ତଳ ପିଠିରେ ଯନ୍ତ୍ରଣା ଓ ମାଂସପେଶୀ ଟାଣି ଧରିବା ସମସ୍ୟା ଯେତେବେଳେ ଅସହ୍ୟ ହେଲା, ତନୁଜା ହୋମିଓପାଥି ଚିକିତ୍ସକଙ୍କୁ ଦେଖାଇବାକୁ ଗଲେ। ‘‘ସେ ମୋତେ କହିଲେ ଯେ ମୋର କ୍ୟାଲସିୟମ ଓ ଆଇରନ ସମସ୍ୟା (ଅଭାବ) ରହିଛି ଏବଂ ମୁଁ କେବେ ବି ତଳେ ଚଟାଣରେ ବସିବା ଉଚିତ୍ ନୁହେଁ।’’
ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଜଣେ ବିଡି ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ତନୁଜା, ଆଠ ଘଣ୍ଟା ପର୍ଯ୍ୟନ୍ତ ତଳେ ବସି ରହି ବିଡ଼ି ମୋଡ଼ି ଥାଆନ୍ତି। ୪୦ ବର୍ଷରୁ ଅଧିକ ବୟସ ଟପି ସାରିଥିବା ଏହି ମହିଳା ଶ୍ରମଜୀବୀ ଜଣକ କୁହନ୍ତି, ‘‘ମୁଁ ଜ୍ୱର ଓ ଦୁର୍ବଳ ହେବା ଭଳି ଅନୁଭବ କରିଥାଏ ଏବଂ ମୋ ପିଠିରେ ଅତ୍ୟଧିକ ଯନ୍ତ୍ରଣା ହୁଏ।’’ ସେ ଆହୁରି ମଧ୍ୟ କୁହନ୍ତି, “ଯଦି ମୁଁ ନିଜ ପାଇଁ ଗୋଟିଏ ଚେୟାର ଏବଂ ଟେବୁଲ୍ କିଣିବାକୁ ସକ୍ଷମ ହୋଇଥା’ନ୍ତି।’’
ଏହା ନଭେମ୍ବର ମାସର ଶେଷ ସମୟ ଏବଂ ଏକ ଉଷୁମ ସୂର୍ଯ୍ୟାଲୋକ ହରେକ୍ନଗୋର ମୋହଲ୍ଲା ରେ ଥିବା ତାଙ୍କ ଘରର କଠିନ ସିମେଣ୍ଟ ଚଟାଣ ଉପରେ ପଡ଼ିଛି। ତନୁଜା ତାଳ ପତ୍ରରେ ତିଆରି ଏକ ମଦୁର (ଚଟେଇ) ଉପରେ ବସି ପଡ଼ି ଗୋଟିଏ ପରେ ଗୋଟିଏ ବିଡ଼ି ବାନ୍ଧି ଚାଲିଛନ୍ତି। ସେ କେନ୍ଦୁ ପତ୍ରକୁ ମୋଡ଼ିବା ସମୟରେ ତାଙ୍କ ଆଙ୍ଗୁଠି ଖୁବ କୁଶଳୀ ଢଙ୍ଗରେ କାର୍ଯ୍ୟ କରୁଛି, କହୁଣୀ ସେମିତି ସ୍ଥିର ରହିଛି, କାନ୍ଧ ଉପରକୁ ଉଠି ରହିଛି ଏବଂ ମୁଣ୍ଡ ଗୋଟିଏ ପଟକୁ ଢଳି ପଡ଼ିଛି। ‘‘ମୋ ଆଙ୍ଗୁଠି ଏତେ ଅବସନ୍ନ ହୋଇଗଲାଣି ଯେ ବେଳେ ବେଳେ ସେଗୁଡ଼ିକ ହାତରେ ଅଛି କି ନାହିଁ ମୁଁ ଜାଣିପାରିନଥାଏ,’’ ସାମାନ୍ୟ ମଜାଳିଆ ଢଙ୍ଗରେ ସେ କୁହନ୍ତି।
ତାଙ୍କ ଚାରି ପାଖରେ ବିଡ଼ି ତିଆରିରେ ବ୍ୟବହୃତ ସାମଗ୍ରୀ ସବୁ ପଡ଼ି ରହିଛି : କେନ୍ଦୁ ପତ୍ର, ତମାଖୁ ଗୁଣ୍ଡ ଏବଂ ସୂତା ବଣ୍ଡଲ। ତାଙ୍କର ଏହି ବେଉସାରେ ଏକ ଛୋଟ ଧାରୁଆ ଛୁରି ଓ ଗୋଟିଏ ଯୋଡ଼ା କଇଁଚି ମଧ୍ୟ ଉପକରଣ ଭାବେ ବ୍ୟବହୃତ ହୋଇଥାଏ।
ତନୁଜା ବେଳେ ବେଳେ ଘର ପାଇଁ ସଉଦା ଆଣିବା, ରୋଷେଇ କରିବା, ପାଣି ଆଣିବା, ଘର ଓ ଅଗଣା ସଫା କରିବା ଏବଂ ଅନ୍ୟ ଘରକରଣା କାମ ପାଇଁ ବାହାରକୁ ଯାଆନ୍ତି। କିନ୍ତୁ ସବୁବେଳେ ଏ ବିଷୟରେ ସେ ଗମ୍ଭୀର ଭାବେ ଅବଗତ ରହିଥାନ୍ତି ଯେ, ପ୍ରତି ଦିନ ପାଖାପାଖି ୫୦୦-୭୦୦ ବିଡ଼ି ତିଆରି କରିବାର ଲକ୍ଷ୍ୟ ସେ ପୂରଣ ନକଲେ ତାଙ୍କର ୩,୦୦୦ ଟଙ୍କାର ମାସିକ ଆୟ କମିଯିବ।
















