ପାଦ ତଳେ ସବୁଜ ଘାସ, ଉପରେ ଖୋଲା ଆକାଶ, ଚାରି ପାଖରେ ଘଞ୍ଚ ଜଙ୍ଗଲ, ଏବଂ ଜଙ୍ଗଲ ଦେଇ ବୋହି ଯାଇଥିବା ଶାନ୍ତ ଝରଣା – ଗ୍ରାମୀଣ ମହାରାଷ୍ଟ୍ରରେ ଏଭଳି ଦୃଶ୍ୟ ଯେକୌଣସି ସ୍ଥାନରେ ଦେଖିବାକୁ ମିଳିଯିବ ।
କିନ୍ତୁ ଅପେକ୍ଷା କରନ୍ତୁ, ଗୀତାଙ୍କର ଆଉ କିଛି କହିବାର ଅଛି । ଝରଣା ଆଡ଼କୁ ଇସାରା କରି ସେ କୁହନ୍ତି: ‘‘ଆମେ ମହିଳାମାନେ ବାମ ପଟକୁ ଏବଂ ପୁରୁଷମାନେ ଡାହାଣ ପଟକୁ ଯାଆନ୍ତି।’’ ବାହାରକୁ ଶୌଚ ହେବାକୁ ଯିବା ସମୟରେ ବସ୍ତି (କଲୋନୀ)ର ବାସିନ୍ଦାମାନେ ଏହି ନିୟମକୁ ଅନୁସରଣ କରିଥାନ୍ତି ।
‘‘ଆମକୁ ଗୋଇଠି ପର୍ଯ୍ୟନ୍ତ ବୁଡ଼ିଯାଉଥିବା ପାଣିରେ ବସିବାକୁ ହୋଇଥାଏ – ବର୍ଷା ହେଲେ ଛତା ମାରି ବସିବାକୁ ପଡ଼େ। (ମୋର) ଋତୁସ୍ରାବ ସମୟରେ ଅବସ୍ଥା କିପରି ହେଉଥିବ ସେ ସମ୍ପର୍କରେ ମୁଁ କ’ଣ କହିପାରିବି?’’ ୪୦ ବର୍ଷୀୟା ଗୀତା ପ୍ରଶ୍ନ କରନ୍ତି ।
୫୦ ପରିବାରକୁ ନେଇ ତାଙ୍କ ବସ୍ତି ପୁଣେ ଜିଲ୍ଲାର ଶିରୁର ତାଲୁକାର କୁରୁଲି ଗ୍ରାମ ଉପକଣ୍ଠରେ ରହିଛି ଏବଂ ଏଠାରେ ଭୀଲ ଓ ପାରଧି ସମ୍ପ୍ରଦାୟର ଲୋକମାନେ ରୁହନ୍ତି । ଦୁଇ ସମୁଦାୟ ମହରାଷ୍ଟ୍ରରେ ଅନୁସୂଚିତ ଜନଜାତି ଭାବେ ବର୍ଗୀକୃତ ହୋଇଛନ୍ତି, ଏମାନେ ରାଜ୍ୟରେ ଗରିବ ଓ ସବୁଠୁ ବଞ୍ଚିତ ସମୁଦାୟ ଭାବେ ପରିଗଣିତ ହୋଇଥାନ୍ତି।
ଭୀଲ ସମ୍ପ୍ରଦାୟର ମହିଳା ଗୀତା ଖୋଲାରେ ଶୌଚ ଯିବାକୁ ନେଇ ନିଜ ସମସ୍ୟା ବିଷୟରେ ଖୁବ ସ୍ପଷ୍ଟ ଭାବେ କହିଥାନ୍ତି । ‘‘ଆମେ ବସିବା ସମୟରେ ଘାସ ଫୁଟିଯାଏ ଏବଂ ମଶା କାମୁଡ଼ନ୍ତି… ତା’ଛଡ଼ା ସବୁବେଳେ ସାପ କାମୁଡ଼ିବାର ଭୟ ଲାଗି ରହିଥାଏ।’’
ବସ୍ତିର ବାସିନ୍ଦା, ବିଶେଷ କରି ମହିଳାମାନେ ପ୍ରତିଟି ପାଦରେ ବିପଦର ସମ୍ମୁଖିନ ହୋଇଥାନ୍ତି, ଜଙ୍ଗଲରେ ଯିବା ବାଟରେ ସେମାନଙ୍କୁ ଆକ୍ରମଣର ଭୟ ରହିଥାଏ।
![The stream where residents of the Bhil and Pardhi vasti near Kuruli village go to relieve themselves.](/media/images/02a-IMG_20221017_130654-JS.max-1400x1120.jpg)
![The tree that was planted by Vithabai](/media/images/02b-Tree-Photo-2-JS.max-1400x1120.jpg)
ବାମ: କୁରୁଲି ଗ୍ରାମ ନିକଟରେ ଭୀଲ ଓ ପାରଧୀ ବସ୍ତି ନିକଟରେ ଥିବା ସେହି ଝରଣା ଯେଉଁଠିକୁ ସ୍ଥାନୀୟ ବାସିନ୍ଦାମାନେ ଶୌଚ ହେବା ଲାଗି ଯାଇଥାନ୍ତି । ଡାହାଣ: ବିଠାବାଈ ଲଗାଇଥିବା ଗଛ
‘‘ଆମେ ସମସ୍ତେ ଦଳଗତ ହୋଇ ଭୋର ଚାରିଟାରୁ ଉଠିଥାଉ, କିନ୍ତୁ କାଳେ କେହି ଆସିଯିବ (ଏବଂ ଆକ୍ରମଣ) କରିବ ବୋଲି ଆମ ମନରେ ଭୟ ରହିଥାଏ….’’ ଆଉ ଜଣେ ୨୨ ବର୍ଷ ବୟସ୍କା ଭୀଲ ମହିଳା ସ୍ୱାତୀ କୁହନ୍ତି ।
ଗାଁ ଠାରୁ ଦୁଇ କିଲୋମିଟର ଦୂରରେ ଥିବା ସେମାନଙ୍କର ବସ୍ତି, କୁରୁଲି ଗ୍ରାମ ପଞ୍ଚାୟତ ଅଧୀନରେ ଆସିଥାଏ। କିନ୍ତୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଅନେକ ବାର ନିବେଦନ ଓ ଅନୁରୋଧ ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ଏହି ବସ୍ତିରେ ବିଦ୍ୟୁତ ସଂଯୋଗ, ପାନୀୟ ଜଳ ଯୋଗାଣ ଏବଂ ଶୌଚାଳୟ ବ୍ୟବସ୍ଥା ହୋଇପାରି ନାହିଁ । ‘‘ସେମାନେ (ପଞ୍ଚାୟତ) କେବେ ଆମ ସମସ୍ୟା ଶୁଣିନାହାନ୍ତି,’’ ୬୦ରୁ ଅଧିକ ବୟସ ଅତିକ୍ରାନ୍ତ କରିସାରିଥିବା ବିଠାବାଈ କୁହନ୍ତି।
କେବଳ ଏହି ବସ୍ତିର ବଞ୍ଚିତ ସମୁଦାୟ ନୁହନ୍ତି ରାଜ୍ୟର ୩୯ ପ୍ରତିଶତ ଅନୁସୂଚିତ ଜନଜାତି ଲୋକମାନଙ୍କ ପାଖରେ ଶୌଚାଳୟ ସୁବିଧା ନାହିଁ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ୨୦୧୯-୨୧ ( ଏନଏଫଏଚଏସ-୫ ), ର ତଥ୍ୟ ଅନୁଯାୟୀ ଗ୍ରାମୀଣ ମହାରାଷ୍ଟ୍ରରେ ୨୩ ପ୍ରତିଶତ ପରିବାର ନିକଟରେ ‘‘ଶୌଚାଳୟ ସୁବିଧା ନାହିଁ; ସେମାନେ ଖୋଲା ସ୍ଥାନ କିମ୍ବା କ୍ଷେତରେ ଶୌଚ ହୋଇଥାନ୍ତି।’’
କିନ୍ତୁ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ)ରେ ନାଟକୀୟ ଢଙ୍ଗରେ ଘୋଷଣା କରାଯାଇଛି ଯେ, ‘‘ଏସବିଏମ (ଜି) ଅସମ୍ଭବ ଲାଗୁଥିବା ୧୦୦ ପ୍ରତିଶତ ଗ୍ରାମୀଣ ସ୍ୱଚ୍ଛତା ଲକ୍ଷ୍ୟ ହାସଲ କରିଛି ଏବଂ ପର୍ଯ୍ୟାୟ ୧ (୨୦୧୪-୧୯) ର ନିର୍ଦ୍ଧାରିତ ଅବଧିରେ ଭାରତକୁ ଏକ ଖୋଲା ଶୌଚ ମୁକ୍ତ ଦେଶରେ ପରିଣତ କରି ଦେଇଛି ।
କୁରୁଲି ଉପକଣ୍ଠରେ ଥିବା ଏହି ବସ୍ତିରେ, ବିଠାବାଈ ନିଜ ଜୀବନର ଅଧିକାଂଶ ସମୟ ବିତାଇଛନ୍ତି, ସେ ଆମକୁ ଏକ ଗଛ ଦେଖାଇ ଦେଇ କୁହନ୍ତି, ‘‘ମୁଁ ଏହି ଗଛ ଲଗାଇଥିଲି । ଏବେ ଆପଣ ମୋ ବୟସ ଅନୁମାନ କରନ୍ତୁ । ଆଉ ହିସାବ କରନ୍ତୁ ଯେ କେତେବର୍ଷ ହେଲା ମୁଁ ଶୌଚ ହେବା ଲାଗି ସେଠାକୁ (ଜଙ୍ଗଲକୁ) ଯାଉଛି ।’’
ଅନୁବାଦ : ଓଡ଼ିଶାଲାଇଭ୍