ରେଶମ ଓ ବିଅନ୍ତ କୌର କହିଲେ, ‘‘ଏହି ସଂଘର୍ଷ କେବଳ ଶ୍ରମିକ ମାନଙ୍କର ନୁହେଁ, କୃଷି କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କର ମଧ୍ୟ ।’’ ଯଦି ଏହି କୃଷି ଆଇନ ଗୁଡ଼ିକୁ ଲାଗୁ କରାଯାଏ, ତା’ହେଲେ ଏହା କେବଳ କୃଷକମାନଙ୍କୁ ପ୍ରଭାବିତ କରିବ ନାହିଁ, କୃଷି ଶ୍ରମିକଙ୍କୁ ମଧ୍ୟ ପ୍ରଭାବିତ କରିବା  ଯେଉଁମାନଙ୍କର ଜୀବିକା ଚାଷୀଙ୍କ ଉପରେ ନିର୍ଭରଶୀଳ ।’’

ତେଣୁ ଜାନୁଆରୀ ୭ ତାରିଖ ସକାଳେ ଏହି ଦୁଇ ଭଉଣୀ ପଞ୍ଜାବର ମୁକ୍ତସର ଜିଲ୍ଲାରୁ ଦେଶ ରାଜଧାନୀ ଦିଲ୍ଲୀ ଉପକଣ୍ଠରେ ଚାଲୁଥିବା କୃଷକ ଆନ୍ଦୋଳନରେ ଯୋଗ ଦେବାକୁ ଯାତ୍ରା କଲେ ।

ପଞ୍ଜାବ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଅତି କମ୍‌ରେ ୨୦ଟି ବସ୍‌ର ବ୍ୟବସ୍ଥା କରାଯାଇଥିଲା । ତା’ ମାଧ୍ୟମରେ ଅତି କମ୍‌ରେ ୧୫୦୦ ଲୋକ ପଶ୍ଚିମ ଦିଲ୍ଲୀର ଟିକ୍ରି ଯାହାକି ନୂଆ କୃଷି ଆଇନକୁ ବିରୋଧ କରି ହେଉଥିବା ବିକ୍ଷୋଭର ଅନ୍ୟତମ ସ୍ଥଳ ସେଠାରେ ରାତିରେ ପହଞ୍ଚିଲେ । ଲୋକମାନେ ଭଟିଣ୍ଡା, ଫରିଦକୋଟ, ଜଳନ୍ଧର, ମୋଗା, ମୁକ୍ତସର, ପଟିଆଲା ଓ ସାଙ୍ଗ୍ରୁର ଜିଲ୍ଲାରୁ ଆସିଥିଲେ । ରେଶମ ଓ ବିଅନ୍ତ ଏହି ବସ୍‌ ମଧ୍ୟରୁ ଗୋଟିଏରେ ମୁକ୍ତସର ଜିଲ୍ଲାସ୍ଥିତ ସେମାନଙ୍କ ଗାଁ ଚାନୁ ନିକଟସ୍ଥ ଏକ ସ୍ଥାନରୁ ଚଢ଼ିଲେ ।

ନଭେମ୍ବର ୨୬ ତାରିଖରୁ ଟିକ୍ରି, ଦିଲ୍ଲୀ ଓ ଆଖପାଖର ଅନ୍ୟ ବିକ୍ଷୋଭସ୍ଥଳରେ ବହୁ ସଂଖ୍ୟାରେ ଶ୍ରମିକ ଧାରଣା ଦେଇଆସୁଛନ୍ତି । କିଛି ଶ୍ରମିକ ଅଳ୍ପ ଦିନ ପାଇଁ ସେଥିରେ ସାମିଲ ହେଉଛନ୍ତି । ସେମାନେ ନିଜ ନିଜ ଗାଁକୁ ଫେରି ଲୋକଙ୍କୁ ଏହିସବୁ ସ୍ଥାନରେ ଚାଲିଥିବା ବିକ୍ଷୋଭ ସମ୍ପର୍କରେ ସୂଚନା ଦେଉଛନ୍ତି । ୨୪ ବର୍ଷୀୟ ରେଶମ କହିଲେ, ‘‘ଆମ ଗାଁର ଅଧିକାଂଶ ଲୋକ ଏହି ନୂଆ କୃଷି ଆଇନ କିଭଳି କୃଷି ଶ୍ରମିକଙ୍କୁ ପ୍ରଭାବିତ କରିବ ତାହା ଜାଣିନାହାନ୍ତି । ଏମିତିକି ଆମ ଗାଁରେ ପ୍ରସାରିତ ହେଉଥିବା ନ୍ୟୁଜ୍‌ ଚ୍ୟାନେଲ୍‌ ଗୁଡ଼ିକରେ ଏହି ଆଇନ ଗୁଡ଼ିକ ଚାଷୀ ଓ କୃଷି ଶ୍ରମିକଙ୍କ ମଙ୍ଗଳ ପାଇଁ ଆସିଥିବା ଦର୍ଶାଯାଉଛି । ସେଥିରେ କୁହାଯାଉଛି  ଯେ, ଏହି ନୂଆ ଆଇନ ଗୁଡ଼ିକ ଲାଗୁ ହେବା ପରେ କୃଷି ଶ୍ରମିକଙ୍କୁ ଜମି ଓ ଉନ୍ନତମାନର ସୁବିଧା ଯୋଗାଇ ଦିଆଯିବ ।’’

