ଭୁରି କାଲୁ ଦକ୍ଷିଣ-ପୂର୍ବ ଉତ୍ତରପ୍ରଦେଶର ଚିତ୍ରକୁଟ ଜିଲ୍ଲାରେ ଥିବା ଭାରକୁରା ଗାଁରେ ଏକୁଟିଆ ଚଳନ୍ତି। ତାଙ୍କର ଘର, ଅଗଣା ଏବଂ ଚୁଲି ସମ୍ପୂର୍ଣ୍ଣ ଭାବେ ମାଟିରେ ତିଆରି। ଏକମାତ୍ର ବ୍ୟତିକ୍ରମ ହେଲା ଏକ ମେଳ ଖାଉ ନ ଥିବା ଛାତ ନ ଥିବା ତିନି କାନ୍ଥିଆ ଇଟାରେ ତିଆରି ନିର୍ମାଣ ଯାହାକୁ ମୁଁ ପରେ ଏକ ଅସମ୍ପୂର୍ଣ୍ଣ ପାଇଖାନା ବୋଲି ବୁଝିଲି।

ଏକ ମାଟି ତିଆରି ଚୁଲି ଉପରୁ ସେ ଘୋଡ଼ଣା ଖୋଲିଲେ-ଯାହାକି ଅନେକ ମୁହଁ ଥିବା ଏକ ଗାତ। ଏହା ତାଙ୍କ ଆୟର ପ୍ରାଥମିକ ଉତ୍ସ ଏବଂ ବିଭିନ୍ନ ସ୍ତରର ପ୍ଲାଷ୍ଟିକ, ବ୍ୟବହୃତ ଅଖା ଖଣ୍ଡରେ ଘୋଡ଼ାଯାଇଥାଏ। ‘‘ମୁଁ ଏଠାରେ ଚଣା ଓ ଗହମ ଭାଜେ, କିନ୍ତୁ ତାହା କେବଳ ବିବାହ ଋତୁରେ। ଅନ୍ୟଥା, ମୁଁ ସରକାରଙ୍କ ପକ୍ଷରୁ ବାର୍ଷିକ ପ୍ରାୟ ୧,୮୦୦ ଟଙ୍କା ଭତ୍ତା ଆକାରରେ ପାଏ। ମୋତେ ସେଥିରେ ଚଳିବାକୁ ହୁଏ।’’

ଚାଷ କରିବା ବା ବଖରା ଦେବା ପାଇଁ ତାଙ୍କର କିଛି ଜମି ଅଛି କି ବୋଲି ମୁଁ ତାଙ୍କୁ ପଚାରିଲି। ସେ ତାଙ୍କ ମୁଣ୍ଡ ହଲାଇଲେ। ‘‘ମୋର ଦୁଇ ବିଘା ଜମି ଥିଲା, କିନ୍ତୁ ତାହା ଦୀର୍ଘ ଦିନ ପୂର୍ବରୁ। ମୋ ପିଲାଙ୍କ ପାଇଁ ଔଷଧ କିଣିବାକୁ ମୁଁ ତାକୁ ବିକ୍ରି କରିଦେଲି।’’ ତାଙ୍କର ସାବାଳକ ପୁଅ ହରିୟାଣାର ସୋନିପତରେ କାମ କରୁଛନ୍ତି। ପ୍ରାୟ ଏକ ଦଶନ୍ଧି ପୂର୍ବରୁ ତାଙ୍କ ପତିଙ୍କର ଦେହାନ୍ତ ହୋଇଥିଲା।

PHOTO • Radha Sarkar
PHOTO • Radha Sarkar

ଭୁରି ଅସମ୍ପୂର୍ଣ୍ଣ ନିର୍ମାଣକୁ ଜାଳେଣି ଗଚ୍ଛିତ ରଖିବା ପାଇଁ ବ୍ୟବହାର କରନ୍ତି ଏବଂ କହନ୍ତି, ‘ଅତିକମ୍‌ରେ ଏହା କୌଣସି କାମରେ ତ ଲାଗୁଛି’

ସେହି ଇଟାର ତିନି କାନ୍ଥଗୁଡ଼ିକ କ’ଣ? ‘‘ସେଗୁଡ଼ିକୁ ସରକାର କିଛି ବର୍ଷ ପୂର୍ବରୁ ତିଆରି କରିଥିଲେ। ଏହା କୌଣସି ଯୋଜନା ଅଧୀନରେ କରାଯାଇଥିଲା।’’ ସେ ସମ୍ଭବତଃ ଗ୍ରାମୀଣ ଭାରତରେ ପାଇଖାନା ନିର୍ମାଣ ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ଯୋଜନା ନିର୍ମଳ ଭାରତ ଅଭିଯାନ ସମ୍ପର୍କରେ କହୁଥିଲେ। ‘‘ସେମାନେ ଏହାକୁ ତିଆରି ଆରମ୍ଭ କଲେ କିନ୍ତୁ ସମ୍ପୂର୍ଣ୍ଣ କଲେ ନାହିଁ।’’ ସେମାନେ କ’ଣ ସମ୍ପୂର୍ଣ୍ଣ କଲେ ନାହିଁ? ‘‘ସେମାନେ କେବଳ କାନ୍ଥ ତିଆରି କଲେ। ତା’ ଭିତରେ କିଛି ନ ଥିଲା । କୌଣସି ଗାତ ନାହିଁ, ସେମାନେ ତାକୁ ଖୋଳିଲେ ନାହିଁ।’’ ଏହାର ଅର୍ଥ ହେଲା ମଇଳା ଜମା ହେବାକୁ କୌଣସି ସ୍ଥାନ ନାହିଁ । ମୁଁ ବୁଝିବା ଅନୁସାରେ ଭୁରିଙ୍କର ଗୋଟିଏ ପାଇଖାନାର ଚାରି ଭାଗରୁ ତିନି ଭାଗ ଅଛି, ଯେଉଁଥିରେ ଏକ ପ୍ରମୁଖ ଅଂଶ ନାହିଁ । ‘‘ତା’ ବଦଳରେ ମୁଁ ସେଠାରେ ଏବେ ଜାଳେଣି ଗଚ୍ଛିତ ରଖୁଛି। ଅତି କମ୍‌ରେ ଏହା କୌଣସି କାମରେ ତ ଲାଗୁଛି।’’

ମୁଁ ପଚାରିଲି, ତୁମେ କେଉଁଠାରେ ଶୌଚ ହୁଅ। ସେ ଗାଁଠାରୁ ଦୂର ଆଡ଼କୁ ଦେଖାଇଲେ। ‘‘ବାହାରେ, ପଦାରେ ।’’ ଆପଣଙ୍କ ଭଳି ଜଣେ ବୃଦ୍ଧାଙ୍କ ପାଇଁ ଏହା କଷ୍ଟକର ନୁହେଁ କି? ‘‘ହଁ, ନିଶ୍ଚିତ ଭାବେ। ଏହା ଅସୁବିଧାଜନକ ଏବଂ ମୁଁ କ୍ଷତାକ୍ତ ହୋଇପାରେ, ଖାସ୍‌ କରି ଅନ୍ଧକାରରେ। ଏବଂ ସେତେବେଳେ ମୋତେ କିଏ ସାହାଯ୍ୟ କରିବ?’’

ଭୁରି ତାଙ୍କ ଘରର ଗୋଟିଏ ଅଂଶକୁ ଚିହ୍ନିତ କଲେ ଯେଉଁଠାରେ ଗୋଟିଏ ଧାତବ ଫ୍ରେମ୍‌ ଥିବା ଖଟିଆ ପଡ଼ିଛି – ଯାହାକି ତାଙ୍କର ଶୋଇବା ଘର। ‘‘ବର୍ଷା ଋତୁରେ, ମୋ ଘରେ ପ୍ରାୟତଃ ପାଣି ପଶିଯାଏ । ବର୍ଷା ପାଣି ଓ ଗାଁରେ ଥିବା ଖୋଲା ନାଳର ଉଛୁଳା ମଇଳା ପାଣି ଘର ଭିତରେ ପଶିଯାଏ।’’ ବର୍ଷର ସେହି ସମୟରେ ସେ କେଉଁଠି ଶୁଅନ୍ତି ବୋଲି ମୁଁ ଯେତେବେଳେ ପଚାରିଲି, ସେ ସ୍ମିତହାସ୍ୟ ଦେଲେ ଏବଂ କହିଲେ – ‘‘ଆଉ କେଉଁଠି? ଏହିଠାରେ ହିଁ, ପାଣି ଘେରରେ।’’

ଅନୁବାଦ: ଓଡ଼ିଶାଲାଇଭ୍‍

Radha Sarkar

রাধা সরকার লন্ডন স্কুল অফ ইকনমিক্স থেকে তুলনামূলক রাজনীতিতে এমএসসি করছেন। ভারতে সামাজিক ন্যায়, অধিকার বেদখল, দারিদ্র ইত্যাদি বিষয় ঘিরে কাজে আগ্রহী তিনি।

Other stories by Radha Sarkar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE