“ମୁଁ ଟ୍ରାକ୍ଟର ଚଳାଇ ଜାଣେ”, ସରବଜିତ୍ କୌର କୁହନ୍ତି। ସେଥିପାଇଁ ସେ ପାଖାପାଖି ଦୁଇ ମାସ ପୂର୍ବରୁ, ନିଜର ପରିବାରର ଧଳା ଟ୍ରାକ୍ଟରକୁ ପାଖାପାଖି ୪୮୦ କିଲୋମିଟର ଦୂର ପର୍ଯ୍ୟନ୍ତ ଚଳାଇ, ପଞ୍ଜାବର ଜସରୌର ଗ୍ରାମରୁ ହରିୟାଣା-ଦିଲ୍ଲୀ ସୀମାରେ ଥିବା, ସିଂଘୁରେ ପହଞ୍ଚିଥିଲେ। “ମୁଁ ନିଜ କ୍ଷମତା ବଳରେ ଆସିଥିଲି”, ସେ କହିଥିଲେ, ଅନ୍ୟପଟେ ତାଙ୍କ ଗାଁର ଅନ୍ୟ ଲୋକମାନେ ନିଜ କୃଷକ ସଂଘ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଟ୍ରଲି ଯୋଗେ ଆନ୍ଦୋଳନସ୍ଥଳୀକୁ ଆସିଥିଲେ।

ଯସରୌର ଛାଡ଼ିବା ପୂର୍ବରୁ, ୪୦ ବର୍ଷ ବୟସ୍କା ସରବଜିତ, ସେପ୍ଟମ୍ବର ୨୦୨୦ରେ ସଂସଦରେ ପାରିତ ହୋଇଥିବା କୃଷି ଆଇନ ସମ୍ପର୍କରେ ଆଲୋଚନା ଏବଂ ଏହାକୁ ବିରୋଧ କରିଆସୁଥିଲେ। ସେ ଅମୃତସର ଜିଲ୍ଲାର ଅଜନାଲା ତହସିଲରେ ଥିବା ନିଜର ୨,୧୬୯ ଜନସଂଖ୍ୟା ବିଶିଷ୍ଟ ଗ୍ରାମରେ ଏହି ଆଇନ ବିରୋଧରେ ଘରକୁ ଘର ବୁଲି ପ୍ରଚାର କରୁଥିଲେ। ଏହାପରେ, ନଭେମ୍ବର ୨୫ ତାରିଖରେ, ସେ ଜସରୌର ଏବଂ ଆଖପାଖ ଗ୍ରାମରୁ ଯାତ୍ରା କରୁଥିବା ୧୪ଟି ଟ୍ରାକ୍ଟର-ଟ୍ରଲିର ଏକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ, ଯାହାକୁ ଜମହୁରୀ କିଷାନ ସଭା (୨୦୦ରୁ ଅଧିକ କୃଷକ ସଂଗଠନଗୁଡ଼ିକର ଅଖିଳ ଭାରତୀୟ ମଞ୍ଚ, ଅଖିଳ ଭାରତୀୟ କିଷାନ ସଂଘର୍ଷ ସମନ୍ୱୟ ସମିତିର ସହବନ୍ଧିତ) ଆୟୋଜନ କରିଥିଲା। ସେମାନେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ଯାତ୍ରା କରି ନଭେମ୍ବର ୨୭ ତାରିଖରେ ସିଙ୍ଘୁରେ ପହଞ୍ଚିଥିଲେ।

ଏହାପରେ ଏବେ ସରବଜିତ, ଜାନୁଆରୀ ୨୬ ତାରିଖରେ ଅଭୂତପୂର୍ବ ଟ୍ରାକ୍ଟର ଶୋଭାଯାତ୍ରାରେ ଅଂଶଗ୍ରହଣ କରିବା ଲାଗି ପ୍ରସ୍ତୁତ ଅଛନ୍ତି, ଯାହା ହରିୟାଣାର ସୋନିପତ ନିକଟବର୍ତ୍ତୀ ସିଂଘୁଠାରୁ ତିନି କିମି ଦୂରରେ ଥିବା କୁଣ୍ଡଲୀ ସୀମାରୁ ଆରମ୍ଭ ହେବ। “ମୁଁ ଏଥିରେ ନିଜ ଟ୍ରାକ୍ଟର ସହିତ ସାମିଲ ହେବାକୁ ଯାଉଛି”, ସେ କହିଥିଲେ।