୨୦୨୦ ଜୁନ୍‌ ୫ ତାରିଖରେ କୃଷି ଆଇନ ଗୁଡ଼ିକ ଅଧ୍ୟାଦେଶ ଆକାରରେ ପାରିତ ହେଲା, ତା’ପରେ ଫାର୍ମ ବିଲ୍‌ ଆକାରରେ ସଂସଦରେ ସେପ୍ଟେମ୍ବର ୧୪ରେ ଉପସ୍ଥାପିତ କରାଗଲା ଏବଂ ସେହି ମାସ ୨୦ ତାରିଖରେ ଆଇନରେ ପରିଣତ ହେଲା । ତିନିଟି ଆଇନ ହେଲା କୃଷକଙ୍କ (ସଶକ୍ତିକରଣ ଓ ସୁରକ୍ଷା) ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଆଇନ, ୨୦୨୦ , କୃଷକଙ୍କ ଉତ୍ପାଦନ ବ୍ୟବସାୟ ଏବଂ ବାଣିଜ୍ୟ (ଉନ୍ନତି ଏବଂ ସୁବିଧା) ଆଇନ, ୨୦୨୦ ; ଏବଂ ଜରୁରୀ ଦ୍ରବ୍ୟ (ସଂଶୋଧନ) ଆଇନ, ୨୦୨୦ । ଏହି ଆଇନ ଗୁଡ଼ିକୁ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଭାବିତ କରୁଥିବା ଭଳି ସମାଲୋଚନା କରାଯାଇଛି କାରଣ ଭାରତର ସମ୍ବିଧାନର ଧାରା ୩୨କୁ ଦୁର୍ବଳ କରି, ଏଗୁଡ଼ିକ ସମସ୍ତ ନାଗରିକଙ୍କ ଆଇନଗତ ଆଶ୍ରୟ ନେବାର ଅଧିକାରକୁ ଅକ୍ଷମ କରୁଛି

Resham (left) and Beant: 'If farmers' land is taken away by these laws, will our parents find work and educate their children?'
PHOTO • Sanskriti Talwar

ରେଶମ(ବାମ) ଓ ବିଅନ୍ତ:‘ଯଦି ଏହି ଆଇନ ଯୋଗୁ ଚାଷୀମାନଙ୍କର ଜମିକୁ ସେମାନଙ୍କ ନିକଟରୁ ଛଡ଼ାଇ ନିଆଯାଏ, ଆମ ବାପା-ମା’ କ’ଣ କାମ ପାଇବେ ଏବଂ ସେମାନଙ୍କ ପିଲାଙ୍କୁ ପାଠ ପଢ଼ାଇପାରିବେ ?’

ସମସ୍ତ କୃଷକମାନେ ଏହି ୩ଟି ଆଇନକୁ ସେମାନଙ୍କ ଜୀବିକା ବିପର୍ଯ୍ୟସ୍ତ କରିଦେବା ଭଳି ଆଇନ ଭାବେ ଦେଖୁଛନ୍ତି କାରଣ ଏହାଦ୍ବାରା ବଡ଼ ବ୍ୟାବସାୟିକ ସଂସ୍ଥା ଗୁଡ଼ିକର କୃଷକ ଓ କୃଷି କ୍ଷେତ୍ର ଉପରେ ଆହୁରି ଅଧିକ କ୍ଷମତା ଦଖଲ ପାଇଁ ପଥ ପ୍ରସାରିତ କରିବ ବୋଲି ସେମାନେ ଭାବୁଛନ୍ତି । ଏହି ଆଇନ ଗୁଡ଼ିକ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି), କୃଷି ଉତ୍ପାଦ ବଜାର କମିଟି(ଏପିଏମ୍‌ସି), ରାଜ୍ୟର ଫସଲ କ୍ରୟ ଏବଂ ଏହିଭଳି ଉତ୍ପାଦକଙ୍କୁ ସହାୟତା କରୁଥିବା ମୁଖ୍ୟ ନିୟମକୁ ମଧ୍ୟ ଉପେକ୍ଷା କରୁଛି ।

