‘‘ମୁଁ ତାକୁ ଗୋଟିଏ ବାଡ଼ିରେ ପିଟିଲି, କିନ୍ତୁ ସେ ମୋ ଉପରକୁ ଡେଇଁ ପଡ଼ିଲା ଏବଂ ମୋର ବେକ ଓ ବାହୁକୁ ତା’ର ପଞ୍ଝାରେ ଆମ୍ପୁଡ଼ି ଦେଲା। ମୁଁ ଜଙ୍ଗଲ ଭିତରେ ଚାରି କିଲୋମିଟର ଭିତରେ ଥିଲି । ମୋର ପୋଷାକ ରକ୍ତରେ ବୁଡ଼ି ଯାଇଥିଲା। ମୁଁ ବହୁ କଷ୍ଟରେ ଘରକୁ ଫେରିଲି।’’ ବିଶାଲରାମ ମରକାମ ସେହି ଚିତାବାଘ ଆକ୍ରମଣରୁ ଆରୋଗ୍ୟଲାଭ କରିବା ପାଇଁ ତା’ପର ଦୁଇ ସପ୍ତାହ ହସ୍ପିଟାଲରେ ବିତାଇଲେ । କିନ୍ତୁ ସେ ଖୁସି ଥିଲେ ଯେ ତା’ଙ୍କର ମଇଁଷିମାନଙ୍କର କୌଣସି କ୍ଷତି ହୋଇ ନ ଥିଲା । ସେ କହିଲେ, ‘‘ଚିତାବାଘ ମୋର କୁକୁରଙ୍କୁ ବି ଆକ୍ରମଣ କରିଥିଲା । ସେମାନେ ଦୌଡ଼ି ପଳାଇଲେ।’’

ଏହି ଆକ୍ରମଣ ୨୦୧୫ରେ ଘଟିଥିଲା । ମରକାମ ଏବେ ଏ ସମ୍ପର୍କରେ ହସି ହସି କହିଲେ ଯେ ସେ ଶିକାରୀଙ୍କୁ ଆକ୍ରମଣ ପୂର୍ବରୁ ଓ ପରେ ବି ନିକଟରୁ ଦେଖିଛନ୍ତି । ଛତିଶଗଡ଼ର ଜାବରା ଜଙ୍ଗଲରେ, ଯେଉଁଠାରେ ସେ ନିଜର ମଇଁଷି ଚରାନ୍ତି, ସେଠାରେ କେବଳ ଭୋକିଲା ଚିତାବାଘ ନୁହେଁ, ବାଘ, ଗଧିଆ, ଶୃଗାଳ, ବଣୁଆ କୁକୁର, କୋକିଶିଆଳି ଏବଂ ବଣୁଆ ଘୁଷୁରି, ସମ୍ୱର ଏବଂ ଚିତା ହରିଣ ଏବଂ ଶକ୍ତିଶାଳୀ ବଣୁଆ ମଇଁଷି ମଧ୍ୟ ସାମ୍ନାକୁ ଆସିଯିବାର ସମ୍ଭାବନା ରହିଛି। ଗ୍ରୀଷ୍ମ ଋତୁରେ, ଯେତେବେଳେ ପଶୁମାନେ ବିରଳ ପାଣିର ଉତ୍ସ ସନ୍ଧାନରେ ଯାଆନ୍ତି, ସେତେବେଳେ ଭୋକିଲା ଶିକାରଙ୍କ ସାମ୍ନା କରିବାର ସମ୍ଭାବନା ଦୁଇଗୁଣ, ଏପରିକି ତିନିଗୁଣ ଥାଏ ।

