିବା ଲାଗି ଆଗ୍ରହୀ କରିଥାଏ।

ସାଲା କୁହନ୍ତି, ଏବେ ଲୋକମାନେ ଗୁନାହ ବା ପାପ କାହାକୁ କୁହନ୍ତି ତାହା ଅତି ସୂକ୍ଷ୍ମ ଭାବେ ବିଚାର କରୁଛନ୍ତି। “ମୋ ଧର୍ମ କହିଥାଏ ଯେ ଆପଣ ନିଶ୍ଚିତ ଭାବେ ନିଜ ପିଲାର ଯତ୍ନ ନେବା ଉଚିତ, ସେମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଉଚିତ, ସେମାନଙ୍କୁ ଭଲ ପୋଷାକ, ଭଲ ଭାବେ ଲାଳନପାଳନ କରିବା ଉଚିତ...”, ସେ କୁହନ୍ତି। “ଏକ ଦର୍ଜନ ୟା ଆଧା ଦର୍ଜନ ହମ ପୈଦା କର ଲିୟେ (ଯଦି ଆମେ ଏକ ଡଜନ କିମ୍ବା ଅଧା ଡଜନ ପିଲାଙ୍କୁ ଜନ୍ମ ଦେବା) ଏବଂ ସେମାନଙ୍କୁ ଏଣେତେଣେ ବୁଲିବା ପାଇଁ ଛାଡ଼ିଦେବା- ପିଲା ଜନ୍ମ କରିବା  ଓ ସେମାନଙ୍କୁ ନିଜ କଥା ନିଜେ ବୁଝିବା ପାଇଁ ଛାଡ଼ିଦେବା ପାଇଁ ମଧ୍ୟ ଆମର ଧର୍ମ କେବେବି ଆଦେଶ ଦେଇନଥାଏ”।

ସାଲା ଆହୁରି କହିଥାନ୍ତି, ପୁରୁଣା ଭୟ ଦୂରେଇ ଯାଇଛି। “ଶାଶୂ ଆଉ ପରିବାରର ମୁଖ୍ୟ ହୋଇନାହାନ୍ତି। ପୁଅ ଟଙ୍କା ରୋଜଗାର କରୁଛି ଏବଂ ଘରେ ଥିବା ତା’ର ପତ୍ନୀକୁ ଟଙ୍କା ପଠାଉଛି। ସେ ହିଁ ଘରର ମୁଖିଆ। ଆମେ ତାଙ୍କୁ ପିଲା ଜନ୍ମରେ ବ୍ୟବଧାନ ରଖିବା ପାଇଁ ପରାମର୍ଶ ଦେଉଛୁ, ଗର୍ଭାଶୟ ଉପକରଣ, କିମ୍ବା ବଟିକା କିମ୍ବା ଇଞ୍ଜେକ୍ସନ ଭଳି ଗର୍ଭନିରୋଧକ ପଦ୍ଧତି ଆପଣାଇବା ପାଇଁ କହୁଛୁ। ଏବଂ ଯଦି ତାଙ୍କ ଦୁଇ କିମ୍ବା ତିନୋଟି ପିଲା ଥାଏ, ଆମେ ତାଙ୍କୁ ଏକ ଅସ୍ତ୍ରୋପଚାର (ନସବନ୍ଦୀ) କରାଇବା ଲାଗି କହିଥାଉ।”

ହସନପୁରର ଲୋକମାନେ ଏହି ପ୍ରୟାସ ପ୍ରତି ଭଲ ସମର୍ଥନ ଦେଉଛନ୍ତି। ସାଲା କୁହନ୍ତି : “ଲାଇନ ପେ ଆ ଗୟେ (ଲୋକମାନେ ସିଧା ହୋଇଯାଇଛନ୍ତି)।

ପରୀ ଓ କାଉଣ୍ଟର ମିଡିଆ ଟ୍ରଷ୍ଟ ପକ୍ଷରୁ ଗ୍ରାମୀଣ ଭାରତର କିଶୋରୀ ତଥା ଅଳ୍ପ ବୟସ୍କା ମହିଳାମାନଙ୍କ ଉପରେ ରାଷ୍ଟ୍ରବ୍ୟାପୀ ରିପୋର୍ଟିଂ ପ୍ରକଳ୍ପ ପପୁଲେସନ ଫାଉଣ୍ଡେସନ ଅଫ ଇଣ୍ଡିଆ ସମର୍ଥିତ ଏକ ପ୍ରୟାସର ଅଂଶବିଶେଷ, ଯାହାଫଳରେ ସାଧାରଣ ଲୋକମାନଙ୍କର ସ୍ୱର ଏବଂ ସେମାନଙ୍କର ଜୀବନ ଅଭିଜ୍ଞତା ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ କିନ୍ତୁ ବଞ୍ଚିତ ସମୁଦାୟର ସ୍ଥିତି ସମ୍ପର୍କରେ ଜାଣି ହେବ।

ଏହି ଲେଖା ପ୍ରକାଶିତ କରିବାକୁ ଚାହୁଁଛନ୍ତି କି? ଦୟାକରି [email protected] କୁ ଲେଖନ୍ତୁ ଏବଂ ଏହାର ଏକ କପି [email protected] କୁ ପଠାନ୍ତୁ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Kavitha Iyer

Kavitha Iyer has been a journalist for 20 years. She is the author of ‘Landscapes Of Loss: The Story Of An Indian Drought’ (HarperCollins, 2021).

Other stories by Kavitha Iyer
Illustrations : Labani Jangi

Labani Jangi is a 2020 PARI Fellow, and a self-taught painter based in West Bengal's Nadia district. She is working towards a PhD on labour migrations at the Centre for Studies in Social Sciences, Kolkata.

Other stories by Labani Jangi