ରେଶମ ଓ ବିଅନ୍ତ ଏକ ଦଳିତ ବାଉରିଆ ସମ୍ପ୍ରଦାୟର-ଚାନୁ ଗାଁରେ ମୋଟ ୬,୫୨୯ ଜଣ ବସବାସ କରୁଥିବାବେଳେ ସେମାନଙ୍କ ମଧ୍ୟରୁ ୫୮ ପ୍ରତିଶତ ହେଉଛନ୍ତି ଦଳିତ ସମ୍ପ୍ରଦାୟର । ସେମାନଙ୍କ ପରିବାର କୃଷି ଶ୍ରମିକ ଭାବେ କାମ କରି ଜୀବିକା ନିର୍ବାହ କରନ୍ତି ; ସେମାନଙ୍କ ମା’ ୪୫ ବର୍ଷୀୟ ପରମଜିତ କୌର ଏବେ ମଧ୍ୟ ଚାଷଜମିରେ କାମ କରୁଛନ୍ତି, ଯେତେବେଳେକି ବାପା ବଲବୀର ସିଂହ(୫୦) ସେହି ଗାଁରେ ଏକ ୱାର୍କସପ୍‌ ଖୋଲିଛନ୍ତି । ସେଠାରେ ସେ ଟ୍ରଲି ଓ ମେଟାଲ ଗେଟ୍‌ ତିଆରି କରନ୍ତି । ସେମାନଙ୍କ ଭାଇ ୨୦ ବର୍ଷୀୟ ହରଦୀପ ଦଶମ ଶ୍ରେଣୀ ଯାଏଁ ପଢ଼ିଛନ୍ତି । ତାଙ୍କର ବିବାହ ସରିଥିବାବେଳେ ସେ ବାପାଙ୍କ ସହ ଚାଷଜମିରେ କାମ କରନ୍ତି ।

ରେଶମ ଇତିହାସରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିବାବେଳେ ଲକ୍‌ଡାଉନ୍‌ ପୂର୍ବରୁ ଏକ ଘରୋଇ ସ୍କୁଲରେ ପାଠ ପଢ଼ାଇ ମାସିକ ୩ ହଜାର ଟଙ୍କା ଦରମା ପାଉଥିଲେ । ସେବେଠାରୁ ସେ ଟ୍ୟୁସନ୍‌ କରି ମାସିକ ୨୦୦୦ ଟଙ୍କା ପାଉଥିଲେ । ବିଅନ୍ତ(୨୨) ସ୍ନାତକ ଶିକ୍ଷା ଶେଷ କରିଛନ୍ତି । ସେ ଇନ୍‌ଭେଣ୍ଟୋରୀ କ୍ଲର୍କ (ଚିଠା ପ୍ରସ୍ତୁତକାରୀ କିରାଣି) ଚାକିରି ପାଇଁ ଆବେଦନ କରିବାକୁ ଯୋଜନା ରଖିଛନ୍ତି । ଏହି ଦୁଇ ଭଉଣୀ ମଧ୍ୟ ଘରେ ଟେଲରିଂ କରନ୍ତି । ଗୋଟିଏ ଯୋଡ଼ା ସାଲୱାର-କାମିଜ ସିଲାଇ କରିବା ଲାଗି ସେମାନେ ୩୦୦ ଟଙ୍କା ନିଅନ୍ତି ।  ବେଳେବେଳେ ସେମାନେ ଟେଲରିଂରୁ ରୋଜଗାର କରିଥିବା ଟଙ୍କାରେ କଲେଜ ଫି’ ଦେଇଥାନ୍ତି ।

