ନିଜ ୱେବ୍ସାଇଟ୍ରେ ଗ୍ରାମୀଣ ମହାରାଷ୍ଟ୍ରର ମହିଳାମାନଙ୍କ ଦୃଢ଼ ମନୋବଳ ଏବଂ କଳାନୈପୁଣ୍ୟ ସମ୍ମିଳିତ ଏହି ଶବ୍ଦ ସଂକଳନର ଉନ୍ମୋଚନ କରି ‘ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆ’ ଗୌରବାନ୍ୱିତ। ଅନ୍ତର୍ଜାତୀୟ ମହିଳା ଦିବସ ପ୍ରତି ସମ୍ମାନ ଜଣାଇ ୮ମାର୍ଚ୍ଚ ୨୦୧୭ରେ ଏହି ଶୁଭାରମ୍ଭ କରାଯାଇଛି ।
ଗ୍ରାଇଣ୍ଡମିଲ୍ସ ସଙ୍ଗସ ଡାଟାବେସ୍ର ପରିକଳ୍ପନା କରିଥିଲେ ସାମାଜିକ କର୍ମୀ ଏବଂ ବିଖ୍ୟାତ ବିଦ୍ୱାନ ସ୍ୱର୍ଗତ ହେମା ରାଇରକର ଏବଂ ଗାଏ ପୋଏଟବାଁ, ସେମାନେ ଥିଲେ ପୁଣେରେ ସେଣ୍ଟର ଫର କୋଅପରେଟିଭ୍ ରିସର୍ଚ୍ଚ ଇନ୍ ସୋସିଆଲ ସାଇନ୍ସେସ୍ର ସହ ପ୍ରତିଷ୍ଠାତା । ୨୦ ବର୍ଷ ଭିତରେ ସେମାନେ ଏକତ୍ର ଭାବରେ ମହାରାଷ୍ଟ୍ରର ୧୧୦,୦୦୦ରୁ ଅଧିକ ଲୋକଗୀତର ବିଭିନ୍ନ ଭାଷାରେ ପ୍ରତିଲିପି ପ୍ରସ୍ତୁତ କରିଥିଲେ ।
୧୯୯୦ ଦଶକର ଶେଷ ଭାଗରେ ଜଣେ କମ୍ପ୍ୟୁଟେସନାଲ ମ୍ୟୁଜିକୋଲୋଜିଷ୍ଟ ବା ଗଣନାଭିତ୍ତିକ ସଙ୍ଗୀତବିଦ୍ୟା ବିଶାରଦ ତଥା ଫ୍ରେଞ୍ଚ ନ୍ୟାସନାଲ ସେଣ୍ଟର ଫର ସାଇଣ୍ଟିଫିକ୍ ରିସର୍ଚ୍ଚର ପୂର୍ବତନ ଇଞ୍ଜିନିୟର ବର୍ଣ୍ଣାଡ୍ ବେଲ୍ ,ଏହି ପ୍ରକଳ୍ପରେ ଯୋଗ ଦେଲେ ଏବଂ ବିଭିନ୍ନ ଲେଖା ଏବଂ ଟୀକା ଟିପ୍ପଣୀ ଏବଂ ୧୨୦ ଘଣ୍ଟାରୁ ଅଧିକ ସମୟର ସମ୍ବନ୍ଧିତ ଧ୍ୱନି ସମ୍ବଳିତ ଏକ ଡାଟାବେସ୍ର ରୂପରେଖ ପ୍ରସ୍ତୁତ କଲେ । ଏହି ତଥ୍ୟ ସଂକଳନର ରକ୍ଷଣାବେକ୍ଷଣ ଦାୟିତ୍ୱ ତୁଲାଇଲେ ହରିଆଣାର ଗୁଡଗାଓଁରେ ଥିବା ଆର୍କାଇଭ୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟର ଫର ଏଥ୍ନୋମ୍ୟୁଜିକୋଲୋଜି ଏବଂ ପରବର୍ତ୍ତୀ ସମୟରେ ଏହାକୁ ଫ୍ରାନ୍ସର ଏକ୍ଜାଁ ପ୍ରୋବାଁରେ ଥିବା ସ୍ପିଚ୍ ଆଣ୍ଡ ଲାଙ୍ଗୁଏଜ୍ ଡାଟା ରିପୋଜିଟୋରୀକୁ ପଠାଯାଇଥିଲା । ଏହା ମଧ୍ୟ ପ୍ରଫେସର ବେଲଙ୍କ ଦ୍ୱାରା ସଂପାଦିତ ହୋଇଥିଲା । ସେଠାରେ ଏହି ଗ୍ରାଇଣ୍ଡମିଲ ସଙ୍ଗସ ଡାଟାବେସ୍, ଓପନ୍ ଆର୍କାଇଭାଲ ଇନ୍ଫର୍ମେସନ ସିଷ୍ଟମର ମୂଳ ରୂପ ରୂପେ ବିବେଚିତ ହେବାରେ ଲାଗିଲା ଏବଂ ପରବର୍ତ୍ତୀ ସମୟରେ ଡିଜିଟାଲ ହ୍ୟୁମାନିଟିଜ୍ର ଅଗ୍ରଗତି ଦିଗରେ ପଥପ୍ରଦର୍ଶକ ସାବ୍ୟସ୍ତ ହେଲା ।
୧୯୯୩ରୁ୧୯୯୮ ମଧ୍ୟରେ ‘ଗ୍ରାଇଣ୍ଡମିଲ ସଙ୍ଗସ’ ପ୍ରକଳ୍ପକୁ ‘ୟୁନେସ୍କୋ’, ନେଦରଲାଣ୍ଡସର ଉନ୍ନୟନ ସହଯୋଗ ମନ୍ତ୍ରାଳୟ ଏବଂ ସୁଇଜରଲାଣ୍ଡର ‘ଚାର୍ଲସ ଲିଓପୋଲ୍ଡ ମେୟର ଫାଉଣ୍ଡେସନ ଫର ଦି ପ୍ରୋଗ୍ରେସ ଅଫ ହ୍ୟୁମାନ କାଇଣ୍ଡ’ ସଂସ୍ଥାରୁ ଆର୍ଥିକ ସହାୟତା ମିଳିଲା ।
ପ୍ରଫେସର ବେଲ କହନ୍ତି, “ଗ୍ରାଇଣ୍ଡମିଲ୍ ବିଷୟବସ୍ତୁର ଦସ୍ତାବିଜ ପ୍ରସ୍ତୁତି/ସଂପାଦନା/ଅନୁବାଦ କରିବା ଲାଗି ଏବଂ ସମସ୍ତଙ୍କ ପାଇଁ ଉପଲବ୍ଧ ହେବା ଭଳି ଏହାର ମୁକ୍ତ ପ୍ରକାଶନ ନିମନ୍ତେ ମୁଁ ହେମା ରାଇରକର ଏବଂ ଗାଏ ପୋଏଟବାଁଙ୍କୁ ବ୍ୟକ୍ତିଗତ ଭାବେ ପ୍ରତିଶ୍ରୁତି ଦେଇଥିଲି । ପୁଣେରେ କାର୍ଯ୍ୟରତ ‘ଗ୍ରାଇଣ୍ଡମିଲ ସଙ୍ଗ’ ବିଶେଷଜ୍ଞମାନଙ୍କର ଟିମ୍କୁ ମୁଁ କେତେକ ଉପକରଣ ପ୍ରଦାନ କରିବା ପରେ ୨୦୧୫ ଜାନୁଆରୀରେ ସେମାନଙ୍କ ପ୍ରକଳ୍ପ ପୁଣି କାର୍ଯ୍ୟାରମ୍ଭ କରିଥିଲା । ଏହି ପ୍ରକଳ୍ପର ଏକ ପ୍ରାରମ୍ଭିକ ପ୍ରକାଶନର ରୂପରେଖ ନିମନ୍ତେ ଆମେ ଏକତ୍ର ହୋଇ କାମ କଲୁ । ଏଥିପାଇଁ ଏକ ଡାଟାବେସ୍ର ପୁନର୍ଗଠନ ଏବଂ ଦେବନାଗରୀ ଲିପିରେ ଥିବା ଲେଖାର ଅନୁସୃଜନ ନିମନ୍ତେ ପୁଞ୍ଜି ବିନିଯୋଗ ଆବଶ୍ୟକ ହେଉଥିଲା ।”
