୪୦ ପର ବୟସର ଜଣେ ଗାଲିଚା ବୁଣାକାର ଅଖତାର୍‌ ଅଲ୍ଲୀ କହନ୍ତି, ‘‘ଭଦୋହି ହେଉଛି ଗାଲିଚାର ଜିଲ୍ଲା। ଏଠାରେ ଆଉ କିଛି କାମ ନାହିଁ। ମୁଁ ମୋର ପିଲାଦିନ ଏଠି କଟାଇଛି ଏବଂ ସେହି କାରଣରୁ ମୁଁ ବୁଣିବା ଶିଖିଛି।’’ ଅବଶ୍ୟ ଗାଲିଚା ତିଆରିରୁ ଆୟ କମିବା କାରଣରୁ ଅଲ୍ଲୀ ବର୍ତ୍ତମାନ ଟେଲରିଂ କାମ ଧରିଛନ୍ତି।

ଉତ୍ତରପ୍ରଦେଶର ମିର୍ଜାପୁର ଡିଭିଜନ୍‌ରେ ଅବସ୍ଥିତ ଭଦୋହି ଜିଲ୍ଲା ହେଉଛି ଗାଲିଚା ତିଆରି ଉଦ୍ୟୋଗର ବୃହତ୍ତମ କେନ୍ଦ୍ର। ଏହି ସମୂହରେ ମିର୍ଜାପୁର, ବାରଣାସୀ, ଘାଜିପୁର, ସୋନଭଦ୍ରା, କୌଶମ୍ବୀ, ଆହ୍ଲାବାଦ, ଜୋନପୁର, ଘାଜିପୁର, ଚନ୍ଦୋଲି ଆଦି ରହିଛି। ଏହି ଉଦ୍ୟୋଗ ପ୍ରାୟ ଦୁଇ ନିୟୁତ ଗ୍ରାମୀଣ ବୁଣାକାରଙ୍କୁ ନିଯୁକ୍ତି ଦେଇଥାଏ ଯେଉଁମାନଙ୍କ ମଧ୍ୟରେ ବହୁ ସଂଖ୍ୟାରେ ମହିଳା ଅଛନ୍ତି।

ହାତରେ ଗଣ୍ଠି ପକାଇ ବୁଣିବା ଶୈଳୀ ଏହାର ବୟନ ପ୍ରକ୍ରିୟାକୁ ଅନ୍ୟ ସମସ୍ତଙ୍କଠାରୁ ଅଲଗା କରେ। ଗାଲିଚା ବା କାର୍ପେଟଗୁଡ଼ିକ ସମାନ୍ତରାଳ ଭାବରେ ଥିବା ତନ୍ତରେ ବୁଣାଯାଏ ଯେଉଁଥିରେ ବର୍ଗ ଇଞ୍ଚ ପିଛା ୩୦ରୁ ୩୦୦ ପର୍ଯ୍ୟନ୍ତ ଗଣ୍ଠି ପଡ଼ିଥାଏ। ଏହି ଗଣ୍ଠି ହିଁ ଗାଲିଚାର ମାନ ନିର୍ଣ୍ଣୟ କରିଥାଏ। ଏହି ପଦ୍ଧତି ଏବଂ ଏହି କଞ୍ଚାମାଲ- ଉଲ୍‌, କପା ଏବଂ ସିଲ୍କ ସୂତା – ଅତି କମ୍‌ରେ ଦୁଇ ଶତାବ୍ଦୀ ଧରି ସମାନ ରହିଛି। ଏହି ବୁଣାକାରମାନେ ତନ୍ତରେ ହାତରେ ଗଣ୍ଠି ପକାଇବାର କୌଶଳ ନିଜ ପିଲାମାନଙ୍କୁ ଶିଖାଇଥା’ନ୍ତି, ଉତ୍ତରାଧିକାରିତ୍ୱ ଭାବରେ।