ରେଶମ କହନ୍ତି,‘‘ଆମେ କୃଷି ଶ୍ରମିକ ପରିବାରରେ ଜନ୍ମ ନେଇଛୁ । ଜଣେ କୃଷି ଶ୍ରମିକଙ୍କ ଦ୍ବାରା ବଡ଼ ହୋଇଥିବା ସବୁ ପିଲା ପରିଶ୍ରମ କରି ଜାଣନ୍ତି । ମୁଁ ମଧ୍ୟ ମୋର ସ୍କୁଲ ଛୁଟି ଥିବା ସମୟରେ ଦିନକୁ ୨୫୦-୩୦୦ ଟଙ୍କା ପାଇଁ ମୋର ବାପା-ମା’ଙ୍କ ସହିତ ଚାଷ ଜମିରେ କାମ କରିଛି ।’’

ସବୁ କୃଷି ଶ୍ରମିକଙ୍କ ପିଲାଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ‘‘ଆମ ସ୍କୁଲ ଛୁଟି ଥିବା ସମୟରେ ଆମେ କେବେ ବି ବସୁନା । ସ୍କୁଲ ଛୁଟି ଥିବା ସମୟରେ ଅନ୍ୟ ପିଲାଙ୍କ ଭଳି ଆମେ ମନୋରଞ୍ଜନ ପାଇଁ କେଉଁ ସ୍ଥାନକୁ ଯାଉନା । ଆମେ କ୍ଷେତରେ ପରିଶ୍ରମ କରିଥାଉ ।’’

ସେ ଆହୁରି କହିଲେ, ଏହି ନୂଆ ଆଇନ କେବଳ କୃଷି ଶ୍ରମିକମାନଙ୍କ ପାଇଁ ସେମାନଙ୍କର ପିଲାଙ୍କୁ ପାଠପଢ଼ାରେ ଅଧିକ ଅସୁବିଧା ସୃଷ୍ଟି କରିବ । ‘ସେ ଯାହା ହେଉ ଏହା ଆକଳନ କରାଯାଇଥାଏ ଯେ ଜଣେ ଶ୍ରମିକଙ୍କର ପୁଅ ଶ୍ରମିକ ହିଁ ହେବ । ଯଦି ଏହି ଆଇନ ଗୁଡ଼ିକ ଦ୍ବାରା ଚାଷୀଙ୍କର ଜମିକୁ ଛଡ଼ାଇ ନିଆଯାଏ, ତା’ହେଲେ ଆମ ବାପା-ମା’ କ’ଣ କାମ ପାଇବେ ଏବଂ ସେମାନଙ୍କର ପିଲାଙ୍କୁ ପାଠ ପଢ଼ାଇ ପାରିବେ ? ସରକାର ଗରିବ ଲୋକଙ୍କୁ ଆହୁରି ହଇରାଣ କରିବାକୁ ଚାହୁଁଛନ୍ତି-ସେମାନେ କିପରି କାମ, ଖାଦ୍ୟ ଓ ଶିକ୍ଷା ପାଇବେ ନାହିଁ ସେହି ବ୍ୟବସ୍ଥା କରୁଛନ୍ତି ।’’

Many farmers have been camping at Tikri and other protest sites in and around Delhi since November 26, while others join in for a few days, then return to their villages and inform people there about the ongoing agitation
PHOTO • Sanskriti Talwar
Many farmers have been camping at Tikri and other protest sites in and around Delhi since November 26, while others join in for a few days, then return to their villages and inform people there about the ongoing agitation
PHOTO • Sanskriti Talwar

ନଭେମ୍ବର ୨୬ ତାରିଖରୁ ଟିକ୍ରି, ଦିଲ୍ଲୀ ଓ ଆଖପାଖର ଅନ୍ୟ ବିକ୍ଷୋଭସ୍ଥଳରେ ବହୁ ସଂଖ୍ୟାରେ ଶ୍ରମିକ ଧାରଣା ଦେଇଆସୁଛନ୍ତି । କିଛି ଶ୍ରମିକ ଅଳ୍ପ ଦିନ ପାଇଁ ସେଥିରେ ସାମିଲ ହେଉଛନ୍ତି । ସେମାନେ ନିଜ ନିଜ ଗାଁକୁ ଫେରି ଲୋକଙ୍କୁ ଏହିସବୁ ସ୍ଥାନରେ ଚାଲିଥିବା ବିକ୍ଷୋଭ ସମ୍ପର୍କରେ ସୂଚନା ଦେଉଛନ୍ତି ।