ମରକାମ କୁହନ୍ତି, ‘‘ମୋର ମଇଁଷିମାନେ ଆପେ ଆପେ ଜଙ୍ଗଲରେ ବୁଲୁଥାଆନ୍ତି। କେବଳ ସେମାନେ ନ ଫେରିଲେ ହିଁ ମୁଁ ଖୋଜିବାକୁ ଯାଏ । ବେଳେ ବେଳେ ମୋର ପଶୁମାନେ ଭୋର୍ ୪ଟା ଯାଏଁ ଫେରନ୍ତି ନାହିଁ। ରାତିରେ ଜଙ୍ଗଲରେ ସେମାନଙ୍କୁ ଖୋଜିବାକୁ ମୁଁ ଗୋଟିଏ ଡବଲ୍‌ (ଶକ୍ତିଶାଳୀ) ଟର୍ଚ୍ଚ ବ୍ୟବହାର କରେ।’’ ସେ ତାଙ୍କ ପାଦ ଦେଖାଇଲେ, ଜଙ୍ଗଲରେ ଖାଲି ପାଦରେ ବୁଲିବା ଫଳରେ ସେଥିରେ ବହୁ କ୍ଷତ ହୋଇଛି ଓ ଚମ  ଛାଡ଼ିଯାଇଛି ।

ତାଙ୍କର ସ୍ୱାଧୀନଚେତା ମଇଁଷିମାନେ ପ୍ରତିଦିନ ଖାଦ୍ୟ ସନ୍ଧାନରେ ଚରିବା ପାଇଁ ଧାମତରୀ ଜିଲ୍ଲା ନାଗ୍‌ରୀ ତହସିଲ ଅଧୀନ ଜାବ୍‌ରା ଗାଁ ନିକଟରେ ଥିବା ଜଙ୍ଗଲର ୯ରୁ୧୦ କିଲୋମିଟର ଯାଏଁ ବୁଲନ୍ତି । ମରକାମ କହନ୍ତି, ‘‘ଗ୍ରୀଷ୍ମ ଦିନରେ ଖାଦ୍ୟ ଖୋଜି ଖୋଜି ସେମାନେ ଦୁଇ ଗୁଣା ଅଧିକ ଦୂରକୁ ଚାଲିଯାଆନ୍ତି, କେହି ଏବେ ଜଙ୍ଗଲ ଉପରେ ଭରସା କରିପାରିବ ନାହିଁ; ପଶୁମାନେ ଭୋକରେ ମରିଯାଇପାରନ୍ତି।’’

Vishalram Markam's buffaloes in the open area next to his home, waiting to head out into the forest.
PHOTO • Priti David
Markam with the grazing cattle in Jabarra forest
PHOTO • Priti David

ବାମ: ବିଶାଲରାମ ମରକାମ ଙ୍କର ମଇଁଷିମାନେ ତାଙ୍କ ଘର ନିକଟରେ ଥିବା ଖୋଲା ସ୍ଥାନରେ, ଜଙ୍ଗଲକୁ ଯିବା ପାଇଁ ଅପେକ୍ଷା କରିଛନ୍ତି । ଡାହାଣ : ଜାବରା ଜଙ୍ଗଲରେ ଚରୁଥିବା ମଇଁଷିଙ୍କ ସହ ମରକାମ

‘‘ମୁଁ ସେମାନଙ୍କର ଖାଦ୍ୟ ପାଇଁ ପେଡ଼ା [ଶସ୍ୟ ଡାଳର ଶୁଖିଲା ପତ୍ର] କିଣେ, କିନ୍ତୁ ସେମାନେ ଜଙ୍ଗଲରେ ବୁଲିବା ଏବଂ ବଣୁଆ ଘାସ ଖାଇବାରେ ଅଧିକ ରୁଚି ରଖନ୍ତି।’’ ମରକାମ ନିଜର ପଶୁ ପଲଙ୍କ ବାବଦରେ କହନ୍ତି ଯେମିତିକି ସେମାନେ ଦୁଷ୍ଟ ପିଲା ଏବଂ ସବୁ ବାପା ମା’ଙ୍କ ଭଳି, ତାଙ୍କ ପାଖରେ ସେମାନଙ୍କୁ ଫେରାଇ ଆଣିବା ନେଇ କିଛି କୌଶଳ ଅଛି – ଯେମିତିକି ଲୁଣର ଏକ ମୁଣ୍ଡା, ଯାହାକୁ ସେମାନେ ଚାଟିବାକୁ ପସନ୍ଦ କରନ୍ତି। ଏହା ସାଧାରଣତଃ ସେମାନଙ୍କୁ ରାତି ପ୍ରାୟ ୮ଟାରେ ଘର ଆଡ଼କୁ ଆକର୍ଷିତ କରିଥାଏ । ଗୋବଂଶ ପାଇଁ ‘ଘର’ ହେଉଛି ସେମାନଙ୍କ ମାଲିକଙ୍କର ଇଟା ଏବଂ କାଦୁଅ ଘର ପାଖରେ ଏକ ବଡ଼, ବାଡ଼ ଘେରା ହୋଇଥିବା ପ୍ରାଙ୍ଗଣ ।