ସେମାନଙ୍କ ବୁଣିବା ପଦ୍ଧତିର ଅନନ୍ୟ ପ୍ରକାର ପ୍ରତି ସ୍ୱୀକୃତି କାରଣରୁ ଭଦୋହି କାର୍ପେଟ୍‌ ୨୦୧୦ରେ ଭୌଗୋଳିକ ସୂଚକାଙ୍କ ପ୍ରମାଣପତ୍ର ଲାଭ କରିଛି। ଏହି ଜିଆଇ ଟ୍ୟାଗ୍‌ ଏହି ଉଦ୍ୟୋଗକୁ ପ୍ରୋତ୍ସାହନ ଦେବ ବୋଲି ଆଶା କରାଯାଉଥିଲା। ତେବେ, ଏହା ଗାଲିଚା ବୁଣାକାରମାନଙ୍କର ବ୍ୟବସାୟକୁ ଉନ୍ନତ କରିବାରେ ସାହାଯ୍ୟ କରିନାହିଁ।

ଉଦାହରଣ ସ୍ୱରୂପ, ମୁବାରକ୍‌ ଅଲ୍ଲୀ ଆଣ୍ଡ୍‌ ସନ୍ସ, ଏହା ୧୯୩୫ ମସିହାରେ ସ୍ଥାପିତ ହୋଇଥିଲା, ଏହା ଭଦୋହିର ଗାଲିଚାକୁ ୨୦୧୬ ପର୍ଯ୍ୟନ୍ତ ଯୁକ୍ତରାଜ୍ୟ, ଯୁକ୍ତରାଷ୍ଟ୍ର, ୟୁରୋପୀୟ ସଂଘ ଏବଂ ଜାପାନ ପରି ଦେଶକୁ ରପ୍ତାନୀ କରୁଥିଲା। ଏହା ପରେ ଚାହିଦା ଅଭାବ କାରଣରୁ ଏହି ଦୋକାନ ବନ୍ଦ ହୋଇଗଲା। ଏହି ରପ୍ତାନୀ ଗୃହର ସଂସ୍ଥାପକ ତଥା ପୂର୍ବତନ ମାଲିକ ମୁବାରକ୍‌ଙ୍କ ନାତି ହେଉଛନ୍ତି ୬୭ ବର୍ଷ ବୟସ୍କ ଖାଲିଦ୍‌ ଖାନ୍‌। ସେ କହନ୍ତି, ‘‘ମୋ ଜେଜେବାପା ଏବଂ ବାପା ଏହି ବ୍ୟବସାୟରେ ଥିଲେ। ଆମର ବ୍ୟବସାୟ ବ୍ରିଟିଶ ଶାସନ ସମୟରେ ଆରମ୍ଭ ହୋଇଥିଲା, ଯେତେବେଳେ କାର୍ପେଟ୍‌ଗୁଡ଼ିକ ‘ମେଡ୍‌ ଇନ୍‌ ବ୍ରିଟିଶ୍‌ ଇଣ୍ଡିଆ’ ଲେବୁଲ୍‌ ସହିତ ରପ୍ତାନୀ ହେଉଥିଲା।’’

ଭିଡିଓ ଦେଖନ୍ତୁ: ଭଦୋହିର ହଜି ହଜି ଯାଉଥିବା ଡିଜାଇନ୍‌

ଭାରତରେ ଗାଲିଚା ବୁଣିବା କେଇ ଶତାବ୍ଦୀ ପୁରାତନ ବୋଲି କୁହାଯାଏ। ଐତିହାସିକ ଦସ୍ତାବିଜ୍‌ ଅନୁଯାୟୀ ଏହି ହସ୍ତ କଳା ମୋଗଲ ଯୁଗରେ ଅତ୍ୟନ୍ତ ସମୃଦ୍ଧି ଲାଭ କରିଥିଲା, ବିଶେଷକରି ୧୬ତମ ଶତାବ୍ଦୀରେ ଆକବରଙ୍କ ଶାସନ ସମୟରେ। ହାତ ତିଆରି ବିଭିନ୍ନ ଆକାରର କାର୍ପେଟ୍‌, ମୁଖ୍ୟତଃ ଉଲ୍‌ର କାର୍ପେଟ୍‌ ୧୯ତମ ଶତାବ୍ଦୀଠାରୁ ଭଦୋହି ଅଞ୍ଚଳରେ ବିପୁଳ ପରିମାଣରେ ପ୍ରସ୍ତୁତ ହେବା ଆରମ୍ଭ ହୋଇଥିଲା।

କାର୍ପେଟ୍‌ ରପ୍ତାନୀ ପ୍ରୋତ୍ସାହନ ପରିଷଦର ସୂଚନା ଅନୁଯାୟୀ ଏଠାରେ ତିଆରି ହେଉଥିବା କାର୍ପେଟ୍‌ ବର୍ତ୍ତମାନ ସାରା ପୃଥିବୀକୁ ଯାଉଛି। ଭାରତରେ ଉତ୍ପାଦିତ କାର୍ପେଟ୍‌ଗୁଡ଼ିକ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ରପ୍ତାନୀ କରାଯାଏ – ଦେଶରୁ ରପ୍ତାନୀ ହେଉଥିବା ଗାଲିଚାର ଅଧାରୁ ଅଧିକ ଯୁକ୍ତରାଷ୍ଟ୍ରକୁ ଯାଇଥାଏ। ୨୦୨୧-୨୨ରେ ଭାରତର କାର୍ପେଟ୍‌ ରପ୍ତାନୀର ମୂଲ୍ୟ ଥିଲା $୨.୨୩ ବିଲିୟନ୍‌ (ଟ. ୧୬,୬୪୦ କୋଟି) । ଏ ମଧ୍ୟରୁ ହାତ ତିଆରି କାର୍ପେଟ୍‌ ଥିଲା $୧.୫୧ ବିଲିୟନ୍‌ (ଟ. ୧୧,୨୩୧ କୋଟି)

କିନ୍ତୁ ଭଦୋହିର କାର୍ପେଟ୍‌ ବୁଣା ଉଦ୍ୟୋଗ ଶସ୍ତା ବିକଳ୍ପଠାରୁ ଘୋର ପ୍ରତିଯୋଗିତାକୁ ସାମ୍ନା କରୁଛି। ବିଶେଷକରି ଚାଇନା ପରି ଦେଶରେ ମେସିନ୍‌ରେ ତିଆରି ହେଉଥିବା ନକଲଗୁଡ଼ିକଠାରୁ। ଚାଇନା ସମ୍ପର୍କରେ ଆଲୋଚନା କରି ଅଲ୍ଲୀ ବୁଝାଇ କହନ୍ତି, ‘‘ନକଲି କାର୍ପେଟ୍‌ଗୁଡ଼ିକ ବର୍ତ୍ତମାନ ବଜାରରେ ସହଜରେ ଉପଲବ୍ଧ। ବ୍ୟବସାୟୀ ଏବଂ ଯେଉଁମାନଙ୍କ ପାଖରେ ପଇସା ଅଛି ସେମାନେ ଏସବୁ ଜିନିଷକୁ ଯାଞ୍ଚ କରନ୍ତି ନାହିଁ କିମ୍ବା ଏହାକୁ ଖାତିର୍‌ କରନ୍ତି ନାହିଁ।’’

ଭଦୋହିର ଆଉ ଜଣେ ବାସିନ୍ଦା, ୪୫-ବର୍ଷ- ବୟସ୍କା ଉର୍ମିଳା ପ୍ରଜାପତି ସେମାନଙ୍କ ମଧ୍ୟରୁ ଅନ୍ୟତମ ଯେଉଁମାନେ କାର୍ପେଟ୍‌ ବୁଣିବାର କଳା ଉତ୍ତରାଧିକାରୀ ସୂତ୍ରରେ ପାଇଛନ୍ତି। କିନ୍ତୁ ଅସ୍ଥିର ଆୟ ଏବଂ ସ୍ୱାସ୍ଥ୍ୟ ସମସ୍ୟା ତାଙ୍କୁ ଏହି କଷ୍ଟକର ବୃତ୍ତିକୁ ଛାଡ଼ିବା ପାଇଁ ବାଧ୍ୟ କରିଥିଲା। ‘‘ମୋ ବାପା ଘରେ ମୋତେ କାର୍ପେଟ୍‌ ବୁଣିବାର କଳା ଶିଖାଇଥିଲେ। ସେ ଚାହୁଁଥିଲେ ଆମେ କାମ କରୁ ଏବଂ ସ୍ୱାଧୀନ ଭାବରେ ଉପାର୍ଜନ କରୁ। ମୋ ଆଖିରୁ ପାଣି ବୋହୁଥିଲା। କିଛି ଲୋକ ପରାମର୍ଶ ଦେଲେ ଯେ ମୁଁ ବୁଣିବା ବନ୍ଦ କରିଦେଲେ ମୋ ଦୃଷ୍ଟିଶକ୍ତି ପୁଣି ଉନ୍ନତ ହୋଇଯିବ। ତେଣୁ ମୁଁ ବୁଣିବା ବନ୍ଦ କରିଦେଲି।’’

ଉର୍ମିଳା ଏବେ ଚଷମା ପିନ୍ଧୁଛନ୍ତି, ପୁଣି ଥରେ କାର୍ପେଟ୍‌ ବୁଣିବାକୁ ଯୋଜନା କରୁଛନ୍ତି। ଭଦୋହିର ଅନ୍ୟମାନଙ୍କ ପରି ସେ ଉତ୍ତରାଧିକାରିତ୍ୱ ସୂତ୍ରରେ ପାଇଥିବା ଏହି କଳାକୁ ନେଇ ଗର୍ବ ଅନୁଭବ କରନ୍ତି। କିନ୍ତୁ ଯେମିତି ଏହି ଭିଡିଓ ପ୍ରଦର୍ଶିତ କରୁଛି, ରପ୍ତାନୀ ସଙ୍କୁଚିତ ହେବା ଏବଂ ବଜାର ଅନିଶ୍ଚିତ ହେବା କାରଣରୁ କୌଳିକ ବୃତ୍ତିରୁ ଶ୍ରମିକମାନେ ଅନ୍ୟ ଆଡ଼କୁ ଚାଲିଯାଉଛନ୍ତି, ଭଦୋହି ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ କାର୍ପେଟ୍‌ ବୁଣିବା ଜିଲ୍ଲା ଭାବରେ ଏହାର ଶହ ଶହ ବର୍ଷ ପୁରାତନ ଖ୍ୟାତି ହଜାଇବାର ବିପଦରେ ରହିଛି।

ଅନୁବାଦ : ଓଡ଼ିଶାଲାଇଭ୍‍

Mohammad Asif Khan

মহম্মদ আসিফ খান নয়াদিল্লি-কেন্দ্রিক সাংবাদিক। সংখ্যালঘু মানুষদের সমস্যা তথা সংঘর্ষের কথা তুলে ধরতে তিনি আগ্রহী।

Other stories by Mohammad Asif Khan
Sanjana Chawla

সঞ্জনা চাওলা নয়াদিল্লি-কেন্দ্রিক সাংবাদিক। তাঁর কাজ জুড়ে রয়েছে সমাজ, কৃষ্টি, লিঙ্গ তথা ভারতের মানবাধিকার ও সংস্কৃতির বিশ্লেষণ।

Other stories by Sanjana Chawla
Text Editor : Sreya Urs

বেঙ্গালুরু-নিবাসী শ্রেয়া উর্স একজন স্বতন্ত্র লেখক ও সম্পাদক। প্রিন্ট ও দূরদর্শন মাধ্যমে তাঁর অভিজ্ঞতা ৩০ বছরেরও বেশি।

Other stories by Sreya Urs
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE