“ମୋତେ ହସିବା ଜଣାନାହିଁ”, ସଡ଼କରେ ନିଜର କଳାକୌଶଳ ପ୍ରଦର୍ଶନ କରୁଥିବା ୧୧ ବର୍ଷୀୟ ଲକ୍ଷ୍ମୀ ପ୍ରସାଦ କୁହନ୍ତି, ଯିଏକି ଛତିଶଗଡ଼ର ବାରଗାଓଁର ବାସିନ୍ଦା। ଲକ୍ଷ୍ମୀ, ଯାହାଙ୍କ ଛାଇ ଆପଣ ଏଠାରେ ସ୍କେଚ ଓ ଫଟୋରେ ଦେଖିପାରୁଛନ୍ତି, ସେ ନଟ ସମ୍ପ୍ରଦାୟର ଅଟନ୍ତି। ଏହି ଦଳିତ ସମୁଦାୟ ରଶି ଉପରେ କଳାକୌଶଳ ପ୍ରଦର୍ଶନ କରିବା ଲାଗି ପ୍ରସିଦ୍ଧ। ଲୋକମାନଙ୍କର ମନୋରଞ୍ଜନ କରିବା ଲାଗି ଏହି କଳାକାର, ଦୁଇଟି ବଡ଼ ଖୁଣ୍ଟ ମଧ୍ୟରେ ବନ୍ଧା ହୋଇଥିବା ରଶିରେ କାଠର ଏକ ମୋଟା ଠେଙ୍ଗା ହାତରେ ଧରି ଚାଲିଥାନ୍ତି। ଏଥିରେ ୨୫ରୁ ୩୦ ଫୁଟ ଲମ୍ବ ରଶିକୁ ଭୂମି ଉପରୁ ପାଖାପାଖି ୮ କିମ୍ବା ୧୦ ଫୁଟ ଉପରେ ବନ୍ଧା ହୋଇଥାଏ। ଏପରିକି ୮ ବର୍ଷ ବୟସର କଳାକାରମାନେ ନିଜ ପେଟ ପୋଷିବା ଲାଗି, ବିଭିନ୍ନ ରାଜ୍ୟର ଗାଁ ତଥା ସହରରେ ନିଜର ପ୍ରତିଭା ପ୍ରଦର୍ଶନ କରିଥାନ୍ତି ଏବଂ ଦୀର୍ଘ ଦୂର ଅତିକ୍ରମ କରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାନ୍ତି। ଲକ୍ଷ୍ମୀଙ୍କ ପରିବାର ଛତିଶଗଡ଼ର ଜାଞ୍ଜଗୀର-ଚାମ୍ପା ଜିଲ୍ଲା ପାମଗଡ଼ ବ୍ଲକ ସ୍ଥିତ ନିଜ ଘର ଛାଡ଼ି, ସେଠାରୁ ୧,୦୦୦ କିମି ଦୂର, ମହାରାଷ୍ଟ୍ରର କୋହ୍ଲାପୁର ଏବଂ ସାଙ୍ଗଲୀ ଜିଲ୍ଲାରେ ନିଜର ଏହି କଳା ପ୍ରଦର୍ଶନ କରୁଛନ୍ତି। ତାଙ୍କର ଏହି ଫଟୋ କୋହ୍ଲାପୁରର ଇଚଲକରଞ୍ଜୀର ବାହ୍ୟ ଇଲାକାରେ ନିଆଯାଇଛି।
ସେମାନଙ୍କ ପାଖରେ ହସିବା ଲାଗି କିଛି ନାହିଁ। ସେମାନଙ୍କର ଏହି କଳା, ଯାହା କେବେ ଗ୍ରାମ ଏବଂ ସହରର ଲୋକମାନଙ୍କ ମନୋରଞ୍ଜନର ବଡ଼ ସ୍ରୋତ ଥିଲା, ଏବେ ଧୀରେ ଧୀରେ ଲୁପ୍ତ ହୋଇଯାଉଛି। କାରଣ: ମନୋରଞ୍ଜନର ଅନ୍ୟ ମାଧ୍ୟମ ସହ ହେଉଥିବା ପ୍ରତିଯୋଗିତା ଏବଂ ଯୁବପିଢ଼ି ଜୀବିକାର ଅନ୍ୟ ଉତ୍ସର ସନ୍ଧାନ କରିବା।
ଲକ୍ଷ୍ମୀଙ୍କୁ ଏହି ବିପଜ୍ଜନକ କୌଶଳ ଦିନରେ ଅତିକମ୍ରେ ଛଅ ଥର ଦେଖାଇବାକୁ ପଡ଼ିଥାଏ, ଏପରି ଥରେ କରିବା ଲାଗି ୪୫ରୁ ୬୦ ମିନିଟ ଲାଗିଥାଏ। ରୋଜଗାର ଦର୍ଶକଙ୍କ ଦୟା ଉପରେ ନିର୍ଭର କରିଥାଏ, ଯାହା ସେମାନଙ୍କୁ ନିରାଶ କରିଥାଏ। ସେ କହିଥାନ୍ତି, “ନିଜ ଜୀବନକୁ ବିପଦରେ ପକାଉଥିବା ସତ୍ତ୍ୱେ, ଟଙ୍କା ପାଇଁ ଆମକୁ ଭିକ ମାଗିବାକୁ ପଡ଼ିଥାଏ। ଲୋକମାନେ ଅତିକମରେ ଏକ ଟଙ୍କା କିମ୍ବା ଅତି ବେଶୀରେ ୧୦ ଟଙ୍କା ଦେଇଥାନ୍ତି- ଯାହାଫଳରେ ଦୈନିକ ଆୟ ୪୦୦ ଟଙ୍କାରୁ ମଧ୍ୟ କମ୍ ହୋଇଥାଏ।’’
ତାଙ୍କ ପିତା, ଭାଗବତ ପ୍ରସାଦ (୩୬) କହିଥାନ୍ତି ଯେ ପାଖାପାଖି ୨୩୦୦ ଲୋକଙ୍କ ଜନସଂଖ୍ୟା ବିଶିଷ୍ଟ ସେମାନଙ୍କ ଗ୍ରାମ, ବରଗାଓଁରେ ଏବେ ମାତ୍ର ୨୦ରୁ ସୁଦ୍ଧା କମ ଲୋକ ରଶି ଉପରେ କରାଯାଉଥିବା ଏହି ଦୁଃସାହସିକ କୌଶଳ ପ୍ରଦର୍ଶନ କରିବାର ପେସାରେ ଅଛନ୍ତି। “ପୂର୍ବରୁ ପ୍ରତି ପରିବାରରେ ଅତିକମରେ ଜଣେ ନଟ ଥିଲେ। ଆଜି ଗାଁରେ କେହି ବି ଏହି କଳା ପାଇଁ ଟଙ୍କା ଦେଉନାହିଁ, ସେଥିପାଇଁ ଆମକୁ ପ୍ରତି ବର୍ଷ ୧,୦୦୦ କିମି ଦୂର ମହାରାଷ୍ଟ୍ର ଆସିବାକୁ ପଡ଼ୁଛି।”
ଅନୁବାଦ: ଓଡ଼ିଶାଲାଇଭ୍