ବୁଦ୍ଧୁରାମ ଚିଣ୍ଡା ଭୟରେ ଥରୁଥିଲେ। ଜହ୍ନ ରାତିରେ ସେ ଏକ ବିଶାଳ କଳା ଆକୃତିର ଛାୟାମୂର୍ତ୍ତିଠାରୁ ମାତ୍ର କେଇ ଗଜ ଦୂରରେ ଛିଡ଼ା ହୋଇଥିଲେ । କଠାଫର ଗ୍ରାମରେ ଥିବା ନିଜ ଘରେ ଅଧା ଆଉଜା ହୋଇଥିବା କବାଟ ଫାଙ୍କରେ ଛିଡ଼ା ହୋଇ ଏହି ୬୦ ବର୍ଷ ବୟସ୍କ ଭୁଞ୍ଜିଆ ଆଦିବାସୀ ଚାଷୀ ବାହାରକୁ ଉଙ୍କିମାରି ଦେଖୁଥିଲେ।
ଓଡ଼ିଶାର ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର କେନ୍ଦ୍ର ଓ ପ୍ରମୁଖ ସ୍ଥାନରେ ଥିବା ୫୨ଟି ଜନବସତି ମଧ୍ୟରୁ ଗୋଟିଏରେ ରହୁଥିବା ଏହି ଚାଷୀଙ୍କ ପାଇଁ ଏଭଳି ବିଶାଳକାୟ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ଦେଖିବା ଆଦୌ ଅସ୍ୱାଭାବିକ କଥା ନଥିଲା।
ତଥାପି, ସେ କହିଥିଲେ, “ସେ ମୋତେ ଓ ମୋର କଚ୍ଚା ଘରକୁ ମାତ୍ର କିଛି ମିନିଟ୍ ମଧ୍ୟରେ ଦଳି ଦେବା ବିଷୟରେ ଭାବି ମୁଁ ଭୟରେ ଥରୁଥିଲି।” କିଛି ସମୟ ପରେ ସେ ବାଡ଼ିପଟକୁ ଚାଲିଗଲେ ଏବଂ ଏକ ତୁଲସୀ ଗଛ ପାଖରେ ଛିଡ଼ା ହେଲେ : “ମୁଁ ଦେବୀ ଲକ୍ଷ୍ମୀ ଏବଂ ସେହି ବଡ଼ ହାତୀମାନଙ୍କୁ ପ୍ରାର୍ଥନା କଲି। ହାତୀପଲ ହୁଏତ’ ମୋତେ ଦେଖିଥିବେ।”
ବୁଦ୍ଧୁରାମଙ୍କ ପତ୍ନୀ ସୁଲକ୍ଷ୍ମୀ ଚିଣ୍ଡା (୫୫) ମଧ୍ୟ ହାତୀଙ୍କ ଗର୍ଜ୍ଜନ ଶୁଣିପାରିଥିଲେ। ସେ ଏଠାରୁ ଗୋଟିଏ କିଲୋମିଟର ଦୂରରେ ଥିବା ଗାଁ ଭିତରେ ଥିବା ଘରେ ସେମାନଙ୍କ ପିଲା ଓ ପରିବାର ସହିତ ଥିଲେ।
ଗୋଟିଏ ଘଣ୍ଟା ପରେ ହାତୀ ପଲ ସେହି ସ୍ଥାନ ଛାଡ଼ି ଚାଲିଗଲେ।
ଡିସେମ୍ବର ୨୦୨୦ର ସେହି ଘଟଣାକୁ ମନେ ପକାଇ ଏହି ଚାଷୀ ଜଣଙ୍କ ଭାବନ୍ତି ଯେ ତାଙ୍କ ପ୍ରାର୍ଥନା କାମ ଦେଲା।
ତେଣୁ ଡିସେମ୍ବର ୨୦୨୨ରେ ହାତୀମାନେ ଯେତେବେଳେ ସେମାନଙ୍କର ମାର୍ଗ ପରିବର୍ତ୍ତନ କରିଥିଲେ, ସେତେବେଳେ କେବଳ ବୁଦ୍ଧୁରାମ ନୁହନ୍ତି ନୂଆପଡ଼ା ଜିଲ୍ଲାର ୩୦ ଆଦିବାସୀ ଗ୍ରାମର ଅନ୍ୟ ବାସିନ୍ଦାମାନେ ଆଶ୍ୱସ୍ତ ହୋଇଥିଲେ।