ଜାବରାର ୧୧୭ଟି ଘର ମଧ୍ୟରୁ ଅଧିକାଂଶ ଗୋଣ୍ଡ ଏବଂ କମର ଆଦିବାସୀ ସମ୍ପ୍ରଦାୟର, ଏବଂ ଅଳ୍ପ କେତେକ ଯାଦବ (ରାଜ୍ୟରେ ଅନ୍ୟ ପଛୁଆ ଶ୍ରେଣୀ ଭାବରେ ତାଲିକାଭୁକ୍ତ)। ମରକାମ, ଯିଏ ଜଣେ ଗୋଣ୍ଡ ଆଦିବାସୀ, ୫,୩୫୨ ହେକ୍ଟର ଜଙ୍ଗଲର ପ୍ରତ୍ୟେକ ବିବରଣୀ ଜାଣନ୍ତି। ସେ ପ୍ରାୟ ୫୦ ବର୍ଷର ନିଜର ସମଗ୍ର ଜୀବନକୁ ଏହି ଅଞ୍ଚଳ ଆଖପାଖରେ ଅତିବାହିତ କରିଛନ୍ତି । ସେ କହନ୍ତି, "ମୁଁ ସ୍ଥାନୀୟ ସ୍କୁଲରେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲି ଏବଂ ତା’ପରେ ଏଠାରେ ଚାଷ ଆରମ୍ଭ କରିଥିଲି।’’

୨୦୧୯ର ଭାରତୀୟ ବନ ସର୍ବେକ୍ଷଣ ରିପୋର୍ଟ ରେ କୁହାଯାଇଛି ଯେ ଛତିଶଗଡ଼ର ପୂର୍ବ କୋଣରେ ଅବସ୍ଥିତ, ଧାମତରୀ ଜିଲ୍ଲାର ୫୨ ପ୍ରତିଶତ ସ୍ଥାନ ସଂରକ୍ଷିତ ଏବଂ ସୁରକ୍ଷିତ ଅଞ୍ଚଳ ଅଟେ, ଏବଂ ଏହାର ପ୍ରାୟ ଅଧା ଭାଗ ଘନ ଜଙ୍ଗଲ। ବ୍ୟାପକ ଶାଳ ଓ ଶାଗୁଆନ ଗଛ ବ୍ୟତୀତ, ସାଜ୍, କୋହା, ହର୍‌ରା, ବାହେରା, ଟିନ୍ସା, ବିଜା, କୁମ୍ବି ଏବଂ ମହୁଆ ଗଛ ସବୁ ଅଛି ।

ଅପର୍ଯ୍ୟାପ୍ତ ବୃଷ୍ଟିପାତ ଏବଂ ଜଙ୍ଗଲର ଘନତ୍ୱ ବର୍ଷ ବର୍ଷ ଧରି କମିବା ଫଳରେ ପଶୁମାନଙ୍କ ପାଇଁ ଚରିବା ସ୍ଥାନ ହ୍ରାସ ପାଇଛି । ମରକାମ କହନ୍ତି ଯେ ସେ ତାଙ୍କ ଗୋରୁଙ୍କ ସଂଖ୍ୟା ୯୦ରୁ ଅଧିକରୁ ୬୦-୭୦ଟି ମଇଁଷିଙ୍କୁ କମାଇ ଦେଇଛନ୍ତି, ଯେଉଁଥିରୁ ୧୫ଟି ବାଛୁରୀ । ସେ କହନ୍ତି, “ମଇଁଷିଙ୍କ ପାଇଁ ଜଙ୍ଗଲରେ ଖାଦ୍ୟ କମୁଛି । ଯଦି ସେମାନେ ଗଛ କାଟିବା ବନ୍ଦ କରନ୍ତି ତେବେ ଏହା ବୃଦ୍ଧି ପାଇବ’’ । “ମୁଁ ମୋର ପଶୁମାନଙ୍କ ପାଇଁ [୨୦୧୯ରେ] ଚାରା କିଣିବା ବାବଦକୁ ୧୦, ୦୦୦ ଟଙ୍କାରୁ ଅଧିକ ଖର୍ଚ୍ଚ କରିଥିଲି । ଚାରା ବୋହିବା ବାବଦକୁ ପ୍ରତ୍ୟେକ ଟ୍ରାକ୍ଟର ଟ୍ରିପ୍‌ ପିଛା ୬୦୦ ଟଙ୍କା ଖର୍ଚ୍ଚ ହୋଇଥିଲା ଏବଂ ମୁଁ ଏହାକୁ କୃଷକମାନଙ୍କଠାରୁ ସଂଗ୍ରହ କରିବା ପାଇଁ ୨୦ରୁ ଅଧିକ ଟ୍ରିପ୍‌ କରିବା ଆବଶ୍ୟକ କରୁଥିଲି।”