ଜାନୁଆରୀ ୯ ତାରିଖ ମଧ୍ୟାହ୍ନରେ ଏହି ଦୁଇ ଭଉଣୀ ହରିୟାଣା-ଦିଲ୍ଲୀ ସୀମାରେ ଥିବା ସିଂଘୁ ବିକ୍ଷୋଭସ୍ଥଳରେ ଯୋଗ ଦେବା ଲାଗି ଅନ୍ୟ ସଂଘ ସଦସ୍ୟଙ୍କ ସହ ଟିକ୍ରିରୁ ବାହାରିଲେ । ସେମାନଙ୍କର ବସ୍‌ ୩ କିମି ଦୂରରେ ରହିଲା । ମୁଖ୍ୟ ଷ୍ଟେଜ୍‌ ସମ୍ମୁଖରେ ଥିବା ବସିବା ସ୍ଥାନ ଯାଏ ସେମାନେ ସମସ୍ତେ ପ୍ରାୟ ଚାଲିକରି ଗଲେ । ହାତରେ ସେମାନେ ପ୍ଲାକାର୍ଡ ଏବଂ ସେମାନଙ୍କର ସଂଘର ପତାକା ଧରିଥିଲେ । ରେଶମ ଯେଉଁ ପ୍ଲାକାର୍ଡ ଧରିଥିଲେ ସେଥିରେ ଲେଖାଥିଲା, ‘ଲୋକଙ୍କ ପାଇଁ ଟ୍ରେଜେରୀ ଖୋଲ, ରକ୍ତ ଶୋଷୁଥିବା କର୍ପୋରେଟ୍‌ଙ୍କ ପାଇଁ ନୁହେଁ ।’

ବିଅନ୍ତ ନିଜ ବଡ଼ ଭଉଣୀଙ୍କ ଅପେକ୍ଷା ଅଧିକ ସଂଖ୍ୟାରେ ସଂଘର ବୈଠକରେ ଯୋଗ ଦେଇଛନ୍ତି । ସେ ବିଗତ ୭ ବର୍ଷ ହେଲା ପଞ୍ଜାବ କ୍ଷେତ ମଜଦୁର ସଂଘ ସହ ଜଡ଼ିତ, ଯେତେବେଳେ କି ରେଶମ ମାତ୍ର ୩ ବର୍ଷ ହେଲା ଯୋଗ ଦେଇଛନ୍ତି । ବିଅନ୍ତଙ୍କ ଅନୁସାରେ ଏହାର କାରଣ ହେଲା ଖୁଣ୍ଡେ ହଲାଲ ଗାଁ (ଚାନୁଠାରୁ ୫୦ କିମି ଦୂର) ରେ ରହୁଥିବା ତାଙ୍କର ମାଉସୀ ଓ ମଉସା ଯେଉଁମାନେ କି ସଂଘର ସଦସ୍ୟ ସେମାନେ ଏକ କନ୍ୟା ସନ୍ତାନ ଚାହୁଁଥିଲେ । ତେଣୁ ସେ ସାନ ଥିବାବେଳେ ତାଙ୍କୁ ପୋଷ୍ୟ କରିଥିଲେ । ବିଅନ୍ତ କହନ୍ତି, ‘‘ତେଣୁ ମୁଁ କମ୍‌ ବୟସରୁ ସଂଘର ସଦସ୍ୟ ହୋଇଗଲି ।’’(ତିନି ବର୍ଷ ତଳେ ସ୍ନାତକ ଶିକ୍ଷା ଶେଷ କରିବା ଲାଗି ଚାନୁସ୍ଥିତ ନିଜ ଘରକୁ ବିଅନ୍ତ ଫେରିଲେ ।)

ପଞ୍ଜାବ କ୍ଷେତ ମଜଦୁର ସଂଘର ୫,୦୦୦ ସଦସ୍ୟ ଦଳିତମାନଙ୍କର ଜୀବିକା, ଜମି ଅଧିକାର, ଜାତିଆଣ ଭେଦଭାବ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରିଥାନ୍ତି । ସଂଘର ସାଧାରଣ ସମ୍ପାଦକ ଲଛମନ ସିଂହ ସିୱିୱାଲା କହନ୍ତି, ‘ନୂଆ କୃଷି ଆଇନ ବିରୋଧରେ ଚାଷୀଙ୍କର ଏହି ଆନ୍ଦୋଳନ ସେମାନଙ୍କର ଜମି ଓ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗ ସହ ଜଡ଼ିତ ବୋଲି ଅନେକ ମନେ କରୁଛନ୍ତି । କିନ୍ତୁ କୃଷି ଶ୍ରମିକଙ୍କ ପାଇଁ ଏହା ସେମାନଙ୍କର ଖାଦ୍ୟ ନିରାପତ୍ତା ପ୍ରସଙ୍ଗ-ସାଧାରଣ ବଣ୍ଟନର କଥା ।