ହରିୟାଣାରେ ସିଂଘୁ ଏବଂ ଟିକ୍ରି, ଉତ୍ତର ପ୍ରଦେଶର ଗାଜୀପୁର ସେହି ପ୍ରମୁଖ ସ୍ଥଳୀ ମଧ୍ୟରେ ସାମିଲ, ଯେଉଁଠି ଲକ୍ଷାଧିକ କୃଷକ ଏବଂ ଅନେକ କୃଷି ସଂଗଠନ ୨୬ ନଭେମ୍ବର, ୨୦୨୦ଠାରୁ ତିନୋଟି ନୂଆ କୃଷି ଆଇନକୁ ଉଚ୍ଛେଦ କରିବା ଦାବି ନେଇ ଆନ୍ଦୋଳନ କରିଆସୁଛନ୍ତି। “ଯେପର୍ଯ୍ୟନ୍ତ ଏସବୁ ଆଇନକୁ ପ୍ରତ୍ୟାହାର କରାଯିବ ନାହିଁ, ସେପର୍ଯ୍ୟନ୍ତ ବୃଦ୍ଧ ହୁଅନ୍ତୁ ଅବା ଯୁବକ, ପୁରୁଷ ହୁଅନ୍ତୁ ଅବା ମହିଳା, ଏଠାରୁ ଫେରିଯିବାର ପ୍ରଶ୍ନ ଉଠୁନାହିଁ”, ସରବଜିତ କହିଥିଲେ।

“ଏଠାକୁ ଆସିବା ଲାଗି ମୋତେ କେହି କହିନଥିଲେ। କେହି ମୋତେ ‘ଧରି’ ଏଠାକୁ ଆଣିନାହିଁ”, ଆନ୍ଦୋଳନସ୍ଥଳୀରେ ଅନ୍ୟ ଲୋକମାନଙ୍କ ଟ୍ରାକ୍ଟର ସହ ଧାଡ଼ିରେ ଥିବା ନିଜ ଟ୍ରାକ୍ଟର ନିକଟରେ ଛିଡ଼ା ହୋଇ ସେ କହିଥିଲେ। “ଆନ୍ଦୋଳନରେ ସାମିଲ ହେବା ଲାଗି ବହୁସଂଖ୍ୟକ ଲୋକ ଟ୍ରାକ୍ଟରରେ ସବାର ହୋଇ ଏଠାକୁ ଆସିଥିଲେ। ତା’ହେଲେ କ’ଣ ଆପଣ କହିବେ ଯେ ମୁଁ ସେମାନଙ୍କୁ ଏଠାକୁ ଆଣିଛି?” ଭାରତର ପ୍ରଧାନ ବିଚାରପତିଙ୍କ ଦ୍ୱାରା (୧୧ ଜାନୁଆରୀରେ) ଦିଆଯାଇଥିବା ମନ୍ତବ୍ୟ ମହିଳା ଓ ବୃଦ୍ଧମାନଙ୍କୁ ଆନ୍ଦୋଳନସ୍ଥଳୀରେ ‘ଧରି’ ରଖାଯାଉଛି ଏବଂ ସେମାନଙ୍କୁ ଫେରାଇ ଦେବା ଲାଗି ‘ରାଜି’ କରାଯିବା ଉଚିତ, ଆଡ଼କୁ ଇସାରା କରି ସେ ପ୍ରଶ୍ନ କରିଥାନ୍ତି।

Sarbjeet Kaur: 'Women are the reason this movement is sustaining. People in power think of us as weak, but we are the strength of this movement'
PHOTO • Tanjal Kapoor
Sarbjeet Kaur: 'Women are the reason this movement is sustaining. People in power think of us as weak, but we are the strength of this movement'
PHOTO • Tanjal Kapoor