ଗ୍ରୀଷ୍ମ ଋତୁରେ, ପଶୁମାନେ ଯେତେବେଳେ ବିରଳ ପାଣିର ଉତ୍ସ ସନ୍ଧାନରେ ଯାଆନ୍ତି, ସେତେବେଳେ ଭୋକିଲା ଶିକାରଙ୍କ ସାମ୍ନା କରିବାର ସମ୍ଭାବନା ଦୁଇଗୁଣ, ଏପରିକି ତିନିଗୁଣ ଥାଏ

ଭିଡିଓ ଦେଖନ୍ତୁ: ‘ମୁଁ ଏହି ପଶୁମାନଙ୍କୁ କେବଳ ସେତେବେଳେ ଛାଡ଼ିପାରିବି ଯେତେବେଳେ ମୁଁ ମରିଯିବି’

ମରକାମ ୨୦୧୯ ଅଗଷ୍ଟରେ ବନ ଅଧିକାର ଅଧିନିୟମ ୨୦୦୬ ଆଧାରରେ ଜାବରା ଗ୍ରାମସଭାକୁ ଦିଆଯାଇଥିବା ‘ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର’ର ପ୍ରୟୋଗ କରି ଚାରଣ ଭୂଇଁ ବୃଦ୍ଧି କରିବାର ଆଶା ରଖନ୍ତି । ଆଇନ ଦର୍ଶାଏ ଯେ ଗୋଷ୍ଠୀ ପାଖରେ ଜଙ୍ଗଲ ସମ୍ବଳର ‘‘ସଂରକ୍ଷଣ, ପୁନଃସୃଷ୍ଟି ବା ଜଙ୍ଗଲ ସମ୍ବଳର ପରିଚାଳନା” କରିବାର ଅଧିକାର ରହିଛି, ଯାହାକୁ ସେମାନେ ପାରମ୍ପରିକ ଭାବରେ ସୁରକ୍ଷା ଦେଇଆସୁଛନ୍ତି। ଏହି ଅଧିକାର ପାଇବାରେ ଜାବରା ଛତିଶଗଡ଼ର ପ୍ରଥମ ଗ୍ରାମ।

ଜାବରାରେ ପଞ୍ଚାୟତ (ନିର୍ଦ୍ଧାରିତ ଅଞ୍ଚଳକୁ ବିସ୍ତାର) ଅଧିନିୟମ ବା ପିଇଏସ୍‌ଏ କାର୍ଯ୍ୟକାରୀ କରିବା ପାଇଁ ଅଧିକୃତ ଜିଲ୍ଲା ସଂଯୋଜକ ପ୍ରଖର ଜୈନ କୁହନ୍ତି ‘‘କେଉଁ ଗଛର ସୁରକ୍ଷା ଓ ରୋପଣ କରିବାକୁ ଅଛି; କେଉଁ ପଶୁଙ୍କୁ ଚରାଇବାକୁ ଅନୁମତି ଦିଆଯାଇଛି; କିଏ ଜଙ୍ଗଲରେ ପ୍ରବେଶ କରିପାରିବେ; ଛୋଟ ପୋଖରୀ ଖୋଳିବା ଏବଂ କୂଳ କ୍ଷୟ ରୋକିବାକୁ ପଦକ୍ଷେପ ନେବା-ଏହି ସବୁ ନିଷ୍ପତ୍ତି ଏବେ ଗ୍ରାମସଭା ହାତରେ ରହିବ।’’

ମରକାମ କହନ୍ତି, ଆଇନଗତ ବ୍ୟବସ୍ଥା ସ୍ୱାଗତଯୋଗ୍ୟ, ଅନେକ ବାହାର ଲୋକ ଜଙ୍ଗଲକୁ ଆସି ଏହାର କ୍ଷତି କରନ୍ତି। ସେ କହନ୍ତି, "ମୁଁ ଦେଖିଛି ଲୋକେ ମାଛ ଧରିବା ପାଇଁ ଜଳାଶୟରେ କୀଟନାଶକ ଛିଞ୍ଚନ୍ତି ଏବଂ ବଡ଼ ପଶୁଙ୍କୁ ଧରିବା ପାଇଁ ବିଷ ବ୍ୟବହାର କରନ୍ତି। ଏମାନେ ଆମ ଲୋକ ନୁହଁନ୍ତି ।"

ସେ କହନ୍ତି ଯେ ପରବର୍ତ୍ତୀ ଗ୍ରାମସଭାରେ ସେ ଘାସ କମୁଥିବା ପ୍ରସଙ୍ଗ ଉଠାଇବେ। ‘‘ମୁଁ ଆଜିଯାଏଁ ଏହା କରିନାହିଁ କାରଣ ମୋ ପାଖରେ ସମୟ ନାହିଁ । ମୁଁ ବିଳମ୍ବିତ ରାତି ଯାଏଁ ଗୋବର ଗୋଟାଇବାରେ ଲାଗିଥାଏ, ମୁଁ ସଭାରେ କେମିତି ଯୋଗ ଦେଇପାରିବି ?’’ ସେ କହିଲେ ଯେ ସେ କହିବେ, ‘‘ଆମ ଲୋକଙ୍କୁ ଜଙ୍ଗଲ କଟା ବିରୋଧରେ ଏକଜୁଟ ହେବାକୁ ପଡ଼ିବ। ଜଙ୍ଗଲ ବଞ୍ଚିଲେ ଆମର ଜୀବିକା ସୁରକ୍ଷିତ ରହିବ। ଜଙ୍ଗଲ ସୁରକ୍ଷାର ଦାୟିତ୍ୱ ଆମ ହାତରେ ଅଛି।’’

ଜଙ୍ଗଲର ଧାରରେ ଅବସ୍ଥିତ, ମରକାମଙ୍କ ତିନି କୋଠରୀ ବିଶିଷ୍ଟ ପକ୍କା ଘରର ଏକ ବଡ଼ ପ୍ରାଙ୍ଗଣ ଅଛି ଯେଉଁଠାରେ ସେ ବାଛୁରୀମାନଙ୍କୁ ରାତିରେ ରଖନ୍ତି। ବଡ଼ ପଶୁମାନେ ଏହା ପାଖରେ ଥିବା ଏକ ଖୋଲା ସ୍ଥାନରେ ରହନ୍ତି ।

A pile of hay that Markam has bought to feed his buffaloes as there isn't enough grazing ground left in the forest.
PHOTO • Purusottam Thakur
He restrains the calves in his fenced-in courtyard to stop them from straying into the jungle.
PHOTO • Priti David
The 'community forest resources rights' title granted under the Forest Rights Act to Jabarra gram sabha

ବାମ: ଜଙ୍ଗଲରେ ପର୍ଯ୍ୟାପ୍ତ ପରିମାଣର ଚରିବା ସ୍ଥାନ ନ ଥିବାରୁ ମରକାମ ତାଙ୍କ ମଇଁଷିଙ୍କୁ ଖାଇବାକୁ ଦେବା ପାଇଁ ଘାସ ବିଡ଼ା ସବୁ କିଣିଛନ୍ତି । ମଝି: ସେ ବାଛୁରୀମାନଙ୍କୁ ଜଙ୍ଗଲରେ ବୁଲିବାକୁ ନ ଛାଡ଼ିବା ପାଇଁ ନିଜର ବାଡ଼ ଥିବା ପ୍ରାଙ୍ଗଣରେ ରଖିଛନ୍ତି । ଡାହାଣ: ଜାବରା ଗ୍ରାମସଭାକୁ ଜଙ୍ଗଲ ଅଧିକାର ଅଧିନିୟମ ଅନୁଯାୟୀ ଦିଆଯାଇଥିବା 'ଗୋଷ୍ଠୀ ଜଙ୍ଗଲ ଅଧିକାର' ଉପାଧି

ସକାଳ ୬.୩୦ ବାଜିଲାଣି ଏବଂ ଯେତେବେଳେ ଆମେ ତାଙ୍କୁ ଭେଟିଲୁ ସେତେବେଳେ ସୂର୍ଯ୍ୟ ଉଦୟ ହେଉଥିଲେ। ଶୀତ ରାତିରେ ସେ ଜଳାଇଥିବା କାଠ ନିଆଁ ଏବେ ବି ଜଳୁଥିଲା। ଅସ୍ଥିର, ଚିତ୍କାର କରୁଥିବା ପଶୁ ଏବଂ ବାଛୁରୀଙ୍କର କର୍କଶ ସ୍ୱର ତାଙ୍କ ଘର ଚାରିପାଖର ବାୟୁ ପ୍ରକମ୍ପିତ କରୁଥିଲା। ପ୍ରାଙ୍ଗଣରେ ବଡ଼ ଦୁଗ୍ଧ ପାତ୍ର ଶୁଖୁଥିଲା - କ୍ଷୀରକୁ ଧାମତାରୀ ସହରର ଜଣେ ବ୍ୟବସାୟୀଙ୍କ ନିକଟକୁ ପଠାଯାଇଥିଲା। ଏକ ଭଲ ଦିନରେ, ମରକାମ କହନ୍ତି, ସେ ଦିନକୁ ଲିଟର ପ୍ରତି ପ୍ରାୟ ୩୫ ଟଙ୍କା ହିସାବରେ ୩୫-୪୦ ଲିଟର କ୍ଷୀର ବିକ୍ରି କରନ୍ତି । ଗୋବର ମଧ୍ୟ ବିକ୍ରି ହୁଏ। “ପ୍ରତିଦିନ ମୁଁ ପ୍ରାୟ ୫୦-୭୦ [ବାଉଁଶ] ଟୋକେଇ ଗୋବର ସଂଗ୍ରହ କରେ। ନର୍ସରୀଗୁଡ଼ିକ ଏହାକୁ କିଣନ୍ତି । ସେ କହନ୍ତି, ମୁଁ ମାସରେ ଗୋଟିଏ ଟ୍ରାକ୍ଟର-ଟ୍ରଲି ମୂଲ୍ୟର ଗୋବର ବିକ୍ରି କରିବାରେ ସଫଳ ହୋଇଥିଲି ଏବଂ ୧,୦୦୦ ଟଙ୍କା ରୋଜଗାର କରିଥିଲି ।

ସେ ଆମ ସହିତ କଥାବାର୍ତ୍ତା ଜାରି ରଖିବା ବେଳେ, ବାଛୁରୀଗୁଡ଼ିକୁ ଅଟକାଇବା ପାଇଁ ବାଡ଼ର ଦୁଇଟି ଖୁଣ୍ଟ ଉପରେ ଏକ ଭୂସମାନ୍ତର ବତା ବାନ୍ଧିଲେ। ଚରିବାକୁ ବାହାରୁଥିବା ବଡ଼ ପଶୁଙ୍କ ମଧ୍ୟରେ ସେମାନେ ସାମିଲ ହେବାରୁ ରୋକିବା ପାଇଁ ସେ ଏମିତି କଲେ। ଅଟକାଯାଇଥିବାରୁ ଜୋରରେ ବୋବାଉଥିବା ପଶୁଙ୍କ ଉପରେ ବଡ଼ ପାଟି କରୁ କରୁ ସେ କହିଲେ, "ସେମାନେ ଛୋଟ, ମୁଁ ସେମାନଙ୍କୁ ଘରଠାରୁ ଅଧିକ ଦୂରକୁ ଯିବାକୁ ଦେଇ ପାରିବି ନାହିଁ ବା ସେମାନଙ୍କୁ ଟାଣିନେଇ ଖିଆଯାଇପାରେ ।"