ବିଅନ୍ତ କହନ୍ତି, ‘‘ଆମ ଗାଁରେ କୃଷି ଶ୍ରମିକଙ୍କର କୌଣସି ସଂଘ ନାହିଁ, କେବଳ ଚାଷୀଙ୍କର ସଂଘ ଅଛି । ସେଥିଲାଗି ସେଠାରେ କିଛି କୃଷି ଶ୍ରମିକ ସଚେତନ ନାହାନ୍ତି ଯେ ସେମାନେ ମଧ୍ୟ ଭୁଲର ଶିକାର ହେଉଛନ୍ତି (ଏହି ସବୁ ଆଇନ ଦ୍ୱାରା)’’ । ରେଶମ କହିଲେ ‘‘କିନ୍ତୁ ଆମେ ସଚେତନ ଅଛୁ । ଆମେ ଦିଲ୍ଲୀକୁ ଆସିଛୁ ଯାହାଦ୍ୱାରା ଆମେ ସେମାନଙ୍କୁ ବିକ୍ଷୋଭର ପ୍ରକୃତ ଚିତ୍ର ଦେଇପାରିବୁ ଏବଂ ଏହିସବୁ ଆଇନ କାହିଁକି କେବଳ କୃଷକଙ୍କୁ ନୁହେଁ, ସମସ୍ତଙ୍କୁ ପ୍ରଭାବିତ କରିବ ତାହା ବୁଝାଇପାରିବୁ ।’’

ଏହି ଦୁଇ ଭଉଣୀ ଜାନୁଆରୀ ୧୦ ତାରିଖରେ ଘର ଅଭିମୁଖେ ଫେରିବା ଆରମ୍ଭ କଲେ । ବିକ୍ଷୋଭସ୍ଥଳରେ ଏହି ଦୁଇ ଦିନ ରହିବା ପରେ ଗ୍ରାମବାସୀଙ୍କୁ କହିବା ଲାଗି ମୋ ପାଖରେ ବହୁତ କିଛି ଅଛି ବୋଲି ବିଅନ୍ତ କହିଲେ । ପଞ୍ଜାବ ଷ୍ଟେଟ୍‌ ଏଗ୍ରିକଲଚରାଲ୍‌ ମାର୍କେଟିଂ ବୋର୍ଡ କୁ ଲକ୍ଷ୍ୟ କରି ସେ ପଚାରିଲେ, ‘‘ଯଦି ଚାଷୀଙ୍କ ଜମିରେ ବାହାରର ଲୋକମାନେ ଚାଷ କରିବେ, ତେବେ ଶ୍ରମିକମାନେ କେଉଁଠାକୁ ଯିବେ ? ଯଦି ମଣ୍ଡି ବୋର୍ଡ ଭାଙ୍ଗି ଦିଆଯିବ ଏବଂ ସରକାରୀ ପରିଚାଳିତ ଏଜେନ୍ସିଗୁଡ଼ିକୁ ଅଚଳ କରିଦିଆଯିବ, ତାହେଲେ ଗରିବମାନେ କେଉଁଠାରୁ ରାସନ ପାଇବେ ?’’ ଗରିବମାନଙ୍କୁ ମରିବା ଲାଗି ଛାଡ଼ି ଦିଆଯିବ । ସରକାର ଆମକୁ ବୋକା ବୋଲି ଭାବିଛନ୍ତି । ଆମେ କିନ୍ତୁ ବୋକା ନୁହେଁ । ଆମେ ନ୍ୟାୟ ପାଇଁ କିଭଳି ଆନ୍ଦୋଳନ କରିବାକୁ ପଡ଼େ ତାହା ଜାଣିଛୁ ଏବଂ ପ୍ରତିଦିନ ତାହା ଶିଖୁଛୁ ।’’

ଅନୁବାଦ - ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Sanskriti Talwar

Sanskriti Talwar is an independent journalist based in New Delhi. She reports on gender issues.

Other stories by Sanskriti Talwar