ସରବଜିତ କୌର : ‘ମହିଳାଙ୍କ କାରଣରୁ ଏହି ଆନ୍ଦୋଳନ ଜାରି ରହିଛି। କ୍ଷମତାରେ ଥିବା ଲୋକମାନେ ଆମକୁ ଦୁର୍ବଳ ବୋଲି ଭାବୁଛନ୍ତି, କିନ୍ତୁ ଆମେ ଏହି ଆନ୍ଦୋଳନର ଶକ୍ତି’

“ମହିଳାଙ୍କ କାରଣରୁ ଏହି ଆନ୍ଦୋଳନ ଚାଲିଛି”, ସରବଜିତ କୁହନ୍ତି। “କ୍ଷମତାରେ ଥିବା ଲୋକମାନେ ଆମକୁ ଦୁର୍ବଳ ଭାବୁଛନ୍ତି, କିନ୍ତୁ ଆମେ ଏହି ଆନ୍ଦୋଳନର ଶକ୍ତି ଅଟୁ। ଆମେ ମହିଳାମାନେ ଆମ ଚାଷ ଜମିର ଦେଖାଶୁଣା କରିଥାଉ। କେହି ଆମକୁ ଦୁର୍ବଳ କିପରି ଭାବିପାରିବ? ମୁଁ ନିଜ ଫସଲ ବୁଣିବା, କାଟିବା, ଅମଳ ଏବଂ ପରିବହନ କରିଥାଏ। ମୁଁ ମୋ ଚାଷ ଜମି ଏବଂ ପରିବାର ଉଭୟର ଦେଖାଶୁଣା କରିଥାଏ।”

ସରବଜିତଙ୍କ ଭଳି, ଗ୍ରାମୀଣ ଭାରତର ୬୫ ପ୍ରତିଶତ ମହିଳା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ କୃଷି କାର୍ଯ୍ୟରେ ସଂଲଗ୍ନ ଥାଆନ୍ତି।

ସରବଜିତଙ୍କ ସ୍ୱାମୀଙ୍କ ପରିବାର ନିକଟରେ ଜସରୌର ଗ୍ରାମରେ ପାଞ୍ଚ ଏକର ଜମି ରହିଛି-ଏହି ଜମି ତାଙ୍କ ଶ୍ୱଶୂର ଘର ଲୋକଙ୍କ ନାମରେ ରହିଛି-ଯେଉଁଥିରେ ସେ ଗହମ ଏବଂ ଧାନ ଚାଷ କରିଥାନ୍ତି। ସେମାନେ ନିଜ ଫସଲ ସ୍ଥାନୀୟ ମଣ୍ଡିରେ ବିକ୍ରି କରିଥାନ୍ତି ଏବଂ ବାର୍ଷିକ ୫୦,୦୦୦-୬୦,୦୦୦ ଟଙ୍କା ଆୟ କରିଥାନ୍ତି। ତେବେ ଜଣେ ଚାଷୀ ଭାବେ କଠିନ ପରିଶ୍ରମ କରିଥାନ୍ତି, କିନ୍ତୁ ସରବଜିତଙ୍କ ନାମରେ କୌଣସି ଜମି ନାହିଁ-ଭାରତରେ ୨ ପ୍ରତିଶତରୁ କମ୍‌ ମହିଳାଙ୍କ ନାମରେ ସେମାନେ କାମ କରୁଥିବା ଜମି ରହିଛି। (କୃଷି ଅର୍ଥବ୍ୟବସ୍ଥାର ଏହି ଅଭାବ ଏବଂ ଅନ୍ୟ ଅଭାବଗୁଡ଼ିକୁ ଦୂର କରିବା ଲାଗି, ଏମଏସ ସ୍ୱାମୀନାଥନଙ୍କ ଦ୍ୱାରା ପ୍ରସ୍ତାବିତ ମହିଳା ଚାଷୀ ଅଧିକାର ବିଲ୍‌ , ୨୦୧୧କୁ କେବେ ବି ଆଇନର ରୂପ ମିଳିପାରିଲା ନାହିଁ।)

ତାଙ୍କ ସ୍ୱାମୀ, ନିରଞ୍ଜନ ସିଂ, ଆନ୍ଦୋଳନସ୍ଥଳୀକୁ ଯିବାଆସିବା କରିଥାନ୍ତି, ଏବଂ କିଛିଦିନ ପୂର୍ବରୁ ସେ ନିଜ ଗାଁ ଅଭିମୁଖେ ଯାଇଛନ୍ତି। ସରବଜିତଙ୍କୁ ତାଙ୍କର ଚାରି ପିଲା-ଦୁଇ ଝିଅ ଏବଂ ଦୁଇ ପୁଅ-ଙ୍କର କଥା ମନେ ପଡ଼ୁଛି। କିନ୍ତୁ ସେ କୁହନ୍ତି ଯେ ସେମାନଙ୍କର ଭବିଷ୍ୟତ ପାଇଁ ସେ ଏଠାରେ ଅଛନ୍ତି ଏବଂ ଆନ୍ଦୋଳନ ଶେଷ ହେବା ପର୍ଯ୍ୟନ୍ତ ଏଠାରେ ରହିବେ। “ମଣ୍ଡିକୁ ଯେତେବେଳେ ବନ୍ଦ କରି ଦିଆଯିବ, ଆମେ ଆମ ଜମିରୁ କିପରି ଆୟ କରିବୁ?” ସେ ସେହି ଆଇନର ଉଦାହରଣ ଦେଇ ପ୍ରଶ୍ନ କରିଥାନ୍ତି, ଯାହା ସରକାରଙ୍କ ଦ୍ୱାରା ପରିଚାଳିତ ମଣ୍ଡିକୁ ନିଷ୍କ୍ରିୟ କରିଦେବ। “ମୁଁ ମୋ ପିଲାମାନଙ୍କୁ ଭଲ ଶିକ୍ଷା ଦେବାକୁ ଚାହୁଁଛି”, ସେ ଆଗକୁ ଆହୁରି କହିଥିଲେ। “ଆମେ ବର୍ତ୍ତମାନ ଏହାକୁ ଦେଖିପାରିବା ନାହିଁ, କିନ୍ତୁ ଧୀରେ ଧୀରେ ମଣ୍ଡିଗୁଡ଼ିକ ବନ୍ଦ ହୋଇଯିବ, ସେତେବେଳେ ଆମେ କେଉଁଠି ଓ କାହାକୁ ବିକ୍ରି କରିବୁ?”

ଯେଉଁ ଆଇନଗୁଡ଼ିକ ବିରୋଧରେ ଚାଷୀମାନେ ଆନ୍ଦୋଳନ କରୁଛନ୍ତି ସେଗୁଡ଼ିକ ହେଲା- କୃଷକମାନଙ୍କ ଉତ୍ପାଦ ବାଣିଜ୍ୟ ଓ ବ୍ୟବସାୟ (ପ୍ରୋତ୍ସାହନ ଏବଂ ସୁବିଧା) ଆଇନ, ୨୦୨୦ ; ମୂଲ୍ୟ ସୁନିଶ୍ଚିତତା ଏବଂ କୃଷି ସେବା ଉପରେ କୃଷକମାନଙ୍କ (ସଶକ୍ତିକରଣ ଏବଂ ସୁରକ୍ଷା) ଚୁକ୍ତି ଆଇନ, ୨୦୨୦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ, ୨୦୨୦ । ଏଗୁଡ଼ିକ ଜୁନ ୫, ୨୦୨୦ରେ ପ୍ରଥମେ ଅଧ୍ୟାଦେଶ ରୂପରେ ଆସିଥିଲା। ଏହାପରେ ଏଗୁଡ଼ିକୁ ସେପ୍ଟେମ୍ବର ୧୪ ତାରିଖରେ ସଂସଦରେ ଆଗତ କରାଯାଇଥିଲା ଏବଂ ସେହି ମାସ ୨୦ ତାରିଖରେ ଅତ୍ୟନ୍ତ ତରବରିଆ ଭାବେ ଆଇନରେ ପରିଣତ କରି ଦିଆଯାଇଥିଲା।

ଏହିସବୁ ଆଇନ ସେମାନଙ୍କର ଜୀବିକା ପାଇଁ ବିନାଶକାରୀ ହେବ ବୋଲି ଚାଷୀମାନେ ଭାବୁଛନ୍ତି, କାରଣ ଏହା ବଡ଼ କର୍ପୋରେଟମାନଙ୍କୁ ଚାଷୀ ଓ ଚାଷ ତୁଳନାରେ ଅଧିକ କ୍ଷମତା ଦେବ। ସେମାନେ ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସପି), କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି), ସରକାରୀ କ୍ରୟ ଆଦି ଚାଷୀଙ୍କୁ ସହାୟତାର ପ୍ରମୁଖ ଆଧାରଗୁଡ଼ିକୁ ଅଣଦେଖା କରିବ। ଭାରତୀୟ ସମ୍ବିଧାନର ଧାରା ୩୨କୁ ଅଣଦେଖା କରି ପ୍ରତ୍ୟେକ ନାଗରିକମାନଙ୍କ ଆଇନଗତ ପନ୍ଥା ଆପଣାଇବା ଲାଗି ରହିଥିବା ଅଧିକାର ଉଲ୍ଲଙ୍ଘନ କରୁଥିବା କାରଣରୁ ଏହି ଆଇନଗୁଡ଼ିକୁ ସମାଲୋଚନା କରାଯାଉଛି।

Sometimes, Sarbjeet gives children an others at the protest site a ride on her tractor, which she learnt to drive four years ago
PHOTO • Tanjal Kapoor
Sometimes, Sarbjeet gives children an others at the protest site a ride on her tractor, which she learnt to drive four years ago
PHOTO • Tanjal Kapoor

ବେଳେ ବେଳେ, ସରବଜିତ ଆନ୍ଦୋଳନସ୍ଥଳୀରେ ଥିବା ପିଲାମାନେ ଓ ଅନ୍ୟମାନଙ୍କୁ ନିଜର ଟ୍ରାକ୍ଟରରେ ବସାଇ ବୁଲାଇଥାନ୍ତି, ଯାହାକୁ ଚଳାଇବା ସେ ଚାରି ବର୍ଷ ପୂର୍ବେ ଶିଖିଥିଲେ।

ଆନ୍ଦୋଳନସ୍ଥଳୀରେ, ସରବଜିତ ଲଙ୍ଗରରେ ଭୋଜନ ପ୍ରସ୍ତୁତ କରିବା, ସଡ଼କ ସଫା କରିବା ଏବଂ କପଡ଼ା ଧୋଇବା କାମରେ ଦିନ ବିତାଇଥାନ୍ତି। ତାଙ୍କ ପାଇଁ, ଏହା ସେବାର ଗୋଟିଏ ରୂପ। ସେ ନିଜ ଟ୍ରାକ୍ଟର ଟ୍ରଲିରେ ଶୋଇଥାନ୍ତି ଏବଂ ଆଖପାଖ ଦୋକାନରେ ତିଆରି ହୋଇଥିବା ଶୌଚାଳୟର ଉପଯୋଗ କରିଥାନ୍ତି। “ଏଠାରେ ଥିବା ଲୋକମାନେ ବେଶ ସହଯୋଗୀ, ସେମାନେ ଆମ ଉପରେ ଏତେ ଭରସା କରିଥାନ୍ତି ଯେ ସେମାନେ ନିଜ ଦୋକାନର ଚାବି ଆମକୁ ଦେଇଥାନ୍ତି ଯାହାଫଳରେ ଆମେ ଯେକୌଣସି ସମୟରେ ଶୌଚାଳୟର ଉପଯୋଗ କରିପାରିବୁ। ଆମେ ବିଭିନ୍ନ ସଂଗଠନ ପକ୍ଷରୁ ମାଗଣାରେ ବିତରଣ କରାଯାଉଥିବା ସାନିଟାରୀ ପ୍ୟାଡ ଏବଂ ଔଷଧ ପାଇଥାଉ”, ସେ କହିଥିଲେ। ବେଳ ବେଳେ ସରବଜିତ କାହାଠାରୁ ସାଇକେଲ ମାଗି ଆଣି ସେହି ଅଞ୍ଚଳରେ ବୁଲାବୁଲି କରିଥାନ୍ତି।

“ମୁଁ ଏଠାରେ ବହୁତ ଖୁସି ଅଛି। ଆମେ ଏକ ବଡ଼ ପରିବାର ଭଳି ରହିଥାଉ। ଆମେ ସମସ୍ତେ ଭିନ୍ନ ଭିନ୍ନ ପିଣ୍ଡ (ଗ୍ରାମ)ରୁ ଆସିଛୁ, ଏବଂ ବିଭିନ୍ନ ପ୍ରକାର ଫସଲ ଅମଳ କରିଥାଉ, କିନ୍ତୁ ଏହି ଗୋଟିଏ ଉଦ୍ଦେଶ୍ୟ ପାଇଁ ଆମେ ଏକତ୍ରିତ ହୋଇଛୁ। ଏହି ଆନ୍ଦୋଳନ କାରଣରୁ ମୋତେ ଏକ ବଡ଼ ପରିବାର ମିଳିଛି। ଆମେ ସମସ୍ତେ ଏତେ ଏକଜୁଟ ପୂର୍ବରୁ କେବେ ହୋଇନଥିଲୁ। ଏହି ଏକତା ପଞ୍ଜାବ କିମ୍ବା ହରିୟାଣା ମଧ୍ୟରେ ସୀମିତ ନାହିଁ। ଦେଶର ସମସ୍ତ କୃଷକ ଆଜି ଏକସଙ୍ଗେ ଠିଆ ହୋଇଛନ୍ତି ଏବଂ କେହି ଆମ ସମନ୍ୱୟ କିମ୍ବା ପର୍ଯ୍ୟବେକ୍ଷଣ କରୁନାହିଁ। ଆମେ ସମସ୍ତେ ଜଣେ ଜଣେ ନେତା”।

ବେଳେ ବେଳେ, ସରବଜିତ ଆନ୍ଦୋଳନସ୍ଥଳୀରେ ଥିବା ପିଲାମାନଙ୍କୁ ନିଜ ଟ୍ରାକ୍ଟରରେ ବସାଇ ବୁଲାଇଥାନ୍ତି, ଯାହାକୁ ସେ ଚାରି ବର୍ଷ ପୂର୍ବେ ଚଳାଇବା ଶିଖିଥିଲେ। “ମୋର ସ୍ୱାମୀ ଏହାକୁ ଚଳାଉଥିଲେ ଏବଂ ମୋର ଏହା ପ୍ରତି ସବୁବେଳେ ଆଗ୍ରହ ରହିଥିଲା, ସେଥିପାଇଁ ମୁଁ ତାଙ୍କୁ କହିଲି ଯେ ମୋତେ ମଧ୍ୟ ଶିଖାଇ ଦିଅନ୍ତୁ। ସେ ମୋତେ ଶିଖାଇ ଦେଲେ। ମୋ ଘରେ କିମ୍ବା ଗାଁରେ ମୁଁ ଟ୍ରାକ୍ଟର ଶିଖିବା ସମୟରେ କେହି କିଛି କହିନଥିଲେ। ଏବେ ମୁଁ ଆଖାପାଖ ଅଞ୍ଚଳରେ ଟ୍ରାକ୍ଟର ଚଳାଇବା ସମୟରେ ମଧ୍ୟ କେହି କିଛି କହୁନାହାନ୍ତି”, ସେ କହିଥାନ୍ତି।

“ଟ୍ରାକ୍ଟର ଚଳାଇବା ସମୟରେ ମୋତେ ଲାଗେ ଯେମିତି ମୁଁ ଉଡ଼ୁଛି”, ସେ କହିଥାନ୍ତି। “ଜଣେ ମହିଳା ନିଜର ଅଧିକାର ପାଇଁ ସାରା ଜୀବନ ଲଢ଼ିଥାଏ। ଲୋକମାନେ ଏବେ ମଧ୍ୟ ଏହା ଭାବିଥାନ୍ତି ଯେ ସେମାନଙ୍କ ଲାଗି ଲଢ଼ିବା ପାଇଁ ଅନ୍ୟ ଜଣଙ୍କର ଆବଶ୍ୟକତା ରହିଛି। ଏଥର ଆମ ଲଢ଼େଇ (ରୁଢ଼ିବାଦୀ) ସମାଜ ସହ ନୁହେଁ, ବରଂ ସରକାରଙ୍କ ସହ ହେଉଛି।”

ଅନୁବାଦ - ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Snigdha Sony

Snigdha Sony is an intern with PARI Education, and studying for a Bachelors degree in journalism at the University of Delhi.

Other stories by Snigdha Sony