ଏହି ପ୍ରକଳ୍ପରେ PARI ସଂପୃକ୍ତ ହେବା ପରେ, ଅନେକ ନୂଆ ଓ ପୁରୁଣା ସହଯୋଗୀଙ୍କ ସହିତ ନିକଟରେ ଏହାର ପୁନର୍ବିନ୍ୟାସ କରାଯାଇଛି । ପୁଣେର ଗୋଖଲେ ଇନ୍ଷ୍ଟିଚ୍ୟୁଟ୍ ଅଫ ପଲିଟିକ୍ସ ଆଣ୍ଡ ଇକୋନୋମିକ୍ସର ଜଣେ ପୂର୍ବତନ ଡକୁମେଣ୍ଟେସନ ଅଫିସର ଆଶା ଓଗାଲେ ଓ ତାଙ୍କ ସହକର୍ମୀ ରଜନୀ ଖାଲାଡକର ଓ ଜିତେନ୍ଦ୍ର ମୈଡ ଅନୁବାଦ ହୋଇ ନଥିବା ୭୦,୦୦୦ ଗୀତ ସଂପର୍କିତ କାମରେ ଲାଗିଛନ୍ତି । ମରାଠୀ ଭାଷା ଏବଂ ଗ୍ରାମ୍ୟ ଜୀବନ ସଂପର୍କରେ ସେମାନଙ୍କର ଗଭୀର ସାମୂହିକ ଜ୍ଞାନ ଏହି ଗୀତଗୁଡ଼ିକର ଅନୁବାଦ ପ୍ରୟାସରେ ବହୁମୂଲ୍ୟ ପ୍ରାସଙ୍ଗିକ ଯୋଗଦାନ କରୁଛି ।
୨୦୧୬ରେ ହରିଆଣାର ସୋନିପତସ୍ଥିତ ଅଶୋକା ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ସହକାରୀ ପ୍ରାଧ୍ୟାପକ ଗିଲ୍ସ ଭର୍ନିଅରସ୍ ଙ୍କ ନେତୃତ୍ୱରେ ସେହି ବିଶ୍ୱବିଦ୍ୟାଳୟ ସହିତ ଭାଗୀଦାରିତା ସଂପନ୍ନ ହୋଇଥିଲା । ୨୦୧୬-୧୭ର ୟଙ୍ଗ ଇଣ୍ଡିଆ ଫେଲୋସିପ୍ କ୍ଲାସ୍ର ତିନି ଜଣ ସଦସ୍ୟ-ମେହରିଶ ଦେବକୀ, ସ୍ନେହା ମାଧୁରୀ ଏବଂ ପୂର୍ଣ୍ଣାପ୍ରଜ୍ଞା କୁଲକର୍ଣ୍ଣି- ଅନୁବାଦ କାର୍ଯ୍ୟର ସମୀକ୍ଷା କରୁଛନ୍ତି ଏବଂ ଏହାର ସଂରକ୍ଷଣ ସଂପର୍କରେ ଅତିରିକ୍ତ ସହାୟତା ପ୍ରଦାନ କରୁଛନ୍ତି । ‘ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆ’ରେ ‘ଗ୍ରାଇଣ୍ଡମିଲ ସଙ୍ଗସ’ ପ୍ରକଳ୍ପର ମୁଖ୍ୟ ହେଉଛନ୍ତି PARIର ପରିଚାଳନା ସଂପାଦିକା ନମିତା ୱାଇକର ଏବଂ ଜଣେ ‘ଆମେରିକାନ୍ ଇଣ୍ଡିଆ ଫାଉଣ୍ଡେସନ କ୍ଲିଣ୍ଟନ ଫେଲୋ’ ଓଲିଭିଆ ୱାରିଂ ମଧ୍ୟ ଡାଟାବେସ୍ ପ୍ରସ୍ତୁତି କ୍ଷେତ୍ରରେ ସହାୟତା କରୁଛନ୍ତି ।
ଏହି ପ୍ରକଳ୍ପ ପ୍ରତି ଅନ୍ୟ ଯେଉଁମାନଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଥିଲା, ସେମାନେ ହେଲେ ଭୀମସେନ ନାନେକର (ସାକ୍ଷାତକାରୀ), ଦତ୍ତା ଶିନ୍ଦେ (ଗବେଷଣାରେ ଅଂଶଗ୍ରହଣକାରୀ), ମାଳବିକା ତାଲୁଡ଼କର (ଫଟୋଗ୍ରାଫର), ଲତା ଭୋରେ (ଡାଟା ଇନ୍ପୁଟ୍) ଏବଂ ଗଜରାବାଇ ଡାରେକର (ଅନୁଲେଖନ) ।
ଏହି ପ୍ରକଳ୍ପର କେନ୍ଦ୍ରରେ ସ୍ଥାନିତ ଜଣେ ମୁଖ୍ୟ କଳାକାର ଏବଂ ଅଂଶଗ୍ରହଣକାରୀ ଗଙ୍ଗୁବାଇ ଆମ୍ବୋରେଙ୍କ ସମସ୍ତ ମନୋନୀତ ଭିଡିଓ ଓ ଫଟୋଗ୍ରାଫ ପଛରେ ଆଣ୍ଡ୍ରେଇନ୍ ବେଲଙ୍କ ଉଦ୍ୟମ ରହିଛି ।
ପିପୁଲ୍ସ ଆର୍କାଇଭ ଅଫ୍ ରୁରାଲ ଇଣ୍ଡିଆର ଏହି ସଦ୍ୟତମ ପ୍ରୟାସର ଅନ୍ୱେଷଣ ନିମନ୍ତେ ଆମେ ଆପଣମାନଙ୍କୁ ନିମନ୍ତ୍ରଣ କରୁଛୁ। ଆଗାମୀ ମାସ ଓ ବର୍ଷଗୁଡ଼ିକରେ ଏହି ପ୍ରକଳ୍ପରେ ନୂଆ ନୂଆ ପ୍ରସଙ୍ଗ ଉନ୍ମୋଚିତ ହେବ । ଗ୍ରାମୀଣ ମହାରାଷ୍ଟ୍ରର ହଜାର ହଜାର ଅପରିଚିତ ମହିଳାଙ୍କ ଜୀବନ ଓ ସଫଳତାକୁ ସ୍ୱୀକାର କରିବା ସହିତ ‘ଗ୍ରାଇଣ୍ଡମିଲ ସଙ୍ଗସ’ ପ୍ରକଳ୍ପର ସମସ୍ତ ଅଂଶୀଦାରଙ୍କୁ PARI ଆନ୍ତରିକ କୃତଜ୍ଞତା ଜଣାଉଛି । କିନ୍ତୁ ସେହି ମହିଳାମାନଙ୍କ ପାଇଁ ନା କୌଣସି ଗୀତ ଅଛି ନା ସେମାନଙ୍କ ସଂପର୍କିତ ଏକ ଡାଟାବେସ୍ ।