ମରକାମ ପଶୁପାଳନ କରିବା ବ୍ୟତୀତ ଏକ ଏକର ଜମି ଚାଷ କରନ୍ତି, ଯେଉଁଥିରେ ସେ ଧାନ ଫସଲ କରନ୍ତି । ସେ ବର୍ଷକୁ ପ୍ରାୟ ୭୫ କିଲୋ ଧାନ ଉତ୍ପାଦନ କରନ୍ତି ଯାହାକୁ ସେ ଏବଂ ତାଙ୍କ ପରିବାର ଖାଇଥା’ନ୍ତି । ସେ କିପରି ଗୋପାଳନ ବ୍ୟବସାୟରେ ପ୍ରବେଶ କଲେ ସେ ସମ୍ପର୍କରେ କହନ୍ତି, “ମୁଁ (କେବଳ) ଚାଷ କାର୍ଯ୍ୟ କରୁଥିଲି, ଏବଂ ତା’ପରେ ମୁଁ ୨୦୦ ଟଙ୍କାରେ ଏକ ମାଈ ମଇଁଷି କିଣିଥିଲି ଏବଂ ସେ ପାଞ୍ଚଟି ବାଛୁରୀ ଜନ୍ମ ଦେଲା ।’’ ଜାବରାର ଅଧିକାଂଶ ଲୋକ ପ୍ରାୟ ୪୬୦ ଜଣ ଧାନ, କୋଳଥ ଏବଂ ହରଡ଼ ଡାଲି ଆଦି ଫସଲ ପାଇଁ ଛୋଟ ଛୋଟ ଜମି ଉପରେ ନିର୍ଭରଶୀଳ ଏବଂ ମହୁଆ ଫୁଲ ଓ ମହୁ ଭଳି ଅଣକାଠ ଉତ୍ପାଦ ଏବଂ ପଶୁମାନଙ୍କୁ ଚରାଇବା ପାଇଁ ଜଙ୍ଗଲ ଉପରେ ନିର୍ଭର କରିଥାଆନ୍ତି।

Markam fixes the horizontal bars on the makeshift fence to corral the calves.
PHOTO • Purusottam Thakur
Outside his three-room house in Jabarra village
PHOTO • Priti David

ବାମ: ମରକାମ ବାଛୁରୀମାନଙ୍କୁ ଆବଦ୍ଧ କରିବାକୁ ଉଠା ବାଡ଼ରେ ଭୂସମାନ୍ତର ବତା ବାନ୍ଧିଛନ୍ତି । ଡାହାଣ : ଜାବ୍‌ରା ଗାଁରେ ତାଙ୍କର ତିନି କୋଠରୀ ବିଶିଷ୍ଟ ଘର ବାହାରେ

ମରକାମ ତାଙ୍କର ପତ୍ନୀ କିରଣ ବାଈଙ୍କ ସହ ରହନ୍ତି, ଯିଏକି ତାଙ୍କୁ ପଶୁମାନଙ୍କ ଯତ୍ନ ନେବାରେ ସହାୟତା କରନ୍ତି । ସେ ତାଙ୍କର ବଡ଼ ପୁଅ ଯିଏକି ଜଣେ ସ୍ପେଶାଲ୍‌ ପୋଲିସ ଅଫିସର ଥିଲେ ତାଙ୍କୁ ଉଗ୍ରବାଦୀଙ୍କ ସହ ଏକ ‘ଏନ୍‌କାଉଣ୍ଟର’ରେ ହରାଇଛନ୍ତି । ତାଙ୍କର ଅନ୍ୟ ଏକ ପୁଅ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି। ଏବଂ ବାକି ଦୁଇ ଝିଅ ବିବାହ କରି ଦୂରରେ ରହୁଛନ୍ତି ।

ମାର୍ଚ୍ଚ ୨୦୨୦ଠାରୁ କୋଭିଡ୍ -୧୯ ଲକଡାଉନ୍ ସମୟରେ ମରକାମ କ୍ଷତିର ସମ୍ମୁଖୀନ ହୋଇଥିଲେ କାରଣ ସେ ଧାମତରୀ ବଜାରରେ ମଇଁଷି କ୍ଷୀର ବିକ୍ରି କରିପାରିଲେ ନାହିଁ । ସେ କହନ୍ତି, "ଖାଦ୍ୟ ଦୋକାନ ଏବଂ ଦୋକାନ ସବୁ ବନ୍ଦ ରହିଲା ତେଣୁ ଆମର ଦୁଗ୍ଧ ବିତରଣ ବ୍ୟବସ୍ଥା ପ୍ରଭାବିତ ହେଲା।’’ ସେ ଘିଅ ତିଆରି କରିବା ଆରମ୍ଭ କଲେ, ଯାହା ଅଧିକ ଦିନ ଯାଏଁ ରହିପାରିବ, କିରଣବାଈ ତାଙ୍କୁ ଫୁଟୁଥିବା କ୍ଷୀର ଏବଂ ସରକୁ ଘାଣ୍ଟିବାରେ ସାହାଯ୍ୟ କରୁଥିଲେ ।

କିରଣ ବାଈ,ଜଣେ କମର ଆଦିବାସୀ, ମରକାମଙ୍କ ଦ୍ୱିତୀୟ ପତ୍ନୀ । ଛତିଶଗଡ଼ର ସବୁଠାରୁ ବଡ଼ ଆଦିବାସୀ ସମ୍ପ୍ରଦାୟ ଗୋଣ୍ଡର ହୋଇଥିବାରୁ କିରଣଙ୍କୁ ବିବାହ କରିବା ପାଇଁ ତାଙ୍କୁ ଏକ ମୂଲ୍ୟ ଦେବାକୁ ପଡ଼ିଲା । ସେ କହନ୍ତି, "ମୋତେ [ସମ୍ପ୍ରଦାୟ] ବାହାରେ ବିବାହ ପାଇଁ ଦଣ୍ଡ ସ୍ୱରୂପ ଭୋଜିରେ ପ୍ରାୟ ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା’’।

ତାଙ୍କ କାମ ସମ୍ଭାଳିବାକୁ କେହି ଉତ୍ତରାଧିକାରୀ ନ ଥିବାରୁ ମରକାମ ତାଙ୍କ ମୃତ୍ୟୁ ପରେ ତାଙ୍କ ପଶୁମାନଙ୍କ ଭାଗ୍ୟକୁ ନେଇ ଚିନ୍ତିତ । ସେ କହିଲେ “ଯେତେବେଳେ ମୁଁ ରହିବି ନାହିଁ, ମୋର ପଶୁମାନେ ଏଣେତେଣେ ବୁଲିବେ। ଯଦି ମୁଁ ମରିଯାଏ, ତେବେ ମୋର ପଶୁମାନଙ୍କୁ ମୁକ୍ତ କରିବାକୁ ପଡ଼ିବ, କାରଣ ସେମାନଙ୍କର ଯତ୍ନ ନେବାକୁ କେହି ନାହାନ୍ତି । “ମୁଁ ସେମାନଙ୍କ ଯତ୍ନ ନେବାର ଏହି କାମରେ ଫସି ରହିଲି । ମୁଁ କେବଳ ମରିବା ପରେ ହିଁ ସେମାନଙ୍କୁ ଛାଡ଼ିପାରିବି। ”

ବିଶାଲରାମ ମରକାମ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଏହି ଭିଡିଓରେ କହୁଥିବା ଦେଖନ୍ତୁ: ଜଳବାୟୁ ପରିବର୍ତ୍ତନର ଧାରାପ୍ରବାହରେ ସଂଗ୍ରାମରତ କୀଟପତଙ୍ଗ , ୨୦୨୦, ସେପ୍ଟେମ୍ବର ୨୨ରେ ପରୀରେ ପ୍ରକାଶିତ ।

ଅନୁବାଦ: ଓଡ଼ିଶାଲାଇଭ୍‍

Purusottam Thakur

Purusottam Thakur is a 2015 PARI Fellow. He is a journalist and documentary filmmaker and is working with the Azim Premji Foundation, writing stories for social change.

Other stories by Purusottam Thakur
Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE